ଭର୍ସାଇଲ୍‌ସରୁ ଭାରତ: ବିକାଶ ପଥେ ହକି

ମିହିର ପ୍ରତାପ ଦାସ

ଯୁବ ବିଶ୍ୱକପ୍‍ ହକିର ଦ୍ୱାଦଶତମ ସଂସ୍କରଣ ଓଡିଶାର ଭୁବନେଶ୍ୱରଠାରେ କଳିଙ୍ଗ ଷ୍ଟାଡିଅମ୍‍ରେ ଅନୁଷ୍ଠିତ ହେଉଅଛି। ଏଥିରେ ନିମନ୍ତ୍ରଣକାରୀ ଦେଶ ଭାରତ ବ୍ୟତୀତ ୧୫ଟି ଦେଶ ପ୍ରତିନିଧିତ୍ୱ କରୁଛନ୍ତି। ପ୍ରତିଟି ମହାଦେଶରୁ ପ୍ରତିଯୋଗିତା ଭିତ୍ତିରେ ପ୍ରଥମ ଓ ଦ୍ୱିତୀୟ ଦଳଙ୍କ ସହିତ ଅନ୍ୟ କେତୋଟି ଦେଶ ଆନ୍ତର୍ଜାତିକ ହକି ମହାସଂଘ ଦ୍ୱାରା ଯୋଗ୍ୟ ବିବେଚିତ ଅଂଶ ଗ୍ରହଣ କରିବାର ନିୟମ ରହିଛି। ଚଳିତ ପ୍ରତିଯୋଗିତାରେ ଜର୍ମାନ, ସ୍ପେନ୍‍, ବେଲଜିଅମ୍‍, ଫ୍ରାନ୍ସ, ଆର୍ଜେଣ୍ଟିନା, କାନାଡା, ପୋଲାଣ୍ଡ, ପାକିସ୍ତାନ, ମାଲେସିଆ, ଦକ୍ଷିଣ ଆଫ୍ରିକା, ଇଜିପ୍ଟ, ଯୁକ୍ତରାଷ୍ଟ୍ର, ଚିଲି, କୋରିଆ, ନେଦରଲ୍ୟାଣ୍ଡ ଆଦି ଅଂଶ ଗ୍ରହଣ କରିଅଛନ୍ତି।

ହକିର ଯୁବ ବିଶ୍ୱକପ୍‍ ଆରମ୍ଭ ହୋଇଥିଲା ୧୯୭୯ରୁ। ଏକୋଇଶ ବର୍ଷରୁ କମ ପ୍ରତିଭାମାନଙ୍କୁ ବିଶ୍ୱ ସ୍ତରରେ ସୁଯୋଗ ଦେଇ ସେମାନଙ୍କର ବିକାଶ କରାଇବା ଆୟୋଜନର ମୂଳ ଲକ୍ଷ୍ୟ ଥିଲା। ପ୍ରଥମ ଅବସ୍ଥାରେ ଏହା ତିନିବର୍ଷରେ ଥରେ ଆୟୋଜିତ ହେଉଥିଲା। ଫ୍ରାନ୍ସର ଇତିହାସ ବିଖ୍ୟାତ ସହର ଭର୍ସାଇଲ୍‌ସଠାରେ ପ୍ରଥମ ସଂସ୍କରଣ ଅନୁଷ୍ଠିତ ହୋଇଥିଲା। ପାକିସ୍ତାନ ପ୍ରଥମ ସ୍ଥାନ ପଶ୍ଚିମ ଜର୍ମାନୀ ଦ୍ୱିତୀୟ ଓ ନେଦରଲ୍ୟାଣ୍ଡ ତୃତୀୟ ସ୍ଥାନ ପାଇଥିଲେ। ତିନିବର୍ଷ ବ୍ୟବଧାନରେ ୧୯୮୨ ରେ କୁଆଲାଲାମପୁରଠାରେ ଦ୍ୱିତୀୟ ସଂସ୍କରଣ ଆୟୋଜିତ ହୋଇଥିଲା। ଜର୍ମାନ, ଅଷ୍ଟ୍ରେଲିଆ ଓ ପାକିସ୍ତାନ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିଲେ। ଓଡ଼ିଶାର ପିଟର ତିର୍କୀ ଭାରତୀୟ ଦଳରେ ସଦସ୍ୟ ଥିଲେ। ୧୯୮୫ କାନାଡାରେ ଭାଙ୍କାଉଭରଠାରେ ତୃତୀୟ ସଂସ୍କରଣ ହୋଇଥିଲା। ଜର୍ମାନ ପ୍ରଥମ, ନେଦର ଲ୍ୟାଣ୍ଡ ଦ୍ୱିତୀୟ, ପାକିସ୍ତାନ ତୃତୀୟ ସ୍ଥାନ ପାଇଥିଲା। ପ୍ରଥମ ତିନୋଟି ଯାକ ସଂସ୍କରଣରେ ଭାରତ ପଞ୍ଚମ ସ୍ଥାନ ହାସଲ କରିଥିଲା।

ଏହା ପରେ ପ୍ରତି ଚାରିବର୍ଷରେ ଥରେ ଏହି ପ୍ରତିଯୋଗିତା କରିବା ପାଇଁ ସ୍ଥିର କରାଯାଇଥିଲା। ୧୯୮୯ ଓ ୧୯୯୩ରେ ଭାରତ ଅଂଶଗ୍ରହଣ କରିପାରିନଥିଲା। ୧୯୯୭ ରେ ରାଜୀବ ମିଶ୍ରଙ୍କ ନେତୃତ୍ୱରେ ଭାରତୀୟ ଦଳ ଇଂଲଣ୍ଡ ଠାରେ ଉପବିଜେତା ହୋଇଥିଲା। ଓଡିଶାର ଦିଲ୍ଲୀପ ତିର୍କ ସେଥିରେ ଉପଅଧିନାୟକ ଥିଲେ। ଲାଜରୁସ ବାର୍ଲାଙ୍କର ଅବଦାନ ମଧ୍ୟ ଥିଲା ପ୍ରଶଂସନୀୟ। ୨୦୦୧ରେ ଭାରତ ଅଷ୍ଟ୍ରେଲିଆକୁ ଅଷ୍ଟ୍ରେଲିଆରେ ହରାଇ ବିଜେତା ହୋଇଥିଲା। ଓଡିଶାର ଇଗନେଶ ତିର୍କି ଓ ପ୍ରବୋଧ ତିର୍କି ଏଥିରେ ସଦସ୍ୟ ଥିଲେ। ୨୦୧୬ରେ ଲକ୍ଷ୍ନୌଠାରେ ଏଗାରତମ ସଂସ୍କରଣରେ ଭାରତ ଦ୍ୱିତୀୟ ଥର ବିଜେତା ହୋଇଥିଲା। ଆଜି ପର୍ଯ୍ୟନ୍ତ ଯୁବ ହକି ବିଶ୍ୱକପରେ ଜର୍ମାନୀ ଛଅ ଥର, ଭାରତ ଦୁଇଥର, ଅଷ୍ଟ୍ରେଲିଆ, ପାକିସ୍ତାନ, ଆର୍ଜେଣ୍ଟିନା ଗୋଟିଏ ଥର ଲେଖାଏ ବିଜେତା ହୋଇଛନ୍ତି। ପ୍ରଥମ ସଂସ୍କରଣରେ ଭାରତ ପଞ୍ଚମ ସ୍ଥାନ ଅଧିକାର କରିଥିଲେ ମଧ୍ୟ ତତ୍‍କାଳୀନ ପରିସ୍ଥିତିରେ ଉକ୍ତ ପରିଣାମ ଭାରତରେ ହକିର ପ୍ରତିଷ୍ଠା ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା।

୧୯୫୬ ଅଲିମ୍ପିକ୍‌ରେ ଭାରତ ଷଷ୍ଠ ସ୍ୱର୍ଣ୍ଣ ପଦକ ହାସଲ କରିଥିଲା। ମେଲବୋର୍ଣ୍ଣଠାରେ ଚୂଡାନ୍ତ ପ୍ରତିଯୋଗିତା ପାକିସ୍ତାନ ବିପକ୍ଷ ମ୍ୟାଚ ସରିବା ପୂର୍ବରୁ ଭାରତୀୟ ହକିସଂଘ କର୍ମକର୍ତ୍ତା, ରାଜନେତା, ପ୍ରଶାସକ ଓ ଖେଳାଳିଙ୍କ ମଧ୍ୟରେ ଗୋଷ୍ଠୀ କନ୍ଦଳ ଲୋକଲୋଚନକୁ ଆସିସାରିଥିଲା। ୧୯୬୦ ରେ ପାକିସ୍ତାନଠାରୁ ହାରି ରଜତ ପଦକ ପାଇଥିଲେ। ୧୯୬୨ ମସିହା ଚୀନ ଯୁଦ୍ଧର ପରାଜୟରେ ଦେଶ ଏକାଠି ହେବା ସହିତ ଏକ ମନ ଏକ ପ୍ରାଣରେ ଖେଳିଲା ହକି ଦଳ। ୧୯୬୪ ଅଲିମ୍ପିକ, ୧୯୬୬ ଏସିଆନ୍‍ ଗେମ୍‌ସରେ ସ୍ୱର୍ଣ୍ଣ ପଦକ ଆସିଲା। ପରେ ବୁଡ଼ିଗଲା ଲୋକ ଗୋଡ ତଳକୁ ହେଲାପରି ଅଧୋପତନ ଆରମ୍ଭ ହୋଇଗଲା। ଅବଶ୍ୟ ୧୯୭୫ ଅଜିତସିଂହ, ଅଶୋକ କୁମାର, ଭାସ୍କରନ, ଫିଲିପ୍‌ସଙ୍କ ପରି ପ୍ରତିଭାଙ୍କ ଉପସ୍ଥିତିରେ ବିଶ୍ୱକପ କରଗତ ହୋଇଥିଲା; କିନ୍ତୁ ଅନ୍ଧକାର ଅପେକ୍ଷାରେ ଥିଲା। ସଂଗଠନର ଅନ୍ତର୍ଦ୍ବନ୍ଦ୍ବ, ରାଜନେତାଙ୍କର କ୍ରୀଡା ବିମୁଖତା, ପ୍ରାୟୋଜକଙ୍କର ବୈମାତୃକ ଭାବର କଷାଘାତରେ ୧୯୭୬ ଅଲିମ୍ପିକରେ ଭାରତ ସପ୍ତମ ସ୍ଥାନରେ ପହଞ୍ଚିଲା। ୧୯୭୮ ବିଶ୍ୱକପରେ ଅଷ୍ଟମ ସ୍ଥାନରେ ପହଞ୍ଚିଲା। ଧ୍ୟାନଚାନ୍ଦଙ୍କର ଜୀବଦ୍ଦଶାରେ ଭାରତରୁ ହକି ଖେଳ ଅନ୍ତର୍ଦ୍ଧାନ ହୋଇଗଲା ବୋଲି ଅନେକ ବକ୍ତବ୍ୟ ଦେବାକୁ ଆରମ୍ଭ କରିଥିଲେ। ୧୯୭୯ରେ ଯୁବ ବିଶ୍ୱକପ ଆରମ୍ଭ ହେଲା, ତାରିଖ ସ୍ଥିର ହେଲା ଅଗଷ୍ଟ ୨୩ଠାରୁ ସେପ୍ଟେମ୍ବର ୨। ଭାରତରେ ସେତେବେଳେ ରାଜନୈତିକ ଚରମ ଅସ୍ଥିରତା। ଜନତା ସରକାର ଭାଙ୍ଗି ଯାଉଥିଲା। ଅଗଷ୍ଟ ୨୦ ତାରିଖ‌େ‌ର ସଂଖ୍ୟାଲଘୁ ଚରଣ ସିଂହ ସରକାର ଇସ୍ତଫା ପ୍ରଦାନ କରିଥିଲେ।

ପ୍ରତିକୂଳ ପରିସ୍ଥିତିରେ ମେରଭିନ୍‍ ଫର୍ଣ୍ଣାଣ୍ଡିସଙ୍କର ନେତୃତ୍ୱରେ ରବିନ୍ଦର ପାଲ ସିଂହ, ମହମଦ ସହିଦ, ସୁରିନ୍ଦ୍ର ସିଂ ସୋଧି, ରାଜିନ୍ଦର ସିଂହ, ସୁଇନ୍ଦର ସିଂ, ନେଗି, ଆନନ୍ଦ, ବିନୀତ କୁମାର, ମମତାଜ, ଯଶବୀର ପ୍ରମୁଖ ଯୁବ ଖେଳାଳିମାନେ ଫ୍ରାନ୍ସ ଗସ୍ତ କରିଥିଲେ। ସେଠାରେ ଭାରତ ଗ୍ରୁପ (ଏ) ରେ ନେଦର ଲ୍ୟାଣ୍ଡ, ମାଲେସିଆ, ଫ୍ରାନ୍ସ, ସ୍ପେନ, ଚିଲିଙ୍କ ସହିତ ସ୍ଥାନ ପାଇଥିଲା। ଗ୍ରୁପ (ବି)ରେ ଥିଲେ ପାକିସ୍ତାନ, ଜର୍ମାନ, ଆର୍ଜେଣ୍ଟିନା, ଆୟର ଲ୍ୟାଣ୍ଡ, ଘାନା, ସିଙ୍ଗାପୁର ଆଦି ବାରଗୋଟି ଦେଶ ଅଂଶ ଗ୍ରହଣ କରିଥିଲେ। ଭାରତ ଲିଗ ମ୍ୟାଚ ପର୍ଯ୍ୟାୟରେ ନେଦରଲ୍ୟାଣ୍ଡକୁ ୧-୦, ଚିଲିକୁ ୭-୧, ଫ୍ରାନ୍ସକୁ ୪-୧ ରେ ହରାଇଥିଲା; କିନ୍ତୁ ମା​‌େ​‌ଲସିଆଠାରୁ ୨-୧ ଓ ସ୍ପେନଠାରୁ ୪-୩ରେ ପରାଜିତ ହୋଇ ସେମିଫାଇନାଲରୁ ବଞ୍ଚିତ ହୋଇଥିଲା। ପଞ୍ଚମ ସ୍ଥାନ ପାଇଁ ଆର୍ଜେଣ୍ଟିନାକୁ ୬-୧ ରେ ପରାଜିତ କରିଥିଲା। ଭର୍ସାଇଲ୍‌ସକୁ ଯାଇଥିବା ଭାରତୀୟ ଖେଳାଳିମାନଙ୍କ ମଧ୍ୟରେ ଅନାବିଳ ବନ୍ଧୁତା ସୃଷ୍ଟି ହୋଇଥିଲା। ଭାରତୀୟ ହକି ମହାସଂଘରେ ଚାଲିଥିବା ଆଞ୍ଚଳିକ, ଜାତି, ଧର୍ମ ଦ୍ୱନ୍ଦ୍ବ ଠାରୁ ସେମାନେ ଅଲଗା ରହି ଭାରତର ଗୌରବ ବୃଦ୍ଧିପାଇ କ୍ରୀଡା ପ୍ରଦର୍ଶନରେ ମନୋନିବେଶ କରିଥିଲେ। ସମୟକ୍ରମେ ମେରଭିନ୍‍ ଫର୍ଣ୍ଣାଣ୍ଡେସ ବିଶ୍ୱର ଶ୍ରେଷ୍ଠ ପ୍ଲେମେକର ହେଲେ, ମହମଦ ସହିଦଙ୍କୁ ଧ୍ୟାନ ଚାନ୍ଦଙ୍କର ପ୍ରତିରୂପ ଭାବରେ ମାନ୍ୟତା ମିଳିଲା। ସୁରିନ୍ଦର ସିଂହ ସୋଧି ୧୯୮୦ ଅଲିମ୍ପିକର ଦ୍ୱିତୀୟ ଶ୍ରେଷ୍ଠ ଗୋଲ ସ୍କୋରର ହୋଇଥିଲେ। ରାଜିନ୍ଦର ସିଂହ ଶ୍ରେଷ୍ଠ ରକ୍ଷାପନ୍ଥୀ ଖେଳାଳିରେ ଆଜି ମଧ୍ୟ ପରିଗଣିତ ହୁଅନ୍ତି। ମସ୍କୋ ଅଲିମ୍ପିକ ସ୍ୱର୍ଣ୍ଣ, ଆମଷ୍ଟତାମ ଚମ୍ପିଆନ ଟ୍ରଫିରେ ତୃତୀୟ ସ୍ଥାନ, ଅଷ୍ଟ୍ରେଲିଆ ଏସାଣ୍ଡା କପରେ ଦ୍ୱିତୀୟ ସ୍ଥାନ ଭାରତକୁ ଏହି ଖେଳାଳିମାନଙ୍କ ଯୋଗୁ ମିଳିଥିଲା। ସେ ଯୁଗ ଥିଲା ଭାରତ ହକି ପାଇଁ ଘଡି ସନ୍ଧି ମୁହୂର୍ତ୍ତ।

ଆଧୁନିକ ଉପକରଣ, କୃତ୍ରିମ କ୍ରୀଡାପ୍ରାଙ୍ଗଣର ଆଗମନ, ଭାରତ ସଂଗଠନରେ ଆର୍ଥିକ ସଂକଟ ଓ ଅନ୍ତର୍ଦ୍ବନ୍ଦ୍ବ ମଧ୍ୟରେ ଖେଳକୁ ବଞ୍ଚାଇ ରଖିବାକୁ ୧୯୭୯ ଯୁବ ବିଶ୍ୱକପ ଦଳର ସଦସ୍ୟମାନଙ୍କ ଉଦ୍ୟମ ପ୍ରଶଂସନୀୟ। ସେମାନେ ବିନା ଟ୍ରାକ୍‍ ସୁଟ୍‍, ଗୋଟିଏ ସେଟ୍‍ ଜର୍ସି ପିନ୍ଧି ଖେଳିଥିଲେ। ବର୍ଷାରେ ଖେଳିବା ପରେ ବଦଳାଇବା ପାଇଁ ପୋଷାକ ସେମାନଙ୍କ ନିକଟରେ ନ ଥିଲା। ଏହି କାରଣରୁ ସ୍ପେନ୍‍ଠାରୁ ପରାଜୟ ବରଣ କରିବାକୁ ପଡିଥିଲା। ଆଜି ସହିଦ, ରବିନ୍ଦର ପାଲ ଯଶବୀର ସେପାରିରେ। ଅନ୍ୟମାନେ ଅଛନ୍ତି। ଦେଶ ସେମାନଙ୍କୁ ଉପଯୁକ୍ତ ମର୍ଯ୍ୟାଦା ଦେବା ଉଚିତ। ଭର୍ସାଇଲଠାରେ ସେମାନେ ନେଇଥିବା ଶପଥ ଆଜିର ଭାରତୀୟ ହକିକୁ ସଶକ୍ତ କରିଛି।

Comments are closed.