ମାନବବାଦରୁ ଗ୍ରହମଣ୍ଡଳୀୟ ମାନବବାଦ

ଧନେଶ୍ବର ସାହୁ

ସମାଜ, ରାଷ୍ଟ୍ର, ସଭ୍ୟତା, ସଂସ୍କୃତି ଇତ୍ୟାଦି ମନୁଷ୍ୟକୁ ଆଧାରକରି ସୃଷ୍ଟି ହୋଇଛି। ମନୁଷ୍ୟକୁ ବାଦ୍‌ ଦେଇ ଏ ସବୁର ପରିକଳ୍ପନା କରାଯାଇପାରିବ ନାହିଁ। ସଭ୍ୟତାରେ ଯାହା କିଛି ବିକଶିତ ହୋଇଛି ଅର୍ଥାତ୍‌ ସଭ୍ୟତାର ସକଳ କୀର୍ତ୍ତିକରଣୀ ମନୁଷ୍ୟର ପ୍ରୟାସରେ ସମ୍ଭବ ହୋଇଛି। ମନୁଷ୍ୟକୁ କେନ୍ଦ୍ରକରି ମାନବବାଦ ଏକ ଜୀବନଦୃଷ୍ଟି ବା ଜୀବନଦର୍ଶନର ଭାବନା ଧର୍ମ, ଦର୍ଶନ, ସାହିତ୍ୟ ଓ ସମାଜ-ବିଜ୍ଞାନରେ ପରିଲକ୍ଷିତ ହୁଏ। ସବୁ ମଣିଷ ସୁଖରେ ରହନ୍ତୁ ସମସ୍ତଙ୍କ ଦୁଃଖ ଦୂର ହେଉ, ବିଶ୍ବ ଏକ ପରିବାର, ସବୁ ମଣିଷଙ୍କୁ ଭ୍ରାତୃତ୍ବର ଦୃଷ୍ଟିରେ ଦେଖିବାର ବାର୍ତ୍ତାମାନ ବିଭିନ୍ନ ଧର୍ମଗ୍ରନ୍ଥରେ ବ୍ୟକ୍ତ ହୋଇଥିବା ଜଣାଯାଏ; କିନ୍ତୁ ବାସ୍ତବପକ୍ଷେ ଏସବୁ କେହି କେହି ମାନବହିତୈଷୀ ଦାର୍ଶନିକମାନଙ୍କର ଅଭୀପ୍‌ସା ମାତ୍ର। ବାସ୍ତବ ଦୁନିଆରେର ସଭ୍ୟତାର ଆରମ୍ଭ ପୂର୍ବରୁ ସମାଜରେ ଯୁଦ୍ଧ, ହିଂସା, ଅସହିଷ୍ଣୁତା, ଶୋଷଣ, ଭେଦଭାବ ଇତ୍ୟାଦି ଅମାନବିକ ପ୍ରଥାମାନ ରହିଆସିଛି।

ପୃଥିବୀର ବିଭିନ୍ନ ସଭ୍ୟତାରେ କେତେକେତେ ମନୀଷୀ ମାନବିକତାର ମହାନ ବାର୍ତ୍ତାମାନ ବ୍ୟକ୍ତ କରିଛନ୍ତି। ସମଗ୍ର ବିଶ୍ବର ଜନଗଣଙ୍କୁ ମିତ୍ରର ଦୃଷ୍ଟିରେ ଦେଖିବାକୁ ମନର ବ୍ୟାକୁଳତା ପ୍ରକାଶ କରିଛନ୍ତି। ତଥାପି ସମାଜରେ ଓ ବୃହତ୍ତର ମାନବ ସମୁଦାୟରେ ଅନ୍ୟାୟ ଓ ଅମାନବିକତାର ନାନା ପରିବେଶ ରହିଆସିଛି। ପୃଥିବୀର ବିଭିନ୍ନ ଭୂଖଣ୍ଡରେ ସାମନ୍ତବାଦ ଓ ରାଜତନ୍ତ୍ର ରହିଥିଲା। ସାମନ୍ତବାଦୀ ଯୁଗରେ ସବୁ ମଣିଷ ମଣିଷରେ ଗଣା ହେଉନଥିଲେ। ଏପରି କି କେତେକ ବ୍ୟକ୍ତି ବିଶ୍ବାସ କରୁଥିଲେ ଯେ ସାମନ୍ତମାନଙ୍କ ସେବା ପାଇଁ ଇତର ମଣିଷମାନେ ସୃଷ୍ଟି ହୋଇଛନ୍ତି। କେତେକ ସମାଜରେ ଦାସତ୍ବ ପ୍ରଥା ରହିଥିଲା। ସାମ୍ରାଜ୍ୟବାଦର ଯୁଗ ଆସିବା ପରେ ପ୍ରାୟତଃ ଶିଳ୍ପୋନ୍ନତ ଓ ଶକ୍ତିଶାଳୀ ରାଷ୍ଟ୍ରମାନେ କେତେକ ଦେଶକୁ ଉପନିବେଶ କଲେ। ଆମେରିକାର ଆବିଷ୍କାର ପରେ ବିଭିନ୍ନ ଇଉରୋପୀୟ ଦେଶମାନଙ୍କରୁ ଯେଉଁ ଲୋକମାନେ ଆମେରିକା ଗଲେ ସେଠାରେ ସେମାନେ ସେଠିକାର ମୂଳ ଅଧିବାସୀମାନଙ୍କୁ ଅମାନବିକ ଭାବେ ହତ୍ୟାକରି ସେମାନଙ୍କର ଜମିମାନଙ୍କୁ ନିଜ ଅଧିକାରକୁ ନେଲେ।

ଆଫ୍ରିକାର କେତେକ ଦେଶରେ ଉପନିବେଶ ସ୍ଥାପନ ପରେ ଲକ୍ଷଲକ୍ଷ ଆଫ୍ରିକୀୟ ନିଗ୍ରୋମାନଙ୍କୁୁ ନେଇ ଆମେରିକାରେ ଇଉରୋପୀୟମାନେ ବିକ୍ରି କଲେ। ଭାରତୀୟ ସମାଜରେ ହଜାରହଜାର ବର୍ଷ ଧରି ଅସଂଖ୍ୟ ଲୋକଙ୍କୁ ଅସ୍ପୃଶ୍ୟକରି ରଖିବାର କାହାଣୀ ମଧ୍ୟ ଅତ୍ୟନ୍ତ ଅମାନବିକ। ପ୍ରାକୃତିକ ଦୁର୍ବିପାକ ମନୁଷ୍ୟ ସମାଜରେ ଯେତିକି ଦୁଃଖର ପରିବେଶ ଆଣିଛି, ମାନବିକ କ୍ରୂରତା ଯୋଗୁଁ ତା’ଠାରୁ ବହୁ ଅଧିକ ଦୁର୍ଗତି ମନୁଷ୍ୟ ସମାଜରେ ସୃଷ୍ଟି ହୋଇଛି। ବିଡ଼ମ୍ବନାର ବିଷୟ ହେଉଛି ମନୁଷ୍ୟ ସମାଜରେ ଅନେକ ଦୁଃଖ ଦୁର୍ଦଶାର କାରଣ ହେଉଛି ମଣିଷ। ମଣିଷମାନଙ୍କୁ ଗାଈ ଗୋରୁ ଭଳି ବିକ୍ରି କରିବାର ଦାସତ୍ବ ପ୍ରଥା, ଅସ୍ପୃଶ୍ୟତା, ଅପରଥେଡ୍‌ ଇତ୍ୟାଦି ପ୍ରଥାମାନ ମାନବ ସଭ୍ୟତାର ଅନ୍ଧକାରର କାହାଣୀ। ପୁନଶ୍ଚ ଦେହର ରଙ୍ଗ, ଧର୍ମ, ଜାତି, ଜାତୀୟତା ଇତ୍ୟାଦିକୁ ନେଇ ପୃଥିବୀ ବିଭାଜିତ ହୋଇଆସିଛି। ନିଜର କ୍ଷମତା ପାଇଁ ଏହି ବିଭାଜନ ରାଜନୈତିକ କ୍ଷମତାଧରମାନଙ୍କ ପାଇଁ ସହାୟକ ହୋଇଛି। ଜନମାନସରେ ସଂାପ୍ରଦାୟିକ ଭାବପ୍ରବଣତା ସୃଷ୍ଟିକରି ସମାଜକୁ ଭାଗଭାଗ କରିବା ପାଇଁ କ୍ଷମତାଶାଳୀ ଲୋକମାନେ ଉଦ୍ୟମ କରିଛନ୍ତି।

ବିଂଶଶତାବ୍ଦୀରେ ସାଂପ୍ରଦାୟିକତାକୁ ଆଳକରି ଲକ୍ଷଲକ୍ଷ ଜିଉମାନଙ୍କୁ ନାଜିମାନେ କିପରି ହତ୍ୟା କରିଛନ୍ତି ତାହା ମାନବୀୟ ବର୍ବରତାର ଚିତ୍ର ଦେଇଥାଏ। ଏପରିକି ଆମ ଦେଶରେ ଭାରତ ପାକିସ୍ତାନ ବିଭାଜନବେଳେ ଧର୍ମୀ ମୁଖାପିନ୍ଧା ହିଂସ୍ର ମଣିଷମାନେ ସାଂପ୍ରଦାୟିକ ବି‌େଦ୍ବଷର ଯେଉଁ ଉତ୍ତେଜନା ସୃଷ୍ଟି କରିଛନ୍ତି ସେଥିରେ ଲକ୍ଷଲକ୍ଷ ନିରୀହ ଲୋକ ଆହତ, ନିହତ ଓ ସର୍ବସ୍ବାନ୍ତ ହୋଇଛନ୍ତି। ଇତିହାସରେ ଅନେକ ଅମାନବିକ ତଥା ବର୍ବରତାର ଚିତ୍ର ମିଳିବ। ଏହି ପୃଷ୍ଠଭୂମିରେ ମାନବବାଦ ଏକ ଅହିଂସ, ଭ୍ରାତୃତ୍ବପୂର୍ଣ୍ଣ ଓ ସମ୍ବେଦନଶୀଳ ଜୀବନବୋଧର ବାର୍ତ୍ତା ଦେଇଥାଏ।

ମାନବବାଦର ଦାର୍ଶନିକ ଆଧାରଟି ହେଉଛି ଆମେ ସକଳ ଜନଗଣ ଏକ ଆକାଶତଳେ ଓ ଗୋଟିଏ ଭୂମିରେ ଜୀବନନିର୍ବାହ କରୁଛେ। ହିଂସା, ଶୋଷଣ, ଅସହିଷ୍ଣୁତା, ଅମାନବିକତାର ପୃଥିବୀ ହେଉଛି ଏକ ଦୁଃଖର ପୃଥିବୀ। ଏହି ଦୁଃଖ ମନୁଷ୍ୟ ହିଁ ସୃଷ୍ଟିକରେ। ସୁତରାଂ ଧରିତ୍ରୀକୁ ଆମର ଜନନୀ ଭାବରେ ସ୍ବୀକାରକରି ମାନବିକ ମୂଲ୍ୟବୋଧ ପ୍ରତି ଶ୍ରଦ୍ଧା ଓ ଏକ ସମ୍ବେଦନର ହୃଦୟ ରଖିଲେ ଆମ ସଂସାର ମଧୁମୟ ହୋଇପାରିବ। ସବୁ ସଭ୍ୟତାର ମାନବବାଦୀ ଦାର୍ଶନିକମାନେ ବିଶ୍ବର ଚେତନା ମଣ୍ଡଳରେ ମାନବୀୟ ମହାନୁଭବତାର ଏହି ବାର୍ତ୍ତା ହିଁ ଦେଇଛନ୍ତି। ପ୍ରାକୃତିକ କାରଣରୁ ବା ଅନ୍ୟ କାରଣରୁ ଜୀବନ ସହ ଦୁଃଖ, ଅସ୍ଥିରତା, ହତାଶା, ଯନ୍ତ୍ରଣା ରହିବା ଏକ ସାଧାରଣ ଉପଲବ୍ଧି। ତେବେ ମାନବୀୟ ସଂପ୍ରୀତି ଓ ସହଭାଗିତା ଦ୍ବାରା ଆମେ ଅନ୍ୟର ଦୁଃଖ ଓ ହତାଶାକୁ ଦୂର କରିପାରିବା। ଆମ ସଂସାରରେ ଅନେକ ଦାର୍ଶନିକ, ସୃଜନଶୀଳ ସ୍ରଷ୍ଟା ଓ ମାନବ ହିତୈଷୀ ହେତୁବାଦୀମାନେ ମାନବିକତାବୋଧରୁ ଏହି ବାର୍ତ୍ତା ପ୍ରସାର କରିଆସିଛନ୍ତି। ପରିତାପର ବିଷୟ ତାହା ସାର୍ବଜନୀନ ଭାବରେ ବିଶ୍ବରେ ପ୍ରସାରିତ ହୋଇନାହିଁ।

ଏହି ପୃଷ୍ଠଭୂମିରେ ମାନବବାଦର ପ୍ରସାର କ୍ଷେତ୍ରରେ କେତୋଟି ଐତିହାସିକ ଘଟଣାର ଅବତାରଣା କରାଯାଇପାରେ। ଇଉରୋପୀୟ ନବଜାଗରଣ ଓ ଜ୍ଞାନଦୀପ୍ତିର ଯୁଗରେ ମାନବବାଦୀ ଚେତନାର ବିକାଶ ଘଟିଥିଲା। ବ୍ୟକ୍ତି ଜୀବନର ମହତ୍ତ୍ବ ଓ ସ୍ବାତନ୍ତ୍ର୍ୟ ପ୍ରତିଷ୍ଠା କରିବାରେ ନବଜାଗରଣ ଯୁଗରେ ବିଭିନ୍ନ ସାଂସ୍କୃତିକ ଆଲୋଡ଼ନ ସୃଷ୍ଟି ହୋଇଥିଲା। ମଧ୍ୟଯୁଗୀୟ ସାମନ୍ତବାଦୀ ଯୁଗରେ ମନୁଷ୍ୟ ପ୍ରକୃତି ଓ ସାମାଜିକ ପ୍ରଥା ପାଖରେ ନିଜକୁ ନ୍ୟୂନ କରି ରଖିଥିଲା। ଜୀବନର ସମସ୍ତ କ୍ଷେତ୍ରକୁ ଧାର୍ମିକ ବିଶ୍ବାସ ନିୟନ୍ତ୍ରଣ କରିଥିଲା ଓ ସମାଜର ସକଳ ବ୍ୟବସ୍ଥା ପ୍ରଭାବଶାଳୀ ପୂଜକଗୋଷ୍ଠୀ ଦ୍ବାରା ନିୟନ୍ତ୍ରିତ ହେଉଥିଲା। ବିଶ୍ବାସ ଥିଲା ମନୁଷ୍ୟର ଜୀବନ ପୂର୍ବନିର୍ଦିଷ୍ଟ। ମଣିଷର ଆବଶ୍ୟକତାକୁ ସ୍ଥିରକରି ଈଶ୍ବର ମନୁଷ୍ୟର ସଂସାରକୁ ପ୍ରସ୍ତୁତ କରିଛନ୍ତି। ସକଳ ନୀତି, ନୈତିକତା ଯାହା ଧର୍ମଗ୍ରନ୍ଥରେ ଉଲ୍ଲେଖ ରହିଛି ତାହାକୁ ପାଳନ କରିବା ମଣିଷର କର୍ତ୍ତବ୍ୟ। ପରିଣାମତଃ ନବଜାଗରଣ ଯୁଗରେ ବିଜ୍ଞାନର ବିକାଶପର୍ବ ବହୁ ବିରୋଧ ଓ ଆହ୍ବାନର ସମ୍ମୁଖୀନ ହୋଇଥିଲା।

ବିଜ୍ଞାନର ବିକାଶକୁ ବହୁ ଅମୂଲ୍ୟ ଅବଦାନ ଦେଇଥିବା କେତେକେତେ ପ୍ରବୀଣ ବୈଜ୍ଞାନିକମାନଙ୍କୁ ଧର୍ମଦ୍ରୋହୀର ଆଖ୍ୟା ଦେଇ ନବଜାଗରଣ ଯୁଗର ଆରମ୍ଭ ପର୍ବରେ ନିର୍ଯାତନା ଦିଆଯାଇଛି ଓ ଏପରି କି ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯାଇଛି। ତେବେ ବି ବିଜ୍ଞାନର ବିକାଶଧାରା ଅବ୍ୟାହତ ରହିଛି। ବିଜ୍ଞାନ ମଣିଷର ବୌଦ୍ଧିକ ଦିଗ୍‌ବଳୟକୁ ପ୍ରସାରିତ କରିଚାଲିଛି। ବିଶ୍ବ ସମ୍ପର୍କରେ ଜାଣିବାପାଇଁ ଧର୍ମଗ୍ରନ୍ଥର ବର୍ଣ୍ଣନା ଉପରେ ନିର୍ଭର ନ କରି ପର୍ଯ୍ୟବେକ୍ଷଣ-ପରୀକ୍ଷଣ ଉପରେ ଆସ୍ଥା ରଖିବାକୁ ହେବ। ପ୍ରକୃତି ସମ୍ବନ୍ଧରେ ମଣିଷର ଜ୍ଞାନ ଯେ​‌େ​‌ତ ସଂପ୍ରସାରିତ ହୋଇଚାଲିବ ମନୁଷ୍ୟର କୁସଂସ୍କାର ଓ ଦୁଃଖଦୁର୍ଦଶାରୁ ମୁକ୍ତି ମିଳିପାରିବ। ଏହି ଭାବନାରୁ ଧୀରେଧୀରେ ବହୁ ବୈଜ୍ଞାନିକ ଉଦ୍‌ଭାବନ ଓ ଆବିଷ୍କାର ମନୁଷ୍ୟକୁ ଶକ୍ତିଶାଳୀ କରିବାରେ ସାହାଯ୍ୟ କଲା।

ପୁନଶ୍ଚ ବୈଜ୍ଞାନିକ ପ୍ରଣାଳୀ ପ୍ରୟୋଗକରି ମନୁଷ୍ୟ ସମାଜକୁ ଅଧ୍ୟୟନ କରିବାର ବୌଦ୍ଧିକ ଅନୁସନ୍ଧିତ୍ସା ସୃଷ୍ଟି ହେଲା। ଏହି ଅନୁସନ୍ଧିତ୍ସା ଓ ଅନୁଶୀଳନରୁ ଏହି ବିଚାରର ଅଭ୍ୟୁଦୟ ହେଲା ଯେ ସାମୂହିକ ଜୀବନକୁ ନିୟନ୍ତ୍ରଣ କରୁଥିବା ସାମାଜିକ ପ୍ରକ୍ରିୟାମାନଙ୍କୁ ଜାଣିଲେ ସମାଜକୁ ସୁନ୍ଦରକରି ନିର୍ମାଣ କରିହେବ। ବ୍ୟକ୍ତି ବା ଗୋଷ୍ଠୀର ଦୁଃଖ ଦୁର୍ଦଶା ଭାଗ୍ୟର ପରିଣତି ନୁହେଁ, ଏହା ହେଉଛି ସମାଜର ରାଜନୈତିକ, ଅର୍ଥନୈତିକ ସାମାଜିକ ଓ ସାଂସ୍କୃତିକ ବ୍ୟବସ୍ଥାର ପରିଣାମ। ବ୍ୟବସ୍ଥାକୁ ପରିବର୍ତ୍ତନ କଲେ ସମାଜରେ ସବୁ ମଣିଷ ମଣିଷପରି ବଞ୍ଚିବାର ଅବକାଶ ପାଇପାରିବେ। ମଣିଷର ପ୍ରୟାସରେ ଏକ ସୁଖ ଶାନ୍ତିଭରା ସମାଜ ସମ୍ଭବ ହୋଇପାରିବ। ନୀତି ନୈତିକତା କେଉଁ ଦେବତା ଦେଇନାହାନ୍ତି। ସମାଜରେ ଆପଣା ଜୀବନ-ଭୂମିର ଆବଶ୍ୟକତା ଓ ଆହ୍ବାନ ଅନୁସାରେ ମନୁଷ୍ୟ ସକଳ ନୀତି, ନୈତିକତା ଓ ମୂଲ୍ୟବୋଧମାନଙ୍କର ଅବତାରଣା କରିଛି। ନୈତିକତା ଏକ ସାମାଜିକ କର୍ତ୍ତବ୍ୟ ଓ ଜୀବନର ଆବଶ୍ୟକତା ଅନୁଯାୟୀ ପରିବର୍ତ୍ତନଶୀଳ। ଏହି ସବୁ ବୈଷୟିକ ଆଲୋଡ଼ନ ମାନବିକ ଜୀବନଦୃଷ୍ଟିର ବିକାଶରେ ପଥ ପ୍ରଦର୍ଶକ ହୋଇଥିଲା। ମଣିଷ ଯେ ନିଜର ବୃଦ୍ଧି, ପ୍ରୟାସ ଓ ସହଯୋଗିତାଦ୍ବାରା ପ୍ରାକୃତିକ ଦୁର୍ବିପାକକୁ ନିୟନ୍ତ୍ରଣ କରି ଉତ୍ତମ ଜୀବନର ଅଧିକାରୀ ହୋଇପାରିବ ଓ କୌଣସି ଲକ୍ଷ୍ୟ ପାଖରେ ନିଜକୁ ଅସହାୟ ହୋଇ ସମର୍ପଣ କରିବ ନାହିଁ ଏହା ମାନବବାଦର ପ୍ରସାରିତ ତାତ୍ପର୍ଯ୍ୟ ଥିଲା।

୧୯୪୮ରେ ଜାତିସଂଘରେ ଗୃହୀତ ‘ମାନବିକ ଅଧିକାରର ବିଶ୍ବ ଘୋଷଣାନାମା’ ମାନବବାଦୀ ଜୀବନବୋଧର ଏକ ବଡ଼ ଅଭିବ୍ୟକ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ ଏହି ଘୋଷଣାନାମାରେ ଅନେକ ଧାରା ସଂଯୁକ୍ତ କରାଯାଇଛି। ଏହି ଘୋଷଣାନାମାରେ ପ୍ରତ୍ୟେକ ବ୍ୟକ୍ତିର ମହତ୍ତ୍ବକୁ ସ୍ବୀକାର କରାଯାଇ କୌଣସି ବ୍ୟକ୍ତି ବା ଗୋଷ୍ଠୀ ଯେପରି ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ବା ଅନ୍ୟ କୌଣସି ଭେଦଭାବର ଶିକାର ନ ହୁଏ ସେହି ବାର୍ତ୍ତା ବିଶ୍ବ ସମୁଦାୟକୁ ଦିଆଯାଇଛି। ଜାତି, ଧର୍ମ, ବର୍ଣ୍ଣ, ଜାତୀୟତା ନିର୍ବିଶେଷରେ ପ୍ରତ୍ୟେକ ବ୍ୟକ୍ତି ନିରାପଦ ଭାବେ ଏକ ସମ୍ମାନଜନକ ଜୀବନ ଅତିବାହିତ କରିବା ତା’ର ଏକ ପ୍ରାକୃତିକ ଅଧିକାର। ନିଜ ସାମର୍ଥ୍ୟର ବିକାଶ କରିବା, ଶିକ୍ଷା ପାଇବା, ନାଗରିକ ଅଧିକାର ଉପଭୋଗ କରିବା, ନିଜର ବୌଦ୍ଧିକ ଓ ମାନସିକ ବିକାଶ ଘଟାଇବା, ଆଇନ ଦୃଷ୍ଟିରେ ସମାନ ବିବେଚିତ ହେବା, ମତବ୍ୟକ୍ତ କରିବାର ଅଧିକାର ପାଇବା ଇତ୍ୟାଦି ବ୍ୟକ୍ତିର ଅଧିକାର। ବ୍ୟକ୍ତି ସ୍ବାଧୀନତା ଓ ମାନବିକ ଅଧିକାର ମାନବବାଦୀ ଜୀବନବୋଧର ଅନ୍ତର୍ନିହିତ ତାତ୍ପର୍ଯ୍ୟ।

ବିଂଶ ଶତାବ୍ଦୀର ଦ୍ବିତୀୟାର୍ଦ୍ଧରୁ ମାନବବାଦ ପ୍ରସାରିତ ହୋଇଛି ‘ଗ୍ରହମଣ୍ଡଳୀୟ ମାନବବାଦ’କୁ। ପୃଥିବୀ ରୂପକ ଗ୍ରହଟି ରହିଲେ ମନୁଷ୍ୟ- ସମାଜ ରହିବ। ମାନବ ସଭ୍ୟତା ପାଇଁ ବିପଦ ହେଉଛି ପାରିବେଶିକ ପ୍ରଦୂଷଣ ଓ ଆଣବିକ ତେଜସ୍କ୍ରିୟତା। ଏ ଉଭୟ ବିପଦରୁ ଆମ ଗ୍ରହକୁ ରକ୍ଷାକରିବା ମନୁଷ୍ୟ ସମାଜର କର୍ତ୍ତବ୍ୟ। ଏହା ଗୋଟିଏ ବା କେତୋଟି ଦେଶଦ୍ବାରା ସମ୍ଭବ ନୁହେଁ। ଯଦି ଆମେ ଚାହୁଁ ଯେ ମାନବ ସଭ୍ୟତା ରହୁ ତେବେ ସମସ୍ତ ଭେଦଭାବକୁ ଦୂରକରି ଏହି ବିଶ୍ବ ସମସ୍ୟା ପାଇଁ ଆମର ସଂପୃକ୍ତି ବ୍ୟକ୍ତ କରିବା ଆବଶ୍ୟକ। ଏହା ହିଁ ସାଂପ୍ରତିକ ଯୁଗର ଆହ୍ବାନ ଓ ଆମର କର୍ତ୍ତବ୍ୟ।

Comments are closed.