ଇତିହାସ: ସମୟର ଟିପାଖାତା

ଶରତ ଚନ୍ଦ୍ର ଶତପଥୀ, ପ୍ରାକ୍ତନ ଇଂରାଜୀ ପ୍ରଫେସର, ଉତ୍କଳ ବିଶ୍ୱବିଦ୍ୟାଳୟ

ସମୟର ଅବଧାରଣା କରିବାକୁ ହେଲେ ଏକ ରହସ୍ୟମୟ ସରଳରେଖାର ପରିକଳ୍ପନା ଆବଶ୍ୟକ। ଏହା ଆରମ୍ଭଶୂନ୍ୟ, ମଧ୍ୟ ବିବର୍ଜିତ, ଅନ୍ତ ଅନିଶ୍ଚିତ ଏବଂ ବିରାମହୀନ। ଏହି କ୍ରମବର୍ଦ୍ଧମାନ ସରଳରେଖାର ଗତି ବେଗ ସୂର୍ଯ୍ୟଚନ୍ଦ୍ରଙ୍କର ଆତଯାତ ଦ୍ୱାରା ନିୟନ୍ତ୍ରିତ। ଅତିକ୍ରାନ୍ତ ସମୟରେ ସଂଘଟିତ ଘଟଣାବଳୀ ଏହି ରେଖାର ପରସ୍ପର ସହ ଅନୁବନ୍ଧିତ ସ୍ୱାଧୀନ ବିନ୍ଦୁବର୍ଗ। କାଳର କରାଳତାକୁ ପ୍ରତିହତ କରି ଘଟଣାଗୁଡ଼ିକର ଅମୃତ ଓ ସତ୍ୟନିଷ୍ଠ ଉଲ୍ଲେଖ ଓ ସୁରକ୍ଷା ବୋଧହୁଏ ‘ଇତିହାସ’ର ପ୍ରକୃତ ସଂଜ୍ଞାସ୍ୱରୂପ। ଏହି ଦୃଷ୍ଟିରୁ ଇତିହାସକୁ ସମୟର ଟିପାଖାତା ବୋଲି ଅଭିହିତ କରାଯାଇଥାଏ। ଇତିହାସକୁ ଅସ୍ୱୀକାର କରାଯାଇପାରେ ନାହିଁ, ଏଥିରେ ନିହିତ ତଥ୍ୟ ଓ ସତ୍ୟର ରୂପାନ୍ତର ମଧ୍ୟ କରିହୁଏ ନାହିଁ ଏବଂ ଏହାକୁ ଅଣଦେଖା ମଧ୍ୟ କରିହୁଏ ନାହିଁ। ସମସ୍ୟା ହେଉଛି ବୈାଦ୍ଧିକ ଉପାୟରେ ଇତିହାସର ସତ୍ୟମାନଙ୍କର ନିରପେକ୍ଷ ପୁନରୁଦ୍ଧାର ଏବଂ ଆଲେଖ୍ୟ ପ୍ରସ୍ତୁତି। ବ୍ୟକ୍ତିଗତ ନିଷ୍ଠା ଓ ସତ୍ୟପ୍ରତି ଶ୍ରଦ୍ଧାର ଅଭାବ ଘଟିଲେ, ଇତିହାସର ତଥ୍ୟ ସବୁ ଅନ୍ଧମାନଙ୍କର ହସ୍ତୀଦର୍ଶନ ଭଳି ଉଦ୍ଭଟ ଅନୁଭୂତିର ଅବତାରଣା କରିବା ସୁନିଶ୍ଚିତ। ଇତିହାସର ସତ୍ୟମାନଙ୍କୁ ବିସ୍ମୃତିର ଅତଳ ଗହ୍ୱରରୁ ଉଦ୍ଧାର କରି ଲୋକଲୋଚନକୁ ଆଣିବା ପ୍ରକ୍ରିୟାରେ ଇତିହାସ ଲେଖକର ବୁଦ୍ଧି ବିବେକ ସହ ନିରପେକ୍ଷତା ପ୍ରତିବଦ୍ଧତା ଏବଂ ସୃଜନଶୀଳ ପରିକଳ୍ପନାର ପ୍ରୟୋଗ ଅନିବାର୍ଯ୍ୟ। ଇତିହାସର ଭାଷ୍ୟକାର ଅତୀତକୁ ନିଖୁଣଭାବରେ ଗଢ଼ିପାରୁଥିବା ଜଣେ ବିଦ୍ୱାନ ବିନ୍ଧାଣି। ସର୍ବପ୍ରଥମେ ସର୍ବାନ୍ତଃକରଣରେ ସେ ଜଣେ ମାନବବାଦୀ ହେବା ବାଞ୍ଛନୀୟ, କାରଣ ମଣିଷ ଜାତିର ଆତ୍ମପରିଚୟ ଖୋଜିବାରେ ସେ ଅଗ୍ରଗାମୀ ସତ୍ୟାନ୍ୱେଷୀ ପରିବ୍ରାଜକର ଭୂମିକା ନିର୍ବାହ କରିଥାନ୍ତି। ମନେ ରଖିବାକୁ ହେବ ଯେ, ଇତିହାସର ବିକୃତ, ଛଳନାତ୍ମକ ଅଧ୍ୟୟନ କେବଳ ଅସତ୍ୟ ପ୍ରଣିଧାନର ଘନ କୁହେଳି ସୃଷ୍ଟି କରିପାରେ।

ବୈଷୟିକ ଜ୍ଞାନ କୌଶଳର ପ୍ରଭୂତ ବିକାଶ ଓ ବିସ୍ତାର ଘଟି ସାରିଛି। ଫଳରେ ଆମର ‘ଅତୀତ’ ସମ୍ବନ୍ଧରେ ବହୁ ଅନାଲୋଚିତ ସତ୍ୟର ଆବିଷ୍କାର ସହଜ ହୋଇଛି। ପ୍ରାକ୍‍-ଐତିହାସିକ କାଳରୁ ଆଜି ପର୍ଯ୍ୟନ୍ତ ମଣିଷ ସଭ୍ୟତାର ଉତ୍‍ଥାନପତନର କାର୍ଯ୍ୟକାରଣ ସମ୍ବନ୍ଧରେ ଊଣାଅଧିକେ ଅବହିତ। ଏ ସବୁ ପ୍ରାମାଣିକ ତଥ୍ୟ ଇତିହାସର ଅନ୍ଧାରି ଗନ୍ତାଘରୁ ଅନବରତ ପାଠୋଦ୍ଧାର ଦ୍ୱାରା ସମ୍ଭବ ହୋଇଛି। ଦେଶ ବିଦେଶ ସହ ସମ୍ପର୍କ ଓ ଯୋଗାଯୋଗ କ୍ଷେତ୍ରରେ ଉନ୍ନତି ଫଳରେ ବିଶ୍ୱର ଯେ କୌଣସି ଭାଗରେ ଆବିଷ୍କୃତ ପରୀକ୍ଷଣ ସହ ନିଷ୍କର୍ଷରେ ଉପନୀତ ହେବା ସହଜ ହୋଇଛି। ଏହାର ବିପରୀତ ଦିଗଟି ମଧ୍ୟ ବିଚାର୍ଯ୍ୟ। ଯଦି ଉଦ୍ଦେଶ୍ୟମୂଳକ ଭାବରେ ଇତିହାସର ବିକୃତ ଅଧ୍ୟୟନ କରାଯାଏ ତେବେ ବିଷମ ପରିସ୍ଥିତି ସୃଷ୍ଟି ହୋଇପାରେ, ଏହାର ଦୃଷ୍ଟାନ୍ତ ଅନେକ। ମହମ୍ମଦ ଘୋରୀଙ୍କ ଆକ୍ରମଣରେ ଗୁଜୁରାଟର ପ୍ରସିଦ୍ଧ ଶୈବପୀଠ ସୋମନାଥ ମନ୍ଦିର ଭୂଲୁଠିତ ହେଲା ଏବଂ ପବିତ୍ର ଶିବଲିଙ୍ଗକୁ ମଧ୍ୟ, ଖଣ୍ଡ ବିଖଣ୍ଡିତ କରିଦିଆଗଲା। ଏହା ଆକ୍ରମଣକାରୀର ଭୂମିକାରେ ଯୋଦ୍ଧାହେବାର ସଫଳତା ପ୍ରତିପାଦିତ କରୁଛି ନା’ ତା’ର ଧର୍ମ ବିଦ୍ୱେଷୀ ଚିନ୍ତାଧାରାର ଚାକ୍ଷୁଷ ପ୍ରମାଣ ଦେଉଛି ? ମୋଗଲମାନଙ୍କର ରାଜତ୍ୱକୁ ଆମ ଇତିହାସରେ ଖୁବ୍‍ ପ୍ରଶଂସାମୂଳକ ଭାଷାରେ ଲେଖାଯାଇଛି। କିଏ ଧାର୍ମିକ ଥିଲେ, କିଏ ପରୋପକାରୀ ଥିଲେ, ଚାରାରୋପଣ, ରାସ୍ତାନିର୍ମାଣ ଭଳି ବ୍ରତୀ ଥିଲେ ; ଆଉ କେହି ସାଧାରଣ ଭାବରେ ଟୋପି ସିଲାଇକରି ଗୁଜୁରାଣ ମେଣ୍ଟାଇଥିଲେ – ଏହିପରି ଅନେକ ବିଚିତ୍ର କାହାଣୀର ଉଲ୍ଲେଖ ରହିଛି।

ଏ ପ୍ରକାର ଆଲେଖ୍ୟ ସାମଗ୍ରିକ ଭାବରେ ସତ୍ୟର ଅପଳାପ ମନେହୁଏ। କେହି ଭାରତୀୟ ଇତିହାସକାର କାହିଁକି ଲିପିବଦ୍ଧ କରିନାହିଁ ସେମାନଙ୍କର ଅତ୍ୟାଚାର, ହିନ୍ଦୁ ବିଦ୍ୱେଷୀ ହିଂସାତ୍ମକ କାର୍ଯ୍ୟକଳାପ, ଶୋଷଣ ଓ ଅସହିଷ୍ଣୁତାର ଉଦାହରଣ ? ଆକବର ଯଦି ମହାନ ଥିଲେ, ତେବେ ରାଣାପ୍ରତାପ ଏବଂ ଶିବାଜୀ ମହାରାଜ ନିଶ୍ଚିତ ଭାବରେ ତାଙ୍କର ମହାନତାଠାରୁ ଆହୁରି ଲକ୍ଷେଗୁଣ ମହାନ ଥିଲେ। ତେବେ କାହିଁକି ଆମ ଇତିହାସରେ ସେ ସବୁର ପର୍ଯ୍ୟାପ୍ତ ଉଲ୍ଲେଖ ନାହିଁ ? ଆମର ବୀରପୁତ୍ରଗଣ ଆମ ଜାତୀୟ ଅନୁପ୍ରେରଣାର ଉତ୍ସ ହେବା ଉଚିତ। ଏ ପ୍ରଶ୍ନର ଉତ୍ତର ଦେବାକୁ କେହି ପ୍ରସ୍ତୁତ ଥିଲା ଭଳି ମନେହୁଏନାହିଁ। ଇଂରେଜମାନେ ଆମ ଦେଶକୁ ବେପାର କରିବାକୁ ଆସି ଛଳ, ବଳ, କୌଶଳ ପ୍ରୟୋଗ ଦ୍ୱାରା ଏଠାରେ ଉପନିବେଶ ସ୍ଥାପନ କଲେ। ଅଖଣ୍ଡ ଭାରତର ସାଂସ୍କୃତିକ, ଅର୍ଥନୈତିକ, ମୂଲ୍ୟବୋଧ, ସମାଜ ବ୍ୟବସ୍ଥା, ଶିକ୍ଷା ଓ ଶିଳ୍ପ କ୍ଷେତ୍ରରେ ପ୍ରଚଣ୍ଡ ଅରାଜକତା ସେଇମାନେ ହିଁ ସୃଷ୍ଟି କରିଥିଲେ। ବହୁ କଷ୍ଟରେ ଦେଶ ସ୍ୱାଧୀନ ହେଲା ବେଳକୁ ଗୋଟାଏ, ଦୁଇଟା ଗାରଟାଣି ଦେଶକୁ ବିଖଣ୍ଡିତ ମଧ୍ୟ କରିଦେଲେ। ଦେଶ ବିଭାଜିତ ହେଲେ ତା’ର ଭୟଙ୍କର ପରିଣତି ସେମାନେ ଜାଣିଥିବେ ନିଶ୍ଚୟ। ଆମ ଦେଶର କେହି ଇତିହାସକାର କି ଜନନେତା ଅଙ୍ଗୁଳି ନି‌େ‌ର୍ଦଶ କରି ଏହି ସତ୍ୟକୁ ସେମାନଙ୍କୁ ଦେଖିବାକୁ କହିଥିବାର ଉଦାହରଣ ମନକୁ ଆସୁନାହିଁ। କୌଣସି ଦେଶ ବା ସହ ବିରୋଧ ବିଦ୍ୱେଷ ଆମର କାମ୍ୟ ନୁହେଁ, ଇତିହାସ ଆମର ସବୁଠାରୁ ବିଶ୍ୱାସଯୋଗ୍ୟ ସାକ୍ଷୀ; କିନ୍ତୁ ଇତିହାସର ସତ୍ୟକୁ ମୁକ୍ତ କଣ୍ଠରେ ପ୍ରକାଶ କରିବାକୁ କୁଣ୍ଠିତ ଭାବର ହେତୁ କ’ଣ ଥାଇପାରେ ? ଇଂରେଜ ଐତିହାସିକମାନେ ସେମାନଙ୍କ ଦୃଷ୍ଟିକୋଣରୁ ୧୮୫୭ ମସିହାର ସିପାହିମାନଙ୍କର ପ୍ରଶାସନ ବିରୋଧ କାର୍ଯ୍ୟକୁ ସିପାହି ବିଦ୍ରୋହ କହିଦେଲେ। ଆମ ଇତିହାସ ବହିରେ କାହିଁକି ପଢ଼ାଯାଉନାହିଁ ଯେ ଏହା ‘ବିଦ୍ରୋହ’ ନଥିଲା ଏହା ଥିଲା ସ୍ୱାଧୀନତା ପ୍ରାପ୍ତି ଲାଗି ଜାତୀୟବାଦୀ ସିପାହିମାନଙ୍କ ଦ୍ୱାରା ସଂଘଟିତ ଏକ ନିଷ୍ଠାପର ଉଦ୍ୟମ। ବହୁ ଯୁଦ୍ଧ ରକ୍ତପାତରେ ତିକ୍ତ ଅନୁଭୂତି ପରେ ମଧ୍ୟ ଭାରତର ଇତିହାସ ବହିରେ ପାକିସ୍ତାନ ପ୍ରତି କୌଣସି କଟୁଶବ୍ଦର ପ୍ରୟୋଗ କରାଯାଇନାହିଁ। ଧର୍ମଭିତ୍ତିରେ ଦେଶର ବିଭାଜନକୁ ଭାରତର ଛାତ୍ରଛାତ୍ରୀ ଏକ ଦୁଃଖଦ ଐତିହାସିକ ସତ୍ୟ ବୋଲି ଗ୍ରହଣ କରିନେଇଛନ୍ତି; କିନ୍ତୁ ସୀମାର ଆରପଟେ, ଇତିହାସର ବିକୃତ ତର୍ଜମା ଲକ୍ଷ୍ୟ କରିବାର କଥା। କିଛିଦିନ ତଳେ ପ୍ରଖ୍ୟାତ ସ୍ତମ୍ଭକାର ଅରୁଣ ସୌରୀ ତାଙ୍କ ଆଲେଖ୍ୟରେ ପାକିସ୍ତାନରେ ପଢ଼ାଯାଉଥିବା ଇତିହାସ ବହିରୁ ବାକ୍ୟ ଉଦ୍ଧାର କରି ଦର୍ଶାଇଥିଲେ; ଦେଶ ବିଭାଜନକୁ କିପରି ଧାର୍ମିକ ବିଦ୍ୱେଷର ପୁଟ ଦିଆଯାଇ, ଭାରତ ପ୍ରତି କଟୁଶବ୍ଦ ପ୍ରୟୋଗ କରି ଶିଶୁମାନଙ୍କ ମନରେ ଜୀବନ ଆରମ୍ଭରୁ ଅସୂୟାର ଅଗ୍ନି ସ୍ଥାପନ କରାଯାଉଛି। ଏହାର କୁଫଳ ସର୍ବଜନବିଦିତ।

ଏବେ ଆମ ଦେଶରେ ସମ୍ବାଦ ପରିବେଷଣ, ବିଶ୍ଳେଷଣ ମାଧ୍ୟମରେ ଆମ ସ୍ୱାଧୀନତା ସଂଗ୍ରାମକାଳର ବହୁ ଅନାଲୋଚିତ ଦିଗ, ଯଥା : ବହୁ ସଂଗ୍ରାମୀମାନଙ୍କର ମୁଖ୍ୟ-ଗୌଣ ଅବଦାନ, ଭାରତ ସହ କାଶ୍ମୀରର ମିଶ୍ରଣ, ପାକିସ୍ତାନ ଦ୍ୱାରା ଆକ୍ରମଣ, ଏବେ ମଧ୍ୟ ଆମ ଦଖଲରେ ନ ଥିବା ଏହାର ଏକ ବିଶାଳ ଅଂଶ ଏବଂ ଏହାକୁ ନେଇ ସୃଷ୍ଟି ହୋଇଥିବା ଅସ୍ୱସ୍ତିକର ସ୍ଥାଣୁ ପରିସ୍ଥିତି ଏବଂ ନିରନ୍ତର ହିଂସାକାଣ୍ଡ, ୧୯୬୨ ମସିହାରେ ଚୀନ ସହ ଲଢ଼େଇ ଏବଂ ଚୀନଦ୍ୱାରା ଭାରତର ଏକ ବିଶାଳ ଅଞ୍ଚଳର ଅନ୍ୟାୟ ଦଖଲ, ସୀମାନ୍ତରେ ସମରସଜ୍ଜା, ରଣହୁଙ୍କାର ଇତ୍ୟାଦି ବିଷୟରେ ବହୁ ତଥ୍ୟ ଏପର୍ଯ୍ୟନ୍ତ ଅନାବିଷ୍କୃତ, ଅଶ୍ରୁତପୂର୍ବ। ଅଜଣା ତଥ୍ୟ ଲୋକ ଲୋଚନକୁ ଆସିବା ଆରମ୍ଭ କରିଛି। ଏସବୁ ତଥ୍ୟ ଇତିହାସର ‘ସତ୍ୟ’ ଅଥବା ସ୍ୱାର୍ଥ ପ୍ରଣୋଦିତ ହିଂସା ଉଦ୍ଦେଶ୍ୟରେ ପ୍ରସ୍ତୁତ ଓ ପରିବେଷିତ ଉତ୍ତେଜକ ପଦାର୍ଥ, ତାହା ସ୍ଥିର କରିବା କଷ୍ଟକର ମନେହୁଏ। କାରଣ ଆମେ ଏ ପର୍ଯ୍ୟନ୍ତ ଆମ ନିଜସ୍ୱ ଦୃଷ୍ଟିରୁ ଆମର ଇତିହାସକୁ ପଢ଼ିବାକୁ ସମର୍ଥ ହୋଇପାରିଛୁ ବୋଲି ବିଶ୍ୱାସ ହେଉନାହିଁ। କାଳକ୍ରମେ ସନ୍ଦେହ ହୁଏ ଯେ ଆମର ଦେଶୀୟ ଐତିହାସିକମାନେ ଆମ ନିଜର ଇତିହାସ ଲେଖିବାରେ ତଥ୍ୟଭିତ୍ତିକ ସତ୍ୟର ଉଦ୍‍ଘାଟନ ପରିବର୍ତ୍ତେ ସତ୍ୟର ଅପଳାପ କରିଥିବା ଅଧିକ ସମ୍ଭବ। ବ୍ୟକ୍ତିଗତ, ଗୋଷ୍ଠୀଗତ ସ୍ୱାର୍ଥ ହାସଲ ଲକ୍ଷ୍ୟରେ ଇତିହାସକୁ ସତ୍ୟର ରତ୍ନଭଣ୍ଡାର ଜ୍ଞାନ ନକରି ଏହାକୁ ଏକ ବିଚିତ୍ର ଊର୍ଣ୍ଣନାଭ ରୂପେ ବ୍ୟବହାର କରିଛନ୍ତି। ବହୁ ରଙ୍ଗବେରଙ୍ଗର ବୁଢ଼ିଆଣୀ ସୂତା ବାହାର କରି ଅସତ୍ୟର ଜାଲ ବୁଣିଛନ୍ତି। ସେମାନେ ବ୍ୟକ୍ତିପୂଜା ପରିବାରବାଦ, ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ତୋଷାମୋଦ, ରାଜଅନୁଗ୍ରହପ୍ରାପ୍ତି ନିମନ୍ତେ ଭାଟସ୍ତୁତି ପ୍ରସ୍ତୁତି ଇତ୍ୟାଦି କରିଥିବା ଅନସ୍ୱୀକାର୍ଯ୍ୟ। ରାଷ୍ଟ୍ର ନିମନ୍ତେ ଆତ୍ମବଳି ଦେଇଥିବା ଶହୀଦମାନଙ୍କର ନାମୋଲ୍ଲେଖ କରିବାକୁ ମଧ୍ୟ ସେମାନେ ଜାଣିଶୁଣି ଭୁଲିଯାଇଛନ୍ତି ବୋଲି ବିଶ୍ୱାସ କରାଯାଏ। ନିତ୍ୟନୂତନ ତଥ୍ୟରାଜିର ଆବିଷ୍କାର ଫଳରେ ଆମେ ଆଜି ଏକଦା ସିଂହାସନରେ ଅଭିଷିକ୍ତ ବ୍ୟକ୍ତିତ୍ୱମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିବାକୁ ବାଧ୍ୟ ହେଉଛୁ। ସେମାନଙ୍କର ବିଶାଳ ବିଗ୍ରହମାନ ଆଜି ଅତ୍ୟନ୍ତ ଖର୍ବକାୟ ପାଲଟି ଯାଉଛି ଯେମିତି। ସମଗ୍ର ଦେଶରେ ଆଜି ବିଶ୍ୱାସର ସଙ୍କଟ ଦେଖାଦେଇଛି ବୋଲି କୁହାଯାଇପାରେ।

ପ୍ରତ୍ୟେକ ସ୍ୱାଧୀନ ରାଷ୍ଟ୍ରଙ୍କର ଆପଣାର ଭାଷ୍ୟକାର ପ୍ରାୟତଃ ସେହି ଦେଶର ବିଦ୍ୱାନ ବ୍ୟକ୍ତି ହୋଇଥାନ୍ତି। ଅନ୍ୟଦ୍ୱାରା ଲିଖିତ ଦେଶର ଇତିହାସ ସର୍ବଥା ଗ୍ରହଣୀୟ ହୋଇନଥାଏ; କାରଣ ତାହା ନିଜ ଦେଶର ଆଭିମୁଖ୍ୟ ବହନ କରିବାକୁ, ସମର୍ଥ ହୋଇନଥାଇପାରେ। ଇଂଲଣ୍ଡରେ ଷୋଡ଼ଶ ଶତାବ୍ଦୀର ନବଜାଗରଣ କାଳରେ ଇଂରେଜ ଲୋକେ ଭିନ୍ନ ଦେଶର ସାହିତ୍ୟ, ଦର୍ଶନର ପ୍ରଭୂତ ଆଦର ସମ୍ମାନ କରିଥିଲେ ସତ; କିନ୍ତୁ ତୀବ୍ର ଜାତୀୟ ଭାବଧାରାରେ ଉଦ୍‍ବୁଦ୍ଧ ଇଂରେଜ ଜାତି ଆପଣାର ଐତିହ୍ୟ ଓ ପରମ୍ପରାକୁ ବିଦେଶାଗତ ଭାବନାରେ କଳୁଷିତ ହେବାକୁ ଦେଇ ନଥିଲେ। ସ୍ଥଳ ବିଶେଷରେ ନିଜର ତ୍ରୁଟି ବିଚ୍ୟୁତିକୁ ମଧ୍ୟ ସ୍ୱୀକାର କରିନେଇଥିଲେ ଯାହା। ବଳିଷ୍ଠ ରାଷ୍ଟ୍ରବାଦୀ ଚେତନା ହିଁ ଇଂରେଜ ଲୋକଙ୍କର ସ୍ୱଭାବସିଦ୍ଧ ଥିଲା।

ଇତିହାସର ସତ୍ୟ ସହ ଜାତି ଓ ଦେଶର ଭାବଗତ ସମ୍ପର୍କ ବାଧକ ହୋଇନଥାଏ। ଚେଙ୍ଗିଜ୍‍ ଖାଁଙ୍କ ଠାରୁ ସଦ୍ଦାମ ହୁସେନ୍‍ ଏବଂ ଯିଶୁଙ୍କଠାରୁ ଗାନ୍ଧୀ ଗୋପବନ୍ଧୁଙ୍କ ପର୍ଯ୍ୟନ୍ତ, ରାବଣରୁ ହିଟ୍‍ଲର୍‍ ଯାଏ ସମସ୍ତେ ଇତିହାସରେ ସ୍ଥାନିତ ହୋଇଛନ୍ତି। ଏମାନେ ସମସ୍ତେ ଐତିହାସିକ ସତ୍ୟର ଅମଳିନ ସାକ୍ଷୀ ପୁରୁଷ। ସେମାନଙ୍କର ପାଠୋଦ୍ଧାରରେ, ଅର୍ଥକରଣରେ ମଣିଷ ଜାତିର ଆତ୍ମପରିଚୟର ସ୍ୱାକ୍ଷର ଦୃଶ୍ୟମାନ ହୋଇଥାଏ। ମୂଲ୍ୟବୋଧର ନିରପେକ୍ଷ, ସତ୍ୟନିଷ୍ଠା ନିଷ୍କର୍ଷ ଆହରଣ ଇତିହାସକୁ ଅଧ୍ୟୟନ କରୁଥିବା ବ୍ୟକ୍ତିର ଦାୟିତ୍ୱ ନୈତିକ ଦାୟିତ୍ୱ; କିନ୍ତୁ ଆଜି ପ୍ରତି ମୁହୂର୍ତ୍ତରେ ଆମେ ଆସ୍ଥା ଓ ବିଶ୍ୱାସର କ୍ରମ କ୍ଷୟମାଣ ଅବସ୍ଥାରେ ନିଜକୁ ଆବିଷ୍କାର କରୁଛୁ। ଇତିହାସର ମୌଳିକ ସତ୍ୟ ଏବେ ମଧ୍ୟ ଆମଲାଗି ପ୍ରାୟତଃ ଅନୁଦ୍‍ଘାଟିତ ରହିଯାଇଛି। ଆଜି ବୋଧହୁଏ ଆମକୁ ଆହୁରି ଧୈର୍ଯ୍ୟର ସହ ଅପେକ୍ଷା କରିବାକୁ ପଡ଼ିବ, ଅସତ୍ୟ ଓ ସନ୍ଦେହ କୁହୁଡ଼ିରେ ଆଚ୍ଛାଦିତ ରହସ୍ୟମାନଙ୍କର ବିଲୟ ନିମିତ୍ତ, ସତ୍ୟର ଉଜ୍ଜ୍ୱଳ ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ।

Comments are closed.