ଖାଦ୍ୟ ସୁରକ୍ଷା ଆଇନ​ରେ ସଂସ୍କାର ଜରୁରୀ

ଲଳିତ ମୋହନ ମିଶ୍ର

ମିଳିତ ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ତଥ୍ୟ ଅନୁଯାୟୀ ବିଶ୍ୱର ୮୦ଟି ଦେଶରେ ଥିବା ପ୍ରାୟ ୬୯ କୋଟି ଲୋକେ ପ୍ରତିଦିନ ବିନା ଖାଦ୍ୟରେ ରାତ୍ରିଯାପନ କରୁଛନ୍ତି। ତେଣୁ ମିଳିତ ଜାତିସଂଘର ‘ନିରନ୍ତର ବିକାଶ ଲକ୍ଷ୍ୟ-୨୦୩୦’ରେ ଦୁଇ ନମ୍ବର ଲକ୍ଷ୍ୟ ରୂପେ ବିଶ୍ୱରୁ କ୍ଷୁଧା ନିରାକରଣକୁ ଗୁରୁତ୍ୱ ଦିଆଯାଇଛି। ଭାରତ ସରକାର ୨୦୧୩ରେ ସମଗ୍ର ଦେଶ ପାଇଁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ପ୍ରଣୟନ କରି, ଦେଶର ୨୩.୬୪ କୋଟି ପରିବାରର ପ୍ରାୟ ୮୦ କୋଟି ଲୋକଙ୍କ ପାଖରେ ମାସକୁ ମାସ ଚାଉଳ ବା ଗହମ ବା ଅନ୍ୟ ମୋଟା ଶ୍ୱେତସାର ଖାଦ୍ୟଶସ୍ୟ ରିଆତି ଦରରେ ପହଞ୍ଚିବା ସୁନିଶ୍ଚିତ କରିପାରିିଛନ୍ତିି। କରୋନା କାଳରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରମାନେ ଅତିରିକ୍ତ ମାଗଣା ଖାଦ୍ୟ ସାମଗ୍ରୀ ଓ ଆର୍ଥିକ ସହାୟତା ଏହି ହିତାଧିକାରୀମାନଙ୍କୁ ପ୍ରଦାନ କରି ଗରିବଙ୍କ ଜୀବନ ସୁରକ୍ଷିତ କରିପାରିିଛନ୍ତି।

କ୍ଷୁଧା ପ୍ରପୀଡ଼ିତ ପ୍ରାପ୍ତବୟସ୍କ ଲୋକଙ୍କୁ କ୍ୟାଲୋରୀ ଖାଦ୍ୟଶସ୍ୟର ନିଶ୍ଚିତ ଯୋଗାଣ କରିବା ସହିତ ଏହି ଆଇନରେ ଗର୍ଭବତୀ ଓ ସଦ୍ୟ ମାତୃତ୍ୱ ଗ୍ରହଣ କରିଥିବା ମହିଳାଙ୍କୁ ମାଗଣା ଖାଦ୍ୟ, ଆର୍ଥିକ ସହାୟତା ପ୍ରଦାନ କରିବାର ବ୍ୟବସ୍ଥା ଅଛି। ଏହା ବ୍ୟତୀତ ୬ମାସରୁ ୧୪ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ ଅଙ୍ଗନବାଡ଼ି କେନ୍ଦ୍ର ଏବଂ ବିଦ୍ୟାଳୟରେ ମାଗଣା ପୁଷ୍ଟିକର ଖାଦ୍ୟପ୍ରଦାନର ବ୍ୟବସ୍ଥା କରାଯାଇଛି। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାବଳୀ କଟକଣା ଯୋଗୁ ବାଦ୍‍ ପଡ଼ିଥିବା ଗରିବ ଲୋକଙ୍କ ପାଇଁ କେତେକ ରାଜ୍ୟ ସରକାର ନିଜର ଖାଦ୍ୟ ସୁୁରକ୍ଷା ଯୋଜନା ପ୍ରଣୟନ କରିବା ସହିତ ହିତାଧିକାରୀଙ୍କ ଉପରେ ଆର୍ଥିକ ବୋଝ ହ୍ରାସ କରିବା ପାଇଁ କେନ୍ଦ୍ର ରିଆତି ସହିତ ମିଶାଇ ଅତିରିକ୍ତ ରାଜ୍ୟରିଆତି ପ୍ରଦାନ କରୁଛନ୍ତି। ଓଡ଼ିଶା ସରକାର କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାବଳୀ ଯୋଗୁଁ ବାଦ୍‍ ପଡ଼ିଥିବା ଗରିବ ଲୋକଙ୍କ ପାଇଁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ପ୍ରଣୟନ କରିବା ସହିତ ହିତାଧିକାରୀଙ୍କୁ କିଲୋ ପିଛା ୧ ଟଙ୍କା ଦରରେ ଚାଉଳ ପ୍ରଦାନ କରୁଛନ୍ତି। ଗତ ବିଧାନସଭା ମୌସୁମି ଅଧିବେଶନରେ ବିଭାଗ ତରଫରୁ ପ୍ରଦତ୍ତ ସୂଚନା ଅନୁଯାୟୀ ଉଭୟ କେନ୍ଦ୍ର ଏବଂ ରାଜ୍ୟ ଯୋଜନାରେ ଓଡ଼ିଶାର ପ୍ରାୟ ୯୨ ଲକ୍ଷ ପରିବାରର ୩, ୩୫, ୬୧, ୯୭୮ ହିତାଧିକାରୀ ଉପକୃତ ହେଉଛନ୍ତି।

ଦେଶର କ୍ଷୁଧାର୍ତ୍ତ ଲୋକଙ୍କର ସଂଜୀବନୀ ରୂପେ ପରିଗଣିତ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ କିନ୍ତୁ ଆନ୍ତର୍ଜାତିକ ସ୍ତରରେ ବିଶ୍ୱ ବାଣିଜ୍ୟ ସଂଗଠନର କଟକଣାର ସମ୍ମୁଖୀନ ହେଉଛି। ଯଦି ଆଗକୁ ବିଶ୍ୱ ବାଣିଜ୍ୟ ସଂଗଠନର ଆଭିମୁଖ୍ୟ କଠୋର ହୁଏ ତେବେ ନାଗରିକଙ୍କୁ ଏତେ ପରିମାଣର ରିଆତି ଖାଦ୍ୟ ଶସ୍ୟ ପ୍ରଦାନ କରିବା କଷ୍ଟ ହୋଇପଡ଼ିବ। ଦ୍ୱିତୀୟରେ ହିତାଧିକାରୀମାନଙ୍କ ସଂଖ୍ୟାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି। ତୃତୀୟରେ ଜନସାଧାରଣଙ୍କୁ କ୍ୟାଲୋରୀ ବିଶିଷ୍ଟ ଶ୍ୱେତସାର ଖାଦ୍ୟ ସହିତ ପୁଷ୍ଟିସାର ଖାଦ୍ୟ ନ ଦିଆଯାଇଥିବାରୁ ବିଶ୍ୱର ଖାଦ୍ୟ ସମୀକ୍ଷାରେ ଭାରତକୁ ବିଶେଷ ସମ୍ମାନ ମିଳୁନାହିଁ। ଭାରତରେ ଯେ କୌଣସି ଜନମଙ୍ଗଳ ଯୋଜନା ବା ସଂରକ୍ଷଣ ଯୋଜନା ଆରମ୍ଭ ହେଲେ ଏହା ପରେ ବନ୍ଦ ନହୋଇ ଭୋଟ-ତୁଷ୍ଟୀକରଣ ଯୋଜନାରେ ପରିଣତ ହେବା ଯୋଗୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ଯୋଜନାର ସଂସ୍କାର ବିଷୟରେ ବିତର୍କ ଆରମ୍ଭ ହେଲାଣି।

ପ୍ରଥମେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ​‌େଯାଗାଇ ଦିଆଯାଉଥିବା ଖାଦ୍ୟର ଉପାଦାନ ଏବଂ ଏହାର ପରିମାଣ ଉପରେ ଆଲୋଚନା କରିବା। ସୁଷମ ଖାଦ୍ୟରେ ଶ୍ୱେତସାର, ପୁଷ୍ଟିସାର, ସ୍ନେହସାର, ଭିଟାମିନ୍‍ ପ୍ରଭୃତି ଉପାଦାନ ଥିବାବେଳେ ଖାଦ୍ୟ ସୁରକ୍ଷା ଯୋଜନାରେ ପ୍ରାପ୍ତବୟସ୍କ ଲୋକଙ୍କୁ କେବଳ ଚାଉଳ, ଗହମ ପରି ଶ୍ୱେତସାର ଖାଦ୍ୟ ଦିଆଯାଉଛି, ଯାହା ଜଣେ ବ୍ୟକ୍ତିର ଶରୀରର ବିକାଶ ପାଇଁ ଯଥେଷ୍ଟ ନୁହେଁ। ତେଣୁ ଶିଶୁ ଓ ଗର୍ଭବତୀ ମାତାଙ୍କ ସହିତ ସାଧାରଣ ଲୋକଙ୍କୁ ପୁଷ୍ଟିସାର, ସ୍ନେହସାର ଓ ଭିଟାମିନ୍‍ ଖାଦ୍ୟ ଉପାଦାନ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ପ୍ରଦାନ କରିବା ପାଇଁ ଦାବି ହେଉଛି। ସେହିପରି ଅନ୍ତୋଦୟ ଯୋଜନା ହିତାଧିକାରୀ ବ୍ୟତୀତ ସବୁ ହିତାଧିକାରୀଙ୍କୁ ମାସକୁ ୫ କିଲୋରୁ ଅଧିକ ଚାଉଳ ଦେବାକୁ ଦାବି ହେଉଛି।

ଦ୍ୱିତୀୟ ସଂସ୍କାର କ୍ଷେତ୍ର ହେଲା ହିତାଧିକାରୀଙ୍କ ସଂଖ୍ୟା। ୨୦୧୩ରେ ଖାଦ୍ୟ ସୁରକ୍ଷା ଆଇନର ପ୍ରଣୟନ ପୂର୍ବରୁ ବିପିଏଲ ବା ଗରିବ ହିତାଧିକାରୀମାନଙ୍କ ପାଇଁ ରିଆତି ଦରରେ ଖାଦ୍ୟ ଶସ୍ୟ ପ୍ରଦାନ କରାଯାଉଥିଲା। ଏହି ସମୟରେ ମାପକାଠି ଥିଲା ଦାରିଦ୍ର୍ୟ। ଏବେ ଅନ୍ତୋଦୟ ଯୋଜନା ହିତାଧିକାରୀ ବ୍ୟତୀତ ସବୁ ହିତାଧିକାରୀଙ୍କ ପାଇଁ ‘ଅଗ୍ରାଧିକାର ପରିବାର’ ନାମରେ ନୂଆ ସଂଜ୍ଞା ନିରୂପଣ ହୋଇଛି ଏବଂ ନୂଆ ମାପକାଠି କେନ୍ଦ୍ର ଜାରି କରିଛି, ଯାହାକୁ ଆଧାର କରି ଦେଶର ଗ୍ରାମାଞ୍ଚଳର ୭୫% ଓ ସହରାଞ୍ଚଳରୁ ୫୦% ହିତାଧିକାରୀ ସୀମା ରହିଛି। ତେବେ ୧୪ଟି ରାଜ୍ୟରେ ସହରାଞ୍ଚଳ ହିତାଧିକାରୀ ଏହି ସହରାଞ୍ଚଳ ସୀମାଠାରୁ ଅଧିକ ଅଛନ୍ତି ଏବଂ ୧୫ଟି ରାଜ୍ୟରେ ଗ୍ରାମାଞ୍ଚଳ ହିତାଧିକାରୀମାନେ ଧାର୍ଯ୍ୟ ଗ୍ରାମାଞ୍ଚଳ ସୀମାଠାରୁ ଅଧିକ ଅଛନ୍ତି। ଓଡ଼ିଶାରେ ୮୨.୧୭% ଗ୍ରାମୀଣ ଓ ୫୫.୭୭% ସହରୀ ହିତାଧିକାରୀ ଅଛନ୍ତି। ଗଜପତି, କନ୍ଧମାଳ, ଅବିଭକ୍ତ କୋରାପୁଟ, ମୟୂରଭଞ୍ଜ ପ୍ରଭୃତି ଜିଲାରେ ୯୦%ରୁ ଅଧିକ ଗ୍ରାମୀଣ ହିତାଧିକାରୀ ଅଛନ୍ତି। ତେବେ ଗତ ଫେବୃଆରୀ ମାସରେ ନିତି ଆୟୋଗ, ଦେଶର ଗ୍ରାମାଞ୍ଚଳ ହିତାଧିକାରୀ ସୀମାକୁ ୭୫%ରୁ ୬୦%କୁ ଏବଂ ସହରାଞ୍ଚଳ ହିତାଧିକାରୀ ସଂଖ୍ୟାକୁ ୫୦%ରୁ ୪୦%କୁ କମାଇବାକୁ କେନ୍ଦ୍ରକୁ ପ୍ରସ୍ତାବ ଦେଇଛନ୍ତି। ସେହିପରି ଏହା ପୂର୍ବରୁ ଭାରତ ଖାଦ୍ୟ ନିଗମ ସଂସ୍କାର ବିଷୟରେ ଗଠିତ ଶାନ୍ତା କୁମାର କମିଟି, ହିତାଧିକାରୀଙ୍କ ମୋଟ ସଂଖ୍ୟା ୪୦%କୁ କମାଇ ଦେଲେ ବି ଦେଶର ସମସ୍ତ ଗରିବ ଲୋକ ଉପକୃତ ହେବେ ବୋଲି କହିଛନ୍ତି। ଏଠାରେ ସ୍ମରଣ କରାଯାଇପାରେ ଯେ ୨୦୨୦-୨୧ରେ ଦେଶର ଖାଦ୍ୟ ରିଆତି ପ୍ରାୟ ୪,୨୨,୬୧୮ କୋଟିରେ ପହଞ୍ଚିଛି। ସମାଜବାଦୀ ତଥା ବାମପନ୍ଥୀଙ୍କର ଯୁକ୍ତି ହେଲା, ଯଦି ଶିଳ୍ପପତିମାନେ କୋଟି କୋଟି ଟଙ୍କା ଟିକସ ଓ ବିଭିନ୍ନ ବାଟରେ ରିଆତି ପାଉଛନ୍ତି ତେବେ ଗରିବଙ୍କୁ ଏତିକି ମାତ୍ର ଟଙ୍କା ରିଆତି ଦେବାକୁ ସରକାର ପଛଘୁଞ୍ଚା ଦେବେ କାହିଁକି? ଏହା ସହିତ, ନିତି ଆୟୋଗ ଖାଦ୍ୟ ଶସ୍ୟର ଦର ବୃଦ୍ଧି କରିବାକୁ ମଧ୍ୟ ପ୍ରସ୍ତାବ ଦେଇଛନ୍ତି।

ଅନ୍ୟ ଏକ ସଂସ୍କାର କ୍ଷେତ୍ର ହେଲା ଖାଦ୍ୟ ସାମଗ୍ରୀ ବଣ୍ଟନରେ ସ୍ୱଚ୍ଛତା। ଖାଦ୍ୟ ସୁରକ୍ଷା ଆଇନରେ ଭିଜିଲାନ୍ସ କମିଟି, ସାମାଜିକ ଅଡିଟ୍‍ ପ୍ରଭୃତି ବିଷୟରେ ଉଲ୍ଲେଖ ଅଛି; କିନ୍ତୁ ରାଜ୍ୟଗୁଡ଼ିକ ଏହାକୁ ଅଧିକ ଗୁରୁତ୍ୱ ଦେଉନଥିବା ଜଣାପଡ଼ିଛି। ଏବେ ହିତାଧିକାରୀଙ୍କର ତାଲିକା ଓ ନେଣଦେଣ ଡିଜିଟାଲ ହେବା ଫଳରେ ଏବଂ ‘ଏକ ଦେଶ -ଏକ ରାସନ’ କାର୍ଯ୍ୟକ୍ରମ ପ୍ରଣୟନ ହେବା ଫଳରେ ନକଲି ହିତାଧିକାରୀ ଅପସାରଣ ହେବା ସହିତ ହିତାଧିକାରୀଙ୍କୁ ସୁବିଧା ହୋଇଛି। ଓଡ଼ିଶାରେ ଖାଦ୍ୟ ସୁରକ୍ଷା ଆଇନ ଅନୁସାରେ ରାଜ୍ୟ ଖାଦ୍ୟ କମିସନ କାର୍ଯ୍ୟ କରୁଛନ୍ତି। ଆଇ.ଆଇ.ଟି ଭୁବନେଶ୍ୱର ଦ୍ୱାରା କରାଯାଇଥିବା ୨୦୧୯-୨୦ ଚତୁର୍ଥ ତ୍ରୈମାସିକ ସମୀକ୍ଷାରେ ଯେଉଁ କେତେକ ସମସ୍ୟା ଚିହ୍ନଟ ହୋଇଥିଲା ସେଥିମଧ୍ୟରୁ ଥିଲା ହିତାଧିକାରୀମାନଙ୍କ ମଧ୍ୟରେ ଚେତନା ଅଭାବ, ଜିଲା ଓ ସୁଲଭ ଦୋକାନ ସ୍ତରରେ ଭିଜିଲାନ୍ସ କମିଟି କାର୍ଯ୍ୟ ନ କରିବା ଓ ଅଭିଯୋଗ ସମାଧାନ ବ୍ୟବସ୍ଥାରେ କେତେକ ଦୁର୍ବଳତା। ସେହିପରି ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ତରଫରୁ ୨୦୧୯ରେ ଆଗତ ଏକ ଜନସ୍ୱାର୍ଥ ମାମଲାର ବିଚାର କରି ଓଡ଼ିଶା ଉଚ୍ଚ ନ୍ୟାୟାଳୟ ରାଜ୍ୟ ସରକାରଙ୍କୁ ତୁରନ୍ତ ଗ୍ରାମ୍ୟସ୍ତରରେ ଖାଦ୍ୟ ସୁରକ୍ଷା ଯୋଜନାର ସାମାଜିକ ଅଡିଟ୍‍ କରି ସଭାର ଭିଡିଓ ରାଜ୍ୟ ଖାଦ୍ୟ ସୁରକ୍ଷା କମିସନ ୱେବସାଇଟ୍‍ରେ ଉତ୍ତୋଳନ କରିବାକୁ ନି‌େ‌ର୍ଦଶ ଦେବା ସହିତ ଜିଲା ଅଭିଯୋଗ ସମାଧାନ ଅଧିକାରୀଙ୍କର ୧ ଜୁନ୍‍ରୁ ୩୧ ଅକ୍ଟୋବର ୨୦୨୧ ପର୍ଯ୍ୟନ୍ତ ସମସ୍ତ ଅଭିଯୋଗ ଶୁଣାଣିର ବିବରଣୀ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏ ଦିଗରେ ରାଜ୍ୟ ସରକାର ସଂସ୍କାର ଆରମ୍ଭ କରିଛନ୍ତି। ଅପରପକ୍ଷରେ, ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗର ୨୦୧୯-୨୦ ବାର୍ଷିକ ବିବରଣୀରେ ଦର୍ଶାଯାଇଛି ଯେ, ରାଜ୍ୟ ସରକାର ଗର୍ଭବତୀ ମହିଳା ଓ ୬ମାସରୁ ୩ବର୍ଷର ଶିଶୁଙ୍କ ପାଇଁ କେନ୍ଦ୍ର ନିର୍ଦ୍ଦେଶାବଳୀ ଠାରୁ ଅଧିକ କ୍ୟାଲୋରୀ ଓ ପୁଷ୍ଟିସାର ଖାଦ୍ୟ ପ୍ରଦାନ କରୁଛନ୍ତି।

ଶେଷରେ ଯେଉଁ ବିଷୟକୁ ଅଧିକ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ତାହା ହେଲା ଭାରତରେ ଖାଦ୍ୟ ସମସ୍ୟାର ସ୍ଥାୟୀ ସମାଧାନ। ୬୦ ଦଶକରେ କୃଷି ବିପ୍ଳବ ହେବା ଫଳରେ ଦେଶରେ ଖାଦ୍ୟ ଶସ୍ୟ ଉତ୍ପାଦନରେ ଅଭାବ ରହିଲା ନାହିଁ। ୧୯୬୫ରେ ଭାରତୀୟ ଖାଦ୍ୟ ନିଗମ ପ୍ରତିଷ୍ଠା ହେଲା, ଯାହାକି ଚାଷୀମାନଙ୍କ ଠାରୁ ସର୍ବନିମ୍ନ ସହାୟକ ମୂଲ୍ୟ ଦେଇ ଖାଦ୍ୟ ଶସ୍ୟ କିଣିଲା, ଏହାକୁ ସଂଚୟ କଲା ଏବଂ ସାଧାରଣ ବଂଟନ ବ୍ୟବସ୍ଥାରେ ଲୋକମାନଙ୍କ ପାଖରେ ସୁଲଭ ମୂଲ୍ୟରେ ଖାଦ୍ୟଶସ୍ୟ ପହଞ୍ଚାଇଲା। ଏବେ ଖାଦ୍ୟ ସମସ୍ୟା ଏକ ଉତ୍ପାଦନଜନିତ ସମସ୍ୟା ନୁହେଁ ବରଂ ଲୋକଙ୍କ କ୍ରୟଶକ୍ତି ନଥିବାରୁ ବା ଜମିବାଡ଼ି ନଥିବାରୁ ସେମାନେ ଖାଦ୍ୟ ସମସ୍ୟା ଅନୁଭବ କରୁଛନ୍ତି। ଏଥିପାଇଁ ଲୋକଙ୍କ ଆର୍ଥିକ ବିକାଶ ଜରୁରୀ। ଫଳରେ ସେମାନେ ନିଜର କ୍ରୟଶକ୍ତି ବ୍ୟବହାର କରି ବଜାରରୁ ଖାଦ୍ୟଶସ୍ୟ ସବୁ ସମୟରେ କିଣିପାରିବେ। ସେହିପରି,ଦାରିଦ୍ର୍ୟ ମାପକାଠିରେ ହିତାଧିକାରୀ ଧାର୍ଯ୍ୟ କରି ଗରିବ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ସମସ୍ତ ଯୋଜନାକୁ ଏକାଠି କରି ସମୁଦାୟ ଅର୍ଥକୁ ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟକୁ ପ୍ରଦାନ କଲେ ସେମାନେ ଆର୍ଥିକ ସବଳ ହୋଇପାରିବେ ଏବଂ ଖାଦ୍ୟ ସୁରକ୍ଷା ଯୋଜନାର ରାଜନୀତିକରଣ ବନ୍ଦ ହୋଇପାରିବ। ତେଣୁ ଖାଦ୍ୟ ସୁରକ୍ଷା ଯୋଜନାର ସଂସ୍କାର ଜରୁରୀ।

Comments are closed.