‘ଗାନ୍ଧୀ ବିଚାର’ କେବଳ କାର୍ଯ୍ୟକ୍ରମ ମାତ୍ର!

- ହରିହର ତ୍ରିପାଠୀ

ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ଶହେବର୍ଷ ପୂର୍ତ୍ତି ଅବସରରେ ରାଜ୍ୟରେ ବ୍ୟାପକ ଆେୟାଜନ ଚାଲିଛି। ଏହି ମହାନ ଐତିହାସିକ ଘଟଣାର ସ୍ମୃତିକୁ ଏକବର୍ଷ ଲାଗି ପାଳନ କରିବାକୁ ରାଜ୍ୟ ସରକାର ସ୍ଥିର କରିଛନ୍ତି। ଏଥିଲାଗି ନାନା କାର୍ଯ୍ୟକ୍ରମ ହେଉଛି। ତେବେ ଲାଗୁଛି ଗାନ୍ଧୀ ଏଣିକି କେବଳ କାର୍ଯ୍ୟକ୍ରମ ଓ ଘଟଣା ଭିତରେ ହିଁ ରହିଯିବେ; ଆମର ଜୀବନକୁ ଓହ୍ଲାଇ ପାରିବେ ନାହିଁ। ବର୍ତ୍ତମାନର ଯୁବଚେତନାରେ ଗାନ୍ଧୀ ବିଚାରର ପ୍ରତିଫଳନ ଆଦୌ ନାହିଁ। ଲାଗୁଛି ସତେ ଯେମିତି ଗାନ୍ଧୀଙ୍କୁ ସହିପାରୁନି ଏ ଯୁବପିଢ଼ି। ଅବଶ୍ୟ ସତ କହିବାକୁ ଡରୁଥିବା ଆଜିର ମଣିଷମାନେ ସତ୍ୟକୁ ଜୀବନରେ ପ୍ରୟୋଗ କରିଥିବା ଜଣେ ବ୍ୟକ୍ତିକୁ ବୁଝି, ତା’ରି ଆଦର୍ଶରେ ବ୍ରତୀ ହୋଇ ଚାଲିବେ ଏଭଳି ଆଶା କରିବା ବିଡ଼ମ୍ବନା ନୁହେଁ କି ? ସେଇଥିଲାଗି ସାରା ଦେଶରୁ ଅଧୁଟେ ଏବେ ଗାନ୍ଧୀ ବିରୋଧୀ ହୋଇଗଲେଣି। ଆଲବର୍ଟ ଆଇନଷ୍ଟାଇନଙ୍କ ବକ୍ତବ୍ୟ ସତ ହେବାକୁ ଯାଉଛି। ଭାରତର ଯୁବପିିଢ଼ି ମାନିବାକୁ ନାରାଜ, ଗାନ୍ଧୀ ବୋଲି ଏମିତି କିଏ ଜଣେ ଥିଲେ ଯିଏ କି ଆଣ୍ଠୁ ଲୁଚୁନଥିବା ଧୋତିଖଣ୍ଡେ ପିନ୍ଧି ସାରା ବ୍ରିଟିଶ ସାମ୍ରାଜ୍ୟ ବୁଲି ଆସିଥିଲେ। କେବଳ ବୁଲି ଆସିନଥିଲେ ମହାପ୍ରତାପୀ ବ୍ରିଟିଶରାଜ ବିରୋଧରେ ସଂଗ୍ରାମ କରିଥିଲେ ଓ ବିଜୟଲାଭ କରିଥିଲେ। ତେବେ ଭାରତୀୟ ଆଦର୍ଶର ଧାର ଧାରୁନଥିବା ଆଜିର ପିଲାଏ ଗାନ୍ଧୀଙ୍କ ବିଚାରଧାରାକୁ ନକାରାତ୍ମକ ଢଙ୍ଗରେ ଗ୍ରହଣକରି ଗାନ୍ଧୀ ଆଦର୍ଶକୁ ଦେଶରୁ ଧୀରେଧୀରେ ଲୋପ କରିବାକୁ ବସିଲେଣି। ଏଭଳି ସ୍ଥିତିରେ ଗାନ୍ଧୀଙ୍କ ସ୍ମୃତିଚାରଣ କେବଳ ଏକ କାର୍ଯ୍ୟକ୍ରମ ନୁହେଁ ତ ଆଉ କ’ଣ?

ଗାନ୍ଧୀ କେବେ ବି ଦୁର୍ନୀତି, ଭ୍ରଷ୍ଟାଚାର, ଚାକଚକ୍ୟଭରା ଜୀବନର ପକ୍ଷପାତୀ ନଥିଲେ ଯାହାକି ଆଜିର ନେତାମାନଙ୍କର ପ୍ରମୁଖ ଆଚରଣ ଭାବେ ପରିଗଣିତ। ଆଜି ଦେଶ ଯେତେବେଳେ ଦୁର୍ନୀତିରେ ଉବୁଟୁବୁ ହେଉଛି ସେତେବେଳେ ଦୋଷ ଦିଆଯାଉଛି ଗାନ୍ଧୀଙ୍କୁ। ଅଧିକାଂଶ ତରୁଣ ଓ ଯୁବପିିଢ଼ିର ମତ ଅହିଂସା ଉପାୟରେ ଇଂରେଜମାନଙ୍କ ହାତଟେକା ସ୍ୱାଧୀନତା ମିଳିଥିବାରୁ ଦେଶର ଆଜି ଏ ଦୁର୍ଦଶା। ମାତ୍ର ଭାରତୀୟ ଜନଜୀବନରେ ଗାନ୍ଧୀ ଆଦର୍ଶ ଓ ବିଚାରଧାରାର ସଂପୂର୍ଣ୍ଣ ବିଲୁପ୍ତି ଘଟିଥିବାରୁ ଯେ ଦେଶ ଏଭଳି ଭୟଙ୍କର ସ୍ଥିତିର ସମ୍ମୁଖୀନ ହୋଇଛି ଏକଥା କେହି ବି କହୁ ନାହାନ୍ତି।

ଗାନ୍ଧୀଙ୍କୁ ମନେପକାଇବା, ତାଙ୍କର ସ୍ମୃତିଚାରଣ କରିବା ଆଜିକାଲିର ଏକ ପ୍ରମୁଖ ରାଜନୈତିକ କାର୍ଯ୍ୟକ୍ରମରେ ପରିଣତ ହୋଇଛି। ଗାନ୍ଧୀ କିନ୍ତୁ ଦିନେ ଏ ଦେଶର ଜନମାନସରେ ନୁହେଁ ପାଣି ପବନରେ ବି ଛାଇ ଯାଇଥିଲେ। ଗାନ୍ଧୀ କହିଲେ ସାରାଦେଶ କାନଡେରି ଶୁଣୁଥିଲା। ଗାନ୍ଧୀ ରୁଷିଲେ ସାରାଦେଶ ପ୍ରମାଦ ଗଣୁଥିଲା। ଅବଶ୍ୟ ଏକଥା ସବୁ ଏବେ କାହାଣୀ ମନେହୋଇପାରେ। ଏବେ ଗାନ୍ଧୀ କେବଳ ମୂର୍ତ୍ତିରେ ସୀମିତ। ଦେଶର ନାନାସ୍ଥାନରେ ଗାନ୍ଧୀଙ୍କର ମୂର୍ତ୍ତି ପ୍ରତିଷ୍ଠା ହୋଇଛି। ଗାନ୍ଧୀଙ୍କ କଥା ସଭାସମିତିରେ ପହିଲେ କୁହାଯାଉଛି। ନେତାଏ ଦେଶସେବା ଲାଗି ଶପଥ ନେଲାବେଳେ ପହିଲେ ଗାନ୍ଧୀଙ୍କୁ ମନେପକାଉଛନ୍ତି। ନିଜ ଅଫିସ୍ ଭିତରେ ଆଉ କିଛି ରହୁ ନ ରହୁ ଗାନ୍ଧୀଙ୍କ ଫଟୋଟିଏ ରଖୁଛନ୍ତି। ତେବେ ଏଇସବୁ କାର୍ଯ୍ୟ ଭିତରେ ଗାନ୍ଧୀ ବଞ୍ଚି ରହିପାରିବେ କି? ଏହାର ଅର୍ଥ ନୁହେଁ ଯେ ଗାନ୍ଧୀଙ୍କର ଉପାସନା ନହେଉ। ଏସବୁ ଗାନ୍ଧୀମୂର୍ତ୍ତିର ଆରାଧନା। ଗାନ୍ଧୀ ମୂର୍ତ୍ତି ପ୍ରତି ଭକ୍ତି। ଏଥିରେ ବି ଆପତ୍ତି ନାହିଁ। ତେବେ ଏ ଆରାଧନା ଏ ଭକ୍ତି ସହିତ ଗାନ୍ଧୀ ବିଚାରର ଚିନ୍ତନ ହେଉ। ଗାନ୍ଧୀ ଯାହା କହୁଥିଲେ, ଯାହାପାଇଁ ଦେହଧରି ରହିଥିଲେ, ଆଉ ଯାହାପାଇଁ ପୁଣି ଦେହ ଛାଡ଼ିଲେ ସେଇ ସତ୍ୟକୁ ଯିଏ ଜୀବନରେ ସବୁଠାରୁ ବେଶି ମୂଲ୍ୟ ଦେବ, ଆପଣାର ବ୍ୟକ୍ତିଗତ ଓ ସାମାଜିକ ଜୀବନରେ, ଚଳଣିରେ ଯିଏ ପ୍ରୟୋଗ କରିପାରିବ, ସେ ହିଁ ବାସ୍ତବରେ ଗାନ୍ଧୀଙ୍କର ପୂଜା କରୁଛି ବୋଲି କୁହାଯିବ।

କୁହାଯାଏ ଗାନ୍ଧୀ ଯେତେବେଳେ ବଞ୍ଚିଥିଲେ ସେତେବେଳେ ତାଙ୍କ କଥା ଓ କାମ ଭିତରେ ଭଗବାନ ହିଁ ନିର୍ଦେଶ ଦେଉଥିଲେ। ସେଇ ନିର୍ଦେଶକୁ ସାରାଦେଶ ଚାହିଁ ରହିଥିଲା। ସାରାଦେଶର ବିବେକ ଜାଗ୍ରତ ହେଉଥିଲା ଗାନ୍ଧୀବାଣୀରେ ଓ ବିଚାରରେ। ଏବେ ଗାନ୍ଧୀ ନାହାନ୍ତି; ମାତ୍ର ତାଙ୍କର ବିଚାର ଆମର ବିବେକକୁ ଜାଗ୍ରତ କରୁ। ଆମର କଥା ଭଗବାନଙ୍କ କଥା ହେଉ, ଆମର କାମ ଭଗବାନଙ୍କ କାମ ହେଉ। କେବଳ ତାଙ୍କର ସ୍ମୃତିଚାରଣ କରି ତାଙ୍କୁ ମନେ ପକାଇଲେ ଗାନ୍ଧୀ ବିଚାରଧାରା ପୁନର୍ଜୀବିତ ହେବନାହିଁ।

ଗାନ୍ଧୀଙ୍କ ପରିକଳ୍ପିତ ଭାରତଠାରୁ ବହୁଦୂରକୁ ଚାଲିଆସିଛି ଦେଶ। ଗାନ୍ଧୀ କହିଥିଲେ ଭାରତର ସାତଲକ୍ଷ ଗାଁରେ ଜୀବନ ରହିଛି। ତେଣୁ ଗ୍ରାମ ବିକାଶରେ ହିଁ ହୋଇପାରିବ ଭାରତର ବିକାଶ। ଏବର ସରକାର ଏହି ଆଦର୍ଶରୁ ବିଚ୍ୟୁତ ହୋଇ ଗାଁଗୁଡ଼ିକର ମୌଳିକତା ନଷ୍ଟ କରିଚାଲିଛନ୍ତି। ଗାଁଗୁଡିକ ସହରର ବିଶାଳ ଆଁ ଭିତରେ ଏବେ ବିଲୀନ ହେବାକୁ ବସିଲେଣି। ସରକାର କେବଳ ମାଗଣା ଜିନିଷ ବାଣ୍ଟି ଗ୍ରାମବାସୀଙ୍କ କର୍ମକୁଶଳତା ଓ ଦକ୍ଷତାକୁ ନଷ୍ଟ କରିଚାଲିଛନ୍ତି। ଚାଷୀ ଚାଷବାସ ପରିତ୍ୟାଗ କରି ଟଙ୍କିକିଆ ଚାଉଳ ବା ଗହମ ପାଇବା ଲାଗି କଣ୍ଟ୍ରୋଲ ଦୋକାନରେ ଛିଡ଼ା ହେଉଛି। ଗାଁ ଗାଁରେ ମଦ ଦୋକାନ ଗାନ୍ଧୀଙ୍କ ବିଚାରକୁ ଉପହାସ କରୁଛି। ସରକାର ଅବକାରୀ ରାଜସ୍ୱବୃଦ୍ଧି ଆଳରେ ମଦକୁ ପ୍ରୋତ୍ସାହନ ଦେଉଛନ୍ତି। କୁଟୀରଶିଳ୍ପଗୁଡ଼ିକ ଏବେ ମୃତ ଅବସ୍ଥାକୁ ପ୍ରାପ୍ତ ହୋଇଛନ୍ତି। ଭାରତର ସରକାର, ଯୋଜନା ପ୍ରଣୟନକାରୀମାନେ ନିତିପ୍ରତି ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ବସି ତାଙ୍କ ବିଚାରଧାରାର ଉପହାସ କରିଚାଲିଛନ୍ତି।

ଗାନ୍ଧୀ ତାଙ୍କ ଜୀବଦ୍ଦଶାରେ ସାତଥର ଓଡ଼ିଶା ଆସିଥିଲେ। ଓଡ଼ିଶାକୁ ଭଲ ପାଉଥିଲେ ଗାନ୍ଧୀ। ତାଙ୍କ ହାତରେ ଧରିଥିବା ଅତିପ୍ରିୟ ବାଉଁଶ ବାଡ଼ିଟିକୁ ଆଚାର୍ଯ୍ୟ ହରିହର ତାଙ୍କୁ ଦେଇଥିଲେ। ଓଡ଼ିଶା ଗସ୍ତ ଅବସରରେ ବେରବୋଇରେ ଥିବା ସମୟରେ ଦିନେ ଗାନ୍ଧିଜୀ କହିଲେ – ‘‘ନିଜ ଦେହର ଶକ୍ତି କ୍ଷୟ ଘଟିଲେ ବାହ୍ୟ ଶକ୍ତିର ସାହାଯ୍ୟ ଆବଶ୍ୟକ ପଡ଼ିଥାଏ। ନିଜେ ଆତ୍ମନିର୍ଭରଶୀଳ ହୋଇ ବାଟ ଚାଲିବାରେ ସାମର୍ଥ୍ୟ ପାଇଁ ଖଣ୍ଡିଏ ବାଡ଼ିର ସନ୍ଧାନ କରୁଛି।’’ ଏକଥା ଶୁଣିଲାପରେ ଆଚାର୍ଯ୍ୟ ମହାଶୟ ଅତି ବିନମ୍ର ଭାବେ କହିଥିଲେ-‘‘ଆପଣ ଯେତିିକି ଉଚ୍ଚତାର ବାଡ଼ି ଚାହୁଁଛନ୍ତି, ସେତିକିିି ଉଚ୍ଚତାର ବାଉଁଶ ବାଡ଼ିଟିଏ ସଂଗ୍ରହ କରି ଆଜି ହିଁ ଆପଣଙ୍କୁ ଦେବି ଓ ଉକ୍ତ ଦିନ ଉପରବେଳା ସେ ବାଡ଼ି ଖଣ୍ଡିଏ ଆଣି ଗାନ୍ଧିଜୀଙ୍କୁ ଦେଇଥିଲେ। ସେ ବାଡ଼ି ଖଣ୍ଡିକ ବହୁଦିନ ଯାଏଁ ବାପୁଙ୍କ ସହିତ ରହିଥିଲା। ଏପରିକି ଭାରତଛାଡ଼ ଆନ୍ଦୋଳନରେ ଗାନ୍ଧିଜୀ ଜେଲ ଯିବା ସମୟରେ ଉକ୍ତ ବାଉଁଶ ବାଡ଼ିଟି ତାଙ୍କ ସାଥିରେ ଥିଲା। ଜେଲରୁ ଫେରିଲା ପରେ ଆଗାଖାଁ ପାଲେସ୍ରେ ସେ ଥରେ ପ୍ରାର୍ଥନା ସଭାକୁ ଯିବା ସମୟରେ ବାଡ଼ିଟିକୁ ବାହାରେ ରଖି ଯାଇଥିଲେ। କେହି ଜଣେ କୌତୁକ ବଶତଃ ସେହି ଶ୍ରଦ୍ଧାର ବାଡ଼ିକୁ ନେଇ ଯାଇଥିଲା। ବାଡ଼ି ହଜିବା ସମ୍ବାଦ ସେତେବେଳେ ଚର୍ଚ୍ଚାରେ ରହିଥିଲା। ଏକଥା ଆଚାର୍ଯ୍ୟ ମହାଶୟ ଜାଣିବା ପରେ ଆଉ ଖଣ୍ଡିଏ ବାଡ଼ି ପଠାଇବେ ବୋଲି ଗାନ୍ଧିଜୀଙ୍କ ପାଖକୁ ଚିଠି ଦେଲେ। ତେବେ ଗାନ୍ଧିଜୀ ଉତ୍ତରରେ ଲେଖିଥିଲେ – ‘‘ସେ ବାଡ଼ି ଖଣ୍ଡିକ ଥିଲା ମୋ ପାଇଁ ଅନେକ ସଫଳତାର ପ୍ରତୀକ, ସେମିତି ବାଡ଼ି ଆଉ କାହିଁ। ଏଣିକି ବାଡ଼ି ଧରିବି ନାହିଁ।’’

ଇତିହାସ ଯୁଗେ ଯୁଗେ ମଣିଷ ମହାତ୍ମାକୁ ଦେବତାର ଆସନ ଦେଇଛି। ଏଇ ଦେବତାର ଆସନ ଦେବା ଭିତରେ ସେ ମଣିଷ ମହାତ୍ମାକୁ ମାରିଦେଇଛି। ଜୀବନରୁ ଓ ସଂସାରରୁ ବିତାଡ଼ିତ କରି ଧର୍ମକୁ ସେ ମନ୍ଦିର ଭିତରେ ବନ୍ଦୀକରି ରଖିଛି। ଏହି ପରିପ୍ରେକ୍ଷୀରେ ଆମେ ଗାନ୍ଧୀଙ୍କୁ ଦେବତା ନୁହେଁ ଜଣେ ସାଧକ ଭାବେ ଗ୍ରହଣ କରିବା। ତାଙ୍କର ବିଚାରକୁ ଜଣେ ମହାତ୍ମାଙ୍କର ବାଣୀ ଭାବେ ନେବା ଓ ତାହାକୁ ଆମ ଜୀବନରେ ପ୍ରତିଫଳିତ କରିବା।

ଗାନ୍ଧୀ ଜଣେ ସାଧାରଣ ମଣିଷ ଥିଲେ। ତାଙ୍କ ଭିତରେ ଶତସହସ୍ର ଦୁର୍ବଳତା ଥିଲା; ତଥାପି ସେ ସେ ସମସ୍ତ ଦୁର୍ବଳତାକୁ ଅକାତରରେ ସ୍ୱୀକାର କରିପାରିଥିଲେ, କାରଣ ମାନବଜାତି ପ୍ରତି ତାଙ୍କର ପ୍ରତିଶ୍ରୁତିବଦ୍ଧତା ଥିଲା ଅନନ୍ୟ। ଆମେ ଗାନ୍ଧୀଙ୍କ ଜୀବନରୁ ପ୍ରଥମେ ‘ସ୍ୱୀକାର କରିବା ଆଦର୍ଶ’ଟିକୁ ଗ୍ରହଣ କରିବା। ଆମର ଦୋଷଦୁର୍ବଳତାକୁ ସ୍ୱୀକାର କରିନେବାଦ୍ୱାରା ଆମ ଭିତରର ନିର୍ଭୀକତା ଜାଗ୍ରତ ହୋଇଉଠିବ। ସେତେବେଳେ ଆମେ ସତ୍ୟକୁ ସ୍ୱୀକାର କରିବାକୁ ପ୍ରସ୍ତୁତ ହୋଇପାରିବା। ଆଉ ସତ୍ୟ ଜୀବନରେ ପ୍ରତିଫଳିତ ହେଲେ ମଣିଷ ଆଲୋକୋନ୍ମୁଖୀ ହୋଇଥାଏ।

Comments are closed.