ମନୋଜ ଦାସ: ଅନେକ ବିଶ୍ବର ସନ୍ଧାନ

ସଚ୍ଚିଦାନନ୍ଦ ମହାନ୍ତି

୧୯୬୫ ମସିହାର ଶୀତ ଋତୁ । ମୋ ମା’ଙ୍କ ନିଷ୍ପତ୍ତି ପରେ ଆମ ପରିବାର ପଣ୍ଡିଚେରୀ ଯାଉଥାଉ । ମା’ ପ୍ରଖ୍ୟାତ କବି ଆଦର୍ଶର ମୂର୍ତ୍ତିମନ୍ତ ପ୍ରତୀକ ଶ୍ରୀମତୀ ବିଦ୍ୟୁତ୍ ପ୍ରଭା ଦେବୀ । ତାଙ୍କର ଇଚ୍ଛା ତାଙ୍କ ପିଲାମାନେ ଶ୍ରୀ ଅରବିନ୍ଦ ଆଶ୍ରମ ବିଦ୍ୟାଳୟର ଆଦର୍ଶ ବାତାବରଣ ମଧ୍ୟରେ ବିଦ୍ୟାଧ୍ୟୟନ କରିବେ। ସୁତରାଂ ଆମ ଯାତ୍ରାର ଉଦ୍ଦେଶ୍ୟ ଥାଏ ଆଶ୍ରମ ବିଦ୍ୟାଳୟ ଓ ଏହାର ସୁବିଧାସୁଯୋଗ ବିଷୟରେ ଜାଣିବା। ଇତିମଧ୍ୟରେ ବର୍ଷାଧିକ ସମୟ ଅତିବାହିତ ହୋଇ ଯାଇଥିବାରୁ ସେଦିନର ଯାତ୍ରା ଓ ପଣ୍ଡିଚେରୀରେ ପହଞ୍ଚିବାର ଘଟଣାଗୁଡ଼ିକ ବିଷୟରେ ଟିକିନିିଖି ଅନେକ କଥା ମୁଁ ଭୁଲିଗଲିଣି ; କିନ୍ତୁ ମୋର ଠିକ୍ ମନେ ଅଛି ପଣ୍ଡିଚେରୀର ପହଞ୍ଚିବା ବେଳକୁ ସନ୍ଧ୍ୟା। ସନ୍ଧ୍ୟା ପରେ ଆମେ ନୂଆକରି ତିଆରି ହୋଇଥିବା ହଷ୍ଟେଲଗୃହକୁ ଗଲୁ। ତାହା ଆଶ୍ରମ ପରିସରରେ ଓଡ଼ିଶାରୁ ଆସିଥିବା ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ ଥାଏ। ଠିକ୍ ତା’ ପରେ ଆଶ୍ରମର ପ୍ଲେ ଗ୍ରାଉଣ୍ଡରେ ମୁଁ ମୋ ଜୀବନର ପ୍ରଥମ ଇଂରାଜୀ ଚଳଚ୍ଚିତ୍ର ଦେଖିଲି। Wild West ଚଳଚ୍ଚିତ୍ର ‘ Billy the Kid’ ଦେଖି ମୁଁ ଆଶ୍ଚର୍ଯ୍ୟାନ୍ବିତ ହୋଇଥିଲି। ଏପରି ଅନୁଭବ ପୂର୍ବରୁ କେବେ ତ ହୋଇ ନ ଥିଲା।

ପ୍ରଥମକରି ମୋର ସୀମିତ ପରିସରରୁ ବାହାରି ମୁଁ ଏକ ଗୋଷ୍ଠୀଗତ ପରିବେଶକୁ ପାଖରେ ପାଇଥାଏ। ସେ ଅନୁଭବ ମୋତେ ଗଭୀର ଭାବରେ ପ୍ରଭାବିତ କରୁଥାଏ। ଏହା ବାହ୍ୟ ଜୀବନର ତଥାକଥିତ ବିବାହ ଭୋଜି ବା ସାମାଜିକ ପର୍ବପର୍ବାଣି ସମ୍ପର୍କିତ ମିଳନପର୍ବ ପରି ନୁହେଁ । ଭାଷା ଓ ସଂସ୍କୃତି ନିର୍ବିଶେଷରେ ପଣ୍ଡିଚେରୀର ଏକ ଆଧ୍ୟାତ୍ମିକ ଜୀବନରେ ବ୍ରତୀ ହେବା ପାଇଁ ସମସ୍ତେ ଆସିଥାନ୍ତି। ଏହା ପାରମ୍ପରିକ ଧାର୍ମିକ ମିଳନ ପର୍ବ ଅଥବା ଚିରାଚରିତ ଧର୍ମାନୁଷ୍ଠାନଠାରୁ ସମ୍ପୂର୍ଣ ଭିନ୍ନ। ମୋର ମନେ ହେଉଥାଏ ପବନରେ ଯେମିତି ମୁକ୍ତି ଓ ଆନନ୍ଦ। ଆଉ ଭଲକରି ମନେ ଅଛି ସେଦିନର ଆଶ୍ରମର ପରିବେଶ, ସମାଧିର ଦିବ୍ୟ ଆଭାସ, ଡାଇନିଂ ହଲ୍, ପ୍ଲେ ଗ୍ରାଉଣ୍ଡ ଏବଂ ମନେ ଅଛନ୍ତି ମନୋଜ ଦାସ ଓ ତାଙ୍କ ଜୀବନ ସଙ୍ଗିନୀ ପ୍ରତିଜ୍ଞା ଦେବୀ। ସେମାନେ ଦୁହେଁ ଓଡ଼ିଶା ବୋର୍ଡିଂର ଦାୟିତ୍ୱରେ ଥିଲେ। ମନୋଜ ଦାସଙ୍କ ସହିତ ମୋର ପ୍ରଥମ ସାକ୍ଷାତ ଏପରି ସମ୍ଭବ ହୋଇଥିଲା।

୧୯୬୬ ମସିହା : ଶ୍ରୀ ଅରବିନ୍ଦ ଆଶ୍ରମ ଅନ୍ତର୍ଜାତୀୟ ଶିକ୍ଷାକେନ୍ଦ୍ର ଓ ହୋମ୍ ଅଫ୍ ପ୍ରୋଗ୍ରେସ ଅଳ୍ପଦିନ ପରେ ଆମେ ଭୁବନେଶ୍ୱର ଫେରି ଆସିଲୁ। ମୁଁ ମୋର ସ୍କୁଲ, ପଢ଼ାପଢ଼ି ଓ ଖେଳକୁଦରେ ମଜ୍ଜି ରହି ପ୍ରାୟ ଭୁଲି ଗଲି ମୋର ଯାତ୍ରାକାଳୀନ ଅନନ୍ୟ ଅନୁଭୂତି। ୧୯୬୬ ସେପ୍ଟେମ୍ବର ବେଳକୁ ମା’ ସୂଚନା ଦେଲେ ମୁଁ ଓ ମୋ ବଡ ଭଉଣୀ ମିନତି ଆଶ୍ରମ ବିଦ୍ୟାଳୟକୁ ଅଧ୍ୟୟନ ନିମନ୍ତେ ଯିବୁ। ଗୋଟିଏ ନିର୍ଦିଷ୍ଟ କାରଣ ଶୁଣି ପୁଲକିତ ହୋଇ ଉଠିଲି ଯେ ଆଶ୍ରମ ସ୍କୁଲରେ ଦଣ୍ଡ ବ୍ୟବସ୍ଥା ନାହିଁ। ଆମର ପୂରା ପରିବାର ସେହି ବର୍ଷ ଡିସେମ୍ବରରେ ପଣ୍ଡିଚେରୀ ଅଭିମୁଖେ ବାହାରିଲୁ। ଭାଇ ଭଉଣୀ ଦୁହେଁ ହୋମ୍ ଅଫ୍ ପ୍ରୋଗ୍ରେସ୍‌ରେ ରହିଲୁ। ଶ୍ରୀମା’ଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ହୋମ୍ ଅଫ୍ ପ୍ରୋଗ୍ରେସ୍ ନୂଆ କରି ତିଆରି ହୋଇଥାଏ। ଓଡ଼ିଶା ବୋର୍ଡ଼ିଂ ବୋଲି ମଧ୍ୟ ଏହାକୁ କୁହାଯାଉଥାଏ। ବିଦାୟ ଘେନିଲାବେଳେ ମୋ ମା କହିଲେ, ‘ଏଣିକି ମନୋଜ ବାବୁ ଓ ପ୍ରତିଜ୍ଞା ଦେବୀ ତୁମର ପିତାମାତା। ତାଙ୍କ ସହିତ ସେମିତି ଆଚରଣ କରିବ ଓ ସମ୍ମାନ ଦେବ !’ କିଞ୍ଚିତ୍‌ ଆଗକୁ ଯାଇ କହିବି ଯେ ସେତେେବଳର ଓଡ଼ିଆ ପିତାମାତା ପିଲାଙ୍କୁ ଆଶ୍ରମରେ ଛାଡି ବିଦାୟ ନେବାବେଳେ ଏପରି ଆଚରଣ କରି ପାରିଥିଲେ ।

ଅନ୍ତେବାସୀମାନଙ୍କ ପାଇଁ ସେମାନଙ୍କର ହୋମ୍ ଅଫ୍ ପ୍ରୋଗ୍ରେସ ଘର ବାହାରେ ଅନ୍ୟ ଏକ ଘର ଥିଲା। ଜୀବନର ପରବର୍ତ୍ତୀ ସୋପାନରେ ପହଞ୍ଚି ଆମେ ଯେବେ ମନେ ପକାଉ, ମନେହୁଏ ଜୀବନର ଯାବତୀୟ ହସଖୁସି, ଆନନ୍ଦ ଉଲ୍ଲାସ, ଅଧ୍ୟୟନ, କାହାଣୀ ଶୁଣିବାର ମନନଶୀଳତା ଓ ଦୁଷ୍ଟାମିର ଘର ଥିଲା ଆମର ହୋମ୍ ଅଫ୍ ପ୍ରୋଗ୍ରେସ୍। ତେବେ ଆଶ୍ରମରେ ଅଧ୍ୟୟନ କହିଲେ ଯାହା ବୁଝାଯାଏ ଯଥା ସୃଜନଶୀଳତା, ସାର୍ବଜନୀନ ଗ୍ରହଣଶୀଳତା ଓ ମହାଭାରତୀୟ ପରମ୍ପରାର ଅବବୋଧ ତଥା ଏହାର ସୁଦୂରପ୍ରସାରୀ ପ୍ରଭାବର ଭିତ୍ତିପ୍ରସ୍ତର ମନୋଜ ଦାସ ଓ ପ୍ରତିଜ୍ଞା ଦେବୀଙ୍କ ଦ୍ବାରା ହିଁ ସମ୍ଭବ ହୋଇପାରିଥିଲା। ସେ ଦୁହେଁ ଆମମାନଙ୍କ ମଧ୍ୟରେ ସେସବୁ ଅବବୋଧ ଓ ପ୍ରଭାବକୁ ହୃଦୟଙ୍ଗମ କରିଉଠିିବାରେ ଯୋଗ୍ୟ ହେବା ନିମିତ୍ତ ସତେ ଅବା ହାତରେ ଗଢ଼ି ତିଆରି କରୁଥିଲେ। ଅର୍ଥାତ୍ ଆମେ ଥିଲୁ ସଯତ୍ନ ଲାଳିତ। ଦେହପା ଖରାପ ହେଲେ ଏକୁଟିଆ ଲାଗେନା। ସେଇ ସମୟରେ ‘ହୋମ୍’ର ଟେରାସରେ କାହାଣୀ ଶୁଣିବାର ଉଲ୍ଲାସ କାହିଁରେ କ’ଣ। ବିଶେଷତଃ ଧ୍ରୁବ, ପ୍ରହଲ୍ଲାଦ, ବିଲ୍ବମଙ୍ଗଳ ଏପରି ଅନେକଙ୍କ ବିଷୟରେ ଆତ୍ମଜୀବନୀମୂଳକ କାହାଣୀ ଶୁଣୁ ଶୁଣୁ ଭୁଲି ହୋଇଯାଏ ଦେହ ଖରାପର କଥା। ଆମେ ଗପଶୁଣାରେ ହିଁ ତଲ୍କୀନ ରହୁ। ଏସବୁ ଦାୟିତ୍ବ ଅତ୍ୟନ୍ତ ସ୍ନେହଭରେ ସମ୍ପାଦନ କରୁ ଥାଆନ୍ତି ମନୋଜ ଦାସ ଓ ପ୍ରତିଜ୍ଞା ଅପା।

ହୋମ୍ ଅଫ୍ ପ୍ରୋଗ୍ରେସ୍ ଶ୍ରେଣୀ, ବର୍ଗ, ପ୍ରତିଷ୍ଠା ଓ ପ୍ରତିପତ୍ତି ନିର୍ବିଶେଷରେ ବାହାର ପୃଥିବୀର ଯାବତୀୟ ହଇଚଇଠାରୁ ଦୂରରେ ବିଭିନ୍ନତା ମଧ୍ୟରେ ଏକତାର ପୃଷ୍ଠଭୂମି ଥିଲା। ଏହାର ସବୁଯାକ ଶ୍ରେୟ ଆମର କେୟାରଟେକର ଦାୟିତ୍ବ ନିର୍ବାହ କରୁଥିବା ମନୋଜ ଦାସ ଓ ପ୍ରତିଜ୍ଞା ଅପାଙ୍କର ।

ଶ୍ରେଣୀ ଓ ପ୍ରତିଷ୍ଠା କବଳିତ ସମାଜ ବ୍ୟବସ୍ଥାରୁ ଆସି ଆମେ ସୁନ୍ଦର ଭାବରେ ଆଶ୍ରମର ଏକ ଜୀବନଶୈଳୀ ମଧ୍ୟରେ ସମ୍ମିଳିତ ହୋଇ ଯାଇଥିଲୁ। ସେଠାରେ କୌଣସି ପାତର ଅନ୍ତର ନ ଥିଲା। ଆମେ ଏଥିପାଇଁ ଏକାନ୍ତ ଭାବରେ ଆମର ଆଶ୍ରମ ଅଭିଭାବକ ଦୁହିଁଙ୍କ ପ୍ରତି କୃତଜ୍ଞ। ପ୍ରତିଜ୍ଞା ଅପା ଯିଏ ଆଶ୍ରମର ସମଗ୍ର ଓଡ଼ିଆମାନଙ୍କ ‘ଅପା’ ଥିଲେ ସିଏ ଖାଦ୍ୟପେୟ, ବେଶପୋଷକ, ଅଧ୍ୟୟନ ଓ ଅବସର ବିନୋଦନ ସମୟରେ ଆମର ତଥା ହଷ୍ଟେଲର ପରିଷ୍କାର ପରିଚ୍ଛନ୍ନତା ପ୍ରତି ବିଶେଷ ଦୃଷ୍ଟି ଦେଉଥିଲେ । ତା’ ସହିତ ଆମେ ସମସ୍ତେ ଶୋଇଯିବା ପର୍ଯ୍ୟନ୍ତ ବେଶ୍ ଦୀର୍ଘ ରାତ୍ରୀ ଯାଏ ମନୋଜ ଦାସଙ୍କ ନଜର ଜାଗ୍ରତ ପ୍ରହରୀ ସମ ଆମ ଉପରେ କେନ୍ଦ୍ରୀଭୂତ ଥିଲା। ଖଦ୍ୟଗ୍ରହଣ, ଅଧ୍ୟୟନ ଓ ଶୋଇବାର ନିର୍ଘଣ୍ଟକୁ କଡାକଡି ପାଳନ କରାଯାଉଥିଲା। ଆମେ ଶଯ୍ୟାରେ ମନୋଜ ଦାସଙ୍କ ପାଦ ଶବ୍ଦ ଶୁଣି ଶୁଣି ରାତିରେ ଶୋଇପଡ଼ୁଥିଲୁ। ଅନ୍ୟ ଅନେକ କାରଣ ପାଇଁ ଆମେ ହୋମ୍ ଅଫ୍ ପ୍ରୋଗ୍ରେସ ପ୍ରତି ସଦା କୃତଜ୍ଞ। ଯେତେବେଳେ ଆମେ ଇଂରାଜୀ, ଫ୍ରେଞ୍ଚ୍ ତଥା ବିଭିନ୍ନ ପ୍ରକାରର ଭାରତୀୟ ଭାଷାରେ ଆଶ୍ରମ ବିଦ୍ୟାଳୟରେ କଥାବାର୍ତ୍ତା କରିବା ଶିଖୁଥିଲୁ, ବିଦ୍ୟାଳୟରୁ ଫେରି ନିଜ ବାସସ୍ଥାନରେ ଓଡ଼ିଆ କହିବା ଓ ସର୍ଜନାତ୍ମକ ଲେଖା ଲେଖିବାରେ କିପରି ଦକ୍ଷତା ଅର୍ଜନ କରିବାକୁ ହୁଏ ସେସବୁ ପ୍ରତି ଧ୍ୟାନସ୍ଥ ଓ ମନସ୍ଥ ରହିବାକୁ ସ୍ବତନ୍ତ୍ର ନି​‌େ​‌ର୍ଦଶର ପାଳନ କରା ଯାଉଥିଲା। ଆମର ପାଠ୍ୟକ୍ରମରେ ମାତୃଭାଷାରେ ବହୁପୂର୍ବରୁ ଶିକ୍ଷାରମ୍ଭ କରାଯିବା ପରେ ବିବିଧ ଭାଷା ଶିକ୍ଷା ରହିଥିଲା। ଔପନିବେଶିକତାର ପରବର୍ତ୍ତୀ ସମୟରେ ଭାଷାର ନୂତନ ପରିବର୍ତ୍ତନ, ମୂଳ ଭାଷା ଓ ସଂସ୍କୃତିର ସମନ୍ବୟ ବିଷୟରେ ଏର୍ଡୱାର୍ଡ ସାଇଡ୍‌ ଓ ଷ୍ଟିଫେନ ଗ୍ରିନବ୍ଲାଟଙ୍କ ପରି ସାଂସ୍କୃତିକ ବିଶାରଦମାନେ ପରବର୍ତ୍ତୀ ସମୟରେ ମତ ପ୍ରକାଶ କଲେ । ଏହାର ଅନେକ ପୂର୍ବରୁ ଶ୍ରୀ ଅରବିନ୍ଦ ଶିକ୍ଷା ଓ ସଂସ୍କୃତି ସମ୍ପର୍କରେ ଅପରୂପ ଆଲୋଚନା କରି ସାରିଥିଲେ। ମନୋଜ ଦାସ ଏହି ପରମ୍ପରାର ଅନ୍ୟତମ ଅନୁଗାମୀ ଥିଲେ। ଆଜୀବନ ସେ ବହୁଭାଷୀ ଥିଲେ।

୧୯୬୮ରେ ଶ୍ରୀ ମା’ ଉଷା ନଗରୀ ଅରୋଭିଲର ଉଦ୍‌ଘାଟନ କଲେ। ଏକ ସଂସ୍କୃତିର ମଞ୍ଚରେ ବିଶ୍ୱର ବିଭିନ୍ନ ଭାଷାଭାଷୀ ଓ ବହୁବିଧ ସଂସ୍କୃତିର ସମନ୍ୱୟ କେନ୍ଦ୍ର ଆରୋଭିଲ । The Ideal of Human Unity ରେ ଶ୍ରୀ ଅରବିନ୍ଦ ଶିକ୍ଷା ଓ ସଂସ୍କୃତି ମାଧ୍ୟମରେ ଯେଉଁ ବିଭିନ୍ନତା ମଧ୍ୟରେ ଏକତାର କଥା କହିଛନ୍ତି ମା’ ଙ୍କର ଅରୋଭିଲ ତାହାର ପ୍ରତୀକ ।

ମନୋଜ ଦାସ ଆଶ୍ରମରେ କେବଳ ପ୍ରୋଗ୍ରେସ ହୋମ୍‌ର ପରିଚାଳନା ଦାୟିତ୍ୱରେ ନିୟୋଜିତ ନ ଥିଲେ। ତାଙ୍କର କାର୍ଯ୍ୟପରିସର ବ୍ୟାପକ ଥିଲା। ଜୀବନରେ ପ୍ରଥମ ଥର ପାଇଁ ମୁଁ ଜଣେ ଲେଖକର ଜୀବନକୁ ନିକଟରୁ ଦେଖୁଥିଲି। ତୃତୀୟ ମହଲାର ଏକ ଗୋଟିକିଆ କୋଠରିରେ ସେ ରହୁଥାନ୍ତି । ତାହାର ଠିକ୍ ପରବର୍ତ୍ତୀ ହଲ ଉଚ୍ଚଶ୍ରେଣୀର ଛାତ୍ରମାନଙ୍କ ପାଇଁ ଉଦ୍ଦିଷ୍ଟ ଥିଲା। ସେ ନିଜ ଗୋଟିଏ ଷ୍ଟୋର କମ୍ ଡ୍ରେସିଂ କକ୍ଷ ବ୍ୟବହାର କରୁଥିଲେ ଏବଂ ଖାସ୍ ତାଙ୍କ ନିମନ୍ତେ ଉଦ୍ଦିଷ୍ଟ ଥାଏ ଏକ ସ୍ନାନାଗାର। ସ୍ନାନାଗାରଟି ଆମେ ରହୁଥିବା ମହଲାରେ। ଅପାଙ୍କ କୋଠରିଟି ମଧ୍ୟ ସେମିତି ଗୋଟିକିଆ। ଦ୍ବିତୀୟ ମହଲାରେ। ଲମ୍ବା ଓ ପ୍ରଶସ୍ତ। ସେଠାରେ ଛୋଟ ପିଲାମାନଙ୍କ ଅବାଧ ପ୍ରବେଶ ଓ ପ୍ରସ୍ଥାନ। ସର୍ବୋପରି ସେ ଥିଲେ ସମସ୍ତଙ୍କ ମା’ ଓ ତାଙ୍କ କୋଠରି ସମସ୍ତଙ୍କ ନିମନ୍ତେ ସଦା ଉନ୍ମୁକ୍ତ ଥିଲା।

ମନୋଜ ଦାସଙ୍କ ପଢା କୋଠରିର ଦିଭାନ ଓ ଟେବୁଲ୍ ଉପରେ ବହି, ପତ୍ରପତ୍ରିକା ଓ ଖବର କାଗଜ ସବୁବେଳେ ଜମା ହୋଇଥାଏ। ଯେଉଁ ସମୟରେ ସେ ଆମ ପାଖରେ ନ ଥାଆନ୍ତି ଆଶ୍ରମର ବୃତ୍ତିଗତ ଓ ବ୍ୟକ୍ତିଗତ କାର୍ଯ୍ୟ ଓ ଦାୟିତ୍ବରୁ ଅବ୍ୟାହତି ନେଇଥାନ୍ତି, ସେତେବେଳେ ସେ ମିଳନ୍ତି ତାଙ୍କ ଡେସ୍କଟି ପାଖରେ। ଶାନ୍ତ, ଭାବନାମଗ୍ନ, ପଢାପଢିରେ ନିମଗ୍ନ, ସ୍ମୃତିଶୀଳ ଓ ଲେଖାଲେଖିରେ ବ୍ୟସ୍ତ। ପାଖରେ ଥାଏ ଟାଇପ୍ ରାଇଟର୍ ଟିଏ। ତାଙ୍କର ମହାନତା, ପ୍ରଜ୍ଞାଶୀଳ ଓ ସମ୍ଭ୍ରମ ବ୍ୟଙ୍ଗାତ୍ମାକ ଆଚରଣ ତଥା ଆଳାପ ଅନ୍ତେବାସୀମାନଙ୍କ ଗହଣରେ ତାଙ୍କୁ ସ୍ବତନ୍ତ୍ର ସମ୍ମାନ ଓ ମର୍ଯ୍ୟାଦାର ଅଧିକାରୀ କରି ପାରିଥିଲା। ତାଙ୍କଠାରୁ ଆମେ ଯେଉଁ ଶିକ୍ଷା ଲାଭ କରିଥିଲୁ ତାହା ପରବର୍ତ୍ତୀ ସମୟରେ ଆମର ଦୃଷ୍ଟିଭଙ୍ଗୀ, ବ୍ୟକ୍ତିତ୍ବ ବିକାଶରେ ସହାୟକ ହୋଇଛି। ତାଙ୍କ ଠାରୁ ଏମିତି ଜ୍ଞାନ ଆମକୁ ମିଳିଛି ଯାହା ଆଜୀବନ ଆମର ପରମ ସମ୍ପଦ ହୋଇ ରହିଛି ଓ ଆମେ ସେସବୁ କେବେ ଭୁଲି ପାରିନାହୁଁ। ଯଦିଓ ସେତେବେଳେ ମୋର ବୟସ ସେତେ ଅଧିକ ହୋଇ ନ ଥାଏ କିନ୍ତୁ ମୁଁ ଜାଣି ପାରୁଥାଏ ମୁଁ ଜଣେ ମହାନ୍ ସାହିତ୍ୟିକଙ୍କ ସାନ୍ନିଧ୍ୟ ପାଇପାରୁଛି ଯିଏ ତାଙ୍କର ସର୍ଜନାତ୍ମକତା ନିମନ୍ତେ ବେଶ୍ ପ୍ରଖ୍ୟାତ। ଦୀର୍ଘବର୍ଷ ଧରି ସେ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଯେଉଁ ଗଳ୍ପ ସଂକଳନ ଓ ଉପନ୍ୟାସ ସବୁ ଲେଖିଯାଇଛନ୍ତି ତାହା ତାଙ୍କୁ ଯେପରି ଖ୍ୟାତି ଆଣି ଦେଇଛି ତାହା ବିରଳ। ଗ୍ରହମ୍ ଗ୍ରୀନ, ଆର. କେ. ନାରାୟଣ ଓ କେ. ଆର୍. ଶ୍ରୀନିବାସ ଆୟେଙ୍ଗରଙ୍କ ପରି ଯଶସ୍ବୀ ଓ ବିଶିଷ୍ଟ ସାହିତ୍ୟସ୍ରଷ୍ଟାଙ୍କ ଦ୍ବାରା ମନୋଜ ଦାସ ଉଚ୍ଚ ପ୍ରଶଂସିତ ହୋଇଛନ୍ତି ଏବଂ ନିଜର ବିରଳ ପ୍ରତିଭା ଓ ନିଷ୍ଠା ଦ୍ବାରା ସେ ଅନନ୍ୟ ହୋଇ ପାରିଛନ୍ତି । ମାର୍କସବାଦ ଦ୍ବାରା ପ୍ରଭାବିତ ମନୋଜ ଦାସ ସେହି ସମୟର କଟକ ଆଇନ ବିଶ୍ବବଦ୍ୟାଳୟର ସଭାପତି, ଷ୍ଟୁଡେଣ୍ଟ୍ ଫେଡେରେସନ୍ ଅଫ୍ ଇଣ୍ଡିଆର ଜେନେରାଲ ସେକ୍ରେଟାରୀ ଏବଂ ୧୯୫୬ରେ ଇଣ୍ଡୋନେସିଆ ସ୍ଥିତ ବାଦୁଙ୍ଗ ଗସ୍ତକରି ଆଫ୍ରୋ- ଏସିଆ ଷ୍ଟୁଡେଣ୍ଟସ୍‌ କନଫରେନ୍ସରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ଜୀବନର ପ୍ରାରମ୍ଭିକ ପର୍ଯ୍ୟାୟରେ ମନୋଜ ଦାସ ନାସ୍ତିକ ଥିଲେ। ଈଶ୍ୱରଙ୍କ ଅସ୍ତିତ୍ବ ସମ୍ପର୍କରେ ସେ ଅନେକ ଯୁକ୍ତିବାଦୀ ମତ ଉପସ୍ଥାପନ କରିଛନ୍ତି। ଏକତ୍ର ବଡ଼ଭାଇ ପ୍ରଫେସର ମନ୍ମଥନାଥ ଦାସ୍ ସ୍ମୃତିଚାରଣ କରିଛନ୍ତି ଯେ ସ୍ବଗ୍ରାମ ଶଙ୍ଖାରିରେ ଏଇ ପ୍ରସଙ୍ଗରେ ମନୋଜ ଓ ପିତାଙ୍କ ମଧ୍ୟରେ ମତାନ୍ତର ଘଟିଥିଲା। ପିତା ନିଜ ଗ୍ରାମରେ କୁଳଦେବୀଙ୍କ ମନ୍ଦିର ପ୍ରତିଷ୍ଠା କରିବାର ନିଷ୍ପତ୍ତି ନେଇଥିଲେ। ସେ ସମୟର ମନୋଜ ଏହାକୁ ଦୃଢ଼ ବିରୋଧ କରିଥିଲେ। ତାଙ୍କର ଯୁକ୍ତି ଥିଲା ଯେ ଯେତେବଳେ ଈଶ୍ୱର ମଣିଷର ଦୁଃଖଦୁର୍ଦଶା, ଗରିବର ଯନ୍ତ୍ରଣା ଓ ନିଷ୍ପେଷନା ପ୍ରତି ଏତେ ଉଦାସୀନ ସେତେବେଳେ ତାଙ୍କ ପାଇଁ ମନ୍ଦିର ପ୍ରତିଷ୍ଠାର ଉଦ୍ଦେଶ୍ୟ କ’ଣ? ମନୋଜ ଭାବୁଥାନ୍ତି ଉତ୍ପୀଡକ ଓ ଅନ୍ୟାୟ ବିରୋଧରେ ନିରନ୍ତର ସଂଗ୍ରାମ ହିଁ ସମାଜରେ ଆବଶ୍ୟକ ପରିବର୍ତ୍ତନ ଆଣିପାରିବ। ଏହା ସେ ସମୟର ମାର୍କସବାଦୀମାନଙ୍କର ଧାରଣା ଓ ବିଶ୍ୱାସ ଥିଲା ଏବଂ ସେତେବଳକୁ ମନୋଜ ଦାସ ଜଣେ ମାର୍କସବାଦୀ।

ଏହା ଖୁବ୍ ଶୀଘ୍ର ବଦଳି ଯାଇଥିଲା। କଟକର ଖ୍ରୀଷ୍ଟ ମହାବିଦ୍ୟାଳୟରେ ଚାରି ବର୍ଷ ଅଧ୍ୟାପନା କଲା ପରେ ନିଜ ଅନ୍ତରରୁ ମନୋଜ ଏକ ଭିନ୍ନ ଆହ୍ବାନ ଶୁଣି ପାରୁଥିଲେ। ଇତିମଧ୍ୟରେ ସେ ଶ୍ରୀ ଅରବିନ୍ଦଙ୍କ ଦର୍ଶନ ଦ୍ବାରା ଅନୁପ୍ରାଣିତ ହୁଅନ୍ତି। ଶେଷରେ ୧୯୬୩ ମସିହାରେ ସହଧର୍ମିଣୀ ପ୍ରତିଜ୍ଞା ଦେବୀଙ୍କ ସହିତ ସେ ପଣ୍ଡିଚେରୀସ୍ଥିତ ଶ୍ରୀ ଅରବିନ୍ଦ ଆଶ୍ରମରେ ଯୋଗ ଦେଲେ। ପ୍ରଥମତଃ ଏହି ପଦକ୍ଷେପ ତାଙ୍କ ଅନ୍ତର ଚେତନାର ଆହ୍ବାନ ଥିଲା। ପରବର୍ତ୍ତୀ ସମୟରେ ସେ ହୃଦୟଙ୍ଗମ କରିପାରିଥିଲେ ଏକ ଆଦର୍ଶ ସମାଜ ଗଠନ ନିମନ୍ତେ ମାନବିକ ଚେତନାର ପରିବର୍ତ୍ତନ ଆବଶ୍ୟକ। କୌଣସି ବାହ୍ୟ ମାଧ୍ୟମ ଦ୍ବାରା କିଛି ସମ୍ଭବ ନୁହେଁ। ପଣ୍ଡିଚେରୀରୁ ସେ ବିଭିନ୍ନ ମୁଖ୍ୟ ଅଗ୍ରଗଣ୍ୟ ସାହିତ୍ୟ ପତ୍ରିକା ଓ ସମ୍ବାଦପତ୍ରରେ ନିୟମିତ ସ୍ତମ୍ଭ ରଚନା କରୁଥିଲେ। ଚନ୍ଦାମାମା ପ୍ରକାଶନୀ ତରଫରୁ ପ୍ରକାଶିତ ‘ଦି ହେରିଟେଜ୍’ର ସଫଳ ସମ୍ପାଦନା ମଧ୍ୟ ଆରମ୍ଭ କଲେ। ୧୯୮୫ରୁ ୧୯୮୯ ପର୍ଯ୍ୟନ୍ତ ମନୋଜ ଦାସଙ୍କ ଦ୍ବାରା ସମ୍ପାଦିତ ଏହି ପତ୍ରିକା ଖୁବ୍ ପ୍ରସିଦ୍ଧି ଲାଭ କରିଥିଲା ଏବଂ ଏହାର ପ୍ରସାରଣ ସଂଖ୍ୟା ଆଶାତୀତ ଭାବରେ ବୃଦ୍ଧି ପାଇଥିଲା। ବୁଦ୍ଧିଜୀବୀମାନଙ୍କ ଦ୍ବାରା ଉଚ୍ଚ ପ୍ରଶଂସିତ ମଧ୍ୟ ହୋଇଥିଲା। ମନୋଜ ଦାସ ମଧ୍ୟ ୧୯୮୧ ରୁ ୧୯୮୫ ପର୍ଯ୍ୟନ୍ତ ସିଙ୍ଗାପୁର ସରକାରଙ୍କ ଶିକ୍ଷା ମନ୍ତ୍ରାଳୟର ଲେଖକ – ପରାମର୍ଶଦାତା ଭାବରେ କାର୍ଯ୍ୟ କରିଥିଲେ ।

ସେ ଉଭୟ ଓଡ଼ିଆ ଓ ଇଂରାଜୀ ସାହିତ୍ୟରେ ନିଜର ସୃଜନ ପ୍ରତିଭା ଓ ସାହିତ୍ୟ ସୃଷ୍ଟି ନିମନ୍ତେ ବିପୁଳ ଖ୍ୟାତି ଅର୍ଜନ କରିଛନ୍ତି। ବାସ୍ତବତା ଓ ସମାଜର ବିଭିନ୍ନ ବିଷୟବସ୍ତୁ ସମ୍ବଳିତ ତାଙ୍କ ସାହିତ୍ୟର ଯାଦୁକରୀ ସ୍ପର୍ଶ ଓ ରହସ୍ୟବାଦୀ ଚେତନାର ବିକାଶ ତାଙ୍କୁ ସାର୍ବଜନୀନ ଭଲପାଇବାର ଅଧିକାରୀ କରିଛି। ଓଡ଼ିଆ ସାହିତ୍ୟରେ ସେ ପ୍ରଥମ କରି ଏପରି ଶୈଳୀର ପ୍ରୟୋଗ କରନ୍ତି। ପାଠକମାନଙ୍କ ପାଇଁ ସମ୍ପୂର୍ଣ୍ଣ ନବୀନ ଏପରି ରଚନା ବୟସ ନିର୍ବିଶେଷରେ ସଭିଙ୍କର ପ୍ରିୟ ହୋଇଉଠେ। ତାଙ୍କର ପ୍ରଥମ କବିତା ସଂକଳନ ‘ଶତାବ୍ଦୀର ଆର୍ତ୍ତନାଦ’ କୁ ପାଠକେ ଶ୍ରଦ୍ଧାର ସହ ଗ୍ରହଣ କରନ୍ତି ଏବଂ ସଂକଳନଟି ଜନପ୍ରିୟ ହୁଏ। ପରେ ପରେ ମନୋଜ ଦାସଙ୍କ ସର୍ଜନାର ଅବଦାନ ସ୍ୱରୂପ ଆସେ : ଅମୃତ ଫଳ, ଲକ୍ଷ୍ମୀର ଅଭିସାର, ଶେଷ ବସନ୍ତର ଚିଠି, ଗୋଧୂଳିର ବାଘ, କନକ ଉପତ୍ୟକାର କାହାଣୀ, ସମୁଦ୍ର କୂଳର ଏକ ଗ୍ରାମ, ଅବୋଲକରା କାହାଣୀ, ଶେଷ ତାନ୍ତ୍ରିକର ସନ୍ଧାନେ, ଅରଣ୍ୟ ଉଲ୍ଲାସ ଇତ୍ୟାଦି ପୁସ୍ତକ। ଏଥିରୁ ଅଧିକାଂଶ ପୁସ୍ତକ ଲେଖକଙ୍କ ଦ୍ବାରା କିମ୍ବା ଅନ୍ୟ କାହା ଦ୍ବାରା ଇଂରାଜୀ ଭାଷାକୁ ଅନୁସୃଜିତ ବା ଅନୂଦିତ। ତାଙ୍କର ବହୁଳ ପ୍ରସାରିତ ଇଂରାଜୀ ପୁସ୍ତକ ମଧ୍ୟରେ ରହିଛି : A Tiger at Twilight, The Submerged Valley , The Bridge in the Moonlit Night, Cyclones , Mystery of the Missing Cap ଏଵଂ Myths , Legends , Concepts and Literary Antiquities of India ଇତ୍ୟାଦି।

ଶ୍ରୀ ଅରବିନ୍ଦ ଆଶ୍ରମ ବାହାରେ ମଧ୍ୟ ବ୍ୟକ୍ତିବିଶେଷମାନଙ୍କର ସେ ଥିଲେ ଜଣେ ସଶ୍ରଦ୍ଧ ଓ ଅନ୍ତରଙ୍ଗ ବ୍ୟକ୍ତି। ପ୍ରାୟ ସଭିଏଁ ତାଙ୍କୁ ଦେଖା କରିବାକୁ ଇଚ୍ଛା ପୋଷଣ କରୁଥିଲେ। Mother Indiaର ସହ ସମ୍ପାଦକ ଓ Sri Aurobindo’s Actionର ସମ୍ପାଦକ ଭାବରେ ତାଙ୍କର ସୁଖ୍ୟାତି ରହିଥିଲା। ଅନେକ ଗ୍ରନ୍ଥର ରଚୟିତା ମନୋଜ ଦାସ ଶ୍ରୀ ଅରବିନ୍ଦ ଓ ଶ୍ରୀ ମା’ଙ୍କ ବିଷୟରେ ମଧ୍ୟ ବହୁବିଧ ପୁସ୍ତକ ରଚନା କରିଛନ୍ତି। ୨୦୨୦ରେ ପ୍ରକାଶ ପାଇଛି Sri Aurobindo : Life and Times of the Mahayogi (The Pre- Pondicherry Phase)। ଶ୍ରୀ ଅରବିନ୍ଦ ଅନ୍ତର୍ଜାତୀୟ ଶିକ୍ଷାକେନ୍ଦ୍ରରେ ମନୋଜ ଦାସ ଉଚ୍ଚ ଶିକ୍ଷା ବିଭାଗର ଇଂରାଜୀ ସାହିତ୍ୟ ଓ ଶ୍ରୀ ଅରବିନ୍ଦ ଦର୍ଶନର ପ୍ରଫେସର ରୂପେ କାର୍ଯ୍ୟରତ ଥିଲେ।

ପରିଶେଷରେ ଏପ୍ରିଲ ୨୭, ୨୦୨୧ରେ ୮୭ ବର୍ଷ ବୟସରେ ଇହଧାମ ତ୍ୟାଗ କରିବା ପୂର୍ବରୁ ଲେଖକ ଏହି ବିଶାଳ ଜୀବନୀ ଶେଷ କରିବାକୁ ଅତ୍ୟନ୍ତ ଧୈର୍ଯ୍ୟ ଓ ଆତ୍ମବିଶ୍ବାସର ସହିତ ଆଶା ରଖି ରଚନା କରି ଚାଲିଥିଲେ ଏବଂ ଏହାର ପ୍ରକାଶନକୁ ଚାକ୍ଷୁଷ କରିବା ନିମନ୍ତେ ସ୍ବାଭାବିକ ଅଭୀପ୍ସା ରଖିଥିଲେ। କେବଳ ଏତିକି ନୁହେଁ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ବିଶ୍ୱର ମହାନ୍ ଓ ଇଂରାଜୀ ଭାଷାର ଦୀର୍ଘତମ କାବ୍ୟ ‘ସାବିତ୍ରୀ’ର ଓଡ଼ିଆ ଅନୁବାଦକୁ ନିବିଷ୍ଟ ଚିତ୍ତରେ କରି ଚାଲିଥିଲେ।

Life and Times of the Mahayogi ରେ ଯଥାଯଥ ସଂକଳିତ ବକ୍ତବ୍ୟ ଅଥବା ସର୍ଜନାତ୍ମକତାଗୁଡ଼ିକୁ ମନୋଜ ଦାସଙ୍କ ଲେଖକୀୟ ଚେତନା ମନୁଷ୍ୟର ଭାଗ୍ୟ, ଭାବିତବ୍ୟ ତଥା ଜୀବନଯାପନର ଅନେକ ସର୍ତ୍ତକୁ ନମ୍ର ଓ ମହତ୍ତର ଆବେଗ ସହକାରେ ହୃଦୟଙ୍ଗମ କରିବରେ ସମର୍ଥ ହୋଇଛି । ଏହା ତାଙ୍କୁ ରଚନା ସମାପ୍ତ କରିବାରେ ଅନେକ ସହଯୋଗ କରିଛି । ଭବିତବ୍ୟ ପାଇଁ ତାଙ୍କର ବାର୍ତ୍ତା କ’ଣ ରହିବ ବୋଲି ଏକ ସାକ୍ଷାତକାରରେ ସେ ପ୍ରଶ୍ନକର୍ତ୍ତାଙ୍କୁ ଉତ୍ତର ଦେଇଛନ୍ତି : ‘ଶ୍ରୀ ଅରବିନ୍ଦଙ୍କ ଛାୟାରେ ରହି ମୁଁ କଣ ବାର୍ତ୍ତା ଦେଇ ପାରିବି ଯିଏ ସମଗ୍ର ମାନବ ଜାତିର ଅଭୀପ୍ସା, ବିକାଶ ଓ ଭାବାତୀତ ଚେତନାର ପ୍ରତୀକ। କୌଣସି ବାର୍ତ୍ତା ଦେବାକୁ ମୁଁ କିଏ, କେବଳ ଏତିକି ବିନମ୍ରତାର ସହିତ କହିବି ଯେ ବାର୍ତ୍ତା କେବଳ ଜଣେ ମହାମନୀଷୀ ଦେଇପାରନ୍ତି, ଜଣେ ଲେଖକ ପକ୍ଷରେ ଏହା ସମ୍ଭବ ନୁହେଁ ।’

ବର୍ତ୍ତମାନର ସମାଜରେ ଆମେ ଏକ ବସ୍ତୁବାଦ ସଂସ୍କୃତିର ପ୍ରତିଫଳନ ଦେଖିବାକୁ ପାଉ। ସେହି ଚେତନାଠାରୁ ମନୋଜ ଦାସ ନିଜକୁ ଦୂରେଇ ରଖିଥିଲେ। ସେ ମହଭାରତୀୟ ଚେତନା, ଭାରତୀୟତାର ଯଥାର୍ଥ ପରିବେଶ ଓ ମାନବୀୟ ସମ୍ଭାବନାରେ ବିଶ୍ୱାସ କରୁଥିଲେ ।
ପୂର୍ବତନ କୁଳପତି, କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ, ଓଡ଼ିଶା, କୋରାପୁଟ

Comments are closed.