ଇଷ୍ଟର ଦ୍ବୀପର ଶେଷ ଗଛ

ଶୈଳେନ୍ଦ୍ର ଦ୍ବିବେଦୀ

ଅଗଷ୍ଟ ୨୦୨୧ ରେ ପ୍ରକାଶିତ ହୋଇଛି ଜେ. ଡାଇମଣ୍ଡଙ୍କ ‘ଦି ଲାଷ୍ଟ ଟ୍ରି ଅନ୍‌ ଏଷ୍ଟର ଆଇସଲାଣ୍ଡ’। ପେଙ୍ଗୁଇନ କ୍ଲାସିକସ ପରିବେଶ ଶୃଙ୍ଖଳାରେ ପ୍ରକାଶିତ ୨୦ଟି ବହି ଭିତରୁ ଗୋଟିଏ ହେଉଛି ଡାଇମଣ୍ଡଙ୍କ ଏହି ଲେଖା। ଆମ ସମୟର ଲବ୍ଧପ୍ରତିଷ୍ଠ ଗବେଷକ ପ୍ରଫେସର ଡାଇମଣ୍ଡଙ୍କ ଗଭୀର ଅଧ୍ୟୟନ ବିସ୍ତୃତ ଭୂଗୋଳ, ଜୀବ ବିଜ୍ଞାନ, ନୃତତ୍ତ୍ୱ ଓ ଇତିହାସ ପରି କ୍ଷେତ୍ରକୁ । ପ୍ରଶାନ୍ତ ମହାସାଗରରେ ଚିଲି ଉପକୂଳଠୁ ୨୩୦୦ କିମି ଦୂରରେ ଅବସ୍ଥିତ ମାତ୍ର ୬୩ ବର୍ଗ ମାଇଲ ପରିମିତ ଇଷ୍ଟର ଦ୍ୱୀପ ବେଶ କିଛି ବର୍ଷ ଧରି ଉଭୟ ଗବେଷକ ଓ ପର୍ଯ୍ୟଟକମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ପାଲଟି ସାରିଛି। ଦ୍ବୀପର ବାଚନିକ ଇତିହାସ ଅନୁସାରେ ଅଷ୍ଟମ ଶତାବ୍ଦୀ ଶେଷ ଆଡକୁ ଏଇ ଅଜ୍ଞାତ ଦ୍ବୀପରେ ମଣିଷ ସଭ୍ୟତାର ପ୍ରଥମ ଡଙ୍ଗା ଲଗେଇଥିଲେ ହୋଟୁ ମାଟୁ, ତାଙ୍କର ସମ୍ପ୍ରସାରିତ ପରିବାର ସହିତ। କୁହାଯାଏ, ସେତେବେଳେ ଜନମାନବଶୂନ୍ୟ ସେଇ ଦ୍ୱୀପ ନନ୍ଦନକାନନଠୁ କୌଣସି ଗୁଣରେ କୁଆଡେ କମ ନଥିଲା। ଚମତ୍କାର ଉପକୂଳ, ଲାଭା ଉଦ୍‌ଗିରଣରୁ ସୃଷ୍ଟି ଉର୍ବର ମୃତ୍ତିକା / ଭୂଇଁ, ବେଳାଭୂମି ଓ ଆଖ ପାଖରେ ବସା ବାନ୍ଧିଥିବା ଜାତି ଜାତି ପକ୍ଷୀ, ୬୦/୬୫ ଫୁଟ ଉଚ୍ଚ ତାଳ (ପାମ )ଗଛ ସହିତ ଢେର ପ୍ରଜାତିର ବୃକ୍ଷଲତା ସେଦିନ ଦ୍ୱୀପ ଉପକୂଳରେ ନାଆ ଲଗେଇଥିବା ପଲିନେସିୟ ପରିବାରଙ୍କୁ ଅଭ୍ୟର୍ଥନା ଜଣେଇବା ପାଇଁ ପ୍ରସ୍ତୁତ ଥିଲେ।

ପ୍ରାୟ ୧୧୦୦/୧୨୦୦ ବର୍ଷ ତଳେ ଉନ୍ନତ ସାଜ ସରଞ୍ଜାମ / ହାତ ହତିଆର କହିଲେ ଆମେ ଯାହା ବୁଝୁ ମୂଳ ବାସିନ୍ଦାଙ୍କ ପାଖରେ ସେସବୁ କିଛି ନଥିଲା। କିନ୍ତୁ ବସତି ସ୍ଥାପନର ୨୦୦/୩୦୦ ବର୍ଷ ପରେ ଇଷ୍ଟର ବାସୀ ଯାହା ଆରମ୍ଭ କରିଥିଲେ ଏବଂ ଯାହା ଦିନେ ଦ୍ୱୀପ ସଭ୍ୟତା ଧ୍ୱଂସର ପରୋକ୍ଷ କାରଣ ପାଲଟିଥିଲା, ତାହା ହେଉଛି ପଥରରେ ତିଆରି ୧୦/୧୧ ଫୁଟରୁ ୬୦/୬୫ ଫୁଟ ଉଚ୍ଚ ମୂର୍ତ୍ତି। ଅବିକଳ ମୂର୍ତ୍ତି ତ ନୁହେଁ, ପ୍ରକାଣ୍ଡ ଅାବକ୍ଷ ପ୍ରତିମା ଯାହାକୁ କୁହାଯାଉଛି ‘ମୋଆ’। ଓଜନ ୮୦ ରୁ ୮୨ ଟନ। ମାଟି ଉପରେ ନୁହେଁ, ସମାନ ପ୍ରକାଣ୍ଡ ଏବଂ ସୁଶୋଭିତ ପିଣ୍ଡି ଉପରେ ସ୍ଥାପନ କରାଯାଉଥିଲା ମୂର୍ତ୍ତିମାନଙ୍କୁ। ପିଣ୍ଡିର ଓଜନ ୨୭୦ ଟନ। ସାମାନ୍ୟ ବିଶଦ ଭାବରେ ଆଲୋଚନାକୁ ଯିବା ଆଗରୁ ପାଠକମାନଙ୍କୁ ଜଣେଇ ଦିଏ ଯେ ୧୭୨୨ରେ ୟୁରୋପୀୟମାନେ ଆସିବା ଆଗରୁ (ଡଚ ପରିବ୍ରାଜକ/ଅନୁସନ୍ଧାନକାରୀ ଜାକବ ରୋଗଭିନ ଏପ୍ରିଲ ୫, ୧୭୨୨ ଦିନ ଆବିଷ୍କାର କରିଥିଲେ ଏଇ ଦ୍ୱୀପକୁ। ସେଦିନ ଥିଲା ଇଷ୍ଟର ଏବଂ ଦ୍ୱୀପ ର ନାମକରଣ ହେଲା ଇଷ୍ଟର ଦ୍ୱୀପ। ସ୍ଥାନୀୟ ଭାଷାରେ ଏହାର ମୂଳ ନାମ ରାପା ନୁଈ) ଏକଦା ୧୫,୦୦୦ ପାଖାପାଖି ଥିବା ଦ୍ୱୀପର ଜନସଂଖ୍ୟା କୁଆଡେ ହ୍ରାସ ପାଇ ସାରିଥିଲା ୬୦୦/୭୦୦ କୁ। ୮୦୦-୯୦୦ ଖ୍ରୀଷ୍ଟାବ୍ଦ ଆଡକୁ ଯେଉଁ ଦ୍ବୀପରେ ପ୍ରାୟ ୧୫ ନିୟୁତ ବୃକ୍ଷ ଥିଲେ ୟୁରୋପୀୟମାନେ ଆସିବାବେଳକୁ ସେସବୁ ନାମକୁ ମାତ୍ର ଯାହା ତିଷ୍ଠି ରହିଥିଲେ। ଅତି ବଡ ଗଛ କହିଲେ ୬/୭ ଫୁଟ ଉଚ୍ଚର କାଁ ଭାଁ ଗଛ। ଅନ୍ୟ ପକ୍ଷରେ ଉଦ୍ଭିଦ ବା ବନସ୍ପତି କହିଲେ ସେତେବେଳେ ଯାହା ବୁଝାଉ ଥିଲା ସେସବୁ ଘାସ, ଗୁଳ୍ମ …ଖୁବ ବେଶୀରେ ବୁଦବୁଦିକିଆ ଜଙ୍ଗଲ ଥିଲା।

ଏକ ଦ୍ୱୀପର ସମୃଦ୍ଧ ସଭ୍ୟତା ଯାହା ପ୍ରତ୍ନତାତ୍ତ୍ୱିକ ଖନନ ଓ ଅବଶେଷମାନଙ୍କରୁ ସ୍ପଷ୍ଟ, କେଇ ଶହ ବର୍ଷ ପରେ ଧ୍ବଂସକୁ ସାମ୍ନା କଲା କେମିତି ? ଡାଇମଣ୍ଡ ଏବଂ ଅନ୍ୟ ପରିବେଶବିତମାନଙ୍କ ମତ , ରାପା ନୁଈ ରେ ପ୍ରକୃତରେ ଯାହା ଘଟିଥିଲା ତାହା ଥିଲା ‘ଇକୋସାଇଡ’ ବା ପ୍ରକୃତି ହତ୍ୟା। ଅଧ୍ୟୟନ ଅନୁସାରେ ୧୨୮୦ ଆଡକୁ ତାଳ ସହିତ ଅନ୍ୟାନ୍ୟ ବଡ ଗଛର କ୍ଷୟ ଜୋର ଧରିଥିଲା ଏବଂ ୧୬୫୦ ବେଳକୁ ଆଉ କିଛି ନଥିଲା। ପାଣିପାଗ ଜନିତ ପ୍ରଭାବ ଜଙ୍ଗଲ ହାନିର କାରଣ ନଥିଲା। କେବଳ ଜନସଂଖ୍ୟା ବୃଦ୍ଧି ପାଇଁ ବି ଜଙ୍ଗଲ ଉଜୁଡି ନଥିଲା। ତେବେ କ୍ରମେ ବଦଳିସାରିଥିବା ରାପା ନୁଈ ଅଧିବାସୀଙ୍କ ଜୀବନ ଶୈଳୀ ଯାହା ପ୍ରକୃତି, ବିଶେଷ କରି ଜଙ୍ଗଲ ଅନୁକୂଳ ନଥିଲା ତାହା ହିଁ ଥିଲା ମୁଖ୍ୟ କାରଣ। ବିଶେଷଜ୍ଞମାନଙ୍କ ବିଚାର ହେଉଛି, ମୋଆ / ପ୍ରକାଣ୍ଡ ମୂର୍ତ୍ତିମାନଙ୍କ ଖୋଦନ, କାଠ ରେଳ ଧାରଣାରେ ସେମାନଙ୍କ ସ୍ଥାନାନ୍ତରଣ, ବର୍ଦ୍ଧିଷ୍ଣୁ ଜନସଂଖ୍ୟା ପାଇଁ ବାସଗୃହ ନିର୍ମାଣ, ବହିରାଗତଙ୍କ ସହିତ ନୌକାରେ ଆସିଥିବା ମୂଷାମାନଙ୍କ ବଂଶ ବୃଦ୍ଧି ଏବଂ ସର୍ବୋପରି ବୃକ୍ଷ ସଂରକ୍ଷଣ ଆଦୌ ଗୁରୁତ୍ୱ ନଦେବା ରାପା ନୁଈ ବାସିନ୍ଦାଙ୍କ ପାଇଁ କାଳ ହେଲା।

ପ୍ରଫେସର ଡାଇମଣ୍ଡ ଦର୍ଶାଇଛନ୍ତି, ଅବକ୍ଷୟର ପ୍ରଥମ ଚରଣ ସେତେଟା ସମ୍ବେଦନଶୀଳ ନଥିଲା; କିନ୍ତୁ ଦ୍ୱୀପ ବାସିନ୍ଦା ମାନେ ପ୍ରକୃତିର ସଂକେତକୁ ବୁଝିବା ପାଇଁ ହୁଏତ ଚେଷ୍ଟା କରିନଥିଲେ। ଏଣେ ମଜଭୁତ କାଠ ଅଭାବ ହେବାରୁ ସମୁଦ୍ରରୁ ମାଛ ଧରିବା ପାଇଁ ଡଙ୍ଗା ଏବଂ ହାରପୁନ ତିଆରିବା ସମ୍ଭବ ହେଲା ନାହିଁ। ବସତି ସ୍ଥାପନର ୨୦୦/୩୦୦ ବର୍ଷ ଭିତରେ ବେଳାଭୂମି ଓ ଦ୍ବୀପରେ ଅନ୍ୟତ୍ର ବସା ବାନ୍ଧିଥିବା ପକ୍ଷୀବଂଶ ପଦା ହୋଇସାରିଥିଲେ। କ୍ଷୟର ଅନ୍ତିମ ପର୍ଯ୍ୟାୟରେ ଖାଦ୍ୟରୁ ପ୍ରାଣୀଜ ପ୍ରୋଟିନ ମିଳିବ। ହ୍ରାସ ପାଇବାରୁ ଉପକୂଳରୁ ଗେଣ୍ଡା ଶାମୁକା ଗୋଟେଇବା ଏବଂ ସେତେବେଳେ ଦ୍ବୀପରେ ବଂଶ ବିସ୍ତାର କରିସାରିଥିବା ମୂଷାମାନଙ୍କୁ ଭୋଜନ ଅନ୍ତର୍ଭୁକ୍ତ କରିବା ଭିନ୍ନ ଅନ୍ୟ ଚାରା ନଥିଲା ବାସିନ୍ଦାମାନଙ୍କର। ମୂଷା ମାଂସରୁ ପ୍ରସ୍ତୁତ ହେଉଥିଲା ମୂଷା ସ୍ଟିଉ !ଦ୍ବୀପରେ ପବନର ଗତି ଥିଲା ପ୍ରଖର। ପଥର କାନ୍ଥ ଉହାଡରେ ଚାରା ବଢେଇବା, ଫସଲ ଅମଳ କରିବା କଷ୍ଟସାଧ୍ୟ ଥିଲା; କିନ୍ତୁ ଖାଦ୍ୟ ଉତ୍ପାଦନ ହ୍ରାସ ପାଇବାବେଳେ ଯେତେବେଳେ ଜନସଂଖ୍ୟା ବଢ଼ୁଥିଲା ଓ ମୂର୍ତ୍ତି ଗଢିବା ଝୁଙ୍କ କମି ନଥିଲା (ପ୍ରାୟ ୯୦୦ ମୋଆ ଅବିଷ୍କୃତ ଯାହା ଭିତରେ ଅନ୍ତର୍ଭୁକ୍ତ ଖାଦାନରେ ଅଧା ଗଢା, ସ୍ଥାପିତ, ଇତସ୍ତତଃ ବିକ୍ଷିପ୍ତ ଏବଂ ଭଙ୍ଗା ମୂର୍ତ୍ତି ) ଗବେଷକମାନେ କହନ୍ତି, ଇଷ୍ଟରରେ ଅବଶିଷ୍ଟ ହୋଇ ଯେଉଁ କିଛି ତାଳ ଗଛ ଥିଲା ଏଥର ଆଖି ଗଲା ସେଇମାନଙ୍କ ଉପରକୁ। ତାଳ କନ୍ଦା, ତାଳ ଗୋଟମାରୁ ମିଳୁଥିଲା ଶସ , ତାଳ ରସ ଏବଂ ତାଳ ଗୁଡ। ତେଣିକି କେଇ ବର୍ଷ ପ୍ରୋଟିନ ଚାହିଦା ଅବଶ୍ୟ ମେଣ୍ଟେଇଲା।

ତେବେ ଯେଉଁ ଅନୁପାତରେ ତାଳ ବଣ ଧ୍ୱଂସ ହେଉଥିଲା ସେଇ ଅନୁପାତରେ ନୂଆ ତାଳ ସୃଷ୍ଟି କାହିଁ କେତେ କମ ଥିଲା। ମୂଷା ପଲ ଯାହା ସମଗ୍ର ଦ୍ବୀପରେ ଛାଇ ଯାଇଥିଲେ ସେମାନଙ୍କ ମୁହଁରୁ କିଛି ନୂଆ ଚାରା ଅକ୍ଷତ ରହିଯିବ, ଏମିତି ସମ୍ଭାବନା ଥିଲା ବିରଳ। ଶେଷ ପ୍ରସ୍ତରେ ଇଷ୍ଟର ବାସିନ୍ଦା ମାନଙ୍କର ଏକ ମାତ୍ର ଗୃହପାଳିତ ପକ୍ଷୀ ହୋଇ ରହିଯାଇଥିଲେ କୁକୁଡ଼ା। ପାଠକେ, ପ୍ରମୁଖ ମତ ହେଉଛି ଇଷ୍ଟର ଦ୍ୱୀପର କ୍ରମ ବିନାଶ ପାଇଁ କାରଣ ଥିଲା ଜଙ୍ଗଲ ହାନି। ବଣ୍ୟ ପ୍ରଜାତି ହାନିର ମଧ୍ୟ କାରଣ ଥିଲା ଜଙ୍ଗଲ କ୍ଷୟ। ଆଉ ଇଷ୍ଟର ବାସିନ୍ଦାମାନେ ଯେତେବେଳେ ପ୍ରଗତିର ଉତ୍କର୍ଷରେ ପହଞ୍ଚଥିଲେ ସେତେବେଳେ ସେମାନଙ୍କ ଭିତରେ ଆରମ୍ଭ ହୋଇସାରିଥିଲା ପ୍ରବଳ ପ୍ରତିଯୋଗିତା। ନିଜକୁ ପାରିବା ଲୋକ ପ୍ରମାଣିତ କରିବା ପାଇଁ ପ୍ରତିଯୋଗିତା। ଶ୍ରେଣୀ ସଂଘର୍ଷ। ଥାଟବାଟ, ପରିଚର୍ଯ୍ୟା, ପ୍ରତିଷ୍ଠା ସକାଶେ ଯୋଗାଡଯନ୍ତ୍ର ଚାଲିଥିଲା। ପ୍ରତିଦ୍ୱନ୍ଦ୍ବିତା । ପରୋକ୍ଷରେ ଏହା ବିନାଶକୁ ବାଟ ଫିଟାଉଥିଲା। ଆଉ ଥରେ ଅରଣ୍ୟ ଲୋପ ପାଇବା ପରେ ଅବକ୍ଷୟ କ୍ରମରେ ଇଷ୍ଟର ବାସିନ୍ଦା ଭେଟିଲେ ଅନାହାର, ଜନସଂଖ୍ୟା ହାନି, ରୋଗ, ଗୋଷ୍ଠୀ-ଗୋଷ୍ଠୀ ଭିତରେ ଯୁଦ୍ଧ ଏବଂ ଚରମ ସ୍ଥିତିରେ ନରମାଂସ ଭକ୍ଷଣକୁ। କୁହାଯାଏ, ଇଷ୍ଟର ରାତିରେ ୟୁରୋପୀୟମାନେ ଦ୍ୱୀପ ଛୁଇଁବା ବେଳେ ଶୀତରେ ନିଆଁ ପୁଇଁବା ପାଇଁ କାଠ ଖଣ୍ଡେ ମିଳିନଥିଲା। ୧୭୭୪ରେ ଇଷ୍ଟରରେ ସଂକ୍ଷିପ୍ତ ରହଣି ବେଳେ ସମୁଦ୍ର କୂଳଠୁଁ ସାମାନ୍ୟ ଭିତରକୁ ଯିବା ପାଇଁ ବାସିନ୍ଦାଙ୍କ ସମ୍ବଳ ଥିଲା କେଇ ଖଣ୍ଡ ଦଦରା ଡ଼ଙ୍ଗା। ଏକଦା ସମୃଦ୍ଧ ଏକ ସୁନ୍ଦର ଦ୍ୱୀପର ଅବଶେଷ ମାତ୍ର। ଅନେଶତ ପ୍ରତିଶତ ଉଦ୍ଭିଦ ଓ ବଣ୍ୟ ପ୍ରଜାତି ହରେଇ ଆକାଶକୁ ଚାହିଁଥିବା ଉଜୁଡା ଭୂଇଁ।

ପାଠକେ, ଏବେ ଇଷ୍ଟର ଦ୍ୱୀପ ଚିଲିର ପ୍ରଶାସନିକ ନିୟନ୍ତ୍ରଣରେ। ୨୦୧୭ ତଥ୍ୟ ଅନୁସାରେ ଜନସଂଖ୍ୟା ୭୭୫୦। ଇଷ୍ଟର ଏବେ ୟୁନେସ୍କୋ ଘୋଷିତ ବିଶ୍ୱ ଐତିହ୍ୟ ସ୍ଥଳୀ। ସଂରକ୍ଷିତ। ତେବେ ପରିବେଶବିତମାନେ ସତର୍କ କରାଇ ଦେଇଛନ୍ତି ଯେ ପୃଥିବୀର ଅନ୍ୟାନ୍ୟ ଅଞ୍ଚଳରେ ଦ୍ରୁତ ଜଙ୍ଗଲ ହାନି ଆଗକୁ ରାପା ନୁଈ ପରି ବିପତ୍ତି ଆଣିପାରେ। ଏବେ ପୃଥିବୀରେ ଅଛନ୍ତି ୪୫ ଟି ପରିବାରର ପ୍ରାୟ ୬୦,୦୦୦ ପ୍ରଜାତିର ଉଦ୍ଭିଦ ଯାହା ଭିତରୁ ୨୦,୩୩୪ ପ୍ରଜାତି ୨୦୧୯ ଶେଷ ସୁଦ୍ଧା (ଆଇୟୁୁସିଏନ)ତାଲିକାଭୁକ୍ତ। ଅର୍ଥାତ୍‌ ସେମାନେ ବିପଦମୁକ୍ତ ନୁହନ୍ତି। ପୁଣି ସେଥିରୁ ୧୪୦୦ ପ୍ରଜାତି ପ୍ରାୟ-ନିଶ୍ଚିହ୍ନ ସ୍ଥିତିରେ। ପ୍ରାଚୀନ ପୃଥିବୀର ୮୦ ପ୍ରତିଶତ ଜଙ୍ଗଲ ଉଜୁଡି ସାରିଲେଣି। ପୁନଃ ଜଙ୍ଗଲ ସୃଷ୍ଟି କରାଯାଇ ପରିସ୍ଥିତିର ମୁକାବିଲା ହେଉଛି ବୋଲି ଯାହା ଦାବି ଆମେ କରୁଛୁ ତାହା ପ୍ରାକୃତିକ ଜଙ୍ଗଲ ସହିତ ଆଦୌ ତୁଳନୀୟ ନୁହେଁ। ୧୯୯୦ରୁ ୨୦୨୦ ଭିତରେ ପୃଥିବୀରେ ବାର୍ଷିକ ଜଙ୍ଗଲ କ୍ଷୟ ହାରାହାରି ୧୨.୫ ନିୟୁତ ହେକଟର। କରୋନା କବଜାରେ ଥିବା ସମୟରେ ୨୦୨୦ରେ ପୃଥିବୀ ହରେଇଛି ୨୦ ନିୟୁତ ହେ. ଗ୍ରୀଷ୍ମ ମଣ୍ଡଳୀୟ ଅରଣ୍ୟ। ଜଳବାୟୁ ପରିବର୍ତ୍ତନ ମରୁଭୂମିକରଣ ବଢେଇଛି, ମାଟିର ଉର୍ବରତା କ୍ଷୟ କରିଛି ଏବଂ ପ୍ରାକୃତିକଚକ୍ର ଅବ୍ୟବସ୍ଥିତ ହୋଇ ସାରିଛି। ଅରଣ୍ୟ କ୍ଷୟ ଦୃଷ୍ଟିରୁ ସର୍ବାଧିକ କ୍ଷତିଗ୍ରସ୍ତ ଦେଶ ଭିତରେ ଅଛନ୍ତି ହୋଣ୍ଡୁରାସ, ନାଇଜେରିଆ, ଫିଲିପାଇନ୍ସ, ଘାନା, ଇ‌େଣ୍ଡାନେସିଆ, ନେପାଳ, ଉତ୍ତର କୋରିଆ, ହାଇତି ଓ ଏକୱେଡର। ଭାରତର ଜଙ୍ଗଲ ସ୍ଥିତି ସ୍ବତନ୍ତ୍ର ଆଲୋଚନାର ଅପେକ୍ଷା ରଖେ, ତେବେ ଗୋଟିଏ କଥା ସ୍ପଷ୍ଟ ଯେ ଯୁଦ୍ଧକାଳୀନ ଭିତ୍ତିରେ ଯଦି କିଛି କରାନଯାଏ, ତେବେ ଇଷ୍ଟର ଦ୍ୱୀପ ଅବସ୍ଥା ଆସିବାକୁ ଖୁବ ବିଳମ୍ବ ହେବ ନାହିଁ।

Comments are closed.