ଶିକ୍ଷାକ୍ଷେତ୍ରରେ ନବୋଦୟ

ସୁକାନ୍ତ କୁମାର ମହାନ୍ତି

ଦୀପ ତା’ର ପରିଚୟ କହେ ନାହିଁ, କେବଳ ପ୍ରକାଶ କରେ। ଠିକ୍‍ ସେହିପରି ଠିକ୍‍ କର୍ମ କରି ଚାଲିଲେ ଦେଖିବ ତାହା ହିଁ ନିଜର ପରିଚୟ ଦେବ। ପରିବର୍ତ୍ତନ ବିନା ପ୍ରଗତି ଅସମ୍ଭବ। ଏହି ଆପ୍ତ ବାକ୍ୟଟିକୁ ଦୃଷ୍ଟି ଦେଇ ଦୀର୍ଘ ୨୧ବର୍ଷ ପରେ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର, ଲିଙ୍ଗରାଜ ମନ୍ଦିର ଉନ୍ନତିକରଣରେ ନିଜର ବ୍ୟଗ୍ରତା ପ୍ରକାଶ କରିବା ପରି ବିଦ୍ୟାମନ୍ଦିର କ୍ଷେତ୍ରରେ ଉତ୍କଣ୍ଠା ପ୍ରକାଶ କରିବା ଭାଗ୍ୟୋଦୟ ସଦୃଶ। ଯାହାର ବଳିଷ୍ଠ ଉଦାହରଣ ‘ରୂପାନ୍ତରୀକରଣ ଯୋଜନା’, ‘ପୋଷ୍ୟ ସ୍କୁଲ ଗ୍ରହଣ’ ଓ ‘ମୋ ସ୍କୁଲ ପାଣ୍ଠି’ ଗଠନ। ଏ ପର୍ଯ୍ୟନ୍ତ ରୂପାନ୍ତରିତ ବିଦ୍ୟାଳୟଗୁଡ଼ିକ ବହୁତ ଆକର୍ଷଣୀୟ ହୋଇଥିଲାବେଳେ କେତେକ ସ୍କୁଲ ଏପରି ହୋଇନାହିଁ। ଜାଣିବାକୁ ମିଳେ କେତେକ ସ୍କୁଲକୁ ଏହି ଯୋଜନାରେ ୪୫ ଲକ୍ଷ ଟଙ୍କାରୁ କମ୍‍ ମଞ୍ଜୁର ହୋଇଛି ଏବଂ କେତେକ ସ୍କୁଲକୁ ଅଧିକ ଟଙ୍କା ଦିଆଯାଇଛି। ପୁନଶ୍ଚ ଯେଉଁ ବିଭାଗୀୟ କର୍ତ୍ତୃପକ୍ଷ କର୍ମଠ, ସ୍ୱଚ୍ଛ, ପ୍ରଧାନଶିକ୍ଷକ ସହଯୋଗୀ ଏବଂ ପୁରାତନ ଛାତ୍ର ସଂସଦ ଯତ୍ନବାନ ସେହି ସ୍କୁଲରେ ଟଙ୍କା ବିନିଯୋଗ ଠିକ୍‍ ହୋଇଛି ବିଶେଷ କରି ଯେଉଁ ବିଦ୍ୟାଳୟ ଗୋଷ୍ଠୀ କନ୍ଦଳରୁ ଊର୍ଦ୍ଧ୍ବରେ ସେହି ସ୍କୁଲର ନବୋଦୟ ଉତ୍ସାହପ୍ରଦ। ଟଙ୍କା ମଞ୍ଜୁର କରିବାରେ ବାଛ ବିଚାର ନହେଉ। ଦୀର୍ଘ ୫୦ ବର୍ଷର ଭଙ୍ଗା ଦଦରା ଘରକୁ ତୁରନ୍ତ ଛାତ ଘରରେ ପରିଣତ କରି ତ୍ୟାଗୀ ପ୍ରତିଷ୍ଠାତାମାନଙ୍କୁ ସମ୍ମାନ ଦେବା ସହ ବିଦ୍ୟାର୍ଥୀମାନଙ୍କୁ ନିରାପତ୍ତା ପ୍ରଦାନ କରାଯାଉ।

ବିଶେଷ କରି ଜିଲାର ଯେଉଁ ସ୍କୁଲର ପୁରାତନ ବିଦ୍ୟାର୍ଥୀ ସର୍ବାଧିକ ପାଣ୍ଠି ଯୋଗାଇଛନ୍ତି ସରକାରୀ ସ୍ୱତନ୍ତ୍ର ଅନୁଦାନ ବଳରେ ସେହି ସ୍କୁଲର ସମସ୍ତ ସମସ୍ୟା ତୁରନ୍ତ ସମାଧାନ କରାଗଲେ ପୁରାତନ ଛାତ୍ରଛାତ୍ରୀମାନେ ଅଧିକ ପାଣ୍ଠି ଯୋଗାଇବାରେ ଆଗ୍ରହୀ ହେବେ। ଛାତ୍ରସଂସଦର ପରାମର୍ଶକୁ ଗୁରୁତ୍ୱ ଦେଇ କେବଳ ସରକାରୀ ବିଭାଗ ଦ୍ୱାରା ଏହି ନିର୍ମାଣ କାର୍ଯ୍ୟ କରାଯାଉ। ସରକାରଙ୍କ ୫-ଟି ସଚିବଙ୍କ କର୍ମନିଷ୍ଠତାରେ ସହସ୍ରାଧିକ ସ୍କୁଲ ରୂପାନ୍ତରଣ ହୋଇପାରୁଥିବାବେଳେ ଶିକ୍ଷା ବିଭାଗର ପ୍ରମୁଖ ସଚିବ ବିଦ୍ୟାଳୟର ସମସ୍ୟା ସମାଧାନ ଓ ଗୁଣାତ୍ମକ ଶିକ୍ଷା ପ୍ରବର୍ତ୍ତନରେ ଏକାଗ୍ରତା ପ୍ରକାଶ କଲେ ହିଁ ରୂପାନ୍ତରଣ ମର୍ଯ୍ୟାଦା ରହିବ। ଏହା ପରେ ଦୟନୀୟ ଶିକ୍ଷକ ଓ କର୍ମଚାରୀବର୍ଗଙ୍କ ରୂପାନ୍ତରୀକରଣ ଅତ୍ୟନ୍ତ ଜରୁରୀ। ସ୍କୁଲରେ ଆବଶ୍ୟକୀୟ କର୍ମଚାରୀଙ୍କ ତୁରନ୍ତ ନିୟୋଜନ, ବିଭାଗୀୟ ପ୍ରଶାସକଙ୍କ ଉତ୍ସର୍ଗୀକୃତ ମନୋଭାବ, କାର୍ଯ୍ୟରତ କର୍ମଚାରୀଙ୍କ କର୍ମ ପ୍ରବଣତା, ଅଭିଭାବକଗଣଙ୍କ ସହଯୋଗିତା, ଛାତ୍ରଛାତ୍ରୀଙ୍କ ମନଯୋଗିତା ସର୍ବୋପରି ଶିକ୍ଷାଦାତାଙ୍କର ନିଜ କାର୍ଯ୍ୟକୁ ବୃତ୍ତି ପରିବର୍ତ୍ତେ ପ୍ରବୃତ୍ତି ହିଁ ଆଣିବ ଦୟନୀୟ ଶିକ୍ଷା କ୍ଷେତ୍ରର ଯଥାର୍ଥ ଭାଗ୍ୟୋଦୟ।

‘ପୋଷ୍ୟ’ ଶବ୍ଦଟି ଅସହାୟଙ୍କ ପାଇଁ ସକାରାତ୍ମକ, ଶାନ୍ତି ପ୍ରଦାୟକ ଓ ବନ୍ଧୁତ୍ୱର ନିଦର୍ଶନ। ଏବର ସରକାର ଅସ୍ତ ହେଉଥିବା ଶିକ୍ଷା ବିଭାଗକୁ ତ୍ୟଜ୍ୟ ପୁତ୍ର କରି ନିରାଶ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ପୋଷ୍ୟତାର ହାତ ବଢ଼ାଉଛନ୍ତି ରାଜ୍ୟର ଉଚ୍ଚ ପଦବୀଧାରୀ ପ୍ରଶାସକ, ଧନାଢ଼୍ୟ, ସହୃଦୟ ମନୀଷୀଗଣ। ଏହି ଅସଜଡ଼ା ଶିକ୍ଷାକ୍ଷେତ୍ରକୁ ପୋଷ୍ୟ ବିଦ୍ୟାଳୟ ଭାବେ ଗ୍ରହଣ କରି କେବଳ ସରକାରୀ ବିଦ୍ୟାଳୟ ମୁହଁରେ ହସ ଫୁଟାଇ ବିଦ୍ୟାର୍ଥୀ, ଶିକ୍ଷକ ଓ ଅଭିଭାବକଙ୍କୁ ଆଶ୍ୱସ୍ତ କରି ନିଜର ଦକ୍ଷତା, ଦିଗ୍‍ଦର୍ଶନ ଓ ନବୋଦୟ ପ୍ରତିଷ୍ଠା କରିବାକୁ। ‘ପୋଷା ପୁଅ ଗୁଞ୍ଜାରୁଅ’ ଉକ୍ତିର ସକାରାତ୍ମକ ଦିଗକୁ ଲକ୍ଷ୍ୟ କଲେ ଘରଟି ଭାଙ୍ଗି ପଡ଼଼ୁଥିଲା ବେଳେ ଯେଉଁ ବତା, ବାଉଁଶ ରୁଅ ପରି କାର୍ଯ୍ୟ କରି ଭଙ୍ଗା ଘରଟିକୁ ସମ୍ଭାଳି ନିଏ, ସେହିପରି ସରକାରଙ୍କ ଏହି ଯୋଜନା ଫଳବତୀ ହେବା ନିର୍ଭର କରୁଛି ଉଚ୍ଚପଦବୀଧାରୀ ଗ୍ରହୀତାମାନଙ୍କର ଶୈକ୍ଷିକ ମାନସିକତା ତଥା ପ୍ରତିବଦ୍ଧତା ଉପରେ। ୧୯୮୬ ମସିହାରୁ ଆରମ୍ଭ ହୋଇ ଏହି ଅଧଃପତନ ୧୯୯୪ ମସିହାରେ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ନିଜର ଦକ୍ଷତା ପ୍ରମାଣ କରି ଶିକ୍ଷକ କୁଳକୁ ଖୁସି କରାଇ ପ୍ରାୟ ୨୯୮୪ ସ୍କୁଲକୁ ସରକାରୀକରଣ କଲେ। ହେଲେ, ସରକାରୀ ହସ୍ତକ୍ଷେପ, କଟକଣା, ଶିକ୍ଷା ବ୍ୟବସ୍ଥାକୁ ବାଟବଣା କଲା। ଆଜିର ବିପର୍ଯ୍ୟସ୍ତ ବିଦ୍ୟାଳୟଗୁଡ଼ିକର ଇତିହାସ କହେ, ଏହାର ପ୍ରତିଷ୍ଠାତାଗଣ ତ୍ୟାଗୀ, ଉଦ୍‍ଯୋଗୀ, ଦକ୍ଷ ପରିଚାଳନା କମିଟି, ବଦାନ୍ୟ ଜନସାଧାରଣ ଏବଂ ସ୍ୱେଚ୍ଛାକୃତ ସ୍ୱଳ୍ପ ଡ଼ିଗ୍ରୀଧାରୀ ଶିକ୍ଷକମାନେ ହିଁ ଥିଲେ ଆଦର୍ଶ, କର୍ମଠ, ସୃଜନଶୀଳ, ସମେତ ସର୍ବଗୁଣ ସମ୍ପନ୍ନ ପ୍ରଧାନଶିକ୍ଷକ। ଏହି ବ୍ୟକ୍ତିତ୍ୱଗଣ ଭଙ୍ଗା ଚାଳ ଘରେ, ଗଛ ମୂଳେ, ଘର ପିଣ୍ଡାରେ ପିଲାକୁ ପାଠ ପଢ଼ାଇ ଯାହାଙ୍କୁ ମଣିଷ କରିଥିଲେ ସେହିମାନେ ଆଜି ସେହି ପୋଷ୍ୟ ବିଦ୍ୟାଳୟର ବ୍ୟକ୍ତିତ୍ୱ ସମ୍ପନ୍ନ ଗ୍ରହୀତା।

ଏହି ପ୍ରଶାସକମାନଙ୍କ ମଧ୍ୟରୁ ଶିକ୍ଷା ସଚିବ ମଧ୍ୟ ଖୁସିରେ ହେଉ ଅବା ଶାସନ ମୁଖ୍ୟଙ୍କ ପ୍ରଭାବରେ ହେଉ କେତେକ ସ୍କୁଲକୁ ଆଦରି ନେଲେଣି। ମଣିଷର ସର୍ବନିମ୍ନ ଆବଶ୍ୟକତା ରାସ୍ତା, ପାଣି, ଆଲୋକ, ସ୍ୱାସ୍ଥ୍ୟ ଓ ଶିକ୍ଷା ବିଭାଗରେ ଏବେ ବି ମୁଖ୍ୟ ଭାବରେ ପ୍ରମୁଖ ପ୍ରଶାସକ ନିଜ ବିଭାଗକୁ ସୁଚାରୁ ରୂପେ ସମସ୍ୟା ରହିତ କରିବାରେ ଅକ୍ଷମ ହେଉଥିବା ବେଳେ କିପରି ଶିକ୍ଷା କ୍ଷେତ୍ରକୁ ସଜାଡ଼ିବେ ତାହା ଏକ ପ୍ରଶ୍ନ। ବ୍ୟକ୍ତି ନିଜେ ଉନ୍ନତ ହୋଇ ନିଜ କ୍ଷମତା ମଧ୍ୟରେ ଥିବା ବିଭାଗର ଉନ୍ନୟନ କରି ଲୋକଙ୍କୁ ଖୁସି କରିବା ଏକ ସହଜାତ ବଂଶଜ ପ୍ରବୃତ୍ତି। ବିଶ୍ୱର ଶ୍ରେଷ୍ଠ ଧନୀ ବିଲ୍‍ ଗେଟ୍‍ସଙ୍କ ୧୦ ବର୍ଷ ତଳେ ଥିବା ପୋଷ୍ୟ କନ୍ୟା ବିହାରର ମୁସହରୀ ଗ୍ରାମର ‘ରାନୀ କୁମାରୀ’ ଏବେ ବଞ୍ଚିବା ପାଇଁ ଜାଳ ଗୋଟାଉଛି। ଘଟଣାଟି ଆଶ୍ଚର୍ଯ୍ୟ ହେଲେ ବି ସତ। ଆମ ପ୍ରଶାସକମାନେ ଲୋକ ଚକ୍ଷୁରେ ପରିହାସର ପାତ୍ର ନ’ହୁଅନ୍ତୁ। ଆଜି ଯେଉଁମାନେ ପଦପଦବୀ ହାସଲ କରି ଧନଶାଳୀ କ୍ଷମତାଶାଳୀ ହେଉଛନ୍ତି କେବଳ ଶିକ୍ଷା ଓ ଶିକ୍ଷକଙ୍କ ସହଯୋଗରେ ହେଲେ, ଶିକ୍ଷା ବିଭାଗର ପ୍ରଶାସକ ହୋଇସାରିଲା ପରେ ଶିକ୍ଷକଙ୍କୁ ଦଣ୍ଡ ଦେବା, ସମସ୍ୟା ଜର୍ଜରିତ କରିବା, ବିଭାଗର ମୋକଦ୍ଦମା ସଂଖ୍ୟା ବଢ଼ାଇବାରେ ଧୂରୀଣ; କିନ୍ତୁ ଶ୍ରେଣୀରେ ଶିକ୍ଷାଦାନ କରିବା, ନୀତିବାନ ହେବା, ସ୍ୱଚ୍ଛ ଓ ନିଷ୍ଠାପର ଭାବେ ନିଜ ବିଭାଗ ପରିଚାଳନାରେ ଅକ୍ଷମ।

ପୋଷ୍ୟ ବିଦ୍ୟାଳୟ ପାଇଁ ମୁଖ୍ୟତଃ ସରକାରୀ ବିଦ୍ୟାଳୟ ପ୍ରାଥମିକଠାରୁ ୫ ପ୍ରକାର ବିଦ୍ୟାଳୟକୁ ବୁଝାଏ। ଏହି ସବୁ ବିଦ୍ୟାଳୟରେ କାର୍ଯ୍ୟ କରୁଥିବା ଅନେକ ହତାଶା ମଧ୍ୟରେ ଅବସର ନେଉଛନ୍ତି। ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ସହାୟକ ଓ ଉଚ୍ଚ ବିଦ୍ୟାଳୟରେ ଚୁକ୍ତି ଭିତ୍ତିକ ଶିକ୍ଷକ ନିଯୁକ୍ତି ପାଇଛନ୍ତି ଯେଉଁମାନେ ବୟସ, ଯୋଗ୍ୟତା ଓ ଅଭିଜ୍ଞତାରେ ଉପରୋକ୍ତ ସ୍କୁଲରେ ନିଯୁକ୍ତ ଶିକ୍ଷକଙ୍କଠାରୁ ବହୁ ପଛରେ, ହେଲେ ଏହି କନିଷ୍ଠ ଶିକ୍ଷକମାନେ ଗୁଣାତ୍ମକ ଶିକ୍ଷାପ୍ରଦାନ କ୍ଷେତ୍ରରେ ଅନଭିଜ୍ଞ। ସରକାରୀ ବିଦ୍ୟାଳୟ ପରିଦର୍ଶକମାନଙ୍କ ମଧ୍ୟରେ ସର୍ବନିମ୍ନ ଯୋଗ୍ୟତାଧାରୀ ଗ୍ରାଜୁଏଟ ହୋଇଥିବା ବେଳେ ଓ.ଇ.ଏସ୍‍-୨, ଓ.ଇ.ଏସ୍‍-୧, ଓ.ଏ.ଏସ୍‍ ଏବଂ ଆଇ.ଏ.ଏସ। ଅସୁମାରି ବିଭାଗ, ସଂଖ୍ୟାଧିକ କର୍ମଚାରୀ, କନିଷ୍ଠ, ବରିଷ୍ଠ କିରାଣି ମହଲରେ ପଦ ସଂଖ୍ୟାର ହିସାବ ନାହିଁ। ଯେଉଁମାନେ ବିଭାଗୀୟ ଅଧିକାରୀଙ୍କ ପୋଷ୍ୟ ପୁତ୍ର କିନ୍ତୁ- ଶିକ୍ଷକମାନଙ୍କ ସାବତପୁତ୍ର। ବିଭିନ୍ନ ଲୋକ ଦେଖାଣିଆ ଯୋଜନା, ପ୍ରଚୁର ଅର୍ଥ ମଞ୍ଜୁର, ବହୁଳ ତୋଷରପାତ, ରାଜନୀତିର ଟୁଙ୍ଗି ସାଜିଥିବା ସରକାରୀ ସ୍କୁଲକୁ ଈଶ୍ୱର ମଧ୍ୟ ସଜାଡ଼ି ପାରିବେ ନାହିଁ। ଏଭଳି ଏକ ଦୁର୍ଦ୍ଦିନରେ ଯେଉଁ ମହାନୁଭବ ପ୍ରଶାସକ, ବଦାନ୍ୟ ବ୍ୟକ୍ତି ପୋଷ୍ୟ ବିଦ୍ୟାଳୟ ଗ୍ରହୀତା ହେଉଛନ୍ତି ଅଥବା ନିଜେ ପୁରାତନ ଛାତ୍ର ଭାବେ ଓ ନିଜ ବଂଶର ସ୍ମୃତି ରକ୍ଷା ଉଦ୍ଦେଶ୍ୟରେ ଆଗେଇ ଆସୁଛନ୍ତି ସେମାନେ ଭାବିବା କଥା ଯେ, ଗାଁର ଏକ ନିର୍ଦ୍ଦିଷ୍ଟ ସ୍କୁଲକୁ ଆଦରି ନେଇ ଅନ୍ୟ ସ୍କୁଲ ଓ ଗ୍ରାମବାସୀଙ୍କୁ ହତାଦର କରିବା ଠିକ୍‍ ହେବନି। ସେହି ସ୍କୁଲଗୁଡ଼ିକ ମଧ୍ୟରୁ ଯେଉଁଟି ଦୁର୍ଦଶାଗ୍ରସ୍ତ ତା’ ମୁହଁରେ ହସ ନ ଫୁଟାଇ ଯେଉଁଟି ପ୍ରତିଷ୍ଠିତ ବିଦ୍ୟାଳୟ ସମସ୍ୟାରହିତ ସେ ଗୋଟିକୁ ଅଗ୍ରାଧିକାର ଦେବା ଭଲ ଲାଗୁନାହିଁ। ପୋଷ୍ୟ ଗ୍ରହୀତା ଏହି କ୍ଷେତ୍ରର କର୍ମକର୍ତ୍ତା, ବିଦ୍ୟାଳୟର ଶିକ୍ଷା ପଦ୍ଧତି, ଶିକ୍ଷକ ବର୍ଗ ଓ ଶିକ୍ଷାଦାନକୁ ଉଚିତ୍‍ ମାର୍ଗଦର୍ଶନ କରି ବିଦ୍ୟାର୍ଥୀଙ୍କୁ ସୁସଂଯତ ଓ ଶୃଙ୍ଖଳିତ କରିପାରିଲେ ସମାଜର ସବୁ ବର୍ଗ ଆଶ୍ୱସ୍ତ ହେବା ଦୃଢ଼ ନିଶ୍ଚିତ।

Comments are closed.