ଗାନ୍ଧୀମୟ ଓଡ଼ିଶା:ମନରେ ନା ମାଳରେ!

- ବ୍ରଜମୋହନ ମିଶ୍ର

ସହସ୍ରାବ୍ଦୀ ପୁରୁ‌ଷ ଗାନ୍ଧୀ ମଣିଷ ‘ସତ୍ୟାଗ୍ରହ’ ନାମକ ଏକ ବହୁ ବଳଶାଳୀ ଅସ୍ତ୍ର ପ୍ରଚଳନ କରି ଆତ୍ମ (ପ୍ରେମ) ଶକ୍ତିର ଅବ୍ୟର୍ଥତା ପ୍ରମାଣ କରି ଯାଇଥିଲେ। ସତ୍ୟାଗ୍ରହର ଅନ୍ୟ ଏକ ବିପରୀତ ଶବ୍ଦଟି ହେଉଛି ଅତ୍ୟାଗ୍ରହ। କିଛି କାମ ସତ୍ୟ ପାଇଁ କରାଯାଏ ଯେପରି ଆଉ କିଛି (ଅ) କାମ ତାକୁ ବାଦ୍‌ ଦେଇ ବି କରାଯାଏ ଯାହା ଏବେ ଆମ ରାଜ୍ୟରେ ଖୁବ୍‌ ଏକ ଚଇତାଳି ବାଆ ପରି ଖେଦି, ଭେଦିଗଲା। ଶହେବର୍ଷ ତଳେ ଗାନ୍ଧୀ ଏ ଗରିବ ରାଜ୍ୟକୁ ବଣଭୋଜି କି ତୀର୍ଥ ଯାତ୍ରା କରିବାକୁ ଆସି ନଥିଲେ। ଆସିଥିଲେ ଓଡ଼ିଶାର ଦାରିଦ୍ର୍ୟ, ବନ୍ୟା, ବାତ୍ୟା ଜନିତ ଦୁର୍ବିପାକ ସାଙ୍ଗକୁ ତତ୍କାଳୀନ ରାଜଶକ୍ତିର ନିବୀର୍ଯ୍ୟ, ନିଲଠା, ନିର୍ମମ, ତେଣୁ ନିନ୍ଦନୀୟ ଶାସନର ମୁକାବିଲା କରିବାକୁ ଆପଣାର ବୀର୍ଯ୍ୟବନ୍ତ, ସଂଭ୍ରାନ୍ତ, ମମତାଯୁକ୍ତ ତେଣୁ ନନ୍ଦନୀୟ ମହାପ୍ରାଣତା ମାଧ୍ୟମରେ। ଓଡ଼ିଆ ଜାତିର ଅନ୍ୟ ଜଣେ ଅନନ୍ୟ ପ୍ରାଣପୁରୁଷ- ଏକାଧାରରେ ସାଥୀ ଓ ସାରଥି- ଉତ୍କଳମଣି ଗୋପବନ୍ଧୁଙ୍କ କାନ୍ଦୁରା ହୃଦୟର ଅକୈତବ ‘ଲୋଡ଼ିବା’ର ଆଧ୍ୟାତ୍ମିକ ଚୁମ୍ବକୀୟତା ତାଙ୍କୁ ସଙ୍ଖୋଳି ଆଣିଥିଲା ଏ ହତଭାଗ୍ୟ ରାଜ୍ୟକୁ।

ଯାହାହେଉ ମହାତ୍ମା ଓଡ଼ିଶାର ବିଲୁଣ୍ଠିତ ଗୌରବ ସନ୍ଦର୍ଶନ କରି ଯେତିକି ବିଳପିଥିବେ, ତା’ଠାରୁ ଅଧିକ ଦୁଃଖିତ ହୋଇଥିବେ ତା’ର ତଥାକଥିତ ସନ୍ତାନମାନଙ୍କର ଅଧୋପତନ ଦେଖି। ମୋହନରୁ ମହାତ୍ମା ପାଲଟିଥିବା ଏଇ ଅଦ୍ଭୁତ ବ୍ୟକ୍ତିଜଣକ ସତରେ ତାଙ୍କ ଓଡ଼ିଶା ପରିକ୍ରମା (ପଦଯାତ୍ରା କରିବା) ବେଳେ ଏହା ସହ ଯେ ଏକାତ୍ମ ହୋଇଯାଇଥିଲେ, ସେଥିରେ ଅଣୁମାତ୍ର ସନ୍ଦେହ ରହି ନପାରେ।

ଯାହାହେଉ, ବହୁ ବିସ୍ମୟକର ବିସ୍ମରଣାକ୍ରାନ୍ତ ଓଡ଼ିଆମାନେ ଗାନ୍ଧୀଙ୍କ ଓଡିଶା ଆଗମନର ଶହେବର୍ଷ ପୂରିଯିବା ଅବକାଶରେ ମହାତ୍ମାଙ୍କୁ ଯେତେ ମନେ ପକାଇଲେ ଔପଚାରିକ ଭାବରେ, ସେତେ ମନେ ପକେଇଲେ ନାହିଁ ତାଙ୍କଠାରୁ ଅଭିନ୍ନ ତାଙ୍କ ପଦଯାତ୍ରାର ମର୍ମବାଣୀକୁ। ଫଳରେ ଗାନ୍ଧୀଙ୍କ ସେହି ଆସିବା ଦିନର ପ୍ରାତଃକାଳରୁ କେତେକେତେ ମନୋଲୋଭା କର୍ମକାଣ୍ଡ (କର୍ମଯଜ୍ଞ ନୁହେଁ) ଭିଆଇଲେ। ଯେଉଁ କଥାକୁହା କପିଳାମାନଙ୍କୁ କାଶୀପୁରର କାଶିଆମାନେ କେତେ ବିଶ୍ବାସରେ ସବୁଟେକି ଦେଇଥିଲେ ସେହି ମଣିମା ମହାବାହୁମାନେ ଏ ଦିବସଟିକୁ ଖୁବ୍‌ ଡିଆଁଡେଇଁ, ଢ଼ୋ ଢ଼ୋ କରି ସ୍ମରଣ କଲେ। କୁଚକ୍ରୀମାନଙ୍କର କେତେ ଚକ୍ର ଚାଲିଲା- ପଦଯାତ୍ରାର ପଟୁଆର ଯେ ନ ବାହାରିଛିି ତାହା ନୁହେଁ। ଦୋଳମେଳଣ ପୂର୍ବରୁ ପଟୁଆରମାନ ଏକ ନୂଆ ଦୋଳଉତ୍ସବ ପରି ଜଣାଗଲେ। ଏଥିରେ ଠାକୁରେ ଥିଲେ। ବିମାନ ବି ଥିଲା (ଯଦିଓ ଠାକୁରମାନେ ବିମାନାରୋହୀ ନହୋଇ ପହଣ୍ଡିବିଜେ କରିଥିଲେ) ଭକ୍ତମାନେ ମଧ୍ୟ ଏପରି ଉତ୍ତର ଆଧୁନିକ ଠାକୁରମାନଙ୍କ ସହ ଓ ପାଇଁ ପରମାନନ୍ଦରେ ଖେଦି ଯାଉଥିଲେ। ସାଧାରଣ ରିକ୍ସାବାଲା ଭାଇଟିଏ କି ଚିରପ୍ରପୀଡ଼ିତ କୃଷକ ଓ ଶ୍ରମିକ ଭାଇଟିଏ ଏଇ ମହାମାନବମାନଙ୍କୁ ଲକ୍ଷ୍ୟ କରି ଦେଖିବାକୁ ପାଉଥିଲା- ପହଣ୍ଡି ବିଜେ କରୁଥିବା ଠାକୁରଙ୍କ ଭିତରେ ହୁଏତ କିଏ ସ୍କାମ୍‌ଷ୍ଟାର ଗ୍ୟାଙ୍ଗଷ୍ଟାର ବି ଥିଲେ ଯେଉଁମାନେ ପଦଯାତ୍ରାରେ ଅଭିଯାତ୍ରୀ ଦଳକୁ ଆଗକୁ ଆଗକୁ (ନା ପଛକୁ ପଛକୁ !) ଚଳେଇ ନେଇ ଯାଉଥିଲେ।

ଏ ସାଧାରଣ ମଣିଷ ସବୁ ଦେଖି ମଧ୍ୟ କାହିଁକି ଏପରି ପଟୁଆର, ତା’ର ଭିତିରି କଥା ବୁଝିବାକୁ ଅକ୍ଷମ ହେଉଥିଲା। ପଟୁଆର ପୂର୍ବରୁ ନିର୍ଦିଷ୍ଟ କୌଣସି ସ୍ଥାନ (ଯାହା କଦାଚ ଡେଲାଙ୍ଗର ବେରବୋଇ, କଟକର ଭେଡ଼ା, ଭଦ୍ରକର ତୋଡ଼ଙ୍ଗା କି ଗରଦପୁର ହୋଇନଥିବ)ରେ ଅଟକୁଥିଲା ଯେଉଁଠି ବହୁ ପଥଶ୍ରମ କରିଥିବା ପଦଯାତ୍ରୀମାନେ ଖିଆପିଆ କରିଥିବେ (କେତେ ଖିଆ, କେତେ ପିଆ, କେ ଜା’ଣେ?)।

ସେଇ ଶୀତତାପ ନିୟନ୍ତ୍ରିତ ବଡ଼ବଡ଼ ହଲ୍‌ ଭିତରେ ଠାକୁରେ ବିଜେ ହେଲା ପରେ ଏ ଦିବସର ମହତ୍ତ୍ବ, ମର୍ଯ୍ୟାଦା ସମ୍ପର୍କରେ କେତେ କେତେ ବଚନିକା ଝାଡ଼ିଥିବେ। ତା’ପରେ ହୁଏତ ମନୋରଞ୍ଜନ ଜନ କାର୍ଯ୍ୟକ୍ରମରେ ଗାନା ବଜାନା ବି ହୋଇଥାଇପାରେ। ଗାନ୍ଧିଜୀ ଓଡ଼ିଶା ଆଗମନର ଏପରି ଭାବେ ସ୍ମରଣର ମାନଚିତ୍ରଟିଏ ମାତ୍ର ଆମ କଳ୍ପନାର ଅଙ୍କନଟିଏ ନୁହଁ। ଏହା ଆଜିର ନିଷ୍ଠୁର ବାସ୍ତବତା ଯାହା କୋଟିକୋଟି ଜନସାଧାରଣଙ୍କ ପ୍ରତି ଅକ୍ଷମଣୀୟ ବିଶ୍ବାସଘାତକତା. ତେଣୁ ଗୁରୁତର ଦେଶଦ୍ରୋହ ଅପରାଧ। ଏ ସେଦିନ ଦିନମଣି ଅସ୍ତ ଗଲାପରେ ଗାନ୍ଧୀସ୍ମରଣ ମଧ୍ୟ ଅସ୍ତହୋଇ ଯାଇଥିବ। ତା’ପରେ ଏଇ ଗାନ୍ଧୀ ଅତ୍ୟାଗ୍ରହୀ ‘ଡ.ଜେକିଲ ଆଣ୍ଡ ହାଇଡ’ମାନଙ୍କୁ କେଉଁଦିନ ଗାନ୍ଧୀ ପ୍ରଥମେ ରାଜ୍ୟରେ ପଦଯାତ୍ରା ଆରମ୍ଭ କରିଥିଲେ ବୋଲି ପଚାରିଦେଲେ ‘ତୋବା, ତୋବା’ କହି ସେମାନେ ହେଣ୍ଡି ମାରିଥିବେ। ଏ କି ପ୍ରକାର ଗାନ୍ଧୀସ୍ମରଣ? ଅବା ଗାନ୍ଧୀଙ୍କର ଉତ୍କଳକୁ ପ୍ରଥମ ଆଗମନକୁ କ’ଣ ପାଇଁ ଏପରି ହେଜ (ନା ହିପୋକ୍ରିସୀ)? ଆମେ ବି’ ଭୋକେ ଓଡ଼ିଆ ନିଦ ଯାଏ’ ନ୍ୟାୟରେ ଆମ କାଳଖଣ୍ଡର ଏ ସୁଆଙ୍ଗକୁ ଉପଭୋଗ କରିବାରେ ମାହିର। ଯେତେବେଳେ ଜାତିର ଜୀବନରୁ ରସ ମରିଯାଏ, ତାହା ଏପରି ବେହିଆ ରାସକୁ ଦ୍ରାକ୍ଷାରସ ପରି ପିଇଯାଏ। ଯେ କୌଣସି ମହାପ୍ରାଣଙ୍କ ଆଗମନକୁ ଆନ୍ତରିକ ଭାବେ ସ୍ମରଣ କରିବା ଆଦୌ ଅବୈଧ କି ଅଯୌକ୍ତିକ ନୁହେଁ।

ସେହି ସୂତ୍ରରେ ଏଥିରେ ଯେଉଁ ମହାନ୍‌ଭାବ ଗର୍ଭିତ ମହାନ୍‌ କର୍ମ ସଂପାଦନ ଲକ୍ଷ୍ୟରେ ମହାତ୍ମାଜୀ ଏ ରାଜ୍ୟରେ ପଦାର୍ପଣ ଓ ପଦଯାତ୍ରା କରିଥିଲେ ତାହାର ଯଥାର୍ଥ ସ୍ମରଣ ବି ଯଥାର୍ଥ। ସେଇ ଉପଲକ୍ଷେ କାର୍ଯ୍ୟକ୍ରମ ଗ୍ରହଣ କରିବା ଆଦୌ ଅସଙ୍ଗତ ନୁହଁ। ହେଲେ ସେପରି କାର୍ଯ୍ୟକ୍ରମରେ ‘ଆଡହକଜିମ୍‌’ କି ଆଟୋପ ରହିବ ନାହିଁ। ତାହା ପ୍ରତି ଯଦି ଆମର ଆନ୍ତରିକ ଆନୁଗତ୍ୟ ଥାଏ ତାହାହେଲେ ତାହାର ଚିତ୍ର ଓ ଚରିତ୍ର ଭିନେ ହେବ ହିଁ ହେବ। ତେଣୁ ଏ ଦିବସଟିକୁ ସ୍ମରଣ କରି ତା’ର ଯଥାବିଧି ପାଳନ ମଧ୍ୟ ଅଲବତ ଭିନେ ହେବ। ହଁ ପଦଯାତ୍ରା ହେବ, ନିଶ୍ଚୟ ହେବ କିନ୍ତୁ ଯାତ୍ରୀ ହୋଇ ପଦପାତ କରିବାକୁ ଷୋଳଅଣା ଅଙ୍ଗୀକାରବଦ୍ଧ ହୋଇଥିବା ମଣିଷ ହିଁ ପଦଯାତ୍ରୀ ହେବ ଏବଂ ଏ ଯାତ୍ରା କାଳରେ ସ୍ଲୋଗାନ ଅପେକ୍ଷା ସୋଲ୍‌-ଗାନ ଝଙ୍କୃତ ହେଉଥିବ ସେ ପଦଯାତ୍ରୀର ହୃଦୟ କନ୍ଦରରେ। ପୂରା ନିରବରେ। ଭିତରେ ଭିତରେ ପଦଯାତ୍ରୀ ଅଧିକରୁ ଅଧିକ ସତ୍ୟାଗ୍ରହୀ ହୋଇ ଉଠୁଥିବ। ଏ’ ତ ଏକ ଦରକାରୀ ବୈୟକ୍ତିକ ବିବର୍ତ୍ତନ। ପଦଯାତ୍ରୀ ସତ୍ୟାଗ୍ରହୀ ନ ହେଲେ ଗାନ୍ଧୀମଣିଷର ପଦଯାତ୍ରା ସହ ଆତ୍ମିକ ସମ୍ପର୍କ ସ୍ଥାପନ କରିପାରିବ ନାହିଁ। ଗାନ୍ଧିଜୀଙ୍କ ଭାବସହ, ପଦଯାତ୍ରୀ ଏକ ହୋଇଗଲେ ଯାତ୍ରୀ ଗାନ୍ଧୀମୟ ହେବ ହିଁ ହେବ। ଗାନ୍ଧୀଙ୍କ ଓଡ଼ିଶା ଆଗମନ ସ୍ମରଣ କଲାବେଳେ ଅତ୍ୟାଗ୍ରହର ବାଣରୋଶଣି ଛାଡ଼ି ତାଙ୍କ ପଦଯାତ୍ରାର ସତ୍ୟଟିକୁ ସତ୍ୟାଗ୍ରହରେ ଧରି ରଖିବା। ମାତ୍ର କେଇଘଣ୍ଟା ପାଇଁ ନୁହଁ, କେଇ ଦିନ କି କେଇ ମାସ ପାଇଁ ନୁହଁ, ଆଜୀବନ। ପଦଯାତ୍ରା ତା ଜୀବନ ଯାତ୍ରାକୁ ସତରେ ଗାନ୍ଧୀମୟ କରିପାରିବ ତେଣୁ ସେ କଦାଚ ବିଭ୍ରାନ୍ତ ହେବ ନାହିଁ କି କାହାକୁ ବିଭ୍ରାନ୍ତ କରାଇବ ନାହିଁ। ହେଲେ ଏପରି ହେଲା କି? କାରଣ ଗାନ୍ଧୀମୟ ଓଡ଼ିଶାର ଗାନ୍ଧୀ ଥିଲେ ନା ମନରେ, ନା ମାଳରେ।

Comments are closed.