ଦୋଷ ଖୋଜିବାର ମାନସିକତା

ଅଭୟ କୁମାର ଜେନା

ରକ୍ତ ମାଂସଧାରୀ ମଣିଷ କାହାର ଶିରୀ ଦେଖିପାରେ ନାହିଁ। ଆମେ ଯେଉଁ ଲକ୍ଷ୍ୟ, ପ୍ରତିଷ୍ଠା ପାଇଁ ବର୍ଷବର୍ଷଲାଗି ସଫଳକାମ ହୋଇପାରିନାହୁଁ, କେହି ଜଣେ ବ୍ୟକ୍ତି ତାହା ହାସଲ କଲେ ଆମ ଦେହ ମନ ସହଜରେ ତାହାକୁ ଗ୍ରହଣ କରିପାରେ ନାହିଁ। ଫଳରେ ସେହି ଲୋକଟିର ଗୁଣଗାନ କରିବା ପରିବର୍ତ୍ତେ ଆମେ ଈର୍ଷାନ୍ବିତ ହୋଇ ତା’ର ଦୋଷତ୍ରୁଟି ଖୋଜିବାର ଉଦ୍ୟମ କରିଥାଉ। ଏ ଅବିଗୁଣ ଏବର ନୁହେଁ; ଏ ଚିନ୍ତାଧାରା ସମାଜରେ ଯୁଗଯୁଗ ଧରି ଚାଲି ଆସିଛି। ଏବେ ଏହା ଆମର ଅସ୍ଥିମଜ୍ଜାଗତ ହୋଇଗଲାଣି କହିଲେ ଚଳେ।

ଏ ଦୁନିଆରେ ମଣିଷ ସବୁବେଳେ ସ୍ନେହକାଙ୍ଗାଳ। ସ୍ନେହ, ଶ୍ରଦ୍ଧା ବା ଭଲପାଇବା ଟିକିଏ ମିଳିଗଲେ ଆମେ କୃତକୃତ୍ୟ ହୋଇଯାଉ। ଜୀବନର ସାର୍ଥକତା ଅନୁଭବ କରିହୁଏ ଓ ବଞ୍ଚିରହିବାର ଆଶା ପ୍ରବଳ ହୁଏ; କିନ୍ତୁ ସମସ୍ତଙ୍କୁ ଏ ସ୍ନେହ, ଆଦର ମିଳେନାହିଁ; ସର୍ବଦା ମିଳିବା ମଧ୍ୟ ସମ୍ଭବପର ନୁହେଁ। ଏଥିରେ ଭାଙ୍ଗି ନପଡ଼ି, ଈର୍ଷା ପରାୟଣ ନହୋଇ ଅନ୍ୟର କିଛି ଭଲଗୁଣ ଆଡ଼କୁ ଦୃଷ୍ଟିନିକ୍ଷେପ କରିବାକୁ ପଡ଼ିବ। ଈଶ୍ବର କୌଣସି ଗୋଟେ ଜୀବକୁ ଶତପ୍ରତିଶତ ନିର୍ଗୁଣ କରି ଗଢ଼ି ତୋଳି ନାହାନ୍ତି। ଅନ୍ୟର ଭଲଗୁଣକୁ ଚିହ୍ନିବାକୁ ପ୍ରୟାସ କଲେ ଆମ ମନରୁ ପରଶ୍ରୀକାତରତା, ହିଂସା ଓ କପଟତା ଭଳି ବିଷର ମାତ୍ରା କମିବାକୁ ଲାଗିବ। ଏ କଥା ମଧ୍ୟ ସମ୍ଭବ ଯେ ଅନେକ ଭଲଗୁଣ ଓ ଭଲ ବିଚାର ସତ୍ତ୍ବେ ଆମକୁ ସମାଜ ଚିହ୍ନିନାହିଁ। ତେଣୁ ଆମେ ଅବହେଳିତ ହୋଇ ରହିଯାଇଛୁ। କିନ୍ତୁ ସମୟର କଷଟି ପଥରରେ ଏସବୁର ପରୀକ୍ଷା ନିରୀକ୍ଷା ନିଶ୍ଚୟ ହୋଇଯିବ। କେବଳ ଦରକାର ଟିକିଏ ଅପେକ୍ଷା ଓ ଧୈର୍ଯ୍ୟ। ଇତିହାସ ଏ ସବୁର ଜୀବନ୍ତ ମୂକସାକ୍ଷୀ। କୌଣସି ନିଷ୍ଠାପର ସାଧନା କିମ୍ବା ଉଦ୍ୟମ ସବୁଦିନ ପାଇଁ କେବେ ନିଷ୍ଫଳ ଯାଏନାହିଁ। ସନ୍ଥକବି ଭୀମ ଭୋଇଙ୍କର କ’ଣ କିଛି ସାମାଜିକ ପ୍ରତିଷ୍ଠା ଥିଲା? କେବଳ ନିଜର ଗୁଣ, କର୍ମ ଯୋଗୁଁ ସେ ଆଜି ସମାଜରେ ଲୋକପୂଜ୍ୟ।

ବିକ୍ରମାଦିତ୍ୟଙ୍କ ରାଜସଭାରେ ଥିବା ନବରତ୍ନ ପଣ୍ଡିତଙ୍କ ମଧ୍ୟରୁ କାଳିଦାସ ଥିଲେ ଅଗ୍ରଗଣ୍ୟ। ଅନ୍ୟ ପଣ୍ଡିତମାନେ ତାଙ୍କର ଲୋକପ୍ରିୟତା ଦେଖି ତାଙ୍କର କୁତ୍ସାରଟନା​‌େ​‌ର ବ୍ୟସ୍ତ ରହୁଥିଲେ। ଏ କଥା ରାଜାଙ୍କ କାନରେ ପଡ଼ିବାରୁ ସେ ଏକ ପ୍ରତିଯୋଗିତାର ଆୟୋଜନ କଲେ। ଡାଳ ପତ୍ର ବିହୀନ ଏକ ଥୁଣ୍ଟା ଗଛକୁ ଦେଖାଇ ସବୁ ପଣ୍ଡିତଙ୍କୁ ଧାଡ଼ିକିଆ କବିତାଟିଏ ରଚନା କରିବାକୁ ରାଜା ନିର୍ଦେଶ ଦେଲେ। ଅନ୍ୟ କବିମାନେ ଏଥିରେ ବିଚଳିତ ହୋଇପଡ଼ିଲେ। ମୃତ ପ୍ରାୟ ଏକ ଥୁଣ୍ଟାଗଛକୁ ନେଇ ଅବା କି କବିତା ଲେଖିହେବ! ଯାହାହେଉ, ସମସ୍ତ ଲେଖା ମଧ୍ୟରୁ କାଳିଦାସଙ୍କର କୃତି ‘ଶୁଷ୍କ ତରୁବର ତିଷ୍ଠତି ଅଗ୍ରେ’ ସର୍ବଶ୍ରେଷ୍ଠ ବିବେଚିତ ହେଲା। କାଳିଦାସଙ୍କର ଗରିମା ସମସ୍ତେ ସ୍ବୀକାର କଲେ।

କାହାର ଭଲଗୁଣ ଖୋଜିବାରେ ଆମେ ବହୁତ କଞ୍ଜୁସ ବା ଦେଖି ମଧ୍ୟ ଦେଖିପାରନ୍ତି ନାହିଁ। କେହି ଜଣେ ଅକସ୍ମାତ୍‌ ପୁରସ୍କାର କିମ୍ବା ଭଲ ଚାକିରିଟିଏ ପାଇଗଲେ ତାକୁ ଧନ୍ୟବାଦ ଜଣାଇବା ପରିବର୍ତ୍ତେ ଆମେ ତାହାର ଚରିତ୍ରସଂହାର କରିବାକୁ ପଛାଇ ନ ଥାଉ। ସେ ଯୋଗ୍ୟ କି ଅଯୋଗ୍ୟ ସେ କଥା ନବୁଝି ଧରାଧରି ଓ ଯୋଗାଡ଼ଯନ୍ତ୍ର କରି ସେ ସଫଳତା ହାସଲ କରିବାକଥା ଆମେ ଚାରିଆଡ଼େ କହିବୁଲୁ। ଆମର ନିମ୍ନ ମାନସିକତା ଯୋଗୁଁ ଆକାଶର ଜହ୍ନ, ତାରା ବଦଳରେ ଆମେ କେବଳ କାଦୁଅ, ପଙ୍କକୁ ହିଁ ଦେଖିଥାଉ। ଏ ଚିରାଚରିତ ଚିନ୍ତାଧାରାର ପରିବର୍ତ୍ତନ ନିହାତି ଜରୁରୀ। ଏଥିପାଇଁ ଆମ ଚତୁଃପାର୍ଶ୍ବରେ ରହିଥିବା ଚରିତ୍ରମାନଙ୍କୁ ଭଲ ଭାବରେ ଯାଞ୍ଚ ପରଖ କରିବାକୁ ପଡ଼ିବ। ଖରାପକୁ ଖରାପ କହିବା ସହିତ ଭଲ ଗୁଣର ମଧ୍ୟ ଆଦର ହେବା ଉଚିତ। ଏହା ନିଶ୍ଚିତ ଏକ ଶୁଭ ସୂଚନା ଯେ ସମାଜରେ ଅଲୋଡ଼ା, ଅବାଞ୍ଛିତ ଓ ପରିତ୍ୟକ୍ତ ବ୍ୟକ୍ତିଙ୍କର ଭଲ ଗୁଣପାଇଁ ସରକାରୀ ସ୍ତରରେ ଏବେ ସ୍ବୀକୃତି ଓ ସମ୍ମାନ ମିଳିବାର ଉଦ୍ୟମ ଜାରି ରହିଛି। ଆମେ ଆଶା କରିବା ଆଗାମୀ କାଲିର ସୂ​‌େ​‌ର୍ଯ୍ୟାଦୟ ଏ ମଣିଷ ସମାଜକୁ ଗୁଣ ଖୋଜିବାର ମାନସିକତାରେ ଅଗ୍ରସର କରାଇବ।

Comments are closed.