ଗାନ୍ଧିଜୀ, ଗାଈ ଓ ଗ୍ରାମ ସ୍ବରାଜ

ବିଶ୍ବ ଭାରତୀ

ଭାରତ ସ୍ବାଧୀନ ହେଲାବେଳକୁ ଫୋର୍ଡ କମ୍ପାନୀ ଆମେରିକାରେ ସଫଳତାର ସହିତ ଟ୍ରାକ୍ଟର ବ୍ୟବସାୟ କରି ୟୁରୋପ ବଜାରରେ ପ୍ରବେଶ କରି ସାରିଥିଲା। ଫୋର୍ଡ ମାଲିକ ହେନ୍‌ରୀ ଫୋର୍ଡ ଦେଖିଲେ ବିଶାଳ କୃଷି ପ୍ରଧାନ ଦେଶ ଭାରତରେ ଟ୍ରାକ୍ଟର ବ୍ୟବସାୟର ବିପୁଳ ସମ୍ଭାବନା ରହିଛି। ସେ ଅନୁଭବ କଲେ ଯେ ଭାରତୀୟ ଜନସାଧାରଣଙ୍କ ହୃଦୟର ଦେବତା ପାଲଟି ଯାଇଥିବା ଗାନ୍ଧିଜୀଙ୍କୁ ଯଦି ମନେଇ ଦିଆଯାଇ ପାରିବ, ତେବେ ସେ ଭାରତୀୟମାନଙ୍କୁ ଟ୍ରାକ୍ଟର କିଣିବାକୁ ପ୍ରବର୍ତ୍ତାଇବେ ଏବଂ ଅବିଳମ୍ବେ ବିରାଟ ଭାରତୀୟ ବଜାର ଅକ୍ତିଆର କରିବାକୁ ନିର୍ବିଘ୍ନରେ ସଳଖ ବାଟ ଫିଟିଯିବ। ତେଣୁ ସେ ଗାନ୍ଧିଜୀଙ୍କ ନିକଟକୁ ତାଙ୍କ ପ୍ରତିନିଧି ପଠାଇଲେ। ପ୍ରତିନିଧିଜଣକ ନିଜର ବାକ୍ ଚାତୁର୍ଯ୍ୟ ପ୍ରୟୋଗକରି ଆମେରିକା ଓ ୟୁରୋପରେ ଟ୍ରାକ୍ଟରର ବ୍ୟବହାର ଦ୍ବାରା କୃଷିକ୍ଷେତ୍ରରେ କିପରି ବୈପ୍ଳବିକ ପରିବର୍ତ୍ତନ ଆସିଛି ସେ କଥା ବର୍ଣ୍ଣନା କଲେ ଏବଂ ଭାରତୀୟମାନେ ଟ୍ରାକ୍ଟର ବ୍ୟବହାର କଲେ କେମିତି ଏ ଦେଶର ଅର୍ଥନୀତି ରାତିପାହିଲା ବେଳକୁ ଆକାଶ ଛୁଇଁଯିବ, ସେ ମଧୁର ସ୍ବପ୍ନ ଦେଖାଇଲେ। ସବୁ ଶୁଣିସାରି ଗାନ୍ଧିଜୀ କହିଲେ, ‘ଟ୍ରାକ୍ଟର ଚାଲିଲେ ସେଥିରୁ ଗୋବର ବାହାରିବ କି? ବଳଦ ଦ୍ବାରା ଚାଷକଲେ ନିଜର ଜମି ଚାଷ, ଖତସାର, କୀଟନାଶକ ସହିତ ଜମିକୁ ଖତ, ବିହନ, ତଳି ନେବା, ଜମିରୁ ଫସଲ, ନଡ଼ା ଇତ୍ୟାଦି ଖଳାକୁ ଆଣିବା, କୃଷି ଉତ୍ପାଦଗୁଡ଼ିକୁ ବଜାରକୁ ବିକିନେବା ଇତ୍ୟାଦି ପ୍ରତ୍ୟେକ ପରିବହନ କାର୍ଯ୍ୟରେ ଚାଷୀ ଆତ୍ମନିର୍ଭରଶୀଳ ହୋଇପାରିବ; କିନ୍ତୁ ଟ୍ରାକ୍ଟର ଚାଷକଲେ ଚାଷୀକୁ ଚାଷ ଓ ପରିବହନ ପାଇଁ ଗାଁ ମହାଜନ ବା ଧନୀ ଚାଷୀଙ୍କଠୁ ଟ୍ରାକ୍ଟର ଭଡ଼ାରେ ଅାଣିବାକୁ ପଡ଼ିବ ଓ ଖତ, ସାର, କୀଟନାଶକ କିଣିବାକୁ ପଡ଼ିବ। ଏହାଦ୍ବାରା ଚାଷୀ ତ’ ପର ନିର୍ଭରଶୀଳ ହୋଇଯିବ। ତା’ ସହିତ ଟ୍ରାକ୍ଟର ଭଡ଼ା, ଖତସାର କିଣାରେ ତା’ ରୋଜଗାରର ଏକ ବଡ଼ଭାଗ ଖର୍ଚ୍ଚ ହୋଇଯିବ ବା ଋଣକରଜ କରିବାକୁ ପଡ଼ିବ। ତେଣୁ ମୁଁ ଭାରତୀୟ ଚାଷୀମାନଙ୍କୁ ନିଜର ଗାଈ ବଳଦ ଛାଡ଼ି ଟ୍ରାକ୍ଟରରେ ଚାଷ କରିବାକୁ କଦାପି କହିବିନି।’ ଫୋର୍ଡ଼ ପ୍ରତିନିଧି କାନମୁଣ୍ଡା ଆଉଁଶି ଫେରିଗଲେ।

ଏମିତି ଥିଲେ ଗାନ୍ଧିଜୀ। ସେ କୌଣସି ଦେଶର ନୀତି ବା ବ୍ୟବସ୍ଥାକୁ ଅନ୍ଧ ଅନୁକରଣ କରୁନଥିଲେ ବା କାହାର ମଧୁର ବଚନରେ ଭଳିଯାଇ ନିଷ୍ପତ୍ତି ନେଉନଥିଲେ। ଭାରତ ପାଇଁ ଭାରତୀୟଙ୍କ ପାଇଁ ତାଙ୍କର ଆଭିମୁଖ୍ୟ ଥିଲା ସ୍ପଷ୍ଟ ଏବଂ ନିଷ୍ପତ୍ତି ଥିଲା ଦୃଢ଼ ଅଟଳ। କାରଣ ସେ ନିଜେ ତୃତୀୟଶ୍ରେଣୀ ରେଳଡବାରେ ବସି, ପାଦରେ ଚାଲିଚାଲି ସମଗ୍ର ଭାରତ ପରିଭ୍ରମଣ କରିଥିଲେ। ଭାରତୀୟମାନଙ୍କ ଅବସ୍ଥା ଅତି ନିକଟରୁ ଦେଖିଥିଲେ ଏବଂ ସେମାନଙ୍କ ସମସ୍ୟାଗୁଡ଼ିକୁ ମୂଳରୁ ଚୂଳ ଯାଏ ଗଭୀର ଭାବରେ ଅନୁଧ୍ୟାନ କରିଥିଲେ। ତା’ପରେ ଯାଇ ସେ ଉପଲବ୍ଧି ‌କରିଥି​‌େ​‌ଲ ଯେ ଭାରତର ଆତ୍ମା ତା’ର ସାତଲକ୍ଷ ଗାଁରେ ସନ୍ନିହିତ; ଯେତେବେଳେ ଗାଁଗୁଡ଼ିକ ପ୍ରତ୍ୟେକ କ୍ଷେତ୍ରରେ ସମ୍ପୂର୍ଣ୍ଣ ସ୍ବାବଲମ୍ବୀ ସ୍ବୟଂସମ୍ପୂର୍ଣ୍ଣ ହୋଇଯିବେ, ସବୁ ଗାଁ ଲୋକେ ନିଜର ମୌଳିକ ଆବଶ୍ୟକତା ନିଜ ଗାଁରେ ପୂରଣ କରପାରିବେ, ସେତେବେଳେ ହିଁ ଭାରତକୁ ପ୍ରକୃତ ସ୍ବାଧୀନତା ମିଳିବ। ଏ ଉପଲବ୍ଧି ଉପରଠାଉରିଆ ନଥିଲା, ଥିଲା ଏକ ସୂକ୍ଷ୍ମ ଦୂରଦୃଷ୍ଟି, ଗଭୀର ଜ୍ଞାନ ତଥା ନିଃସ୍ବାର୍ଥପର ଚିନ୍ତନ ପ୍ରସୂତ ଦିବ୍ୟଫଳ; କିନ୍ତୁ ଭାରତୀୟଙ୍କର ଘୋର ଦୁର୍ଭାଗ୍ୟ ଯେ ସ୍ବାଧୀନତା ପରେ ଯୋଉ ବିଳାସୀ ରାଜନେତାଗଣ କ୍ଷମତାସୀନ ହେଲେ, ଭାରତ ପାଇଁ ନୀତି ନିର୍ଦ୍ଧାରଣ କଲେ, ସେମାନଙ୍କୁ ଗାନ୍ଧୀଙ୍କର ଏଇ ଗ୍ରାମ ସ୍ବରାଜ୍ୟ କଥାଟା ଭାରି ହୀନିମାନିଆ, ମଫସଲିଆ ମନେ ହେଲା। ସେମାନେ ଶିଳ୍ପ ବିପ୍ଳବ ଓ ସବୁଜବିପ୍ଳବ ଦ୍ବାରା ଆମେରିକା ଓ ୟୁରୋପ୍‌ରେ ହେଉଥିବା ଦ୍ରୁତବିକାଶ ପ୍ରେମରେ ପଡ଼ି ଭାରତରେ ତା’ର କପିକରିବା ଆରମ୍ଭକଲେ। ତା’ର ଭୟଙ୍କର ପରିଣାମ ଏବେ ଭାରତ ଭୋଗୁଛି। ଏଇ ମାତ୍ର ଷାଠିଏ ବର୍ଷର ସବୁଜ ବିପ୍ଳବ ପରେ ଚାଷୀ ଆଜି ରୋଗଗ୍ରସ୍ତ, ଋଣଗ୍ରସ୍ତ, ଅବସାଦଗ୍ରସ୍ତ, କୃଷିବିମୁଖ ଓ ଆତ୍ମହତ୍ୟା ପ୍ରବଣ। ଭୂମି, ଜଳ, ବାୟୁ ବିଷାକ୍ତ। ଖାଦ୍ୟ ସାରହୀନ, ସ୍ବାଦହୀନ, ରସହୀନ।

ପାରମ୍ପରିକ କୃଷିରେ ଗାଈ ଚାଷୀର ବନ୍ଧୁ ଥିଲା। ପରସ୍ପର ପରସ୍ପରର ପରିପୂରକ ଥିଲେ। ଚାଷର ବର୍ଜ୍ୟବସ୍ତୁ ନଡ଼ା, ବୋତି, ଚଣି, କୁଣ୍ଡା ଇତ୍ୟାଦି ଗୋଖାଦ୍ୟ ହିସାବରେ ବ୍ୟବହାର ହେଉଥିଲା ଆଉ ଗାଈର ବର୍ଜ୍ୟବସ୍ତୁ ଗୋବର, ଗୋମୂତ୍ର, ଜମିର ଖତ ଭାବରେ ବ୍ୟବହୃତ ହେଉଥିଲା। ଫସଲ ପାଇଁ ଗୋବର ସ​‌େ​‌ର୍ବାତ୍କୃଷ୍ଟ ସାର ଓ ଘଷି ପାଉଁଶ ଏବଂ ଗୋମୂତ୍ର ସବୁଠୁ ଭଲ କୀଟନାଶକ। ଉଭୟ ପରିବେଶ ଅନୁକୂଳ ଏବଂ ଫସଲର ଖାଦ୍ୟ ଗୁର ଓ ସ୍ବାଦ ବର୍ଦ୍ଧକ। ଏହା ମାଟିପାଣିକୁ ବିଷାକ୍ତ କରେ ନାହିଁ, ବରଂ ମାଟିକୁ ଉର୍ବର କରେ ଓ ଉତ୍ପାଦିକା ଶକ୍ତି ବଢ଼ାଏ। ଚାଷୀ ଓ ଖାଉଟିଙ୍କୁ ରୋଗଗ୍ରସ୍ତ କରିବା ପରିବର୍ତ୍ତେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ। ଗାଈ ବର୍ଷକୁ ବର୍ଷ ଛୁଆଜନ୍ମ କରେ ଓ କ୍ଷୀର ଦିଏ। ହଳେ ବଳଦ ବୁଢ଼ା ହେଲାବେଳକୁ ତା’ ନିଜ ଗୁହାଳରୁ ହିଁ ଆଉ ହଳେ ବଳଦ ଚାଷ ପାଇଁ ପ୍ରସ୍ତୁତ ହୋଇଯାଆନ୍ତି। ବଳକା ଗାଈଗୋରୁ ବିକ୍ରି କରି ମଧ୍ୟ ଚାଷୀ ଦୁଇପଇସା ରୋଜଗାର କରେ। ଚାଷୀ ଓ ତା’ ପରିବାରର ଲୋକେ ମିଶି ଗାଈ ବଳଦଙ୍କର ଯତ୍ନ ନେଇ ପାରନ୍ତି ଏବଂ ରୋଗବ୍ୟାଧି ହେଲେ ଦେଶୀ ଚିକିତ୍ସା କରି ଭଲ କରିପାରନ୍ତି। ବଳଦ ଜମିଚାଷଠାରୁ ବେଙ୍ଗଳାଯାଏ ତଥା ଘଣାରେ ତେଲ ପେଡ଼ିବା, ଗୁଡ଼ପାଇଁ ଆଖୁରୁ ରସ ବାହାର କରିବା ପରି ଚାଷ ପରବର୍ତ୍ତୀ ଅନେକ କାମରେ ମଧ୍ୟ ସାହାଯ୍ୟ କରେ।

ସବୁଜ ବିପ୍ଳବ କିନ୍ତୁ ଯାନ୍ତ୍ରିକ କୃଷିର ଜୟଗାନ କଲା। ଟ୍ରାକ୍ଟର, ପାୱାର ଟିଲର ଇତ୍ୟାଦି ଯନ୍ତ୍ରମାନେ ଚାଷୀ ପାଇଁ ସବୁ କାମ କରିଦେଲେ। ତେଣୁ ଗାଈଗୋରୁ ପୂରା ଅଲୋଡ଼ା ହୋଇଗଲେ। ପ୍ରତିଦିନ ଗାଁମାନଙ୍କରୁ ଶହଶହ ଗାଈଗୋରୁ କଂସେଇଖାନାକୁ ଚାଲାଣହେଲେ ଗୋବରଖତ ବଦଳରେ ରାସାୟନିକ ସାର ଓ ଗୋମୂତ୍ର ଏବଂ ପାଉଁଶ ବଦଳରେ କୀଟନାଶକ ବିଷ ଜମିରେ ପ୍ରୟୋଗ କରାଗଲା। ତା’ ଦାଉରେ ଏବେ ଜମିରୁ ଅନେକ ଉପକାରୀ ଅଣୁଜୀବ ଏବଂ ଅଗଣିତ କୀଟପତଙ୍ଗ, ପକ୍ଷୀ ଲୋପ ପାଇଗଲେ, ଆହୁରି ଅନେକ ବିଲୁପ୍ତିର ଦ୍ବାରଦେଶରେ। ପ୍ରକୃତିର ସୂକ୍ଷ୍ମ ସନ୍ତୁଳନ ସାଙ୍ଘାତିକ ଭାବରେ ବିଗିଡ଼ି ବିପଜ୍ଜନକ ଅବସ୍ଥାରେ ପହଞ୍ଚିସାରିଲାଣି। କୃଷିକ୍ଷେତ୍ରରେ ବର୍ଜ୍ୟବସ୍ତୁ ନଡ଼ାପାଳ ବ୍ୟବହାର ହୋଇନପାରି ବ୍ୟାପକ ପୋଡ଼ା ଚାଲିଛି ଯାହା ବାୟୁମଣ୍ଡଳରେ ପ୍ରଦୂଷଣର ମାତ୍ରା ବହୁଗୁଣ ବଢ଼ାଇ ଦେଇଛି। କୀଟନାଶକର ପ୍ରୟୋଗ ଯୋଗୁ କର୍କଟ ଓ ବୃକ୍‌କ ରୋଗ ମହାମାରୀ ରୂପ ନେଇସାରିଲାଣି। ଇଏ ତ ଗଲା ଯାନ୍ତ୍ରିକ କୃଷିର ପରିବେଶ ଉପରେ ପ୍ରଭାବ। ଚାଷୀକୁଳ ଉପରେ ଏହାର ପ୍ରଭାବ ଆହୁରି ଶୋଚନୀୟ। ଗୋ ସମ୍ପଦଯୋଗୁଁ ଚାଷୀ ସମ୍ପୂର୍ଣ୍ଣ ଆତ୍ମନିର୍ଭରଶୀଳ ଥିଲା। ଗୋବର, ଗୋମୂତ୍ର ମାଗଣା ଥିଲା ଏବଂ ନିଜ ଗୁହାଳରୁ ମିଳୁଥିଲା। ରାସାୟନିକ ସାର ଓ କୀଟନାଶକ ଚାଷୀକୁ କିଣିବାକୁ ପଡ଼ିଲା ଯା’ର ମୂଲ୍ୟ ଏବଂ ଯୋଗାଣ ଉପରେ ଚାଷୀର ଆଦୌ ନିୟନ୍ତ୍ରଣ ରହିଲାନାହିଁ। ବଳଦହଳ ନିଜ ଗୁହାଳରୁ ମିଳୁଥିଲେ। କିଣିଲେ ମଧ୍ୟ ବଳଦ ହଳର ଦାମଠାରୁ ଟ୍ରାକ୍ଟର ଦାମ କୋଡ଼ିଏ ଗୁଣ ଅଧିକା। ତା’ଛଡ଼ା ଟ୍ରାକ୍ଟର ତ ଆଉ ଚାଷୀ ଘରେ ଥିବା ନଡ଼ାପାଳ କୁଣ୍ଡା ତୋରାଣି ଖାଏ ନାହିଁ, ତା’ପାଇଁ ଇନ୍ଧନ କିଣିବାକୁ ପଡ଼େ। ତା’ର ରକ୍ଷଣାବେକ୍ଷଣ ପାଇଁ ଏବଂ ଖରାପହେଲେ ସଜାଡ଼ିବାପାଇଁ ମଧ୍ୟ ଯଥେଷ୍ଟ ଖର୍ଚ୍ଚ କରିବାକୁ ପଡେ। ଟ୍ରାକ୍ଟର ଗାଈପରି ଛୁଆ ଜନ୍ମକରି ଚାଷୀପାଇଁ ତା’ର ପରପିଢ଼ି ସୃଷ୍ଟି କରିପାରେ ନାହିଁ। ତେଣୁ ଗୋଟିଏ ଟ୍ରାକ୍ଟର ନଷ୍ଟ ହୋଇଗଲେ ନୂଆଟିଏ କିଣିବା ହିଁ ଏକମାତ୍ର ବାଟ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥାହେଲା, ଆଠ ଦଶଲକ୍ଷ ଟଙ୍କା ଖର୍ଚ୍ଚ କରି ଟ୍ରାକ୍ଟର କିଣିବା ସାଧାରଣ ଚାଷୀ ପକ୍ଷରେ ସମ୍ଭବ ନୁହେଁ। ତେଣୁ ଗାଁର ଧନୀ ମହାଜନମାନେ ଏସବୁ ଦାମୀ କୃଷି ଯନ୍ତ୍ରପାତି କିଣି ଗରିବ ଚାଷୀଙ୍କୁ ଭଡ଼ାରେ ଲଗାନ୍ତି। ଟ୍ରାକ୍ଟର ଭଡ଼ା ଓ ଦରକାର ସମୟରେ ମିଳିବା ଉପରେ ଚାଷୀର କୌଣସି ନିୟନ୍ତ୍ରଣ ନଥାଏ। ଚାଷୀ ଭଡ଼ା ଦେଇ ଦେଇ ଗରିବ ହୁଏ ଏବଂ ମହାଜନ ଭଡ଼ା ନେଇନେଇ ଅଧିକ ଧନୀ ହୁଏ। ଏଇ ଷାଠିଏ ବର୍ଷ ଭିତରେ ଚାଷୀର ଝାଳରକ୍ତ ବୁହା ଧନରୁ କେତେ ଲକ୍ଷ କୋଟି ଟଙ୍କା ସାର କମ୍ପାନୀ, କୀଟନାଶକ କମ୍ପାନୀ ଓ ଟ୍ରାକ୍ଟର କମ୍ପାନୀ, ପରିଶେଷରେ କ୍ୟାନସର ଚିକିତ୍ସା ପାଇଁ ଡାକ୍ତରଖାନା ଓ ଔଷଧ କମ୍ପାନୀଙ୍କ ପକେଟକୁ ଗଲାଣି ତା’ର ହିସାବ କେହି କରିଛି କି? କୃଷି ଓ କୃଷକ ଏବେ ସମ୍ପୂର୍ଣ୍ଣ ଭାବରେ ଏହି କମ୍ପାନୀମାନଙ୍କ ହାତରେ ବନ୍ଦୀ ହୋଇସାରିଛି। ଭାରତୀୟ ଚାଷୀମାନେ ଯଥାଶୀଘ୍ର ଗୋ-ଆଧାରିତ କୃଷିକୁ ନ ଫେରିଲେ ଏ ଜାତିର ମୁକ୍ତି ନାହିଁ, ସ୍ବାଧୀନତା ନାହିଁ।

ବହୁତ ଗାନ୍ଧୀ ଜୟନ୍ତୀ ପାଳିଲେଣି, ଏବେ ଗାନ୍ଧୀ ଦର୍ଶନ ପାଳିବାର ବେଳ।

Comments are closed.