ଓଡ଼ିଆ ଭାଷାର ଦୈନ୍ୟ

ଅନ୍ତର୍ଯ୍ୟାମୀ ମିଶ୍ର

ଓଡ଼ିଆ ଭାଷାର ଦୈନ୍ୟ କହିଲେ ବୁଝିବାକୁ ହେବ ଓଡ଼ିଆ ଭାଷାର ଦାରିଦ୍ର୍ୟ ବା ଓଡ଼ିଆ ଭାଷାର ଅନ୍ତର୍ନିହିତ ଅଭାବ। ଏହା ଏକ ଆପେକ୍ଷିକ ବା ରିଲେଟିଭ୍‌ ବିଷୟ। ଅର୍ଥାତ୍‌ କୌଣସି ଭାଷା ଆପାତଃ ଦୃଷ୍ଟିରେ ଧନୀ ବା ନିର୍ଦ୍ଧନ ନୁହେଁ। କୋଟିକୋଟି ଲୋକ ଓଡ଼ିଆ ଭାଷା କହୁଥିଲେ ହେଁ ସେମାନେ ତାଙ୍କ ଦୈନନ୍ଦିନ ଜୀବନରେ ଅନୁଭବ କରିନଥାନ୍ତି ଯେ ତାଙ୍କ ମାତୃଭାଷାରେ କିଛି ଅଭାବ ଅଛି। ପ୍ରତ୍ୟେକ ବ୍ୟକ୍ତି ନିମିତ୍ତ ନିଜ ମାତୃଭାଷା ସୁନ୍ଦର, ସାବଲୀଳ ଓ ସଂପୂର୍ଣ୍ଣ। ଭାଷା ବିଜ୍ଞାନୀମାନେ ମଧ୍ୟ ସେୟା ବିଶ୍ବାସ କରୁଥିଲେ, ଅର୍ଥାତ୍‌ ପୃଥିବୀର ପ୍ରତ୍ୟେକଟି ଭାଷା ସ୍ବୟଂ ସଂପୂର୍ଣ୍ଣ କୌଣସି ଭାଷା ସବଳ ନୁହେଁ କି ଦୁର୍ବଳ ନୁହେଁ। କୌଣସି ଭାଷାର ଭଣ୍ଡାର ଶୂନ୍ୟ ନୁହେଁ କି ସମ୍ଭାରରେ ଖୁନ୍ଦା ହୋଇନାହିଁ। ଏହି ଧାରଣାର ବଶବର୍ତ୍ତୀ ହୋଇ କେତେକ ଦାବି କରନ୍ତି ଯେ, ଓଡ଼ିଆ ଭାଷା ଗୋଟିଏ ସମୃଦ୍ଧ ଭାଷା ଏବଂ ଏପରି କୌଣସି ବିଷୟ ନାହିଁ ବା ତତ୍ତ୍ବ ନାହିଁ ଯାହା ଓଡ଼ିଆ ଭାଷାରେ ପ୍ରକାଶ କରାଯାଇ ପାରିବ ନାହିଁ।

ଆଜି ଉପରୋକ୍ତ ଧାରଣା ବଦଳି ଯାଇଛି। ଏହା ସତ୍ୟ ଯେ, ଭାଷା କ୍ଷେତ୍ରରେ ଛୋଟ, ବଡ଼, ଧନୀ, ଦରିଦ୍ର ବୋଲି କିଛି ନାହିଁ। ସବୁ ଭାଷା ସମାନ। ସବୁ ଭାଷା ସମାନ ଭାବରେ ଉନ୍ନତ; କିନ୍ତୁ ଭାଷାର ଯୋଜନାବଦ୍ଧ ଉନ୍ନତି ଦିଗରେ ଯେଉଁ ଭାଷା ବିଜ୍ଞାନୀମାନେ କାମ କରୁଛନ୍ତି, ସେମାନେ ବିଶ୍ବାସ କରନ୍ତି ଯେ ସବୁ ଭାଷାର ଭଣ୍ଡାର ସମାନ ଭାବରେ ଉନ୍ନତ ନୁହେଁ। ତେଣୁ ଭାଷାର ଭଣ୍ଡାରକୁ ବା କର୍ପସକୁ ସମୃଦ୍ଧ କରିବାର ଆବଶ୍ୟକତା ରହିଛି। ସେମାନେ ଉପଲବ୍ଧି କରିଛନ୍ତି ଯେ, ଭାଷାର ଦୈନ୍ୟ ଦୁଇଟି ଦିଗରେ ପରିଦୃଷ୍ଟ ହୋଇଥାଏ। ଯଥା: ଏହାର ସ୍ଟାଟସ୍‌ ବା ଭିତ୍ତିରେ ଓ ଏହାର ସମ୍ଭାରରେ। ଏହି ଦୈନ୍ୟ ଅନ୍ୟ ଭାଷାମାନଙ୍କ ସହିତ ତୁଳନା ନ କଲାଯାଏ ବା ଆବ୍‌ସଲ୍ୟୁଟ୍‌ ଅର୍ଥରେ ଧରା ନପଡ଼ିବାରେ, କିନ୍ତୁ ଯେତେବେଳେ ଗୋଟିଏ ଭାଷାକୁ ଅନ୍ୟ ଭାଷା ପରିପ୍ରେକ୍ଷୀରେ ବିଚାର କରାଯାଏ, ଅର୍ଥାତ୍‌ ରିଲେଟିଭ୍‌ ଅର୍ଥରେ, ଭାଷାବିକାଶର ଅଙ୍ଗପ୍ରତ୍ୟଙ୍ଗ ସ୍ପଷ୍ଟ ହୁଏ। ସେଇଥିରୁ ବୁଝାପଡ଼େ ଗୋଟିଏ ଭାଷା କେତେଦୂର ଉନ୍ନତ। ଏ କଥାର ସତ୍ୟତା ଜାଣିବାପାଇଁ ବିଶେଷ ପ୍ରମାଣର ଆବଶ୍ୟକତା ନାହିଁ। ଏହାର ଜ୍ବଳନ୍ତ ଉଦାହରଣ ହେଉଛନ୍ତି ଆମର ଉଚ୍ଚଶିକ୍ଷିତ ଓଡ଼ିଆମାନେ, ଯେଉଁମାନେ ଇଂରାଜୀ ଭାଷା ମାଧ୍ୟମରେ ଉଚ୍ଚଶିକ୍ଷା ପାଇଛନ୍ତି। ସେମାନଙ୍କର ଗୋଟିଏ ପ୍ରଧାନ ଅଭିଯୋଗ ହେଲା ଯେ, ତାଙ୍କ ଜ୍ଞାନର ଗହନତା ପ୍ରକାଶ କରିବାପାଇଁ ଓଡ଼ିଆ ଭାଷା ଅକ୍ଷମ। ତେଣୁ ସେମାନେ ଓଡ଼ିଆରେ ପଢ଼ନ୍ତି ନାହିଁ କି ଲେଖନ୍ତି ନାହିଁ। ଅର୍ଥାତ୍‌ ଅନ୍ୟ ଗୋଟିଏ ଭାଷା ଜରିଆରେ ଯେଉଁ ଜ୍ଞାନ ସେମାନେ ସଂଗ୍ରହ କରିଛନ୍ତି, ତା’କୁ ପ୍ରକାଶ କରିବା ପାଇଁ ଓଡ଼ିଆ ଭାଷାର ଆନୁଷଙ୍ଗିକ ସମ୍ଭାର ନାହିଁ। ବୈଜ୍ଞାନିକ ସତ୍ୟେନ୍‌ ବୋଷ ଏକଦା କହିଥିଲେ, ‘ଯାହାକୁ ପାଠ ଜଣାନାହିଁ, ସେ ଓଡ଼ିଆ ଭାଷାକୁ ନିନ୍ଦା କରିବ।’ ଖାଲି ବୈଜ୍ଞାନିକମାନେ ନୁହନ୍ତି, ଏବେ ଓଡ଼ିଆ କବିମାନେ ମଧ୍ୟ କହିଲେଣି ଯେ ସେମାନଙ୍କ ଗୂଢ଼ ଅନୁଭୂତିକୁ ବା ହୃଦୟର ଭାଷାକୁ ପ୍ରକାଶ କରିବାପାଇଁ ଓଡ଼ିଆ ଭାଷା ଅଯୋଗ୍ୟ। ଏ ଅଭାବବୋଧ ବୃନ୍ଦାବତୀ ଦାସୀ ବା ଭୀମ ଭୋଇଙ୍କର ନଥିଲା, କାରଣ ସେମାନେ ଓଡ଼ିଆ ଭାଷା ବ୍ୟତୀତ ଅନ୍ୟ କୌଣସି ଭାଷା ଜାଣିନଥିଲେ ଏବଂ ଓଡ଼ିଆ ଭାଷାରେ କାବ୍ୟ କବିତା ଲେଖି ବିଶ୍ବବିଖ୍ୟାତ ହୋଇଥିଲେ। ଓଡ଼ିଆ ସେମାନଙ୍କ ପାଇଁ ଏକକ ଭାଷା ଥିଲା, ଫଳରେ ଆତ୍ମଗ୍ଲାନି ନଥିଲା।

ଆଜିର ଇଂରାଜୀ ଶିକ୍ଷିତ ବୈଜ୍ଞାନିକମାନେ ତଥା କବିମାନେ ଓଡ଼ିଆ ଭାଷାରେ ନିଜକୁ ପ୍ରକାଶ କରିବାପାଇଁ ଉପାଦାନ ପାଉନାହାନ୍ତି। ଏହାର ଅବଶ୍ୟ କିଛିଟା ସତ୍ୟ ଅଛି। ଉପାଦାନ ଦୃଷ୍ଟିରୁ ଇଂରାଜୀ ଭାଷା ସହିତ ଓଡ଼ିଆ ଭାଷାକୁ ତୁଳନା କଲେ ଓଡ଼ିଆର ଦୈନ୍ୟ ଜଣାପଡ଼ିଥାଏ। ସେହିପରି ଓଡ଼ିଆ ତୁଳନାରେ ଇଂରାଜୀ ଭାଷାର ଦୈନ୍ୟ ମଧ୍ୟ ସମକ୍ଷକୁ ଆସେ। ଉଦାହରଣ ସ୍ବରୂପ ଓଡ଼ିଆ​ରେ କ୍ରିୟାପଦ ଯେତେ ବିଚିତ୍ର ଓ ବିସ୍ତୃତ, ତା’ତୁଳନାରେ ଇଂରାଜୀର କ୍ରିୟାପଦ ଯଥେଷ୍ଟ ଦୀନ। ଏଠାରେ ବ୍ୟାକରଣଗତ ତୁଳନା ଉପଯୋଗୀ ନୁହେଁ।

ତୁଳନା ଶବ୍ଦ ବୈଚିତ୍ର୍ୟରେ, ଶବ୍ଦ ବାହୁଲ୍ୟରେ,ଶବ୍ଦ ଧ୍ବନିରେ ତଥା ଶବ୍ଦ ସଂଯୋଜନାରେ। ଏହା କେବଳ ଶବ୍ଦ ନୁହେଁ। ତା ସାଙ୍ଗରେ ଅଛି ଅର୍ଥର ବିଭିନ୍ନ ଆଭା ବା ନୁଆନ୍‌ସେସ୍‌। ଅନ୍ୟ କେତେକ କ୍ଷେତ୍ରରେ ଅଛି ଶବ୍ଦର ତାତ୍ତ୍ବିକ ସଂଜ୍ଞା, ଦର୍ଶନ ବା ଯୁକ୍ତି। ଆଧୁନିକ ଭାଷାଗୁଡ଼ିକର ଶବ୍ଦର ଖାଲି ଅର୍ଥକୁ ଉପଯୋଗ କରାଯାଇ ନଥାଏ, ତା’ ସସେଙ୍ଗସଙ୍ଗେ ତା’ର ସମସ୍ତ ପରିବେଶକୁ ନିଆଯାଇଥାଏ। ଭାଷାରେ ଏପରି କିଛି ଶବ୍ଦ ଅଛନ୍ତି ଯାହା ହସକୁ ମନେ ପକାଇ ଦେଇଥାନ୍ତି, ଅନ୍ୟ କେତେକ କାନ୍ଦକୁ। କେତେକ ଘୃଣାକୁ ତ କେତେକ ପ୍ରେମକୁ। ଏତ ଗଲା ଭାବପ୍ରବଣତାର ଅର୍ଥ। ଅନ୍ୟ କ୍ଷେତ୍ରରେ ଗାଣିତିକ, ଯୌକ୍ତିକ, ନ୍ୟାୟସିଦ୍ଧ ବା ବିଜ୍ଞାନ ସମ୍ମତ ହୋଇପାରେ। କେତେକ କ୍ଷେତ୍ରରେ ଗୋଟିଏ ଶବ୍ଦ ଅର୍ଥ-ଜଗତରେ ନିଜର ବିଶେଷତ୍ବ ରକ୍ଷା କରିଥାଏ। ଉଦାହରଣ ସ୍ବରୂପ ଓଡ଼ିଆ ‘ହାଣ୍ଡି’ ଶବ୍ଦଟିକୁ ନେବା। ଏହା କ’ଣ ଖାଲି ଗୋଟିଏ ‘ମାଟିର ପାତ୍ର’। ଏହି ସାଧାରଣ ଶବ୍ଦଟି ବି ଓଡ଼ିଆ ଭାଷାରେ ଏକ ବିଶାଳ ଅର୍ଥ-କ୍ଷେତ୍ର ଭିତରେ ଖଚିତ ହୋଇରହିଛି। ଆକାର ଦୃଷ୍ଟି ଦେଖିଲେ- ହାଣ୍ଡିର ସାଙ୍ଗ ହେଉଛନ୍ତି ଆଟିକା, ପଲମ, ଓଳି, ବଢ଼ା, ସରା, ତାଡ଼, ଘଡ଼ି- ଏମିିତି କେତେ କ’ଣ ମାଟିର ବାସନ। ହାଣ୍ଡି ଶବ୍ଦଟିର ଅନ୍ୟାନ୍ୟ ନାନା ପ୍ରକାରର ସାଙ୍ଗ ବା ପରିବେଶ ଅଛି, ଯଥା:- ହାଣ୍ଡି ପରି ମୁହଁ, ହାଣ୍ଡି ପରି ପେଟ, ହାଣ୍ଡିକଳା, ହାଣ୍ଡିଛାଡ଼, ହାଣ୍ଡି ବାହାର, ହାଣ୍ଡି ମାରା, ହାଣ୍ଡିଖାଇ, ହାଣ୍ଡିକୁଣ୍ଡି ଇତ୍ୟାଦି। ଭାଷାର କୌଣସି ଶବ୍ଦ ଏକାକୀ ନୁହେଁ ଯଦିଓ ଏକାକୀ ମନେ ହୋଇଥାଏ। ବାସ୍ତବରେ ପ୍ରତ୍ୟେକ ଶବ୍ଦ ଗୋଟିଏ ଅର୍ଥ ମଣ୍ଡଳରେ ଖଚିତ ହୋଇଥାଏ। ସେଇ ଅସମଣ୍ଡଳରୁ ଗୋଟିଏ ଶବ୍ଦକୁ ଟାଣିଲେ ଅନ୍ୟ ସମସ୍ତେ ଝଣ୍‌ଝଣେଇ ଉଠିଥାନ୍ତି ଆମ ମନରେ। ଏଇଠି ରହିଛି ଶବ୍ଦର କିମିଅା। ପ୍ରତ୍ୟେକ ଭାଷା ପ୍ରତ୍ୟେକ ଶବ୍ଦ ପାଇଁ ତା’ର ନିଜସ୍ବ ଅର୍ଥମଣ୍ଡଳ ତିଆରିକରେ। ଭାଷାର ଉପାଦାନ ସୃଷ୍ଟିରେ ଏଇ ଅର୍ଥମଣ୍ଡଳ ତିଅାରି କରିବାକୁ ପଡ଼ିବ ପ୍ରତିଟି ନୂଆଶବ୍ଦ ପାଇଁ। ଏହି ଅର୍ଥ ମଣ୍ଡଳ ହିଁ ନୂଆ ଭାବନା, ନୂଆକଳ୍ପନା ଓ ନୂଆ ସୃଷ୍ଟି ନିମିତ୍ତ ଜାଗା ଯୋଗାଏ। ଯେତିକିବେଳେ ଧରାପଡ଼େ ଆମ ଓଡ଼ିଆ ଭାଷାର ଦୈନ୍ୟ ଓ ଦୁର୍ବଳତା। ଇଂରାଜୀ ଶବ୍ଦ ପାଇଁ ଓଡ଼ିଆ ଶବ୍ଦର ଅଭାବ ନାହିଁ, କିନ୍ତୁ ଅଭାବ ଅଛି ଅର୍ଥ ମଣ୍ଡଳରେ। ଓଡ଼ିଆରେ ଅର୍ଥମଣ୍ଡଳ ବହୁ ଶୂନ୍ୟଜାଗାରେ ଭର୍ତ୍ତି। ସେ କ୍ଷେତ୍ରରେ ଇଂରାଜୀ ଅର୍ଥମଣ୍ଡଳର ପୂର୍ତ୍ତି ଦେଖିଲେ ମନରେ ଈର୍ଷା ହୁଏ।

ଭାଷା ଶିଖିଲା ବେଳେ ଏଇ ଅର୍ଥମଣ୍ଡଳ ଆପେଆପେ ଭାଷାଜ୍ଞାନର ଅଧୀନ ହୋଇଥାଏ ଆମେ ଯେତେବେଳେ ଦୁଇଟି ଭାଷା ଶିଖୁ ଓ ଗୋଟିଏ ଭାଷାର ଶବ୍ଦକୁ ଅନ୍ୟଭାଷାର ଶବ୍ଦ ସହିତ ତୁଳନା କରୁ, ସେତେବେଳେ ଏଇ ଅର୍ଥ ମଣ୍ଡଳଗୁଡ଼ିକ ସଜୀବ ହୋଇଉଠନ୍ତି। ଉଦାହରଣ ସ୍ବରୂପ ଇଂରାଜୀ ‘ଟାଇ’ ଶବ୍ଦ ନିମିତ୍ତ ‘କଣ୍ଠଲଙ୍ଗୋଟ’ କହିଲେ କାନ ତାବ୍‌ଦା ହୋଇଯାଏ। ଠିକ୍‌ ସେହିପରି ‘ଟେଲିଭିଜନ’ ପାଇଁ ‘କଳମୁକୁର’ ଶବ୍ଦ ଦେଇ ଆମ ପ୍ରାଥମିକ ପାଠ୍ୟପୁସ୍ତକ ପ୍ରଣେତାମାନେ ହାସ୍ୟାସ୍ପଦ ହୋଇଛନ୍ତି। ପ୍ରକୃତରେ, କିଛି ଭୁଲ ନାହିଁ ଟେଲିଭିଜନ ପାଇଁ କଳମୁକୁର ଶବ୍ଦ ପ୍ରୟୋଗରେ, ଭୁଲ ଶବ୍ଦ ଦୁଇଟିର ଅର୍ଥମଣ୍ଡଳରେ। କାରଣ, ଯେ କୌଣସି ଶବ୍ଦ ପାଇଁ ଯେ କୌଣସି ଶବ୍ଦ ଦିଆଯାଇପାରେ। ପ୍ରଥମେ କାନକୁ ଟିକିଏ ଅଖାଡ଼ୁଆ ଲାଗିଲେ ବି ଲୋକେ ଆଦରି ନେବେ, କିନ୍ତୁ ଯେତେଦିନ ପର୍ଯ୍ୟନ୍ତ ଅର୍ଥମଣ୍ଡଳରେ ସମତା ନ ଆସିଛି, ସେତେଦିନ ପର୍ଯ୍ୟନ୍ତ ଏ ଶବ୍ଦକୁ ମୂଲ୍ୟହୀନ ଗୋଟିଏ ଉନ୍ନତ ଭାଷାରୁ ଶବ୍ଦ ଅନୁବାଦ କରି ଅନ୍ୟଭାଷାକୁ ଉନ୍ନତ କରିବା ଚେଷ୍ଟା କିଛିଟା ଚପଳତା ଯଦି ସେହି ଶବ୍ଦ ପାଇଁ ଉପଯୁକ୍ତ ଅର୍ଥମଣ୍ଡଳ ତିଆରି କରାନଯାଏ। ଆଉ ଏହି ଅର୍ଥମଣ୍ଡଳ ଯେତକିଯେତିକି ଶବ୍ଦରେ ଭର୍ତ୍ତି ହେବ, ଯେତିକି ଯେତିକି ବଢ଼ିବ, ସେତିିକି ହେବ ଭାଷାରେ ଉନ୍ନତି। ଅଥଚ, ଲଘୁସାହିତ୍ୟରେ ଏ ବ୍ୟବସ୍ଥାର ବ୍ୟଭିଚାର ହୋଇଥାଏ। ବହୁ ଶବ୍ଦ, ଯେଉଁମାନେ ସେମାନଙ୍କର ନିଜନିଜ ଅର୍ଥମଣ୍ଡଳ ଭିତରେ ନିଜସ୍ବ ଜାଗାଟିଏ ତିଆରି କରିବା ସଙ୍ଗେସଙ୍ଗେ, ସହବାସୀମାନଙ୍କଠାରୁ ନିରାପଦ ଦୂରତ୍ବ ବଜାୟ ରଖିଥାନ୍ତି- ସେ ସବୁ ସାହିତ୍ୟରେ ନାନାଭାବେ ଉଲ୍ଲଙ୍ଘିତ ହୋଇଥାନ୍ତି, ଯାହା ଫଳରେ ଭାଷାର କାର୍ଯ୍ୟକାରିତା ବିଘ୍ନ ଉପୁଜିଥାଏ। ତେଣୁ ଲଘୁ ସାହିତ୍ୟଠାରୁ ଭାଷାକୁୁ ବଞ୍ଚାଇ ରଖିବାକୁ ହେବ, କାରଣ ସେମାନେ ଭାଷାର ଅପବ୍ୟବହାର କରିଥାନ୍ତି। ଅନେକ ହୁଏତ ଲକ୍ଷ୍ୟ କରିଥିବେ, ଚଳନ୍ତି ଓଡ଼ିଆ କବିତାରେ ‘ଇଲାକା’ ପରି ଗୋଟିଏ ଶବ୍ଦର ବ୍ୟବହାର। ଏ ଶବ୍ଦର ଓଡ଼ିଆରେ ଅର୍ଥମଣ୍ଡଳ ନାହିଁ, ଆଉ ଯଦିବା ଥିଲା, ଥିଲା ସେହି କୋର୍ଟକଚେରି ଭାଷାରେ। ଅଥଚ ସଂପ୍ରତି ବହୁ ଓଡ଼ିଆ କବିତାରେ ‘ଇଲାକା’ ଶବ୍ଦ ବ୍ୟବହୃତ। ଏହା ଲଘୁ ସାହିତ୍ୟର ବ୍ୟଭିଚାର ଓ ଭାଷାର ପବିତ୍ରତା ପ୍ରତି ଆକ୍ରମଣ। ଅନ୍ୟତ୍ର, ବର୍ତ୍ତମାନ ‘ମନ୍ତ୍ରୀ’ ଓ ‘ସଚିବ’ ଓଡ଼ିଆରେ ଦୁଇଟି ଭିନ୍ନ ଅର୍ଥର ଶବ୍ଦ ଓ ଏମାନେ ଗୋଟିଏ ଅର୍ଥମଣ୍ଡଳ ଭିତରେ ଅଛନ୍ତି। ସେଥିରୁ ଗୋଟିଏ ମରିଗଲେ, ଅନ୍ୟଟି ଏକଛତ୍ର ହୋଇଯିବ। ଆଉ ଲଘୁସାହିତ୍ୟ ଠିକ୍‌ ସେୟା କରୁଛି। ମନ୍ତ୍ରୀ ଓ ସଚିବ ଶବ୍ଦକୁ ଏକାର୍ଥକ କରିଦେଇ ଅର୍ଥମଣ୍ଡଳକୁ ଏକଛତ୍ର କରିଦେଇଛି। ଭାଷା ହରାଇଲା ତା’ର ଅର୍ଥ ମଣ୍ଡଳରୁ ଗୋଟିଏ। ମନେହୁଏ, ଏଇ ଏକ କାରଣରୁ ମଧ୍ୟ ଓଡ଼ିଆ ଭାଷାରେ ଆଉ ହାସ୍ୟରସ ସୃଷ୍ଟି ହେଉନି, ଯଦିବା ସୃଷ୍ଟି ହେଉଛି ଓ ଯାହାବା ସୃଷ୍ଟି ହେଉଛି ତାହା ଅତ୍ୟନ୍ତ ସ୍ଥୂଳଶ୍ରେଣୀର। ତା’ ଭିତରେ ଭାଷାର ମାଧୁର୍ଯ୍ୟ ନାହିଁ, ଭାଷାର ଧୀ ନାହିଁ, ଭାଷାର ଚମତ୍କାର ନାହିଁ। ତା’ର କାରଣ ଓଡ଼ିଆ ଶବ୍ଦଗୁଡ଼ିକରେ ଅର୍ଥମଣ୍ଡଳରେ ହାସ୍ୟର ପରମ୍ପରା କ୍ଷୀଣ। ଅନ୍ୟ ଭାବେ କହିଲେ, ଗୋଟିଏ ହସ କଥା କହିଲେ ଆଉ ଦଶଟା ହସଶବ୍ଦ ମନେପଡ଼ିଯାଏ ନାହିଁ। ଶବ୍ଦନକ୍ସାରେ ବା ୱାର୍ଡ ଡିଜାଇନରେ ହସର ଲେସ୍‌ ବୁଣା ହୋଇନାହିଁ। ଅନ୍ୟ କଥାରେ ଆମ ଭାଷାରେ ହସ ପାଇଁ ଶବ୍ଦ ପରମ୍ପରା ତିଆରି ହୋଇ ନାହିଁ। ଏହାହିଁ ଭାଷାର ଦୀନତା।

ବର୍ତ୍ତମାନ ଓଡ଼ିଆରେ ବୈଷୟିକ ଶିକ୍ଷା ପ୍ରଦାନ କରାଯିବ। ଏ ସମ୍ପର୍କରେ ମଧ୍ୟ ବୈଜ୍ଞାନିକ ସତ୍ୟେନ୍‌ ବୋଷ୍‌ଙ୍କ ଉକ୍ତିକୁ ଉଦ୍ଧୃତ କରାଯାଇପାରେ। ସେ ଏକଦା କହିଥିଲେ ଯେ, ‘ଯେଉଁମାନେ ଅଭିଯୋଗ କରନ୍ତି ଯେ ବଙ୍ଗଳା ଭାଷାରେ ସେମାନେ ପଦାର୍ଥବିଜ୍ଞାନ ପଢ଼ାଇ ପାରିବେ ନାହିଁ, ତା’ର ଅର୍ଥ ନୁହେଁ ଯେ ସେମାନେ ବଙ୍ଗଳାଭାଷା ଜାଣନ୍ତି ନାହିଁ, ଅସଲ କଥା ହେଲା ସେମାନେ ପଦାର୍ଥ ବିଜ୍ଞାନ ହିଁ ଜାଣନ୍ତି ନାହିଁ। ନିଜର ବିଷୟକୁ ଠିକ୍‌ଭାବେ ଜାଣିଥିଲେ, ଯେ କୌଣସି ଭାଷାରେ ପଢ଼ାଇ ହେବ। ଗୋଟିଏ ଭାଷାରେ କୌଣସି ବିଷୟକୁ ପ୍ରକାଶ କରିବାକୁ ଅକ୍ଷମ ହେବା ଅର୍ଥ ଭାଷାର ଦୁର୍ବଳତା ନୁହେଁ, ଦୁର୍ବଳତା ହେଉଛି ବିଷୟଗତ ଜ୍ଞାନର।

ସାରା ପୃଥିବୀକୁ ଆଖିବୁଜି ଦେଇ, ନିଜନିଜ ଭାଷାକୁ ବଡ଼ବୋଲି ଚିତ୍କାର କଲେ ଆମେ ଦେଶପ୍ରେମୀ ହୋଇଯିବା ନାହିଁ, ବରଂ ଆମକୁ ଦେଖିବାକୁ ପଡ଼ିବ, ପୃଥିବୀର ତାଲିକାରେ ଆମ ଭାଷାର ନାଁ କେତେ ନମ୍ବରରେ ଅଛି। ସେଥିପ୍ରତି ଦୃଷ୍ଟି ନଦେଲେ ଆମେ ହୋଇଯିବା ଏକ ତଥାକଥିତ ବିକାଶଶୀଳ ଦେଶର ଅନ୍ୟତମ ବିକାଶଶୀଳ ଭାଷା, ଯାହାର ପ୍ରକୃତ ଅର୍ଥ ହେଉଛି- ଗୋଟିଏ ପଛୁଆ ଦେଶର ଗୋଟିଏ ପଛୁଅ ଭାଷା।

Comments are closed.