ଭିକ୍ଷାବୃତ୍ତି: ଏକ ସାମାଜିକ ସମସ୍ୟା

ଗଙ୍ଗାଧର ସାହୁ

ମା’ ଗଣ୍ଡେ ଭିକ ମିଳୁ- ଏ ଡାକ, କୁହାଟ, ପ୍ରାର୍ଥନା ବା ଆତୁର ନିବେଦନ ଆପଣ ନିଶ୍ଚୟ ଆପଣଙ୍କ ଘର ସାମ୍ନାରେ ଶୁଣିଥିବେ। କିଛି ନିର୍ଦିଷ୍ଟ ବ୍ୟାଧିଗ୍ରସ୍ତ ଲୋକ ସପ୍ତାହର ଏକ ନିର୍ଦିଷ୍ଟ ଦିନ ଆସି ଆପଣଙ୍କ ଦୁଆର ସାମ୍‍ନାରେ ହାଜର। ଆଉ ଆପଣ ଦୟାପରବଶ ହୋଇ ଭିକ୍ଷା ଦେଇ ଆତ୍ମତୃପ୍ତି ପାଆନ୍ତି; କିନ୍ତୁ ମନେରଖନ୍ତୁ ଏମାନଙ୍କ ପାଇଁ ସରକାରୀ ଯୋଜନା ଅଛି। ଟଙ୍କାପଇସା ନ ଦେଇ ଖାଦ୍ୟବସ୍ତ୍ର ଦିଅନ୍ତୁ। ଟଙ୍କାପଇସା ଦେଇ ରୋଗ ସଂକ୍ରମଣକୁ ଆପଣ ସାହାଯ୍ୟ କରୁ ନାହାନ୍ତି ତ?

ସେହିପରି ଟ୍ରେନରେ ଆପଣ ଯାତ୍ରା କରୁଛନ୍ତି। ଶୀତତାପ ନିୟନ୍ତ୍ରିତ ପ୍ରଥମ ଶ୍ରେଣୀରେ। ସନ୍ଧ୍ୟା ୬ଟା ସମୟରେ ବାଳକଟିଏ ଚିରା ସାର୍ଟଟିଏ ପିନ୍ଧି ଆପଣଙ୍କ ସିଟ୍‍ ତଳ ଝାଡୁ କରି ଦେଇ ହାତ ବଢ଼ାଇଲା କିଛି ଭିକ୍ଷା ପାଇଁ। ଆପଣ ପିଲାଟି ପ୍ରତି କରୁଣା ଦେଖାଇଲେ। ତା କାମକୁ ପ୍ରଶଂସା କଲେ ଓ ତା ମୂଲ୍ୟ ଦେବାକୁ ଯାଇ ଦଶ ଟଙ୍କାଟିଏ ବଢ଼ାଇ ଦେଇ ବେଶ୍‍ ଆତ୍ମତୃପ୍ତି ପାଇଲେ; କିନ୍ତୁ ମନେରଖନ୍ତୁ ଆପଣ ସରକାରଙ୍କ ଶିଶୁ ଶ୍ରମିକ ଆଇନର ଖିଲାପ କଲେ ନାହିଁ ତ?

କୌଣସି ସହରର ଟ୍ରାଫିକ ଛକରେ ଆପଣ ମଟର ସାଇକଲ କିମ୍ବା କାର ଅଟକାଇ ସବୁଜ ସଙ୍କେତକୁ ଅପେକ୍ଷା କରିଛନ୍ତି। ହଠାତ୍‍ ଗୋଟିଏ ଝିଅ ବା ସ୍ତ୍ରୀ ଲୋକ କାଖରେ ଗୋଟିଏ ଶୋଇପଡ଼ିଥିବା, ବେକ ଓହଳି ପଡ଼ିଥିବା, ମଲା ଭଳି ଦେଖାଯାଉଥିବା ଶିଶୁଟିକୁ ଦେଖାଇ କାକୁତିମିନତି କଲା କିଛି ଭିକ୍ଷା ଦେବା ପାଇଁ। ଆପଣଙ୍କ ହୃଦୟ ତରଳି ଗଲା। ପର୍ସ ଖୋଲି ଅନ୍ୟମାନଙ୍କୁ ଦେଖେଇ ଦେଖେଇ ଆପଣ ଦଶଟଙ୍କାଟିଏ ବଢ଼ାଇ ଦେଲେ ଓ ମନେ ମନେ ଭାବିଲେ ଆପଣ ହିଁ କରୁଣାର ସାଗର। ସରକାର କିଛି କରୁନାହାନ୍ତି। ବାକି ସବୁ ଲୋକ ହୃଦୟହୀନ। ଏଭଳି କରି ଆପଣ ଦେଶରେ ଭିକ୍ଷା ଗ୍ୟାଙ୍ଗକୁ, ଡ୍ରଗ୍‌ସ ମାଫିଆଙ୍କୁ, ବେଶ୍ୟାବୃତ୍ତିକୁ ପ୍ରୋତ୍ସାହନ ଦେଲେ ନାହିଁ ତ? ଜାଣିରଖନ୍ତୁ ଏସବୁ ପାଇଁ ଦଳ କାମ କରୁଛି। ଗୋଟିଏ ଶିଶୁକୁ ନିଶା ଖୁଆଇ ଦିନସାରା ଶୁଆଇ ଦିଆଯାଏ। ନିଶାସକ୍ତ ଓ ନିଶାସୁପ୍ତ ଶିଶୁଙ୍କୁ ଭଡାରେ ଦିଆଯାଏ। ଶିଶୁମାନଙ୍କ ହାତ ଗୋଡ କାଟି ଦିଆଯାଏ, ଆଖି ତାଡି ଦିଆଯାଏ ଆପଣମାନଙ୍କ ହୃଦୟରୁ କରୁଣା କାଢିବା ପାଇଁ ଓ ପର୍ସରୁ ଟଙ୍କା ବାହାର କରିବା ପାଇଁ। କ’ଣ ଭାବୁଛନ୍ତି, ଛକରେ ଦେଇଥିବା ପଇସା ଠିକ୍‍ ବିନିଯୋଗ ହୋଇଛି ତ? କୌଣସି ମନ୍ଦିର ଆଗରେ ପର୍ବପର୍ବାଣି ଦିନ, କାର୍ତ୍ତିକ ମାସରେ, ସୋମବାର, ଶନିବାର ଶହ ଶହ ଭିକାରି ପରିବାର, ଛୁଆପିଲା ଓ ସାଙ୍ଗସାଥୀମାନଙ୍କ ସହିତ ହାଜର। ସେମାନେ ଏସବୁ ତାଙ୍କ କ୍ୟାଲେଣ୍ଡରରେ ଗୋଲ ବୁଲେଇ ରଖିଛନ୍ତି। ଆପଣ ଶିବଙ୍କୁ ଶନିଙ୍କୁ ଯେତେ ଭୟଭକ୍ତି କରି ନଡିଆ, ଘିଅ, ଧୂପଦୀପ ଦେଲେ ବି ଗେଟ୍‍ ବାହାରେ ଏ ଭିକାରିମାନଙ୍କ ଭାଗ ନ ଦେଲେ ସେମାନେ ଛାଡିବେ ନାହିଁ କି ଆପଣ ଶାନ୍ତି ପାଇପାରିବେ ନାହିଁ। ଆପଣ ପ୍ରସାଦ ବାଣ୍ଟିବା ଭଳି ସମସ୍ତଙ୍କ ଥାଳରେ ପଇସା ଠନ୍‍ ଠନ୍‍ କରି ପକାଇ ଚାଲିଲେ ଓ ପ୍ରତ୍ୟେକ ଭିକାରି ଦେଖୁଛି ଆପଣ କାହାକୁ ବେଶୀ ଦେଇ ଦେଲେ କି? ଆପଣ ଏବେ ଭିକ ଦେଇ ଖୁସି ତ? ଜାଣି ରଖନ୍ତୁ ଆପଣଙ୍କ ଭିକ ନୂଆ ଭିକାରି ତିଆରି କରୁଛି। ଆପଣ କୋଣାର୍କ, ପୁରୀ, ନନ୍ଦନକାନନ, ତାଜ୍‍ମହଲ, କୁତବ୍‍ ମିନାର, ଇଣ୍ଡିଆ ଗେଟ୍‍ ପ୍ରଭୃତି ବୁଲିବୁଲି ଦେଖୁଛନ୍ତି। ମନ ଆପଣଙ୍କ ଖୁସୀ ଅଛି। ପକେଟ୍‍ରେ ପଇସା ବି ଅଛି। କିଛି ବିକଳାଙ୍ଗ ଲୋକ ଆପଣଙ୍କୁ ଭିକ ମାଗିଲେ। ଆପଣ ପର୍ସ ଖୋଲି ଗୋଟିଏ ନୋଟ ଦେବାକୁ ବାହାରିଲାବେଳକୁ ଜଣେ ଯୁବକ ଆପଣଙ୍କ ପର୍ସ ଛଡାଇ ନେଇ ଦୌଡି ଦୌଡି ଚମ୍ପଟ୍‍। କ’ଣ ଭାବୁଛନ୍ତି? ଆପଣ ଏକା ଶିକାର ନୁହନ୍ତି। ବିଦେଶୀ ପର୍ଯ୍ୟଟକମାନେ ମଧ୍ୟ। ଭିକାରିଟି ଏଭଳି କାମ କରି ନାହିଁ ବୋଲି ଭାବୁଛନ୍ତି କି? ସେ ହିଁ କରିଛି। ତାଙ୍କର ଦଳର ଇଏ ଯୋଜନା। କରୁଣାର ଇଏ କରୁଣ କାହାଣୀ। ଚିନ୍ତାକରନ୍ତୁ ପର୍ଯ୍ୟଟନସ୍ଥଳୀ ଗୁଡ଼ିକରେ ଭିକ ଦେଇ ସରକାରଙ୍କ ପର୍ଯ୍ୟଟନ ଶିଳ୍ପକୁ ଆପଣ ବାଧା ଦେଉନାହାନ୍ତି ତ?

କେଉଁ କେଉଁ ଜାଗାରେ ପରୀକ୍ଷା କେନ୍ଦ୍ର ତାହା ବି ଜଣା। ବାସ୍‍। ଦେଖନ୍ତୁ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ଠିକ୍‍ ସମୟରେ ଭିକାରିବାବୁମାନେ ହାଜର। ସେହିପରି ବଡ଼ବଡ଼ ଡାକ୍ତରଖାନା ସାମ୍ନାରେ ବିଶେଷକରି ଯେଉଁ ବିଭାଗରେ ଜଟିଳ ରୋଗୀମାନେ ପଡନ୍ତି, ଯଥା ହୃଦ୍‌ରୋଗ, କର୍କଟରୋଗ ଇତ୍ୟାଦି ବିଭାଗ ଆଗରେ ଏମାନଙ୍କର ଦଳ ହାଜର। ରୋଗୀଟିକୁ ଭଲ କରିବାକୁ ଭାଗ୍ୟ, ଭଗବାନ ଓ ଭିକାରି ତିନିଜଣ ଯଥେଷ୍ଟ ବୋଲି ରୋଗୀର ପରିବାର ଲୋକ ଭାବନ୍ତି; କିନ୍ତୁ ଡାକ୍ତର ବେଶି ପଇସା ମାଗୁଛନ୍ତି ବୋଲି କହନ୍ତି। ଭିକାରିମାନଙ୍କର ଏକ ସାଧାରଣ ସଙ୍ଗୀତ ଅଛି, ଯାହାକୁ ସେମାନେ ଯେଉଁ ଯାଗାରେ ଗାନ କରିବେ ଆପଣ ତରଳି ଯିବାକୁ ବାଧ୍ୟ। ସେଇଟା ହେଲା

“ଗରିବୋ କି ଶୁନୋ ଓ ତୁମ୍‍ହାରୀ ଶୁନେଗା

ତୁମ୍‍ ଏକ୍‍ ପଇସା ଦୋଗେ ଓ ଦଶ ପଇସା ଦେଗା।”

ଭିକ୍ଷାବୃତ୍ତି ଏକ ଶିଳ୍ପରେ ପରିଣତ ହୋଇଛି। ‘ଦିଲ୍ଲୀ ସ୍କୁଲ ଅଫ୍‍ ସୋସିଆଲ୍‌ ୱାର୍କ’ ଦ୍ୱାରା କରାଯାଇଥିବା ସର୍ବେକ୍ଷଣରୁ ଜଣାଯାଇଛି ଯେ ଭାରତବର୍ଷରେ ୨୦୧୧ରେ ୪ ଲକ୍ଷ ଭିକାରି ଥିଲେ। ତା’ ମଧ୍ୟରୁ ପଶ୍ଚିମବଙ୍ଗରେ ୮୧,୦୦୦, ଉତ୍ତର ପ୍ରଦେଶରେ ୭୦,୦୦୦, ଯେଉଁମାନଙ୍କର ମାସିକ ଆୟ ୨୪,୦୦୦। ବମ୍ବେ ଭିକାରିଙ୍କ ଆୟ ଟିକିଏ ଅଧିକ। ତେଣୁ ବର୍ଷକୁ ଭିକ୍ଷା ବେପାର କୋଟି କୋଟି ଟଙ୍କା। ଏବେ ୨୦୨୧ ମସିହା। ନିଶ୍ଚୟ ଏହି ଆୟ ଦଶଗୁଣ ବଢ଼ିଯାଇଥିବ। ବମ୍ବେର ଭିକାରି ଭରତ ଜେନ। ତାଙ୍କର ବମ୍ବେରେ ଚାରି କୋଟି ଟଙ୍କାର ଦୁଇଟି ଫ୍ଲାଟ୍‍, ଫଳରସ ଦୋକାନ, ଭଡାରେ ମାସକୁ ୭୦୦୦୦ ଟଙ୍କାରୁ ୯୦୦୦୦ ଟଙ୍କା ଆୟ। ଆଉ ଜଣେ ଭିକାରି ବିଜୁ ଚନ୍ଦ୍ର ଆଜାଦ। ରେଳ ଦୁର୍ଘଟଣା ଘଟିଲା ଓ ତାଙ୍କ ବ୍ୟାଗରୁ ବାହାରିଲା ୨ ଲକ୍ଷ ଟଙ୍କାର କଏନ୍‍, ୯ ଲକ୍ଷ ଟଙ୍କାର ‘ଫିକ୍ସ ଡିପୋଜିଟ୍‍’, ୯୬୦୦୦ ଟଙ୍କାର ‘ସେଭିଙ୍ଗସ୍‍ ଡିପୋଜିଟ୍‍’ ଓ ପାନ୍‍ କାର୍ଡ, ଆଧାର କାର୍ଡ ଇତ୍ୟାଦି। ତେଲଙ୍ଗାନାର ନାଲ୍‍ଗୋଣ୍ଡା ଜିଲାର ଚିନ୍ତାପହି ଗାଁର ଏଦି ରେଡ୍ଡୀ ଗୋଟିଏ ମନ୍ଦିର ନିର୍ମାଣ ଓ ଗୋଶାଳା ପରିଚାଳନା ପାଇଁ ଆଠ ଲକ୍ଷ ଟଙ୍କା ଦାନ ଦେଲେ।

ଉତ୍ତର ପ୍ରଦେଶର କାନପୁର ନିକଟରେ କାପାଡିଆ ବସ୍ତି ବୋଲି ଗୋଟିଏ ଗାଁ ଅଛି। ଯେଉଁ ଗାଁର ସମସ୍ତ ପୁରୁଷ ଲୋକ ଲମ୍ବା ଚୁଟି, ଲାଲ ଚିତା, ଗୈରିକ ଲମ୍ବା ବସ୍ତ୍ର ପରିଧାନ କରନ୍ତି ଓ ଶହ ଶହ ବର୍ଷ ଧରି ଭିକ୍ଷା ମାଗି ଚଳନ୍ତି। ଏହା ସେମାନଙ୍କର ପାରମ୍ପରିକ ବୃତ୍ତି। ଏମାନଙ୍କୁ ଆପଣ ଓଡ଼ିଶାର ବିଭିନ୍ନ ସହରରେ ବୁଲୁଥିବାରୁ ଓ ଆପଣଙ୍କ କପାଳ ଦେଖି ଭବିଷ୍ୟତ କହିବାର ଦେଖିଥିବେ। କିଛି ବର୍ଷ ପୂର୍ବେ ମହାରାଷ୍ଟ୍ର ବିଧାନସଭାରେ ଭିକ୍ଷାବୃତ୍ତି ଉଚ୍ଛେଦ ଉପରେ ଆଲୋଚନା ସମୟରେ ସରକାରଙ୍କ ତରଫରୁ ତଥ୍ୟ ଦିଆଗଲା ଯେ କେବଳ ମୁମ୍ବଇ ସହରରେ ବର୍ଷକୁ ୧୮୦ କୋଟି ଟଙ୍କାର ଭିକ୍ଷାବୃତ୍ତି ଆୟ ହୁଏ ଏବଂ ଗଣେଶ ପୂଜା, ରମ୍‍ଜାନ୍‍, ଇଦ୍‍ ସମୟରେ ଏହି ଆୟ ବଢ଼ିଯାଏ। କିଛି ଭିକାରି ରମ୍‍ଜାନ୍‍ ମାସରେ ଉଡାଜାହାଜରେ ଆରବ ଦେଶମାନଙ୍କୁ ଯାଇ ସେହି ମାସର ଆୟ ଧରି ପୁଣି ପ୍ରତ୍ୟାବର୍ତ୍ତନ କରନ୍ତି। ଯେମିତି କାର୍ତ୍ତିକ ମାସରେ ପୁରୀରେ ଭିକାରିଙ୍କ ଆୟ ବଢ଼ିଯାଏ।

ଏହି ଭିକ୍ଷାବୃତ୍ତି କେବଳ ରାସ୍ତାଘାଟ, ମନ୍ଦିର, ମସ୍‍ଜିଦ୍‍ରେ ଆଉ ସୀମିତ ନାହିଁ। ଦୁନିଆ ବଦଳିବା ସହିତ ଭିକାରି ଓ ଭିକ୍ଷାବୃତ୍ତି ମଧ୍ୟ ବଦଳିଯାଇଛି। ଅନ୍‍ଲାଇନ୍‍ ଯୁଗରେ ଏମାନେ ଆଉ କାହିଁକି ଅଫ୍‍ଲାଇନ୍‍ରେ ମାଗିବେ। ତେଣୁ ଅନ୍‍ଲାଇନ୍‍ ଭିକ୍ଷା ସାଇଟ୍‍ ସବୁ ଖୋଲି ଗଲାଣି। ଯେମିତି କି ସାଇବରବେଗ୍‍ ଡଟ୍‍ କମ, କ୍ରାଉଡ ଫଣ୍ଡର ଡଟ୍‍ କମ୍‍, କିକଷ୍ଟାଟର ଡଟ୍‍ କମ୍‍ ଇତ୍ୟାଦି। ଏହି ସାଇଟ୍‍ମାନଙ୍କୁ ଯାଇ ଆପଣ ଅନ୍‍ଲାଇନ୍‍ ଭିକ୍ଷା ଦେଇପାରିବେ। ଭିକ୍ଷା ପ୍ରଦାନ ଓ ଭିକ୍ଷା ଗ୍ରହଣକୁ ପ୍ରାୟତଃ ସବୁ ଧର୍ମ ଯଥା ହିନ୍ଦୁ, ଇସ୍‍ଲାମ୍‍, ଖ୍ରୀଷ୍ଟିଆନ୍‍, ବୁଦ୍ଧ, ଜୈନ, ଶିଖ୍‍ ସମସ୍ତେ ସ୍ୱୀକୃତି ଦେଇଛନ୍ତି; କିନ୍ତୁ ଧର୍ମରେ ଭିକ୍ଷାର ଯେଉଁ ପ୍ରଥା, ପରମ୍ପରା ଓ ଚିନ୍ତାଧାରା ଥିଲା ତାହା ହେଲା ଅସହାୟ, ନିରାଶୟ, ଅକ୍ଷମକୁ ଦୟା, ଅନୁକମ୍ପା, ସାହାଯ୍ୟ ଓ ପୁଣ୍ୟ ଅର୍ଜନ। ଦ୍ୱିତୀୟ କାରଣ ହେଲା କିଛି ସାଧୁ ସନ୍ଥ, ସଂସାର ତ୍ୟାଗ କରି ସମାଜର ନୈତିକ ଓ ଅଧ୍ୟାତ୍ମିକ ଉନ୍ନତି ପାଇଁ ଉତ୍ସର୍ଗୀକୃତ। ତେଣୁ ସେମାନେ ଘରକୁ ଘର, ଗାଁକୁ ଗାଁ ଯାଇ ଲୋକମାନଙ୍କୁ ଜ୍ଞାନ ବଣ୍ଟନ କରନ୍ତି ଓ ସମାଜର କର୍ତ୍ତବ୍ୟ ହେଲା ସେମାନଙ୍କୁ ରକ୍ଷା କରିବା। ରାଜ ଶାସନରେ ଭିକ୍ଷାବୃତ୍ତି ମଧ୍ୟ ଥିଲା। ସମୟେ ସମୟେ ରାଜା ଭିକ୍ଷୁକ ସାଜି ନିଜ ରାଜ୍ୟର ଗୁପ୍ତ ଖବର ସଂଗ୍ରହ କରୁଥିଲେ; କିନ୍ତୁ ଏବେର ଜନମଙ୍ଗଳ ରାଷ୍ଟ୍ରରେ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାମାନ ଲାଗୁ କରାଯାଉଛି। ଯେଉଁ କାରଣଗୁଡିକ ଭିକ୍ଷାବୃତ୍ତିକୁ ପ୍ରୋତ୍ସାହନ କରିଛି ଯଥା ଦାରିଦ୍ର୍ୟ, ବେକାରୀ, ପ୍ରାକୃତିକ ବିପର୍ଯ୍ୟୟ ଜନିତ ଦୁର୍ଘଟଣା, ପିତାମାତାଙ୍କ ମୃତ୍ୟୁ ପରେ ସନ୍ତାନସନ୍ତତିଙ୍କ ଅସହାୟତା, ପୁଅବୋହୂଙ୍କ ଅତ୍ୟାଚାରଜନିତ ବୃଦ୍ଧବୃଦ୍ଧା ପିତାମାତାଙ୍କ ଯନ୍ତ୍ରଣା; ଏସବୁକୁ ଦୂର କରିବାକୁ ସରକାର ଚେଷ୍ଟା କରୁଛନ୍ତି। ବିହାର ସରକାର ମୁଖ୍ୟମନ୍ତ୍ରୀ ଭିକ୍ଷାବୃତ୍ତି ନିବାରଣ ଯୋଜନା ଲାଗୁ କରିଛନ୍ତି।

ଭିକ୍ଷାବୃତ୍ତି ଯଦି ଏକ ସାମାଜିକ ସମସ୍ୟା ବୋଲି ବିବେଚନା କରାଯାଏ, ତେବେ ଏହାର ନିରାକରଣ ପାଇଁ ଅର୍ଥନୈତିକ, ଆଇନଗତ ଓ ସାମାଜିକ ସମାଧାନ ଦରକାର।

ଏକ- ସରକାର ଏପରି ଆଇନ ପ୍ରଣୟନ କରନ୍ତୁ ଯେପରି କୌଣସି ସକ୍ଷମ ବ୍ୟକ୍ତି ଭିକ୍ଷାବୃତ୍ତି କରିପାରିବେ ନାହିଁ। ଯେଉଁ ଭିକାରି ସରକାରଙ୍କ ସାହାଯ୍ୟ ପାଇ ସମ୍ମାନ ସହ ବଞ୍ଚିପାରିବ କିନ୍ତୁ ଭିକ୍ଷାବୃତ୍ତି କରୁଛି ତାହା ଅପରାଧଭାବେ ଧରାଯାଉ। କୌଣସି ଜାତି ବା ବର୍ଗର କୌଳିକ ଭିକ୍ଷାବୃତ୍ତି ଏକ ଅଧିକାର ବୋଲି ବେଆଇନ କରାଯାଉ।

ଦୁଇ- ସରକାର ଭିକାରିମାନଙ୍କର ଏକ ଜନଗଣନା କରନ୍ତୁ ଏବଂ ପ୍ରତ୍ୟେକ ଜନହିତକର ଯୋଜନାରେ ଏହି ଭିକାରିମାନଙ୍କୁ ଅନ୍ତର୍ଭୁକ୍ତ କରି ସେମାନଙ୍କର ଆର୍ଥିକସ୍ଥିତିର ଉନ୍ନତି ଆଣି ଭିକ୍ଷାବୃତ୍ତିରୁ ନିବୃତ୍ତ କରନ୍ତୁ।

ତିନି- ସମାଜର ସମସ୍ତ ଚିନ୍ତାଶୀଳ ବ୍ୟକ୍ତି ବୁଝିବା ଦରକାର ଯେ ଭାରତର ସମ୍ବିଧାନ ଧାରା ୨୧ରେ ଉଲ୍ଲେଖ ଅଛି ଯେ ପ୍ରତ୍ୟେକ ଭାରତୀୟ ନାଗରିକର ସମ୍ମାନର ସହ ବଞ୍ଚିବାର ଅଧିକାର ଅଛି। ଭିକ୍ଷାବୃତ୍ତି କୌଣସି ଲୋକକୁ ସମ୍ମାନ ଦେଇ ନ ଥାଏ। ତେଣୁ ଆପଣ ଭିକ ଦେଇ ଜଣକୁ ଅସମ୍ମାନ କରନ୍ତୁ ନାହିଁ। ଆଉ ମଧ୍ୟ ଭିକ୍ଷା ଅପାତ୍ରେ କରନ୍ତୁ ନାହିଁ। ଭିକ୍ଷା ଖାଦ୍ୟ, ବସ୍ତ୍ର, ସେବା ହିସାବରେ ଦିଅନ୍ତୁ କିନ୍ତୁ ଟଙ୍କାପଇସାରେ ନୁହେଁ। ଯଦି ଆପଣ ଜଣେ ବୁଦ୍ଧିଜୀବୀ ସଚେତନ ଭାରତୀୟ ନାଗରିକ ତେବେ ଭିକାରି ପାଇଁ ଲଢନ୍ତୁ ଓ ଭିକ୍ଷାବୃତ୍ତି ବିରୁଦ୍ଧରେ ଲଢନ୍ତୁ। ଆପଣଙ୍କର କଲ୍ୟାଣ ସମାଜର କଲ୍ୟାଣ। ତେଣୁ ଆଉ ଶୁଭିବନି “ମା’! ଗଣ୍ଡେ ଭିକ ମିଳୁ, ଶୁଭିବ ହେ ସମାଜ, ମୋତେ କାମ ଦିଅ, ସମ୍ମାନ ଦିଅ”।

Comments are closed.