ଆନ୍ଧ୍ର ଅନୁପ୍ରବେଶ: ରାଜନୈତିକ ସମାଧାନ ଜରୁରୀ

ରବି ରଞ୍ଜନ ସାହୁ

ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ମଧ୍ୟରେ ଯେତେ ବିବାଦ ରହିଛି ସେଥି ମଧ୍ୟରେ ସୀମା ବିବାଦ ଅନ୍ୟତମ ଓ ପ୍ରମୁଖ। ସୀମାକୁ ନେଇ ଦୁଇ ରାଜ୍ୟ ଆଇନଗତ ଲଢ଼େଇ ଲଢୁଛନ୍ତି; କିନ୍ତୁ ଉଭୟ ରାଜ୍ୟ ଆଇନକୁ ଗୁରୁତ୍ୱ ଦେଉନାହାନ୍ତି। ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ମଧ୍ୟରେ କୋଟିଆ ଗ୍ରାମପୁଞ୍ଜ ସୀମା ବିବାଦର ମୁଖ୍ୟ ପ୍ରସଙ୍ଗ ପାଲଟିଛି। କୋଟିଆ ଉପରେ ଉଭୟ ରାଜ୍ୟ ସେମାନଙ୍କର ଦାବି ଉପସ୍ଥାପନ କରୁଛନ୍ତି। ଏହା ଅନ୍ୟାୟ ଯେ ଆନ୍ଧ୍ରପ୍ରଦେଶ ଓଡ଼ିଶାର ସୀମା ମଧ୍ୟରେ ପ୍ରବେଶ କରି ସେଥିରେ ହସ୍ତକ୍ଷେପ କରୁଛି। ଅପରପକ୍ଷରେ ଓଡ଼ିଶା ସରକାରଙ୍କ ପକ୍ଷରୁ କେବଳ ସର୍ବୋଚ୍ଚ ନ୍ୟାୟାଳୟରେ ମାମଲା ହୋଇଥିଲା ବେଳେ ଅନ୍ୟ କିଛି ପଦକ୍ଷେପ ନିଆଯାଇ ନାହିଁ।

ଯେତେବେଳେ ଓଡ଼ିଶା ସରକାର ନିରବତା ଅବଲମ୍ବନ କରୁଛନ୍ତି ସେତେବେଳେ ଆନ୍ଧ୍ର ପ୍ରଦେଶ ସରକାର ଓଡ଼ିଶାରେ ଅଧିକରୁ ଅଧିକ ସକ୍ରିୟ ହେଉଛି। ଓଡ଼ିଶାର ଦୁର୍ବଳତା ପଛରେ କେନ୍ଦ୍ରର ଅସହଯୋଗ ଓ ଆନ୍ଧ୍ରର ସକ୍ରିୟତା ପଛରେ କେନ୍ଦ୍ରର ସହଯୋଗ କାମ କରୁଛି; ଯେଉଁଥିପାଇଁ ଦୁଇ ପଡ଼ୋଶୀ ରାଜ୍ୟ ମଧ୍ୟରେ ବିବାଦ ଶେଷ ହେବା ପରିବର୍ତ୍ତେ ନୂଆ ରୂପ ନେଉଛି।

ନିକଟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ହୋଇଥିଲା। ଦୀର୍ଘ ବର୍ଷ ପରେ ଉଭୟ ରାଜ୍ୟର ଶାସନମୁଖ୍ୟ ଆଲୋଚନାକୁ ଆସି ବିବାଦର ସମାଧାନ ପାଇଁ ଚେଷ୍ଟା କରିଛନ୍ତି, ଏହା ଆଶାଜନକ କଥା। ଉଭୟ ରାଜ୍ୟ ସରକାର ପାରସ୍ପରିକ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ପାଇଁ ଆଗେଇ ଆସିଛନ୍ତି ଓ ଭାଇଚାରା ପ୍ରତିଷ୍ଠା ପାଇଁ ଉଦ୍ୟମ କରିଛନ୍ତି। ଲଢ଼େଇ ନୁହେଁ; ପାରସ୍ପରିକ ସଂପର୍କ ଦ୍ୱାରା ଉଭୟ ରାଜ୍ୟର ମଙ୍ଗଳ ହେବ ଓ ଶାନ୍ତି ସୌହାର୍ଦ୍ଦ୍ୟ ପ୍ରକାଶ ପାଇବ- ଏହାକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ୍ନ ମୋହନ ରେଡ୍ଡୀ ଅନୁଭବ କରିଛନ୍ତି। ବିଳମ୍ବରେ ହେଲେ ମଧ୍ୟ ଏହି ଅନୁଭବ ଓ ତା ପରବର୍ତ୍ତୀ ଆଲୋଚନା ଫଳପ୍ରଦ ହେବ ବୋଲି ଆଶା କରାଯାଏ।

ଆଲୋଚନା ପରେ ଦୁଇ ନେତାଙ୍କ ମିଳିତ ବିବୃତିରୁ ଜଣାଯାଏ ଯେ ଉଭୟ ରାଜ୍ୟ ସରକାର ବିବାଦ ଚାହାନ୍ତି ନାହିଁ, ବିକାଶ ଚାହାନ୍ତି। ଏଥିପାଇଁ ବିହିତ ପଦକ୍ଷେପ ନେବା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି, ଯେଉଁ କମିଟିରେ ଉଭୟ ରାଜ୍ୟର ମୁଖ୍ୟ ଶାସନ ସଚିବ ସେହି କମିଟିର ନେତୃତ୍ୱ ନେଉଥିଲାବେଳେ କମିଟିରେ ଉଭୟ ରାଜ୍ୟର ଅନ୍ୟ ସଚିବମାନେ ବି ଅଛନ୍ତି। ଏହି ସଚିବସ୍ତରୀୟ କମିଟି ବିବାଦ ସମାଧାନ ପାଇଁ ଖସଡ଼ା ପ୍ରସ୍ତୁତ କରିବ ଓ ଆଗାମୀ ଦିନରେ ତାହା କାର୍ୟ୍ୟକାରୀ ହେବା ଜଣାଯାଏ। ଦୁଇ ରାଜ୍ୟ ମଧ୍ୟରେ ସୀମା ସହିତ ନଦୀଜଳକୁ ନେଇ ବିବାଦ ଅଛି। ଶକ୍ତି ପ୍ରକଳ୍ପ, ମାଓ ସମସ୍ୟା, ଭାଷା ସମସ୍ୟା ଆଦି ରହିଛି। ଏହାର ସ୍ଥାୟୀ ସମାଧାନ ଜରୁରୀ। ସଚିବସ୍ତରୀୟ କମିଟି ଏ ସମସ୍ତ ଦିଗ ଉପରେ ଆଲୋଚନା କରି ବିହିତ ପଦକ୍ଷେପ ନେବ ବୋଲି କୁହାଯାଉଛି। ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ବଙ୍ଗୋପସାଗର କୂଳରେ ଅବସ୍ଥିତ ଓ ସମୁଦ୍ର ଜନିତ ସଂକଟକୁ ସାମ୍ନା କରିଥାନ୍ତି। ପ୍ରତିବର୍ଷ ଏକାଧିକ ବାତ୍ୟା (ଏବେ ଆସୁଥିବା ‘ଜୱାଦ’ ପରି) ଉଭୟ ରାଜ୍ୟର ବ୍ୟାପକ କ୍ଷତି ଘଟାଇଥାଏ ଓ ଏ ସମୟରେ ପରସ୍ପରକୁ ସହଯୋଗ କରି ପ୍ରାକୃତିକ ବିପର୍ୟ୍ୟୟର ମୁକାବିଲା କରିଥାନ୍ତି। ସେହିପରି ଦୁଇ ରାଜ୍ୟ ମଧ୍ୟରେ ଥିବା ବିବାଦର ସମାଧାନ ହେବା ଆବଶ୍ୟକ।

ଓଡ଼ିଶା ୧୯୩୬ ମସିହାରୁ ଭାଷାଭିତ୍ତିକ ରାଜ୍ୟ ଭାବେ ପ୍ରଥମେ ସ୍ୱତନ୍ତ୍ର ହୋଇଥିଲା। ଇଂରେଜ ଶାସନ ସମୟରେ ଓଡ଼ିଶା ସୃଷ୍ଟି ହୋଇଥିଲାବେଳେ ଆନ୍ଧ୍ରପ୍ରଦେଶ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦେଶର ସ୍ୱାଧୀନତା ପରେ ୧୯୫୩ ମସିହାରେ ହୋଇଥିଲା। ତା’ ପୂର୍ବରୁ ଆନ୍ଧ୍ର ମାଡ୍ରାସ ପ୍ରେସିଡେନସି ଅଧୀନରେ ରହିଥିଲା। ଆନ୍ଧ୍ରପ୍ରଦେଶ ସ୍ୱତନ୍ତ୍ର ରାଜ୍ୟ ହେବା ପରେ ୧୯୫୬ ମସିହାରୁ ଓଡ଼ିଶା ସହିତ ସୀମା ବିବାଦ ଆରମ୍ଭ ହୋଇଛି। ସେତେବେଳେ ଓଡ଼ିଶାର ରାଜନୀତିକ ଅସ୍ଥିରତା, କେନ୍ଦ୍ର ସରକାରଙ୍କ ଅସହଯୋଗରୁ ଓଡ଼ିଶା ଆନ୍ଧ୍ରପ୍ରଦେଶର ଲୋଲୁପତାର ଶିକାର ହେଲା। ୧୯୫୧ ମସିହାରୁ କୋରାପୁଟ ଜିଲା ପଟ୍ଟାଙ୍ଗି ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋଟିଆର ୨୯ଟି ଗାଁରେ ଓଡ଼ିଶା ପକ୍ଷରୁ ନିର୍ବାଚନ ହୋଇଆସୁଥିଲାବେଳେ ୧୯୫୬ ପରେ କୋଟିଆକୁ ନିଜର ବୋଲି ଆନ୍ଧ୍ରପ୍ରଦେଶ ଦାବି କରିବା କେବଳ ଅନ୍ୟାୟ ନୁହେଁ ଅସାଧୁତା ମଧ୍ୟ; କିନ୍ତୁ ସେହି ଅନ୍ୟାୟ କାର୍ୟ୍ୟ ଏବେ ବି ଜାରି ରହିଛି ଓ ତାହା ଦିନକୁ ଦିନ ଆନ୍ଧ୍ରପ୍ରଦେଶ ଶାସନ, ସରକାର, ପ୍ରଶାସନ ଦ୍ୱାରା ବଢ଼ି ଚାଲିଛି। ଓଡ଼ିଶାରେ ଆନ୍ଧ୍ରର ଅନୁପ୍ରବେଶ ଓଡ଼ିଶା ପାଇଁ ଚିନ୍ତାର ବିଷୟ; କିନ୍ତୁ ଓଡ଼ିଶା ସରକାର ସେ ପ୍ରସଙ୍ଗକୁ ସେପରି ଗୁରୁତ୍ୱ ଦେଲାପରି ଜଣାଯାଉ ନାହିଁ। ୧୯୬୫ ମସିହାରୁ ଦୁଇ ରାଜ୍ୟ ସେମାନଙ୍କ ସୀମାକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଓ ପରିତାପର କଥା ଯେ ଏ ବିବାଦ ସଂପର୍କରେ ନ୍ୟାୟାଳୟ ୨୦୦୬ରେ ଶୁଣାଣି କରି ଉଭୟ ରାଜ୍ୟ ସରକାରଙ୍କୁ ସ୍ଥିତାବସ୍ଥା ବଜାୟ ରଖିବାକୁ କହିଥିଲେ।

ସଂସଦରେ ଆଲୋଚନା କରି ବିବାଦର ସମାଧାନ ପାଇଁ ପରାମର୍ଶ ଦେଇଥିଲେ ଓ ଉଭୟ ରାଜ୍ୟ ସରକାରଙ୍କୁ ପରସ୍ପର ମଧ୍ୟରେ ଆଲୋଚନା କରି ସବୁ ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ପ୍ରାୟ ୧୫ବର୍ଷ ପରେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଆଲୋଚନା ପାଇଁ ଏକାଠି ହୋଇଥିବାରୁ ଏହି ସମସ୍ୟା ପ୍ରତି ସେମାନଙ୍କର ଦୃଷ୍ଟି ଗୁରୁତ୍ୱ ବହନ କରେ। ତେବେ ବିଡ଼ମ୍ବନାର ବିଷୟ ଯେ ଗୋଟିଏ ପଟେ ଆଲୋଚନା ଚାଲିଥିବାବେଳେ ଅନ୍ୟପଟେ ଆନ୍ଧ୍ର ଅଧିକାରୀଙ୍କ ବେଆଇନ କାର୍ୟ୍ୟ ସେପଟେ ଚାଲୁରହିଥିଲା, ଯାହା ଏ ପର୍ୟ୍ୟନ୍ତ ବନ୍ଦ ହୋଇନାହିଁ। ଆନ୍ଧ୍ରପ୍ରଦେଶ ସରକାର ଓ ପ୍ରଶାସନର ଏତିକି ଶାଳୀନତା ରହିଲା ନାହିଁ ଯେ ଆଲୋଚନା ସମୟରେ କୌଣସି ଅଶୋଭନୀୟ କାର୍ୟ୍ୟ ଯେପରି ନ କରାଯାଏ, ଯା’ଦ୍ୱାରା ତାଙ୍କ ନେତା ଓ ମୁଖ୍ୟମନ୍ତ୍ରୀଙ୍କୁ ନିନ୍ଦିତ ହେବାକୁ ପଡ଼ିବ।

ସେହିପରି ଓଡ଼ିଶା ସରକାର ଓ ପ୍ରଶାସନ ବା ନେତାଙ୍କ ପକ୍ଷରୁ ଆନ୍ଧ୍ରପ୍ରଦେଶର ଏହି ଅନ୍ୟାୟ କାର୍ୟ୍ୟକୁ ଦୃଢ଼ ବିରୋଧ କରାଗଲା ନାହିଁ। ‘ପ୍ରଥମେ ଅନୁପ୍ରବେଶ ବନ୍ଦ କର, ପରେ ଆଲୋଚନାକୁ ଆସ’ ଏପରି କୁହାଗଲା ନାହିଁ କାହିଁକି ? ଆନ୍ଧ୍ରର ଦାଦାଗିରିକୁ ଓଡ଼ିଶା ସରକାର ଓ ପ୍ରଶାସନ ମୁଣ୍ଡପାତି ସହିଯାଉଛି କାହିଁକି ଓ କିପରି? କେବଳ କୋଟିଆ ନୁହେଁ; ନିକଟରେ ପଟ୍ଟାଙ୍ଗି ବ୍ଲକର ଦେଓମାଳିରେ ବଣଭୋଜି ବାହାନାରେ ଆନ୍ଧ୍ରର ବହୁ ଅଧିକାରୀ ସରଜମିନ ଅନୁଧ୍ୟାନ କରିଥିବା ଦେଖାଯାଇଛି। ଏହାକୁ ସାଧାରଣ ଘଟଣା ଭାବେ ଦେଖାଯିବା ଅନୁଚିତ। ଓଡ଼ିଶାରେ ଆନ୍ଧ୍ର ଅନୁପ୍ରବେଶ, ହସ୍ତକ୍ଷେପ ଓ ବଳପ୍ରୟୋଗ ବା ଦାଦାଗିରି କେବଳ ଅନ୍ୟାୟ ନୁହେଁ; ଓଡ଼ିଶା ପାଇଁ ଏକ ବଡ଼ ବିପଦ ତାହା ରାଜ୍ୟ ସରକାର ଭଲଭାବେ ବୁଝିବା ଆବଶ୍ୟକ। ଓଡ଼ିଶା-ଆନ୍ଧ୍ରପ୍ରଦେଶ ମଧ୍ୟରେ ବିବାଦର ରାଜନୀତିକ ସମାଧାନ ଲୋଡ଼ା; ଏହା ପ୍ରଶାସନିକ ସ୍ତରରେ ହୋଇପାରିବ ବୋଲି ଆଶା କରିବା ବୃଥା।

Comments are closed.