ଲକ୍ଷ୍ୟ, କକ୍ଷ ଓ ଶିକ୍ଷକ

ସୁପ୍ରଭା ବେହେରା

ଅର୍ଜୁନ ଯେ ଶ୍ରେଷ୍ଠ ଧନୁର୍ଦ୍ଧର ଓ ତାଙ୍କ ଲକ୍ଷ୍ୟଭେଦ କୌଶଳ ଯେ ଅନନ୍ୟ, ଏହା ସର୍ବ ବିଦିତ। ଏହା ସହ ଜଡିତ ମହାଭାରତର ସେହି କାହାଣୀଟି ମଧ୍ୟ ଊଣା ଅଧିକେ ଜଣା । ଗୁରୁ ଦ୍ରୋଣାଚାର୍ଯ୍ୟ ସେଦିନ ଗଛ ଡାଳରେ ଗୋଟିଏ ପକ୍ଷୀର ପ୍ରତିକୃତି ରଖିଲେ। ଗୋଟି ଗୋଟି ଶିଷ୍ୟଙ୍କୁ ଡାକିଲେ। ସେମାନେ କଣ ଦେଖୁଛନ୍ତି ବୋଲି ପ୍ରଶ୍ନ ପଚାରିଲେ। ଠିକ ଉତ୍ତର ମିଳିଲେ ଶର ଚାଳନାର ଅନୁମତି ଦେବେ ବୋଲି କହିଲେ। ପ୍ରଥମେ ଦୁ​‌େ​‌ର୍ଯ୍ୟାଧନଙ୍କୁ ଡାକିଲେ। ଦୁ‌େ‌ର୍ଯ୍ୟାଧନ କହିଲେ- ଗୁରୁଦେବ ମୁଁ ଗଛ, ଡାଳ, ପତ୍ର, ପକ୍ଷୀର ଡେଣା ଇତ୍ୟାଦି ଦେଖିପାରୁଛି। ତାପରେ ଯୁଧିଷ୍ଠିର, ଭୀମ, ଦୁଃଶାସନ ଜଣ ଜଣ କରି ସମସ୍ତଙ୍କ ପାଳି ପଡିଲା। ଗୁରୁ ପୁତ୍ର ଅଶ୍ବତ୍‌ଥମା ମଧ୍ୟ ଆସିଲେ। ସମସ୍ତଙ୍କର ସମାନ ଉତ୍ତର। ତା ସହ ଆଉ କିଛି ଶିଷ୍ୟଙ୍କ ଦୂରଦୃଷ୍ଟି ଅଧିକ ଥିଲା। ସେମାନେ ଗଛ, ଡାଳ, ପତ୍ର, ପକ୍ଷୀ ସହ ନିଜର ବନ୍ଧୁ ଓ ଗୁରୁଜୀଙ୍କୁ ମଧ୍ୟ ଦେଖି ପାରୁଥିଲେ। ଗୁରୁ ଦ୍ରୋଣାଚାର୍ଯ୍ୟ କାହାରିକୁ ଶର ଚାଳନାର ଅନୁମତି ଦେଇ ନ ଥିଲେ। ଶେଷରେ ଆସିଲେ ଅର୍ଜୁନ। ସେଇ ସମାନ ପ୍ରଶ୍ନ ଥିଲା ତାଙ୍କ ପାଇଁ, କ’ଣ ଦେଖୁଛ ? ଅର୍ଜୁନଙ୍କ ଉତ୍ତର ଥିଲା, ଗୁରୁଦେବ ମୁଁ ଗୋଟିଏ ମାତ୍ର ଆଖି ଦେଖି ପାରୁଛି। ଦ୍ରୋଣାଚାର୍ଯ୍ୟ ଶର ଚାଳନାର ଅନୁମତି ଦେଲେ। ଅର୍ଜୁନଙ୍କ ଶରବିଦ୍ଧ ହୋଇ ପକ୍ଷୀର ପ୍ରତିକୃତିଟି ଟଳି ପଡିଥିଲା।

ଅର୍ଜୁନଙ୍କ ଲକ୍ଷ୍ୟ ଯଦି ଗଛ, ଡାଳ ପତ୍ର ଇତ୍ୟାଦି ହୋଇଥାନ୍ତା, ହୁଏତ ତାଙ୍କର ଲକ୍ଷ୍ୟଭେଦ ଭୁଲ ହୋଇଥାନ୍ତା। ଯେ କୌଣସି କାର୍ଯ୍ୟ ନିମନ୍ତେ ଲକ୍ଷ୍ୟ ଏକ ଓ ଏକମାତ୍ର ହେବା ଆବଶ୍ୟକ ଏବଂ ସେହି ଏକମାତ୍ର ଲକ୍ଷ୍ୟ ପାଇଁ ସାଧନାରତ ହେଲେ ଯାଇ ଆମର କାର୍ଯ୍ୟ ସଫଳ ହୋଇଥାଏ। ଏବେ ଆସିବା ଆମର ଶିକ୍ଷା ବ୍ୟବସ୍ଥା ଉପରକୁ। ଶିକ୍ଷା ହେଉଛି ମାନବସମ୍ବଳ ବିକାଶର ଏକ ପ୍ରମୁଖ ଅଙ୍ଗ। ଆଉ ଏହି ସମ୍ବଳ ବିକାଶର କର୍ଣ୍ଣଧାର ହେଲେ ଶିକ୍ଷକ। ଭାରତର ମୁଣ୍ଡ ପିଛା ଆୟ ବାର୍ଷିକ ୮୫.୯୨୯ ହୋଇଥିବା ସ୍ଥଳେ, ୭୦ ରୁ ୮୦ ଶତକଡା ଛାତ୍ରଛାତ୍ରୀ ଶିକ୍ଷା ନିମନ୍ତେ ସରକାରୀ ବିଦ୍ୟାଳୟରେ ନାମ ଲେଖାଇଥା’ନ୍ତି। ଦେଶର ୭୦ରୁ ୮୦ ଭାଗ ଛାତ୍ରଛାତ୍ରୀଙ୍କ ବିକାଶ ପାଇଁ ମଙ୍ଗ ଧରିଥିବା ଶିକ୍ଷକଙ୍କ ହାତରେ କିନ୍ତୁ ଶିକ୍ଷା ଛାଡି ଅନେକ ଅଣଶୈକ୍ଷିକ କାର୍ଯ୍ୟ ଲଦି ଦିଆଯାଇ ଥାଏ। ସରକାରୀ ଶିକ୍ଷକଟିଏ ଅନେକ ଦକ୍ଷତାର ଅଧିକାରୀ ହେଲେ ମଧ୍ୟ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରେ ନାହିଁ। କାରଣ ନିଜର ଅନିଚ୍ଛା ସତ୍ତ୍ୱେ, ଅର୍ଜୁନଙ୍କ ପରି ତା’ର ଗୋଟିଏ ଲକ୍ଷ୍ୟ ନ ହୋଇ ଗଛ, ଡାଳ, ପତ୍ର ଇତ୍ୟାଦିକୁ ଦେଖିବାକୁ ବାଧ୍ୟ ହୋଇଥାଏ।

ଶିକ୍ଷକଟିର ପ୍ରଧାନ କାର୍ଯ୍ୟ ଶ୍ରେଣୀରେ ଶିକ୍ଷାଦାନ କରିବା। କେବଳ ଆମ ରାଜ୍ୟ ନୁହଁ, ଭାରତର ଅନ୍ୟ ରାଜ୍ୟଗୁଡ଼ିକରେ ମଧ୍ୟ ଶିକ୍ଷକଟିଏ ଅଣ ଶୈକ୍ଷିକ କାର୍ଯ୍ୟରେ ନିୟୋଜିତ ହୋଇଥାଏ: ଯେପରି କି ଜନଗଣନା, ନିର୍ବାଚନ ଦାୟିତ୍ବ, ​‌େ‌ରସନକାର୍ଡ ଓ ଆଧାର କାର୍ଡର ସଂଶୋଧନ, ପ୍ରାକୃତିକ ବିପର୍ଯ୍ୟୟର ପରିଚାଳନା, ଭତ୍ତା ବଣ୍ଟନ, ମଧ୍ୟାହ୍ନ ଭୋଜନର ସମସ୍ତ ଦାୟିତ୍ବ, ପୁସ୍ତକ, ପୋଷାକ, ଜୋତା, ଆଇରନ୍ ଓ କାଲସିଅମ ଔଷଧ ବଣ୍ଟନ, ସାନିଟାରୀ ନାପ୍‌କିନ୍ ବଣ୍ଟନ, ଟିକାକରଣ ସଚେତନତା ଇତ୍ୟାଦି କାର୍ଯ୍ୟ କରିବାକୁ ପଡ଼ିଥାଏ। ଖାଲି ଏତିକି ନୁହଁ; ଏସବୁର ବିବରଣୀ ପ୍ରସ୍ତୁତ ଓ ତଥ୍ୟ ପ୍ରଦାନରେ ଅର୍ଦ୍ଧାଧିକ ଶିକ୍ଷାବର୍ଷ କଟିଯାଇଥାଏ। ଏତେ ସବୁ କାର୍ଯ୍ୟର ଦାୟିତ୍ବ ସମ୍ପାଦନା କରୁକରୁ, ଶିକ୍ଷକଟିଏର ପ୍ରଧାନ କାର୍ଯ୍ୟଟି ଗୌଣ ହୋଇଯାଏ। ରାଷ୍ଟ୍ରୀୟ ଶିକ୍ଷା ଯୋଜନା ଓ ପ୍ରଶାସନ ସଂସ୍ଥା (ଏନଆଇଇପିଏ)ର ପୂର୍ବବର୍ଷ ଆକଳନ ଅନୁସାରେ ଶିକ୍ଷକମାନେ ଶିକ୍ଷା ନିମନ୍ତେ ୧୯% ସମୟ ଦେଉଥିବାବେଳେ, ଅଣ ଶୈକ୍ଷିକ କାର୍ଯ୍ୟ ପାଇଁ ୪୩% ଓ ଶିକ୍ଷା ବିଭାଗକୁ ବିଭିନ୍ନ ତଥ୍ୟ ପ୍ରଦାନରେ ୩୮% ସମୟ ଦେଇଥାନ୍ତି।

ଶିକ୍ଷା ଅଧିକାର ନିୟମର ଧାରା ୨୭ ଶିକ୍ଷକମାନଙ୍କର କାର୍ଯ୍ୟର ସଂଜ୍ଞା ନିରୂପଣ କରିବାକୁ ଯାଇ ଶିକ୍ଷାଦାନ ସହ ଜନଗଣନା ଓ ନିର୍ବାଚନ କାର୍ଯ୍ୟକୁ ଶିକ୍ଷକତା ସହ ଯୋଡ଼ିଅଛି; କିନ୍ତୁ ନିକଟ ଅତୀତରେ କେ. କସ୍ତୁରୀରଙ୍ଗନ୍‌ଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତ ଜାତୀୟ ଶିକ୍ଷା ନୀତିର ତଥ୍ୟ ଶିକ୍ଷା ମନ୍ତ୍ରଣାଳୟକୁ ପ୍ରଦାନ କରାଯାଇଛି ଓ ଦେଶରେ ଏହା କାର୍ଯ୍ୟକାରୀ ହୋଇଛି। ଏଥିରେ ଦର୍ଶାଯାଇଛି ଯେ, ଶିକ୍ଷକତା ଏକ ସ୍ବତନ୍ତ୍ର ବୃତ୍ତି, ଯାହା ମାନବ ସମ୍ବଳ ବିକାଶର ପ୍ରମୁଖ ଆୟୁଧ; କିନ୍ତୁ ଶିକ୍ଷକମାନଙ୍କୁ, ଶିକ୍ଷାଠାରୁ ଅଧିକ ଅଣଶୈକ୍ଷିକ କାର୍ଯ୍ୟ ସମ୍ପାଦନା କରିବାକୁ ପଡୁଥିବାରୁ, ଆମର ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି ଏବଂ ଶିକ୍ଷାର ମୌଳିକ ଲକ୍ଷ୍ୟ ଆମେ ହାସଲ କରିପାରୁ ନାହାନ୍ତି।

ଶିକ୍ଷା ବ୍ୟବସ୍ଥାରେ ଅନେକ ସମସ୍ୟା ତ ରହିଛି। ଯେପରି କି ଭିତ୍ତିଭୂମିର ଅଭାବ, ଛାତ୍ରଛାତ୍ରୀ ଅନୁପାତ ଅନୁସାରେ କମ ସଂଖ୍ୟକ ଶିକ୍ଷକ, ଇତ୍ୟାଦି; କିନ୍ତୁ ଏତେ ସମସ୍ୟା ମଧ୍ୟରେ ପୁଣି ଶିକ୍ଷକଟିଏ ଅନେକ ଅଣ ଶୈକ୍ଷିକ କାର୍ଯ୍ୟ ଭାରରେ ଲଦି ହୋଇଯିବା ହେତୁ, ଶ୍ରେଣୀ କକ୍ଷର ଆବଶ୍ୟକତା ପୂରଣ ହୋଇପାରେ ନାହିଁ ବରଂ ସେହି ଅଣ ଶୈକ୍ଷିକ କାର୍ଯ୍ୟ ପାଇଁ ନିର୍ଦିଷ୍ଟ ଦକ୍ଷତା ଅନୁଯାୟୀ ନିଯୁକ୍ତି ଦିଆଗଲେ ବେକାରୀ ସମସ୍ୟା କିଛି ମାତ୍ରାରେ ଦୂର ହେବା ସହ, ଶିକ୍ଷକଟିଏ ଚାପ ମୁକ୍ତ ହୋଇ ନିଜର ମୌଳିକ କାର୍ଯ୍ୟରେ ପୂର୍ଣ୍ଣ ମନୋଯୋଗ ଦେଇପାରନ୍ତା।

ଏବେ କେ କସ୍ତୁରୀରଙ୍ଗନ୍‌ଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତ ଜାତୀୟ ଶିକ୍ଷା ନୀତିର ତଥ୍ୟ ପ୍ରତି ଧ୍ୟାନ ଦେବାର ସମୟ ଆସିଛି; ନଚେତ୍‌ ଶ୍ରେଣୀ କକ୍ଷର ଲକ୍ଷ୍ୟ ବିଚ୍ୟୁତ ହେବ; ଦେଶର ଭବିଷ୍ୟତ ପାଇଁ ଦିଅଁ ଗଢ଼ୁଗଢ଼ୁ ସ୍ରଷ୍ଟାମାନଙ୍କର ସାଧନାର ଏକାଗ୍ରତା ନଷ୍ଟ ହୋଇ ଗୁଡ଼ାଏ ମାଙ୍କଡ଼ ଗଢ଼ିବା ସାର ହେବ।

Comments are closed.