ବିଧ୍ବସ୍ତ ପ୍ରାୟ ଷୋଳମ୍‌ପୁର ବୌଦ୍ଧବିହାର

ଅନ୍ତର୍ଯ୍ୟାମୀ ମିଶ୍ର

ବିଶ୍ବର ବୌଦ୍ଧ ସଂସ୍କୃତିରେ ଓଡ଼ିଶାର ଷୋଳମ୍‌ପୁର ବୌଦ୍ଧବିହାରର ନାମ ସ୍ବର୍ଣ୍ଣାକ୍ଷରରେ ଉଲ୍ଲିଖିତ। ଓଡ଼ିଶାରେ ଭୌମକର ଶାସନର ପ୍ରାରମ୍ଭରେ ଅର୍ଥାତ୍‌ ସପ୍ତମ ଶତାବ୍ଦୀରେ ବୈତରଣୀ ନଦୀର ଉତ୍ତର ପାର୍ଶ୍ବରେ ପ୍ରତିଷ୍ଠିତ ହୋଇଥିଲା। କାଳର କରାଳଗତିରେ ଏହି ବିଶ୍ବପ୍ରସିଦ୍ଧ ବୌଦ୍ଧବିହାରଟି ଧ୍ବଂସ ପାଇଯାଇଥିଲେ ହେଁ ସେଠାରେ ଅନେକ ବୌଦ୍ଧମୂର୍ତ୍ତି, ବୁଦ୍ଧଙ୍କ ଜୀବଦ୍ଦଶାର ଆଠଗୋଟି ବିରଳ ଚିତ୍ର, ବୌଦ୍ଧ ଦେବୀ ସନ୍ଥେଶ୍ବରୀ, କେତେକ ଶିଳାଲେଖ ତଥା ବିହାରର ଭଗ୍ନାବଶେଷ ପ୍ରଭୃତି ବିଦ୍ୟମାନ। ଦୀର୍ଘକାଳ ଧରି ଏଗୁଡ଼ିକ ଅବହେଳିତ ଅବସ୍ଥାରେ ପଡ଼ିରହିଛି। ସୁଖର କଥା ସଂପ୍ରତି ଭାରତୀୟ ପ୍ରତ୍ନତାତ୍ତ୍ବିକ ସଂସ୍ଥା ଏହି ପ୍ରାଚୀନ ବୌଦ୍ଧବିହାରର ସଂରକ୍ଷଣ ଓ ସର୍ବେକ୍ଷଣ ଦାୟିତ୍ବ ବହନ କରିଛନ୍ତି। ସମଗ୍ର ଅଞ୍ଚଳଟିର ଭୂଖନନ ଓ ସର୍ବେକ୍ଷଣ ହୋଇପାରିଲେ ବହୁ ଅଜ୍ଞାତ ତଥ୍ୟ ଲୋକଲୋଚନକୁ ଆସିପାରିବ।

ଭୌମକର ରାଜତ୍ବରେ ଯାଜପୁରର ନାମ ଥିଲା ଗୁହେଶ୍ବର ପାଟକ। ଭୌମକର ରାଜା ଓ ରାଣୀଙ୍କର ରାଜଧାନୀ ଗୃହେଶ୍ବର ପାଟକ ବୈତରଣୀ ନଦୀର ଉତ୍ତର ଓ ଦକ୍ଷିଣ ଉଭୟ ପାର୍ଶ୍ବରେ ପରିବ୍ୟାପ୍ତ ଥିଲା। ବୈତରଣୀ ନଦୀର ଉତ୍ତର ପାର୍ଶ୍ବରେ ଥିବା ବରାହନାଥ, ଷୋଳମ୍‌ପୁର ଓ ଖଡ଼ିପଦା ପ୍ରଭୃତି ଏହି ନଗରୀର ଅନ୍ତର୍ଭୁକ୍ତ ଥିଲା। ବହୁବର୍ଷ ତଳେ ବୈତରଣୀର ମୂଳଧାର ଶୁଷ୍କ ହୋଇ ଗେଙ୍ଗୁଟି ନଦୀ ଧାରରେ ଜଳ ପ୍ରବାହିତ ହେବା ସହିତ ଯାଜପୁରର ଭୌଗୋଳିକ ପରିବର୍ତ୍ତନ ଘଟିଛି। ବର୍ତ୍ତମାନ ଗେଙ୍ଗୁଟି ନଦୀ ଯାଜପୁର ଓ ଭଦ୍ରକ ଜିଲାର ପରିସୀମା ଭାବରେ ପରିଚିହ୍ନିତ। ଏହି ଗେଙ୍ଗୁଟି ନଦୀର ଉତ୍ତର ପାର୍ଶ୍ବରେ ଯାଜପୁର ସହରଠାରୁ ଚାରିକିଲୋମିଟର ଦୂରରେ ଷୋଳମ୍‌ପୁର ଗ୍ରାମର ଅବସ୍ଥିତ। ଏହି ଷୋଳମ୍‌ପୁରରେ ପ୍ରାଚୀନ ବୌଦ୍ଧବିହାର, ଭୌମକରମାନଙ୍କ ରାଜପ୍ରାସାଦ ଓ ଦୁର୍ଗ ରହିଥିଲା, ଯାହା ସଂପ୍ରତି ଧ୍ବସ୍ତବିଧ୍ବସ୍ତ।

ଭୌମ ସମ୍ରାଟ ମହାରାଜା ପ୍ରଥମ ଶୁଭାକର ଦେବଙ୍କ ନେଉଳପୁର ତାମ୍ର ଶାସନରେ ଷୋଳମ୍‌ପୁର ନାମ ପରିଦୃଷ୍ଟ ହୋଇଥାଏ। ସେ ଚାରିବେଦର ବିଭିନ୍ନ ଶାଖା ଓ ଗୋତ୍ରର ଦୁଇଶହ ବେଦଜ୍ଞ ବ୍ରାହ୍ମଣଙ୍କୁ କୋମ୍ପାରକ ଓ ଷୋଳମ୍‌ପୁର ଗ୍ରାମ ଦାନ ଦେଇଥିଲେ। ଏଥିରୁ ପ୍ରମାଣିତ ହେଉଛି ଷୋଳମ୍‌ପୁର ବୌଦ୍ଧ ଓ ବ୍ରାହ୍ମଣମାନଙ୍କର ନିବାସସ୍ଥଳୀ ଥିଲା; କିନ୍ତୁ ସୋମବଂଶର ଶେଷ ରାଜା କର୍ଣ୍ଣଦେବଙ୍କ ରତ୍ନଗିରି ତାମ୍ରଶାସନରୁ ଜଣାଯାଏ ଯେ ଷୋଳମ୍‌ପୁର ଏକ ବୌଦ୍ଧବିହାର ଥିଲା। ସେ ଏହି ଷୋଳମ୍‌ପୁର ନିବାସୀ ରାଣୀ କର୍ପୂରଶ୍ରୀଙ୍କୁ ଗୋଟିଏ ନିଷ୍କର ଗ୍ରାମ ଦାନ କରିଥିଲେ। ଏହି ରାଣୀ ଷୋଳମ୍‌ପୁରର କାଶ୍ୟପ ଗୋତ୍ରୋଦ୍ଭବ ଉଦୟମତିଙ୍କ କନ୍ୟା ଥିଲେ। ଏଥିରୁ ହୃଦ୍‌ବୋଧ ହୁଏ ଭୌମକର ଯୁଗରେ ଷୋଳମ୍‌ପୁରରେ ଏକ ବୌଦ୍ଧବିହାର ଥିଲା ତଥା ବୌଦ୍ଧ ଧର୍ମାବଲମ୍ବୀ ମହାରାଜା ପ୍ରଥମ ଶୁଭାକର ଦେବ ସେଠାରେ ବ୍ରାହ୍ମଣ ବସତି ପ୍ରତିଷ୍ଠା ପୂର୍ବକ ବ୍ରାହ୍ମଣ ଓ ବୌଦ୍ଧମତର ସମନ୍ବୟ କାମନା କରିଥିଲେ। ସୋମବଂଶ ରାଜତ୍ବର ଶେଷ ସମୟ ପର୍ଯ୍ୟନ୍ତ ଷୋଳମ୍‌ପୁର ତା’ର ଔଲ୍ୟ ହରାଇ ନଥିଲା। ପରବର୍ତ୍ତୀ କାଳରେ ଷୋଳମ୍‌ପୁର ଧ୍ବସ୍ତବିଧ୍ବସ୍ତ ହୋଇଯାଇଛି। ଧ୍ବସ୍ତବିଧ୍ବସ୍ତ ହେବାର ଠିକ୍‌ କାରଣ ଅଦ୍ୟାବିଧି ଜଣାପଡ଼ିନାହିଁ ବା ଷୋଳମ୍‌ପୁରର ଇତିହାସ ମଧ୍ୟ ଏ ପର୍ଯ୍ୟନ୍ତ ବର୍ଣ୍ଣିତ ହୋଇପାରିନାହିଁ। ବିଧ୍ବସ୍ତ ବୌଦ୍ଧବିହାରର ଭୂଖନନ ଓ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ହେଲେ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ଆଶା କରାଯାଏ।

କିମ୍ବଦନ୍ତୀ ଅନୁଯାୟୀ ଓଡ଼ିଶାର ଶେଷ ସ୍ବାଧୀନ ରାଜା ମୁକୁନ୍ଦଦେବ ଷୋଳମ୍‌ପୁରରେ ଏକ ଦୁର୍ଗ ନିର୍ମାଣ କରି ଏକଲକ୍ଷ ସୈନ୍ୟ ମହଜୁଦ ରଖିଥିଲେ। ସେହି ସୈନ୍ୟଙ୍କୁ ଧରି ସେ ନିକଟସ୍ଥ ଗୋହିରାଟିକିରି ଯୁଦ୍ଧରେ ଆଫଗାନଙ୍କ ସହ ଯୁଦ୍ଧ କରିଥିଲେ। ଏହି ଯୁଦ୍ଧରେ ସେ ନିହତ ହେବାରୁ ଓଡ଼ିଶାର ଗୌରବ ରବି ଅସ୍ତମିତ ହୋଇଗଲେ। ୧୫୬୮ ମସିହାରେ ସଂଘଟିତ ଏହି ଯୁଦ୍ଧ ପରେ ଷୋଳମ୍‌ପୁର ପରିତ୍ୟକ୍ତ ହୋଇ ଧ୍ବସ୍ତବିଧ୍ବସ୍ତ ହୋଇଗଲା ବୋଲି ଅନୁମାନ କରାଯାଏ। ତଥାପି ଅଦ୍ୟାବଧି ଷୋଳମ୍‌ପୁରରେ ଘୋଡ଼ାଭୂଇଁ, ହାତୀଶାଳ, ଘୋଡ଼ାନାଳ ଓ ମହିଷିଗୋଠ ପ୍ରଭୃତି ସ୍ଥାନ ରହିଛି। ତେଣୁ ପୂର୍ବେ ଏହା ରାଜାଙ୍କ ବାସସ୍ଥଳୀ ଥିବା ସମ୍ଭବ। ଲବ୍ଧପ୍ରତିଷ୍ଠ ପ୍ରାବନ୍ଧିକ ବିରୂପାକ୍ଷ କରଙ୍କ ଲେଖାରୁ ଜଣାଯାଏ ଯେ ପୂର୍ବେ ଏଠାରେ ରାଜାଙ୍କ ପାଇକମାନେ ରହୁଥିଲେ ତଥା ଏକ ବୃହତ୍‌ ପୁଷ୍ପ ଉଦ୍ୟାନ ଥିଲା। କେହିକେହି କହୁଛନ୍ତି, ଏହା ସୈନ୍ୟଛାଉଣୀ ଥିଲା ତଥା ମୁସଲମାନ ଆକ୍ରମଣ ପୂର୍ବରୁ ସୈନ୍ୟମାନେ ଦୁର୍ଗକୁ ତୋପ ଫୁଟାଇ ତିରିଶ ଫୁଟ ତଳକୁ ଦବାଇ ଦେଇଛନ୍ତି। ଏହାସବୁ ଲୋକକଥା ଓ କିମ୍ବଦନ୍ତୀ। ଭୂଖନନ ହେଲେ ପ୍ରକୃତ ସତ୍ୟାସତ୍ୟ ଜଣାପଡ଼ିବ।

ଷୋଳମ୍‌ପୁରର ସାଂପ୍ରତିକ ସ୍ଥିତି ଦେଖିଲେ ଯେ କୌଣସି ବ୍ୟକ୍ତି ବିଶ୍ବାସ କରିବ ଯେ ଏଠାରେ ବୌଦ୍ଧବିହାର ଥିଲା। ବୌଦ୍ଧବିହାର ଧ୍ବସ୍ତବିଧ୍ବସ୍ତ ହେବାପରେ ସେହି ସ୍ଥାନଟିକୁ ଲୋକମାନେ ବୌଦ୍ଧଡ଼ିହ କହୁଛନ୍ତି। ବୌଦ୍ଧବିହାର ଧ୍ବସ୍ତବିଧ୍ବସ୍ତ ହେବା ପରେ ସେହି ସ୍ଥାନରେ ରଘୁନାଥ ମନ୍ଦିର ନିର୍ମିତ। ମନ୍ଦିରଟି ବୌଦ୍ଧବିହାରର ଇଟାରେ ନିର୍ମାଣ କରାଯାଇଥିବା ପ୍ରତୀୟମାନ ହୁଏ। ଆଫଗାନ ଆକ୍ରମଣ ସମୟରେ ଯାଜପୁରର ଶ୍ରୀଜଗନ୍ନାଥଙ୍କୁ କିଛିକାଳ ଏଠାରେ ରଖାଯାଇଥିଲା। ବର୍ତ୍ତମାନ ମନ୍ଦିରଟିର ସିଂହାସନରେ ରଘୁନାଥ ପୂଜିତ ଏବଂ ଅନ୍ୟାନ୍ୟ ଦେବଦେବୀଙ୍କ ମଧ୍ୟରେ ଶାଳଗ୍ରାମ ଶିଳା ନିର୍ମିତ ଏକ ବୃହତ୍‌ ବାଳଗୋପାଳ ମଧ୍ୟ ପୂଜା ପାଉଛନ୍ତି। ମନ୍ଦିର କାନ୍ଥରେ ବହୁ ବୌଦ୍ଧମୂର୍ତ୍ତି ସଂଯୁକ୍ତ କରାଯାଇଛି। ହୃଦ୍‌ବୋଧ ହୁଏ, ଭଗ୍ନ ବୌଦ୍ଧବିହାରରୁ ଏହି ସବୁ ମୂର୍ତ୍ତି ସଂଗ୍ରହ କରାଯାଇ ଚତୁଃପାର୍ଶ୍ବ କାନ୍ଥରେ ଲଗାଯାଇ ପୂର୍ବାଭିମୁଖୀ ମନ୍ଦିରର ସମ୍ମୁଖଭାଗ କାନ୍ଥରେ ଦୁଇଟି ବୌଦ୍ଧମୂର୍ତ୍ତି ରହିଛି। ବାମପାର୍ଶ୍ବରେ ପ୍ରାୟ ଦୁଇଫୁଟ ଉଚ୍ଚତା ବିଶିଷ୍ଟ ତ୍ରିଭଙ୍ଗୀଠାଣିରେ ଦଣ୍ଡାୟମାନ ବୋଧିସତ୍ତ୍ବ ମଞ୍ଜୁଶ୍ରୀ ମୂର୍ତ୍ତି ସଂଯୁକ୍ତ ହୋଇଛି। ଉତ୍ତର ପାର୍ଶ୍ବ କାନ୍ଥରେ ଦୁଇଟି ମୂର୍ତ୍ତି ବିଦ୍ୟମାନ। ତନ୍ମଧ୍ୟରୁ ଗୋଟିଏ ତାରା ଓ ଅନ୍ୟଟି ବୁଦ୍ଧ। ତ୍ରିଭଙ୍ଗୀଠାଣିରେ ଦଣ୍ଡାୟମାନ ତାରା ମୂର୍ତ୍ତିର ଉତ୍ପତ୍ତି ଭାଗରେ ଦୁଇଧାଡ଼ିରେ ବୌଦ୍ଧଧାରିଣୀ ମନ୍ତ୍ର ଲିଖିତ। ଲିପିତାତ୍ତ୍ବିକ ଦୃଷ୍ଟିକୋଣରୁ ଏଗୁଡ଼ିକ ସପ୍ତମ-ଅଷ୍ଟମ ଶତାବ୍ଦୀର ଅକ୍ଷର। ଏଯାବତ୍‌ ବିଧିବଦ୍ଧ ଭାବେ ଏହାର ପାଠୋଦ୍ଧାର ହୋଇନାହିଁ।
ଷୋଳମ୍‌ପୁର ରଘୁନାଥ ମନ୍ଦିରରେ ସଂଯୁକ୍ତ ହୋଇଥିବା ବୁଦ୍ଧ, ବୋଧିସତ୍ତ୍ବ ଓ ତା’ର ମୂର୍ତ୍ତି ଅତୀବ ରମଣୀୟ ତଥା ଭୌମକର ଯୁଗୀୟ ଉତ୍କଳୀୟ ଶିଳ୍ପକଳାର ଚରମ ନିଦର୍ଶନ। ମନ୍ଦିରର ଉତ୍ତର ପାର୍ଶ୍ବ କାନ୍ଥରେ ଏକ କମନୀୟ ବୁଦ୍ଧମୂର୍ତ୍ତିଙ୍କ ଦୁଇପାର୍ଶ୍ବରେ ବୁଦ୍ଧଙ୍କ ଜୀବନ ବୃତ୍ତାନ୍ତ ସମ୍ବଳିତ ଆଠଗୋଟି ଦୃଶ୍ୟ ଚିତ୍ରିତ। ଦୀର୍ଘ ତେରଶହ ବର୍ଷ ଧରି ସେହି ଚିତ୍ରଗୁଡ଼ିକ ବର୍ଷା ଓ ବାତ୍ୟା ମାଡ଼ ଖାଇଥିଲେ ମଧ୍ୟ ରଙ୍ଗ ଫିକା ପଡ଼ିନାହିଁ। ବୁଦ୍ଧମୂର୍ତ୍ତିର ପ୍ରତ୍ୟେକ ପାର୍ଶ୍ବରେ ଚାରିଗୋଟି ଲେଖାଏଁ ଦୃଶ୍ୟ କ୍ରମାନ୍ବୟରେ ଉତ୍କୀର୍ଣ୍ଣ। ପ୍ରଥମ ଚିତ୍ରରେ ଲୁମ୍ବିନୀ ଉଦ୍ୟାନରେ ମାୟାଦେବୀଙ୍କଠାରୁ ବୁଦ୍ଧ ଜନ୍ମଗ୍ରହଣ କରିବା, ଦ୍ବିତୀୟ ଚିତ୍ରରେ ବୋଧିଗୟାଠାରେ ବୁଦ୍ଧତ୍ବ ପ୍ରାପ୍ତି, ତୃତୀୟ ଚିତ୍ରରେ ସାରନାଥଠାରେ ବୁଦ୍ଧଙ୍କ ଦ୍ବାରା ଧର୍ମଚକ୍ର ପ୍ରବର୍ତ୍ତନ ମୁଦ୍ରା, ଚତୁର୍ଥ ଚିତ୍ରରେ ସାରନାଥରେ ବୁଦ୍ଧଙ୍କ ଅବତାର, ପଞ୍ଚମ ଚିତ୍ରରେ ବୁଦ୍ଧଙ୍କର ଶଙ୍କିଶକୁ ଯାତ୍ରା ଓ ଧର୍ମୋପଦେଶ ପ୍ରଦାନ, ଷଷ୍ଠ ଚିତ୍ରରେ ନୀଳଗିରିଠାରେ ବୁଦ୍ଧଙ୍କ ଦ୍ବାରା ପାଗଳ ହସ୍ତୀ ପରାସ୍ତ, ସପ୍ତମ ଚିତ୍ରରେ ବୈଶାଳୀଠାରେ ମାଙ୍କଡ଼ଠାରୁ ଗୋଟିଏ କପ୍‌ ମହୁ ଗ୍ରହଣ କରିବା ଏବଂ ଅଷ୍ଟମ ଚିତ୍ରରେ କୁଶୀନଗରଠାରେ ନିର୍ବାଣପ୍ରାପ୍ତି। ଏହି ଆଠଗୋଟି ଚିତ୍ର ମନୋମୁଗ୍ଧକର, ଭାବୋଦ୍ଦୀପକ ଓ ହୃଦୟସ୍ପର୍ଶୀ।

ସମଗ୍ର ଭାରତରେ ଏତାଦୃଶ ଚିତ୍ର ବିରଳ। ମନ୍ଦିରର ପଶ୍ଚିମ ପାର୍ଶ୍ବ କାନ୍ଥରେ କେତେଗୁଡ଼ିକ ବୌଦ୍ଧମୂର୍ତ୍ତି ସଜ୍ଜିତ କରି ରଖାଯାଇଛି। ସେହି ମୂର୍ତ୍ତିଗୁଡ଼ିକ ହେଉଛି ଭୂମିସ୍ପର୍ଶମୁଦ୍ରାସ୍ଥିତ ଅକ୍ଷୋଭ, ସମାଧି ମୁଦ୍ରାସ୍ଥିତ ଅମିତାଭ, ଲଳିତାସନରେ ଥିବା ଦ୍ବିଭୁଜା ତାରା, ବଜ୍ରତାରା ଏବଂ ଧ୍ୟାନୀ ବୁଦ୍ଧ। ଏଥିରୁ ଉପଲବ୍ଧ ହୁଏ ଷୋଳମ୍‌ପୁର ମହାବିହାରରେ ବଜ୍ରଯାନ ଉପାସନା ଅବ୍ୟାହତ ଥିଲା। ପଞ୍ଚବୁଦ୍ଧ ଓ ତାଙ୍କ ପଞ୍ଚଶକ୍ତିର ପୂଜା ହେଉଥିଲେ ହେଁ ଯେଉଁ ସବୁ ମୂର୍ତ୍ତି ଉଦ୍ଧାର କରାଯାଇପାରିଛି, ତାହା ହିଁ ମନ୍ଦିର କାନ୍ଥରେ ଲଗାଯାଇଛି। ମହାବିହାରଟି ଧ୍ବଂସ ପାଇବା ପରେ ସେଠାରେ କୌଣସି ବୌଦ୍ଧଭିକ୍ଷୁ ବା ବୌଦ୍ଧ ଧର୍ମାବଲମ୍ବୀ ନଥିବାରୁ ହିନ୍ଦୁମାନେ ବୌଦ୍ଧବିହାରର ଇଟାରେ ରଘୁନାଥ ମନ୍ଦିର ନିର୍ମାଣ କରି କାନ୍ଥରେ ବୌଦ୍ଧମୂର୍ତ୍ତି ରଖିଛନ୍ତି। ରଘୁନାଥ ମନ୍ଦିରର ଉତ୍ତର ପାର୍ଶ୍ବରେ ଏକ ପ୍ରାଚୀନ ପୁଷ୍କରିଣୀ ରହିଛି। ଏହାର ହୁଡ଼ାରେ ଚାଲିଲେ ଦୁମ୍‌ଦୁମ୍‌ ଶବ୍ଦ ହୋଇଥାଏ। ଜଣାଯାଏ, ଯେପରି ହୁଡ଼ା ତଳେ ବହୁ ଗୁପ୍ତପଦାର୍ଥ ରହିଛି। ମନ୍ଦିର ସମ୍ମୁଖରେ କେତେଗୁଡ଼ିଏ ସ୍ତୂପ, ବୁଦ୍ଧଙ୍କ ମୂର୍ତ୍ତି ଓ ଅଷ୍ଟବୃତ୍ତାକାର ପଥରଖଣ୍ଡ ପଡ଼ିରହିଛି। ଏହି ସ୍ଥାନରୁ ବହୁ ଇଟା ଓ ଖପରା ମିଳୁଛି। ମନେହୁଏ, ବୌଦ୍ଧବିହାର ଅବସ୍ଥିତି ଏହି ସ୍ଥାନରେ ଥିଲା। ଏହି ସ୍ଥାନର ତଳେ କଂସାକବାଟ ରହିଛି ବୋଲି ଲୋକେ କହୁଛନ୍ତି। ଏଠାରେ ମଧ୍ୟ ମାଟି ଉପରେ ଚାଲିଲେ ଦୁମ୍‌ଦୁମ୍‌ ଆବାଜ ହେଉଛି। ମନ୍ଦିର ସମ୍ମୁଖରେ ଗୋଟିଏ ବିଶାଳ ଶିବଲିଙ୍ଗ ମୁକ୍ତାକାଶ ତଳେ ବିଦ୍ୟମାନ, ଯେଉଁଥିରେ ହୁନମାନ ବିଗ୍ରହ ଖୋଦିତ। ଏହା ପରବର୍ତ୍ତୀ କାଳୀନ କୀର୍ତ୍ତି ବୋଲି କେହି କହୁଥିବାବେଳେ କେହିକେହି ପ୍ରାଚୀନ କୀର୍ତ୍ତି ବୋଲି କହୁଛନ୍ତି। ମୂର୍ତ୍ତିତତ୍ତ୍ବବିତ୍‌ଙ୍କ ପରୀକ୍ଷା ପରେ ସତ୍ୟାସତ୍ୟ ନିର୍ଣ୍ଣୟ ହେବ।

ବୌଦ୍ଧବିହାର ଥିବା ସ୍ଥାନ ବା ବୌଦ୍ଧଡ଼ିହର ଶେଷସୀମା ଉତ୍ତର-ପୂର୍ବ କୋଣରେ ଗୋଟିଏ ଚାଳଘରେ ଦେବୀ ସନ୍ଥେଶ୍ବରୀ ବିରାଜିତା। ସନ୍ଥେଶ୍ବରୀ ପ୍ରତ୍ୟକ୍ଷ ଦେବୀ ବୋଲି ଲୋକବିଶ୍ବାସ। ପୂଜକ ଦେବୀଙ୍କୁ ସର୍ବଦା ଆବୃତ୍ତ କରି ରଖୁଥିବାରୁ ତାଙ୍କ ପ୍ରକୃତ ସ୍ବରୂପ ଜାଣିହେଉନାହିଁ। ଦେବୀ ସନ୍ଥେଶ୍ବରୀ ହେଉଛନ୍ତି ବୌଦ୍ଧ ସନ୍ଥମାନଙ୍କର ଈଶ୍ବରୀ। ଏହା ବିରଳ ମୂର୍ତ୍ତି। ସେ ବୌଦ୍ଧଦେବୀ ହେଲେ ହେଁ ବର୍ତ୍ତମାନ ହିନ୍ଦୁମତରେ ପୂଜିତା। ଏହି ମୂର୍ତ୍ତିର ପୃଷ୍ଠଦେଶରେ ଏକ ଶିଳାଲେଖ ରହିଛି। ଜନୈକ ବଙ୍ଗାଳୀ ଗବେଷକ ୧୯୨୨-୨୩ ମସିହାରେ ଏହି ଶିଳାଲେଖର ଫଟୋ ନେଇଥିଲେ ହେଁ ତାହା ପ୍ରକାଶ ହୋଇଛି କି ନାହିଁ ଜଣାପଡୁନାହିଁ। ଗୁପ୍ତ ଭବିଷ୍ୟତ ମାଳିକାରେ ଉଲ୍ଲେଖ ଅଛି ଯେ, ସନ୍ଥେଶ୍ବରୀ ଚତୁର୍ଭୁଜା ନାରାୟଣୀ ମୂର୍ତ୍ତି ଏବଂ ତାଙ୍କ ପଛପାଖରେ ଦେବନାଗରୀ ଲିପିରେ ଶିଳାଲେଖ ରହିଛି ତଥା ଭବିଷ୍ୟତରେ କାଶୀରୁ ଭକ୍ତ ଆସି ଏହାର ପାଠୋଦ୍ଧାର କରିବେ। ଏହି ସନ୍ଥେଶ୍ବରୀ ବିରାଜିତା ଚାଳଘରେ କେତେଗୁଡ଼ିଏ ଭଗ୍ନମୂର୍ତ୍ତି ରହିଅଛି। ବାରଣ୍ଡାର ବାମପାର୍ଶ୍ବରେ ଏକଫୁଟ ଉଚ୍ଚର ମସ୍ତକବିହୀନ ଧ୍ୟାନୀବୁଦ୍ଧ ଅକ୍ଷୋଭ ଅମିତାଭଙ୍କୁ ରଖାଯାଇଛି। ଏହାର ଦକ୍ଷିଣ ପାର୍ଶ୍ବରେ ତିନିଫୁଟ ଉଚ୍ଚତାର ଜଟାମୁକୁଟଧାରୀ ଲୋକେଶ୍ବର ଲଳିତାସନରେ ଉପବିଷ୍ଟ ମୁଗୁନି ପଥରରେ ନିର୍ମିତ ଏହି ମୂର୍ତ୍ତି ଚତୁର୍ଭୁଜା, ଦକ୍ଷିଣ ହସ୍ତ ଦ୍ବୟ ବରଦ ମୁଦ୍ରା ଓ ମାଳା ତଥା ବାମହସ୍ତ ଦ୍ବୟରେ କମଣ୍ଡଳୁ ଓ ପଦ୍ମଫୁଲ। ବାରଣ୍ଡା ସଂଲଗ୍ନ ଆମ୍ବଗଛ ମୂଳେ ଚାରିଗୋଟି ବୁଦ୍ଧମୂର୍ତ୍ତି ମାଟିରେ ଅଧାପୋତା ହୋଇଛନ୍ତି। ପ୍ରଥମଟି ଅଢ଼େଇଫୁଟ ଉଚ୍ଚର କମନୀୟ ଅବଲୋକିତେଶ୍ବର, ଏହା ନିକଟରେ କୁବେର ଓ ଜମ୍ବାଳ ମୂର୍ତ୍ତି ବିରାଜିତ। ମନ୍ଦିର ସମ୍ମୁଖ ରାସ୍ତାରେ କିଛିଦୂର ଗଲେ ପଦ୍ମାସନା ଦ୍ବିଭୁଜା ତାରା ଗ୍ରାମଦେବତୀ ରୂପେ ପୂଜିତା। ଗ୍ରାମଦେବତୀଙ୍କ ସମ୍ମୁଖରେ ଗୋଟିଏ ଉଚ୍ଚାଳିଆ ପଡ଼ିଆ ଅଛି। ଏଠାରେ ଷୋଳମ୍‌ପୁର ମହାବିହାର ଥିଲା ବୋଲି କୁହାଯାଉଛି।

ଷୋଳମ୍‌ପୁର ବୌଦ୍ଧବିହାର ଶତାବ୍ଦୀ ଶତାବ୍ଦୀ ଧରି ଅବହେଳିତ ଅବସ୍ଥାରେ ରହିଛି। ବହୁ ମୂର୍ତ୍ତି ଚୋରି ହୋଇଯାଇଛି ବୋଲି ସ୍ଥାନୀୟ ଲୋକେ କହୁଛନ୍ତି। ଏହି ସ୍ଥାନରୁ ବହୁ ପରିମାଣରେ ପୋଡ଼ାଇଟା, ଖପରା, ପ୍ରାଚୀନ ମୁଦ୍ରା, ଶଙ୍ଖ ଆଦି ମିଳିଥିଲେ ହେଁ ଅଦ୍ୟାବଧି ଏହି ପ୍ରାଚୀନ ମହାବିହାରର ବିଧିବଦ୍ଧ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ହୋଇନାହିଁ। ପ୍ରାପ୍ତ ମୂର୍ତ୍ତିଗୁଡ଼ିକରୁ ପ୍ରମାଣିତ ହୁଏ, ଏହି ସ୍ଥାନରେ ମହାବିହାର ଓ ବଜ୍ରଯାନତନ୍ତ୍ରପୀଠ ରହିଥିଲା। କେଉଁ କାରଣରୁ ଏହି ବିହାର ଧ୍ବଂସ ପାଇଲା ତହିଁର କାରଣ ମଧ୍ୟ ଜଣାପଡ଼ିନାହିଁ। ବହୁଦିନ ପରେ ଭାରତୀୟ ପ୍ରତ୍ନତତ୍ତ୍ବ ସଂସ୍ଥାର ସୁଦୃଷ୍ଟି ଏହି ବିଧ୍ବସ୍ତ ବୌଦ୍ଧବିହାର ଉପରେ ପଡ଼ିଛି। ଏହି ପ୍ରାଚୀନ ବୌଦ୍ଧବିହାରର ଭୂଖନନ ଓ ପ୍ରତ୍ନସର୍ବେକ୍ଷଣ ହୋଇ ଅନାଲୋଚିତ ଅଜ୍ଞାତ ତଥ୍ୟ ଲୋକଲୋଚନକୁ ଆସିପାରିଲେ ଭାରତ ଓ ଓଡ଼ିଶାର ବୌଦ୍ଧ ଇତିହାସ ତଥା ସଂସ୍କୃତିରେ ଏକ ନୂତନ ଅଧ୍ୟାୟ ସଂଯୋଗ ହୋଇପାରିବ।

Comments are closed.