ପ୍ରକୃତି ସୁରକ୍ଷାରେ ଭାରତୀୟ ପରମ୍ପରା

ଜୟକୃଷ୍ଣ ପାଣିଗ୍ରାହୀ

ସମଗ୍ର ବିଶ୍ୱ ସମ୍ପ୍ରତି ବିଶ୍ୱତାପନ, ଜଳବାୟୁ ପରିବର୍ତ୍ତନ, ବହୁବିଧ ପ୍ରଦୂଷଣ, ଜଙ୍ଗଲ ଅବକ୍ଷୟ ଏବଂ ଜୈବ ବିବିଧତାର ହ୍ରାସ ପରି ଗମ୍ଭୀର ପରିବେଶଜନିତ ସମସ୍ୟାର ଆହ୍ୱାନକୁ ନେଇ ଯେତେବେଳେ ବିବ୍ରତ ଓ ଭୀତତ୍ରସ୍ତ, ସେତେବେଳେ ଭାରତବର୍ଷର ପ୍ରକୃତି ଓ ପରିବେଶ ସୁରକ୍ଷାର ସମୃଦ୍ଧଶାଳୀ, ପ୍ରାଚୀନ ପରମ୍ପରା ଆଲୋକ ବର୍ତ୍ତିକା ରୂପେ ବୈଶ୍ବିକ ସମ୍ପ୍ରଦାୟକୁ ଦିଗ୍‌ଦର୍ଶନ ପ୍ରଦାନର ଦକ୍ଷତା ବହନ କରେ। ପ୍ରକୃତି ସହିତ ଭାରତୀୟ ସଂସ୍କୃତି ଓ ପରମ୍ପରାର ନିବିଡ଼ତା ଅତ୍ୟନ୍ତ ପ୍ରାଚୀନ। ଭାରତୀୟ ଦର୍ଶନ ବିଶ୍ୱାସ କରେ ଯେ ପ୍ରକୃତି ଆମ ଅସ୍ତିତ୍ୱର ଅବିଚ୍ଛେଦ୍ୟ ଅଙ୍ଗ। ସୃଷ୍ଟିର ସମସ୍ତ ସଜୀବ-ନିର୍ଜୀବ ପାଞ୍ଚଟି ମହାଜାଗତିକ ଉପାଦାନ ବା ମହାଭୂତ- ପୃଥିବୀ, ଜଳ, ଅଗ୍ନି, ବାୟୁ ଏବଂ ଅନ୍ତରୀକ୍ଷର ସମଷ୍ଟିରେ ନିର୍ମିତ। ଜୀବନର ଆବିର୍ଭାବ, ପୋଷଣ ତଥା ବଞ୍ଚି ରହିବାରେ ସେମାନେ ପ୍ରମୁଖ ଭୂମିକା ନିର୍ବାହ କରନ୍ତି ଏବଂ ମୃତ୍ୟୁ ବା ଅବକ୍ଷୟ ପରେ ସମଗ୍ର ଶରୀର ଏହି ପଞ୍ଚ ମହାଭୂତରେ ବିଲୀନ ହୋଇଯାଏ। ଅତଏବ, ପ୍ରକୃତି ଓ ପରିସଂସ୍ଥାର ପରିସ୍ଫୁଟନ, ସଂରକ୍ଷଣ ଏବଂ ରକ୍ଷଣାବେକ୍ଷଣରେ ଏସବୁର ଭୂମିକା ଯଥେଷ୍ଟ ମହତ୍ତ୍ୱପୂର୍ଣ୍ଣ। ଆମ ଆଧ୍ୟାତ୍ମିକ ଚିନ୍ତନରେ ସୂର୍ଯ୍ୟଙ୍କୁ ସକଳ ଶକ୍ତିର ମୌଳିକ ଉତ୍ସ ରୂପେ ବିବେଚନା କରାଯାଏ ଏବଂ ସୂର୍ଯ୍ୟ ଉପାସନା ଆବହମାନ କାଳରୁ ଧାର୍ମିକ ପରମ୍ପରା ସହିତ ଓତପ୍ରୋତ ଭାବେ ଜଡ଼ିତ। ପ୍ରାଚୀନ ଗ୍ରନ୍ଥମାନଙ୍କରେ ପ୍ରକୃତିର ଉପାସନାକୁ ଧାର୍ମିକ ଭାବନା ସହିତ ସଂଯୁକ୍ତ କରି ଏହାର ସୁରକ୍ଷାରେ ନିଜକୁ ବ୍ରତୀ କରିବା ପ୍ରତ୍ୟେକ ବ୍ୟକ୍ତିଙ୍କର ଧର୍ମ ବୋଲି ଚିତ୍ରଣ କରାଯାଇଛି। ଏହି ବିଚାରଧାରାରେ ସୂର୍ଯ୍ୟ, ଅଗ୍ନି, ଧରିତ୍ରୀ, ବରୁଣ, ଅରଣ୍ୟ ଏବଂ କେତେକ ବୃକ୍ଷ ଓ ପ୍ରାଣୀଙ୍କୁ ପୂଜାର୍ଚ୍ଚନା କରିବାର ବିଧି ଭାରତବର୍ଷରେ ପ୍ରାଚୀନ କାଳରୁ ପ୍ରଚଳିତ ଅଛି। ‘ଜୀବେ ଦୟା’ ଦର୍ଶନ ଭାରତୀୟ ସଂସ୍କୃତିର ମହାନତାର ପରିଚାୟକ। ଆମ ଦାର୍ଶନିକ ଚିନ୍ତାଧାରାରେ ଏସବୁର ଅବଧାରଣା ପ୍ରକୃତି ଓ ପରିବେଶ ପ୍ରତି ପ୍ରଦତ୍ତ ଗୁରୁତ୍ୱକୁ ସ୍ପଷ୍ଟ ରୂପେ ପ୍ରତିପାଦିତ କରେ।

ପରିବେଶ ଅବନତିର ଅବାଞ୍ଛିତ ପ୍ରଭାବ ବିଷୟରେ ଉତ୍ତମ ଜ୍ଞାନ ପ୍ରଦାନରେ ଭାରତୀୟ ପ୍ରାଚୀନ ସାହିତ୍ୟ ଋଦ୍ଧିମନ୍ତ। ରାମାୟଣ, ମହାଭାରତ, ଭଗବଦ୍ ଗୀତା, ବେଦ, ଉପନିଷଦ, ପୁରାଣ ଏବଂ ଅନ୍ୟାନ୍ୟ ପ୍ରାଚୀନ ଧର୍ମଶାସ୍ତ୍ରରେ ପ୍ରକୃତିର ବର୍ଣ୍ଣନା, ମହତ୍ତ୍ୱ ଏବଂ ସୁରକ୍ଷା ସମ୍ପର୍କରେ ଉପଦେଶାତ୍ମକ ବାର୍ତ୍ତା ପରିପୂର୍ଣ୍ଣ ରହିଛି। ବୃକ୍ଷ ଓ ଅନ୍ୟାନ୍ୟ ଉଦ୍ଭିଦ ତଥା ବନ୍ୟଜନ୍ତୁମାନଙ୍କୁ ଏବଂ ମାନବ ସେବାରେ ସେମାନଙ୍କର ଅବଦାନକୁ ଏଥିରେ ଯଥେଷ୍ଟ ଗୁରୁତ୍ୱ ପ୍ରଦାନ କରାଯାଇଛି। ଅତ୍ୟନ୍ତ ମୂଲ୍ୟବାନ ଐତିହ୍ୟ ରୂପେ ପରିଗଣିତ ବୈଦିକ ଦର୍ଶନର ମୁଖ୍ୟ ଚିନ୍ତାଧାରା ଜୀବନର ସଂକଳ୍ପ ଏବଂ ପ୍ରକୃତି ଉପରେ ହିଁ ପର୍ଯ୍ୟବସିତ। ବୈଦିକ ଯୁଗରେ ଲୋକମାନେ ପ୍ରକୃତିର ବିଭିନ୍ନ ରୂପ ଓ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହ ପରିସଂସ୍ଥାଗୁଡ଼ିକୁ ସଯତ୍ନେ ସୁରକ୍ଷିତ ରଖିବାର ମାନସିକତା ପ୍ରଦର୍ଶନ କରୁଥିଲେ। ସମସ୍ତ ଚାରୋଟି ବେଦରେ ବିଭିନ୍ନ ପ୍ରସଙ୍ଗରେ ପରିବେଶର ଶୁଦ୍ଧତା; ପରିସଂସ୍ଥାର ସନ୍ତୁଳନ; ପ୍ରାକୃତିକ ସମ୍ପଦର ସଂରକ୍ଷଣ ଏବଂ ପାଣିପାଗ ଚକ୍ର ବିଷୟରେ ଉଲ୍ଲେଖ ରହିଛି। ପ୍ରକୃତିର ସମସ୍ତ ଉପାଦାନରେ ଐଶ୍ୱରୀୟ ଉପସ୍ଥିତିକୁ ଅନୁଭବ କରିବାକୁ ପ୍ରାଧାନ୍ୟ ଏବଂ ପ୍ରକୃତିର ଶୋଷଣରୁ ନିଜକୁ ନିବୃତ୍ତ ରଖିବା ନିମନ୍ତେ ଉପଦେଶ ପ୍ରଦାନ କରାଯାଇଛି। ଏଥି ନିମନ୍ତେ ଋଷିମୁନିମାନେ ସର୍ବଦା ପ୍ରକୃତି କ୍ରୋଡ଼ରେ ଜୀବନ ନିର୍ବାହ କରି ଐଶ୍ୱରୀୟ ସତ୍ତାର ସନ୍ଧାନରେ ବ୍ରତୀ ରହୁଥିଲେ। ପ୍ରକୃତିର ପୂଜା ଏକ ପରମ୍ପରାରେ ପରିଣତ ହୋଇଥିଲା।

ଋଗ୍ ବେଦର ଏକ ପଙ୍‌କ୍ତି ପ୍ରକାଶ କରେ ଯେ, ଯଦି ଆପଣ ସହସ୍ର ବର୍ଷ ଫଳର ସୁସ୍ବାଦ ଏବଂ ଜୀବନର ସୁଖ ଉପଭୋଗ କରିବାକୁ ଇଚ୍ଛୁକ, ତେବେ ବ୍ୟବସ୍ଥିତ ଭାବରେ ବୃକ୍ଷରୋପଣ କରନ୍ତୁ। ଏହାର ପରାମର୍ଶରେ ଉଲ୍ଲେଖ ରହିଛି, ‘ପରିବେଶର ଅନିଷ୍ଟ କର ନାହିଁ; ଜଳ ଏବଂ ଉଦ୍ଭିଦର ହାନି କର ନାହିଁ; ପୃଥିବୀ ମୋର ମାତା, ମୁଁ ତାଙ୍କର ପୁତ୍ର; ଜଳ ସତେଜ ରହୁ, ଜଳକୁ କ୍ଷତି ପହଞ୍ଚାଅ ନାହିଁ। ଗଛ କାଟନ୍ତୁ ନାହିଁ, କାରଣ ସେମାନେ ପ୍ରଦୂଷଣ ଦୂର କରନ୍ତି । ‘ଯଦୁର୍ବେଦ’ର ବ୍ୟାଖ୍ୟା ଅନୁଯାୟୀ ଯଜ୍ଞକୁଣ୍ଡର ଅଗ୍ନିରେ ଦହନ ପ୍ରକ୍ରିୟାରେ ବାୟୁମଣ୍ଡଳର ଅସ୍ୱଚ୍ଛତାକୁ ଦୂର କରି ଆକାଶର ପବିତ୍ରତା ପୁନଃସ୍ଥାପନ କରାଯାଏ। ଅତଏବ, ‘ଆକାଶକୁ ବିଚଳିତ କର ନାହିଁ ଏବଂ ବାୟୁମଣ୍ଡଳକୁ ପ୍ରଦୂଷିତ କର ନାହିଁ ’। ଅଥର୍ବବେଦରେ ଜଳର ଶୁଦ୍ଧତା, ବନ୍ୟଜନ୍ତୁଙ୍କର ସୁରକ୍ଷା ଏବଂ ଗୋମାତା ପରି ଗୃହପାଳିତ ପଶୁମାନଙ୍କର ଗୁରୁତ୍ୱର ସନ୍ଦେଶ ରହିଛି।

କୌଟିଲ୍ୟଙ୍କ ଲିଖିତ ପ୍ରାଚୀନ ଭାରତୀୟ ପ୍ରଶାସନିକ ଗ୍ରନ୍ଥ ‘ଅର୍ଥଶାସ୍ତ୍ର’ରେ ପରିବେଶ ସୁରକ୍ଷାର ମହତ୍ତ୍ୱ ବର୍ଣ୍ଣିତ ହୋଇଛି। ଦୃଷ୍ଟାନ୍ତ ସ୍ୱରୂପ, ଏକ ନିର୍ଦିଷ୍ଟ ବୃକ୍ଷର ବିଭିନ୍ନ ଅଂଶର ଗୁରୁତ୍ୱ ଆଧାରରେ ଏସବୁର କ୍ଷତିସାଧନକାରୀ ବ୍ୟକ୍ତିଙ୍କ ନିମନ୍ତେ ଉପଯୁକ୍ତ ଦଣ୍ଡବିଧାନର ପ୍ରାବଧାନ ରହିଛି। ଉଭୟ ବୃକ୍ଷ ଓ ବନ୍ୟଜନ୍ତୁମାନେ ଭୟମୁକ୍ତ ଜୀବନଯାପନ କରୁଥିବା ଜଙ୍ଗଲ ଏବଂ ପଶୁ ଅଭୟାରଣ୍ୟର ବିକାଶ ପ୍ରୟୋଜନୀୟ ବୋଲି ଏଥିରେ ଉଲ୍ଲିଖିତ ଅଛି। ସେହିପରି, ଜଳକୁ ଏକ ଅତ୍ୟନ୍ତ ମୂଲ୍ୟବାନ ସାମୂହିକ ସମ୍ବଳ, ବ୍ୟକ୍ତିଗତ ଦ୍ରବ୍ୟ ନୁହେଁ ବୋଲି ବିବେଚନା କରାଯାଇଛି। ସୁପ୍ରଭାତମ୍‌ରେ ଲିଖିତ ଅଛି, ‘ପିବନ୍ତି ନଦ୍ୟଃ, ସ୍ବୟମେବ ନାମ୍ଭଃ’; ଅର୍ଥାତ୍, ନଦୀର ଜଳ ନିଜ ପାଇଁ ନୁହେଁ, ପରୋପକାର ନିମନ୍ତେ ଉଦ୍ଦିଷ୍ଟ। ମନୁସ୍ମୃତିରେ ପ୍ରକୃତିଲବ୍ଧ ସମ୍ବଳସବୁର ସର୍ବୋତ୍ତମ ବ୍ୟବହାର ଏବଂ ଉଦ୍ଭିଦମାନଙ୍କୁ ଆଘାତ ଘଟାଉଥିବା ବ୍ୟକ୍ତିଙ୍କ ପାଇଁ ବିଭିନ୍ନ ଦଣ୍ଡ ବ୍ୟବସ୍ଥାର ବର୍ଣ୍ଣନା ରହିଛି । ଏପରି ବିଚାରଧାରା ପ୍ରକୃତି ଓ ପରିବେଶକୁ ଆମ ଅସ୍ତିତ୍ୱର ପ୍ରତୀକ ରୂପେ ଗ୍ରହଣ କରେ। ପ୍ରାଚୀନ ଭାରତର ଏପ୍ରକାର ଚିନ୍ତନରେ ଧାର୍ମିକ ଭାବନା, ସାମାଜିକ ତଥା ଅର୍ଥନୈତିକ ପ୍ରଗତି ଏବଂ ପରିବେଶ ସୁରକ୍ଷା ମଧ୍ୟରେ ଏକ ସୁସଙ୍ଗଠିତ, ଦୀର୍ଘମିଆଦୀ ସମ୍ପର୍କର ଚିତ୍ର ଦୃଶ୍ୟମାନ ହୁଏ।

ପରିବେଶର ପରିବର୍ତ୍ତିତ ଦୃଶ୍ୟପଟରେ ତଥା ନୂତନ ଆହ୍ୱାନସବୁର ପରିପ୍ରେକ୍ଷୀରେ ଆଜି ରାଷ୍ଟ୍ରମାନେ ‘ପରିବେଶୀୟ ନୈତିକତା’ ଶିକ୍ଷା ପ୍ରଦାନ ଉପରେ ଗୁରୁତ୍ୱ ଆରୋପ କରୁଥିଲା ବେଳେ ଭାରତୀୟ ବୈଦିକ ପରମ୍ପରାରେ କିନ୍ତୁ ଏପରି ଶିକ୍ଷା ଐତିହାସିକ ଯୁଗରୁ ଅନ୍ତର୍ଭୁକ୍ତ ହୋଇ ରହିଛି। ଭୂମି ଏବଂ ପ୍ରାକୃତିକ ସମ୍ପଦ ପରିଚାଳନାରେ ବିଭିନ୍ନ ଧର୍ମ ଏବଂ ଧାର୍ମିକ ଅନୁଷ୍ଠାନମାନଙ୍କର ଭୂମିକା ଏବଂ ମାନବୀୟ ଚାପର ପରିଣାମରେ ସୃଷ୍ଟ ଅର୍ଥନୈତିକ, ସାମାଜିକ ଏବଂ ପରିବେଶୀୟ ଅବନତିର ମୁକାବିଲା ନିମନ୍ତେ ସେମାନଙ୍କର ରଣନୀତି ଅତ୍ୟନ୍ତ ପ୍ରଭାବଶାଳୀ ଅଟେ। ସେଥି ନିମନ୍ତେ ଜଙ୍ଗଲ, ବୃକ୍ଷ ଏବଂ ବନ୍ୟଜନ୍ତୁଙ୍କ ସୁରକ୍ଷା ବିଶେଷ ସମ୍ମାନର ସ୍ଥାନ ଅଧିକାର କରେ ଏବଂ ପ୍ରକୃତିର ଶୋଷଣକୁ ନିରୁତ୍ସାହିତ କରାଯାଏ। ବୃକ୍ଷର ମହତ୍ତ୍ୱ ଏବଂ ବଦାନ୍ୟତାକୁ ପ୍ରକାଶ କରେ ଉପନିଷଦର ଏହି ଶ୍ଲୋକ: “ଛାୟାମନ୍ୟସ୍ୟ କୁର୍ବନ୍ତି ତିଷ୍ଠନ୍ତି ସ୍ୱୟମାତପେ। ଫଳାନ୍ୟାପି ପରାର୍ଥାୟ ବୃକ୍ଷାଃ ସତ୍‌ପୁରୁଷାଃ ଇବ।।” ଅର୍ଥାତ୍, ବୃକ୍ଷମାନେ ସୂର୍ଯ୍ୟଙ୍କର ପ୍ରଚଣ୍ଡ ରୌଦ୍ରତାପରେ ଜର୍ଜରିତ ହେଉଥିଲା ବେଳେ ଅନ୍ୟମାନଙ୍କୁ ସୁଶୀତଳ ଛାୟା ପ୍ରଦାନ କରନ୍ତି। ସେମାନଙ୍କର ଫଳ, ପୁଷ୍ପ ଇତ୍ୟାଦି ସବୁ କିଛି ଅନ୍ୟମାନଙ୍କ ସେବା ନିମନ୍ତେ ହିଁ ଉଦ୍ଦିଷ୍ଟ। ଏହା ହେଉଛି ବୃକ୍ଷ ଏବଂ ପରୋପକାରୀ, ମହତ୍ ବ୍ୟକ୍ତିମାନଙ୍କର ଲକ୍ଷଣ। ପ୍ରତ୍ୟେକ ବ୍ୟକ୍ତି ବୃକ୍ଷର ମହାନତାରେ ଉଦ୍‌ବୁଦ୍ଧ ହୋଇ ଅନ୍ୟମାନଙ୍କ ସେବାରେ ଯଥାସମ୍ଭବ ଉତ୍ସର୍ଗୀକୃତ ହେଲେ ସମଗ୍ର ବିଶ୍ୱ ସମ୍ପର୍କର ଶକ୍ତିଶାଳୀ ବନ୍ଧନରେ ଏକ ପରିବାରରେ ରୂପାନ୍ତରିତ ହେବ, ଯାହା ମହା ଉପନିଷଦର ‘ବସୁଧୈବ କୁଟୁମ୍ୱକମ୍’ ନୀତିବାଣୀ ପ୍ରଚାର କରେ।
‘ପ୍ରକୃତିଃ ରକ୍ଷତି ରକ୍ଷିତା’ – ଯଦି ପ୍ରକୃତି ସ୍ୱୀୟ ସୁରକ୍ଷିତ ରହେ, ତେବେ ସେ ଅନ୍ୟକୁ ସୁରକ୍ଷା ପ୍ରଦାନ କରେ। ବରାହ ପୁରାଣ କହନ୍ତି, ଯିଏ ଗୋଟିଏ ଅଶ୍ୱତ୍‌ଥ, ଗୋଟିଏ ଲିମ୍ବ, ଗୋଟିଏ ବର, ଦଶଟି ପୁଷ୍ପଧାରୀ ଉଦ୍ଭିଦ କିମ୍ବା ଲତା, ଦୁଇଟି ଡାଳିମ୍ବ, ଦୁଇଟି କମଳା ଏବଂ ପାଞ୍ଚଟି ଆମ୍ବ ଗଛ ଲଗାନ୍ତି, ତାଙ୍କର ନର୍କକୁ ଗତି ହୁଏ ନାହିଁ। ପୂଜାକାର୍ଯ୍ୟରେ ବିବିଧ ପୁଷ୍ପ ଓ ପତ୍ର ବ୍ୟବହୃତ ହୁଏ, ବିଶେଷ ରୂପେ ତୁଳସୀ, ବେଲ, ନାରିକେଳ, ଆମ୍ବ, ଲିମ୍ବ, ବରକୋଳି, ଏପରିକି ଦୂବ ଘାସ ପରି ଉଦ୍ଭିଦ ଅତ୍ୟନ୍ତ ଉପଯୋଗୀ ଅଟେ। ଅନେକ ଉଦ୍ଭିଦର ଔଷଧୀୟ ମୂଲ୍ୟକୁ ବିଚାରକୁ ନେଇ ଆୟୁର୍ବେଦ ଚିକିତ୍ସା ବିଜ୍ଞାନ ପ୍ରାଚୀନ କାଳରୁ କାର୍ଯ୍ୟରତ, ଯେଉଁଥିରେ ଚରକ ସଂହିତା ମଧ୍ୟ ଅନ୍ତର୍ଭୁକ୍ତ। ଏହା ହେଉଛି ସର୍ବ ପୁରାତନ ଚିକିତ୍ସା ବିଜ୍ଞାନ କ୍ଷେତ୍ର ଆୟୁର୍ବେଦୀୟ ଜ୍ଞାନର ଏକ ବିଶାଳ ଭଣ୍ଡାର ଓ ମହାନ କବି କାଳିଦାସ ତାଙ୍କ ଲେଖାରେ ହିମାଳୟକୁ ଏକ ଅସାଧାରଣ ଦେବତା ରୂପରେ ଆଖ୍ୟାୟିତ କରିଛନ୍ତି। ଅନ୍ୟ ପକ୍ଷରେ, ବ୍ୟାଘ୍ର, ସିଂହ, ହସ୍ତୀ, ବୃଷଭଠାରୁ ମୟୂର, ପେଚା ଏବଂ ମୂଷିକ ପର୍ଯ୍ୟନ୍ତ ଏସମସ୍ତ ପ୍ରାଣୀମାନଙ୍କୁ ବିଭିନ୍ନ ଦେବଦେବୀଙ୍କର ବାହନ ରୂପେ ସମତୁଲ୍ୟ ସମ୍ମାନରେ ପୂଜାର୍ପଣ କରାଯାଏ। ଅର୍ଥାତ୍, ଲୁକ୍କାୟିତ ଭାବେ ଏହା ସେମାନଙ୍କର ସୁରକ୍ଷାକୁ ଦେବତାମାନଙ୍କର ସୁରକ୍ଷା ସହିତ ଘନିଷ୍ଠ ଭାବେ ସଂଶ୍ଳିଷ୍ଟ କରେ। ଭଗବତ ଗୀତାରେ ଶ୍ରୀକୃଷ୍ଣ ବ୍ୟକ୍ତ କରିଛନ୍ତି ଯେ, ‘ମୁଁ ସମସ୍ତ ପ୍ରାଣୀଙ୍କର ହୃଦୟରେ ବିରାଜମାନ କରେ’ ।

ସାମ୍ପ୍ରତିକ ଜଳବାୟୁ ଏବଂ ପରିସଂସ୍ଥୀୟ ଜରୁରୀକାଳୀନ ପରିସ୍ଥିତିର ଫଳପ୍ରଦ ମୁକାବିଲା ନିମନ୍ତେ ଆଜି ଯେତେବେଳେ ଜାତିସଂଘ ୨୦୨୧-୨୦୩୦ ଦଶ ବର୍ଷକୁ ‘ପରିସଂସ୍ଥା ପୁନରୁଦ୍ଧାର ଦଶନ୍ଧି’ ରୂପେ ଅଭିହିତ କରି ପ୍ରକୃଷ୍ଟ ପରିବର୍ତ୍ତନର କାର୍ଯ୍ୟକାରିତା ନିମନ୍ତେ ରାଷ୍ଟ୍ରସମୂହଙ୍କୁ ଆହ୍ୱାନ ଜଣାଇଛି, ସେତେବେଳେ ସମୃଦ୍ଧ ଭାରତୀୟ ପରମ୍ପରାର ଉପଯୋଗିତା ଯେ ଶ୍ରେଷ୍ଠ ପନ୍ଥା ତାହା ବିଶ୍ୱବାସୀ ହୃଦୟଙ୍ଗମ କରି ଅନୁପ୍ରାଣିତ ହେବା ବାଞ୍ଛନୀୟ। ପ୍ରାକୃତିକ ସମ୍ପଦର ଅସହନୀୟ ଶୋଷଣ ଏବଂ ପରିବେଶର ଗୁଣାତ୍ମକ ମାନର ଅବକ୍ଷୟ ବିରୋଧରେ ସଂଗ୍ରାମକୁ ସୁଦୃଢ଼ କରିବା ସହ ପ୍ରକୃତିର ସଂରକ୍ଷଣ ତଥା ପରିବେଶୀୟ ସନ୍ତୁଳନ ରକ୍ଷା ନିମନ୍ତେ ପ୍ରତିବଦ୍ଧତା ପ୍ରକାଶ କରିବା ହେବ ଆମ ବିଜ୍ଞତାର ସର୍ବୋତ୍ତମ ପ୍ରଦର୍ଶନ। ଏଦିଗରେ ରାଜନୈତିକ ନେତୃବର୍ଗଙ୍କର ପ୍ରତିଶ୍ରୁତି କେତେ ମାତ୍ରାରେ ବାସ୍ତବତାର ରୂପ ଧାରଣ କରୁଛି, ସେହି ସତ୍ୟ ସଚ୍ଚୋଟତାର ସହ ଉନ୍ମୋଚିତ ହେବା ବାଞ୍ଛନୀୟ। ତାହାହେଲେ ହିଁ ନିକଟରେ ଇଂଲଣ୍ଡର କର୍ଣ୍ଣୱାଲ୍ଠାରେ ଅନୁଷ୍ଠିତ ଜି-୭ ରାଷ୍ଟ୍ରମାନଙ୍କର ବୈଠକରେ ଅନ୍ୟାନ୍ୟ ନିଷ୍ପତ୍ତି ସହ ୨୦୩୦ ସୁଦ୍ଧା ଆମ ସ୍ଥଳଭାଗ ଏବଂ ମହାସାଗରର ଅତି କମ୍‌ରେ ୩୦ ପ୍ରତିଶତ ଅଞ୍ଚଳର ସୁରକ୍ଷା ନିମନ୍ତେ ଗ୍ରହଣ କରିଥିବା ସିଦ୍ଧାନ୍ତ ସତ୍ୟରେ ରୂପାନ୍ତରିତ ହେବ । ପ୍ରଯୁଜ୍ୟ ସକାରାତ୍ମକ ଓ ସମ୍ମିଳିତ ପଦକ୍ଷେପ ଅନୁସରଣରେ ଉଭୟ ପ୍ରକୃତି ଏବଂ ଜଳବାୟୁ କ୍ଷେତ୍ରରେ ସ୍ଥିରତା ହାସଲ ହିଁ ହେବ ଆଗାମୀ ପିଢ଼ିମାନଙ୍କର ସୁରକ୍ଷା ନିମନ୍ତେ ଶ୍ରେଷ୍ଠ ଉପହାର।

Comments are closed.