ଗାନ୍ଧିଜୀ, ଚାଷୀ ଆନ୍ଦୋଳନ ଓ ଧର୍ମ ନିରପେକ୍ଷତା­

ସତ୍ୟ ନାରାୟଣ ସାହୁ

୨୦୨୦ରେ ସଂସଦରେ, ବିଶେଷତଃ ରାଜ୍ୟସଭାରେ, ସମ୍ବିଧାନର ଧାରା ୧୦୦ରେ ନିର୍ଦ୍ଧାରିତ ଭୋଟ ବ୍ୟବସ୍ଥା ପ୍ରଣାଳୀକୁ ଅନୁସରଣ ନକରି ଓ ଚାଷୀଙ୍କ ବିନା ପରାମର୍ଶରେ କୃଷି ନିୟମଗୁଡିକ ଗୃହୀତ କରିବା ଦ୍ୱାରା ଶାନ୍ତିପୂର୍ଣ୍ଣ, ଅହିଂସାତ୍ମକ ଓ ଧର୍ମନିରପେକ୍ଷ ଚାଷୀ ଆନ୍ଦୋଳନ ଆରମ୍ଭ ହେଲା, ଯାହା ଭାରତ ଏବଂ ପୃଥିବୀ ଇତିହାସରେ ଏକ ବିରଳତମ ଆନ୍ଦୋଳନ। ଏହାର ଅନେକ ଲକ୍ଷ୍ୟ ମଧ୍ୟରୁ ଦୁଇଟି ପ୍ରମୁଖ ଲକ୍ଷ୍ୟ ଥିଲା କୃଷି ନିୟମର ଆମୂଳଚୂଳ ଉଚ୍ଛେଦ ଓ ନିୟମ ଦ୍ୱାରା ଫସଲର ନ୍ୟୂନତମ ମୂଲ୍ୟ ଧାର୍ଯ୍ୟ । ଏହି ଆନ୍ଦୋଳନ ପ୍ରତିଫଳିତ କରୁଛି ମହାତ୍ମା ଗାନ୍ଧୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ମନ୍ତବ୍ୟ ଯାହାକୁ ସେ ୯ ଅକ୍ଟୋବର ୧୯୪୪ରେ ପ୍ରସିଦ୍ଧ କୃଷକ ନେତା ଏନ.ଜି. ରଙ୍ଗାଙ୍କ ସହ ଏକ ସାକ୍ଷାତକାରରେ କହିଥିଲେ: “ଯଦି ବିଧାନମଣ୍ଡଳ (ସଂସଦ ଓ ବିଧାନସଭା) ଚାଷୀମାନଙ୍କ ହିତ ରକ୍ଷା କରିବାପାଇଁ ଅସମର୍ଥ ହୁଏ, ତେବେ ସେମାନଙ୍କ ପାଖରେ ଅସହଯୋଗ ଓ ଆଇନ ଅମାନ୍ୟ ଭଳି ସାର୍ବଭୌମ ପ୍ରତିକାର ସଦାବେଳେ ରହିବ”। ପୁଲିସ ସୃଷ୍ଟି କରିଥିବା ବହୁ ନିଷ୍ଠୁର ଓ ଭୟାବହ ବାଧା, ୭୦୦ରୁ ଊର୍ଦ୍ଧ୍ବ ଚାଷୀଙ୍କ ମୃତ୍ୟୁ ଓ ଲଖିମପୁର ଖେରିରେ ଚାଷୀଙ୍କ ହତ୍ୟା ସତ୍ତ୍ବେ ଚାଷୀ ଆନ୍ଦୋଳନ ପ୍ରତିପାଦିତ କରୁଛି ୧୯୪୪ରେ ମହାତ୍ମା ଗାନ୍ଧୀ କହିଥିବା ପ୍ରତ୍ୟେକ ଶବ୍ଦର ଯଥାର୍ଥତା। ୧୯ ନଭେମ୍ବର ୨୦୨୧ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ତିନି କୃଷି ଆଇନ ଉଚ୍ଛେଦ ଘୋଷଣା ଓ ୨୯ ନଭେମ୍ବରରେ ସଂସଦର ଦୁଇ ସଦନରେ ସେସବୁ ଆଇନର ଉଚ୍ଛେଦ ପ୍ରମାଣ କଲା କୃଷି ଆନ୍ଦୋଳନ ଓ ଗାନ୍ଧୀଙ୍କ ସତ୍ୟାଗ୍ରହର ସଫଳତାକୁ।

ସର୍ବୋଚ୍ଚ ନ୍ୟାୟାଳୟ କୃଷି ଆଇନ ବିରୋଧରେ ମକଦ୍ଦମାର ଶୁଣାଣି ସମୟରେ ଟିପ୍ପଣୀ କରିଥିଲେ ଯେ କୌଣସି ପରାମର୍ଶ ନକରି ସେହି ନିୟମସବୁ ତିଆରି କରାଗଲା ଓ ତାହା ଉପରେ ଚାଷୀମାନଙ୍କ ମତକୁ ନେଇ ବିଚାରବିମର୍ଶ କରିବା ପାଇଁ ଏକ କମିଟି ସ୍ଥାପନ କଲେ। ପରାମର୍ଶ ଓ ବିଚାର ବିମର୍ଶ ପ୍ରକ୍ରିୟା ଆଇନ ତିଆରି କରିବା ପୂର୍ବରୁ ଅନୁସରଣ କରାଯାଇଥାଏ। ବିଡମ୍ବନାର କଥା ଯେ ଏ କ୍ଷେତ୍ରରେ ବିଚାରବିମର୍ଶ ପ୍ରକ୍ରିୟା ଚାଷୀ ଆନ୍ଦୋଳନ ତୀବ୍ର ହେବା ପରେ ଓ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶରେ ଆରମ୍ଭ କରାଯାଇଥିଲା।

୧୯୧୭ରେ ଚମ୍ପାରଣରେ ମହାତ୍ମା ଗାନ୍ଧୀ ତାଙ୍କର ଐତିହାସିକ ପ୍ରଥମ ସତ୍ୟାଗ୍ରହ ଚାଷୀଙ୍କ ପାଇଁ ଆରମ୍ଭ କଲେ। ତା’ର ଉଦ୍ଦେଶ୍ୟ ଥିଲା ବ୍ରିଟିଶ ମାଲିକମାନଙ୍କ ଶୋଷଣରୁ ମୁକ୍ତକରି ଚାଷୀଙ୍କ ଉର୍ବର ଜମିର ଅନେକାଂଶରେ ଜୋର ଜବରଦସ୍ତ ଯେଉଁ ନୀଳ ଚାଷ କରୁଥିଲେ ତାକୁ ବନ୍ଦ କରିବା। ସେହି ସତ୍ୟାଗ୍ରହ ଜରିଆରେ ଗାନ୍ଧିଜୀ ଚାଷୀ, ବ୍ରିଟିଶ ମାଲିକ ଓ ବ୍ରିଟିଶ କର୍ମଚାରୀମାନଙ୍କ ସହିତ ପରାମର୍ଶ କରି ଏକ ରିପୋର୍ଟ ଦେଲେ ଏବଂ ତାକୁ ଭିତ୍ତି କରି ବ୍ରିଟିଶ ସରକାର ଏକ କମିଟି ସ୍ଥାପନ କଲେ ଯେଉଁଥିରେ ଗାନ୍ଧୀଙ୍କୁ ସଦସ୍ୟ କରାଗଲା। ସେହି ରିପୋର୍ଟକୁ ଧରି ଚମ୍ପାରଣ କୃଷି ବିଲ୍‌ ୧୯୧୮ ବ୍ରିଟିଶ ସରକାର ତିଆରି କଲେ ଓ ତାକୁ ବିହାର-ଓଡ଼ିଶା ବିଧାନ ସଭାର ସିଲେକ୍ଟ କମିଟିକୁ ସମୀକ୍ଷା ପାଇଁ ପଠାଗଲା। ଗାନ୍ଧୀଙ୍କୁ ମଧ୍ୟ ସେହି ବିଲ୍‌ର ବିଭିନ୍ନ ଧାରାକୁ ପରୀକ୍ଷା ନିରୀକ୍ଷା କରିବା ପାଇଁ ଅନୁରୋଧ କରାଗଲା ଓ ସେ ଦେଇଥିବା ମତାମତକୁ ବିଲ୍‌ରେ ଅନ୍ତର୍ଭୁକ୍ତ କରି ଉପରୋକ୍ତ ବିଧାନସଭାରେ ଗୃହୀତ କରାଗଲା ଏବଂ ସେହି ନିୟମ ବଳରେ ଚାଷୀମାନେ ଶୋଷଣରୁ ମୁକ୍ତ ହେଲେ।

୧୯୧୭ରେ ପରାଧୀନ ଭାରତରେ ଯେଉଁ ପ୍ରକ୍ରିୟା ନିୟମ ତିଆରି କରିବା ପାଇଁ ଗାନ୍ଧୀଙ୍କ ପ୍ରଥମ ସତ୍ୟାଗ୍ରହ ଯୋଗୁଁ ପାଳନ କରାଗଲା ୨୦୨୦ରେ କୃଷି ଆଇନ ସଂସଦରେ ଗୃହୀତ କରିବା ପାଇଁ ପାଳନ କରାଯାଇନଥିଲା। ରାଜ୍ୟସଭାରେ ବିପକ୍ଷଙ୍କ ଦାବି ଥିଲା ଯେ ଗୃହର ସିଲେକ୍ଟ କମିଟି ସେହି କୃଷି ବିଲ୍‌ଗୁଡ଼ିକର ସମୀକ୍ଷା କରୁ; କିନ୍ତୁ ତାହା ହୋଇନଥିଲା ଓ ତଦ୍ଦ୍ବାରା ଆଇନ ପ୍ରଣୟନ ପ୍ରକ୍ରିୟା ଭଣ୍ଡୁର ହୋଇଥିଲା।

ହିନ୍ଦୁ, ମୁସଲିମ, ଶିଖ ଓ ଅନ୍ୟ ଧର୍ମାବଲମ୍ବୀ ଚାଷୀ ଅଂଶଗ୍ରହଣ କରି ଆନ୍ଦୋଳନର ଧର୍ମ ନିରପେକ୍ଷତାକୁ ପ୍ରମାଣିତ କରିଛନ୍ତି। ୨୦୧୩ରେ ପଶ୍ଚିମ ଉତ୍ତର ପ୍ରଦେଶରେ ଧର୍ମ ଭିତ୍ତିକ ବିଭାଜନକାରୀ ଶକ୍ତି ଓ ଧ୍ରୁବୀକରଣ ରାଜନୀତି ଦ୍ୱାରା ଚାଷୀମାନେ ଧର୍ମକୁ ନେଇ ଭାଗଭାଗ ହୋଇ ଯାଇଥିଲେ। କୃଷକ ନେତା ରାକେଶ ଟିକାୟତ ଏଇଥିପାଇଁ ବିଜେପି ଦାୟୀ ବୋଲି କହି ସେ ନିଜେ ମଧ୍ୟ ଏହାର ଶିକାର ହୋଇଥିଲେ ବୋଲି ସ୍ୱୀକାର କରିଥିଲେ। ଭବିଷ୍ୟତରେ ଧର୍ମକୁ ନେଇ ଚାଷୀ ଆନ୍ଦୋଳନ ଭାଗଭାଗ ହେବ ନାହିଁ ଓ ଚାଷୀ ଆନ୍ଦୋଳନ ଏ ପ୍ରକାର ରାଜନୀତିକୁ ପରାସ୍ତ କରିବ ବୋଲି ସେ କହିଥିଲେ।

୨୦୨୧ ସେପ୍ଟେମ୍ବରରେ ମୁଜାଫର ନଗରରେ ହୋଇଥିବା କିଷାନ ମହା ପଞ୍ଚାୟତରେ ରାକେଶ ଟିକାୟତ ଯେତେବେଳେ ‘ଆଲ୍ଲା ହୋ ଆକବର’ ଧ୍ବନି ଦେଇଥିଲେ ଅନ୍ୟ ଚାଷୀମାନେ ହରହର ମହାଦେବ କହିଥିଲେ। ଶିଖ ଚାଷୀମାନେ ୱାହେ ଗୁରୁ କହିଥିଲେ ଓ ମେଧା ପାଟକର କହିଥିଲେ “ହିନ୍ଦୁ, ମୁସଲିମ, ଶିଖ, ଇସାହି, ହମ ସବ୍‌ ହେ ବେହେନ ଭାଇ”। ତାହା ଦର୍ଶାଇଥିଲା ସର୍ବଧର୍ମ ସମଭାବକୁ।

ଏଠାରେ ଉଲ୍ଳେଖଯୋଗ୍ୟ ଯେ କୃଷକମାନେ ରାକେଶ ଟିକାୟତଙ୍କ ପିତା ମହେନ୍ଦ୍ର ସିଂ ଟିକାୟତଙ୍କ ନେତୃତ୍ବରେ ସବୁ ଧର୍ମର ଧ୍ବନି ଦେବା ଆରମ୍ଭ କରିଥିଲେ ୧୯୮୦ ଦଶକର ମଧ୍ୟଭାଗରେ। ସେତେବେଳେ ଏକ କୃଷକ ପ୍ରତିବାଦ ସଭାରେ ପୁଲିସ ଗୁଳିକାଣ୍ଡରେ ଜଣେ ମୁସଲମାନ ଚାଷୀ ଆକବର ଅଲି ଓ ଜଣେ ହିନ୍ଦୁ ଚାଷୀ ଜୟ ପାଲ ପ୍ରାଣ ହରେଇଲେ। ସମସ୍ତ ଚାଷୀ ସେ ଦୁଇଟି ମୃତ ଦେହ ଚାରିପଟେ ରୁଣ୍ଡ ହୋଇ ଆଲ୍ଲା ହୋ ଆକବର ଓ ହର ହର ମହାଦେବ ଧ୍ବନି ଦେଇଥିଲେ। ସେହି ଦିନଠାରୁ ସବୁ ଧର୍ମର ଧ୍ବନି ଦେଇ ଚାଷୀମାନେ ତାଙ୍କର ଏକତା ଓ ଧର୍ମ ନିରପେକ୍ଷତାର ପରିଚୟ ଦେଇଥିଲେ। ଅନ୍ୟପକ୍ଷରେ ଧର୍ମଭିତ୍ତିକ ବିଭାଜନକାରୀ ଶବ୍ଦମାନ ଯଥା ଖଲିସ୍ତାନୀ ଓ ପାକିସ୍ତାନୀ ଶବ୍ଦକୁ ବ୍ୟବହାର କରି କେନ୍ଦ୍ରର ଶାସକ ଦଳର କିଛି ନେତା ଓ ମନ୍ତ୍ରୀ ବିଭାଜନ ସୃଷ୍ଟି କରି ସର୍ବଧର୍ମ ସମନ୍ବୟର କୃଷକ ଆନ୍ଦୋଳନକୁ ଭାଙ୍ଗିବା ଓ ବଦନାମ କରିବା ପାଇଁ ଅପଚେଷ୍ଟା କରିଥିଲେ।

ବ୍ରିଟିଶ ସରକାର ଜମି ଉପରେ ଖଜଣା ଶତକଡା ୩୦ ବୃଦ୍ଧି କରିବା ପରେ ଗୁଜୁରାଟର ବରଦୋଳିଠାରେ ସର୍ଦାର ପଟେଲଙ୍କ ନେତୃତ୍ବରେ କୃଷକମାନେ ୧୯୨୮ସତ୍ୟାଗ୍ରହ କରିଥିଲେ ଓ ତା’ର ପ୍ରାରମ୍ଭରେ ଗୀତା ଓ କୋରାନ ପାଠ କରି ପ୍ରଭୁ ଏବଂ ଖୁଦାଙ୍କ ନାମରେ ଶପଥ ନେଇଥିଲେ।
ସେହି ଧର୍ମନିରପେକ୍ଷ ସତ୍ୟାଗ୍ରହକୁ ଭାଙ୍ଗିବା ପାଇଁ ବ୍ରିଟିଶ ସରକାର ଅନେକ ମୁସଲମାନ କର୍ମଚାରୀ ଓ ପଠାଣମାନଙ୍କୁ ଆଣି ହିନ୍ଦୁ ବସ୍ତିରେ ମୁତୟନ କରିଥିଲେ। ମହାତ୍ମା ଗାନ୍ଧୀ ‘ୟଙ୍ଗ ଇଣ୍ଡିଆ’ରେ ୧୭ ମେ ୧୯୨୮ରେ ତାଙ୍କ ଲେଖାରେ ଲେଖିଥିଲେ ଯେ ବ୍ରିଟିଶ ସରକାର ଲୋକଙ୍କୁ ଧର୍ମ ଭିତ୍ତିରେ ବିଭାଜନକରି ଯେଉଁ ଶାସନ କରିବା ନୀତି ଅବଲମ୍ବନ କରୁଥିଲେ, ତାକୁ ପ୍ର​‌େ​‌ୟାଗ କରି ବରଦୋଳି ସତ୍ୟାଗ୍ରହକୁ ଭାଙ୍ଗିବା ପାଇଁ ଚେଷ୍ଟା କରିଥିଲେ। ଗାନ୍ଧିଜୀ ଲୋକଙ୍କୁ ଅନୁରୋଧ କଲେ ଯେ ମୁସଲମାନ କର୍ମଚାରୀ ଓ ପଠାଣମାନଙ୍କୁ ଭାଇ ଭଳି ଦେଖି ତାଙ୍କୁ ସ୍ନେହ ଓ ଶ୍ରଦ୍ଧାର ସହ ବ୍ୟବହାର ଦେଖାଇ ପ୍ରମାଣ କରିବାକୁ ପଡିବ ଯେ ଆମ ପାଇଁ ହିନ୍ଦୁର ସମ୍ମାନ ଯେତିକି ଗୁରୁତ୍ବପୂର୍ଣ, ସେତିକି ମଧ୍ୟ ଗୁରୁତ୍ବପୂର୍ଣ ମୁସଲମାନର ସମ୍ମାନ। ସେ ଆହୁରି ଲେଖିଥିଲେ ଯେ ହିନ୍ଦୁ ଓ ମୁସଲମାନଙ୍କୁ ସମ ଭାବରେ ଦେଖିବା ସତ୍ୟାଗ୍ରହୀର କର୍ତ୍ତବ୍ୟ।

ବରଦୋଳି ସତ୍ୟାଗ୍ରହର ବୈଶିଷ୍ଟ୍ୟ ଓ ଧର୍ମ ନିରପେକ୍ଷତା ଦେଖିବାକୁ ମିଳିଛି ବର୍ତ୍ତମାନର ଚାଷୀ ଆନ୍ଦୋଳନରେ। ସମ୍ବିଧାନର ମୌଳିକ ଢାଞ୍ଚା ମଧ୍ୟରେ ଧର୍ମ ନିରପେକ୍ଷତା ଅନ୍ୟତମ ବୋଲି ଭାରତର ସର୍ବୋଚ୍ଚ ନ୍ୟାୟାଳୟ ଏସ.ଆର ବୋମାଇ ରାୟରେ ଦର୍ଶାଇ ସବୁ ଧର୍ମକୁ ସମାନ ଭାବେ ଗ୍ରହଣ କରି ସମ୍ମାନ ଦେବା ଧର୍ମନିରପେକ୍ଷତାର ସାକରାତ୍ମକ ଦୃଷ୍ଟିକୋଣ ବୋଲି ବ୍ୟାଖ୍ୟା କରିଛନ୍ତି।

କୃଷି ଆଇନ ବିରୋଧରେ ଚାଷୀ ଆନ୍ଦୋଳନ ଭାରତ ଇତିହାସରେ ଏକ ଶାନ୍ତିପୂର୍ଣ୍ଣ ଓ ଅହିଂସାତ୍ମକ ଆନ୍ଦୋଳନ ଭାବେ ଭାରତର ଏକତା ଓ ଅଖଣ୍ଡତାକୁ ଧର୍ମ ନିରପେକ୍ଷତାର ସୂତ୍ରରେ ବାନ୍ଧି ସମଗ୍ର ଦେଶରେ ଏକ ନୂଆ ଆଶାର ସଂଚାର ସୃଷ୍ଟି କରିଛି ଯେ ସାମ୍ପ୍ରଦାୟିକ ଶକ୍ତିଙ୍କୁ ପରାସ୍ତ କରି ସମ୍ବିଧାନ ଓ ଗଣତନ୍ତ୍ରକୁ ଆମେ ବଞ୍ଚାଇ ପାରିବା ।

Comments are closed.