ଯୁକ୍ତି ନୁହେଁ ; ଯୁକ୍ତିର ଛଳନା

ସୁରେଶ ଚନ୍ଦ୍ର ବେହେରା

ଦୈନନ୍ଦିନ ଜୀବନରେ ଆମେ ପ୍ରାୟତଃ ନିଜ ନିଜ ଭିତରେ ଆଲୋଚନା କମ୍‍ ମାତ୍ର ଯୁକ୍ତି ବେଶି କରିଥାଉ। ଆଲୋଚନାରେ ଆମେ ସାଧାରଣତଃ କ’ଣ ଠିକ୍‍ ତାହା ନିର୍ଦ୍ଧାରଣ କରୁ; କିନ୍ତୁ ଯୁକ୍ତିରେ ‘କିଏ ଠିକ୍‍’ ତାହା ପ୍ରତିପାଦନ କରିବାକୁ ପ୍ରୟାସ କରୁ। ଯୁକ୍ତିର ଲକ୍ଷଣ କେବଳ ଅନ୍ୟ ପ୍ରତି ଦୋଷାରୋପ ବା ଅଭିଯୋଗ କରିବା। ଅନେକଙ୍କ ଯୁକ୍ତି ଖୁବ୍‍ ଅଜବ ଲାଗେ। ସେମାନେ କଦାପି ବାସ୍ତବତାକୁ ସ୍ୱୀକାର କରିପାରନ୍ତି ନାହିଁ। ଏହି ଜିଦ୍‍ଖୋର୍‍ ଭାବଟି ସେମାନଙ୍କର ଅଜ୍ଞତା। ଧରାରେ ଜନ୍ମ ନେଇଥିବା ପ୍ରତ୍ୟେକ ଜୀବ ଦିନେ ମରିବ, ଏ କଥା କିଏ ନ ଜାଣେ? ହେଲେ ଏହାକୁ କେବଳ ଏକ ଗଣିତ ସୂତ୍ର ଭାବେ ଅନେକେ ମନେ ରଖିଥା’ନ୍ତି, ଉପଲବ୍ଧି କରି ନଥା’ନ୍ତି। ତାହା ହୋଇଥିଲେ ଏତେ ଯୁକ୍ତିତର୍କ କାହିଁକି ହୁଅନ୍ତା? ଏ କଥା କହିବାର ଉଦ୍ଦେଶ୍ୟ ହେଉଛି- ଦିନେ ଏକ ଡାକ୍ତରଖାନାରେ ଏକା ସମୟରେ ଦୁଇଜଣ ବ୍ୟକ୍ତିଙ୍କର ମୃତ୍ୟୁ ହେଲା। କିଛି ସମୟ ପରେ ପ୍ରଥମ ମୃତ ବ୍ୟକ୍ତିଙ୍କ ସଂପର୍କୀୟମାନେ ଏକତ୍ର ହୋଇ ଯୁକ୍ତିକଲେ ଯେ, ସେମାନେ ଗରିବ ବୋଲି ତାଙ୍କଠାରୁ ଅଧିକ ଅର୍ଥ ନପାଇ ଡାକ୍ତର ଚିକିତ୍ସାରେ ଅବହେଳା କଲେ ଓ ରୋଗୀ ମରିଗଲା। ଦ୍ୱିତୀୟ ବ୍ୟକ୍ତି ଥିଲେ କୋଟିପତି। ତାଙ୍କ ଆତ୍ମୀୟମାନଙ୍କ ଯୁକ୍ତି ଥିଲା, ପ୍ରଚୁର ଅର୍ଥ ଖର୍ଚ୍ଚ କରିବା ସ​‌େ​‌ତ୍ତ୍ବ ଡାକ୍ତର ଯଥାର୍ଥ ଚିକିତ୍ସା କଲେ ନାହିଁ, ତେଣୁ ରୋଗୀ ମରିଗଲା। ସମାନ ଡାକ୍ତରଙ୍କ ପ୍ରତି ଦୁଇ ଭିନ୍ନ ଅଭିଯୋଗ। କାହାର ଯୁକ୍ତି ଠିକ୍‍?

ଦିନେ ଜଣେ ବିଜ୍ଞାନ ଶିକ୍ଷକ କହିଲେ – ମୁଁ ପୋଟାଟୋ (ଆଳୁ) ଓ ଟମାଟୋର ଜିନ୍‍କୁ ମିଶାଇ ଏକ ନୂତନ ପରିବାର ବୀଜ ତିଆରି କରିପାରିବି, ତାହା ହେବ ‘ପୋମାଟୋ’। ତାହା ଆଳୁ ପରି କଠିନ ହେବ ଓ ଶାଖାରେ ଫଳିବ। ତାହାକୁ ତରକାରି କଲେ ‘ଆଳୁ ଟମାଟୋ ରସା’ ପରି ସୁଆଦିଆ ହେବ। ଯୁକ୍ତିରେ ତ ଶିକ୍ଷକ ମହାଶୟ ସବୁକିଛି ସମ୍ଭବ ବୋଲି ପ୍ରମାଣ କରିଦେଲେ, ମାତ୍ର ତାଙ୍କୁ ଜିନ୍‍ କିପରି ସଂଗ୍ରହ କରାଯାଏ ସେ କୌଶଳ ଜଣା ନଥିଲା। ଏହି ପର୍ଯ୍ୟାୟର କିଛି ରାଜନୀତିକ ଦଳ ଜନତାଙ୍କୁ ଆକାଶ କଇଁଆ ଓ ଚିଲିକା ମାଛ ଦେବାକୁ ପ୍ରତିଶ୍ରୁତି ଦେଇ କ୍ଷମତା ହାସଲ କରନ୍ତି। ପରେ ପ୍ରତିଶ୍ରୁତି ରକ୍ଷା କରିନପାରି ନିଜ ଅପାରଗତାକୁ ଲୁଚାଇବା ପାଇଁ କେବଳ ବିତଣ୍ଡା ଯୁକ୍ତି କରନ୍ତି। ସେମାନଙ୍କ ଉର୍ବର ମସ୍ତିଷ୍କରେ ଜନତା ଓ ଜାତୀୟ ସଂପତ୍ତିକୁ ଲୁଟିବା ପାଇଁ ବୁଦ୍ଧି ଅଛି, ସମସ୍ୟା ସମାଧାନ ପାଇଁ କିଛି ନୂତନ ଉପାୟ ନାହିଁ। ଏ ପ୍ରସଙ୍ଗରେ ମୋର ବନ୍ଧୁ ନରେନ୍‍ ଫେସବୁକ୍‍ରେ ଲେଖିଥିଲେ– “ଆମେ ୨୫୦ ଟଙ୍କା ଦେଇ କରୋନା ଟିକା ନେବାକୁ ପ୍ରସ୍ତୁତ କିନ୍ତୁ ଟିକାକରଣ ନାମରେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଦରବୃଦ୍ଧି କରି ତୁମେ ଆଉ ଆମକୁ ଲୁଟନାହିଁ।” ଅବଶ୍ୟ ଇଏ ବି ଏକ ଯୁକ୍ତି କଲାଭଳି ଯୁକ୍ତି। ହେଲେ ଆମେ କେବଳ ଯୁକ୍ତିକୁ ସମାଲୋଚନାରେ ସୀମିତ ରଖିଦେଉଛୁ, ଏଥିରେ ବିହିତ ମାର୍ଗଦର୍ଶନ ରହିବା ବି ଆବଶ୍ୟକ।

ମଣିଷର ସ୍ୱଭାବସିଦ୍ଧ ଗୁଣ ହେଲା ଯୁକ୍ତି କରିବା। ସମ୍ଭବତଃ ଯୁକ୍ତି ହେଉଛି ଜ୍ଞାନୋଦୟର ପ୍ରଥମାବସ୍ଥା, ଏହାର ଅନ୍ତିମାବସ୍ଥା ନାହିଁ। ଅହଂକାରୀ ଓ ସନ୍ଦେହୀ ବ୍ୟକ୍ତିମାନେ କେବଳ ନିଜକୁ ସୁହାଉଥିବା କଥା ହିଁ କହନ୍ତି। ସେମାନଙ୍କୁ ଯୁକ୍ତିରେ ଜିଣିହେବ ନାହିଁ। ଯାହା ପ୍ରତି ତାଙ୍କ ଈର୍ଷା ଉପୁଜେ ସେ ବ୍ୟକ୍ତି ଯେଉଁଠି ପହଞ୍ଚନ୍ତି, ତା’ ପୂର୍ବରୁ ତାଙ୍କ ସମ୍ପର୍କିତ ଗୁଜବ ସେଠାରେ ପହଞ୍ଚାଇ ଦିଅନ୍ତି। ବାସ୍ତବ ଉଦାହରଣଟିଏ ଦେଉଛି : ଗୋଟିଏ ଜାଗାରେ ବାହାରୁ ଜଣେ ଜୈନ ସନ୍ନ୍ୟାସୀ ଆସି ଅବସ୍ଥାନ କଲେ। ସେ ଜ୍ଞାନୀ, କର୍ମଠ ଓ ନିର୍ଲୋଭ। କାହାଠାରୁ ଫଳଟିଏ ବି ସେ ଗ୍ରହଣ କରୁନଥିଲେ। ତାଙ୍କ ନିର୍ଲୋଭତାକୁ ଲୋକେ ଭୂରି ଭୂରି ପ୍ରଶଂସା କରୁଥିଲେ ଯାହାକି ସେ ଅଞ୍ଚଳର ଜଣେ ପ୍ରଭାବଶାଳୀ ପ୍ରତିବେଶୀଙ୍କ ଦେହରେ ଗଲା ନାହିଁ। ସେ ଭାବିଚିନ୍ତି ଏକ ଗୁଜବ ପ୍ରଚାର କଲେ ଯେ ସନ୍ନ୍ୟାସୀ କେବଳ ବିଦେଶୀ ଦ୍ରବ୍ୟ ଗ୍ରହଣ କରନ୍ତି, ଦେଶୀଫଳ ବି ସେ ଖାଆନ୍ତି ନାହିଁ। ବାସ୍‍, ଲୋକେ ମାତିଗଲେ ଏଇ ଗୁଜବରେ। ସମ୍ଭବତଃ ସନ୍ନ୍ୟାସୀ ଅପମାନିତ ବୋଧ କରି ସେ ସ୍ଥାନ ଛାଡ଼ି ଚାଲିଗଲେ।

ସବୁ ସମୟରେ ଗୋଟିଏ ବୃହତ୍‍ ମତାନ୍ଧ ଗୋଷ୍ଠୀ ଶାସ୍ତ୍ରକୁ ଶସ୍ତ୍ର ରୂପେ ବ୍ୟବହାର କରି ନିଜ ଯୁକ୍ତିକୁ ବଳିଷ୍ଠ କରନ୍ତି। ବିପୁଳ ଶାସ୍ତ୍ର -ଭୀରୁ ଜନତା ଏସବୁକୁ ଆଖିବୁଜି ମାନି ନିଅନ୍ତି। ଫଳତଃ ଅନେକ ସମୟରେ ଏମାନଙ୍କର ଶିକାର ପାଲଟି ଯାଆନ୍ତି ନୂଆ କଥା କହୁଥିବା କିିିଛି କ୍ରାନ୍ତିକାରୀ ଲୋକ। ଊନବିଂଶ ଶତାବ୍ଦୀର ଶେଷ ଦଶକର କଥା, ଆମେରିକାର ଜଣେ ବ୍ୟକ୍ତି ଘୋଷଣା କଲେ ଯେ ଦିନେ ମଣିଷ ପକ୍ଷୀ ପରି ଆକାଶରେ ଉଡ଼ିପାରିବ। ଏପରି ଈଶ୍ୱରଦ୍ରୋହୀ ଘୋଷଣା ପାଇଁ ତତ୍କାଳୀନ ୟୁନାଇଟେଡ଼୍‍ ବ୍ରିଦ୍ରନ ଚର୍ଚ୍ଚର ବିଶପ୍‍ ମିଲ୍‍ଟନ୍‍ ତାଙ୍କ ବିରୋଧରେ କଠୋର ଦଣ୍ଡାଦେଶ ଶୁଣାଇଥିଲେ। ଏହି ଘଟଣାର ପ୍ରାୟ ୪ ବର୍ଷ ପରେ ୧୯୦୩ ମସିହା ଡିସେମ୍ବର ୧୭ ତାରିଖରେ ଅର୍ଭିଲ୍‍ ରାଇଟ୍‍ ଓ ୱିଲବର୍‍ ରାଇଟ୍‍ ୮୫୨ ଫୁଟ୍‍ ଉଚ୍ଚ ଆକାଶରେ ୫୯ ସେକେଣ୍ଡ୍‍ ପାଇଁ ନିଜ ତିଆରି ବିମାନରେ ଉଡ଼ି ପାରିଥିଲେ। କହିବା ବାହୁଲ୍ୟ, ଏହି ରାଇଟ୍‍ ଭ୍ରାତୃଦ୍ୱୟ ଥିଲେ ବିଶପ୍‍ ମିଲଟନ୍‍ଙ୍କ ଦୁଇପୁତ୍ର।

ଆଜି ଏକବିଂଶ ଶତାବ୍ଦୀରେ ବି ଅଗଣିତ ମଣିଷ ପୋଷାକ, ପରିପାଟୀ ଓ ନୂତନ ବିଳାସ ସାମଗ୍ରୀ ବ୍ୟବହାରରେ ବେଶ୍‍ ଆଧୁନିକ ମାତ୍ର ବିଚାରଧାରାରେ ଖୁବ୍‍ ପ୍ରାଚୀନ। ଏମାନଙ୍କଦ୍ୱାରା ସମାଜ ଓ ରାଷ୍ଟ୍ରର ଉନ୍ନତି ହେବନାହିଁ। ଏକ ନିର୍ଦିଷ୍ଟ ଧର୍ମ ଓ ରାଜନୀତି ସମ୍ବନ୍ଧରେ ନିଜର ବ୍ୟକ୍ତିଗତ ବିଶ୍ୱାସ ପ୍ରତି ଏମାନେ ଖୁବ୍‍ ଆସକ୍ତ। ତାହାକୁ ଯଥାର୍ଥ ବୋଲି ପ୍ରମାଣ କରିବାକୁ ଏମାନେ କେବଳ ଯୁକ୍ତିକୁ ଅସ୍ତ୍ର ରୂପେ ବ୍ୟବହାର କରନ୍ତି। ସେସବୁ ଯୁକ୍ତି ନିରପେକ୍ଷ ବା ସାର୍ବଜନୀନ ନୁହେଁ। ଏମାନେ ନୂଆ ନୂଆ ଚିନ୍ତାର ଅଭ୍ୟାସ କରିବାକୁ ଅକ୍ଷମ। ପରିବର୍ତ୍ତନକୁ ମଧ୍ୟ ସ୍ୱୀକାର କରିବାକୁ ଏମାନେ ଅନାଗ୍ରହୀ। ନୂତନ ପିଢ଼ି ଆଜି ବିଶ୍ୱମୁଖୀ। ସେମାନେ ବିଶ୍ୱ ସମୁଦାୟ ସହ ସଂଯୋଜିତ ହେବାକୁ ଚାହାନ୍ତି। ସେମାନେ ଯଦି ଜାନୁଆରୀ -୧ରେ ନୂଆବର୍ଷ ଉତ୍ସବ ପାଳନ କଲେ, ସେଥିରେ ଅସୁବିଧା କ’ଣ? ଯେଉଁ ଅବସରରେ ସମସ୍ତେ ଉତ୍ସାହିତ ହୁଅନ୍ତି ତାହା ତ ଉତ୍ସବ।

ସମାଜରେ ସମସ୍ୟା ଅଧିକରୁ ଅଧିକ ବଢ଼ୁଥିବ କିନ୍ତୁ ସୁବିଧାବାଦୀ ଚତୁର ମଣିଷ ଏହାକୁ ଖାତିର କରୁନଥିବ। ଏଇ ଚତୁରମାନଙ୍କ ଅପକର୍ମର ପରିଣତି ଦୃଶ୍ୟମାନ ହେଲେ ମଧ୍ୟ ଆମ୍ଭେମାନେ ମୂଳକାରଣରୁ ପଳାୟନପନ୍ଥୀ ହୋଇ ସେଥିରୁ ଦୂରେଇ ରହୁଛୁ। ସମାଜର କଲ୍ୟାଣ ନିମନ୍ତେ ଚତୁରମାନେ ଏପରି ଆଚରଣରୁ ନିବୃତ୍ତ ହୁଅନ୍ତୁ। ଏହା ବୁଝି ସଂଯମ ଆଚରଣ କରନ୍ତୁ ଓ ନିଜ ପାଇଁ ଉଚିତ ମାର୍ଗ ନିର୍ଦ୍ଧାରଣ କରନ୍ତୁ।

Comments are closed.