ଜନ ଶୁଣାଣି: ଏକ ବିଫଳ ପ୍ରୟାସ

ଦେବ ରଞ୍ଜନ

ଉଭୟ ସରକାର ଓ ଶିଳ୍ପସଂସ୍ଥାଗୁଡ଼ିକ ସମ୍ଭବତଃ ଧରିନେଇଛନ୍ତି ଯେ ଲୋକଙ୍କର ଜମି, ଜଙ୍ଗଲ ଓ ପାଣିକୁ ବିକାଶର ନାମରେ ନିଜ ଅକ୍ତିଆରକୁ ନେଇଯିବା ସେମାନଙ୍କର ଅଧିକାର। ଏଥିଲାଗି ପୁଲିସ ବଳ ପ୍ରୟୋଗ କରିବା ସେହି ଅଧିକାରକୁ ସାବ୍ୟସ୍ତ କରିବାର ଏକ ନ୍ୟାୟୋଚିତ ପଦକ୍ଷେପ। ଏହି ଅଧିକାରର ପୂରଣ ଲାଗି ଚାଷୀ, ଆଦିବାସୀ ଓ ଦଳିତ ବର୍ଗ ନିଜର ବହୁ ଫସଲିଆ ଜମି, ଜଙ୍ଗଲ ଓ ଚିରସ୍ରୋତା ଝରଣା ଇତ୍ୟାଦିକୁ ହସି ହସି ଛାଡିଦେବା ସେମାନଙ୍କର ଯେମିତି କର୍ତ୍ତବ୍ୟ। ସରକାରଙ୍କ ଅଧିକାର ପୂରଣରେ ବାଧା ଦେବା ଅର୍ଥ ନିଜକୁ ଅପରାଧୀ କରିବା; କିନ୍ତୁ ମଣିଷ ତ ବିଲରେ ଉଠିଥିବା ଘାସ ନୁହେଁ ଯେ ତାହାକୁ ଏଣେତେଣେ ଫୋପାଡି ଦେଲେ ବି ସେଠାରେ ସେ ବଞ୍ଚିଯିବ? ପ୍ରତ୍ୟେକ ମଣିଷର ନିଜସ୍ବ ପରିବାର, ସମାଜ, ଚଳଣି, ପରମ୍ପରା ଓ ଜୀବିକା ରହିଛି। ଏହି ସାମାନ୍ୟ କଥାକୁ ସରକାର ଓ କମ୍ପାନୀ ଗ୍ରହଣ କରିବା ଲାଗି ପ୍ରସ୍ତୁତ ନୁହନ୍ତି।

କୋରାପୁଟ ଜିଲା ସେମିଲିଗୁଡା ଓ ପଟାଙ୍ଗି ବ୍ଲକ ଅନ୍ତର୍ଗତ ମାଳି ପର୍ବତରୁ ବକ୍ସାଇଟ ନେବା ଲାଗି ବକ୍ସାଇଟ ଖଣି ଖନନ ପ୍ରକଳ୍ପ କରାଯାଉଛି। ଏଥିପାଇଁ ସେପ୍ଟେମ୍ବର ୨୨ରେ ସେମିଲିଗୁଡା ବ୍ଲକ ଅନ୍ତର୍ଗତ କଙ୍କଡାଆମ୍ବ ଗାଁରେ ହୋଇଥିବା ଜନ ଶୁଣାଣି ନିୟମ ଅନୁସାରେ ହୋଇନଥିବା କଥା ଗ୍ରାମବାସୀ ଅଭିଯୋଗ କରନ୍ତି। ଏହି କାରଣରୁ ଏହାକୁ ବିରୋଧ କରିବା ହେତୁ ସ୍ଥାନୀୟ ଅଞ୍ଚଳର ୨୦ରୁ ଊର୍ଦ୍ଧ୍ବ ଗ୍ରାମବାସୀ ଗିରଫ ହୋଇଥିଲେ। ଗିରଫ ସମୟରେ ଅନେକଙ୍କ ଘରର ଦୁଆରକୁ ଭାଙ୍ଗି ଦିଆଯାଇଛି। ଏକ ହଜାର ଲୋକଙ୍କ ନାମରେ ପୁଲିସର ୱାରେଣ୍ଟ ରହିଛି। ସେମାନଙ୍କୁ ‘ଦୁର୍ବୃତ୍ତ’ ଓ ‘ଅସାମାଜିକ’ ଆଖ୍ୟା ଦିଆଯାଇଛି। ପୁଲିସରୁ ନିଜର ଗାଁକୁ ରକ୍ଷା କରିବା ଲାଗି ମହିଳାମାନେ ପାଳି କରି ଜଗୁଛନ୍ତି।

ରାଜ୍ୟ ସରକାରଙ୍କ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପୁଣି ଥରେ ଆସନ୍ତା ନଭେମ୍ବର ୨୨ ତାରିଖରେ ଜନ ଶୁଣାଣି କରିବା ଲାଗି ବିଜ୍ଞପ୍ତି ପ୍ରକାଶ କରିସାରିଛି; କିନ୍ତୁ ଭୟର ପରିବେଶ ମଧ୍ୟରେ ଲୋକଙ୍କ ଲାଗି ଏତେ ବଡ ବିଷୟରେ ନିଜର ମତଦେବା ସମ୍ଭବ ହେବ କି? ସେମାନଙ୍କ ଅଞ୍ଚଳ ଯାହାକୁ ସେମାନେ ବାଘ ଭାଲୁ ଭଳି ହିଂସ୍ର ଜନ୍ତୁଙ୍କୁ ସାମ୍ନା କରି ନିଜର ଚାଷ ଜମି ତିଆରି ଥିଲେ, ମରୁଡି ଓ ବାତ୍ୟାକୁ ସାମ୍ନା କରି ନିଜର ଫସଲ ଫଳେଇ ଥିଲେ ତାହା ଆଜି ବକ୍ସାଇଟ ଖୋଲାଯିବା ଲାଗି ଉପଯୁକ୍ତ ସ୍ଥାନ। ଲୋକଙ୍କ ଅଭିଯୋଗ ଯେ ସେପ୍ଟେମ୍ବର ୨୨ ତାରିଖର ଜନ ଶୁଣାଣି ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ଆରମ୍ଭ କରିଦିଆଯାଇଥିଲା ଓ ସେମାନଙ୍କୁ ସଭା ସ୍ଥଳରେ ପହଞ୍ଚିବାକୁ ଦିଆଯାଇ ନଥିଲା; କିନ୍ତୁ ଜିଲା ପ୍ରଶାସନ ଏ ଅଭିଯୋଗର କୌଣସି ତଦନ୍ତ କରାଗଲା ନାହିଁ।

ଜମି ଅଧିଗ୍ରହଣ ଓ ବୃହତ୍‌ ପ୍ରକଳ୍ପ ଯୋଜନାରେ ଜନ ଶୁଣାଣି ଏକ ଜରୁରୀ ପ୍ରକ୍ରିୟା। ଏହି ଶୁଣାଣି ପରେ କମ୍ପାନୀଗୁଡ଼ିକୁ କେନ୍ଦ୍ରୀୟ ଜଙ୍ଗଲ ଓ ପରିବେଶ ବିଭାଗ ଦ୍ବାରା ପରିବେଶ ଅନୁମତି ପତ୍ର ଦିଆଯାଇଥାଏ। ପୂର୍ବରୁ ପ୍ରକଳ୍ପ ବିଷୟରେ ସ୍ଥାନୀୟ ଲୋକଙ୍କୁ କୌଣସି ସୂଚନା ଦିଆଯାଉନଥିବା ହେତୁ ୧୯୯୫ ମସିହା ପରଠାରୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନି​‌େ​‌ର୍ଦଶ ପରେ ଜନ ଶୁଣାଣି ହୋଇଆସୁଛି। ବେଶ୍‌ କିଛି ବର୍ଷ କମ୍ପାନୀସବୁ ସ୍ବଚ୍ଛ ଭାବରେ ଜନ ଶୁଣାଣିରେ ସହଯୋଗ କରୁଥିଲେ। ପରେ ସେଥିରେ ଖିଲାପ କରିବା ହେତୁ ଦିଲ୍ଲୀ ହାଇକୋର୍ଟଙ୍କ ନି​‌େ​‌ର୍ଦଶରେ (ଉତ୍କର୍ଷ ମଣ୍ଡଳ ବନାମ ଯୁନିଅନ ଅଫ ଇଣ୍ଡିଆ) ଜନଶୁଣାଣିର ଯଥେଷ୍ଟ ପୂର୍ବରୁ ଅଞ୍ଚଳବାସୀଙ୍କୁ ପ୍ରସ୍ତାବିତ ପ୍ରକଳ୍ପ ସମ୍ପର୍କରେ ସମସ୍ତ ତଥ୍ୟ ଯୋଗାଇ ଦିଆଯିବା ବାଧ୍ୟତାମୂଳକ ହେଲା। କମ୍ପାନୀର ପ୍ରକଳ୍ପ ଦ୍ବାରା ଯାହା ସବୁ ପ୍ରଭାବ ପଡିବ ସେ ସମ୍ପର୍କରେ ତଥ୍ୟ ପାଇଥିବା ଗ୍ରାମବାସୀ ତଥା ଭାରତର ଯେ କୌଣସି ନାଗରିକ ଏହି ଜନଶୁଣାଣିରେ ଭାଗ ନେଇ ନିଜର ମତ ରଖିପାରିବେ। ଏଥିରେ ଆଇନ ଶୃଙ୍ଖଳାକୁ ଦେଖିବା ପୁଲିସର କାର୍ଯ୍ୟ। ସେମିଲିଗୁଡା ବ୍ଲକର ଆଦିବାସୀଙ୍କ ନିକଟରେ କମ୍ପାନୀ ସମ୍ବନ୍ଧରେ କୌଣସି ଲିଖିତ ତଥ୍ୟ ନଥିବା ଅଭିଯୋଗ ହୋଇଛି।

ସାରା ଭାରତରେ ଓ ଓଡିଶାରେ ମଧ୍ୟ କ୍ରମଶଃ ଦେଖାଗଲା ଯେ ଜନ ଶୁଣାଣିକୁ କେବଳ ଏକ ପରମ୍ପରା ଧରିନେଇ ଏହାକୁ କେବଳ ଶୁଣାଣି ମଧ୍ୟରେ ସୀମିତ କରିଦିଆଗଲା। ଲୋକଙ୍କୁ ଶୁଣିଦେଲା ପରେ (ଶହେ ପ୍ରତିଶତ ଲୋକେ ଯୁକ୍ତି ସଂଗତ କାରଣ ଦେଖାଇ ବିରୋଧ କରିବା ସତ୍ତ୍ବେ) ପରିବେଶ ଅନୁମତି ପତ୍ର ମିଳିବା ସହଜ ହୋଇଯାଉଥିବା ହେତୁ ଲୋକେ କ୍ରମଶଃ ଏହି ପ୍ରକ୍ରିୟା ପ୍ରତି ସଚେତନ ହେଲେ। ଯଦି ସେମାନେ କମ୍ପାନୀର ପ୍ରକଳ୍ପ ସମ୍ବନ୍ଧରେ ସ୍ପଷ୍ଟ ନୁହନ୍ତି ଅଥବା କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି ତେବେ ସେମାନେ ଜନ ଶୁଣାଣି ପ୍ରକ୍ରିୟାକୁ ବିରୋଧ କଲେ। ହେଲେ ଲୋକଙ୍କ ଜୀବନ ଜୀବିକାର ପ୍ରସଙ୍ଗକୁ ସରକାର ଆଇନ ଶୃଙ୍ଖଳାର ସମସ୍ୟା ଦର୍ଶାଇ ଗିରଫ ଓ ନିର୍ଯାତନା ଦେବା ଆରମ୍ଭ କରିଦେଲେ। କାରଣ ବିକାଶ କେବଳ ବୃହତ୍‌ ପ୍ରକଳ୍ପ, ନେହେରୁଙ୍କ ଅର୍ଥନୀତି ଦ୍ବାରା ହିଁ ସମ୍ଭବ – ଏ କଥା ସରକାର ଓ କମ୍ପାନୀର ସମର୍ଥକମାନେ ବିଶ୍ବାସ କରନ୍ତି । ଲୋକଙ୍କ ଲାଗି ସେମାନଙ୍କ ବକ୍ତବ୍ୟ ହେଲା କେବଳ ଏହି ରାସ୍ତାରେ ଦାରିଦ୍ର୍ୟ ଦୂରୀଭୂତ ହେବ ଓ ଦେଶର ବେକାରୀ ହଟିବ।

ଦାରିଦ୍ର୍ୟ କୌଣସି ସମାଜରେ କଦାପି ଏକ ସମସ୍ୟା ହୋଇନଥାଏ; ବରଂ ଏକ ଶୋଷଣମୁଖୀ ଅର୍ଥନୀତିର ପରିଣାମ ବା ଫଳାଫଳ ଭାବରେ ଦାରିଦ୍ର୍ୟ ଦେଖାଯାଏ। ଲୋକେ ପରିଶ୍ରମ କରୁଛନ୍ତି, ନିଜର ଫସଲ ଉତ୍ପାଦନ କରୁଛନ୍ତି, ନିଜର ଖର୍ଚ୍ଚକୁ ମଧ୍ୟ ସୀମିତ କରିଦେଇଛନ୍ତି, ତଥାପି ସେମାନେ ଗରିବ କାହିଁକି? କୋରାପୁଟର ଏହି ଦେଓମାଳି ଅଞ୍ଚଳରୁ ଅନେକ କିସମର ପନିପରିବା ଜିଲା ବାହାରକୁ ଯାଇଥାଏ। କୋରାପୁଟର ଅଦା ଭୁବନେଶ୍ବରରେ ପ୍ରସିଦ୍ଧ। ବକ୍ସାଇଟ ହେତୁ ଚିରସ୍ରୋତା ଝରଣା ଓ ଉନ୍ନତ ମାଟି ହେତୁ ସମସ୍ତ ଗାଁର ଶହେ ପ୍ରତିଶତ ଲୋକେ ଚାଷୀ। ସେମାନେ ଜାଣନ୍ତି ଯେ ତାଙ୍କ ପାହାଡରୁ ବକ୍ସାଇଟ ଚାଲିଗଲେ ଝରଣା ଶୁଖିଯିବ। ଫଳରେ ଚାଷ ମରିଗଲେ ସେମାନେ ଭିକାରି ହୋଇଯିବେ। ଏଭଳି ଏକ ସ୍ବଚ୍ଛଳ ଅର୍ଥନୀତି କିନ୍ତୁ ବାହାର ଦୁନିଆ ଲାଗି ଗରିବ। କାରଣ ମୁଣ୍ଡ ପିଛା କାର୍‌, ବଡ଼ଗାଡ଼ି, ବ୍ରାଣ୍ଡ କମ୍ପାନୀର ଟେଲିଭିଜନ ଇତ୍ୟାଦି ଏଠାରେ ନାହିଁ। ସେ ସବୁ ନ ରହିବା ହେତୁ ସରକାର ଓ କମ୍ପାନୀର ଦୃଷ୍ଟିରେ ସ୍ଥାନୀୟ ଲୋକେ ଗରିବ। ତେଣୁ ଏହି ଅଞ୍ଚଳରୁ ଖଣି ଖୋଲିବା ସେମାନଙ୍କ ସାମ୍ବିଧାନିକ ଅଧିକାର। ଅନ୍ୟ ପଟରେ, ନାଗରିକର ଅଧିକାର କ୍ରମଶଃ ତାହାର କର୍ତ୍ତବ୍ୟରେ ପରିଣତ ହୋଇଯାଇଛି। ସେ ବିନା ପ୍ରତିବାଦରେ ସରକାରଙ୍କୁ ସହଯୋଗ କରିବ।
ନିଜସ୍ବୀକରଣ ପରଠାରୁ ଦେଖାଯାଉଛି ଯେ ଲୋକଙ୍କ ଭିତରେ ଦାରିଦ୍ର୍ୟ ଯେତେ ମାତ୍ରାରେ ବଢୁଛି ସରକାରଙ୍କ ଆଇନ ଶୃଙ୍ଖଳା ସମସ୍ୟା ନାମରେ ସଶସ୍ତ୍ର ପୁଲିସ ବାହିନୀରେ ନିଯୁକ୍ତି ସେହି ଅନୁପାତରେ ବଢିବାରେ ଲାଗିଛି। ସଶସ୍ତ୍ର ପୁଲିସ ବାହିନୀର ସଂଖ୍ୟା ବଢିବା ସତ୍ତ୍ବେ ସମାଜରେ ଡକାୟତି, ଚୋରି, ଧର୍ଷଣ ଭଳି ସାଂଘାତିକ ଅପରାଧ ମଧ୍ୟ ବଢିଚାଲିଛି। ଅର୍ଥାତ୍‌ ପୁଲିସ ଯବାନଙ୍କ ସଂଖ୍ୟାରେ ବୃଦ୍ଧି ସହିତ ଅପରାଧ କମିବାର କୌଣସି ସମ୍ପର୍କ ନାହିଁ; କିନ୍ତୁ ସଶସ୍ତ୍ର ପୁଲିସ ବାହିନୀର ବ୍ୟବହାର ହେତୁ ଆଦିବାସୀ ନିଜର ଜଙ୍ଗଲ ଓ ଜମିରୁ ସହଜରେ ବିସ୍ଥାପିତ ହେଉଛି, କୃଷକ ନିଜ ଉତ୍ପାଦନର ଉପଯୁକ୍ତ ମୂଲ୍ୟ ପାଇବା ଅସମ୍ଭବ ହେଉଛି, ଶ୍ରମିକ ଆନ୍ଦୋଳନ ଦୁର୍ବଳ ହେଉଛି ଓ ଦଳିତ ଉପରେ ଜାତିଗତ ହିଂସା ବଢିବାରେ ଲାଗିଛି।

Comments are closed.