ଧର୍ମନିରପେକ୍ଷତା କାହିଁକି?

ଭାରତର ଧର୍ମନିରପେକ୍ଷତା ଓ ସମସ୍ତଙ୍କ ପ୍ରତି ସମତାବୋଧ ବୈଦିକ ଯୁଗରୁ ଚଳିଆସୁଛି। ତିନି ହଜାର ବର୍ଷ ପୂର୍ବେ ଋଷିମାନେ ଧର୍ମର ଯେଉଁ ସଂଜ୍ଞା ଜଣାଇଥିଲେ ସେଥିରୁ ସାଧାରଣ ଲୋକମାନେ ଜାଣୁଥିଲେ ଯେ ଗୋଟିଏ ଧର୍ମ, ଜଣେ ଈଶ୍ବର ବିଦ୍ୟମାନ; କିନ୍ତୁ ପରବର୍ତ୍ତୀ କାଳରେ ଏକାଧିକ ଧର୍ମ ଓ ଏକାଧିକ ଈଶ୍ବର ତଥ୍ୟ ପ୍ରସାର ହେବା ଫଳରେ ବିଭିନ୍ନ ଧର୍ମର ରୀତିନୀତି ମଣିଷର ଈଶ୍ବର ଚେତନାକୁ ଏକାଧିକ କରିଦେଲା। ପରବର୍ତ୍ତୀ କାଳରେ ଏକାଧିକ ଧର୍ମ ସହିତ ଏକାଧିକ ଈଶ୍ବର ବିଶ୍ବାସ ପ୍ରଚଳନ ହେବାରୁ ବିଭିନ୍ନ ବିଶ୍ବାସ ମଧ୍ୟରେ ବିଭେଦ ସୃଷ୍ଟି ହେଲା। ଭାରତ ଦୀର୍ଘକାଳ ଯାଏ ଏକ ଈଶ୍ବର ଓ ଏକ ଧର୍ମରେ ବିଶ୍ବାସ ଥିଲା; କିନ୍ତୁ ପରବର୍ତ୍ତୀ କାଳରେ ଭାରତରେ ହିନ୍ଦୁ, ବୌଦ୍ଧ, ଜୈନ ଧର୍ମ ସହିତ ବିଦେଶରୁ ଆସୁଥିବା ଭିନ୍ନ ଧର୍ମୀମାନଙ୍କ ଦ୍ବାରା ଖ୍ରୀଷ୍ଟ ଧର୍ମ, ଇସଲାମ୍‌ ଧର୍ମ ଇତ୍ୟାଦି ପ୍ରଚଳିତ ହେଲା। ଦେଶ ସ୍ବାଧୀନ ହେବା ପରେ ଆମ ଦେଶରେ ବିଭିନ୍ନ ଧର୍ମର ପ୍ରସାର ହେଲା ଏବଂ ଏକାଧିକ ଈଶ୍ବର ଥିବା ତତ୍ତ୍ବ ମଧ୍ୟ ପ୍ରସାରିତ ହେଲା। ଧର୍ମକୁ ବିଭାଜନର କାରଣ ନ କରିବା ପାଇଁ ଗାନ୍ଧିଜୀ କହୁଥିଲେ ଯେ, ‘ରାମ୍‌ ରହିମ୍‌ ଏକ୍‌ ହୋ’। ହିନ୍ଦୁ ଓ ମୁସଲମାନ୍‌ ଏକାଧିକ ବିଶ୍ବାସୀ। ଖ୍ରୀଷ୍ଟିଆନ୍‌ମାନେ ଭାରତରେ ପ୍ରବେଶ କଲାପରେ ଧର୍ମାନ୍ତରୀକରଣ ଏବଂ ତାହା ସହିତ ଧର୍ମ ନାମରେ ଲୋକ ସାଧାରଣଙ୍କର ମଧ୍ୟରେ ଧର୍ମକୁ ନେଇ ବିଭାଜନ ଘଟିଛି।

ଧର୍ମ ନାମରେ ସମାଜ ଯେପରି ବିଭିନ୍ନ ଗୋଷ୍ଠୀରେ ପରିଣତ ନହୁଏ ସେଥିପାଇଁ ଭାରତର ସମ୍ବିଧାନରେ ଆମ ଦେଶରେ ଧର୍ମ ନିରପେକ୍ଷତା ପ୍ରଚଳିତ ହୋଇଛି। ଏହି କାରଣରୁ ଧର୍ମକୁ ନେଇ ସାଧାରଣ ଲୋକମାନଙ୍କୁ ଯେପରି ଶୋଷଣ କରାନଯାଏ ତାହା ରୋକିବା ସକାଶେ ଧର୍ମ ନିରପେକ୍ଷତା ନୀତି ଆମ ଦେଶ ଗ୍ରହଣ କରିଛି। ସ୍ବାମୀ ବିବେକାନନ୍ଦ ଭାରତୀୟଙ୍କର ଧର୍ମବିଶ୍ବାସ ସମ୍ପର୍କରେ ଆମେରିକାର ଚିକାଗୋଠାରେ ଧର୍ମ ସମ୍ମିଳନୀରେ କହିଥିଲେ ଯେ, ‘ଈଶ୍ବର ଏକ ଧର୍ମ ଅନେକ’। ତଥାପି ପୃଥିବୀର ବିଭିନ୍ନ ଦେଶରେ ବିଭିନ୍ନ ଧର୍ମ ଓ ଈଶ୍ବର ବିଶ୍ବାସ ରହିଛି। ଏହା ରୋକିବା ପାଇଁ ଆମ ସମ୍ବିଧାନରେ ଧର୍ମାନ୍ତରୀକରଣ କରିବା ଦିଗରେ ଲୋକମାନଙ୍କୁ ବିଭିନ୍ନ ଧର୍ମର ପ୍ରଚାର ହେଉଥିବା ଦିଗରେ କିଛି ଆଇନ ଓ ଶୃଙ୍ଖଳା ରହିଛି; କିନ୍ତୁ ଧର୍ମାନ୍ତର କରିବା କାର୍ଯ୍ୟକୁ ଯଦି ନିରପେକ୍ଷ ଭାବରେ ଏବଂ କୌଣସି ପ୍ରଲୋଭନ ନ ଦେଖାଇ କରାଯାଏ, ତେବେ ସରକାରଙ୍କର ଅନୁମତି ନେଇ ଧର୍ମାନ୍ତରୀକରଣ କରିବା ପାଇଁ ବ୍ୟବସ୍ଥା ମଧ୍ୟ ରହିଛି।

ଓଡ଼ିଶାର ମୟୂରଭଞ୍ଜ ଜିଲାରେ କେତେବର୍ଷ ତଳେ କୁଷ୍ଠବ୍ୟାଧି ରୋକିବା ପାଇଁ କେତେଜଣ ପାଦ୍ରୀ ବିଦେଶରୁ ଆସି ପ୍ରଚାର କରୁଥିଲେ। ସେମାନଙ୍କୁ ରୋକିବା ପାଇଁ ଦିନେ ରାତିରେ ସେମାନେ ଶୋଇଥିଲାବେଳେ ତାଙ୍କ ଗାଡ଼ିରେ ନିଆଁ ଲଗାଇ ସେମାନଙ୍କୁ ଜଳାଇ ଅଗ୍ନି ସଂଯୋଗ କରିବା ଫଳରେ ପାଦ୍ରୀମାନଙ୍କର ମୃତ୍ୟୁ ହୋଇଥିଲା। ପ୍ରଲୋଭନ ବା ଶୋଷଣ ଦ୍ବାରା ଧର୍ମ ପରିବର୍ତ୍ତନ କରିବା ନିଷେଧ କରାଯାଇଛି; କିନ୍ତୁ ଧର୍ମ ପ୍ରଚାର କରିବା ଦିଗରେ କୌଣସି କଟକଣା ନାହିଁ। ଫଳରେ ଭାରତରେ ବିବିଧ ଧର୍ମ ରହିଥିଲେ ମଧ୍ୟ ଶାନ୍ତି ଓ ସହାବସ୍ଥାନ ସମାଜକୁ ଦୃଢ଼ କରିବାରେ ସାହାଯ୍ୟ କରିଛି। ସମ୍ବିଧାନର ୨୫ରୁ ୨୮ ଧାରାରେ ଭାରତକୁ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର ଭାବେ ବର୍ଣ୍ଣନା କରାଯାଇଥିବାରୁ ସମସ୍ତେ ପରସ୍ପର ମଧ୍ୟରେ ଏହି ବିଷୟରେ ନିରପେକ୍ଷତା ଗ୍ରହଣ କରିବା ହେଉଛି ଅନିବାର୍ଯ୍ୟ। ଏଥିରୁ ଜଣାପଡ଼େ ଯେ ଗୋଟିଏ ଧର୍ମ ନିରପେକ୍ଷ ରାଷ୍ଟ୍ରର ଲୋକମାନେ ପରସ୍ପର ମଧ୍ୟରେ ଧର୍ମନିରପେକ୍ଷ ଆଦର୍ଶ ମାନିବା ସହିତ ନିଜର ଧର୍ମ ସମ୍ପର୍କରେ ନିରପେକ୍ଷତା ଅବଲମ୍ବନ କରିବେ।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଭାରତର ବଡ଼ ବଡ଼ ପ୍ରତିଷ୍ଠିତ ମଠ ପଣ୍ଡିଚେରିର ଶ୍ରୀଅରବିନ୍ଦ ଆଶ୍ରମ ଓ ମନ୍ଦିରମାନଙ୍କରେ ଧର୍ମନିରପେକ୍ଷତା ପାଳନ କରାଯାଏ। ଉଦାହରଣ ସ୍ବରୂପ ଶ୍ରୀରାମକୃଷ୍ଣ ମିଶନ, ସାଇବାବା ଆଶ୍ରମ, ସତ୍ୟସାଇ ଆଶ୍ରମ ଓ ବିଭିନ୍ନ ଆଶ୍ରମମାନଙ୍କରେ ପ୍ରଥା ଓ ପରମ୍ପରା ସହିତ ଧର୍ମ ନିରପେକ୍ଷ ରାଷ୍ଟ୍ର ରୂପେ କରାଯାଏ ବୋଲି ହିନ୍ଦୁ, ଖ୍ରୀଷ୍ଟାନ, ବୌଦ୍ଧ ପ୍ରଭୃତି ଭକ୍ତମାନେ ପୂଜାର୍ଚ୍ଚନା କରିବାରେ ବାଧା ନାହିଁ। ସରକାର ଓ ପ୍ରଶାସନ ଧର୍ମନିରପେକ୍ଷତା ଅବଲମ୍ବନ କରିବା ଦ୍ବାରା ସମ୍ବିଧାନର ୨୫-୨୮ ଧାରା ପାଳନ କରିବା ବିଧିସମ୍ମତ।

ଧର୍ମ ନିରପେକ୍ଷତାର ସାରମର୍ମ ଓ ମୂଲ୍ୟ ହେଉଛି ଏହା ରାଷ୍ଟ୍ରର ଧର୍ମ ନୁହେଁ। ଏକ ଧର୍ମନିରପେକ୍ଷତାକୁ ଏକ ଧର୍ମ ଭାବେ ବିଚାର ବା ଉପଯୋଗ କରିବା ଠିକ୍‌ ନୁହେଁ। ତେଣୁ ଏହାକୁ କୌଣସି ରାଷ୍ଟ୍ରୀୟ କାର୍ଯ୍ୟ ବୋଲି ଉପଯୋଗ କରିବା ନିଷେଧ। କୌଣସି ଶିକ୍ଷାନୁଷ୍ଠାନରେ ମଧ୍ୟ ଏହାର ନିଷେଧ। ମନେରଖିବାକୁ ହେବ ଯେ ଧର୍ମ ନିରପେକ୍ଷତା ଧର୍ମାନ୍ଧତା ନୁହେଁ ବା ଏହାକୁ ରାଷ୍ଟ୍ରୀୟ କାର୍ଯ୍ୟ ପାଇଁ ବ୍ୟବହାର କରାଯିବ ନାହିଁ। ଏହାକୁ ଧର୍ମୀୟ ସ୍ବାଧୀନତା ଅର୍ଥରେ ବ୍ୟବହାର କରାଯିବ ନାହିଁ। କୌଣସି ଅର୍ଥନୈତିକ ବା ପ୍ରଶାସନିକ ଉଦ୍ଦେଶ୍ୟ ସାଧନ ପାଇଁ ଧର୍ମ କାର୍ଯ୍ୟ ଉଦ୍ଦିଷ୍ଟ ନୁହେଁ। ଏହାକୁ ସମର୍ଥନ ସଂଖ୍ୟାଧିକ କଲେ ମଧ୍ୟ ଏହା ସପକ୍ଷରେ ସରକାର କିଛି କହିବା ଉଚିତ ନୁହେଁ। ଧର୍ମନିରପେକ୍ଷତାକୁ କୌଣସି ପ୍ରଚାର ପାଇଁ ବ୍ୟବହାର କରିବା ଉଚିତ ନୁହଁ।

ଏଥିପାଇଁ ଧର୍ମ ବା ବଦାନ୍ୟତା ପାଇଁ ଏହା ବ୍ୟବହୃତ ହେବ ନାହିଁ। ଧର୍ମନିରପେକ୍ଷତାକୁ ଧର୍ମ ପ୍ରଚାର ବା କୌଣସି ଧର୍ମ ବିଶ୍ବାସ ପାଇଁ ଉପଯୋଗ କରାଯିବ ନାହିଁ। ଅନ୍ୟ ଧର୍ମ ବିରୋଧରେ ବା ଏହାର ସପକ୍ଷରେ ଧର୍ମ ସାପେକ୍ଷ ପ୍ରଯୁଜ୍ୟ ନୁହଁ। ଏହା କହିବାକୁ ପଡ଼ିବ ଯେ ଜଣେ ନାଗରିକର କୌଣସି ଧର୍ମ କାର୍ଯ୍ୟ ପାଇଁ ସେ ନିଜ ଧର୍ମର ପ୍ରଚାର ବା ପ୍ରସାର ପାଇଁ ରାଷ୍ଟ୍ର ବା ଶାସନ କାର୍ଯ୍ୟ ପାଇଁ ବା କୌଣସି ସାମୟିକ କାର୍ଯ୍ୟ ପାଇଁ ସଂଖ୍ୟାନ୍ୟୂନଙ୍କ ସପକ୍ଷରେ ଉଦାରତା ପ୍ରଦର୍ଶନ କରିପାରେ। ଶିକ୍ଷା କ୍ଷେତ୍ରରେ ବା ଧର୍ମୀୟ କ୍ଷେତ୍ରରେ ଏହାର ଉପଯୋଗ ମଧ୍ୟ ଅନାବଶ୍ୟକ।

ଧର୍ମନିରପେକ୍ଷତା ଏକ ଧର୍ମ ନୁହେଁ ବା ଏହା କୌଣସି ଧର୍ମର ପ୍ରଚାର ପାଇଁ ଏକ ଅସ୍ତ୍ର ନୁହେଁ। ଏହାକୁ ଏକ ଆଦର୍ଶ ଭାବେ ଗ୍ରହଣ କରାଯାଇପାରେ ଏବଂ ଯେ କୌଣସି ଧର୍ମର ସଂଖ୍ୟାଧିକ ବା ସଂଖ୍ୟାଲଘୁ ଏହାକୁ ଯେମିତି ଇଚ୍ଛା ସେପରି ବ୍ୟବହାର କରିବା ଠିକ୍‌ ନୁହେଁ। ଭାରତର ପ୍ରାଚୀନ ସଭ୍ୟତା ଆମ୍ଭମାନଙ୍କୁ ଉତ୍ତରାଧିକାର ସୂତ୍ରରେ ଏପରି ଏକ ଆଦର୍ଶ ଓ ମୂଲ୍ୟବୋଧ ଦେଉଛି ଯାହା ସାଂପ୍ରତିକ ଦେଶର ବିବିଧତା, ସ୍ବତନ୍ତ୍ରତା, ସମତାବୋଧକୁ ଅଧିକ ପରିପୁଷ୍ଟ କରିପାରେ। ଭାରତ ହଜାର ବର୍ଷରୁ ଅଧିକ ପରାଧୀନ ଥାଇ ମଧ୍ୟ ଏବେ ପଞ୍ଚସ୍ତରି ବର୍ଷରେ ପୃଥିବୀର ବୃହତ୍ତର ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ପରିଚିତ। ଅନେକ ଧର୍ମ, ଭାଷା, ସାହିତ୍ୟ, ସାମାଜିକ ବିଭିନ୍ନତା ସତ୍ତ୍ବେ ଆମ ଦେଶରେ ବିବିଧତା ସୃଷ୍ଟି କରିଛି ସାମାଜିକ ଐକ୍ୟ। ଏକତ୍ର ହେବାର ଭାବନା ଏବଂ ଅନେକ ଭାଷା ଓ ଧର୍ମ ସତ୍ତ୍ବେ ଏକ ପ୍ରକାର ସାବଲୀଳତା ଓ ସମାନତା ପାଇଁ ଅନନ୍ୟ।

ଏଇ ଦୃଷ୍ଟିରୁ ଭାରତର ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି ଏନ୍‌ ଭି ରମଣଙ୍କ ଉକ୍ତି ଯେ ଧର୍ମନିରପେକ୍ଷତା ଏକ ଆଦର୍ଶ ଏବଂ ଏହାର ସୁରକ୍ଷା ଜାତି ଗଠନ ଓ ଗଣତାନ୍ତ୍ରିକ ଅବସ୍ଥାକୁ ଅଧିକ କାର୍ଯ୍ୟକାରୀ କରିବାରେ ସହାୟକ ହେବ। ଏହା ଭାଇ-ଭାଇ ଭାବନାର ପ୍ରବର୍ତ୍ତକ। ଜାତି, ଭାଷା, ଧର୍ମଠାରୁ ମାନବିକତା, ସମତାବୋଧ ସମାଜ ଓ ଦେଶକୁ ଶ୍ରୀମଣ୍ଡିତ କରିଛି।

ସର୍ବୋଚ୍ଚ ଅଦାଲତର ପ୍ରଧାନ ବିଚାରପତି ଏନ.ଭି. ରମଣଙ୍କ ଭାଷାରେ- ସ୍ବାମୀ ବିବେକାନନ୍ଦ ସ୍ବପ୍ନ ଦେଖିଥିଲେ ଏକ ନୂତନ ଭାରତର ଉତ୍ଥାନ, ଯେଉଁଠାରେ ରହିବ ସର୍ବସାଧାରଣଙ୍କ ମଧ୍ୟରେ ସହନଶୀଳତା ଓ ପରସ୍ପର ମଧ୍ୟରେ ବୁଝାମଣା; ବିବିଧତା ମଧ୍ୟରେ ନଥିବ ଅନ୍ଧବିଶ୍ବାସ। ତାଙ୍କର ବକ୍ତବ୍ୟରେ ସେ ଉଦ୍ଧାର କରିଥିଲେ ଦେଶର ସ୍ବାଧୀନତା ଆନ୍ଦୋଳନରେ କିପରି ଯୁବଗୋଷ୍ଠୀ ବିର୍ସା ମୁଣ୍ଡା, ଭଗତ ସିଂ, ସୁଖଦେବ, ରାଜଗୁରୁ ଏବଂ ଜାତି ଧର୍ମ ନିର୍ବିଶେଷରେ ସୀତାରାମ ରାଜୁ ଯେଉଁମାନେ କି ଯୁବଗୋଷ୍ଠୀଙ୍କୁ ପ୍ରଭାବିତ କରିଥିଲେ ଏବଂ ବ୍ରିଟିଶ ଶାସକଙ୍କ ଅନ୍ୟାୟ ବିରୋଧରେ ଲଢ଼େଇ କରିଥିଲେ। ସେମାନଙ୍କ ଅମ୍ଳାନ ଅସୀମ ତ୍ୟାଗ ସବୁଦିନ ଯୁବଗୋଷ୍ଠୀ ମନେରଖିବେ। ସେଇ ଦେଶପ୍ରାଣ ଭାରତୀୟତା ଥିଲେ ଦେଶାତ୍ମବୋଧ ଧର୍ମାନ୍ଧତା ମଧ୍ୟରୁ ବାହାର କରି ନୂତନ ଦେଶପ୍ରାଣତା ଜାଗ୍ରତ ହେବ। ସେଥିରେ ନଥିଲା ସ୍ବାର୍ଥପରତା, ସଂକୀର୍ଣ୍ଣତା; କିନ୍ତୁ ଥିଲା ଦେଶପ୍ରେମର ଜ୍ବଳନ୍ତ ସ୍ବାର୍ଥତ୍ୟାଗ ଏବଂ ଦେଶ ପାଇଁ ସବୁକିଛି ତ୍ୟାଗ କରିବା ପାଇଁ ସଂକଳ୍ପ ଏବଂ ସଂଗ୍ରାମ।

Comments are closed.