ଏକ ମହାନ ତୀର୍ଥଯାତ୍ରାର ଧାରାବିବରଣୀ

ଡା. ନୀଳମାଧବ ରଥ

ରୋଗ, ଦୁଃଖ, ଯନ୍ତ୍ରଣା, ମହାମାରୀ ଜନିତ ଜୀବନ ମୃତ୍ୟୁର ସଂଘର୍ଷ ମଧ୍ୟରେ, ଦୁଃଖ ନିବାରଣ ନିମନ୍ତେ ଚିକିତ୍ସା କରିବାକୁ ମହାନ ନନ୍ଦିଘୋଷର ନାମକୁ ଯୋଡ଼ି ଆରମ୍ଭ ହେଲା ବଡ଼ ଡାକ୍ତରଖାନା କଟକ​ରେ ଭେଷଜ ମହାବିଦ୍ୟାଳୟ। ଜ୍ଞାନ ବିଜ୍ଞାନ ତଥା ସେବାରୂପୀ ଏ ରଥର ରୂପରେଖ ୧୯୪୪ରେ ତିଆରି ହୋଇଥିଲା ବ୍ରିଟିଶ ରାଜ ସମୟରେ ତଥା ଦ୍ୱିତୀୟ ବିଶ୍ୱଯୁଦ୍ଧର ଶେଷ ସମୟ ଆଡ଼କୁ, ସ୍ୱାଧୀନତା ପୂର୍ବବର୍ତ୍ତୀ ସମୟରେ। ୧୮୦୩ରୁ ପଶୁ ଓ ସୈନ୍ୟସେବା, ୧୮୧୦ରୁ ଆଧୁନିକ ଚିକିତ୍ସାସେବା, ୧୯୧୦ରୁ କଟକ ମେଡ଼ିକାଲ ସ୍କୁଲ ସହ ତା’ର ଉନ୍ନତି ହୋଇ ୧୯୪୪ରୁ ମେଡ଼ିକାଲ୍‍ କଜେଲ ବା ଭେଷଜ ମହାବିଦ୍ୟାଳୟ। ପ୍ରାତଃସ୍ମରଣୀୟ ଗୋଦାବରୀଶ ମିଶ୍ରଙ୍କ ଉଦ୍ୟମ ତଥା ମୟୂରଭଞ୍ଜ ମହାରାଜା, ଦେଶଭକ୍ତ ଶ୍ରୀରାମଚନ୍ଦ୍ର ଭଞ୍ଜଙ୍କ ଆର୍ଥିକ ସାହାଯ୍ୟରେ ଏହାର ଭିତ୍ତିଭୂମି ଗଢ଼ି ଉଠିଥିଲା। ଓଡ଼ିଶା ଭୂଖଣ୍ଡର ଆଧୁନିକ ଚିକିତ୍ସା କେନ୍ଦ୍ର ଓ ମହାତୀର୍ଥ ହେଲା ଶ୍ରୀରାମଚନ୍ଦ୍ର ମହାବିଦ୍ୟାଳୟ। ଏବେ ବି ନବେ ପ୍ରତିଶତ ଗରିବ, ଅସହାୟ ରୋଗଗ୍ରସ୍ତ ଜନତାଙ୍କର ଆଶା ଭରସା, ଚିକିତ୍ସାର ଶେଷ ଠିକଣା ହେଲା ଏହି ମହାବିଦ୍ୟାଳୟ। ସମସ୍ତ ବିଭାଗରେ ସ୍ନାତକୋତ୍ତର ବିଭାଗ, ବିନା ମୂଲ୍ୟରେ ଔଷଧ, ଅତ୍ୟାଧୁନିକ ଯନ୍ତ୍ର ତିକିତ୍ସା ପ୍ରଣାଳୀରେ ଏହା ଉନ୍ନତ। କରୋନା ମହାମାରୀରେ ସଘନ ଚିକିତ୍ସା, ଭେଣ୍ଟିଲେଟର ଏକ୍‍ମୋ ଚିକିତ୍ସା, ଲେଜର ଓ ଗାମା କିରଣ ଦ୍ୱାରା ଅପରେସନ, କର୍କଟ, ଶିଶୁ ମାନସିକ ହୃତ୍‍ପିଣ୍ଡ ବିଭାଗର ଉନ୍ନତି ଓ ଭବ୍ୟ ଏମ୍ସପ୍ଲସର ନିର୍ମାଣ କଳ୍ପନା ଏହାକୁ ବିଶ୍ୱସ୍ତରୀୟ କରିବାକୁ ପ୍ରଚେଷ୍ଟା ପାଇଁ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି-ରାଜ୍ୟର ସମସ୍ତ ଜନସାଧାରଣ।

ମେଡ଼ିକାଲ ସ୍କୁଲ, କଲେଜ ଓ ୧୯୬୦-୭୦ ଦଶକରେ ନୂତନ ବିଭାଗ, ନୂତନ ଅଟ୍ଟାଳିକା ଓ ୨୦୧୦ରୁ ୨୦୨୦ ମଧ୍ୟରେ ବୈପ୍ଳବିକ ଭିତ୍ତିଭୂମି ଓ ବିକାଶର ପରାକାଷ୍ଠା ଆମେ ଦେଖିଛେ। ସ୍ୱତନ୍ତ୍ର ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସମୟରେ ଉପକୂଳର ମହାନଦୀ ପୋଲ ତଥା ରାଜପଥ ନିର୍ମାଣ ହେବାରୁ କଟକ ମେଡ଼ିକାଲ୍‍କୁ ଦୂରଦୂରାନ୍ତ ରୋଗୀ ଆସିପାରିଲେ। ୧୯୪୪ରେ ପ୍ରଥମ ଏମ୍‍ବିବିଏସ୍‍ ବ୍ୟାଚ ପ୍ରବେଶ କରିଥିଲା ୧୯୪୮ରେ ଭେଷଜ ମହାବିଦ୍ୟାଳୟ ଓ ଓଡ଼ିଶାର ପ୍ରଥମ ଶ୍ରେଷ୍ଠ ସ୍ନାତକ ଭାବରେ ଡାକ୍ତର ପାର୍ଥ ରାଓ ପାସ କରିଥିଲେ। ସେତେବେଳେ ସ୍ନାତକୋତ୍ତର ବିଭାଗ ଆରମ୍ଭ ହୋଇ ନଥିଲା। ପାଟଣା, ଦରଭଙ୍ଗା, କଲିକତା, ବମ୍ବେ, ଲକ୍ଷ୍ନୌ, ବାଙ୍ଗାଲୋର, ମାଡ୍ରାସ ଆଦିରୁ ଓଡ଼ିଶାର ଉଚ୍ଚ ଡାକ୍ତରୀ ପଢ଼ି ଫେରିଥିବା ଡାକ୍ତରମାନେ ଶ୍ରୀରାମଚନ୍ଦ୍ର ମହାବିଦ୍ୟାଳୟରେ ୧୯୫୫ରୁ ୧୯୬୫ ମଧ୍ୟରେ ଅଧିକାଂଶ ସ୍ନାତକୋତ୍ତର ବିଭାଗ ଆରମ୍ଭ କଲେ। ଛାତ୍ରମାନେ ଧନୀକ ଶ୍ରେଣୀରୁ ଆସୁଥିଲେ ଓ ମେଧାବୀ ଗରିବ ଛାତ୍ର ଜାତୀୟ ଶିକ୍ଷାବୃତ୍ତି ବା ଜାତୀୟ ଋଣ ଶିକ୍ଷା ବୃତ୍ତି ପାଇ ଆସୁଥିଲେ।

ପିଲାଦିନେ ମୃତ୍ୟୁମୁଖରୁ ବଞ୍ଚାଇଥିବା ଧର୍ମଶାଳାର ପ୍ରଥମ ଏମ୍‍ବିବିଏସ୍‍ ଡାକ୍ତରଙ୍କୁ ଦେଖି ମୁଁ ତାଙ୍କ ଭଳି ଜଣେ ଜୀବନଦାନକାରୀ ଡାକ୍ତର ହେବାର କଳ୍ପନା ଓ ପ୍ରତିଜ୍ଞା କରିଥିଲି। ୧୯୬୨ ଚୀନ ସହ ଯୁଦ୍ଧ ଓ ୧୯୬୫ରେ ପାକିସ୍ତାନ ଯୁଦ୍ଧ ପରେ ୧୯୬୪-୬୫ରେ ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ହଠାତ ଏ ବିଦ୍ୟାଳୟରେ ୨୫୦, ବ୍ରହ୍ମପୁରରେ ୧୫୦ ଓ ବୁର୍ଲାରେ ଏକଶହ ଛାତ୍ର ସଂଖ୍ୟା ବୃଦ୍ଧି କରିଥିଲେ। ଓଡ଼ିଶାର ମାତ୍ର ୬୨୬ ଓ ମେଡ଼ିକାଲରେ ପ୍ରାୟ ୩ଶହ ଡାକ୍ତର ପୋଷ୍ଟ ଥିଲା। ୧୯୭୩ ମସିହାରୁ ୧୯୮୩ ପର୍ଯ୍ୟନ୍ତ ମୁଁ ଏ ମହାବିଦ୍ୟାଳୟର ସ୍ନାତକ ଓ ସ୍ନାତକୋତ୍ତର ଛାତ୍ର ଥିଲି। ଏଠାରେ ଶେଷ ୧୧ବର୍ଷ ପାଇଁ ପ୍ରଫେସର ଓ ବିଭାଗୀୟ ମୁଖ୍ୟ ଓ ମାନସିକ ପ୍ରତିଷ୍ଠାନର ନିର୍ଦେଶକ ଦାୟିତ୍ୱରେ ଥିଲି। ଶିଶୁ ବିଭାଗର ପ୍ରଫେସର ଗୋପାଳଚନ୍ଦ୍ର ଦାସ, ପ୍ରଫେସର ଭରତ ମହନ୍ତ, ପ୍ରଫେସର ବି ଅହମ୍ମଦ, ପ୍ରଫେସର ଗିରି, ମ୍ୟାଡାମ୍‍ ସୁବର୍ଣ୍ଣାଦେବୀ ଶିଶୁ ଶଲ୍ୟ ବିଭାଗର ପ୍ରଫେସର ପ୍ରଭାସ ସୁବୁଦ୍ଧି, ପ୍ରଫେସର-ମହାନ୍ତି, ପ୍ରଫେସର ସରୋଜ ଶତପଥୀ, ପ୍ରଫେସର ଦୁର୍ଯ୍ୟୋଧନ ସାମଲ ଶିଶୁଭବନ ଓ ଶିଶୁବିଭାଗର ଅଦ୍ଭୂତପୂର୍ବ ଉନ୍ନତି ସାଧନ କରିଛନ୍ତି। ବିଗତ ଦ୍ୱିତୀୟ କରୋନା ଲହରୀ ଭୟଙ୍କର ଥିଲା। ଏ ଭେଷଜ ମହାବିଦ୍ୟାଳୟର ସ୍ୱନାମଧନ୍ୟ, ବୃକକ ବିଭାଗର ପ୍ରଫେସର ଓ ଅଧୀକ୍ଷକ ଏବଂ ପ୍ରଫେସର ଚିତ୍ତରଞ୍ଜନ କର କୋଭିଡ୍‍ ରୋଗୀଙ୍କ ତତ୍ତ୍ୱାବଧାନରୁ ସହିଦ ହେବା ଏକ ମାର୍ମନ୍ତିକ ଘଟଣା। ଦେଶ ପାଇଁ ଯୁଦ୍ଧଠୁ ମହାମାରୀ ଓ ତୃତୀୟ ଲହରୀରେ ଆମେ ଆତଙ୍କିତ ହେବାବେଳେ ମହାବିଦ୍ୟାଳୟର ପ୍ଲାଟିନମ୍ ଜୁବିଲି ପାଳନ ଏ ମହାନ୍‍ ତୀର୍ଥ ଯାତ୍ରା ଆହୁରି ଆଗକୁ ଯିବାର ଆହ୍ବାନ ଦେଉଛି। ଏହାର ଉଦ୍ୟୋକ୍ତା ସ୍ୱନାମଧନ୍ୟ ପ୍ରଫେସର ଦତ୍ତେଶ୍ୱର ହୋତା, ପ୍ରଫେସର ମ୍ୟାଡାମ୍‍ ଲୁସି ଦାସ-ଯାହାଙ୍କ ବାପା ବି ଏ ଡାକ୍ତରଖାନାର ପ୍ରଫେସର ଥିଲେ- ତାଙ୍କୁ ଏ କାର୍ଯ୍ୟ ନିବୃତ୍ତ ସହଯାତ୍ରୀର ଗଭୀର ସାଧୁବାଦ।

୧୯୬୧ ମସିହାରେ ପ୍ରଥମ ଶ୍ରେଣୀରେ ଅଳ୍ପ ଅଳ୍ପ ପଢୁଥିଲାବେଳେ ଉତ୍କଳମଣି ଗୋପବନ୍ଧୁଙ୍କ ‘ସମାଜ’ର ସମ୍ପାଦକଙ୍କ କଲମରୁ-ଶୀର୍ଷକ ଗୋଟାଏ ଖବର ମତେ ଆଶ୍ଚର୍ଯ୍ୟ ଚକିତ କରୁଥିଲା- “ବଡ଼ ମେଡ଼ିକାଲରେ ବିଲୁଆ ଶାଗୁଣାଙ୍କ ଉତ୍‍ପାତ।” ମୁଁ ଆଉଟ୍‍ଡୋର ନାକ ଚିକିତ୍ସା ପାଇଁ ଆସିଥିଲି। ମୋର ଦିବଂଗତ ମାମୁ ପ୍ରଫେସର ବିଭୂତି ତ୍ରିପାଠୀଙ୍କର ଓ ଡାକ୍ତର ଧର୍ମାରାଓ ପଟ୍ଟନାୟକ ମୋର ମେଡ଼ିକାଲ ଆଡ୍‍ମିସନବେଳେ ୧୯୭୩ରେ ଏ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରିନ୍‍ସିପାଲ ଥିଲେ। ସେତେବେଳେ ମୋ ବାପାଙ୍କୁ ପଚାରିଥିଲେ କ’ଣ ମେଡ଼ିକାଲ ଭିତରେ ଆମ ଗାଁ ଆଖୁବିଲ ଓ ନଦୀକୂଳ ଗାଁ ମଶାଣି ପରି ବିଲୁଆ ଓ ଶାଗୁଣା ବଡ଼ମେଡ଼ିକାଲକୁ ପଶି ଆସୁଛନ୍ତି।

ଆକ୍ଷରିକ ଭାବରେ ତା ନୁହେଁ – ସେ ବୁଝାଇଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର
“ଜାତି ନନ୍ଦିଘୋଷ ଚଳିବ କି ଭାଇ,ସ୍ୱାର୍ଥକୁ ସାରଥି କଲେ। ଟାଣେ କିରେ ଗାଡ଼ି-ଦାନାର ତୋବଡ଼ା, ଘୋଡ଼ା ମୁହେଁ ବନ୍ଧା ଥିଲେ। ଜାତିର ଉନ୍ନତି ସେ କାହୁଁ କରିବ, ସ୍ୱାର୍ଥେ ବ୍ୟସ୍ତ ଯାର ମନ। ବିଲୁଆ ଶାଗୁଣା ଚିକିତ୍ସକ ହେଲେ, ଶବ କି ପାଇବ ପ୍ରାଣ।” ଶୋଷଣ, ଲୁଣ୍ଠନ ଅର୍ଥପିପାସୁ ବ୍ୟକ୍ତିତ୍ୱ ଡାକ୍ତର ନ ହୋଇ ଜଘନ୍ୟ ବେପାରୀ କଳାବଜାରୀ ହୋଇପାରେ, ସେ ରୋଗ ଯନ୍ତ୍ରଣାରେ ପୀଡ଼ିତ ଆହତ ଆତୁରର ଲୁହ ପୋଛିବାର ବା ତାକୁ ଚିକିତ୍ସା କରିବାର ଅଧିକାର ହରାଇଥାଏ। ଜ୍ଞାନ ବିଜ୍ଞାନ ଆତ୍ମୀୟତା ଶ୍ରଦ୍ଧା, ସଦ୍‍ ବ୍ୟବହାର ବିନା ଡାକ୍ତରୀ ଦୈବବିଦ୍ୟା ତା’ର ପବିତ୍ରତା ଓ ମହତ୍ତ୍ବ ହରାଇଥାଏ। ଜଣେ ଦେବତାର ହୃଦୟ ନେଇ, ମଣିଷକୁ ଦେବତା ଭାବି ଭକ୍ତିପୂତ ହୋଇ ଜଣେ ପ୍ରାଣୀ ଦୁଃଖୀ ରୋଗୀ ମନୁଷ୍ୟର ସେବା କରିପାରେ। ସହାନୁଭୂତି ନିଃସ୍ୱାର୍ଥପର ସେବା ସହିତ ଜ୍ଞାନ ବିଜ୍ଞାନ ଓ ଆଧ୍ୟାତ୍ମିକତାର ମିଳନ ହିଁ ଚିକିତ୍ସା ବିଜ୍ଞାନର ଭିତ୍ତିଭୂମି।

ଭେଷଜ ମହାବିଦ୍ୟାଳୟର ଏ ପ୍ଲାଟିନମ ଜୁବିଲି। ପ୍ଲାଟିନମ୍‍ ଏକ ଧାତୁ-ଯାହାର ଶୁଦ୍ଧତା ବଦଳେ ନାହିଁ-ଚନ୍ଦନ ପରି କେବେ ବିଷାକ୍ତ ସାପ ମେଳରେ ବିଷାକ୍ତ ହୁଏ ନାହିଁ-ଜୀବନ ମୃତ୍ୟୁକୁ ପରଖୁ ଥିବା ଏ ଅନୁଷ୍ଠାନ ଆହୁରି ଉନ୍ନତି କରୁ। ଏ ଘୋଷ ଯାତ୍ରାରେ ଭାବର ଅଭାବ ନ ଆସୁ। ଏହା ହିଁ ପ୍ରାର୍ଥନା। ମୋତେ ଡାକ୍ତର ଭାବେ ଗଢ଼ି ତୋଳିଥିବା ଓଡ଼ିଶାର କର୍ମଭୂମି ଥିବା ମୋର ଏ ପବିତ୍ର ଅନୁଷ୍ଠାନକୁ ମୁଁ ଅଭିନନ୍ଦନ ଜଣାଉଛି। ଏ ମହାନତୀର୍ଥକୁ ଭୂମିଷ୍ଠ ପ୍ରଣାମ କରୁଛି।

Comments are closed.