ସୁରକ୍ଷା ପରିଷଦରେ ସଂସ୍କାର ଲୋଡ଼ା

- ଶ୍ରୀଜୟ କୁମାର ସାହୁ

ସାଧାରଣତଃ ଯେତେବେଳେ ଜାତିସଂଘ ସୁରକ୍ଷା ପରିଷଦ କଥା ଉଠେ, ସେତିକିବେଳେ ଆମ ଭାରତୀୟଙ୍କ ମନକୁ ଗୋଟିଏ କଥା ଆପଣାଛାଏଁ ଚାଲିଆସେ- ବୋଧହୁଏ ଏଥର ଆଉ ଭାରତକୁ ଅସ୍ଥାୟୀ ସଦସ୍ୟତାରେ ସନ୍ତୁଷ୍ଟ ହେବାକୁ ପଡିବନି; ଏହିଥର ଭାରତକୁ ନିଶ୍ଚିତ ରୂପେ ସ୍ଥାୟୀ ସଦସ୍ୟତା ମିଳିଯିବ। ଏହି ଆଶାଟି ଆମ ମନକୁ ଆସିବା ସ୍ବାଭାବିକ; କାରଣ ଆନ୍ତର୍ଜାତିକ କ୍ଷେତ୍ରରେ ଭାରତର ଅତୁଳନୀୟ ଅବଦାନ ରହିଆସିଛି।

ପ୍ରତିବର୍ଷ ଜାତିସଂଘ ଦିବସ ପାଳନ କରିବାର ଅର୍ଥ ହେଲା ଜାତିସଂଘ ଏବଂ ତାହାର ବିଭିନ୍ନ ଅଙ୍ଗ ଦ୍ବାରା ବିଶ୍ୱରେ ନିରସ୍ତ୍ରୀକରଣ, ଶାନ୍ତି ପ୍ରତିଷ୍ଠା, ମାନବାଧିକାର ସୁରକ୍ଷା, ମହିଳାଙ୍କ ସୁରକ୍ଷା, ଦାରିଦ୍ର୍ୟ ଏବଂ କୁପୋଷଣ ଦୂରୀକରଣ ପାଇଁ ନିଆଯାଉଥିବା ବିଭିନ୍ନ ସଫଳ ପଦକ୍ଷେପ ଉପରେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିବାର ମୁହୂର୍ତ୍ତ। ତତ୍କାଳୀନ ସମୟରେ ବିଭିନ୍ନ ଆହ୍ୱାନକୁ ଦୃଷ୍ଟିରେ ରଖି ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ମିଳିତ ଜାତିସଂଘର ସୂତ୍ରପାତ ହୋଇଥିଲା। ଆଜି ସେହି ଆହ୍ୱାନ ବହୁମାତ୍ରାରେ ଥମିଥିଲେ ସୁଦ୍ଧା ଅନେକ ନୂଆ ଏବଂ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ବିଶ୍ବ ସାମ୍ନାରେ ମୁଣ୍ଡ ଟେକିସାରିଛି। ବର୍ତ୍ତମାନ ସମୟରେ ଜାତିସଂଘର ମୂଳ ସଦସ୍ୟ ୫୧ରୁ ବୃଦ୍ଧିପାଇ ସର୍ବମୋଟ ୧୯୩ରେ ପହଞ୍ଚିଛି; ତଥାପି ଜାତିସଂଘର ରୂପରେଖ ସେହି ୧୯୪୫ ମସିହାର ଢାଞ୍ଚା ଏବଂ ସମସ୍ୟାକୁ ଆଧାର କରି ଚାଲିଛି ଯାହା ବିଚାର୍ଯ୍ୟ ଅଟେ। ଆଜି ଭାରତ ସମେତ ଅନେକ ସଦସ୍ୟ ରାଷ୍ଟ୍ର ଏଥିରେ ଅସନ୍ତୁଷ୍ଟ ପ୍ରକଟ କରିବା ସହ ସେଥିରେ ସଂସ୍କାର ଆଣିବା ପାଇଁ ଦାବି ଜୋରଦାର କରିଛନ୍ତି। ଜାତିସଂଘର ୭୫ତମ ସାଧାରଣ ପରିଷଦ ଅଧିବେଶନରେ ଭାରତର ପ୍ରଧାନମନ୍ତ୍ରୀ ଜାତିସଂଘରେ ଭାରତ ପ୍ରତି ହେଉଥିବା ଅନ୍ୟାୟକୁ ଇଙ୍ଗିତ କରି ନିଜ ବକ୍ତବ୍ୟ ରଖିସାରିଛନ୍ତି। ଭାରତ ଜାତିସଂଘର ମୂଳ ସଦସ୍ୟ ହୋଇଥିଲେ ହେଁ ଭାରତକୁ ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟତା ପାଇଁ ଆଉ କେତେଦିନ ଅପେକ୍ଷା କରିବାକୁ ପଡିବ ବୋଲି ପ୍ରଶ୍ନ ମଧ୍ୟ କରିସାରିଛନ୍ତି। ଅଧିବେଶନର ଅଧ୍ୟକ୍ଷ ପଦ ସମ୍ଭାଳି ଥିବା ତୁର୍କୀର ଭୋଲକାନ୍ଭୋଜକି ଜାତିସଂଘ ଏବଂ ସୁରକ୍ଷା ପରିଷଦରେ ସଂସ୍କାର ଆଣି ତାହାକୁ ଅଧିକ ଗଣତାନ୍ତ୍ରିକ ଏବଂ ସମାନ ପ୍ରତିନିଧିତ୍ବ ମିଳିବା ଉପରେ ଜୋର ଦେଇଥିଲେ। ଯଦି ଆମେ ଅନୁଧ୍ୟାନ କରିବା ତେବେ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟମାନେ ନିଜର ଭିଟୋ କ୍ଷମତାକୁ ନିଜ ଇଚ୍ଛା ମୁତାବକ ଉପଯୋଗ କରି ଏକ ପ୍ରକାର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ବ୍ୟାଘାତ କରୁଥିବାର ଦେଖାଯାଉଥିବାବେଳେ ପ୍ରତିନିଧିତ୍ବକୁ ଦେଖିଲାବେଳକୁ ସମସ୍ତ ସଦସ୍ୟ ରାଷ୍ଟ୍ରକୁ ସୁରକ୍ଷା ପରିଷଦରେ ସମାନ ପ୍ରତିନିଧିତ୍ବ ମିଳିପାରି ନାହିଁ।

ଆରମ୍ଭରୁ ହିଁ ମିଳିତ ଜାତିସଂଘର ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ୫ଟି ଦେଶ ଥିଲେ ଏବଂ ଅସ୍ଥାୟୀ ସଦସ୍ୟ ସଂଖ୍ୟା ୬ ଥିଲା। ସ୍ଥାୟୀ ସଦସ୍ୟତା ସ୍ବରୂପ ଦ୍ବିତୀୟ ବିଶ୍ୱଯୁଦ୍ଧରେ ବିଜୟୀ ମିତ୍ରଶକ୍ତି ରାଷ୍ଟ୍ରର ୫ଟି ପ୍ରମୁଖ ସଦସ୍ୟ ଦେଶ ଯଥା-ଯୁକ୍ତରାଷ୍ଟ୍ର ଆମେରିକା, ସୋଭିଏତ ଋଷ, ଗ୍ରେଟ୍‌ ବ୍ରିଟେନ, ଚୀନ୍‌ ଏବଂ ଫ୍ରାନ୍ସକୁ ମାନ୍ୟତା ଦିଆଯାଇଥିଲା। ଏଠାରେ ପ୍ରଶ୍ନ ଉଠିବା ସ୍ବାଭାବିକ ଯେ, ଭାରତ ମଧ୍ୟ ମିତ୍ରଶକ୍ତି ପକ୍ଷରେ ଥିଲା; କିନ୍ତୁ ସ୍ଥାୟୀ ସଦସ୍ୟତା ମିଳିଲାନି କାହିଁକି? ଏହାର କାରଣ ଉକ୍ତ ସମୟରେ ଆମେ ବ୍ରିଟିଶ ଶାସନାଧୀନ ଥିଲେ। ଏହା ବାଦ ‘ଜବାହରଲାଲ ନେହେରୁ ଲେଟର୍ସ ଟୁ ଚିଫ୍‌ ମିନିଷ୍ଟର୍ସ (୧୯୪୭-୧୯୬୪) ଖଣ୍ଡ-୪’ ପୁସ୍ତକରେ ଉଲ୍ଲେଖ ଅଛି ଯେ, ୧୯୫୦ ମସିହାରେ ଆମେରିକା ଭାରତକୁ ସ୍ଥାୟୀ ସଦସ୍ୟତା ପାଇଁ ନିମନ୍ତ୍ରଣ କରିଥିଲା। ଏହାର କାରଣ ଥିଲା ଚିଆଙ୍ଗ କାଇସେକଙ୍କ ପରେ କମ୍ୟୁନିଷ୍ଟ ଚୀନ ସହିତ ଆମେରିକାର ମତପାର୍ଥକ୍ୟ ଦେଖାଦେଇଥିଲା। ସେହି ମତ ପାର୍ଥକ୍ୟ ଯୋଗୁଁ ଆମେରିକା ଚୀନକୁ ସୁରକ୍ଷା ପରିଷଦରୁ ହଟାଇ ଭାରତକୁ ସ୍ଥାୟୀ ସଦସ୍ୟତା ପାଇଁ ଆମନ୍ତ୍ରଣ କରିଥିଲା। ଯଦିଚ ଏଥିରେ ସୋଭିଏତ ଋଷ ଖୁସି ନ ଥିଲା ଏବଂ ତା’ ସହ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ମଧ୍ୟ ସେହି ସମୟର ଭୌଗୋଳିକ ପରିସ୍ଥିତି ଏବଂ ରାଜନୀତିକୁ ଆଖି ଆଗରେ ରଖି ଆମେରିକାର ଆମନ୍ତ୍ରଣକୁ ସ୍ବୀକାର କରି ପଡୋଶୀ ଦେଶ ସହିତ ଅପଡ଼ ହେବାକୁ ଇଚ୍ଛା ପ୍ରକାଶ କରିନଥିଲେ। ଏହା ପରେ ୧୯୬୩ ମସିହାରେ ଏଥିର ସଂଶୋଧନ ଅଣାଯାଇ ସ୍ଥାୟୀ ସଦସ୍ୟ ସଂଖ୍ୟା ଅପରିବର୍ତ୍ତିତ ରଖାଯାଇ ଅସ୍ଥାୟୀ ସଦସ୍ୟ ସଂଖ୍ୟାକୁ ୧୦କୁ ବୃଦ୍ଧି କରାଯାଇଥିଲା। ଏହା ବର୍ତ୍ତମାନ ମଧ୍ୟ ଅପରିବର୍ତ୍ତିତ ରହିଛି; କିନ୍ତୁ ଅସନ୍ତୋଷର ବିଷୟ ଏହା ଯେ କେବଳ ଅସ୍ଥାୟୀ ସଦସ୍ୟ ସଂଖ୍ୟାରେ ବୃଦ୍ଧି କାହିଁକି; ସ୍ଥାୟୀ ସଦସ୍ୟ ସଂଖ୍ୟାରେ ବୃଦ୍ଧି କାହିଁକି ନୁହେଁ? ବୋଧହୁଏ ଏଥିରେ ସଂସ୍କାର ଆଣିବାରେ ସ୍ଥାୟୀ ସଦସ୍ୟମାନଙ୍କ ଆଗ୍ରହର ଅଭାବ ରହିଛି।

ବର୍ତ୍ତମାନ ଜାତିସଂଘକୁ ୭୫ ବର୍ଷ ପୂରି ୭୬ ଚାଲିଲାଣି। ଜାତିସଂଘ ସ୍ଥାପନର ବର୍ଷ ବୃଦ୍ଧି ହେବା ସଙ୍ଗେସଙ୍ଗେ ବର୍ତ୍ତମାନର ପରିସ୍ଥତିକୁ ଅନୁଧ୍ୟାନ ନକରି ମିଳିତ ଜାତିସଂଘରେ ଆମୂଳଚୂଳ ପରିବର୍ତ୍ତନ ନ ଆଣି ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟତା ସଂଖ୍ୟାରେ ବୃଦ୍ଧି ନ କରିବା, ବିଶେଷ କରି ଭାରତ ପାଇଁ ଏକ ହତୋତ୍ସାହର ବିଷୟ ଅଟେ।

୨୦୦୩ ମସିହାରେ ଯେତେବେଳେ ଇରାକ ବିରୁଦ୍ଧରେ ଆମେରିକା ଏବଂ ବ୍ରିଟେନ ଯୁଦ୍ଧ ଘୋଷଣା କଲେ ସେବେଠାରୁ ହିଁ ଜାତିସଂଘ ସୁରକ୍ଷା ପରିଷଦର ପୁନର୍ଜନ୍ମ କରିବା ପାଇଁ ଦାବି ଜୋରଦାର ହେଲା। ଏହି ଯୁଦ୍ଧ ଘୋଷଣାକୁ ଅନ୍ୟ ସଦସ୍ୟ ରାଷ୍ଟ୍ରମାନେ ବିରୋଧ କରି ସୁରକ୍ଷା ପରିଷଦ କାର୍ଯ୍ୟକଳାପ ଉପରେ ଆଙ୍ଗୁଠି ଉଠାଇବାକୁ ଆରମ୍ଭ କଲେ। ଠିକ୍‌ ସେହିଭଳି ୨୦୦୮ରେ ଜାତିସଂଘ ସାଧାରଣ ପରିଷଦ ନିଜର ସାଧାରଣ ସଭାରେ ସୁରକ୍ଷା ପରିଷଦର ବିସ୍ତାର ସହିତ ଉପଯୁକ୍ତ ପ୍ରତିନିଧିତ୍ବ ଉପରେ ଆନ୍ତଃସରକାର ବୁଝାମଣା ଫ୍ରେମ୍‌ୱର୍କ ଦ୍ୱାରା ଏହି ବିସ୍ତାର ପ୍ରକ୍ରିୟାକୁ ଆଗକୁ ନେବା ପାଇଁ ନିର୍ଣ୍ଣୟ ନେଇଥିଲା। ୨୦୧୫ ମସିହାରେ ଏହି ଫ୍ରେମ୍‌ୱର୍କ କାର୍ଯ୍ୟ ଆରମ୍ଭ କରିବା ସମୟରେ ଆମେରିକା, ଚୀନ୍‌ ଏବଂ ରୁଷ ସୁରକ୍ଷା ପରିଷଦରେ କୌଣସି ପ୍ରକାର ସଂସ୍କାର କରାଯାଇ ପାରିବ ନାହିଁ ବୋଲି ବିରୋଧ କରିଥିଲେ। ବର୍ତ୍ତମାନ ୨୦୨୦ରେ ମଧ୍ୟ କରୋନା ମହାମାରୀ ଯୋଗୁଁ ଏହି ଫ୍ରେମ୍‌ୱର୍କ ଦ୍ବାରା ନିଆଯିବାକୁ ଥିବା ପଦକ୍ଷେପକୁ ସ୍ଥଗିତ କରିଦିଆଗଲା। ଫଳରେ ଜି-୪ ସଦସ୍ୟ ସହିତ ଅନ୍ୟ ସଦସ୍ୟ ରାଷ୍ଟ୍ର ଏଥିରେ ଅସନ୍ତୋଷ ପ୍ରକଟ କରିଛନ୍ତି।

ବିଶ୍ୱରେ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ଭାରତର ଗୁରୁତ୍ୱପୂର୍ଣ୍ଣ ଭୂମିକା, ଆତଙ୍କବାଦ ପ୍ରସଙ୍ଗରେ କଡା ଆଭିମୁଖ୍ୟ, ଜଳବାୟୁ ଏବଂ ପରିବେଶ ସୁରକ୍ଷା କ୍ଷେତ୍ରରେ ନେତୃତ୍ବ, ସର୍ବବୃହତ୍‌ ଗଣତାନ୍ତ୍ରିକ ଦେଶ, ଦ୍ୱିତୀୟ ଜନବହୁଳ ଦେଶ, ମିଳିତ ଜାତିସଂଘର ଶାନ୍ତି ସୁରକ୍ଷା (ବ୍ଳ୍ୟୁ-ହେଲମେଟ୍) ସେନାବାହିନୀରେ ଇଥିଓପିଆ ପରେ ଭାରତର ସର୍ବାଧିକ ଦ୍ୱିତୀୟ ସେନା ଯୋଗାଣକାରୀ ଦେଶ ରୂପେ ପରିଗଣିତ ହେବା; ଭାରତକୁ ବିଶ୍ବ ବାଣିଜ୍ୟ ସଙ୍ଗଠନ, ଜି-୨୦ ଏବଂ ବ୍ରିକ୍ସ ଭଳି ଆର୍ଥିକ ସଙ୍ଗଠନରେ ଏକ ପ୍ରଭାବଶାଳୀ ଆର୍ଥିକ ଦେଶ ରୂପେ ମାନ୍ୟତା ମିଳିବା, ଠିକ୍‌ ସମୟରେ ଜାତିସଂଘକୁ ନିଜ ଆର୍ଥିକ ଭାଗ ପୈଠ କରିବା ଏବଂ ସର୍ବୋପରି ବର୍ତ୍ତମାନ କରୋନା ମହାମାରୀ କବଳରୁ ଶତ୍ରୁ, ମିତ୍ର ନିର୍ବିଶେଷରେ ସମୁଦାୟ ବିଶ୍ବକୁ ବଞ୍ଚାଇବା ପାଇଁ ବହୁଦେଶକୁ କୋଭିଡ୍‌ ଟିକା ପହଞ୍ଚାଇବା ଆଦିକୁ ଅନୁଧ୍ୟାନ କଲେ ଭାରତ ଜାତିସଂଘର ସବୁଠାରୁ ଶକ୍ତିଶାଳୀ ଅଙ୍ଗ ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟ ହେବା ପାଇଁ ସମ୍ପୂର୍ଣ୍ଣ ରୂପେ ହକ୍‌ଦାର ଅଟେ। ଏତଦ୍‌ବ୍ୟତୀତ ଜାତିସଂଘର ଆର୍ଥିକ ଏବଂ ସାମାଜିକ ପରିଷଦରେ ପ୍ରଥମ ଅଧ୍ୟକ୍ଷ ରୂପେ ଭାରତର ରାମାସ୍ୱାମୀ ମୁଦାଲିୟର, ଜାତିସଂଘ ମହାସଭାର ପ୍ରଥମ ମହିଳା ଅଧ୍ୟକ୍ଷ ରୂପେ ବିଜୟଲକ୍ଷ୍ମୀ ପଣ୍ଡିତ ଏବଂ ଅନ୍ତର୍ଜାତୀୟ ନ୍ୟାୟାଳୟର ନ୍ୟାୟାଧୀଶ ରୂପେ ନଗେନ୍ଦ୍ର ସିଂହ, ବି.ଏନ୍‌ ରାଓ ଏବଂ ଆର.ଏସ୍‌ ପାଠକ ସୁଚାରୁ ରୂପେ କାର୍ଯ୍ୟକରି ଇତିହାସ ରଚିସାରିଛନ୍ତି; କିନ୍ତୁ ଏତେସବୁ ସଫଳତାର ଅଧିକାରୀ ହୋଇଥିବା ସତ୍ତ୍ୱେ ସ୍ଥାୟୀ ସଦସ୍ୟତା ପାଇଁ ବାରମ୍ବାର ଭାରତକୁ ନିରାଶ ହେବା ସହ କେବଳ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟତାରେ ହିଁ ସନ୍ତୁଷ୍ଟ ହେବାକୁ ପଡୁଛି। ଉଦାହରଣ ସ୍ବରୂପ ଭାରତ ପୁନଃ ଦୁଇ ବର୍ଷ ପାଇଁ ଅଷ୍ଟମଥର ଲାଗି ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ରୂପେ ଗତ ଜୁନ ମାସରେ ନିର୍ବାଚିତ ହୋଇଛି ଯାହାର କାର୍ଯ୍ୟକାଳ ଜାନୁଆରୀ ୨୦୨୧ରୁ ଆରମ୍ଭ ହୋଇସାରିଛି।

ଗୋଟିଏ ପଟେ ଜି-୪ ଗୋଷ୍ଠୀରେ ସାମିଲ ଥିବା ସମସ୍ତ ଦେଶ ପରସ୍ପର ପରସ୍ପରର ସ୍ଥାୟୀ ସଦସ୍ୟତା ପ୍ରାପ୍ତି ପାଇଁ ଦାବି କରି ଆସୁଛନ୍ତି ଏବଂ ଅନ୍ୟପଟେ କଫିକ୍ଲବର ସଦସ୍ୟ ମୁଖ୍ୟତଃ ଜି-୪ ସଦସ୍ୟଙ୍କ ପାରମ୍ପରିକ ଶତ୍ରୁ ଦେଶ ଯଥା- ପାକିସ୍ତାନ, ଇଟାଲୀ, ସ୍ପେନ୍, ଆର୍ଜେଣ୍ଟିନା ଏବଂ ଅଷ୍ଟ୍ରେଲିଆ ଲଗାତାର ସେମାନଙ୍କ ଏହି ଦାବିକୁ ବିରୋଧ କରିଆସୁଛନ୍ତି। ଠିକ୍‌ ସେହିପରି ଜାତିସଂଘ ସୁରକ୍ଷା ପରିଷଦରେ ୟୁରୋପୀୟ ଦେଶଙ୍କ ଆଧିପତ୍ୟ ରହିଥିବା ସ୍ଥଳେ ଏସିଆ ମହାଦେଶର ଅପେକ୍ଷାକୃତ କମ୍‌ ଦେଶ ପ୍ରତିନିଧିତ୍ବ କରୁଛନ୍ତି। ସେହିପରି ଆଫ୍ରିକା ଏବଂ ଦକ୍ଷିଣ ଆମେରିକାର ପ୍ରତିନିଧିତ୍ବ ଶୂନ୍ୟ ରହିଛି ଯାହା ଜାତିସଂଘର ନିରପେକ୍ଷତା ପ୍ରତି ପ୍ରଶ୍ନ ଉଠାଇଛି।

ବିଶ୍ୱ ସାମ୍ନାରେ ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନ, ଆତଙ୍କବାଦ, ଚୀନର ବିସ୍ତାରବାଦୀ ନୀତି, ବିଶ୍ୱ ତାପମାତ୍ରା, ସାମୁଦ୍ରିକ ସୁରକ୍ଷା, କରୋନା ମହାମାରୀ ଭଳି ଅନେକ ସମସ୍ୟା ମୁଣ୍ଡ ଟେକିଛି ଯାହାର ମୁକାବିଲା ପାଇଁ ମିଳିତ ଜାତିସଂଘ ଏବଂ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମୁଖ୍ୟ ଭୂମିକା ଗ୍ରହଣ କରିବା ଉଚିତ। ଏହି ସମସ୍ୟାକୁ ଦୂର କରିବା ପାଇଁ ସମସ୍ତ ଦେଶ ଏକଜୁଟ ହୋଇ ପ୍ରୟାସ କରିବା ଉଚିତ। ଏଥିପାଇଁ ଜାତିସଂଘ ଏପରି ଏକ ପ୍ଳାଟଫର୍ମ ସୃଷ୍ଟି କରିବା ଉଚିତ ଯାହାଫଳରେ ଗୋଟିଏ ଦେଶ ଗରିବ ହେଉ ଅବା ଆକାରରେ ଛୋଟିଆ ହେଉ ସେ ନିଜ ସ୍ୱରକୁ ଉଠାଇ ପାରୁଥିବ ଏବଂ ସେଠାରେ ସେମାନଙ୍କ ମତାମତ ପ୍ରତି ମଧ୍ୟ ଗୁରତ୍ୱ ଦିଆଯାଉଥିବ। ଶେଷରେ କୁହାଯାଇପାରେ ଯେ ଏଥିରେ ସଂସ୍କାର ଆଣିବାରେ ଚୀନ୍ ବିରୋଧ କଲେ ମଧ୍ୟ କୂଟନୈତିକ ସ୍ତରରେ ଭାରତ ନିଜର ସ୍ଥାୟୀ ସଦସ୍ୟତା ପାଇଁ ଉପରୋକ୍ତ ଆହ୍ୱାନଗୁଡ଼ିକୁ ଜୋରଦାର ଢଙ୍ଗରେ ବିଶ୍ବ ଆଗରେ ଉପସ୍ଥାପନ କରି ଅନ୍ୟ ସମସ୍ତ ୪ ସ୍ଥାୟୀ ସଦସ୍ୟଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ଉଚିତ।

Comments are closed.