ଆସନ୍ତୁ, ରକ୍ଷାକରିବା ଓଡ଼ିଶାର ଜଙ୍ଗଲ ଓ ପରିବେଶ

ସୂର୍ଯ୍ୟନାରାୟଣ କର

ଯେ କୌଣସି ରାଜ୍ୟ ଅଥବା ଦେଶ ହେଉ ଅବାରିତ ବୃକ୍ଷ ଛେଦନ ହେଲେ ଏହାର ପାରିପାର୍ଶ୍ବିକ ଅବସ୍ଥା ଏବଂ ପରିବେଶ ଉପରେ ଗଭୀର ରେଖାପାତ ହୋଇଥାଏ। ସଦ୍ୟ ପ୍ରକାଶିତ ସମ୍ବାଦ ଅନୁଯାୟୀ ହିମାଳୟ ଜୈବମଣ୍ଡଳରେ ଅବାରିତ ବୃକ୍ଷ ଛେଦନ ହେତୁ ଭାରତର ଉତ୍ତରାଖଣ୍ଡ ରାଜ୍ୟରେ ଭୂସ୍ଖଳନ ଓ ପ୍ରବଳ ବର୍ଷା ହେବାଦ୍ୱାରା ପ୍ରାୟ ଏକ ଶହରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବାର କୁହାଯାଏ। ସେହିପରି ପରିବେଶ ଭାରସାମ୍ୟ ଅଭାବରୁ କେରଳ ରାଜ୍ୟର ବନ୍ୟା ବିତ୍ପାତ ମଧ୍ୟ କମ୍‍ କ୍ଷତି କରିନି। ସମ୍ପ୍ରତି ଭାରତର ରାଜଧାନୀ ଦିଲ୍ଲୀ ସହର ଉତ୍କଟ ପ୍ରଦୂଷଣ ଏବଂ ପରିବେଶ ଅଭାବନୀୟ ଅବସ୍ଥାର ସମ୍ମୁଖୀନ ହେବା ଦ୍ୱାରା ଦେଶର ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଏଥିରେ ହସ୍ତକ୍ଷେପ କରି ଏହାର ତୁରନ୍ତ ପ୍ରତିକାର କରିବା ପାଇଁ ଦିଲ୍ଲୀ ସରକାରଙ୍କୁ ନି​‌େ​‌ର୍ଦଶ ଦେଇଛନ୍ତି। ବିସ୍ତାରିତ, ବିପୁଳ ଚାରାରୋପଣ ହିଁ ସବୁଜ ବନାନୀର ସମ୍ଭାର ଏବଂ ପରିବେଶର ଉତ୍ସ।

ଅବିଚାରିତ ବୃକ୍ଷ ଛେଦନ କେବଳ ଯେ ବାୟୁମଣ୍ଡଳରୁ, ଅମ୍ଳଜାନ ବାଷ୍ପର ପ୍ରାକୃତିକ କ୍ରିୟାକରଣକୁ ଜବରଦସ୍ତ ନଷ୍ଟ କରୁଛି ତା’ ନୁହେଁ; ଏହାଦ୍ୱାରା ବାୟୁମଣ୍ଡଳରେ ଅନ୍ୟାନ୍ୟ ବାଷ୍ପର ମଧ୍ୟ ମିଶ୍ରଣ ଘଟୁଛି। ବୈଜ୍ଞାନିକମାନଙ୍କ ମତରେ ବାୟୁର ଏୟାର କ୍ୱାଲିଟି ଇଣ୍ଡେକ୍ସ ସର୍ବୋଚ୍ଚ ସୀମା ୧୦୦ ମାଇକ୍ରୋଗ୍ରାମ୍‍ ରହିବା ସ୍ଥଳେ ଏହା ୧୦୦ରୁ ଅତିକ୍ରମ କରି ୨୨୦ ରୁ ୨୫୦ ମାଇକ୍ରୋଗ୍ରାମ୍‍ରେ ଆସି ପହଞ୍ଚିଲାଣି ଯାହାକି ମଣିଷର ସ୍ୱାସ୍ଥ୍ୟ ପ୍ରତି ବିପଜ୍ଜନକ ସଂକେତ ବହନ କରୁଛି। ବିଗତ ସତୁରି ଦଶକରେ ଓଡ଼ିଶାରେ ଯେଉଁ ସ୍ୱଚ୍ଛ, ନିର୍ମଳ ବାୟୁ ଚାରିଆଡ଼େ ମିଳୁଥିଲା, ଆଜି ତାହା ଅସ୍ୱାଭାବିକ ଭାବରେ ହ୍ରାସ ପାଇଛି। ବର୍ତ୍ତମାନ ପରସ୍ଥିତିକୁ ଆକଳନ କଲେ ରାଜ୍ୟର ରାଜଧାନୀ ଭୁବନେଶ୍ୱର ସହିତ କଟକ, ରାଉରକେଲା, ବ୍ରହ୍ମପୁର, ବାଲେଶ୍ୱର ଏବଂ ଅନେକ ଛୋଟବଡ଼ ସହରରେ ସ୍ୱଚ୍ଛ ବାୟୁର ଘୋର ଅଭାବ ଦେଖାଯାଉଛି, ଯାହାକି ପରିବେଶକୁ ପ୍ରକାରାନ୍ତରେ ବିନାଶ କରୁଛି। ଏବେ ଓଡ଼ିଶାର ଗାଁ ଗହଳର ଅବସ୍ଥା ମଧ୍ୟ ପରିବେଶ ଦୃଷ୍ଟିରୁ ସନ୍ତୋଷଜନକ ନୁହେଁ। ବୃକ୍ଷ ଓ ପରିବେଶ ନଷ୍ଟ ହେଲେ ତାହା ପ୍ରକାରାନ୍ତରେ ପ୍ରକୃତିର ସ୍ୱାଭାବିକ ନିୟମକୁ ବିରୋଧ କରେ ଏବଂ ଏହା ମନୁଷ୍ୟ ତଥା ପ୍ରାଣୀ ଜଗତକୁ ଭୟଙ୍କର ଭାବରେ ପ୍ରଭାବିତ କରେ। ଖାଦ୍ୟ, ବସ୍ତ୍ର ଓ ପାନୀୟ ଜଳ ପରି ମଣିଷର ସ୍ୱାସ୍ଥ୍ୟ ଓ ବଞ୍ଚିବା ପାଇଁ ପରିବେଶ ଏକ ଅତ୍ୟାବଶ୍ୟକ ଅବସ୍ଥା ଏବଂ ଏହା ସମାନ୍ତରାଳ ଭାବରେ ଗ୍ରହଣ କରାଯାଏ। ଦୂଷିତ ଓ ଅସ୍ୱଚ୍ଛ ପରିବେଶ, ନାନା ପ୍ରକାର ରୋଗବ୍ୟାଧି ବ୍ୟାପିବାରେ ସାହାଯ୍ୟ କରେ। ପ୍ରକାଶଥାଉ କି କୌଣସି ପୁତିଗନ୍ଧମୟ ପରିବେଶକୁ କେହି ଯାଆନ୍ତି ନାହିଁ କିମ୍ବା ଯିବାକୁ ଇଚ୍ଛା କରନ୍ତି ନାହିଁ।

ସ୍ୱଚ୍ଛ ଏବଂ ସୁସ୍ଥ ପରିବେଶ ଦୃଷ୍ଟିରୁ ରାଜଧାନୀ ଭୁବନେଶ୍ୱରର ଅବସ୍ଥା ମଧ୍ୟ ସନ୍ତୋଷଜନକ ନୁହେଁ। ଯାନବାହନର ଉଦ୍‍ବେଗଜନକ ସଂଖ୍ୟା ବୃଦ୍ଧି ଏବଂ ଏଥିରୁ ନିର୍ଗତ ଅଙ୍ଗାରକାମ୍ଳ ଏବଂ ଯବକ୍ଷାରଯାନ ବାୟୁମଣ୍ଡଳକୁ ବିଷାକ୍ତ କରିସାରିଲାଣି। ରାଜଧାନୀ କେନ୍ଦ୍ରସ୍ଥଳରେ ଦୟା ପଶ୍ଚିମକେନାଲ ୧୯୫୦ ମସିହାଠାରୁ କାର୍ଯ୍ୟକାରୀ ହୋଇଥିଲା। ୨୦୦୦ ମସିହା ପର୍ଯ୍ୟନ୍ତ ଏଥିରେ ସ୍ୱଚ୍ଛ ନିର୍ମଳ ଜଳ ପ୍ରବାହିତ ହେଉଥିଲା। ବର୍ତ୍ତମାନ ଏହି କେନାଲର ଜଳ ଭୟଙ୍କର ଭାବରେ ଦୂଷିତ ଏବଂ ଏହା କୋଟି କୋଟି ମାଶାମାଛି, ବିଷାକ୍ତ କୀଟପତଙ୍ଗମାନଙ୍କର ଆଶ୍ରୟସ୍ଥଳୀ। ଏପରି କି ଲୋକେ କେନାଲ ଭିତରକୁ ମଲା କୁକୁର, ବିଲେଇ ଓ ରାସ୍ତାରେ କଟାଯାଉଥିବା ଛେଳି ମାଂସର ପୁଟି ଓ ଟୁକୁଡ଼ା ପକାଇଥାନ୍ତି। ଏହି ଜଳରୁ ଏକ ପ୍ରକାର ଉତ୍କଟ ପୂତିଗନ୍ଧମୟ ପରିବେଶ ସୃଷ୍ଟି ହେଉଛି। ରାଜ୍ୟ ଜଳସେଚନ ବିଭାଗ ଏହି କେନାଲର ଅଧିକାରୀ ଏବଂ କେନାଲ ସଫା କରିବା ପାଇଁ ସେମାନଙ୍କ ପାଖରେ ସମସ୍ତ ସମ୍ବଳ ଅଛି ମାତ୍ର କେଜାଣି କାହିଁକି ସେମାନେ ଏହି କେନାଲକୁ ସଫା କରୁନାହାନ୍ତି। ଏହାଦ୍ୱାରା ସାଧାରଣ ବାସିନ୍ଦାମାନେ ନାନା ପ୍ରକାର ରୋଗର ସମ୍ମୁଖୀନ ହେଉଛନ୍ତି।

ରାଜଧାନୀ ଭୁବନେଶ୍ୱରରେ ଅନେକ ମାନ୍ୟଗଣ୍ୟ ସରକାରୀ ଏବଂ ବେସରକାରୀ ସ୍ତରରେ ଅଭିଜ୍ଞ ସମାଜସେବୀ, ପରିବେଶବିତ୍‍, ଉଚ୍ଚପଦ ପ୍ରାପ୍ତ ସ୍ୱାସ୍ଥ୍ୟ ଅଧିକାରୀ ତଥା ମେଟ୍ରୋସିଟି ବିକାଶ ପାଇଁ ଗୋଟିଏ କ୍ଷମତାପ୍ରାପ୍ତ ଦକ୍ଷ ମ୍ୟୁନିସିପାଲିଟି କର୍ପୋରେସନ ଏବଂ ଭୁବନେଶ୍ୱର ବିକାଶ ପରିଷଦ ରହିଛି ଏବଂ ସର୍ବୋଚ୍ଚ ସ୍ତରରେ ଅଛନ୍ତି ରାଜ୍ୟ ସରକାର। ଏମାନଙ୍କ ମିଳିତ ସହଯୋଗରେ କେନାଲଟି ସଫା ହେବା ଆଶା କରାଯାଏ। ଏହି କେନାଲ ସଫାହେଲେ ରାଜଧାନୀରୁ ଅନ୍ତତଃପକ୍ଷେ ମଶାମାନଙ୍କ ଉପଦ୍ରବ ଅନେକ ପରିମାଣରେ ହ୍ରାସ ହୋଇପାରେ।

୨- କାରଣ ଯାହା ହେଉ ନା କାହିଁକି ପ୍ରତିବର୍ଷ ଓଡ଼ିଶାର ବିଭିନ୍ନ ଜିଲାରେ ଥିବା ଜଙ୍ଗଲରେ ନିଆଁ ଲାଗି ଶହଶହ ଏକର ଜଙ୍ଗଲ,ପୋଡ଼ି ହୋଇ ଧ୍ୱଂସ ପାଇଯାଏ। ଜଙ୍ଗଲ ପୋଡ଼ି ସହିତ ଜଙ୍ଗଲବାସୀ ଜୀବ ଜନ୍ତୁ ସରୀସୃପମାନେ ମଧ୍ୟ ନିଆଁରେ ପୋଡ଼ି ହୋଇ ମରିଥାନ୍ତି। ଜଙ୍ଗଲର ବୃକ୍ଷରାଜି ପ୍ରଭାବିତ ହେବା ସହିତ ପରିବେଶ ନଷ୍ଟ ହୋଇଯାଏ। ଆମ ଲୋକେ ଜଙ୍ଗଲରୁ ବିଭିନ୍ନ ପ୍ରକାର ଜଙ୍ଗଲଜାତ ଦ୍ରବ୍ୟ ଏବଂ ଔଷଧୀୟ ଚେରମୂଳ ଇତ୍ୟାଦି ସଂଗ୍ରହ କରିଥାନ୍ତି। ସେହି ଲୋକମାନଙ୍କ ମଧ୍ୟରୁ ଯଦି କେହି ଅସାବଧାନ ହେତୁ ବିଡ଼ି କିମ୍ବା ସିଗାରୋଟ୍‍ ଖାଇ ଗଛମୂଳରେ ଥିବା ଶୁଖିଲା ପତ୍ର ଉପରେ ପକାଇ ଦିଅନ୍ତି ତାହାଦ୍ୱାରା ମଧ୍ୟ ଜଙ୍ଗଲରେ ନିଆଁ ଲାଗିଯାଏ। ଏହିସବୁ ଛୋଟ ଛୋଟ କାର୍ଯ୍ୟକଳାପ ପ୍ରତି ଦୃଷ୍ଟି ନ ରଖିଲେ ଝିମିଟିଖେଳରୁ ମହାଭାରତ ପରି ଜଙ୍ଗଲ ମଧ୍ୟରେ ପ୍ରଳୟ ସୃଷ୍ଟି ହୋଇପାରେ।

ଓଡ଼ିଶା ସରକାର ଯେପରି କରୋନା ମହାମାରୀ ଠାରୁ ଜନସାଧାରଣଙ୍କୁ ଉପଯୁକ୍ତ ଚିକିତ୍ସା ଦେବାପାଇଁ ଉଦ୍ୟମ ଜାରି ରଖିଛନ୍ତି ଏବଂ ଏହି ମାରାତ୍ମକ ବ୍ୟାଧିକୁ ନିୟନ୍ତ୍ରଣ କରୁଛନ୍ତି, ସେହିପରି ଓଡ଼ିଶାର ସମସ୍ତ ସାଧାରଣ ଜନତା ବୁଦ୍ଧିଜୀବୀ, ଜ୍ଞାନୀ, ବରିଷ୍ଠ ନାଗରିକ, ପରିବେଶବିତ୍‍, ସ୍କୁଲ କଲେଜ ଏବଂ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ଓଡ଼ିଶାରେ ସବୁଜବନାନୀ ସୃଷ୍ଟି କରିବାରେ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ଉତ୍ସାହ ସୃଷ୍ଟି କରିବା ଉଚିତ ମନେହୁଏ।

ବିଗତ ୧୯୯୯ ମସିହା ମହାବାତ୍ୟାରେ ଓଡ଼ିଶାର ବଙ୍ଗୋପସାଗର ସଂଲଗ୍ନ ପୂର୍ବ ଉପକୂଳ କେବଳ ଯେ ବୃକ୍ଷ ବିହୀନ ହୋଇ ଧ୍ୱସ୍ତ ବିଧ୍ୱସ୍ତ ହେଲା ତା ନୁହେଁ, ଉପକୂଳବର୍ତ୍ତୀ ଅନେକ ଜିଲାର ସହର ଓ ଗ୍ରାମାଞ୍ଚଳ ମଧ୍ୟ ଏକ ପ୍ରକାର ବୃକ୍ଷଶୂନ୍ୟ ହୋଇଯାଇଥିଲା। ରାଜ୍ୟରେ ବିପୁଳ ପରିମାଣରେ ଚାରାରୋପଣ ନହେଲେ ସବୁଜ ବନାନୀର ସମ୍ଭାର ସୃଷ୍ଟି ହେବ ନାହିଁ। ଆମ ରାଜ୍ୟର ପ୍ରାୟ ପ୍ରତ୍ୟେକ ଜିଲାରେ ଛୋଟ ବଡ଼ ଅନେକ ବୃକ୍ଷହୀନ (ଲଣ୍ଡା) ପାହାଡ଼ମାନ ଅଛି। ଏହିସବୁ ପାହାଡ଼ର ପାଦଦେଶରେ ଅନେକ ଚାରାରୋପଣ କରାଯାଇ ପାରିବ। ଆଜିକାଲି ନୂଆ ଟେକ୍ନୋଲୋଜି ଅନୁଧ୍ୟାନ କରି ହେଲିକପ୍ଟର ସାହାଯ୍ୟରେ ପାହାଡ଼ ଉପରେ ମଞ୍ଜି ବୁଣି ଶହ ଶହ ଗଛ ସୃଷ୍ଟି କରାଯାଇ ପାରିବ। ରାଜ୍ୟ ସରକାର ବନ ବିଭାଗ ଅଧିକାରୀମାନଙ୍କୁ ପର୍ଯ୍ୟାପ୍ତ ପରିମାଣରେ ଗଛ ଗଛଚାରା ସବୁ ବାଣ୍ଟିବା ପାଇଁ ଦେଇଛନ୍ତି। ଯଦି ସାମାଜିକ ସଚେତନତାକୁ ସମ୍ମାନ ଦେଇ ଯେ କୌଣସି ଗ୍ରାମର ଯେ କୌଣସି ପରିବାର ପ୍ରତ୍ୟେକ ମାସରେ ଗୋଟିଏ ଲେଖାଏଁ ଚାରା ନେଇ ଲଗାଇବେ, ତେବେ ସମଗ୍ର ଓଡ଼ିଶାରେ ଗୋଟିଏ ମାସରେ ଲକ୍ଷାଧିକ ଚାରାରୋପଣ ହେବ ଏବଂ ବର୍ଷ ଶେଷକୁ ଏହା ଲକ୍ଷରୁ ବଢ଼ି କୋଟିଏ ହୋଇଯିବ। କେବଳ ବନ ବିଭାଗ ଅଧିକାରୀ ନୁହେଁ; ବ୍ଲକ୍‍ର ବିଡ଼ିଓ, ତହସିଲଦାରମାନେ ମଧ୍ୟ ଏ କାର୍ଯ୍ୟରେ ସହଯୋଗ କରିପାରିବେ। ଏଥିପାଇଁ ପ୍ରବଳ ଇଚ୍ଛାଶକ୍ତିର ଆବଶ୍ୟକତା ଅନୁଭବ ହୁଏ।

ବୃକ୍ଷର ବିନାଶ ହିଁ ଜୀବଜଗତର ବିନାଶ କରିଥାଏ। ଭାରତବର୍ଷର ଅନ୍ୟାନ୍ୟ ରାଜ୍ୟମାନଙ୍କ ତୁଳନାରେ ଓଡ଼ିଶାରେ ସଂଖ୍ୟାଧିକ ନଦୀ ଦେଖାଯାଏ। ମହାନଦୀ, କାଠଯୋଡ଼ି, ବ୍ରାହ୍ମଣୀ, ବୈତରଣୀ, ଋଷିକୁଲ୍ୟା, ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ନାଗାବଳୀ, ବଂଶଧରା, ତେଲ, ଇବ୍‍, ଦୟା, ଭାର୍ଗବୀ, ବିରୂପା ଏବଂ ଆହୁରି ଅନେକ। ନଦୀ ଉପତ୍ୟକାରେ ଚାରା ରୋପଣ ସହଜସାଧ୍ୟ ଏବଂ ବ୍ୟୟବହୁଳ ନୁହେଁ। ମାଇଲମାଇଲ୍‍ ଦୀର୍ଘ ଉପତ୍ୟକାର ଦୁଇ କୂଳରେ ଅନେକ ଚାରାରୋପଣ ହୋଇପାରିବ ଅବଶ୍ୟ ଓଡ଼ିଶାର ଅନେକ ନଦୀ ଉପତ୍ୟକାର ଘଞ୍ଚଜଙ୍ଗଲ ଏବେ ମଧ୍ୟ ରହିଛି। ମାତ୍ର ତାହା ପର୍ଯ୍ୟାପ୍ତ ପରିମାଣ ନୁହେଁ।

୧୯୮୦ ମସିହାରେ ତତ୍‍କାଳୀନ ରାଜ୍ୟ ସରକାର ଗୋଟିଏ ଗ୍ରାମ୍ୟ ଯୋଜନା ମାଧ୍ୟମରେ ଗ୍ରାମ ଜଙ୍ଗଲ ସୃଷ୍ଟି କରିବାପାଇଁ ପଦକ୍ଷେପ ନେଇଥିଲେ। ଏହି ଯୋଜନା ନିଶ୍ଚିତ ଭାବରେ ଏକ ସ୍ୱାଗତଯୋଗ୍ୟ ଯୋଜନା। ମାତ୍ର ସମୟକ୍ରମେ ଏହାପ୍ରତି ନଜର ଦିଆଗଲା ନାହିଁ, ଯାହାଫଳରେ ଏହି ଯୋଜନାର ଅଗ୍ରଗତି ବାଧାପ୍ରାପ୍ତ ହୋଇଥିଲା।

୩- ପୁନରାୟ ଜଙ୍ଗଲ ଏବଂ ପରିବେଶ ସୁରକ୍ଷା କରିବାକୁ ହେଲେ ବଣର ପଶୁପକ୍ଷୀ, ସରୀସୃପ ଇତ୍ୟାଦି ମାନଙ୍କର ସୁରକ୍ଷା ପ୍ରତି ସର୍ବାଦୌ ଧ୍ୟାନ ଦେବା ଉଚିତ। ଅରଣ୍ୟର ପଶୁପକ୍ଷୀମାନେ ଆମର ଅନେକ ଉପକାର କରିଥା’ନ୍ତି। ପୂର୍ବେ ଲୋକେ ଅରଣ୍ୟ ଭିତରକୁ ଯିବାପାଇଁ ଭୟ କରୁଥିଲେ। କାରଣ ସେମାନେ ହିଂସ୍ରଜନ୍ତୁମାନଙ୍କୁ ଭୟ କରୁଥିଲେ। ଜଙ୍ଗଲ ଧ୍ୱଂସ ପାଇବା ଦ୍ୱାରା ଜଙ୍ଗଲର ବନ୍ୟଜନ୍ତୁମାନଙ୍କ ପ୍ରାକୃତିକ ବାସସ୍ଥଳୀ ନଷ୍ଟ ହେବାକୁ ଲାଗିଲା। ଯାହାଫଳରେ ବନ୍ୟପଶୁମାନେ ଜଙ୍ଗଲ ଛାଡ଼ି ଗାଁଗଣ୍ଡା, ଏପରି କି ସହରମାନଙ୍କ ଭିତରକୁ ଚାଲିଆସୁଛନ୍ତି। ହାତୀର ବାସସ୍ଥଳୀ ନଷ୍ଟ ହେବାଦ୍ୱାରା ହାତୀମାନେ ପ୍ରାୟତଃ ରାଜରାସ୍ତାକୁ ଆସିବାର ନଜିର ରହିଛି, ହାତୀମାନଙ୍କର ପ୍ରାକୃତିକ ଖାଦ୍ୟ ଆଉ ଜଙ୍ଗଲରେ ମିଳୁନାହିଁ। ଯଦି ହାତୀ ଖାଉଥିବା ଖାଦ୍ୟ ଯଥା କଦଳୀ, ପିଜୁଳି, ସପୁରି ଅନ୍ୟାନ୍ୟ ଫଳମୂଳ ସହିତ ପ୍ରଚୁର ପରିମାଣରେ କଅଁଳ ବାଉଁଶ ଗଛ ଓ ପିଇବା ପାଣିର ସୁବିଧା ମିଳନ୍ତା ହୁଏତ ହାତୀମାନେ ବିଲବାଡ଼ିକୁ ଚରାଭୂମି କରିବାକୁ ଆସିବେ ନାହିଁ।

ଓଡ଼ିଶାରେ ବନ୍ୟପ୍ରାଣୀମାନଙ୍କୁ ସୁରକ୍ଷା ଦେବାପାଇଁ ଏବେ ବି ଅନେକ ସଚେତନ, ପରିବେଶ ପ୍ରେମୀ ବ୍ୟକ୍ତିମାନେ ଅଛନ୍ତି। ଗଞ୍ଜାମ ଜିଲାର ବୁଗୁଡ଼ା ଓ ବାଲିପଦର ନିକଟବର୍ତ୍ତୀ ବିସ୍ତୀର୍ଣ୍ଣ ଅଞ୍ଚଳରେ ଏବେ ବି କୃଷ୍ଣସାର ମୃଗମାନେ ଶହଶହ ସଂଖ୍ୟାରେ ଦେଖିବାକୁ ମିଳନ୍ତି। ଧାର୍ମିକ ମନୋବୃତ୍ତି ହେଉ ଅଥବା ପରିବେଶ ସନ୍ତୁଳନ ପାଇଁ ହେଉ ଏଠାରେ କୌଣସି ବ୍ୟକ୍ତି କୃଷ୍ଣସାର ମୃଗମାନଙ୍କୁ ମାରନ୍ତି ନାହିଁ। ଫଳରେ ଏମାନଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି।

ଓଡ଼ିଶାର ଜଙ୍ଗଲଗୁଡ଼ିକରେ ପ୍ରଚୁର ପରିବାଣର ଖଣିଜ ପଦାର୍ଥ ଉପଲବ୍ଧ ହୁଏ। ଯେଉଁ ବ୍ୟକ୍ତିବିଶେଷ ଓ କମ୍ପାନୀମାନେ ଖଣିଜ ପଦାର୍ଥ ଉତ୍ତୋଳନ କରନ୍ତି, ସେମାନେ ଜଙ୍ଗଲରୁ ଗଛକାଟି ଖଣିଜ ପଦାର୍ଥ ନେବାପରେ ସେଠାରେ ଆଉ ଗଛ ଲଗାନ୍ତି ନାହିଁ। ଫଳରେ ଜଙ୍ଗଲ ବୃକ୍ଷଶୂନ୍ୟ ହୁଏ ଓ ପରିବେଶ ନଷ୍ଟ ହୁଏ। ଓଡ଼ିଶାର ଜଙ୍ଗଲଗୁଡ଼ିକରେ ଅନେକ ମୂଲ୍ୟବାନ ଖଣିଜ ପଦାର୍ଥ ଉପଲବ୍ଧ ହୁଏ। ବ୍ୟକ୍ତିଗତ ସ୍ତରରେ ହେଉ କିମ୍ବା କୌଣସି କମ୍ପାନୀ ମାଧ୍ୟମରେ ହେଉ, ଖଣିଜପଦାର୍ଥ ଉତ୍ତୋଳନ ପରେ ନିୟମ ଅନୁଯାୟୀ ଖଣିରେ ଦେଖାଯାଉଥିବା ବିରାଟ ବିରାଟ ଖାଲ ଓ ଗାତକୁ ମାଟିରେ ପୋତି ଗଛ ଲଗାଇବା, କଥା ମାତ୍ର ବାସ୍ତବ କ୍ଷେତ୍ରରେ ଏପରି ନିୟମ କେହି ପାଳନ କରୁନାହାନ୍ତି। ଏହି ବେଆଇନ୍‍ କାର୍ଯ୍ୟପାଇଁ ମଧ୍ୟ ସେମାନଙ୍କୁ ଉପଯୁକ୍ତ ଦଣ୍ଡ ବା ସେମାନଙ୍କଠାରୁ କ୍ଷତିପୂରଣ ଦାବି କରାଯାଇ ନାହିଁ। ଏହି ନିଶ୍ଚିତ ଭାବରେ ଏକ ଅଭାବନୀୟ ଘଟଣା। ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଯେଉଁମାନେ ପରିବେଶ ନଷ୍ଟ କରି ସମାଜର କ୍ଷତି ସାଧନ କରୁଛନ୍ତି ସେମାନଙ୍କୁ କଠିନ ଦଣ୍ଡ ସହ ଅର୍ଥ ଜୋରିମାନା କରାଗଲେ ଭବିଷ୍ୟତରେ ଏପରି କାର୍ଯ୍ୟ କରିବାକୁ ସାହସ କରିବେ ନାହିଁ। ଆମ ରାଜ୍ୟରେ ପ୍ରାୟ ପ୍ରତ୍ୟେକ ସହର ଓ ଗ୍ରାମାଞ୍ଚଳରେ ରାସ୍ତାଘାଟ ନିର୍ମାଣ କାର୍ଯ୍ୟ ଚାଲିଛି। ଏପରି କି ଆଗରୁ ରହିଥିବା ପୁରୁଣା ରାସ୍ତାକୁ ଚଉଡ଼ା କରାଯାଇ ରାସ୍ତାର ଦୁଇପଟେ ଥିବା ଅନେକ ଗଛକୁ କାଟି ଦିଆଯାଇଛି। ବିଗତ ନବକଳେବର ସମୟରେ ଭୁବନେଶ୍ୱର ଓ ପୁରୀ ମଧ୍ୟରେ ଥିବା ଅନେକ ପୁରୁଣା ଗଛକୁ ଏହିପରି ଭାବରେ ଧରାଶାୟୀ କରାଯାଇଥିଲା। ମାତ୍ର ରାସ୍ତା କାର୍ଯ୍ୟ ସରିବା ପରେ ଆଉ ନୂଆଗଛ ଲାଗିଲା ନାହିଁ। ସେହିପରି ବଲାଙ୍ଗିର, ସୋନପୁର, ଦଶପଲ୍ଲା ଓ ନୟାଗଡ଼ ଦେଇ ଯାଇଥିବା ରାସ୍ତାର ଦୁଇ ଧାରରୁ ଅନେକ ଗଛ କାଟିଦିଆ ଯାଇଛି। କେବଳ ଏକାନ୍ତ ସ୍ୱାର୍ଥପର ମନୋବୃତ୍ତି, ଜନ ସଚେତନତାର ଘୋର ଅଭାବ, ବୈଜ୍ଞାନିକ ଦୃଷ୍ଟିକୋଣରୁ ଅଜ୍ଞତା, ଏହିପରି ଅବସ୍ଥାରେ ଆମେ ଆଜି ଓଡ଼ିଶାରେ ଦୟନୀୟ ଅବସ୍ଥାରେ ପରିବେଶ ଧ୍ୱଂସ କରିଆସିଛେ। ଏହିପରି ବୃକ୍ଷଶୂନ୍ୟ ଅବସ୍ଥାକୁ ଆସିବା ପାଇଁ ଆଉ ବେଶୀ ସମୟ ଲାଗିବ ନାହିଁ। ହୁଏତ ଭବିଷ୍ୟତରେ ଶବଦାହ କରିବା ପାଇଁ କାଠ ଖଣ୍ଡେ ମିଳି ନପାରେ।

Comments are closed.