ମହାମାରୀ ସହିତ ଗୋଟିଏ ବର୍ଷ

- ପ୍ରଭାସ ମିଶ୍ର

କରୋନା ମହାମାରୀକୁ ବର୍ଷେ ପୂରି ଯାଇଛି। ଏହି ମହାମାରୀ ପ୍ରଭାବରେ ଦେଶ ତଥା ରାଜ୍ୟର ଆର୍ଥିକ ସ୍ଥିତି ଓ ବୃହତ୍ତର ଅର୍ଥନୀତି ବିଗିଡ଼ି ଯାଇଥିଲେ ମଧ୍ୟ ବର୍ଷକ ମଧ୍ୟରେ ଅର୍ଥନୀତିର ବିଭିନ୍ନ ସୂଚକାଙ୍କର ଉତ୍ସାହଜନକ ପ୍ରଗତି ପାଇଁ ଅନେକ ସ୍ତରର ଅର୍ଥନୀତିଜ୍ଞ ଓ ନୀତିନିର୍ଦ୍ଧାରକମାନେ ବିଭିନ୍ନ ସମୟରେ ଆନନ୍ଦ ପ୍ରକାଶ କରୁଛନ୍ତି। ଦାବି କରୁଛନ୍ତି ଯେ ଅର୍ଥନୀତି ସ୍ବାଭାବିକ ସ୍ଥିତିକୁ ଫେରି ଆସୁଛି। କେନ୍ଦ୍ର ଅର୍ଥମନ୍ତ୍ରୀ ଓ ଆର୍‌ବିଆଇ ମୁଖ୍ୟ ମଧ୍ୟ ଭାରତ ଏହି କୋଭିଡ ସଙ୍କଟରୁ ବାହାରି ନିକଟ ଭବିଷ୍ୟତରେ ଏକ ଶକ୍ତିଶାଳୀ ଅର୍ଥନୀତି ହେବ ବୋଲି ଆଶା ବ୍ୟକ୍ତ କରଛନ୍ତି। ୨୦୨୧-୨୨ ବଜେଟ ଉପସ୍ଥାପନ ସମୟରେ କେନ୍ଦ୍ର ସରକାର ଦେଶର ଜିଡ଼ିପି ଅଭିବୃଦ୍ଧି ୧୧ ପ୍ରତିଶତକୁ ନେବେ ବୋଲି ଆକଳନ କରିଛନ୍ତି।

କୋଭିଡ ପର ଅର୍ଥନୀତି ସ୍ଥିତିକୁ ନେଇ ବିଶ୍ବବ୍ୟାଙ୍କ ଏକ ଆକଳନରେ କହିଛନ୍ତି ଯେ ଭାରତର ଅର୍ଥନୀତି ଦ୍ରୁତ ଗତିରେ ସ୍ବାଭାବିକ ସ୍ଥିତିକୁ ଫେରିଆସୁଛି। ଏପରି କି ଏତେ କମ ସମୟରେ ଅର୍ଥନୀତିର ପୁନରୁଦ୍ଧାର ହୋଇଯିବା ନେଇ ସେ ଆଶ୍ଚର୍ୟ୍ୟ ପ୍ରକଟ କରିଛନ୍ତି। କୁହାଯାଇଛି ଯେ ଦେଶର ଅଭିବୃଦ୍ଧି ହାର ୨୦୨୧-୨୨ ଆର୍ଥିକ ବର୍ଷରେ ୭.୫ ରୁ ୧୨.୫ ପ୍ରତିଶତ ଯାଏ ରହିବ। ଏଥି ସହିତ ବିଶ୍ବବ୍ୟାଙ୍କର ମୁଖ୍ୟ ଅର୍ଥନୀତିଜ୍ଞ ତାଙ୍କର ଏକ ସାକ୍ଷାତ୍‌କାରରେ ଭାରତର ଏହିଭଳି ଦ୍ରୁତ ଅଭିବୃଦ୍ଧିକୁ ନେଇ ସନ୍ତୋଷ ପ୍ରକଟ କରିଛନ୍ତି।

ଏହି ଭଳି ଆକଳନଗୁଡିକୁ ନେଇ ଅନେକ ସମୟରେ ଭାରତର ନୀତିନିର୍ଦ୍ଧାରକ ତଥା ଅର୍ଥନୀତିଜ୍ଞଙ୍କ ମଧ୍ୟରେ ଏକ ଉତ୍ସାହ ପରିଲକ୍ଷିତ ହୋଇଥାଏ; କିନ୍ତୁ ସାଧାରଣରେ ଅନେକ ପ୍ରଶ୍ନ ଉଠେ। ସତରେ କଣ ଆମ ଅର୍ଥନୀତି ସ୍ବାଭାବିକ ସ୍ଥିତିକୁ ଫେରି ଆସୁଛି? କେବଳ ଜିଡ଼ିପିର ଅଭିବୃଦ୍ଧି ହୋଇଗଲେ ଆମ ଦେଶର ଲୋକଙ୍କ ଆର୍ଥିକ ଦୁଃସ୍ଥିତି ସୁଧୁରିଯିବ? ସାଧାରଣ ଅର୍ଥରେ ଦେଖିଲେ ଜିଡ଼ିପି ହେଉଛି ଦେଶ ମଧ୍ୟରେ ସମସ୍ତ ଉତ୍ପାଦଗୁଡିକର ଆର୍ଥିକ ମୂଲ୍ୟ। କୃଷି, ଶିଳ୍ପ ଭଳି ଆଠଟି ବିଭିନ୍ନ କ୍ଷେତ୍ରକୁ ନେଇ ହିସାବ କରାଯାଇଥାଏ; ଦ୍ବିତୀୟ ପଦ୍ଧତିରେ ଏହି ସବୁ ଉତ୍ପାଦଗୁଡିକର ବ୍ୟବହାର, ସରକାରୀ ଓ ବେସରକାରୀ ପୁଞ୍ଜି ନିବେଶ ଇତ୍ୟାଦିଗୁଡିକୁ ନେଇ ମଧ୍ୟ ହିସାବ କରାଯାଇଥାଏ; କିନ୍ତୁ ପ୍ରଥମ ପଦ୍ଧତିଟି ଅନେକ ସମୟରେ ଆଲୋଚନାର ପରିସରକୁ ଆସିଥାଏ। ଏହି ଦୁଇଟିର ଫଳାଫଳରେ ସାମାନ୍ୟ ଅନ୍ତର ଥାଏ। ତେଣୁ, ଯଦି ଆମେ ଜିଡ଼ିପିର ଅଭିବୃଦ୍ଧିକୁ ମୁଖ୍ୟ ମାନଦଣ୍ଡ ଭାବେ ବିଚାର କରି ମହାମାରୀରେ ସୃଷ୍ଟି ହୋଇଥିବା ଆର୍ଥିକ ବିପର୍ୟ୍ୟୟରୁ ମୁକୁଳିଲେ ବୋଲି ବିଚାର କରିବା ତେବେ ସମ୍ଭବତଃ ଆମ୍ଭେମାନେ ଲୋକମାନଙ୍କର ପ୍ରକୃତ ସମସ୍ୟାକୁ ଆଡେଇ ଦେଉଛେ ବୋଲି ମନେ ହୁଏ।

ପାଠକ ଜାଣିବା ଆବଶ୍ୟକ ଯେ ଏହି ତଥାକଥିତ ଜିଡ଼ିପି ଅଭିବୃଦ୍ଧି ଦେଶର କେତେ ଜଣ ହାତ ଗଣତି ଧନୀ ତଥା ବଡବଡ ଶିଳ୍ପ ପ୍ରତିଷ୍ଠାନର ବ୍ୟକ୍ତିମାନେ ଚାହିଁଲେ ମଧ୍ୟ ହୋଇପାରିବ। ସରକାରୀ ନିବେଶ ନଥାଇ ନିର୍ଦିଷ୍ଟ କେତେଜଣ ଘରୋଇ ପୁଞ୍ଜିପତିମାନେ ଚାହିଁଲେ ଏବଂ ସରକାରଙ୍କ ତରଫରୁ ଅନୁକୂଳ ପରିବେଶ ସୃଷ୍ଟି ଦ୍ବାରା ଦେଶର ଅଭିବୃଦ୍ଧି ଲକ୍ଷ୍ୟ ସାଧନ ହୋଇ ପାରିବ। ଭାରତ ଭଳି ବିଶାଳ ରାଷ୍ଟ୍ରରେ ସର୍ବନିମ୍ନ ଚାହିଦାରେ ମଧ୍ୟ ଘରୋଇ କ୍ଷେତ୍ରର ପୁଞ୍ଜିପତିମାନେ ଦେଶର ସମ୍ପତ୍ତିକୁ ବଢାଇବାରେ ସହାୟକ ହୋଇପାରିବେ; କିନ୍ତୁ ଏହି ସମ୍ପତ୍ତିର ଲାଭ କେତେ ପରିମାଣରେ ସରକାରଙ୍କ ନିକଟରେ ସମ୍ବଳ ବୃଦ୍ଧିରେ ସହାୟକ ହେଉଛି? ଏହି ସମ୍ବଳରୁ ସରକାର ବଜେଟ ମାଧ୍ୟମରେ ଲୋକମାନଙ୍କ ଆର୍ଥିକ ତଥା ସାମାଜିକ ବିକାଶ ପାଇଁ ଖର୍ଚ୍ଚ କରୁଛନ୍ତି ତାହା ମଧ୍ୟ ଅସ୍ପଷ୍ଟ। ତେଣୁ, କେବଳ ଜିଡ଼ିପି ଅଭିବୃଦ୍ଧିକୁ ନେଇ ବୃଥା ଆତ୍ମସନ୍ତୋଷ ଲାଭ କରିବା ଅର୍ଥ ବାସ୍ତବ ସମସ୍ୟା ପ୍ରତି ଆଖି ବୁଜିଦେବା।
ଏହି କୋଭିଡ ମହାମାରୀ ପ୍ରଭାବରେ ଅନେକ ଲୋକଙ୍କର ରୋଜଗାର ଚାଲିଯାଇଛି। ଏକ ଅନ୍ତର୍ଜାତୀୟ ଗବେଷଣା ପ୍ରତିଷ୍ଠାନର ତଥ୍ୟରୁ ଜଣାଯାଇଛି ଯେ କୋଭିଡ ଦ୍ବାରା ମଧ୍ୟବିତ୍ତମାନଙ୍କର ରୋଜଗାରର ୩୦ ପ୍ରତିଶତ ହ୍ରାସ ପାଇଛି। ଏହା ଦ୍ବାରା ୩.୨ କୋଟି ଭାରତୀୟ ମଧ୍ୟବିତ୍ତ ସ୍ତରରୁ ବାହାରି ଗରିବ ହୋଇଯାଇଛନ୍ତି । ଏଥି ସହିତ ଦୈନିକ ୧୫୦ ଟଙ୍କା ରୋଜଗାର କରୁଥିବା ଗରିବ ଲୋକମାନଙ୍କ ସଂଖ୍ୟାରେ ୭.୫କୋଟି ବୃଦ୍ଧି ପାଇଛି।

କୋଭିଡର କୁପ୍ରଭାବ କର୍ମନିଯୁକ୍ତି ଉପରେ ଅତ୍ୟନ୍ତ ଉତ୍କଟ ମାତ୍ରାରେ ରହିଥିଲା। ଗତ ଆର୍ଥିକ ବର୍ଷର ଏପ୍ରିଲ ମାସଟି ଭାରତୀୟ ଅର୍ଥନୀତି ପାଇଁ ଏକ କଳା ସମୟ ଥିଲା। ମାର୍ଚ୍ଚ ମାସରେ ବିଶ୍ବ ସ୍ୱାସ୍ଥ୍ୟ ସଂଗଠନ କୋଭିଡ଼କୁ ବିଶ୍ବ ମହାମାରୀ ଭାବରେ ଘୋଷଣା ସହିତ ଭାରତରେ ଲକ୍‌ଡାଉନ ଭଳି ପଦକ୍ଷେପଗୁଡିକ ସାଧାରଣ ଜନଜୀବନ ଓ ଜୀବିକାକୁ ଅସ୍ତବ୍ୟସ୍ତ କରିଦେଇଥିଲା। କେବଳ ଏପ୍ରିଲ ମାସରେ ଲକଡାଉନ୍‌ ପାଇଁ ୧୨ କୋଟି ଲୋକ ନିଯୁକ୍ତି ହରାଇଥିଲେ; ଅର୍ଥାତ୍‌ ଏହି ମାସରେ ପ୍ରତ୍ୟେକ ଘଣ୍ଟାରେ ୧.୭୦ ଲକ୍ଷ ଲୋକ ନିଯୁକ୍ତି ହରାଇଥିଲେ । ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମିର ତଥ୍ୟ ଅନୁସାରେ ମାର୍ଚ୍ଚ ୨୦୨୦ ମସିହାରେ ଦେଶରେ ନିଯୁକ୍ତି ହାର ୩୮ ପ୍ରତିଶତ ଥିଲା ଏବଂ ଏହା ହ୍ରାସ ପାଇ ଏପ୍ରିଲ ୨୦୨୦ ରେ ୨୭ ପ୍ରତିଶତକୁ ଖସି ଯାଇଥିଲା। ଏହା ପରେ କ୍ରମାଗତ ଭାବରେ ଏହି ହାର ବୃଦ୍ଧି ଘଟି ଫେବୃଆରୀ ୨୦୨୧ ମାସରେ ପାଖାପାଖି ୩୮ ପ୍ରତିଶତରେ ପହଞ୍ଚିଛି। ଅର୍ଥାତ୍‌, ନିଯୁକ୍ତି ସ୍ଥିତିରେ ଧୀରେ ଧୀରେ ପୂର୍ବାବସ୍ଥାକୁ ଫେରି ଆସୁଛି ବୋଲି ଜଣାଯାଏ; କିନ୍ତୁ ଏଥିରୁ ଆମେ ସିଦ୍ଧାନ୍ତରେ ପହଞ୍ଚି ପାରିବ ନି ଯେ ନିଯୁକ୍ତି ପାଇଥିବା ଲୋକ ମାନଙ୍କ ଆର୍ଥିକ ସ୍ଥିତି ସ୍ବଭାବିକ ଅବସ୍ଥାକୁ ଫେରିଆସିଛି। ଅଧିକାଂଶ କ୍ଷେତ୍ରରେ କର୍ମ ନିଯୁକ୍ତି ଥିଲେ ମଧ୍ୟ ପୂର୍ବ ଭଳି ଆଉ କାମ ନାହିଁ। କେତେକ କ୍ଷେତ୍ରରେ ପ୍ରତିଷ୍ଠାନଗୁଡିକ ପୂର୍ଣ୍ଣ ମାତ୍ରାରେ କାର୍ୟ୍ୟକ୍ଷମ ହୋଇ ପାରିନଥିବାରୁ ଠିକ୍‌ ଭାବରେ ଦରମା ଦେଇପାରୁ ନାହାନ୍ତି।

ନିଯୁକ୍ତିଦାତାମାନେ ସେମାନଙ୍କର କର୍ମଚାରୀମାନଙ୍କର ଦରମାରୁ କିଛି ପ୍ରତିଶତ ହ୍ରାସ ମଧ୍ୟ କରିଛନ୍ତି। ଦରଦାମ ବୃଦ୍ଧି ଯୋଗୁଁ ନିଜର ସ୍ୱଳ୍ପ ସଞ୍ଚିତ ଅର୍ଥରୁ ଖର୍ଚ୍ଚକରି ପରିବାର ପ୍ରତିପୋଷଣ କରୁଛନ୍ତି। ଗତ ବର୍ଷର ସ୍ଥିତିକୁ ନେଇ କୋଭିଡର ପ୍ରାରମ୍ଭିକ ସମୟରେ ଜାତୀୟ ସ୍ତରର ଏକ ଅଗ୍ରଣୀ ଗଣମାଧ୍ୟମର ଏକ ସର୍ଭେରୁ ଜଣାଯାଇଛି ଯେ ପ୍ରତି ୫ ଜଣରେ ୨ କର୍ମଚାରୀଙ୍କର ଦରମାରେ ହ୍ରାସ ହୋଇଥିଲା। ୪୩ ପ୍ରତିଶତ କର୍ମଚାରୀ କହିଥିଲେ ଯେ ଦରମାରେ ହ୍ରାସ ଘଟିଲେ ମଧ୍ୟ ସେମାନେ ଚାକିରି ଛାଡିବେ ନାହିଁ। ତେଣୁ, ଏକ ଗୁଣାତ୍ମକ ବିକାଶ ପାଇଁ ସାମଗ୍ରିକ ପରିସଂଖ୍ୟାନ ସହିତ ଜୀବନ ଧାରଣର ମାନ ସମ୍ପର୍କିତ କେତେଗୁଡିଏ ସୂଚକାଙ୍କ ଦେଖିବାର ଅଛି। କୋଭିଡ ପ୍ରଭାବରେ ଦେଶାନ୍ତର ଶ୍ରମିକମାନଙ୍କର ଘରବାହୁଡା ଏକ ମୁଖ୍ୟ ସମସ୍ୟା ରୂପେ ଉଭା ହୋଇଥିଲା। ଦେଶାନ୍ତର ଶ୍ରମିକ ମାନଙ୍କର ସମସ୍ୟା ବିଷୟରେ ଆମର ନୀତି ନିର୍ଦ୍ଧାରକମାନେ ଅବଗତ ଥିଲେ ମଧ୍ୟ ଏହି ସମସ୍ୟାଟି ଅତି ଉତ୍କଟ ଭାବରେ ଲୋକଲୋଚନାକୁ ଆସିଥିଲା। ସରକାରଙ୍କ ନିକଟରେ ଦେଶାନ୍ତର ଶ୍ରମିକ ସମ୍ପର୍କିତ ତଥ୍ୟ ଉପଲବ୍ଧ ନ ଥିବାରୁ ଏହି ସମସ୍ୟାକୁ ଠିକ୍‌ ଭାବରେ ପରିଚାଳନା କରିବା କଷ୍ଟକର ହୋଇପଡିଥିଲା; କିନ୍ତୁ ବର୍ଷ ଶେଷ ଆଡକୁ ସ୍ଥିତି ସ୍ବାଭାବିକ ହେବା ଦ୍ବାରା ପୁଣି କର୍ମ କ୍ଷେତ୍ରକୁ ଫେରି ଯାଇଥିଲେ ମଧ୍ୟ ମିଳୁଥିବା ସୁବିଧା ସୁଯୋଗ ଆଗଭଳି ଆଉ ମିଳୁନି। ଶ୍ରମିକମାନଙ୍କ ପାଇଁ ଅନ୍ୟ କୌଣସି ବିକଳ୍ପ ପନ୍ଥା ନଥିବାରୁ ପୂର୍ବାପେକ୍ଷା କମ୍‌ ଦରମାରେ ମଧ୍ୟ କାମ କରିବାକୁ ବାଧ୍ୟ ହେଉଛନ୍ତି।

କୋଭିଡ ଦ୍ବାରା କ୍ଷତିଗ୍ରସ୍ତ ହୋଇଥିବା ସରକାରଙ୍କର ରାଜସ୍ୱ ସଂଗ୍ରହରେ ମଧ୍ୟ ଉନ୍ନତି ଘଟିଛି। ଗତ ଆର୍ଥିକ ବର୍ଷରେ ୧୩ ଲକ୍ଷ କୋଟି ଟଙ୍କା ଆକଳନ କରଯାଇଥିଲା। ଏହି ଧାର୍ୟ୍ୟ ଲକ୍ଷ୍ୟ ପୂରଣ କରିବା ପାଇଁ ପ୍ରତ୍ୟେକ ମାସରେ ଜିଏସଟି ବାବଦରେ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ସଂଗ୍ରହର ଆବଶ୍ୟକତା ଥିଲା; କିନ୍ତୁ ଗତ ଆର୍ଥିକ ବର୍ଷର ଏପ୍ରିଲ ମାସରେ ମାତ୍ର ୩୨ ହଜାର କୋଟି ଟଙ୍କା ସଂଗ୍ରହ ହୋଇଥିଲେ ମଧ୍ୟ ପାର୍ବଣ ମାସ ଆଡକୁ ସ୍ଥିତି ସୁଧୁରିଥିଲା। ୨୦୨୦-୨୧ ଆର୍ଥିକ ବର୍ଷରେ ଫେବୃଆରୀ ମାସ ଶେଷ ସୁଦ୍ଧା ୧୦ ଲକ୍ଷ କୋଟି ଟଙ୍କା ଜିଏସଟିରୁ ରାଜସ୍ୱ ଆଦାୟ ଦେଖି ଜଣାଯାଏ ଯେ ବାର୍ଷିକ ରାଜସ୍ବ ପ୍ରାପ୍ତିରେ ହ୍ରାସ ଘଟିଛି ଏବଂ ସରକାର ଏ ନେଇ ଚଳିତ ବର୍ଷ ବଜେଟ ଉପସ୍ଥାପନ ସମୟରେ ଟିକସ ସମ୍ବଳ ସଂଗ୍ରହ ପାଇଁ କୌଣସି ବିକଳ୍ପ ବ୍ୟବସ୍ଥା କରି ନାହାନ୍ତି।

ବର୍ଷକ ପରେ ପୁନର୍ବାର କରୋନାର ଦ୍ବିତୀୟ ତରଙ୍ଗ ଆସି ଯାଇଛି; କିନ୍ତୁ ବିଶେଷଜ୍ଞମାନେ ଆକଳନ କରିଛନ୍ତି ଯେ ଦ୍ବିତୀୟ ତରଙ୍ଗର ପ୍ରଭାବ ଅର୍ଥନୀତି ଉପରେ ପ୍ରଥମଠାରୁ କମ୍‌ ରହିବ। ଟିକା ଆସିଯାଇଛି। ଗୋଟିଏ ବର୍ଷ ମଧ୍ୟରେ ଜନସାଧାରଣ କରୋନା ସହିତ ବଞ୍ଚିବାର କଳା ମଧ୍ୟ ଶିଖି ଯାଇଛନ୍ତି। ତେଣୁ ଅର୍ଥନୈତିକ କାରବାର କିଛି ପରିମାଣରେ ହ୍ରାସ ପାଇଲେ ମଧ୍ୟ ପୂର୍ବ ଭଳି ଉତ୍କଟ ସ୍ଥିତିରେ ପହଞ୍ଚିବନି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଗୋଟିଏ ବର୍ଷର କରୋନା ସହିତ ଶିକ୍ଷାକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବଜେଟ ଉପସ୍ଥାପନ କରାଯାଇଥିଲେ ମଧ୍ୟ ସମ୍ବଳ ଅଭାବରୁ କେବଳ ବୃହତ୍ତର ଅର୍ଥନୀତିକୁ ସଜାଡିବାକୁ ଯାଇ ଲୋକମାନଙ୍କର ସମସ୍ୟା ପ୍ରତି ଯଥେଷ୍ଟ ଧ୍ୟାନ ଦେଇ ନାହାନ୍ତି; କିନ୍ତୁ ଆଶା କରାଯାଏ ସରକାର ଓ ଜନସାଧାରଣ ପୂର୍ବ ବର୍ଷର ଶିକ୍ଷାକୁ ପାଥେୟ କରି ଲୋକମାନଙ୍କର ଆର୍ଥିକ ସ୍ଥିତିକୁ ଅକ୍ଷତ ରଖି କୋଭିଡର ଦ୍ବିତୀୟ ତରଙ୍ଗକୁ ସୁପରିଚାଳନା କରିବେ।

Comments are closed.