ଓଡ଼ିଶା ଚାଷୀଙ୍କ ମାସିକ ଆୟ

ନଟବର ଖୁଣ୍ଟିଆ

ଏହି ନିକଟରେ କେନ୍ଦ୍ର ସରକାରଙ୍କ ପରିସଂଖ୍ୟାନ ଓ ଯୋଜନା କ୍ରିୟାନ୍ବୟନ ମନ୍ତ୍ରାଳୟର ଏକ ସର୍ବେକ୍ଷଣରୁ ଜଣାଯାଇଛି ଯେ, ଓଡ଼ିଶାରେ ଚାଷୀ ପରିବାରର ମାସିକ ହାରାହାରି ଆୟ ୨୦୧୮-୧୯ ମସିହାରେ ହେଉଛି ୫,୧୧୨ ଟଙ୍କା ଯାହାକି ଦେଶର ଦ୍ବିତୀୟ ସର୍ବନିମ୍ନ ଆୟ। ଏହି ଆୟ ୨୦୧୨-୧୩ ମସିହାରେ ୪,୯୧୨ ଟଙ୍କା ବୋଲି ଜାତୀୟ ନମୁନା ସର୍ବେକ୍ଷଣ ସଂଗଠନର ୭୦ତମ ସର୍ବେକ୍ଷଣରୁ ଜଣା ଯାଇଥିଲା। ଓଡିଶା ସରକାର ଆଜି ପର୍ଯ୍ୟନ୍ତ ପ୍ରଚାର କରିଆସୁଛନ୍ତି ଯେ ୨୦୦୨-୦୩ ତୁଳନାରେ ୨୦୧୨-୧୩ରେ ଓଡ଼ିଶା ଚାଷୀଙ୍କ ଆୟ ଦୁଇଗୁଣ ହୋଇଥିଲା; କିନ୍ତୁ କହୁ ନାହାନ୍ତି ଯେ ୨୦୦୨-୦୩ ମସିହା ଚାଷ ପାଇଁ ଏକ ଖରାପ ବର୍ଷ ଥିଲା ଯେଉଁ ବର୍ଷ ବଢ଼ି ଓ ମରୁଡି ଯୋଗୁଁ କୃଷି ଉତ୍ପାଦନ ଅସମ୍ଭବ ଭାବେ ହ୍ରାସ ପାଇଥିଲା। ଅଥଚ ୨୦୧୨-୧୩ ବର୍ଷ ଚାଷ ପାଇଁ ଏକ ଅନୁକୂଳ ବର୍ଷ ଥିବାରୁ ସେ ବର୍ଷ ବହୁଳ ପରିମାଣର ଫସଲ ଉତ୍ପାଦନ ହୋଇ ଥିବାରୁ ଚାଷୀର ଆୟ ବଢିବା ସ୍ବାଭାବିକ ଥିଲା। ସୁତରାଂ ଏକ ଖରାପ ବର୍ଷର ଉତ୍ପାଦନକୁ ଏକ ଅତି ଭଲ ବର୍ଷର ଉତ୍ପାଦନ ସହ ତୁଳନା କରି ଆୟ ଦୁଇଗୁଣ ହୋଇଛି ବୋଲି କହିବା ସମୀଚୀନ କି?

ନାବାର୍ଡ ୨୦୧୬-୧୭ମସିହାରେ ଏକ ସର୍ବେକ୍ଷଣ କରି ରିପୋର୍ଟ ଦେଇଥିଲେ ଯେ, ଓଡ଼ିଶାର ଚାଷୀ ପରିବାରର ମାସିକ ଆୟ ୨୦୧୨-୧୩ ମସିହା ତୁଳନାରେ ବୃଦ୍ଧି ପାଇ ହୋଇଥିଲା ୭,୨୪୧ ଟଙ୍କା। ଯଦିଓ ଏହା ୨୦୧୨-୧୩ ତୁଳନାରେ ୨,୨୨୯ ଟଙ୍କା ବୃଦ୍ଧି ପାଇଥିଲା; କିନ୍ତୁ ଜଣେ ପାଞ୍ଚଜଣିଆ ଚାଷୀ ପରିବାରର ମାସିକ ଆୟକୁ ଯଦି ହିସାବକୁ ନିଆଯାଏ ତେବେ ମୁଣ୍ଡପିଛା ମାସିକ ଆୟ ହେଲା ମାତ୍ର ୪୮ଟଙ୍କା। ମାସିକ ୪୮ ଟଙ୍କା ଆୟରେ ଲୋକଟି ଚଳିବ କିପରି? ଏବେ କେନ୍ଦ୍ର ପରିସଂଖ୍ୟାନ ବିଭାଗ ଓଡ଼ିଶାର ଚାଷୀର ଆୟ ସମ୍ବନ୍ଧରେ ଯେଉଁ ରିପୋର୍ଟ ଦେଇଛି ତାହା ଚମକାଇଲା ଭଳି। ଏବେ ଚାଷୀ ପରିବାରର ମାସିକ ମୁଣ୍ଡ ପିଛା ଆୟ ୩୪ ଟଙ୍କାକୁ ହ୍ରାସ ପାଇଛି। ଚାଷୀଟିଏ କିପରି ଆର୍ଥିକ ଅନଟନର ସମ୍ମୁଖୀନ ହୋଇ ନାମକୁ ମାତ୍ର ମଣିଷ ରୂପେ କାଳାତିପାତ କରୁଥିବ ତାହା ସରକାରୀ ପରିସଂଖ୍ୟାନରୁ ସୁସ୍ପଷ୍ଟ। ଓଡ଼ିଶା ସରକାର ‘କାଳିଆ’ ଯୋଜନାରେ ଚାଷୀମାନଙ୍କୁ ବାର୍ଷିକ ୫ ହଜାର ଟଙ୍କା ଆଉ କେନ୍ଦ୍ର ସରକାର ପିଏମ କିଷାନ ନିଧି ଯୋଜନାରେ ବାର୍ଷିକ ୬ ହଜାର ଟଙ୍କା ଦେଉଥିବାବେଳେ, ସେ ଟଙ୍କା କ’ଣ ପ୍ରକୃତରେ କୃଷି ଓ କୃଷି ଆନୁଷଙ୍ଗିକ କ୍ଷେତ୍ରର ବିକାଶ ପାଇଁ ଖର୍ଚ୍ଚ ହେଉଛି ? ହୋଇଥିଲେ ଆଜି କୃଷକର ଆୟ ହ୍ରାସ ପାଇଥାନ୍ତା କାହିଁକି ?

ଏବେ ଓଡ଼ିଶା କୃଷକର ଯେଉଁ ମାସିକ ଆୟ ହ୍ରାସ ପାଇ ୫,୧୧୨ ଟଙ୍କା ହୋଇଛି ତାହା ଝାଡ଼ଖଣ୍ଡ ଚାଷୀର ମାସିକ ଆୟ ୪,୮୯୫ ଟଙ୍କାକୁ ଛାଡ଼ିଦେଲେ ଦେଶର ରାଜ୍ୟମାନଙ୍କ ମଧ୍ୟରେ ସର୍ବନିମ୍ନ। ଆମର ପଡୋଶୀ ରାଜ୍ୟ ଛତିଶଗଡ଼ରେ ଚାଷୀର ମାସିକ ଆୟ ୯,୬୭୭ ଟଙ୍କା ହୋଇଥିବାବେଳେ, ପଶ୍ଚିମ ବଙ୍ଗରେ ୬,୭୬୨ ଟଙ୍କା, ତେଲଙ୍ଗାନାରେ ୯,୪୦୩ ଟଙ୍କା। ମେଘାଳୟ ଚାଷୀ ସର୍ବାଧିକ ୩୯,୩୪୮ ଟଙ୍କା ଆୟ କରୁଥିବା ବେଳେ ପଞ୍ଜାବ ଚାଷୀ ଆୟ କରୁଛି ୨୬,୭୦୧ ଟଙ୍କା।

ଓଡ଼ିଶା ସରକାର ପାଞ୍ଚପାଞ୍ଚ ଥର କୃଷିକର୍ମଣ ପୁରସ୍କାର ପାଇ ନିଜ ସପକ୍ଷରେ ପ୍ରଚାର କରୁଥିବା ବେଳେ ଏଣେ ଚାଷୀର ଆୟ ୨୦୧୨-୧୩ ବର୍ଷକୁ ଖସିଯିବା ଅତି ଗଭୀର ଚିନ୍ତାର ବିଷୟ। ସରକାରୀ କର୍ମଚାରୀଙ୍କ ବେତନ, ମହଙ୍ଗା ଭତ୍ତା ଓ ପେନସନ ବଢ଼ି ଚାଲିଥିବା ବେଳେ ଚାଷୀର ଆୟ ଛଅ ବର୍ଷ ତଳକୁ ଖସି ଆସିବା କେଉଁ ସାମାଜିକ ନ୍ୟାୟ ଓ କେଉଁ ଅର୍ଥନୀତି? ଏହା ସୂଚାଇ ଦେଉଛି ଯେ ଆମେ ଚାଷୀମାନଙ୍କର ସମସ୍ୟା ପ୍ରତି କେତେ ସମ୍ବେଦନଶୀଳ ଓ ସେମାନଙ୍କର ଦୀର୍ଘମିଆଦୀ ଆର୍ଥିକ ବିକାଶ ପାଇଁ ଆମେ କେତେ ତତ୍ପର।

ପ୍ରକୃତି କୃଷି ବିକାଶ ପାଇଁ ଓଡ଼ିଶାକୁ ଅପର୍ଯ୍ୟାପ୍ତ ସମ୍ପଦରେ ଭରିଦେଇଛି। ସାତ ସାତଟା ଉର୍ବର ନଦୀ ଉପତ୍ୟକା, ବାର୍ଷିକ ବୃଷ୍ଟିପାତ ୧୪୫୦ ମିଲିମିଟର, ଏଠି ଅଛି ପାହାଡ଼, ଜଙ୍ଗଲ ବି ଅଛି, ଦଶଟା କୃଷି ଜଳବାୟୁ ମଣ୍ଡଳ, ଯେଉଁଠି ବିଭିନ୍ନ ଋତୁରେ ବିଭିନ୍ନ ଫସଲ ଅମଳ ହୋଇ ପାରିବ। ୪୮୦ କିଲୋମିଟର ସମୁଦ୍ର ବେଳାଭୂମି, ଚିଲିକା ପରି ହ୍ରଦ, ପାରମ୍ପରିକ ଜଳ ଭଣ୍ଡାର- କଟା, ବନ୍ଧ, ସାଗର ଏବଂ ସବୁଠାରୁ ବଡ଼ ଅବଦାନ ହେଲା ଜଳ ଉତ୍ସ। ଭାରତବର୍ଷରେ ଯେତେ ଭୂପୃଷ୍ଠ ଓ ଭୂତଳ ଜଳ ଉତ୍ସ ଅଛି ତାର ୧୧ ପ୍ରତିଶତ ଓଡ଼ିଶାରେ ଅଛି ଯଦିଓ ଓଡ଼ିଶାର ଜନସଂଖ୍ୟା ଓ ଜମିର ପରିମାଣ ଦେଶର ଚାରି ପ୍ରତିଶତ ପାଖାପାଖି। ସୁତରାଂ ଶସ୍ୟ ଉତ୍ପାଦନ, ଫଳ, ପନିପରିବା ଉତ୍ପାଦନ, ମତ୍ସ୍ୟ ଉତ୍ପାଦନ, ଗୋମେଷାଦି ପଶୁ ପାଳନ କରିବା ସହିତ କୃଷି ଭିତ୍ତିକ ଛୋଟ ଛୋଟ ଗ୍ରାମ୍ୟ ଶିଳ୍ପ ପ୍ରତିଷ୍ଠା ପାଇଁଁ ଅଛି ଅପୂର୍ବ ସୁଯୋଗ; କିନ୍ତୁ ରାଜ୍ୟ ଏ ସବୁର ଦୀର୍ଘ ମିଆଦୀ ଉପଯୋଗ ନ କରିବାରୁ କୃଷକଙ୍କ ସମସ୍ୟାକୁ ଖାମ୍‌ଖିଆଲି ଭାବେ ନେଇ ଥିବାରୁ ଆଜି ଚାଷୀର ଆର୍ଥିକ ସ୍ଥିତି ଏତେ ଦୟନୀୟ ଓ ଗମ୍ଭୀର।

ସରକାର ଏକ ଚାଷୀ କମିସନ ବସାଇଥିଲେ ୨୦୧୦ ମସିହା ଜାନୁଆରୀରେ। କମିସନ ତାଙ୍କ ପୂର୍ଣ୍ଣାଙ୍ଗ ରିପୋର୍ଟ ୨୦୧୨ ମସିହା ଡିସେମ୍ବର ମାସରେ ଦେଇଥିବା ବେଳେ ତାହା ଲୋକଲୋଚନକୁ ଆସିଲା ନାହିଁ ନା ସରକାର ସେହି ବିବରଣୀକୁ କାର୍ଯ୍ୟକାରୀ କଲେ ନାହିଁ। ଏହା ସୂଚାଇ ଦେଉଛି ଆମ ସରକାର କୃଷକମାନଙ୍କ ସମସ୍ୟାର ସମାଧାନ ପ୍ରତି କେତେ ଖାମଖିଆଲ ନୀତି ଗ୍ରହଣ କରୁଛନ୍ତି।

କୃଷି ଉତ୍ପାଦନ ବୃଦ୍ଧିର ମୌଳିକ ଆବଶ୍ୟକତା ହେଲା ଜଳସେଚନ। ଜଳସେଚନ ବୃଦ୍ଧି ପାଇଲେ କେବଳ ଉତ୍ପାଦନ ବୃଦ୍ଧି ପାଇବ ନାହିଁ; ଖଣ୍ଡିଏ ଜମିରୁ ବର୍ଷକରେ ଏକାଧିକ ଫସଲ ଅମଳ ହୋଇ ପାରିବ। ଓଡ଼ିଶାରେ ଜଳସେଚନର ସ୍ଥିତି କିପରି ନିରୁତ୍ସାହଜନକ ତାହା ରାଜ୍ୟ ସରକାରଙ୍କ ପରିସଂଖ୍ୟାନ ଓ ଅର୍ଥନୀତି ନି​‌େ​‌ର୍ଦଶାଳୟ ଦ୍ବାରା ହୋଇଥିବା କୃଷି ଗଣନା ରିପୋର୍ଟ ୨୦୧୫-୧୬ରେ ପ୍ରତିଫଳିତ ହୋଇଛି। ଏହି ସରକାରୀ ବିବରଣୀରୁ ଜଣାଯାଏ ଯେ, ଓଡ଼ିଶାରେ ଯେତେ ଜମିରେ ଚାଷ ହୁଏ, ତାହାର କେବଳ ୨୭.୫ ପ୍ରତିଶତ ଜମିରେ ଜଳସେଚନର ବ୍ୟବସ୍ଥା ହୋଇପାରିଛି। ପୁନଶ୍ଚ ଜିଲା ଜିଲା ମଧ୍ୟରେ ଜଳସେଚିତ ଜମିର ଅନେକ ବୈଷମ୍ୟ। ଉଦାହରଣ ସ୍ବରୂପ ବଲାଙ୍ଗିର, ମାଲକାନଗିରି, ନବରଙ୍ଗପୁର, ନୂଆପଡା ଓ କନ୍ଧମାଳ ଜିଲାରେ ଯଥାକ୍ରମେ ଜଳସେଚନ ବ୍ୟବସ୍ଥା ହୋଇଛି ମୋଟ ଚାଷ ଜମିର ୧.୬୫%, ୧.୮୩%, ୩.୬୭%, ୬.୯୦% ଓ ୭.୩୬%। ଜଳସେଚନର ଏହି ସ୍ଥିତିରେ ସେସବୁ ଜିଲାରେ କୃଷିରୁ ଆୟ ବଢିବ କିପରି? ଜଳସେଚନର ଏହି ସ୍ଥିତିରେ ଆମ ରାଜ୍ୟରେ ଫସଲ ଉତ୍ପାଦନର ସାନ୍ଧ୍ରତା ମାତ୍ର ୧୨୦ ପ୍ରତିଶତ।

ଓଡ଼ିଶାର ପ୍ରଥମ କୃଷିନୀତି ୧୯୯୬ରେ ହେବାବେଳେ ଅନ୍ୟୂନ ୫୦ ଭାଗ ଚାଷ ଜମିକୁ ଜଳ ଯୋଗାଇବାରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ୨୦୧୨-୧୩ ମସିହାରୁ ଓଡ଼ିଶା ସ୍ବତନ୍ତ୍ର କୃଷି ବଜେଟ୍ ପ୍ରସ୍ତୁତ ହୋଇ ଆସୁଛି ଏବଂ ସେହି ବଜେଟର ବ୍ୟୟରେ ୬୦ ଭାଗ ଜଳସେଚନ ପାଇଁ ଖର୍ଚ୍ଚ ହେଉଛି; କିନ୍ତୁ ଫଳ କାହିଁ ? ୧୯୯୬ରୁ ୫୦ ଭାଗ ଜମିକୁ ଜଳଯୋଗାଣର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲେ ବି ଆସି ଅଢେଇ ଦଶନ୍ଧି ବିତିଗଲା ଏବେ ସୁଦ୍ଧା ୩୦ ଭାଗ ଚାଷ ଜମିକୁ ଜଳ ଯୋଗାଣ ହୋଇ ପାରିଲା ନାହିଁ।

ଏବେ ଆଉ ବଡ ବଡ ନଦୀବନ୍ଧ ଯୋଜନା କାର୍ଯ୍ୟକାରୀ ହୋଇ ପାରିବ ନାହିଁ। ଲୋକେ ଜାଗା ଜମି ଛାଡ଼ିବାକୁ ଓ ବିସ୍ଥାପିତ ହେବାକୁ ନାରାଜ । ଆନ୍ଦୋଳନ କରୁଛନ୍ତି। ବଡ଼ ବଡ଼ ଯୋଜନା ସମୟ ନେଉଛି ଏବଂ ଜଳର ଉତ୍ସ ସୃଷ୍ଟି ହେଲେ ବି କେନାଲ ଖୋଳା ହେଇ ପାରୁ ନଥିବାରୁ ଜମିରେ ପାଣି ମାଡୁ ନାହିଁ। ସୁତରାଂ ଜଳସେଚିତ ଜମିର ପରିମାଣ ବଢାଇବାକୁ ହେଲେ ଚାଷୀର ଜମିରେ ସେଚ ପୋଖରୀ ଖୋଳି ବର୍ଷା ଜଳ ସଂଗ୍ରହ କରି ଜଳସେଚନର ଉତ୍ସ ସୃଷ୍ଟି କରିବା ସହ ପୋଖରୀରୁ ପାଣି ଉଠାଇବା ପାଇଁ ‘ସୋଲାର ପମ୍ପ’ ଲଗାଯାଇ ପାରିବ। ଏବେ ସୋଲାର ପମ୍ପର ଗୁଣାତ୍ମକମାନ ବିକାଶ ହେଲାଣି ଓ ମୂଲ୍ୟ ମଧ୍ୟ କମି ଆସିଲାଣି। ଡିଜେଲ୍ ଓ ବିଦ୍ୟୁତ୍‌ ଚାଳିତ ପମ୍ପ ପରି ସୋଲାର ପମ୍ପରେ ପୁନଃ ପୁନଃ ଖର୍ଚ୍ଚ କରିବାକୁ ପଡିବ ନାହିଁ। ଏହି ଯୋଜନାକୁ ଏନଆରଜିଏସ ସହ ଯୋଡିବାକୁ ଦିଆ ନଯାଉ। କାରଣ ଏନଆରଜିଏସ ଆଇନ ଅନୁଯାୟୀ ଯନ୍ତ୍ର ଲଗାଇ ପୋଖରୀ ଖୋଳା ହୋଇ ପାରିବ ନାହିଁ। ଆଜିକାଲି ଶ୍ରମିକମାନେ କୋଡ଼ି ଫାଉଡାରେ ମାଟି ଖୋଳି ମୁଣ୍ଡରେ ବୋହିବାକୁ ନାରାଜ। ତେଣୁ ଏକ ସ୍ବତନ୍ତ୍ର ସେଚ ପୋଖରୀ ଯୋଜନା କରି ଚାଷୀମାନେ ନିଜ ଜମିରେ ଯନ୍ତ୍ରରେ ପୋଖରୀ ଖୋଳନ୍ତୂ ଏବଂ ପାଣି ଉଠାଇବା ପାଇଁ ସୋଲାର ପମ୍ପ ଲଗାନ୍ତୁ। ଯାହା ଖର୍ଚ୍ଚ ହେବ ତାହାର ୫୦ ଭାଗ ରିଆତି ଆକାରରେ ସରକାର ଦିଅନ୍ତୁ।

ଏହି ପୋଖରୀରେ ଜୁନ ମାସ ଅଧାରୁ ଅକ୍ଟୋବର ଅଧା ପର୍ଯ୍ୟନ୍ତ ସଂଗୃହୀତ ହୋଇଥିବା ବର୍ଷା ଜଳ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ରହିବ। ଖରିଫ ଫସଲ ପରେ ସେହି ଜମିରେ ବିଭିନ୍ନ ପ୍ରକାର ରବି ଫସଲ, ପନିପରିବା ଆଦି ଅନ୍ୟାନ୍ୟ ଅର୍ଥକରୀ ଫସଲ ଚାଷ କରାଯାଇ ପାରିବ। ଏହି ଯେଉଁ ଫସଲ ଅମଳ ହେବ ତାକୁ କିଣିବା, ପ୍ରକ୍ରିୟାକରଣ କରିବା, ପ୍ୟାକେଜିଙ୍ଗ୍ ଓ ବିକ୍ରୟ କରିବା ଭାର ସଂଗଠନ ମାଧ୍ୟମରେ ହେବା ଆବଶ୍ୟକ। ଏବେ କୃଷକ ଉତ୍ପାଦକ ସଂଗଠନ ଗଠନ ହେଉଛି। ଏହି ସଂଗଠନ ନିଜ ନିଜ ଅଂଚଳରେ ଏହି ଦାୟିତ୍ବ ବହନ କରନ୍ତୁ। ମହିଳାମାନେ କୃଷି କ୍ଷେତ୍ରରେ ପ୍ରବେଶ ନକଲେ ଚାଷୀ ପରିବାରର ଆୟ ବଢିବ ନାହିଁ। ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ନିଜ ନିଜ ଗାଁର କୃଷି ଉତ୍ପାଦକୁ ଆଧାର କରି ତାହାର ପ୍ରକ୍ରିୟାକରଣ କରି ମୂଲ୍ୟଯୁକ୍ତ କରାନ୍ତୁ। ଦକ୍ଷତା ବିକାଶ ପ୍ରାଧିକରଣ ତରଫରୁ ସେହି ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କୁ ତାଲିମ ଦିଆ ଯାଉ। ଏହି ଜଳସେଚନ ପୋଖରୀରେ ମଧ୍ୟ ସୀମିତ ପରିମାଣରେ ମାଛଚାଷ କରାଯାଇ ପାରିବ। ମାଛଚାଷରୁ ମଧ୍ୟ କିଛି ଆୟ କରି ପାରିବ ଚାଷୀଟିଏ।

ଓଡ଼ିଶା ଚାଷୀର ଯେଉଁ ମାସିକ ଆୟ ୫,୧୧୨ ଟଙ୍କା ତାହା ପାଞ୍ଚଟି ସୂତ୍ରରୁ ଆସୁଛି – ମଜୁରିରୁ ୨,୬୪୯ ଟଙ୍କା,ଭାଗ ଦେଇଥିବା ଜମିର ଲିଜରୁ ୨୯ ଟଙ୍କା, ଫସଲ ଉତ୍ପାଦନରୁ ୧,୫୬୯ ଟଙ୍କା, ଗୋମେଷାଦି ପାଳନରୁ ୪୧୬ ଟଙ୍କା ଓ ଅଣକୃଷି ବ୍ୟବସାୟରୁ ୪୪୯ ଟଙ୍କା। ଯଦିଓ ଫସଲ ଉତ୍ପାଦନରୁ ଆୟ ମୋଟ ଆୟର ଏକ ତୃତୀୟାଂଶ, କେହି କେହି କହି ପାରନ୍ତି ଫସଲ ଉତ୍ପାଦନ ପ୍ରତି ଏତେ ଗୁରୁତ୍ୱ ଦେବା କାହିଁକି? କିନ୍ତୁ କଥାଟା ତାହା ନୁହେଁ। ଫସଲ ଉତ୍ପାଦନ ଅନ୍ୟ ଚାରିଗୋଟି ଆୟର ସୂତ୍ର ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଜଡିଡ। ଫସଲ ଉତ୍ପାଦନ ବଢ଼ିଲେ ଅନ୍ୟ ଚାରିଗୋଟି ସୂତ୍ରରୁ ମଧ୍ୟ ଆୟ ବଢିବ।

ସର୍ବଶେଷରେ କୁହାଯାଇ ପାରେ ଯେ, ଚାଷୀର ଆୟ ବୃଦ୍ଧି କରିବାକୁ ହେଲେ ଜଳସେଚନର ବ୍ୟବସ୍ଥା କରି ଖଣ୍ଡିଏ ଜମିରୁ ଏକାଧିକ ବାର ଚାଷକରି ଫସଲର ବିବିଧକରଣ କରିବାକୁ ହେବ। ଫସଲକୁ ମୂଲ୍ୟଯୁକ୍ତ କରି ବିକ୍ରି କରିବାକୁ ହେବ। ଏଥିପାଇଁ ଏକ ସମନ୍ୱିତ ଦୀର୍ଘମିଆଦୀ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟକାରୀ ନ କଲେ ହୁଏତ ଓଡ଼ିଶା ଚାଷୀର ଆୟ ଆହୁରି ହ୍ରାସ ପାଇବାର ସମ୍ଭାବନାକୁ ଏଡେଇବା କଷ୍ଟକର ହୋଇ ପଡ଼ିବ।

Comments are closed.