ଚର୍ଚ୍ଚାରେ ସୂର୍ଯ୍ୟଙ୍କ ପଡ଼ୋଶୀ

ଶୈଳେନ୍ଦ୍ର ଦ୍ବିବେଦୀ

ଆମ ସୂର୍ଯ୍ୟଙ୍କ ସବୁଠୁ ନିକଟ ନକ୍ଷତ୍ର ମଣ୍ଡଳ ଆଲଫା ସେଣ୍ଟାଉରୀ ଏବେ ଚର୍ଚ୍ଚାରେ। ସୂର୍ଯ୍ୟଙ୍କ ପଡୋଶୀମାନେ ତାଙ୍କଠୁ ପ୍ରାୟ ୪.୨୨ ଆଲୋକବର୍ଷ ଦୂରରେ। ଆଲଫା ସେଣ୍ଟାଉରୀର ବ୍ୟବସ୍ଥା ତିନିଟି ନକ୍ଷତ୍ରଙ୍କୁ ନେଇ- ଆଲଫା ସେଣ୍ଟାଉରୀ କ, ଖ ଓ ପ୍ରକ୍ସିମା ସେଣ୍ଟାଉରୀ। ପଡୋଶୀଙ୍କ ସହିତ ଅଂଶୁମାନ ସୂର୍ଯ୍ୟଙ୍କ ମିତ୍ରତା ଠିକ କେମିତି ସେ କଥା ତ ଜଣା ନାହିଁ, ତେବେ ଜ୍ୟୋତିର୍ବିଜ୍ଞାନୀଗଣ ଏପ୍ରିଲ ୨୦୨୧ରେ ସ୍ପଷ୍ଟ କରିଥିଲେ ଯେ ପ୍ରକ୍ସିମାରୁ ଅତି ତେଜଷ୍କ୍ରିୟ ଆଲୋକ/ବିକିରଣ ଠାବ କରାଯାଇଛି, ଯାହା ଖୋଦ ସୂର୍ଯ୍ୟଙ୍କଠି ଏ ପର୍ଯ୍ୟନ୍ତ ଠାବ ହୋଇଥିବା ଜ୍ବଳନଠୁ ୧୦୦ ଗୁଣ ଅଧିକ ଶକ୍ତିଶାଳୀ। ବିଜ୍ଞାନୀମାନେ କହିଛନ୍ତି, ପ୍ରକ୍ସିମାରେ ଦୃଶ୍ୟମାନ ହୋଇଥିବା ଏହି ପ୍ରଚଣ୍ଡ ଅଗ୍ନିଶିଖା ଆମ ଛାୟାପଥରେ ଠାବ ହୋଇଥିବା କୌଣସି ନିର୍ଜନ ନକ୍ଷତ୍ର କ୍ଷେତ୍ରରେ ଏକ ବିରଳ ମହାଜାଗତିକ ଘଟଣା।

ପାଠକେ, ପ୍ରକାଶିତ ତଥ୍ୟ ଅନୁଯାୟୀ ଜ୍ୟୋତିର୍ବିଜ୍ଞାନୀ ଗତ ଏପ୍ରିଲ ଓ ନଭେମ୍ବର ମାସରେ ଯଦିଓ ପ୍ରକ୍ସିମା ସମ୍ପର୍କରେ ପାଟି ଫିଟାଇଛନ୍ତି, ତେବେ ଏହି ବିରଳ ଦୃଶ୍ୟ ସବା ଆଗେ ଦୃଷ୍ଟିକୁ ଆସିଥିଲା ମେ ୨୦୧୯ ରେ, ଯେତେବେଳେ ହବଲ ସ୍ପେସ ଟେଲିସ୍କୋପ ସମେତ ୯ ଟି ଟେଲିସ୍କୋପ ଜରିଆରେ ଏହି ଅଗ୍ନିଶିଖା ରେକର୍ଡ ହୋଇଥିଲା। ଅନ୍ୟ ଏକ ବିଶେଷତ୍ୱ ଥିଲା ୟାର ବିକିରଣ; ଖାସ୍‌ କରି ଅତି ବାଇଗଣୀ ରଶ୍ମି ଏବଂ ରେଡ଼ିଓ ତରଙ୍ଗ ଯାହାକୁ କୁହାଯାଉଛି ମିଲିମିଟର ବିକିରଣ। ଯେଉଁ ଗବେଷକମାନେ ପରଗ୍ରହୀ ବା ଏଲିଏନ୍ସ ଉପରେ ଅଧ୍ୟୟନ କରୁଛନ୍ତି, ସେମାନଙ୍କ ବିଚାର ହେଉଛି, ଏହା ପ୍ରକ୍ସିମାରେ ରହୁଥିବା ବୁଦ୍ଧିମାନ ଜୀବସତ୍ତାଙ୍କଠାରୁ ହୁଏ ତ ଆସିଥାଇପାରେ !

ଏ ସମ୍ପର୍କରେ ଆଲୋଚନା ପୂର୍ବରୁ କହିରଖେ, କେଇ ମାସ ଆଗରୁ ବି ପ୍ରକ୍ସିମା ଚର୍ଚ୍ଚାକୁ ଆସିଥିଲା ଏବଂ ପ୍ରାୟ ବର୍ଷେ ଲାଗିଥିଲା ଗବେଷକଙ୍କୁ ଜାଣିବା ପାଇଁ ଯେ ପ୍ରକ୍ସିମାରୁ ଆସିଥିବା ପରି ମାଲୁମ ହେଉଥିବା ରହସ୍ୟମୟ ଅନ୍ୟ ଏକ ସଂକେତ ପ୍ରକୃତରେ ପୃଥିବୀରୁ, ଖୁବ ସମ୍ଭବ ଅଷ୍ଟ୍ରେଲିଆ ଆଖପାଖରୁ ଆସିଥିଲା। ସଂକେତଟି ୯୮୨ ମେଗାହର୍ଜ଼ରେ ପାଞ୍ଚ ଘଣ୍ଟା ପର୍ଯ୍ୟନ୍ତ ରେକର୍ଡ ହୋଇଥିଲା, ଯେଉଁ ମେଗାହର୍ଜ଼ ତୀବ୍ରତା ଉଡ଼ାଜାହାଜରେ ବାର୍ତ୍ତା ବିନିମୟ ପାଇଁ ବ୍ୟବହାର କରାଯାଏ। ଆଶ୍ଚର୍ୟ୍ୟ ହେଉଛି ଯେଉଁ ଟେଲିସ୍କୋପରେ ଏହି ସଂକେତ ଠାବ ହୋଇଥିଲା, ତା’ ପାଖାପାଖି ଇଲାକାରେ କୌଣସି ଉଡ଼ାଜାହାଜର ଉପସ୍ଥିତି ନଥିଲା ! ସଂକେତ ମହାକାଶରୁ ଆସିଛି ବୋଲି ଅନୁମାନ ଏଥିପାଇଁ ମଧ୍ୟ କରାଯାଉଥିଲା: ଏହାର ‘ଫ୍ରିକୁଏନ୍ସି’ ପରିବର୍ତ୍ତନ, ଯାହା ପୃଥିବୀ ନିଜ ଅକ୍ଷପଥରେ ଘୂର୍ଣ୍ଣାୟମାନ ଥିବାରୁ ମହାକାଶରୁ ଆସୁଥିବା ଶବ୍ଦ କ୍ଷେତ୍ରରେ ଘଟିଥାଏ। ଆଶା କରାଯାଉଥିଲା, ପ୍ରକ୍ସିମାର ଦୁଇଟି ଗ୍ରହରେ ଜୀବନ ହୁଏତ ଥିବ ଏବଂ ସେଇ ବାସିନ୍ଦାମାନେ ସଂକେତ ପଠେଇ ଥିବେ ! ଶେଷରେ ଜଣାପଡିଲା କୌଣସି ପରଗ୍ରହୀଙ୍କଠୁ ନୁହେଁ, ବରଂ ପୃଥିବୀ ବାସିନ୍ଦାଙ୍କ ସୌଜନ୍ୟରୁ ​‌େବୖଦ୍ୟୁତିକ – ଚୁମ୍ବକୀୟ ହସ୍ତକ୍ଷେପ ଏମିତି ତରଙ୍ଗ ଉତ୍ପନ୍ନ କରିଛି। ଜ୍ୟୋତିର୍ବିଦଙ୍କୁ ପଚରା ଯାଇଥିଲା, ଅଧିକାଂଶ ବ୍ୟତିକ୍ରମରେ ପ୍ରକ୍ସିମା ସେଣ୍ଟାଉରୀ କାହିଁକି? ଉତ୍ତର ଥିଲା ସରଳ : ପ୍ରକ୍ସିମା ସୂର୍ୟ୍ୟଙ୍କ ପାଖ ନକ୍ଷତ୍ର, କହିପାରନ୍ତି ନିକଟତମ ପଡୋଶୀ । ପୃଥିବୀଠୁ ୨୫ କ୍ୱାଡ଼ରିଲନ ମାଇଲ ଦୂରରେ। ଅନ୍ତରୀକ୍ଷ ପରିପ୍ରେକ୍ଷୀରେ ଏଇ ଦୂରତ୍ୱରୁ ବୁଦ୍ଧିମାନ ସଭ୍ୟତା ରେଡ଼ିଓ ସଂକେତ/ବାର୍ତ୍ତା ପଠେଇ ପାରିବ। ଆମ ଚେଷ୍ଟା ଅବ୍ୟାହତ ରହିଛି ଆଗକୁ ଲେଜର ବିମ୍‌ ସହାୟତାରେ ମହାକାଶଯାନ ଦୀର୍ଘପଥ ଅତିକ୍ରମ କରିବାକୁ ସମର୍ଥ ହେବ ଏବଂ ସେତେବେଳେ ଆମର ପ୍ରଥମ ଲକ୍ଷ୍ୟ ହେବ ଆଲଫା ସେଣ୍ଟାଉରୀ ଶୃଙ୍ଖଳା।

ଏବେ ପୁଣି ଫେରିବା ପ୍ରକ୍ସିମା ସେଣ୍ଟାଉରୀରେ ଠାବ ହୋଇଥିବା ଅଗ୍ନିଶିଖା ନିକଟକୁ। ଆଲଫା ସେଣ୍ଟାଉରୀ ଏହା ନକ୍ଷତ୍ର ବ୍ୟବସ୍ଥାର ଅଂଶ ବିଶେଷ। ଏକଥା ନୁହେଁ ଯେ ପ୍ରକ୍ସିମାରେ ଜ୍ୱଳନ୍ତ ଶିଖା / ରହସ୍ୟମୟ ରେଡ଼ିଓ ତରଙ୍ଗ ସହିତ ଆମର ପ୍ରଥମ ପରିଚୟ ହୋଇଛି, ତେବେ ଏବେ ଆଲୋଚନା ହେଉଥିବା ପ୍ରଚଣ୍ଡ ତେଜସ୍ୱୀ ଅଗ୍ନି ଶିଖା ବା ଫ୍ଲେଆର ଅନେକାଂଶରେ ବ୍ୟତିକ୍ରମ ଥିଲା। ଏହା କେତେ ମିଲି ସେକେଣ୍ଡ ବା ସେକେଣ୍ଡର ତୀବ୍ର ତରଙ୍ଗ (ଫାଷ୍ଟ ରେଡ଼ିଓ ବଷ୍ଟ) ନଥିଲା ବରଂ ପ୍ରଚଣ୍ଡ ପ୍ରଜ୍ବଳନ ଥିଲା। ଏବେ ପ୍ରକ୍ସିମା ପାଖକୁ ଆସନ୍ତୁ । ପ୍ରକ୍ସିମା ଆମ ଛାୟାପଥରେ ଏକ ମୃତ ନକ୍ଷତ୍ର । ୟାର ଆକାର ସୂର୍ଯ୍ୟଙ୍କ ବସ୍ତୁତ୍ୱର ଆଠ ଭାଗରୁ ଭାଗେ। ତାପମାତ୍ରା ୨୮୦୦ ଡ଼ିଗ୍ରୀ ସେଲସିଅସ। ପ୍ରକ୍ସିମା ସେଣ୍ଟାଉରୀ, ଆଲଫା ସେଣ୍ଟାଉରୀ ‘କ’ , ‘ଖ’ ଓ ସୂର୍ଯ୍ୟ ସମସ୍ତେ ଆମ ଛାୟାପଥ (ଆକାଶଗଙ୍ଗା) ଅନ୍ତର୍ଗତ। ଆଲଫା ‘କ ‘, ‘ଖ’ ଠାରୁ ପ୍ରକ୍ସିମାର ଦୂରତ୍ୱ ଗୋଟିଏ ଆଲୋକବର୍ଷର ପଞ୍ଚମାଂଶ। ଏଇ ଦୂରତ୍ୱ କାରଣରୁ ବୈଜ୍ଞାନିକ ଆଶଙ୍କା କରନ୍ତି, ପ୍ରକ୍ସିମାର ମହାଜାଗତିକ ଚରିତ୍ର ପ୍ରକୃତରେ କଣ? ୨୦୧୬ରେ ୟୁରୋପିଆନ ଦକ୍ଷିଣ ଅବଜରଭେଟରି ଘୋଷଣା କରିଥିଲା, ପାଖାପାଖି ୭.୫ ନିୟୁତ କିମି ଦୂରରେ ଗୋଟିଏ ଗ୍ରହ ଏହାକୁ ପ୍ରଦକ୍ଷିଣ କରୁଛି, ଯାହାର ନାମକରଣ ହୋଇଥିଲା ପ୍ରକ୍ସିମା ‘ଖ’। ପ୍ରଥମେ ଆକଳନ ହେଉଥିଲା ଏଇ ଗ୍ରହରେ ଜୀବନ ଥାଇପାରେ; କିନ୍ତୁ ୨୦୧୭ରେ ଜଣାପଡିଲା ନିର୍ଦ୍ଦିଷ୍ଟ ‘ଏକ୍ସୋପ୍ଲାନେଟ୍‌’ରେ ଜୀବନ ଅନୁକୂଳ ବାତାବରଣ ନାହିଁ। ଜୁନ ୨୦୨୦ରେ ଆଉ ଏକ ଗ୍ରହର ସନ୍ଧାନ ମିଳିଲା- ପ୍ରକ୍ସିମାର ୨ୟ ଗ୍ରହ ! ପୃଥିବୀଠାରୁ ବଡ଼। ଏଠି ବି ଜୀବନର ଆଶା ନାହିଁ। ବିଶେଷଜ୍ଞ କହନ୍ତି, ପ୍ରକ୍ସିମା ସେଣ୍ଟାଉରୀ ଚାରିପାଖରେ କୌଣସି ଗ୍ରହରେ ତୀବ୍ର ଅଗ୍ନିଶିଖା ଠାବ କରିବା ବିସ୍ମୟକର ନୁହେଁ; ତେବେ ୨୦୨୧ ରେ ଆଲୋଚିତ ପ୍ରଚଣ୍ଡ ଶିଖା ବାବଦରେ ଗୁରୁତ୍ୱପୂର୍ଣ ହେଉଛି ଯଦି ପ୍ରକ୍ସିମା ଆଖପାଖରେ ଜୀବନ କୌଣସି ସଂସ୍କରଣରେ ତିଷ୍ଠି ରହିଥାଏ, ତେବେ ଏହି ଲେଲିହାନ ଶିଖା ଦୂରନ୍ତ ଜୀବଜଗତର ବିନାଶ ସାଧନ କରିଥିବ ! ନଚେତ୍‌ ଏମିତି ବି ହୋଇଥିବ: ଆବିଷ୍କାର ହୋଇ ନଥିବା କେଉଁ ଏକ ରହସ୍ୟମୟ, ଅଗ୍ନିମୟ ଜଗତରେ ଭିନ୍ନ ବାତାବରଣରେ ଜୀବନର ଅଙ୍କୁରୋଦ୍‌ଗମ ହୋଇଥିବ ! ସେଇ ଇଲାକାର ଅଧିବାସୀ ଆମ ଉଦ୍ଦେଶ୍ୟରେ ବାର୍ତ୍ତା ପ୍ରେରଣ କରୁନାହାନ୍ତି ତ !

ଯେଉଁମାନେ ପୃଥିବୀ ବାହାରେ ଜୀବନ ବାବଦରେ ଆଶାବାଦୀ ସେମାନେ କହୁଛନ୍ତି ଏହା ୧୯୭୭ର ‘wow’ ସଂକେତ ପରି। ପାଠକଙ୍କ ପାଇଁ ସ୍ପଷ୍ଟ କରୁଛି ଯେ ଅଗଷ୍ଟ ୧୫, ୧୯୭୭ରେ ଓହିଗ ବିଶ୍ୱବିଦ୍ୟାଳୟର ରେଡ଼ିଓ ଟେଲିସ୍କୋପରେ ରେକର୍ଡ ହୋଇଥିଲା ଏକ ତୀବ୍ର ତରଙ୍ଗ ଯାହାକୁ କୁହାଯାଇଥିଲା ‘wow’ ତରଙ୍ଗ । ଅନୁମାନ କରାଯାଉଥିଲା ଏହା ଏକ ତାରାମଣ୍ଡଳରୁ ଆସିଛି। ଜ୍ୟୋତିର୍ବିଜ୍ଞାନୀ ଜେରି ଆର୍‌ ଏହ୍‌ମ୍ୟାନ୍‌ ରେକର୍ଡ ହୋଇଥିବା ତଥ୍ୟର ଅନୁଶୀଳନ ଉପରାନ୍ତ ଚମତ୍କୃତ ହୋଇଥିଲେ ଏବଂ ସଂକେତର ତୀବ୍ରତା ଉପରେ ମନ୍ତବ୍ୟ ଦେଇଥିଲେ ‘wow’। ଏମିତି ତୀବ୍ର ତରଙ୍ଗ ପରବର୍ତ୍ତୀ ସମୟରେ ମଧ୍ୟ ରେକର୍ଡ ହୋଇଛି; କିନ୍ତୁ ଆମ ପାଖରେ ନିର୍ଣ୍ଣାୟକ ତଥ୍ୟ ପ୍ରମାଣ ନାହିଁ ଯେ ମହାକାଶରୁ ତରଙ୍ଗ ନିର୍ଦିଷ୍ଟ କେଉଁ ଉତ୍ସରୁ ଆସୁଛି! ସଂକେତ ପଠାଇବାରେ ପରଗ୍ରହୀ ( ! ) ସମ୍ପୃକ୍ତ କି ! କିଛି ଗବେଷକ ମନେକରନ୍ତି ପ୍ରକ୍ସିମାରେ ହୁଏତ ଏମିତି ପ୍ରକ୍ରିୟା (ଜ୍ବଳନ) ନିୟମିତ ଘଟୁଛି ଯାହା ଆମ ନଜରରେ ନାହିଁ।

କିଛି ଜ୍ୟୋତିର୍ବିଦ କହନ୍ତି, ଯଦି ଅନ୍ୟ କେଉଁ ଜୀବନଯୋଗ୍ୟ ଗ୍ରହରେ ବୁଦ୍ଧିମାନ ବାସିନ୍ଦା ଥା’ନ୍ତି, ଏବଂ ପୃଥିବୀକୁ ୪୦୦ କୋଟିରୁ ଅଧିକ ବର୍ଷ ଧରି ଲକ୍ଷ୍ୟ କରୁଥିବେ, ସେମାନେ ଦେଖିଥିବେ ପୃଥିବୀର ବାତାବରଣ କେମିତି ଆସ୍ତେଆସ୍ତେ ବଦଳିଛି, କେମିତି ମହାଦେଶମାନ ବିଚ୍ଛିନ୍ନ ହୋଇଛନ୍ତି, କେମିତି ବରଫ ଯୁଗ ଆସିଛି, ପୁଣି କେମିତି ବରଫ ତରଳିଛି, କେମିତି ଜୀବ ଜଗତର କ୍ରମ ଅଭ୍ୟୁଦୟ ହୋଇଛି, ପ୍ରଜାତିମାନେ ନିଶ୍ଚିହ୍ନ ହୋଇଛନ୍ତି। ପରଗ୍ରହୀମାନେ ଦେଖିଥିବେ କେମିତି ଏଠି ସଭ୍ୟତାର ବିକାଶ ହୋଇଛି; କେମିତି ସହରୀକରଣ ଆସିଛି, ଜନସଂଖ୍ୟା ବୃଦ୍ଧି ସହିତ କେମିତି ପରିବର୍ତ୍ତନ ଆସିଛି। ସେମାନେ ବି ଦେଖିଥିବେ କେମିତି ଶେଷ ୧୦୦ ବର୍ଷ ଭିତରେ ପୃଥିବୀ ବ୍ୟାପକ ପରିବେଶ କ୍ଷୟକୁ ସାମ୍ନା କରିଛି। କେମିତି ମହାକାଶକୁ ଜିଣିବା ପାଇଁ ଆମ ଅଭିଯାନ ଆରମ୍ଭ ହୋଇସାରିଛି। ଯଦି ଏସବୁ ପରଗ୍ରହୀମାନେ ଦେଖୁଥିବେ ତେବେ ଆସନ୍ତା ୧୦୦ ବର୍ଷ ଭିତରେ ସେମାନେ କ’ଣ ଦେଖିବେ ? ଜଳବାୟୁ ପରିବର୍ତ୍ତନ ଏବଂ ପରିବେଶ ଅସନ୍ତୁଳନ କାରଣରୁ ଦିନେ ପୃଥିବୀରେ ଯେଉଁ ସବୁଜ ସଭ୍ୟତାର ସୂତ୍ରପାତ ହୋଇଥିଲା, ତାହା କ୍ରମେ ଅସ୍ତ ହେବାକୁ ବସିଛି। ସେମାନେ ବି ଲକ୍ଷ୍ୟ କରିପାରନ୍ତି ବିବର୍ତ୍ତନ ପୃଥିବୀରେ ନୂଆ ଚେହେରା ଆଣୁଛି। ତେବେ ସମ୍ଭାବନା ଅଧିକ, ପରଗ୍ରହୀମାନେ ଆମ ପରି ରକ୍ତ ମାଂସର ସତ୍ତା (ଜୈବ) ନହୋଇ ଯାନ୍ତ୍ରିକ ହୋଇଥିବେ ! ହୋଇପାରେ , ସେମାନେ ଆମ ପାଖକୁ କେଉଁ କାଳରୁ ସଂକେତ ପଠାଇ ଚାଲିଛନ୍ତି , ଅଥଚ ସେଇ ସଙ୍କେତକୁ ବୁଝିବା ପାଇଁ ଆମେ ସମର୍ଥ ନୋହୁ! ପାଠକେ, ସୂର୍ଯ୍ୟଙ୍କ ସମବୟସ୍କ ପ୍ରକ୍ସିମାର ବାତାବରଣ ହୋଇଥାଇପାରେ ଏକ ଆଗ୍ନେୟ ଅସ୍ତିତ୍ୱ। ଆଉ ପରଗ୍ରହୀ ? ୧୯୬୦ରେ ଫ୍ରାଙ୍କ୍‌ ଡ୍ରେକ୍‌ ଆରମ୍ଭ କରିଥିବା ପରଗ୍ରହୀ ଅନୁସନ୍ଧାନ (ଏସ୍‌ଆଇଟିଆଇ) ଏଯାଏ କୌଣସି ନିର୍ଣ୍ଣାୟକ ସୂଚନା ଦେଇନାହିଁ। ଆପଣ ଅପେକ୍ଷା କରିପାରନ୍ତି, କାରଣ ଅନ୍ତରୀକ୍ଷରେ ଅୟୁତ ଆଖିର ଇସାରା।

Comments are closed.