ଭାରତୀୟ ରାଜନୀତିରେ ନୈତିକତା

- ସୂର୍ୟ୍ୟନାରାୟଣ କର

ଏ ଦେଶର ଅନେକ ଦେଶପ୍ରେମୀ, ତ୍ୟାଗୀ ମହାପୁରୁଷ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇ ଦୀର୍ଘ ସମୟ ଧରି କାରାଦଣ୍ଡ ଭୋଗିଥିଲେ। ଏ ସବୁ ବ୍ୟକ୍ତି ବିଶେଷମାନଙ୍କର ତ୍ୟାଗ, ନିଷ୍ଠା, ଆଦର୍ଶ, ଉଚ୍ଚକୋଟୀର ସେବା, ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ରହିବ। ଏହି ମହାମନୀଷୀଙ୍କ ମଧ୍ୟରେ ଥିଲେ ମହାତ୍ମା ଗାନ୍ଧୀ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ସୁଭାଷ ବୋଷ, ପଣ୍ଡିତ ଜବାହରଲାଲ ନେହେରୁ, ରାଜଗୋପାଳଚାରୀ, ଲାଲବାହାଦୁର ଶାସ୍ତ୍ରୀ ଏବଂ ଅନେକ ବ୍ୟକ୍ତି ବିଶେଷ। ଆମ ରାଜ୍ୟର ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ସ୍ୱାଧୀନତା ସଂଗ୍ରାମରେ ତ୍ୟାଗ ଅତୁଳନୀୟ। ଭାରତର ସ୍ୱାଧୀନତା ଲାଭ ପରେ ମଧ୍ୟ ଅନେକ ସ୍ୱାଧୀନତା ସଂଗ୍ରାମୀ ଭାରତ ସରକାରରେ ସାଂସଦ, ମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଥିଲେ ଏବଂ ରାଜ୍ୟଗୁଡ଼ିକରେ ଅନେକ ବିଧାୟକ ମଧ୍ୟ ମନ୍ତ୍ରିପଦ ଲାଭ କରିଥିଲେ। ଏମାନେ ଦେଶର ବିକାଶକୁ ମୁଖ୍ୟ ସ୍ରୋତରେ ସାମିଲ କରି ଦେଶବାସୀଙ୍କୁ ଏକ ନୂତନ ଦିଗ୍ଦିର୍ଶନ ଦେଇଥିଲେ ଏବଂ ସେମାନଙ୍କର ତ୍ୟାଗ, ନିଷ୍ଠା, ଆଦର୍ଶ, ପରମ୍ପରା, ସାଧୁତା, ନୈତିକତା ପ୍ରତି କେହି ଅଙ୍ଗୁଳି ନିର୍ଦେଶ କରି ନଥିଲେ। ପରବର୍ତ୍ତୀ ସମୟରେ ଅର୍ଥାତ୍‍ ସତୁରି ଦଶକର ମଧ୍ୟଭାଗରୁ ଦେଶର ରାଜନୀତି କ୍ଷେତ୍ରରେ ଅନେକ ପରିବର୍ତ୍ତନ ହେଲା। ରାଜନୀତି ଦ୍ୱାରା କ୍ଷମତା ହାସଲ, ଅର୍ଥଲାଭ, ଦଳୀୟ ଅଥବା ବ୍ୟକ୍ତିଗତ ଫାଇଦା ପରସ୍ପର ମଧ୍ୟରେ ଲଢ଼େଇ, ଅବିଶ୍ୱସନୀୟତା ଏବଂ ପରିଶେଷରେ ଅପରାଧ ପୃଷ୍ଠଭୂମିରେ ପାଦ ରଖିଥିବା ନେତାଙ୍କର ସାହାଯ୍ୟ ନିଆଯାଇଥିଲା।

ପଚାଶ ଦଶକରେ ଭାରତର ପ୍ରଧାନମନ୍ତ୍ରୀ ହେବାର ବହୁପୂର୍ବରୁ ସ୍ୱର୍ଗୀୟ ଲାଲବାହାଦୁର ଶାସ୍ତ୍ରୀ କେନ୍ଦ୍ରରେ ରେଳ ବିଭାଗର ମନ୍ତ୍ରୀ ଥିଲେ। ତାଙ୍କ ମନ୍ତ୍ରିତ୍ୱକାଳରେ ଉତ୍ତରପ୍ରଦେଶର ଗୋରଖପୁରଠାରେ ଗୋଟିଏ ରେଳ ଦୁର୍ଘଟଣାରେ ଅନେକ ଲୋକ ମୃତାହତ ହୋଇଥିଲେ। ଏହି ଦୁର୍ଘଟଣାରେ ସେ ନିଜକୁ ନୈତିକତା ଦୃଷ୍ଟିରୁ ଦାୟୀକରି ରେଳମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଆଜିକାଲି ଅନେକ ରେଳ ଦୁର୍ଘଟଣା ହେଲେ ବି କୌଣସି ରେଳମନ୍ତ୍ରୀ ନିଜକୁ ଦାୟୀ କରି ଇସ୍ତଫା ଦେଉନାହାନ୍ତି। ପରବର୍ତ୍ତୀ ସମୟରେ ଶାସ୍ତ୍ରୀଜୀ କେବଳ ପାର୍ଲାମେଣ୍ଟ ସଭ୍ୟ ଭାବରେ ଗୋଟିଏ ବଙ୍ଗଳାରେ ରହୁଥାନ୍ତି। ସେତେବେଳର ଜଣେ ବିଖ୍ୟାତ ସାମ୍ବାଦିକ ଏବଂ ପରେ ଲଣ୍ଡନରେ ଭାରତର ହାଇକମିସନର ହୋଇଥିବା ସ୍ୱର୍ଗୀୟ କୁଳଦୀପ ନାୟାର ଶାସ୍ତ୍ରୀଜୀଙ୍କୁ ଦେଖା କରିବା ପାଇଁ ତାଙ୍କ ବାସଭବନକୁ ଆସିଥିଲେ। ସନ୍ଧ୍ୟା ପରର ସମୟ। ଶାସ୍ତ୍ରୀଜୀ ଘରେ ଥା’ନ୍ତି, ମାତ୍ର ତାଙ୍କ ବଙ୍ଗଳାରେ କୌଣସି ବିଜୁଳି ଆଲୁଅ ଜଳୁ ନଥିଲା। ସ୍ୱର୍ଗୀୟ କୁଳଦୀପ ନାୟାର ଶାସ୍ତ୍ରୀଜୀଙ୍କୁ ସାକ୍ଷାତ କଲେ ଏବଂ କଥା ପ୍ରସଙ୍ଗରେ ତାଙ୍କ ଘରକୁ ବିଜୁଳି ସରବରାହ ବନ୍ଦ ହୋଇଥିବା ଲାଗି କାରଣ ପଚାରିଲେ। ଏକାନ୍ତ ଭଦ୍ର, ନମ୍ର, ବିନୟୀ ଶାସ୍ତ୍ରୀଜୀ ଉତ୍ତରରେ କହିଲେ ଯେ ସେ ଜଣେ ସ୍ୱଳ୍ପ ବେତନଭୋଗୀ ସାଂସଦ ମାତ୍ର। ବଙ୍ଗଳାରେ ସମସ୍ତ ବଲ୍ବ ଜଳିଲେ ତାର ବିଲ୍‍ ପଇଠ କରିବା ପାଇଁ ତାଙ୍କ ପାଖରେ ଆବଶ୍ୟକ ଅର୍ଥ ନାହିଁ। ତେଣୁ ସେ କେବଳ ଗୋଟିଏ ମାତ୍ର ବଲ୍ବଦ ଜଳାଉଥିଲେ। କେତେ କଠୋର ମିତବ୍ୟୟିତା ଥିଲା ତାଙ୍କର ଆଦର୍ଶ! ପରବର୍ତ୍ତୀ ସମୟରେ ଶାସ୍ତ୍ରୀଜୀ ଭାରତରେ ପ୍ରଧାନମନ୍ତ୍ରୀ ଆସନ ଅଳଂକୃତ କରିଥିଲେ। ଆଜିକାଲି ବିଧାୟକ, ମନ୍ତ୍ରୀ ତଥା ସାଂସଦମାନଙ୍କର ଘରେ ବିଜୁଳି ଶକ୍ତି ବ୍ୟବହାର ହେବା ସହିତ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା ଏବଂ ଏ ବାବଦରେ ଖର୍ଚ୍ଚ ହେଉଥିବା ଲକ୍ଷଲକ୍ଷ ଟଙ୍କା ଦେଶର ଜନସାଧାରଣଙ୍କର ଟିକସ୍ଦାମତାଙ୍କ ଅର୍ଥରୁ ପଇଠ କରାଯାଏ।

ଏହି ପୃଷ୍ଠଭୂମିରେ ଓଡ଼ିଶାର କିଛି ପୁଣ୍ୟପୁରୁଷଙ୍କ କଥା ମନେ ପଡ଼େ। ୧୯୫୦ ଦଶକର କଥା। ସେ ଥିଲେ ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଶାର ଦ୍ୱିତୀୟ ମୁଖ୍ୟମନ୍ତ୍ରୀ। ଉଚ୍ଚଶିକ୍ଷିତ, ଜଣେ ସମ୍ଭ୍ରାନ୍ତ ଜମିଦାର ପରିବାରରେ ଜନ୍ମ ହୋଇଥିଲେ। ସେ ହେଉଛନ୍ତି ସ୍ୱର୍ଗୀୟ ନବକୃଷ୍ଣ ଚୌଧୁରୀ। ମାନବିକତା, ନିଷ୍ଠା, ନୈତିକତା, ପ୍ରଶାସନିକ ଦକ୍ଷତା, ସାଧୁତା, ଉଦାରତାର ଏକ ମୂର୍ତ୍ତିମନ୍ତ ପୁରୁଷ। ୧୯୫୦ ମସିହା ମେ ମାସ ଠାରୁ ୧୯୫୬ ମସିହା ଅକ୍ଟୋବର ମାସ ପର୍ୟ୍ୟନ୍ତ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ୱରେ ଥିଲେ। ସେ ଥିଲେ ସମ୍ପୂର୍ଣ୍ଣ ନିରଭିମାନୀ, ଅହଂକାର ଶୂନ୍ୟ, ଏକାନ୍ତ ସରଳ, ସ୍ପଷ୍ଟବାଦୀ ଏବଂ ବିନମ୍ରତାର ପରିପୂର୍ଣ୍ଣ ପୁରୁଷ। କୌଣସି କାରଣବଶତଃ ସେ ନିଜେ ମୁଖ୍ୟମନ୍ତ୍ରୀ ଦାୟିତ୍ୱରେ ରହିବେ ନାହିଁ ବୋଲି ନିଷ୍ପତ୍ତି ନେଲେ। ସେତେବେଳେ କଟକ ଓଡ଼ିଶାର ରାଜଧାନୀ ଥିଲା। ଦଳୀୟ ବିଧାୟକଙ୍କ ବୈଠକରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କରିଥିଲେ। ଇସ୍ତଫା ଦେଇ ସାରିବା ପରେ ବୈଠକସ୍ଥାନରୁ କଟକର କ୍ୟାଣ୍ଟନମେଣ୍ଟ ରୋଡ଼ରେ ଥିବା ତାଙ୍କ ସରକାରୀ ବାସଭବନକୁ ଚାଲି ଚାଲି ଆସିଲେ ଏବଂ ସେଠାରେ ଥିବା ତାଙ୍କର ଏକ ପୁରୁଣା ସାଇକଲ୍‌ରେ ନିଜର କିଛି ବ୍ୟବହାର୍ୟ୍ୟ ଲୁଗାପଟା ରଖି ସାଇକଲ୍ରେର ବସି ନିଜ ଘରକୁ ଚାଲି ଯାଇଥିଲେ। ଏହା ଥିଲା ଏକ ହୃଦୟସ୍ପର୍ଶୀ ଆଦର୍ଶ। ଆଜିକାଲି ନୂତନ କରି ନିର୍ବାଚିତ ହୋଇଥିବା ବିଧାୟକଟିଏ ବିନାଗାଡ଼ିରେ ଘରୁ ଗୋଡ଼ କାଢ଼ୁନାହାନ୍ତି।

ଅନ୍ୟ ଗୋଟିଏ ଘଟଣାରେ କୌଣସି ସରକାରୀ କାର୍ୟ୍ୟ ଉପଲକ୍ଷେ ସ୍ୱର୍ଗୀୟ ମୁଖ୍ୟମନ୍ତ୍ରୀ ନବ ବାବୁଙ୍କର କଲିକତା ଯିବାର ଥାଏ। ସେତେବେଳେ ଆଜିକାଲିକା ପରି ଭୁବନେଶ୍ୱର, କଲିକତା ବିମାନ ସେବା ନଥିଲା। ମୁଖ୍ୟମନ୍ତ୍ରୀ ଏବଂ ପି.ଏ.ଙ୍କ ପାଇଁ ପୁରୀ କଲିକତା ଟ୍ରେନ୍ରେଳ ଦୁଇଟି ଫାଷ୍ଟକ୍ଲାସ୍‍ ଟିକଟ୍‍ ହୋଇଥାଏ। ନିର୍ଦ୍ଦିଷ୍ଟ ଦିନ ମୁଖ୍ୟମନ୍ତ୍ରୀ ଓ ତାଙ୍କ ପି.ଏ. କଟକ ଷ୍ଟେସନକୁ ଆସି ସମ୍ପୃକ୍ତ ଟ୍ରେନ୍‍ କମ୍ପାର୍ଟମେଣ୍ଟକୁ ଯାଇ ଦେଖିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ବର୍ଥରେ ଖୋର୍ଦ୍ଧା ରେଳବାଇ ଡିଭିଜନର ଜଣେ ଇଞ୍ଜିନିୟର ଶୋଇଛନ୍ତି। ମୁଖ୍ୟମନ୍ତ୍ରୀ ଏହା ଜାଣିଲା ପରେ ସେଇ ବଗିରୁ ଓହ୍ଲାଇ ଅନ୍ୟ ଗୋଟିଏ ତୃତୀୟ ଶ୍ରେଣୀ ବଗିରେ ଯାଇ ବସିଲେ। ଏହି ଘଟଣା କୌଣସି ପ୍ରକାରେ ତତ୍କାଳୀନ ସମ୍ବାଦପତ୍ରରେ ପ୍ରକାଶ ପାଇଲା ପରେ ସମ୍ପୃକ୍ତ ରେଳବାଇର କର୍ମକର୍ତ୍ତା ଏହି ଇଞ୍ଜିନିୟରଙ୍କୁ ଚାକିରିରୁ ନିଲମ୍ବିତ କରିଥିଲେ। କଲିକତାରୁ ଫେରି ଆସିବା ପରେ ମୁଖ୍ୟମନ୍ତ୍ରୀ ଯେତେବେଳେ ଏପରି ଘଟଣା ଜାଣିବାକୁ ପାଇଲେ, ସେ ତତ୍କ୍ଷ୍ଣାତ୍‍ ରେଳବାଇ କର୍ମକର୍ତ୍ତାଙ୍କୁ ଡକାଇ ତାଙ୍କ ବିନା ଅଭିଯୋଗରେ ସେମାନେ ଏପରି କାର୍ୟ୍ୟ କରିଥିବାରୁ ଘୋର ଅସନ୍ତୋଷ ପ୍ରକାଶ କରିଥିଲେ ଏବଂ ତାଙ୍କ ନିର୍ଦେଶରେ ସମ୍ପୃକ୍ତ ରେଲବାଇ ଇଞ୍ଜିନିୟରଙ୍କ ପ୍ରତି ହୋଇଥିବା ନିଲମ୍ବନ ଆଦେଶ ଉଠାଇ ନିଆଯାଇଥିଲା। ଏହା ଥିଲା ତାଙ୍କ ଉଦାରତା ଓ ମାନବିକତାର ଏକ ନିଦର୍ଶନ। ମୁଖ୍ୟମନ୍ତ୍ରୀଙ୍କର କହିବାର କଥା ହେଲା ଭୁଲ୍ବବଶତଃ ଜଣେ କର୍ମରତ ରେଳବାଇ କର୍ମଚାରୀ ଫାଷ୍ଟକ୍ଲାସ୍‍ କମ୍ପାର୍ଟମେଣ୍ଟରେ ଶୋଇ ପଡ଼ିବା ଅର୍ଥ ନୁହେଁ ଯେ, ସେ କୌଣସି ଗୁରୁତର ଅପରାଧ କରିଛନ୍ତି। ପରଜୀବନରେ ସେ ଅନୁଗୋଳଠାରେ ଏକ ଆଶ୍ରମ ନିର୍ମାଣ କରି ଅନେକ ଦରିଦ୍ର, ଅସହାୟ ପିଲାମାନଙ୍କର ଶିକ୍ଷା ଓ ରହିବାର ସୁବନ୍ଦୋବସ୍ତ କରିଥିଲେ।

ଓଡ଼ିଶାର ଆଉ ଜଣେ ବରପୁତ୍ର ଶିକ୍ଷାବିତ୍‍, ରାଜନୀତିଜ୍ଞ ଏବଂ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କର ସହକର୍ମୀ ସ୍ୱର୍ଗୀୟ ପଣ୍ଡିତ ଗୋଦାବରୀଶ ମିଶ୍ର ଅତି ଦରିଦ୍ର ଓ ନିଃସ୍ୱ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ଲିଖିତ ‘‘ଅର୍ଦ୍ଧ ଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ଥାନ’’ ପୁସ୍ତକଟିରୁ ତାଙ୍କ ଦାରିଦ୍ର୍ୟ, କରୁଣ ଜୀବନର ସ୍ପଷ୍ଟ ଚିତ୍ର ମିଳିଥାଏ। ତାଙ୍କ ପିଲାଦିନେ ଦୀର୍ଘ ଦିନ ଧରି ତାଙ୍କ ଘରେ ଚୁଲି ଜଳୁନଥିଲା ଏବଂ ଅନେକ ସମୟରେ ସେ ଭୋକ ଉପାସରେ ରହୁଥିଲେ। ସେଇ ପଣ୍ଡିତ ଗୋଦାବରୀଶ ମିଶ୍ର ପରବର୍ତ୍ତୀ ଜୀବନରେ କଲିକତା ବିଶ୍ୱବିଦ୍ୟାଳରୁ ଏମ୍‍.ଏ. ପାସ୍‍ କରି ବୃତ୍ତିପାଇ ବିଲାତ ଯିବାପାଇଁ ସ୍ୱତନ୍ତ୍ର ଭାବରେ ନିର୍ବାଚିତ ହୋଇଥିଲେ। ସେଥିପାଇଁ ସେ ତାଙ୍କର ସହକର୍ମୀ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଅନୁମତି ମାଗିଥିଲେ। ଉତ୍ତରରେ ପଣ୍ଡିତ ଗୋପବନ୍ଧୁ ଲେଖିଲେ ଯେ ତୁମେ ବିଲାତ ଯାଇ ସେଠାରୁ ଫେରି ଖୁବ୍‍ ଗୋଟିଏ ବଡ଼ ପାହ୍ୟାରେ ଉଚ୍ଚକୋଟୀର ବେତନରେ ସରକାରୀ ଚାକିରି କରିବ, କିନ୍ତୁ ଏଣେ ଓଡ଼ିଶାର ଲକ୍ଷଲକ୍ଷ ନିରକ୍ଷର ପିଲା ମୂର୍ଖ ହୋଇ ଦରିଦ୍ର ଭାବରେ ଜୀବନ ବିତାଉଛନ୍ତି। ସେଇ ଲକ୍ଷଲକ୍ଷ ଦରିଦ୍ର, ନିରକ୍ଷର ପିଲାଙ୍କ କଥା କେବେ ଚିନ୍ତା କରିଛ କି? ଏଇ ଚିଠିଦ୍ୱାରା ତାଙ୍କ ଉପରେ ଯେଉଁ ପ୍ରଭାବ ପଡ଼ିଲା, ସେ ବିଲାତ ଯିବା ମୋହ ତ୍ୟାଗ କରି ମାତ୍ର ତିରିଶି ଟଙ୍କାରେ ସାକ୍ଷିଗୋପାଳ ବକୁଳ ବନବିଦ୍ୟାଳୟରେ ଶିକ୍ଷକତା କରିଥିଲେ। ଏହା କିଛି କମ୍‍ ତ୍ୟାଗ ନଥିଲା। ଆଜିକାଲିର ବ୍ୟକ୍ତି ବିଶେଷ ଏପରି ତ୍ୟାଗ କରିପାରିବେ ତ? ପରେ ସେ ଓଡ଼ିଶାର ଶିକ୍ଷାମନ୍ତ୍ରୀ ହୋଇଥିଲେ ଏବଂ ଓଡ଼ିଶାର ସର୍ବ ପ୍ରଥମ ପୁରାତନ ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ।

ମୋର ସ୍ପଷ୍ଟ ମନେ ଅଛି, ପଚାଶ ଦଶକର କଥା। ଆମ ଗାଁ ତଥା ସେ ଅଞ୍ଚଳକୁ କୌଣସି ରାସ୍ତା ନଥିଲା। ସେ ସମୟର ଆମ ଅଞ୍ଚଳର ବିଧାୟକ ମହାଶୟ ପନ୍ଦର କିଲୋମିଟର ବାଟ ଚାଲି ଚାଲି ସନ୍ଧ୍ୟା ପରେ ଗାଁରେ ଆସି ପହଞ୍ଚିଲେ। ରାତିରେ ଗ୍ରାମବାସୀଙ୍କୁ ନେଇ ବୈଠକ କରାଇଲେ ଏବଂ ଜନସାଧାରଣଙ୍କର ଅଭାବ ଅସୁବିଧା କଥା ଶୁଣି ତାର ପ୍ରତିକାର ପାଇଁ ଚେଷ୍ଟା କରିଥିଲେ। ରାତିରେ କାହାରି ଘରେ ଭାତ ଓ ଡାଲମା ଖାଇ ତାଙ୍କରି ଘରେ ସପଟିଏ ପାରି ଶୋଇଲେ ଏବଂ ପରଦିନ ଚାଲିଚାଲି ନିଜ ଗ୍ରାମକୁ ଫେରି ଯାଇଥିଲେ। ସେ ଥିଲେ ଜଣେ ସମ୍ପୂର୍ଣ୍ଣ ନିରଭିମାନ ଅହଂକାର ଶୂନ୍ୟ ବିନମ୍ର ପୁରୁଷ। ଆଜିର ବିଧାୟକମାନେ କେତେଥର ଗ୍ରାମାଞ୍ଚଳକୁ ଯାଇ ଜନସାଧାରଣଙ୍କ ଅଭାବ ଅସୁବିଧା ବୁଝୁଛନ୍ତି ଏବଂ ଗାଁ ଗହଳରେ ରାତ୍ରି ଯାପନ କରୁଛନ୍ତି? ଏବେ ଭାରତୀୟ ରାଜନୀତିରେ ନୈତିକତାର ମୂଲ୍ୟବୋଧ କେତେଦୂର ବିସ୍ତାରଲାଭ କରିଛି ତା’ର ଏକ ଚିତ୍ର ନିମ୍ନରେ ଦିଆଗଲା। ଦେଶର ଜାତୀୟ ନିର୍ବାଚନ ପର୍ୟ୍ୟବେକ୍ଷଣ ସଂସ୍ଥା ବା ନ୍ୟାସନାଲ ଇଲେକ୍ସାନ୍‍ ୱାଚ୍‍ ରିପୋର୍ଟ ଅନୁସାରେ ଭାରତର ଉଭୟ ରାଜ୍ୟ ସଭା ଏବଂ ଲୋକ ସଭାରେ ସଦସ୍ୟମାନଙ୍କ ମଧ୍ୟରେ ଶତକଡ଼ା ୩୪ଭାଗ ସଦସ୍ୟ ଅପରାଧ ପୃଷ୍ଠଭୂମିରୁ ନିର୍ବାଚିତ ହୋଇଛନ୍ତି। ହାରାହାରି ୨୭୦ଜଣ ସାଂସଦଙ୍କ ବିରୁଦ୍ଧରେ ବିଭିନ୍ନ ଅପରାଧମୂଳକ ଅଭିଯୋଗ ଅଦାଲତଙ୍କ ବିଚାରାଧୀନ ରହିଛି। ଭାରତର ଲୋକସଭାକୁ ୧୮୫ଜଣ ଏବଂ ରାଜ୍ୟସଭାକୁ ୮୦ ଜଣ କୋଟିପତି ନେତା ନିର୍ବାଚିତ ହୋଇଛନ୍ତି। ସେହିପରି ଓଡ଼ିଶା ବିଧାନସଭାର ୩୫ ପ୍ରତିଶତ ସଦସ୍ୟଙ୍କ ନାମରେ ବିଭିନ୍ନ ଅପରାଧମୂଳକ ଅଭିଯୋଗ ବିଚାରାଧୀନ ରହିଛି ଏବଂ ବିଧାନସଭାକୁ ୬୮ଜଣ କୋଟିପତି ନିର୍ବାଚିତ ହୋଇଛନ୍ତି। ଅପରପକ୍ଷେ ଆପଣାର ସ୍ବାର୍ଥସାଧନ ପାଇଁ ବିଗତ ପାଞ୍ଚ ଛଅ ବର୍ଷ ମଧ୍ୟରେ ବିଭିନ୍ନ ରାଜ୍ୟର ୪୫ ଜଣ ବିଧାୟକ ଓ ସାଂସଦ ଦଳ ବଦଳ କରିଛନ୍ତି। ସମ୍ପ୍ରତି ଭାରତର ରାଜନୀତିରେ ନୈତିକତା ଓ ମାନବିକ ମୂଲ୍ୟବୋଧର ଯେଉଁ ଅବକ୍ଷୟ ଘଟିଛି, ତାହା ଚିନ୍ତାଜନକ। ତଥାପି ଆମେ ଆଶା କରିବା ଯେ ଭବିଷ୍ୟତରେ ଭାରତବର୍ଷ ପାଇଁ ଅନ୍ୟ ଏକ ଶୁଭ ମୁହୂର୍ତ୍ତ ଆସିପାରେ ଯେତେବେଳେ ଏ ଦେଶରେ ପୁନରାୟ ଗାନ୍ଧିଜୀ, ପଣ୍ଡିତ ନେହେରୁ ଏବଂ ଉତ୍କଳମଣି ଗୋପବନ୍ଧୁଙ୍କ ପରି ମହାନ୍‍ ଦେଶପ୍ରେମୀ, ତ୍ୟାଗୀ ପୁରୁଷମାନେ ଆବିର୍ଭାବ ହୋଇ ରାଜନୀତିକୁ ନୂତନ ଆଦର୍ଶରେ ଦୀକ୍ଷିତ କରିବେ।

Comments are closed.