ଆର.କେ. ଲକ୍ଷ୍ମଣ: ‘ସାଧାରଣ ଲୋକ’ର ସ୍ରଷ୍ଟା

ମୃଣାଳ ଚାଟାର୍ଜୀ

ଭାରତୀୟ କାର୍ଟୁନ ଜଗତରେ ଆର୍.କେ. ଲକ୍ଷ୍ମଣଙ୍କ ସ୍ଥାନ ଅନେକଟା ଇଂରାଜୀ ସାହିତ୍ୟର ସେକ୍ସପିଅରଙ୍କ ପରି। ତାଙ୍କୁ ଛାଡ଼ି ଭାରତୀୟ କାର୍ଟୁନ ଜଗତ ଅଧୁରା ଏବଂ ଶ୍ରୀହୀନ। ‘କମନ ମ୍ୟାନ’ ବା ‘ସାଧାରଣ ଲୋକ’ କାର୍ଟୁନ ଚରିତ୍ରର ସେ ଥିଲେ ସ୍ରଷ୍ଟା। ଏଇ ‘ସାଧାରଣ ଲୋକ’ ଥିଲା ସାଧାରଣ ଲୋକଙ୍କର ପ୍ରତିନିଧି। ମଧ୍ୟବୟସ୍କ, ମୋଟା, ମାଗୁର ମାଛିଆ ନିଶ, ଗୋଟେ ଚେକ୍ କୋଟ୍ ଆଉ ଧୋତି ପିନ୍ଧା ‘ସାଧାରଣ ଲୋକ’ଟି ପାଖାପାଖି ପାଞ୍ଚ ଦଶନ୍ଧି ଧରି ଭାରତର ଏବଂ କହିବାକୁ ଗଲେ ସାରା ବିଶ୍ୱର ସାଧାରଣ ଲୋକଙ୍କର ପ୍ରତିନିଧିତ୍ୱ କରିଆସିଛି। ଏଇ ୫୦ ବର୍ଷ ଭିତରେ ଏଇ ସାଧାରଣ ଲୋକଟି ନିଜେ ପଦୁଟିଏ କଥା କହିନାହିଁ। ଲକ୍ଷ୍ମଣଙ୍କର ‘ୟୁ ସେଡ୍ ଇଟ୍’ ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ହେଉଥିବା ଦୈନିକ କାର୍ଟୁନ ୫୦ ବର୍ଷ ଧରି ଅତ୍ୟନ୍ତ ଲୋକପ୍ରିୟ ରହି ଆସିଛି। ପରବର୍ତ୍ତୀ ସମୟରେ- ୨୦୧୧ରୁ ୨୦୧୩ ଭିତରେ ଏ କାର୍ଟୁନକୁ ନେଇ ‘ଆର୍.କେ ଲକ୍ଷ୍ମଣଙ୍କ ଦୁନିଆ’ ନାମରେ ଟେଲିଭିଜନରେ କାର୍ଯ୍ୟକ୍ରମ ପ୍ରସାରିତ ହୋଇଛି।

ଆର.କେ ଲକ୍ଷ୍ମଣଙ୍କ ଜନ୍ମ ହୋଇଥିଲା ଅକ୍ଟୋବର ୨୪ ତାରିଖ ୧୯୨୧, ମହୀଶୂରରେ। ଦିନଟି ଥିଲା ସୋମବାର। ତାଙ୍କ ବାପା ଥିଲେ ଜଣେ ପ୍ରଧାନ ଶିକ୍ଷକ। ୮ଜଣ ଭାଇ ଭଉଣୀଙ୍କ ଭିତରେ ସେ ଥିଲେ ଷଷ୍ଠ। ପିଲାବେଳୁ ଡ୍ରଇଂ କରିବା ଆଉ ଚିତ୍ର ଆଙ୍କିବାରେ ତାଙ୍କର ଭାରି ରୁଚି ଥିଲା। ନିଜର ଆତ୍ମଜୀବନୀ ‘ଦ ଟନେଲ ଅଫ ଟାଇମ୍’ରେ ସେ କହିଛନ୍ତି, ‘ମୋ ଝର୍କା ବାହାରେ ଯେଉଁ ଦୃଶ୍ୟ ମୋ ଆଖିକୁ ଆସୁଥିଲା, ମୁଁ ତାକୁ ହିଁ ଆଙ୍କୁଥିଲି, ଶୁଖିଲା ଡାଳପତ୍ର, ଏଣ୍ଡୁଅ, ଲୋକେ କାଠ କାଟୁଛନ୍ତି, ଆଉ କୂଆ। ଆମ ଘର ସାମ୍ନା ଘର ଛାତ ଉପରେ ବହୁତ କୂଆ ବସୁଥିଲେ। ସେମାନଙ୍କ ବିଭିନ୍ନ ଭଙ୍ଗୀ ଓ ଭଙ୍ଗିମାକୁ ଆଙ୍କିବାକୁ ମୋତେ ଖୁସି ଲାଗୁଥିଲା।’

ଲକ୍ଷ୍ମଣଙ୍କର ସ୍କୁଲ ପାଠ ସରି ନ ଥାଏ ତାଙ୍କ ବାପାଙ୍କୁ ହାର୍ଟଆଟାକ୍ ହେଲା। ଆଉ ବର୍ଷେ ପରେ ତାଙ୍କର ଦେହାନ୍ତ ହୋଇଗଲା। କିନ୍ତୁ ତାହା ତାଙ୍କ ପାଠ ପଢ଼ାରେ ବାଧକ ହୋଇନଥିଲା। ଘର କଥା ଅନ୍ୟମାନେ ବୁଝୁଥିଲେ। ଲକ୍ଷ୍ମଣ ପାଠ ପଢ଼ିବା ଜାରି ରଖିଥିଲେ। ହାଇସ୍କୁଲ ପାଠ ସରିଲା ପରେ ଲକ୍ଷ୍ମଣ ବମ୍ବେର ‘ଜେ.ଜେ ସ୍କୁଲ ଅଫ ଆର୍ଟ’ରେ ଭର୍ତ୍ତି ହେବାକୁ ଆବେଦନ କରିଥିଲେ। କିନ୍ତୁ ସେଠି ତାଙ୍କୁ ସୁଯୋଗ ମିଳିନଥିଲା । ଲକ୍ଷ୍ମଣ ମହୀଶୂର ବିଶ୍ୱବିଦ୍ୟାଳୟରୁ ବି.ଏ ପାସ୍ କଲେ। କଲେଜରେ ପାଠ ପଢ଼ୁଥିବା ସମୟରୁ ତାଙ୍କ ବଡ଼ ଭାଇ ପ୍ରଖ୍ୟାତ ଔପନ୍ୟାସିକ ଆର୍.କେ ନାରାୟଣଙ୍କ ଗପ ପାଇଁ ଦି ହିନ୍ଦୁ ଖବରକାଗଜରେ ଚିତ୍ର ଆଙ୍କୁଥିଲେ। ଲକ୍ଷ୍ମଣ ପ୍ରଥମେ ସ୍ଥାନୀୟ ଖବରକାଗଜ ‘ସ୍ୱତନ୍ତ୍ର’ ପାଇଁ ପ୍ରଥମେ ରାଜନୈତିକ କାର୍ଟୁନ ଆଙ୍କିବା ଆରମ୍ଭ କରିଥିଲେ। କନ୍ନଡ ବ୍ୟଙ୍ଗ ପତ୍ରିକା ‘କୋରାଭାଞ୍ଜି’ ପାଇଁ ମଧ୍ୟ ସେ କାର୍ଟୁନ ଆଙ୍କୁଥିଲେ। ତେବେ ପେସାଦାର ଭାବରେ ତାଙ୍କର କାର୍ଟୁନ ଆଙ୍କିବା ଆରମ୍ଭ ହୁଏ ବମ୍ବେର ‘ଦ ଫ୍ରି ପ୍ରେସ ଜର୍ଣ୍ଣାଲ’ରେ।

ତା’ ପରେ ସେ ‘ଟାଇମ୍ସ ଅଫ ଇଣ୍ଡିଆ’ରେ ଯୋଗ ଦିଅନ୍ତି ଏବଂ ୫୦ ବର୍ଷରୁ ଊର୍ଦ୍ଧ୍ୱକାଳ ବ୍ୟଙ୍ଗ ଚିତ୍ର ଶିଳ୍ପୀ ଭାବରେ ସେଠାରେ କାମ କରନ୍ତି। ବ୍ୟଙ୍ଗର ସବୁ ବିଭବ ତାଙ୍କ ଚିତ୍ରରେ ଫୁଟିଉଠେ। ସେ ରସିକତା କରିଛନ୍ତି, ନିଦାରୁଣ ଭାବରେ ଥଟ୍ଟା କରିଛନ୍ତି, ବିଦ୍ରୂପ କରିଛନ୍ତି, କିନ୍ତୁ କେବେ ବି ଗାଳିଗୁଲଜର ସ୍ତରକୁ ଓହ୍ଲେଇ ନାହାନ୍ତି। ଏହା ହିଁ ତାଙ୍କର ଚରିତ୍ରକୁ ଏକ ଭିନ୍ନ ମାତ୍ରା ପ୍ରଦାନ କରେ। କାର୍ଟୁନ ଆଙ୍କିବା ଛଡ଼ା ଲକ୍ଷ୍ମଣ ବହୁ ପୁସ୍ତକ ପାଇଁ ଚିତ୍ର ଆଙ୍କିଛନ୍ତି। ଆର.କେ. ନାରାୟଣଙ୍କର ‘ମାଲଗୁଡି଼’ ଗପଗୁଡି଼କରେ ସେ ଚିତ୍ର ଆଙ୍କିଛନ୍ତି। ସେ ସବୁ ଚିତ୍ର ‘ମାଲଗୁଡି ଡେଜ’ ଟେଲିଭିଜନ ସିରିଏଲରେ ବ୍ୟବହୃତ ହୋଇଛି। ବ୍ୟଙ୍ଗଚିତ୍ର ଛଡ଼ା ସେ ଗଳ୍ପ, ପ୍ରସଙ୍ଗ ଏବଂ ଭ୍ରମଣ କାହାଣୀ ମଧ୍ୟ ଲେଖିଛନ୍ତି। ତାଙ୍କ ଭ୍ରମଣ କାହାଣୀଗୁଡି଼କ ‘ଡିଷ୍ଟୋରଟେଡ ମିରର’ ପୁସ୍ତକରେ ସଙ୍କଳିତ ହୋଇଛି। ‘ଦ ହୋଟେଲ ରିଭିଏରା’(୧୯୮୮), ‘ଦ ମେସେଞ୍ଜର’(୧୯୯୩) ନାଁରେ ଦୁଇଟି ଉପନ୍ୟାସ, ଆତ୍ମଜୀବନୀ ‘ଦ ଟନେଲ ଅଫ ଟାଇମ’(୧୯୮୮) ଲେଖିଛନ୍ତି।

ତାଙ୍କର ବ୍ୟଙ୍ଗଚିତ୍ରର ଅନେକ ସଙ୍କଳନ ପ୍ରକାଶ ପାଇଛି। ଭାରତୀୟ ଚିତ୍ର ଜଗତକୁ, ବିଶେଷ କରି ବ୍ୟଙ୍ଗ ଚିତ୍ର ଜଗତକୁ ତାଙ୍କର ଅବଦାନ ପାଇଁ ସେ ଅନେକ ପୁରସ୍କାର ପାଇଛନ୍ତି। ୨୦୦୫ରେ ତାଙ୍କୁ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା। ୧୯୮୪ରେ ସାମ୍ବାଦିକତା, ସାହିତ୍ୟ ଏବଂ ସୃଜନାତ୍ମକ କଳା ଯୋଗାଯୋଗ ପାଇଁ ତାଙ୍କୁ ‘ରମୋନ ମାଗସେସେ’ ପୁରସ୍କାର ମିଳିଥିଲା। ଲକ୍ଷ୍ମଣଙ୍କର ପ୍ରଥମ ବାହାଘର ହୋଇଥିଲା ଭାରତ ନାଟ୍ୟମ୍‌ ନୃତ୍ୟ ଶିଳ୍ପୀ ଏବଂ ଚଳଚ୍ଚିତ୍ର ଅଭିନେତ୍ରୀ କମଳାଙ୍କ ସହ। ହେଲେ ତାଙ୍କ ସହ ବିବାହ ବିଚ୍ଛେଦ ହୋଇଯାଇଥିଲା । ତା’ ପରେ ସେ ଦ୍ୱିତୀୟ ବିବାହ କରିଥିଲେ। ଦ୍ୱିତୀୟ ପତ୍ନୀଙ୍କର ନାଁ ବି ଥିଲା କମଳା। ୨୦୧୦ରୁ ତାଙ୍କର ଦେହ ଖରାପ ଆରମ୍ଭ ହୋଇଥିଲା। ୫ ବର୍ଷ ରୋଗ ଯନ୍ତ୍ରଣା ସହ୍ୟ କରିଲାପରେ ୨୦୧୫ ଜାନୁଆରୀ ୨୬ତାରିଖ, ୯୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା। ସେଦିନଟି ବି ଥିଲା ସୋମବାର।

Comments are closed.