ଓଡ଼ିଶାର ଆର୍ଥିକ ସ୍ଥିତି

ସନ୍ତୋଷ କୁମାର ମହାପାତ୍ର

ଗତ ସେପ୍ଟେମ୍ବର ୬ରେ ଜଣେ ବିଜେଡିର ବିଧାୟକଙ୍କ ରାଜ୍ୟର ଋଣଭାର ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଅଡିଟର ଜେନେରାଲଙ୍କ ପ୍ରାଥମିକ ଆକଳନକୁ ଉଦ୍ଧାର କରି କହିଛନ୍ତି ଯେ ୨୦୧୧-୧୨ ଶେଷ ସୁଦ୍ଧା ମୁଣ୍ଡପିଛା ଋଣ ୯୧୪୪.୪୦ କୋଟି ଟଙ୍କା ଥିଲା । ତାହା ୨୦୨୦-୨୧ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଦୁଇଗୁଣରୁ ଅଧିକ ବୃଦ୍ଧି ପାଇ ୨୩୭୬୧.୮୩ କୋଟି ଟଙ୍କାରେ ପହଞ୍ଚିଛି । ମୋଟ ଋଣ ପରିମାଣ ୨୦୨୧-୨୨ ସୁଦ୍ଧା ୧.୨୨ ଲକ୍ଷ କୋଟି ଟଙ୍କାରେ ପହଞ୍ଚିବ ବୋଲି ସେ କହିଛନ୍ତି। ଓଡିଶା ଋଣ ଜାଲରେ ପଡିଯାଇଛି ବୋଲି ବିରୋଧୀ ଦଳ ଅଭିଯୋଗ କରିଛନ୍ତି। ଆହୁରି ମଧ୍ୟ ମତ ପ୍ରକାଶ ପାଇଛି ଯେ ରାଜ୍ୟ ଆବଶ୍ୟକ ସମ୍ବଳ ନିଜସ୍ୱ ଟିକସ ମାଧ୍ୟମରେ ସଂଗ୍ରହ କରିବାରେ ବିଫଳ ହେବା ସହିତ କେନ୍ଦ୍ରୀୟ ପାଣ୍ଠି ଉପରେ ଅଧିକ ନିର୍ଭରଶୀଳ ହୋଇଛି । ଏହା ଭୁଲ ବୋଲି ଆମର ମନେହୁଏ ।

ଯେତେବେଳେ କୌଣସି ଏକ ରାଜ୍ୟର ଆର୍ଥିକ ସ୍ଥିତି ତଥା ବିଭିନ୍ନ ଅବସ୍ଥାର ଠିକ ସମୀକ୍ଷା କରିବାକୁ ହେଲେ, ଏହାକୁ ଅନ୍ୟ ରାଜ୍ୟ ସହିତ ମଧ୍ୟ ତୁଳନା କରିବା ଉଚିତ । ଏକ ରାଜ୍ୟର ଆର୍ଥିକ ସ୍ଥିତି ସମୀକ୍ଷା କଲାବେଳେ ଏହା ସଂଖ୍ୟାରେ କେତେ ବେଶି ବା କମ୍ ବିଚାର କରା ନ ଯାଇ ରାଜ୍ୟର ମୋଟ ଆଭ୍ୟନ୍ତରୀଣ ଉତ୍ପାଦ ବା ଜିଏସଡିପି ଅନୁସାରେ କେତେ ଏହା ବିଚାର କରାଯାଇଥାଏ। କାରଣ ସଂଖ୍ୟା ଦୃଷ୍ଟିରୁ ବା ନାମାଙ୍କନ ମୂଲ୍ୟ ଦୃଷ୍ଟିରୁ ବଜେଟ ଆକାର ସହିତ ଏସବୁର ବୃଦ୍ଧି ଘଟିଥାଏ। ଯେପରି ମୁଣ୍ଡପିଛା ଋଣ ବୃଦ୍ଧି ପାଉଛି , ମୁଣ୍ଡପିଛା ଆୟ ମଧ୍ୟ ବୃଦ୍ଧି ପାଉଛି। ଓଡ଼ିଶାରେ ମୁଣ୍ଡପିଛା ଆୟ ଯାହା ୨୦୧୧-୧୨ରେ ୪୮୯୯୯ ଟଙ୍କା ଥିଲା ତାହା ୨୦୧୯-୨୦ ରେ ୧୦୪୫୬୬ ଟଙ୍କାରେ ପହଞ୍ଛିଛି ।

ବିତ୍ତୀୟ ଶୃଙ୍ଖଳାପାଇଁ ବିଭିନ୍ନ ସମୟରେ ବିଭିନ୍ନ ନୀତି ପ୍ରଣୟନ କରାଯାଇଛି। ସେଥିମଧ୍ୟରୁ ଏଫ୍ଆଇବିଏମ୍ ଆକ୍ଟ ବା ବିତ୍ତୀୟ ଉତ୍ତରଦାୟିତ୍ୱ ଓ ବଜେଟ ପରିଚାଳନା ଆଇନ ଅନ୍ୟତମ। ଏଫ୍ଆଇବିଏମ୍ ଆଇନ ୨୦୧୬ ଅନୁସାରେ ରାଜ୍ୟମାନେ ରାଜ୍ୟ ଜିଏସଡିପିର ୩ % ମଧ୍ୟରେ ବିତ୍ତୀୟ ନିଅଣ୍ଟ ବଜାୟ ରଖିବେ। ବିତ୍ତୀୟ ନିଅଣ୍ଟ ୩% ପରେ ଅଧିକ ୦.୨୫% ରଖାଯାଇପାରିବ, ଯଦି ପୂର୍ବ ବର୍ଷରେ ରାଜ୍ୟର ଋଣ – ଜିଏସଡିପି ଅନୁପାତ ୨୫ % ରୁ କମ୍ ରହିଥିବ । ପୁନଶ୍ଚ ବିତ୍ତୀୟ ନିଅଣ୍ଟ ଆଉ ଅଧିକ ୦.୨୫% ରଖାଯାଇପାରିବ ଅର୍ଥାତ୍‌ ୩.୫୦ % ମଧ୍ୟରେ ସୀମିତ ରଖା ଯାଇପାରିବ, ଯଦି ରାଜ୍ୟର ସୁଧ ଦେୟ ବାବଦ ବ୍ୟୟ ମୋଟ ରାଜସ୍ବ ପ୍ରାପ୍ତି ଅନୁସାରେ ପୂର୍ବ ବର୍ଷରେ ୧୦ % ମଧ୍ୟରେ ସୀମିତ ରହିଛି ଏବଂ ଯେଉଁ ବର୍ଷରେ ବଜେଟ ଉପସ୍ଥାପନ କରାଯାଉଛି, ସେହି ବର୍ଷ ରାଜସ୍ବ ବଳକା ରହିଛି । ଏସବୁ ଓଡ଼ିଶା ସରକାର ପୂରଣ କରୁଛନ୍ତି।

କରୋନା ମହାମାରୀକୁ ମୁକାବିଲା ପାଇଁ ଏବଂ ଜିଏସଟି କ୍ଷତିପୂରଣ ଦେବାରେ କେନ୍ଦ୍ର ଅସମର୍ଥ ହେବାରୁ ରାଜ୍ୟମାନେ ଆହୁରି ଅଧିକ ୨% ଅର୍ଥାତ୍‌ ୫% ପର୍ଯ୍ୟନ୍ତ ବିତ୍ତୀୟ ନିଅଣ୍ଟ ବୃଦ୍ଧି କରିବାର କେନ୍ଦ୍ର ସରକାରଙ୍କଠାରୁ ଅନୁମତି ପାଇଛନ୍ତି। ଅବଶ୍ୟ ୪% ରୁ ୫% ପର୍ଯ୍ୟନ୍ତ ଅର୍ଥାତ୍‌ ଏହି ୧% ଅଧିକ ବୃଦ୍ଧି ପାଇ ରାଜ୍ୟଗୁଡ଼ିକୁ କିଛି ସର୍ତ୍ତାବଳୀ ମାନିଵା ସହିତ, କିଛି ଆର୍ଥିକ ସଂସ୍କାର କରିବା ପାଇଁ କୁହାଯାଇଛି । ବର୍ତ୍ତମାନ ପଞ୍ଚଦଶ ଅର୍ଥ କମିସନର ସୁପାରିସରେ ଏହାକୁ ଆହୁରି କୋହଳ କରାଯାଇଛି। ଏଣୁ ଆୟୋଗର ଆର୍ଥିକ ରୋଡମ୍ୟାପରେ ବିତ୍ତୀୟ ନିଅଣ୍ଟ, ରାଜସ୍ବ ବଳକା, ଋଣ ଓ ଦେୟ, ମୋଟ ଜିଏସଡିପି ଅନୁସାରେ ୨୦୨୦-୨୧ରେ ଯଥାକ୍ରମେ ୪.୫% , ୦.୧% ଏବଂ ୩୩.୧% ମଧ୍ୟରେ ସୀମିତ ରହିବ। ସେହିପରି ୨୦୨୧ -୨୦୨୨ରେ ତାହା ଯଥାକ୍ରମେ ୪%, ୦.୫% ଏବଂ ୩୨.୬% ମଧ୍ୟରେ ସୀମିତ ରଖିବାକୁ ପଡିବ।

ଓଡ଼ିଶା ସରକାର ଏସବୁ ନିୟମ ମାନୁଛନ୍ତି । ବିତ୍ତୀୟ ନିଅଣ୍ଟ ଜିଏସଡିପିର ୨୦୨୦-୨୧ରେ ୩.୪୯% ହୋଇଥିଲାବେଳେ ୨୦୨୧-୨୨ରେ ୩.୪୯% ହେବ ବୋଲି ଆକଳନ କରାଯାଇଛି; କିନ୍ତୁ ପିଆରଏସ ବଜେଟ ବିଶ୍ଳେଷଣ ଅନୁଯାୟୀ ଯଦି ୨୦୧୭ରୁ ୨୦୨୧ ମଧ୍ୟରେ ହାରାହାରି ବିତ୍ତୀୟ ନିଅଣ୍ଟ ସ୍ଥିତି ଦେଖାଯାଏ, ତେବେ ଓଡ଼ିଶାରେ ତାହା ୨.୭. % ହୋଇଥିଲାବେଳେ, ପଶ୍ଚିମ ବଙ୍ଗ, ଝାଡ଼ଖଣ୍ଡ ଓ ସିକିମ କ୍ଷେତ୍ରରେ ଅନୁରୂପ ରହିଛି। ଦିଲ୍ଲୀ (୦.୧%), ମହାରାଷ୍ଟ୍ର (୧.୬ %), ଗୁଜରାଟ (୧.୭%), ଗୋଆ (୨.୨%), କର୍ଣ୍ଣାଟକ ଓ ଉତ୍ତରପ୍ରଦେଶ (୨.୪% ), ଓଡିଶା ଠାରୁ ଉନ୍ନତ ସ୍ଥିତିରେ ଅଛନ୍ତି; କିନ୍ତୁ ଅନ୍ୟ ରାଜ୍ୟ ଯଥା, ଉତ୍ତରାଖଣ୍ଡ (୨.୮%) ତାମିଲନାଡୁ, ପଞ୍ଜାବ ତେଲେଙ୍ଗାନା ଓ ହରିୟାଣା (୨.୯%), ରାଜସ୍ଥାନ(୩.୨%), କେରଳ ଓ ଆସାମ (୩.୩%), ମେଘାଳୟ , ଅରୁଣାଚଳ ପ୍ରଦେଶ ଓ ମଧ୍ୟପ୍ରଦେଶ (୩.୭%), ଛତିଶଗଡ (୩.୮%), ହିମାଚଳ ପ୍ରଦେଶ (୪.୦%), ମିଜୋରାମ (୪.୧%), ଆନ୍ଧ୍ର ପ୍ରଦେଶ (୪.୨%), ତ୍ରିପୁରା(୪.୩%), ନାଗାଲାଣ୍ଡ ଓ ମଣିପୁର (୪.୪%),ବିହାର (୪.୬%), ଆଦି ୧୯ଟି ରାଜ୍ୟଠାରୁ ଓଡ଼ିଶା ଭଲ ସ୍ଥିତିରେ ରହିଛି ।

ମୋଟ ଋଣ ପରିମାଣ ୨୦୨୦-୨୧ ସୁଦ୍ଧା ଜିଏସଡିପି ୨୦.୯୧% ବା ୧୦୬୫୪୦ କୋଟି ଟଙ୍କା ହୋଇଥିଲାବେଳେ ଏହା ୨୦୨୧ -୨୨ରେ ୧୨୫୦୦୫ କୋଟି ଟଙ୍କା ବା ଜିଏସଡିପିର ୨୧.୩୩%ର ସୀମିତ ରହିବ ବୋଲି ବଜେଟରେ ଆକଳନ କରାଯାଇଛି। ଏହା ଏଫଆରବିଏମ ଆଇନ ଅନୁଯାୟୀ ୨୫% ମଧ୍ୟରେ ସୀମିତ ରହିବା ଉଚିତ। ୨୦୨୦-୨୧ ସୁଦ୍ଧା ରାଜ୍ୟଗୁଡ଼ିକର ଋଣ ତଥା ଅନ୍ୟାନ୍ୟ ଦେୟ ପରିମାଣ ଜିଏସଡିପିର ହାରାହାରି ୨୬.୬% ହୋଇଥିଲାବେଳେ ଓଡିଶା କ୍ଷେତ୍ରରେ ୨୩.୧%। ସିକିମର ସ୍ଥିତି ଓଡିଶାର ସ୍ଥିତି ସହିତ ସମାନ। କେବଳ ଦିଲ୍ଲୀ (୦.୪%), ମହାରାଷ୍ଟ୍ର (୧୬.୭%), ଗୁଜରାଟ (୧୮.୮%), କର୍ଣ୍ଣାଟକ (୨୦.୫%), ତେଲେଙ୍ଗାନା (୨୨.୮%) ଓଡ଼ିଶାଠାରୁ ଭଲ ସ୍ଥିତିରେ ଅଛନ୍ତି । ଆପାତତଃ ୨୨ଟି ରାଜ୍ୟ କ୍ଷେତ୍ରରେ ଏହି ହାର ଓଡ଼ିଶାଠାରୁ ଅଧିକ । ସେଗୁଡିକ ହେଲା ଆସାମ (୨୩.୭%), ତାମିଲନାଡୁ (୨୪.୫%), ହରିୟାଣା (୨୪.୯%), ଛତିଶଗଡ (୨୭.୧%), ଝାଡ଼ଖଣ୍ଡ (୨୭.୯% ), ମଧ୍ୟପ୍ରଦେଶ (୨୯.୪%), ଗୋଆ (୩୦%), କେରଳ (୩୦.୩%), ବିହାର (୩୦.୮%), ତ୍ରିପୁରା (୩୦.୯%), ଉତ୍ତରାଖଣ୍ଡ (୩୨%), ଆନ୍ଧ୍ର ପ୍ରଦେଶ (୩୨.୭%), ଉତ୍ତରପ୍ରଦେଶ (୩୩.୧%),ମେଘାଳୟ (୩୩.୪%), ରାଜସ୍ଥାନ (୩୪.୫%), ମଣିପୁର ଓ ପଶ୍ଚିମ ବଙ୍ଗ (୩୪.୭%) , ହିମାଚଳ ପ୍ରଦେଶ (୩୫.୭%), ନାଗାଲାଣ୍ଡ (୩୮.୨%), ପଞ୍ଜାବ (୩୮.୭%), ମିଜୋରାମ (୪୦.୯%), ଅରୁଣାଚଳ ପ୍ରଦେଶ(୪୧.୭%)।

ଯଦି ୨୦୧୫ ରୁ ୨୦୨୧ ମଧ୍ୟରେ ହାରାହାରି ଋଣ ଓ ସୁଧ ବାବଦରେ ରାଜସ୍ବ ପ୍ରାପ୍ତିର କେତେ ବ୍ୟୟ ହେଉଛି ଦେଖାଯାଏ, ତେବେ ଜାତୀୟହାର ୨୩% ହୋଇଥିଲାବେଳେ ଓଡ଼ିଶା କ୍ଷେତ୍ରରେ ଏହା ୧୦% ଅଟେ । କର୍ଣ୍ଣାଟକ, ମେଘାଳୟ କ୍ଷେତ୍ରରେ ମଧ୍ୟ ଏହା ୧୦% ଅଟେ । ଆସାମ, ଅରୁଣାଚଳ ପ୍ରଦେଶ, ଛତିଶଗଡ ଓ ମିଜୋରାମ (୯%) ଓଡିଶାଠାରୁ ଭଲ ସ୍ଥିତିରେ ରହିଛନ୍ତି । ଅବଶିଷ୍ଟ ୨୧ଟି ରାଜ୍ୟଠାରୁ ଓଡିଶା ଉନ୍ନତ ସ୍ଥିତିରେ ରହିଛି ।

ଜିଏସଡିପି ଅନୁସାରେ ନିଜସ୍ୱ ଟିକସ ଆଦାୟ ଦ୍ବାରା ରାଜ୍ୟର ଆର୍ଥିକ ସ୍ଥିତି ଜଣାପଡିଥାଏ । ୨୦୨୧-୨୨ରେ ଏହା ୬.୪ % ହେବବୋଲି ଆକଳନ କରାଯାଇଛି। ଅବଶ୍ୟ ତ୍ରୟୋଦଶ ଅର୍ଥ କମିସନ ଏହାକୁ ୬.୭୫%କୁ ବୃଦ୍ଧି କରିବା ପାଇଁ ପରାମର୍ଶ ଦେଇଥିଲା; କିନ୍ତୁ ୨୦୧୫ ରୁ ୨୦୨୧ ମଧ୍ୟରେ ରାଜ୍ୟଗୁଡ଼ିକର ଏହା ହାରାହାରି ୬.୩% ହୋଇଥିଲାବେଳେ ଓଡ଼ିଶାରେ ମଧ୍ୟ ଏହା ୬.୩% । କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଓ ରାଜସ୍ଥାନ (୬.୪%), ତାମିଲନାଡୁ (୬.୫%) କେରଳ ଓ ଗୋଆ (୬.୭%), ମହାରାଷ୍ଟ୍ର (୬.୮%) ଉତ୍ତରପ୍ରଦେଶ (୭.୨%), ଛତିଶଗଡ ଓ ତେଲେଙ୍ଗାନା (୭.୪%), ଆଦି ୧୦ ଟି ରାଜ୍ୟଠାରୁ ଠାରୁ ଓଡ଼ିଶା ପଛରେ ଅଛି ।

ଅପାତତଃ, ଅବଶିଷ୍ଟ ନାଗାଲାଣ୍ଡ (୨.୮%), ମିଜୋରାମ (୨.୯%), ସିକ୍କିମ (୩.୧%), ତ୍ରିପୁରା (୩.୭%), ମଣିପୁର (୩.୮%), ଦିଲ୍ଲୀ (୪.୯%), ଅରୁଣାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡ (୫%), ହିମାଚଳ ପ୍ରଦେଶ ଓ ମେଘାଳୟ (୫.୨%), ଆସାମ, ଗୁଜରାଟରେ (୫.୩%), ପଶ୍ଚିମ ବଙ୍ଗ (୫.୪%), ବିହାର ଓ ଝାଡ଼ଖଣ୍ଡ (୫.୫ %), ହିମାଚଳ ପ୍ରଦେଶ ଓ ହରିୟାଣା (୫.୯%), ପଞ୍ଜାବ (୬.୧%), ମଧ୍ୟପ୍ରଦେଶ (୬.୨%) ଆଦି ୧୯ଟି ରାଜ୍ୟ ଠାରୁ ଓଡିଶା ଆଗରେ ଅଛି ।

ବ୍ୟୟ ଆକଳନ ଏବଂ ବାସ୍ତବରେ କେତେ ବ୍ୟୟ ହେଉଛି ବା ହେଉନି ତାହାଦ୍ୱାରା ରାଜ୍ୟର ଆର୍ଥିକ ସ୍ଥିତି ଜଣା ପଡିଥାଏ। ୨୦୧୫ରୁ ୨୦୧୯ ମଧ୍ୟରେ ହାରାହାରି ରାଜ୍ୟ ଗୁଡ଼ିକ ଯେତିକି ବ୍ୟୟ ଧାର୍ଯ୍ୟ କରୁଛନ୍ତି ତାହାର ୮ % କମ ବ୍ୟୟ କରୁଛନ୍ତି। ଓଡ଼ିଶାରେ ଏହା ୭.୦%। ଆନ୍ଧ୍ରପ୍ରଦେଶ, ଗୁଜରାଟ, ମହାରାଷ୍ଟ୍ର, କେରଳ, ହରିୟାଣା କ୍ଷେତ୍ରରେ ଏହା ମଧ୍ୟ ୭ % । କର୍ଣ୍ଣାଟକରେ ସବୁ ବ୍ୟୟ କରିଲାବେଳେ ପଶ୍ଚିମ ବଙ୍ଗରେ ୧% ଅଧିକ ବ୍ୟୟ କରିଛି। ମଣିପୁର, ମିଜୋରାମ (୨%), ରାଜସ୍ଥାନ (୪%), ତାମିଲନାଡୁ (୫%), ହିମାଚଳ ପ୍ରଦେଶ, ମଧ୍ୟ ପ୍ରଦେଶ (୬%) ଓଡିଶାଠାରୁ ଭଲ ସ୍ଥିତିରେ ଅଛନ୍ତି; କିନ୍ତୁ କିଛି ରାଜ୍ୟ ଯଥା ଉତ୍ତରପ୍ରଦେଶ ଓ ନାଗାଲାଣ୍ଡ (୮%), ସିକିମ (୧୦%), ଉତ୍ତରାଖଣ୍ଡ (୧୧%), ପଞ୍ଜାବ, ବିହାର ଓ ଝାଡ଼ଖଣ୍ଡ (୧୩ %), ଛତିଶଗଡ ଓ ମେଘାଳୟ (୧୫%), ଦିଲ୍ଲୀ (୧୮%), ଗୋଆ, ତେଲେଙ୍ଗାନା ଓ ତ୍ରିପୁରା ( ୧୯%) ଜାମ୍ମୁ ଓ କାଶ୍ମୀର ( ୨୧%), ଆସାମ (୨୫ %) ଆଦି ୧୫ଟି ରାଜ୍ୟ ଓଡିଶା ଠାରୁ ଖରାପ ସ୍ଥିତିରେ ଅଛନ୍ତି।

ଏକ ରାଜ୍ୟର ଆର୍ଥିକ ସ୍ଥିତି ମଧ୍ୟ ବଜେଟରେ ନିଜର ସମ୍ବଳ ଉପରେ କେତେ ନିର୍ଭରଶୀଳ ଜଣା ପଡିଥାଏ । ରାଜ୍ୟଗୁଡ଼ିକ ତାଙ୍କ ବଜେଟର ସମ୍ବଳ ପାଇଁ ୨୦୧୫ରୁ ୨୦୨୧ ମଧ୍ୟରେ ହାରାହାରି ତାଙ୍କ ରାଜସ୍ୱ ପରିମାଣର ୫୪ % ନିଜର ଟିକସ ଓ ଅଣ ଟିକସରୁ ଆଦାୟ କରୁଥିଲା ବେଳେ କେନ୍ଦ୍ରୀୟ ପାଣ୍ଠି ଉପରେ (ବିଭାଜିତ ପାଣ୍ଠିରେ ଅଂଶ ଓ ଗ୍ରାଣ୍ଟ-ଇନ-ଏଡ) ୪୬% ନିର୍ଭରଶୀଳ ଥିଲେ; କିନ୍ତୁ ଓଡ଼ିଶା କେନ୍ଦ୍ର ଉପରେ ୫୬% ନିର୍ଭରଶୀଳ। ଉତ୍ତର ପ୍ରଦେଶ ସ୍ଥିତି ମଧ୍ୟ ଓଡିଶା ସହିତ ସମାନ। ଓଡ଼ିଶାଠାରୁ ଯେଉଁ ରାଜ୍ୟ ବେଶୀ କେନ୍ଦ୍ରୀୟ ପାଣ୍ଠି ଉପରେ ଅଧିକ ନିର୍ଭରଶୀଳ ସେଗୁଡିକ ହେଲା – ନାଗାଲାଣ୍ଡ (୯୧%),ମଣିପୁର (୯୦%), ମିଜୋରାମ ଓ ଅରୁଣାଚଳ ପ୍ରଦେଶ ( ୮୯% ), ତ୍ରିପୁରା (୮୩%), ଜାମ୍ମୁ ଏଣ୍ଡ କାଶ୍ମୀର ଓ ମେଘାଳୟ (୮୦%), ବିହାର ଓ ସିକ୍କିମ (୭୫%), ହିମାଚଳ ପ୍ରଦେଶ (୬୭%), ଆସାମ (୬୬%), ଝାଡ଼ଖଣ୍ଡ (୫୮% ), ମଧ୍ୟପ୍ରଦେଶ ଓ ପଶ୍ଚିମ ବଙ୍ଗରେ (୫୭%) । ଓଡିଶା ଠାରୁ ଯେଉଁ ରାଜ୍ୟ କମ ନିର୍ଭରଶୀଳ ସେଗୁଡିକ ହେଲା – ଦିଲ୍ଲୀ (୧୪ %), ହରିୟାଣା (୨୪%), ତେଲେଙ୍ଗାନା (୨୫%), ମହାରାଷ୍ଟ୍ର (୨୭%), କେରଳ, ତାମିଲନାଡୁ ଓ ଗୁଜରାଟ (୩୧%), ଗୋଆ (୩୨%),କର୍ଣ୍ଣାଟକ (୩୫%), ପଞ୍ଜାବ (୩୯%), ରାଜସ୍ଥାନ (୪୫%), ଆନ୍ଧ୍ର ପ୍ରଦେଶ(୪୯%), ଛତିଶଗଡ (୩୨%) ।

ଅବଶ୍ୟ ଏପରି ତଫାତ ରହିବାର କାରଣ ହେଲା ପାର୍ବତ୍ୟ ଅଞ୍ଚଳରେ ରାଜ୍ୟରେ ନିଜସ୍ୱ ସମ୍ବଳ ସଂଗ୍ରହ କରିବା କଷ୍ଟକର। ପୁନଶ୍ଚ କେନ୍ଦ୍ର ରାଜ୍ୟମାନଙ୍କୁ ଦୟାକରି ଦିଏନାହିଁ। ରାଜ୍ୟରୁ ଟିକସ ଆଦାୟ କରିଥାଏ ଏବଂ ରାଜ୍ୟମାନଙ୍କ ଆଦାୟ କରିବାର ଉତ୍ସ ସୀମିତ ହୋଇଥିବାରୁ ଦେଇଥାଏ। କାରଣ ରାଜ୍ୟଗୁଡ଼ିକ ବେଶୀ ବ୍ୟୟ କରିଥାନ୍ତି। ଅପର ପକ୍ଷରେ କେନ୍ଦ୍ର ସରକାର ସେସ ଓ ସରଚାର୍ଜ ମାଧ୍ୟମରେ ଅଧିକ ରାଜସ୍ୱ ଅଦାୟ କରିବାରୁ ମୋଟ ବିଭାଜିତ ପାଣ୍ଠିରେ ରାଜ୍ୟର ଅଂଶ କମିଯାଉଛି କାରଣ ସେସ ଓ ସରଚାର୍ଜ ମାଧ୍ୟମରେ ଯେଉଁ ସମ୍ବଳ ସଂଗ୍ରହ ହୁଏ ସେଥିରେ ରାଜ୍ୟଗୁଡ଼ିକର କିଛି ଭାଗ ନଥାଏ । ୨୦୧୩-୧୪ରେ କେନ୍ଦ୍ର ସରକାର ସେସ ଓ ସରଚାର୍ଜ ବାବଦରେ ୧,୦୪,୩୦୦ କୋଟି ଟଙ୍କା ଆଦାୟ କରିଲା ବେଳେ, ୨୦୨୦-୨୧ରେ ୩,୭୦,୨୧୮ କୋଟି ଟଙ୍କା ଆଦାୟ କରିବେ ବୋଲି ଲକ୍ଷ୍ୟ ରଖିଥିଲେ। ଯାହା ବାସ୍ତବରେ ଅଧିକ। ସେହିପରି ଦ୍ବାଦଶ ଅର୍ଥ କମିସନ ସୁପାରିସ ଅନୁଯାୟୀ ଓଡିଶାର ବିଭାଜିତ ପାଣ୍ଠିରେ ଭାଗ ୫.୧୬% ଥିଲାବେଳେ , ତାହା କ୍ରମଶଃ ହ୍ରାସ ପାଇ ତ୍ରୟଦଶ କମିସନ ୪.୭୭% , ଚତୁର୍ଦଶ କମିସନ,୪.୬୪%କୁ ହ୍ରାସ ପାଇଥିଲା। ବର୍ତ୍ତମାନ ପଞ୍ଚଦଶ ଅର୍ଥ କମିସନ ସୁପାରିସ ଅନୁଯାୟୀ ୪.୬୩%କୁ ହ୍ରାସ ପାଇଛି। ଏହା ସତ୍ତ୍ୱେ ଓଡ଼ିଶା ସରକାର ଅଧିକ ବିକାଶ ପାଇଁ ଧ୍ୟାନ ଦେବା ଉଚିତ। ମୁଣ୍ଡପିଛା ଆୟ ଦୃଷ୍ଟିରୁ ଓଡିଶା ୨୪ ନମ୍ବର ସ୍ଥାନରେ ବା ୨୩ଟି ରାଜ୍ୟ ତଳେ ଅଛି। ଏଥିରେ ଉନ୍ନତି ଆବଶ୍ୟକ। ବିଶେଷ କରି ମାନବିକ ବିକାଶ, ଖାଲିସ୍ଥାନ ପୂରଣ, ନିଯୁକ୍ତି ବୃଦ୍ଧି ସହିତ, ଶିକ୍ଷା, ସ୍ୱାସ୍ଥ୍ୟ ମାଗଣା ବା ସ୍ୱଳ୍ପ ମୂଲ୍ୟରେ ଯୋଗାଇଦେବା ପାଇଁ ଚେଷ୍ଟା କରିବା। ଯେପରି ଅନ୍ୟ ରାଜ୍ୟଗୁଡ଼ିକ ଓଡ଼ିଶାକୁ ଅନୁକରଣ କରିବେ ।

Comments are closed.