‘ତୋର ମୁକତିର ସୂର୍ଯ୍ୟ ଯଦି ଉଇଁଲା’

ପ୍ରଦୋଷ ପଟ୍ଟନାୟକ

ପ୍ରାୟ ମାସକ ପୂର୍ବେ ଆମ ଦେଶରେ ଖୁବ୍‌ ଧୁମଧାମ୍‌ରେ ପାଳିତ ହୋଇଯାଇଛି ସ୍ବାଧୀନତା ପ୍ରାପ୍ତିର ୭୫ତମ ବାର୍ଷିକୀ। ଏହି ଅବସରରେ ‘ଆଜାଦୀ କା ଅମୃତ ମହୋତ୍ସବ’ର ଶୁଭାରମ୍ଭ କରାଯିବା ସହିତ ଦେଶବିଦେଶରେ ଭାରତୀୟ ନାଗରିକମାନେ ଉତ୍ସବ ମନାଇ ମୁକ୍ତିର ଜୟଗାନ କରିଛନ୍ତି। ଆଜିକୁ ଠିକ୍‌ ୭୫ ବର୍ଷ ହେବ ୧୯୪୭ ଅଗଷ୍ଟ ୧୪ ମଧ୍ୟରାତ୍ରରେ ଦିଲ୍ଲୀର ଇତିହାସ ପ୍ରସିଦ୍ଧ ଲାଲକିଲା ଦୁର୍ଗର ପ୍ରାଚୀର ଉପରେ ପ୍ରଥମଥର ପାଇଁ ସ୍ବାଧୀନ ଭାରତର ତ୍ରିରଙ୍ଗା ଜାତୀୟ ପତାକା ଉତ୍ତୋଳିତ ହେବାବେଳେ ଆକୁମାରୀ ହିମାଚଳ ସମଗ୍ର ଦେଶ ହୋଇ ଉଠିଥିଲା ବିହ୍ବଳିତ ଓ ଉତ୍ସବମୁଖର। ମୁକ୍ତିପାଗଳ ଜନଗଣଙ୍କ ମନରେ ସେଦିନ ଭରି ଉଠିଥିଲା ଅସୁମାରୀ ଆଶା ଓ ବିଶ୍ବାସ, ଜାଗି ଉଠିଥିଲା ସ୍ବପ୍ନ ଓ ସମ୍ଭାବନା। ଦୁଇଶହ ବର୍ଷର ଔପନିବେଶିକ ବ୍ରିଟିଶ ଶାସନର ଅବସାନ ପରେ ମୁକ୍ତିର ସ୍ବାଦ ଅନୁଭବ କରିବାପାଇଁ ଚାତକ ପରି ଚାହିଁ ରହିଥିବା ଆବାଳବୃଦ୍ଧବନିତା ଆନନ୍ଦରେ ହୋଇଥିଲେ ଆତ୍ମହରା। ନେ​ହେରୁ, ପଟେଲ, ଆଜାଦ୍‌, ରାଜେନ୍ଦ୍ର ପ୍ରସାଦ, ରାଜାଜୀଙ୍କ ପରି ସ୍ବାଧୀନତା ସଂଗ୍ରାମର ତୁଙ୍ଗନେତାମାନେ ଉତ୍ସବମୁଖର ଦେଶବାସୀଙ୍କ ଗହଣରେ ରହି ଖୁସି ମନାଉଥିବାର ଦେଖାଯାଇଥିଲା; କିନ୍ତୁ ସେହି ଘଡ଼ିସନ୍ଧି କ୍ଷଣରେ ଜଣଙ୍କ ଅନୁପସ୍ଥିତି ସତେଯେପରି ବାରି ହୋଇ ପଡ଼ୁଥିଲା, ସମସ୍ତ ଉତ୍ସାହ ଉଦ୍ଦୀପନାକୁ କରିଥିଲା ମଳିନ।

ସ୍ବାଧୀନତାର ନବସୂର୍ଯ୍ୟର ଉଦୟ ଉତ୍ସବକୁ ସ୍ବାଗତ ଜଣାଇବାପାଇଁ ରାଜଧାନୀ ଦିଲ୍ଲୀରେ ସେଦିନ ଉପସ୍ଥିତ ନଥିଲେ ମହାଜାତିର ମହାସେନାପତି, ସ୍ବାଧୀନତା ସଂଗ୍ରାମର ମହାନାୟକ, ସତ୍ୟ-ଅହିଂସାର ଆଜୀବନ ପୂଜାରୀ, ଜାତିର ଜନକ ମହାତ୍ମା ଗାନ୍ଧୀ। ଆତସବାଜି ଓ ଆଲୋକର ରୋଶଣିଠାରୁ ଦୂରରେ ରହି ଗାନ୍ଧିଜୀ ସମୟ କାଟୁଥିଲେ ଦଙ୍ଗାବିଧ୍ବସ୍ତ କଲକାତାର ବେଲିଆଘାଟ ଅଞ୍ଚଳର ଏକ ବିପନ୍ନ ଗରିବ ମଣିଷର ଅନ୍ଧକାରାଚ୍ଛନ୍ନ କୁଡ଼ିଆ ଭିତରେ। ଦେଶ ବିଭାଜନର ଦୁଃଖଦ ଅନୁଭୂତି ସାଙ୍ଗକୁ ହିନ୍ଦୁ-ମୁସଲିମ୍‌ ଦଙ୍ଗାର ଯନ୍ତ୍ରଣାଦାୟକ ହୃଦୟବିଦାରକ ଦୃଶ୍ୟ ତାଙ୍କୁ ଏଭଳି ବ୍ୟଥିତ ଓ ମ୍ରିୟମାଣ କରିଥିଲା ଯେ, ସ୍ବାଧୀନତା ପ୍ରାପ୍ତିର ଆଡ଼ମ୍ବରପୂର୍ଣ୍ଣ ସମାରୋହରେ ସାମିଲ୍‌ ନହୋଇ ଅସହାୟ ଦୁର୍ଗତ ଜନଗଣଙ୍କ ମେଳରେ ରହି ସେମାନଙ୍କ ସେବା କାର୍ଯ୍ୟକୁ ସେ ଅଧିକ ପସନ୍ଦ କରିିଥିଲେ।

ଏହାପରେ ସମୟର ଚକ ଗଡ଼ିଯାଇଛି। ସ୍ବାଧୀନ ଭାରତରେ ମାତ୍ର ସାଢ଼େ ପାଞ୍ଚମାସ ବଞ୍ଚି ରହିବା ଭିତରେ ମହାତ୍ମାଜୀ ସବୁ ଦିଗରୁ ନିରାଶ ହୋଇଛନ୍ତି। ଶାସନର ମଙ୍ଗ ଧରିଥିବା ତାଙ୍କର ଶିଷ୍ୟ ଓ ସହକର୍ମୀମାନଙ୍କର ଆଚରଣ ଓ ଉଚ୍ଚାରଣ ତାଙ୍କୁ ବ୍ୟଥିତ କରିଛି। ଜାତୀୟ ନେତାମାନଙ୍କର କ୍ଷମତାମୋହ, ଆଡ଼ମ୍ବରପୂର୍ଣ୍ଣ ଜୀବନ ଶୈଳୀ ତଥା ବିଭିନ୍ନସ୍ତରରେ ଦୁର୍ନୀତି ତାଙ୍କର ‘ରାମରାଜ୍ୟ’ ସ୍ଥାପନର ପରିକଳ୍ପନା ଉପରେ ଆଙ୍କି ଦେଇଛି ପ୍ରଶ୍ନବାଚୀ। ସେହି ସାଢ଼େ ପାଞ୍ଚମାସର ଜୀବିତାବସ୍ଥାରେ ଭଗ୍ନ ମନୋରଥ ବାପୁଙ୍କ ଅନ୍ତର ଭିତରୁ ଉଚ୍ଚାରିତ ହୋଇଥିଲା ଏଭଳି କେ‌େତକ ମର୍ମବାଣୀ, ପରବର୍ତ୍ତୀ ସମୟରେ ଯାହାର ସତ୍ୟତା ଓ ପ୍ରାସଙ୍ଗିକତା କ୍ରମଶଃ ଅନୁଭୂତ ହେବାରେ ଲାଗିଛି। ସ୍ବାଧୀନତା ପ୍ରାପ୍ତିର ପ୍ରାକ୍‌କାଳରେ ଦେଶରେ କ୍ରମବର୍ଦ୍ଧିଷ୍ଣୁ ଦାରିଦ୍ର୍ୟର ଚିତ୍ର ମହାତ୍ମାଙ୍କୁ ବେଶ୍‌ ବିଚଳିତ କରିିଥିଲା। ଅର୍ଦ୍ଧାହାର ଓ ଅନାହାରକ୍ଲିଷ୍ଟ ମଣିଷଙ୍କ ଦୁର୍ଦଶା ଲାଘବ କରିବାପାଇଁ ଈଶ୍ବରବିଶ୍ବାସୀ ଗାନ୍ଧିଜୀଙ୍କ ପ୍ରାର୍ଥନା ଥିଲା- ‘ଭଗବାନ, ତୁମେ ଯଦି ସତରେ ଥାଅ, ଗରିବର କୁଡ଼ିଆକୁ ରୁଟି ରୂପରେ ଆସ।’ ଆଜି ସ୍ବାଧୀନତା ପ୍ରାପ୍ତିର ୭୫ବର୍ଷ ପରେ ତାଙ୍କ ସ୍ବପ୍ନର ରାମ ରାଜ୍ୟରେ ଧନୀ-ଗରିବ ମଧ୍ୟରେ ଆର୍ଥିକ ବୈଷମ୍ୟ ଦିନକୁ ଦିନ ବଢ଼ିଚାଲିଥିବା ବେଳେ ଏବଂ ସୁଦୂର ଗ୍ରାମାଞ୍ଚଳରେ ଅଗଣିତ ଜନତା ଦୁଇଓଳି ପେଟ ପୂରାଇ ଖାଇବାକୁ ପାଉନଥିବା ସମୟରେ ସ୍ମରଣକୁ ଆସୁଛି ବାପୁଙ୍କ ମର୍ମସ୍ପର୍ଶୀ ଅନ୍ତିମବାଣୀ। ସରକାରୀ ପରିସଂଖ୍ୟାନ ଅନୁଯାୟୀ ଏବେ ବି ଦେଶର ପ୍ରାୟ ୪୦ ପ୍ରତିଶତ ଲୋକ ଦୁଇଓଳି ପେଟପୂରାଇ ଖାଇବାକୁ ପାଉନଥିବାବେଳେ ସେତିକି ସଂଖ୍ୟକ ଜନତା ଦାରିଦ୍ର୍ୟର ସୀମାରେଖା ତଳେ ଦିନ କାଟୁଛନ୍ତି।

ସେହିପରି ଦେଶର ପ୍ରାୟ ୧୦ ଲକ୍ଷ ଶିଶୁ ସାଂଘାତିକ କୁପୋଷଣର ଶିକାର ହୋଇ ମରଣ ସହିତ ସଂଘର୍ଷ କରୁଥିବା ସ୍ଥଳେ ଆଗକୁ ଏହି ସଂଖ୍ୟା ଆହୁରି ବଢ଼ିବ ବୋଲି ଆଶଙ୍କା କରାଯାଉଛି। ଅନ୍ୟପକ୍ଷରେ ବିଳାସପୂର୍ଣ୍ଣ ଜୀବନଶୈଳୀ ଭିତରେ ପଞ୍ଚତାରକା, ଷଷ୍ଠ ତାରକା ହୋଟେଲରେ ସୁସ୍ବାଦୁ ଖାଦ୍ୟଭୋଜନ କରି ଅବା ତାହାକୁ ନଷ୍ଟ କରି ଜୀବନ ବିତାଉଛନ୍ତି ମୁଷ୍ଟିମେୟ ଧନିକ ବର୍ଗ। ପ୍ରାଚୁର୍ଯ୍ୟର ଶିଖରରେ ପହଞ୍ଚିବା ପାଇଁ ସେମାନଙ୍କ ମଧ୍ୟରେ ଚାଲିଛି ଅବାଞ୍ଛିତ ପ୍ରତିଯୋଗିତା। ଦେଶର ମୂଲ୍ୟବାନ ଲାଭଦାୟକ ସରକାରୀ ସଂସ୍ଥା ଓ ଉଦ୍ୟୋଗଗୁଡ଼ିକୁ ଶାଗମାଛ ଦରରେ ସେମାନଙ୍କ ହାତକୁ ଟେକିଦେବାପାଇଁ ଶାସକ ଗୋଷ୍ଠୀଙ୍କ ଅହେତୁକ ଆଗ୍ରହର ସୀମା ସରହଦ ଦିଶୁନାହଁ।

ଖୋଦ୍‌ ସରକାରୀ ତଥ୍ୟର ବିଶ୍ଳେଷଣରୁ ଜଣାପଡ଼ିଛି ଯେ ଧନିକ ଶ୍ରେଣୀ କ୍ରମଶଃ ଅଧିକ ଧନଶାଳୀ ହେଉଥିବାବେଳେ ଗରିବଙ୍କ ସଂଖ୍ୟା ବଢ଼ିଚାଲିଛି। ସ୍ବାଧୀନତା ପ୍ରାପ୍ତି ପରେ ଦେଶର ଶାସନ କ୍ଷମତା ଅକ୍ତିଆର କରିଥିବା ସରକାର ଓ ରାଜନେତାମାନେ ବିଭିନ୍ନ ସମୟରେ ଜନସାଧାରଣଙ୍କୁ ବହୁ ଲୋଭନୀୟ ପ୍ରତିଶ୍ରୁତି ଦେଇ ଆସିଛନ୍ତି। କେହି ଦେଶକୁ ଘିଅ ମହୁରେ ଭସାଇ ଦେବାର ରଙ୍ଗିନ ସ୍ବପ୍ନ ଦେଖାଇଛନ୍ତି ତ ଆଉ କେହି ‘ଅଚ୍ଛେ ଦିନ’ର ଭେଳିକି ଦେଖାଇ କ୍ଷମତା ଦଖଲ କରିଛନ୍ତି। ଏହାସତ୍ତ୍ବେ ସଂଖ୍ୟାଧିକ ମଣିଷଙ୍କ ଭାଗ୍ୟ ଯେଉଁ ତିମିରେକୁ ସେହି ତିମିରେ ବୁଡ଼ି ରହିଛି। ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରବୃଦ୍ଧି ସେମାନଙ୍କ ତେଲ ଲୁଣର ସଂସାରକୁ ଶକ୍ତ ଆଘାତ ଦେବା ସହିତ ଆଖିରୁ ଝରାଇଛି ଲୋତକର ଧାର। କ୍ଷମତା ସର୍ବସ୍ବ ରାଜନେତା ଓ ଅମଲାତନ୍ତ୍ରୀଙ୍କ ନଥିପତ୍ରରେ ଅର୍ଥନୈତିକ ଅଭିବୃଦ୍ଧିର ମନଲୋଭା ଚିତ୍ର ଦର୍ଶାଯାଉଥିବାବେଳେ ଦେଶର ବାସ୍ତବ ସ୍ଥିତି କିନ୍ତୁ ସଙ୍ଗିନ ହେବାରେ ଲାଗିଛି।

ବିଗତ ୭୫ବର୍ଷ ଭିତରେ ବେକାରୀ କାୟାବିସ୍ତାର କରି ମାଡ଼ି ଚାଲିଥିବା ସମୟରେ ସରକାରୀ କାଗଜପତ୍ରରେ ପ୍ରତିବର୍ଷ ଯୁବକଙ୍କ ପାଇଁ ବିପୁଳ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି ହେଉଥିବାର ଭ୍ରମାତ୍ମକ ତଥ୍ୟ ଦର୍ଶାଯାଉଛି। ନିକଟ ଅତୀତରେ ଭାରତର ବୃହତ୍ତମ ରାଜ୍ୟ ଉତ୍ତରପ୍ରଦେଶରେ ଅଳ୍ପ କେତୋଟି ପିଅନ ଚାକିରି ପାଇଁ ଲକ୍ଷଲକ୍ଷ ଉଚ୍ଚ ଶିକ୍ଷିତ ଡିଗ୍ରୀଧାରୀ ଯୁବକଯୁବତୀ ଆକୁଳତାର ସହ ଧାଇଁ ଆସିବା କ୍ରମବର୍ଦ୍ଧିଷ୍ଣୁ ବେକାରୀର ବିକଟ ରୂପକୁ ଅଧିକ ସ୍ପଷ୍ଟ କରୁଛି। ଦେଶର ଗ୍ରାମାଞ୍ଚଳରେ ଏବେ ମଧ୍ୟ ଚିକିତ୍ସା ଅଭାବରୁ ପ୍ରତିବର୍ଷ ୧୬ଲକ୍ଷ ନବଜାତ ଶିଶୁ ଅକାଳରେ ପ୍ରାଣ ହରାଉଛନ୍ତି। କୃଷି ପ୍ରଧାନ ଭାରତରେ ଆଜି ବି କୃଷକ ଚାଷବାସ ପାଇଁ ଇନ୍ଦ୍ର ଦେବତାଙ୍କ ଦୟା ଉପରେ ନିର୍ଭର କରିବାକୁ ପଡ଼ୁଛି। ବିଗତ ୭୫ ବର୍ଷ ଭିତରେ ଏ ପର୍ଯ୍ୟନ୍ତ ଜଳସେଚନର ପର୍ଯ୍ୟାପ୍ତ ବ୍ୟବସ୍ଥା ହୋଇପାରିନାହିଁ। କୌଣସି ବର୍ଷ ମୌସୁମି ବର୍ଷା କମ୍‌ ହୋଇ ମରୁଡ଼ି ପରିସ୍ଥିତି ଦେଖାଦେଲେ କୃଷକର ଆର୍ଥିକ ମେରୁଦଣ୍ଡ ଭାଙ୍ଗିପଡ଼ି ହା’ ହତାଶା ମଧ୍ୟରେ ତାକୁ ଦିନ କାଟିବାକୁ ହେଉଛି। ଋଣଭାର ପରିଶୋଧ କରିବାକୁ ଅକ୍ଷମ ହେବା ଯୋଗୁଁ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବାଲାଗି ବାଧ୍ୟ ହେଉଛି। ସ୍ବାଧୀନ ଭାରତରେ ଚାଷୀ ଆତ୍ମହତ୍ୟା ଭଳି ଲଜ୍ଜାକର ଘଟଣା କଷ୍ଟଲବ୍ଧ ସ୍ବାଧୀନତାକୁ ଉପହାସ କହିଲେ ଅତ୍ୟୁକ୍ତି ହେବନାହିଁ। ଅସାଧୁ ରାଜନେତା, ପ୍ରଶାସନ ଓ ପୁଞ୍ଜିପତି ଗୋଷ୍ଠୀ ଅସତ୍‌ ଉପାୟରେ ଅର୍ଜିତ ନିଜର ଅମାପ କଳାଧନକୁ ବିଦେଶୀ ବ୍ୟାଙ୍କରେ ଜମା ରଖିବାକୁ ତତ୍ପର ଥିବାବେଳେ ତାକୁ ଉଦ୍ଧାର କରି ଦେଶ ଭିତରକୁ ଫେରାଇ ଆଣିବା ଦିଗରେ ସ୍ବାଧୀନ ଭାରତର ଶାସକବର୍ଗ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଏପରିକି ମାସକ ଭିତରେ କଳାଧନ ଫେରାଇ ଆଣିବାକୁ ବାହୁସ୍ଫୋଟ ମାରିଥିବା ସରକାରର ଘୋଷଣା ପାଣିର ଗାର ପ୍ରମାଣିତ ହୋଇଛି।

ମହାତ୍ମା ଗାନ୍ଧୀ ନିଜ ମହାପ୍ରୟାଣର ଅଳ୍ପଦିନ ପୂର୍ବରୁ ଦେଶର ଆଇନ୍‌ ଶୃଙ୍ଖଳା ସ୍ଥିିତିକୁ ଲକ୍ଷ୍ୟକରି ବ୍ୟଥିତ କଣ୍ଠରେ କହିଥିଲେ- ‘ଯେଉଁ ଦିନ ଜଣେ ମହିଳା ରାତ୍ରି ସମୟରେ ରାଜରାସ୍ତା ଉପରେ ଏକାକୀ ନିର୍ଭୟରେ ଚଳାଚଳ କରି ପାରିବ, ସେହିଦିନ ପ୍ରକୃତ ସ୍ବାଧୀନତା ଆସିଛି ବୋଲି ମୁଁ ଅନୁଭବ କରିବି।’ ଆଜି ସ୍ବାଧୀନତାର ୭୫ବର୍ଷ ପରେ ଦେଶରେ ମହିଳା ସମ୍ପୂର୍ଣ୍ଣ ଅସୁରକ୍ଷିତ, ସେମାନଙ୍କ ନିରାପତ୍ତା ବିପନ୍ନ। ପ୍ରତି ମୁହୂର୍ତ୍ତରେ କାମାନ୍ଧ ନରରାକ୍ଷସଙ୍କ ବର୍ବରତାର ଶିକାର ହୋଇ କେତେ ଯେ ହତଭାଗିନୀଙ୍କ ଇଜ୍ଜତ ଲୁଟି ନିଆଯାଉଛି, ଜୀବନ ଅକାଳରେ ଝଡ଼ୁଛି, ତା’ର ହିସାବ ରଖିବା ସମ୍ଭବପର ହେଉନାହିଁ। ଜାତୀୟ ରାଜଧାନୀ ଦିଲ୍ଲୀ ଆଜି ଅପରାଧୀଙ୍କ ଅମରାବତୀରେ ପରିଣତ ହୋଇଥିବାବେଳେ ବଳାତ୍କାର ଓ ଯୌନ ନିର୍ଯାତନାର ରାଜଧାନୀ ହୋଇଛି କହିଲେ ଭୁଲ ହେବନାହିଁ। ଲୋମହର୍ଷଣକାରୀ ନିର୍ଭୟା ବଳାତ୍କାର ଓ ହତ୍ୟାଘଟଣା ପରେ ଏଭଳି ନାରକୀୟ କାଣ୍ଡର ପୁନରାବୃତ୍ତି ନହେବା ପାଇଁ ଅଣ୍ଟା ଭିଡ଼ିଥିବା ସରକାର ଯେତେ କଠୋର ଆଇନ୍‌ ପ୍ରଣୟନ କଲେ ମଧ୍ୟ ବଳାତ୍କାର ରୋକିବା ସମ୍ଭବ ହେଉନାହିଁ। ହାଥରସ୍‌, ଉନ୍ନାଓ, ବୁଲନ୍ଦସହର, ହାଇଦରାବାଦ, ଫିରୋଜାବାଦ୍‌ ଆଦି ସ୍ଥାନରେ ଘଟିଥିବା ବୀଭତ୍ସ ବଳାତ୍କାର ଓ ହତ୍ୟାଘଟଣା ସାରା ଦେଶରେ ଶିହରଣ ସୃଷ୍ଟି କରିଛି। କେତେକ ସ୍ଥାନରେ ୪/୫ ବର୍ଷର ନିରୀହ ନିଷ୍ପାପ ଶିଶୁକନ୍ୟାଠାରୁ ଆରମ୍ଭ କରି କିଶୋରୀ ଓ ଯୁବତୀଙ୍କୁ ବଳାତ୍କାର ପରେ ପୋଡ଼ି ପାଉଁଶ କରାଯିବା ଦୃଶ୍ୟ ସ୍ବାଧୀନ ଭାରତର ଆଇନ ଶୃଙ୍ଖଳା ସ୍ଥିତି ଉପରେ କଳାଦାଗ ଟାଣିଛି। କେବଳ ମହିଳା ନୁହନ୍ତି, ସମାଜର ଦଳିତ ବର୍ଗ ମଧ୍ୟ ଆଜି ଉଚ୍ଚବର୍ଗ ଦ୍ବାରା ନାନା ସ୍ଥାନରେ ଓ ନାନା କାରଣରୁ ଉତ୍ପୀଡିତ ଓ ଅତ୍ୟାଚାରିତ ହେବା ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଛି। ବାପୁଜୀଙ୍କ ରାମରାଜ୍ୟର ପରିକଳ୍ପନାକୁ ଏହା ସମ୍ପୂର୍ଣ୍ଣ ଧୂଳିସାତ୍‌ କରିଛି।

ଭାରତ ନିଜର ବହୁ ପ୍ରତୀକ୍ଷିତ ସ୍ବାଧୀନତା ହାସଲ କରିବାପରେ ମଧ୍ୟ ଦେଶରେ ଶୋଷଣ, ଅତ୍ୟାଚାର, ଭ୍ରଷ୍ଟାଚାର ଓ ଆର୍ଥିକ ଅସମାନତା ବଢ଼ିଚାଲିବା ମ୍ରିୟମାଣ କରିଛି ସାଧାରଣ ଜନତାଙ୍କୁ। ଏହାକୁ ଲକ୍ଷ୍ୟ କରି ବିପ୍ଳବୀ ସାମ୍ୟବାଦୀ କବି ମନମୋହନ ମିଶ୍ର ସେଦିନ ଗାଇଥିଲେ- ‘ତୋର ମୁକତିର ସୂର୍ଯ୍ୟ ଯଦି ଉଇଁଲା ଉଇଁଲା, ଆଖି ତୋର କିଆଁ ଛଳଛଳ, ଯା’ର ଲାଗି ଲଢ଼ିଲୁ ତୁ, କାରାଗାରେ ଶଢ଼ିଲୁ ତୁ, ଫାଶୀ ଖୁଣ୍ଟେ ଝୁଲିଲୁ ତୁ, ପାଇଛୁ କି ତାରେ ଅବିକଳରେ ଆଖି ତୋର କିଆଁ ଛଳଛଳ? ସ୍ବାଧୀନତା ପ୍ରାପ୍ତିର ଆଉ କେତେବର୍ଷ ପରେ ଭାରତର କୋଟିକୋଟି ନରନାରୀଙ୍କ ଆଖିରୁ ଲୁହ ଝରିବା ବନ୍ଦ ହେବ, ତାହାର ଉତ୍ତର କେହି କ’ଣ ସତରେ ଦେଇପାରିବ?

Comments are closed.