ଦିଗହରା ବିଶ୍ବରେ ଭାରତର ଭବିଷ୍ୟତ

ଗିରିଜା ଶଙ୍କର ମିଶ୍ର

ବିଶାଳ ପୃଥିବୀର ଲୋକସଂଖ୍ୟା ପ୍ରାୟ ୮୦୦ କୋଟି; କିନ୍ତୁ ଦେଖିଲେ ଲାଗୁଛି ମଣିଷଙ୍କର ଘୋର ଅଭାବ। କୋଭିଡ୍‌ ସଂକ୍ରମିତ ରୋଗୀଙ୍କ ପାଖେ ମଣିଷ ନାହାନ୍ତି। ମାନବତା ପାଖେ ମଣିଷ ନାହିଁ। ମଣିଷ ପାଖେ ମଣିଷ ନାହିଁ। ସତେ ଯେମିତି ମଣିଷପଣିଆ ସବୁଦିନ ପାଇଁ ନିରୁଦ୍ଦିଷ୍ଟ। ବିଶ୍ବଜନୀନ ଧର୍ମ ସୁଦୂର ପରାହତ। ଏପରି ଏକ ସନ୍ଧିକ୍ଷଣରେ ଯେତେବେଳେ ଶିକ୍ଷା ଓ ସଭ୍ୟତା ସଙ୍କଟରେ ଠିକ୍‌ ସେତିକିବେଳେ ଆଠଜଣ ସ୍ବନାମଧନ୍ୟ ବୁଦ୍ଧିଜୀବୀ ଗତ ଅକ୍ଟୋବର ୨ ତାରିଖରେ ସେମାନଙ୍କର ଗବେଷଣାତ୍ମକ ନିଷ୍କର୍ଷ ‘ଦିଗହରା ପୃଥିବୀରେ ପ୍ରଭାବଶାଳୀ ହେବା ପାଇଁ ଭାରତର ରଣନୀତି’ (ଇଣ୍ଡିଆସ ପାଥ ଟୁ ପାୱାର: ଷ୍ଟ୍ରାଟେଜି ଇନ ଏ ୱାର୍ଲ୍ଡ ଏଡ୍ରିଫ୍ଟ)କୁ ପୁସ୍ତକ ଆକାରରେ ପ୍ରକାଶ କରିଛନ୍ତି। ଏହି ୮ଜଣ ସ୍ୱାଧୀନଚେତା ନିର୍ଭୀକ ଚିନ୍ତାନାୟକ ହେଲେ ନୀତି ଅନୁସନ୍ଧାନ କେନ୍ଦ୍ରର ସଭାପତି ୟାମିନୀ ଆୟାର, ପୂର୍ବତନ ବିଦେଶ ସଚିବ ଓ ଜାତୀୟ ନିରାପତ୍ତା ପରାମର୍ଶଦାତା ଶିବ ଶଙ୍କର ମେନନ, ତକ୍ଷଶିଳା ଅନୁଷ୍ଠାନର ଅନ୍ୟତମ ପ୍ରତିଷ୍ଠାତା ଓ ନି​‌େ​‌ର୍ଦଶକ ନୀତିନ ପାଇ, ଭୂତପୂର୍ବ ସାମରିକ ପରାମର୍ଶଦାତା ଲେଫ୍ଟନେଣ୍ଟ ଜେନେରାଲ ପ୍ରକାଶ ମେନନ, ଗବେଷକ ଓ ଲେଖକ ସୁନୀଲ ଖିଲନାନି, ସାମରିକ ବିଶେଷଜ୍ଞ ଶ୍ରୀନାଥ ରାଘବନ୍‌, ବିଶିଷ୍ଟ ଅର୍ଥନୀତିଜ୍ଞ ଅଜିତ ରାନାଡେ଼ ଓ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ କୂଟନୀତିଜ୍ଞ ଶ୍ୟାମ ସାରନ।

ଉପକ୍ରମଣିକାରେ ସେମାନଙ୍କର ମନ୍ତବ୍ୟ ପ୍ରଣିଧାନଯୋଗ୍ୟ। କୌଣସି ରାଷ୍ଟ୍ରର କେହି ସ୍ଥାୟୀ ମିତ୍ର ବା ଶତ୍ରୁ ନଥାନ୍ତି, କେବଳ ସ୍ଥାୟୀ ହିତ ହିଁ ଥାଏ। ପ୍ରତ୍ୟେକ ରାଷ୍ଟ୍ରର ଅଭୀଷ୍ଟ ଲକ୍ଷ୍ୟ ହେଉଛି ସାର୍ବଭୌମତ୍ବ ରକ୍ଷା ଓ ନାଗରିକଙ୍କର ସର୍ବବିଧ କଲ୍ୟାଣ ସୁନିଶ୍ଚିତ କରିବା। ସେମାନଙ୍କ ମତରେ ଦେଶର ପ୍ରଗତିର ଗତି ଚାରିଟି ସ୍ତମ୍ଭ ଉପରେ ପର୍ଯ୍ୟବସିତ। ଘରୋଇ ଆର୍ଥିକ ବିକାଶ, ସାମାଜିକ ସମାବେଶନ, ରାଜନୈତିକ ଗଣତନ୍ତ୍ର, ଉଦାରବାଦୀ ସାମ୍ବିଧାନିକ ବ୍ୟବସ୍ଥା। ଏହି ଚାରିଟି ଅଭିନ୍ନ ସ୍ତମ୍ଭ ସୁଦୃଢ ରହିଲେ ଭାରତ ଏକବିଂଶ ଶତାବ୍ଦୀରେ ସବୁ ମାନଦଣ୍ଡରେ ଉତ୍କର୍ଷ ହାସଲ କରି ସଫଳତାର ଶୀର୍ଷକୁ ଉନ୍ନୀତ ହୋଇପାରିବ। ଏହି ପ୍ରେକ୍ଷାପଟରେ କୋଭିଡ ପରବର୍ତ୍ତୀ ବିଶ୍ୱର ଭୌ‌େ‌ଗାଳିକ ଭିତ୍ତିଭୂମି ଉଭୟ ଏକ ସୁଯୋଗ ଓ ଆହ୍ୱାନ ସୃଷ୍ଟି କରିଛି। ଏହାର ପୃଷ୍ଠଭୂମି ଆଟଲାଣ୍ଟିକ ମହାସାଗରରୁ ଏସିଆ ଆଡକୁ ମୁହାଁଇଛି। ଚଳିତ ଦଶନ୍ଧିରେ ଭାରତର ବାହ୍ୟ ଓ ଆଭ୍ୟନ୍ତରୀଣ ପାରିପାର୍ଶ୍ବିକ ଅବସ୍ଥାରେ ସଂରଚନାତ୍ମକ ପରିବର୍ତ୍ତନ ହେବାକୁ ଯାଉଛି। ତେଣୁ ଭାରତର ଭବିଷ୍ୟତର ରୂପରେଖ ନିର୍ଣ୍ଣୟ କଲାବେଳେ ବିଭିନ୍ନ ବିକଳ୍ପକୁ ଦୃଷ୍ଟିରେ ରଖି ପରିବର୍ତ୍ତିତ ପରିସ୍ଥିତି ସହ ତାଳ ଦେଇ କିପରି ରଣନୀତି ପ୍ରସ୍ତୁତ କରିବାକୁ ପଡିବ, ତାହା ହିଁ ଏହି ପୁସ୍ତକର ନିୟାମକ ଆଧାର।

ବିଗତ ଦଶନ୍ଧିର ବିକାଶ ନମୁନା(ମଡେଲ)ର ସଫଳତାକୁ ଅନୁଧ୍ୟାନ କଲେ ଆମେ ଆମର ସମକକ୍ଷ ରାଷ୍ଟ୍ରଗୁଡ଼ିକଠାରୁ ଉନ୍ନତତର ବୋଲି ପ୍ରତୀୟମାନ ହୁଏ। ନବେ ଦଶକ ଉପରାନ୍ତ ଭାରତର ବିକାଶର ଗତି ତ୍ୱରାନ୍ୱିତ ହେବାର କାରଣ ଆର୍ଥିକ ସଂସ୍କାରର ସୁଫଳ ଓ ବୈଶ୍ବିକ ଅର୍ଥ ବ୍ୟବସ୍ଥାରେ ଏକୀକରଣର ପରିଣାମ ଥିଲା। ଫଳରେ ବୈଶ୍ବିକ ବିତ୍ତୀୟ ସଙ୍କଟ ହେବା ପୂର୍ବରୁ ଭାରତର ବାର୍ଷିକ ବିକାଶ ଦର ପ୍ରାୟ ସାତ ଶତାଂଶ ଥିଲା। ଏହା ସାମାଜିକ ସମାବେଶନର ଭିତ୍ତିଭୂମି ସୁଦୃଢ କରିବାରେ ସହାୟକ ହୋଇଥିଲା; କିନ୍ତୁ ୨୦୦୭-୦୮ ପରଠାରୁ ବିଶ୍ୱ ମାନ୍ଦାବସ୍ଥା ବିକାଶ ଦରକୁ ପ୍ରଭାବିତ କରି ଆମ କ୍ଷମତା ଉପରେ ପ୍ରଶ୍ନଚିହ୍ନ ଲଗାଇଲା। ଯଦିଓ ଅନେକ କ୍ଷେତ୍ରରେ ଭାରତର ପ୍ରଗତି ଆଖିଦୃଶିଆ ହୋଇଛି ତଥାପି ସାମାଜିକ ଗତିଶୀଳତା ଓ ସମାବେଶନ କ୍ଷେତ୍ରରେ ଦେଶ ଯଥେଷ୍ଟ ପଛୁଆ।

ମାନବ ସମ୍ବଳରେ ପୁଞ୍ଜି ନିବେଶ ଓ ପର୍ଯ୍ୟାପ୍ତ ନିଯୁକ୍ତିର ସୁଯୋଗ ନିମନ୍ତେ ଉତ୍ତମ କର୍ମସଂସ୍ଥାନରେ ସମ୍ଭାବନା ସୃଷ୍ଟି କରିବା କ୍ଷେତ୍ରରେ ଆମର ଦକ୍ଷତା ଏକ ପ୍ରଶ୍ନବାଚୀ ହୋଇ ରହିଛି। ଏଥି ସହିତ ଆର୍ଥିକ ବୈଷମ୍ୟ, ଶିକ୍ଷା ଓ ସ୍ୱାସ୍ଥ୍ୟ ଭଳି ମୌଳିକ ସମସ୍ୟାଗୁଡିକ ପରିସ୍ଥିତିକୁ ଅଧିକ ଜଟିଳ କରିଛି। କୋଭିଡ ପରବର୍ତ୍ତୀ ସମୟରେ ଏହା ଆହୁରି ଅଧିକ ଗୁରୁତର ହେବା ସୁନିଶ୍ଚିତ। ବିକାଶ ଓ ସାମାଜିକ ସମାବେଶନ ସମ୍ବନ୍ଧୀୟ ଏହି ପ୍ରଶ୍ନଗୁଡିକ ଆମର ବିକାଶ ମଡେଲ ସମ୍ପର୍କରେ କିଛି ବୌଦ୍ଧିକ ଓ ନୀତିଗତ ଅନିଶ୍ଚିତତା ସୃଷ୍ଟି କରୁଛି। ବିଶ୍ୱ ଅର୍ଥନୈତିକ ବ୍ୟବସ୍ଥାରେ ନିରନ୍ତର ପରିବର୍ତ୍ତନ ହେଉଛି । ତା’ ସହିତ ପ୍ରଯୁକ୍ତିଗତ ପରିବର୍ତ୍ତନ ଓ ଦେଶର ବିକଶିତ ପ୍ରୟୋଜନୀୟତା ପରିପ୍ରେକ୍ଷୀରେ ବିଶ୍ୱ ଅର୍ଥବ୍ୟବସ୍ଥା ସହିତ ଭାରତ ନିଜର ସମ୍ବନ୍ଧକୁ କିପରି ଯୋଡ଼ିବ ଓ ଆତ୍ମ ନିର୍ଭରତାର ପରିଭାଷା କ’ଣ ହେବ ତାହା ଚଳିତ ଦଶନ୍ଧିର ମୁଖ୍ୟ ପ୍ରଶ୍ନ ।

ତେବେ ଏଇ ବୁଦ୍ଧିଜୀବୀମାନେ ଆଶା ବ୍ୟକ୍ତ କରିଛନ୍ତି ଭାରତରେ ଆର୍ଥିକ ବିକାଶ ସହ ଓ ସାମାଜିକ ସମାବେଶନ ଜନିତ ସମସ୍ୟାର ସମାଧାନ ହୋଇପାରେ। ମାତ୍ର ଅନ୍ୟ ଦୁଇଟି ସ୍ତମ୍ଭ ରାଜନୈତିକ ଲୋକତନ୍ତ୍ର ଓ ଉଦାରବାଦୀ ସାମ୍ବିଧାନିକ ବ୍ୟବସ୍ଥାରେ ଅନିଶ୍ଚିତତାର ସମ୍ଭାବନା ଅଧିକ। ସେମାନଙ୍କ ମତରେ ବିଜେପିର ନିର୍ବାଚନ ସଫଳତା ଦଳର ପ୍ରଣାଳୀ ଓ ରାଜନୈତିକ କ୍ଷମତାର ପ୍ରକୃତିରେ ପରିବର୍ତ୍ତନ ଆଣିବା ସହ ଭାରତର ସାମ୍ବିଧାନିକ ବ୍ୟବସ୍ଥାକୁ ରୂପାନ୍ତର କରିଛି। ଭାରତୀୟ ଗଣତନ୍ତ୍ରରେ ବହୁସଂଖ୍ୟକବାଦ, ଧ୍ରୁବୀକରଣ ଓ ବିଭାଜନାତ୍ମକ ପ୍ରବୃତ୍ତି ବୃଦ୍ଧି ହେବାର ଆଶଙ୍କା ଦେଖାଯାଇଛି। କଳେ ବଳେ କୌଶଳେ ନିର୍ବାଚନରେ ଜୟଲାଭ କରିବାର ଅବାଞ୍ଛିତ ସ୍ପର୍ଦ୍ଧା ବଢି ବଢି ଚାଲିଛି। ନିର୍ବାଚନ ଖର୍ଚ୍ଚରେ ପାରଦର୍ଶିତା ନାହିଁ। ସଂସଦରେ ଗଠନମୂଳକ ଆଲୋଚନା, ପର୍ଯ୍ୟାଲୋଚନା କ୍ବଚିତ୍‌ ହେଉଛି। କେତେକ କ୍ଷେତ୍ରରେ ସଂଘୀୟ ବ୍ୟବସ୍ଥାରେ ରାଜ୍ୟଗୁଡ଼ିକର କ୍ଷମତା ସଂକୁଚିତ ହୋଇ କେନ୍ଦ୍ର ଅଧିକ ଶକ୍ତିଶାଳୀ ହେଉଛି। କେତେକ ନିରପେକ୍ଷ ସଂସ୍ଥା କାର୍ଯ୍ୟପାଳିକା ଦ୍ୱାରା ନିୟନ୍ତ୍ରିତ। ଏହାର ପରିଣାମ ଉଦ୍‌ବେଗଜନକ। ତେଣୁ ଏହାକୁ ଅବଜ୍ଞା ନକରି ଗମ୍ଭୀରତାର ସହ ଏହାର ବିଶ୍ଳେଷଣାତ୍ମକ ବିଚାର କରି ଉପଯୁକ୍ତ ପ୍ରତିକାରମୂଳକ ବ୍ୟବସ୍ଥା ଗ୍ରହଣ କରାଯିବ ବାଞ୍ଚନୀୟ।
ବିକଶିତ ବିଶ୍ୱରେ ଅସମାନତାର ଅସାମାନ୍ୟ ବୃଦ୍ଧି ଜଗତୀକରଣ ବିରୁଦ୍ଧରେ ରାଜନୈତିକ ଅସନ୍ତୋଷର କାରଣ ହେଲାଣି। କ୍ରମବର୍ଦ୍ଧିଷ୍ଣୁ ସଂକୀର୍ଣ୍ଣ ରାଷ୍ଟ୍ରବାଦ ଓ ସଂକୁଚିତ ଭାବନା ଭାରତ ସମେତ ସାରା ବିଶ୍ୱକୁ କବଳିତ କଲାଣି।

ଏହି ଧାରା ପ୍ରାଦ୍ୟୋଗିକ ବିକାଶ କ୍ଷେତ୍ର ଯଥା ରୋବୋଟିକସ୍, କ୍ଲାଉଡ଼ କମ୍ପ୍ୟୁଟିଙ୍ଗ , ୩ଡି ପ୍ରିଣ୍ଟିଂ, କୃତ୍ରିମ ବୁଦ୍ଧିମତ୍ତା (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ)ରେ ଅଧିକ ଦୃଶ୍ୟମାନ ହେଉଛି। ଏହା ଫଳରେ ସ୍ବଦେଶୀ ନିର୍ମାଣରେ ଏକ ବ୍ୟବହାର୍ଯ୍ୟ ବିକଳ୍ପ ସୃଷ୍ଟି ହେବା ସହ ବିକାଶଶୀଳ ଦେଶଗୁଡ଼କରେ ନିର୍ମାଣ କ୍ଷେତ୍ରରେ ଶସ୍ତା ଶ୍ରମ ଉପରେ କମ ନିର୍ଭରଶୀଳ ହେବାକୁ ପଡୁଛି। ଫଳରେ କିଛି ପ୍ରମୁଖ ବିକଶିତ ଅର୍ଥବ୍ୟବସ୍ଥା ବୈଶ୍ବିକ ଆର୍ଥିକ ବ୍ୟବସ୍ଥାଠାରୁ ଅଲଗା ହୋଇ କ୍ଷେତ୍ରୀୟ ବ୍ୟବସ୍ଥା ପ୍ରତି ଆକର୍ଷିତ ହେବାର ସମ୍ଭାବନା ଅଧିକ। ଆମ ଚତୁଃପାର୍ଶ୍ୱରେ ପୃଥିବୀ ଦ୍ରୁତ ଗତିରେ ପରିବର୍ତ୍ତିତ ହୋଇ ଚାଲିଛି। ତେଣୁ ଏହା ଏବେ ଆମେରିକା ଓ ଚୀନ ଦୁଇ ମହାଶକ୍ତିଙ୍କ ପ୍ରତିସ୍ପର୍ଦ୍ଧାର ଅଧୀନ ନୁହେଁ କି ଏକ ଉତ୍କୃଷ୍ଟ ବହୁ ଧ୍ରୁବୀୟ ବ୍ୟବସ୍ଥାର ଅନ୍ତର୍ଭୁକ୍ତ ନୁହେଁ। ଶାସନ ବ୍ୟବସ୍ଥାର ଏହି ଅନ୍ତକାଳ ଆମ ପାଇଁ ଏକ ସୁଯୋଗ ଏବଂ ଆହ୍ୱାନ। ଆନ୍ତର୍ଜାତିକ ବ୍ୟାପାରରେ ଅନ୍ୟ କୌଣସି ବାହ୍ୟ ଶକ୍ତିଙ୍କର କ୍ଷମତାରେ ନିର୍ଭରଶୀଳ ନହୋଇ ନିଜର କ୍ଷମତା ବିକଶିତ କରିବା ସହ ସମଭାବାପନ୍ନ ରାଷ୍ଟ୍ର ସହିତ ଘନିଷ୍ଠ ଭାଗୀଦାର କରି ପୁଞ୍ଜି, ପ୍ରଯୁକ୍ତି ଓ ଜ୍ଞାନସମ୍ପଦର ପ୍ରବାହକୁ ସୁନିଶ୍ଚିତ କରିବା ଭାରତ ପାଇଁ ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ।

ଏହି ପ୍ରସଙ୍ଗରେ ପଣ୍ଡିତ ନେହେରୁଙ୍କର ଐତିହାସିକ ଭାଷଣର କିୟଦଂଶ ମନେପଡେ- ଏପରି ଏକ କ୍ଷଣ ଆସେ, ଇତିହାସରେ ଏପରି କ୍ବଚିତ୍‌ ଏପରି ଆସେ, ଯେତେବେଳେ ଆମେ ପୁରାତନକୁ ବିଦାୟ ଦେଇ ନୂତନ ଯୁଗରେ ପାଦ ଦେଉ। ସେତେବେଳେ ଗୋଟିଏ ଯୁଗ ସମାପ୍ତ ହୋଇଯାଏ ଓ ବର୍ଷ ବର୍ଷ ଧରି ଶୋଷିତ ଗୋଟିଏ ରାଷ୍ଟ୍ରର ଅନ୍ତରାତ୍ମା ନିଜ କଥା କହିବାର ସୁଯୋଗ ପାଏ। ସ୍ମରଣରେ ରହିବା ଉଚିତ ଦେଶ ବ୍ୟକ୍ତିରୁ ସୃଷ୍ଟି ଓ ବ୍ୟକ୍ତିର ସମଷ୍ଟି ହେଲେ ମଧ୍ୟ ବ୍ୟକ୍ତି ଯେମିତି ଗୋଟିଏ ସ୍ପ୍ରିଙ୍ଗ୍‌ଦିଆ ଯନ୍ତ୍ର ନୁହେଁ, ଦେଶ ସେମିତି ମୁଠାଏ ମାଟି ନୁହେଁ। ଏହା ଚିନ୍ମୟ। ଚୈତନ୍ୟ ହିଁ ଦେଶର ସର୍ବଶ୍ରେଷ୍ଠ ସମ୍ପଦ। ବ୍ୟକ୍ତି ପ୍ରକାଶମାନ ହେଲେ ଦେଶ ଜାଜ୍ବଲ୍ୟମାନ ହୁଏ।

Comments are closed.