ଶ୍ରୀକ୍ଷେତ୍ରରେ ସତ୍ୟାଗ୍ରହୀ ମହାତ୍ମା ଗାନ୍ଧୀ

- ପ୍ରହଲାଦ କୁମାର ସିଂହ

୧୯୨୦ ବେଳକୁ ପୁରୀ ଜିଲାର ବ୍ୟାପକ ଅଞ୍ଚଳରେ ପଡ଼ିଥାଏ ଭୟଙ୍କର ଦୁର୍ଭିକ୍ଷ। ଉତ୍କଳମଣି ଗୋପବନ୍ଧୁ ବିହାର-ଓଡ଼ିଶା ବିଧାନସଭାରେ ଏହି ଦୁର୍ଭିକ୍ଷର କରୁଣ ଚିତ୍ର ଉପସ୍ଥାପନ କରି ବିପନ୍ନ ଲୋକଙ୍କୁ ରକ୍ଷା କରିବା ପାଇଁ ଆକୁଳ ନିବେଦନ କରୁଥାନ୍ତି। ଗୋପବନ୍ଧୁଙ୍କ ନିଃସ୍ୱାର୍ଥପର ତ୍ୟାଗ ଓ ସେବାରେ ଗାନ୍ଧିଜୀ ଆକର୍ଷିତ ହୋଇଥାନ୍ତି। ତେଣୁ ଦୁର୍ଭିକ୍ଷ ପୀଡ଼ିତ ଅଞ୍ଚଳ ପ୍ରତି ସରକାର ଉପେକ୍ଷା କରୁଥିବା ବେଳେ ଗୋପବନ୍ଧୁଙ୍କ ପାଖକୁ ଗାନ୍ଧିଜୀ ପଠାଇଲେ ଠକ୍କର ବାପାଙ୍କୁ। ଏ ଦୁଇ ମହାମନୀଷୀଙ୍କ ତତ୍ତ୍ୱାବଧାନରେ ଚାଲିଲା ବ୍ୟାପକ ବେସରକାରୀ ରିଲିଫ୍ କାର୍ଯ୍ୟ। ୟଙ୍ଗ ଇଣ୍ଡିଆ, ନବଜୀବନ ସମେତ ବିଭିନ୍ନ ଗଣମାଧ୍ୟମରେ ଗାନ୍ଧିଜୀଙ୍କ ନିବେଦନ କ୍ରମେ ଦେଶର ବଦାନ୍ୟ ବ୍ୟକ୍ତିବିଶେଷଙ୍କ ପ୍ରଦତ୍ତ ଶ୍ରଦ୍ଧାରାଶିରେ ଚାଲିଥିଲା ଏହି ବ୍ୟାପକ ତ୍ରାଣ କାର୍ଯ୍ୟ। ୦୯.୦୫.୧୯୨୦ରେ ନବଜୀବନ ପତ୍ରିକାରେ ଗାନ୍ଧିଜୀ ଯେଉଁ ନିବେଦନ କରିଥିଲେ ତାହାର ମର୍ମାନୁବାଦ ହେଉଛି, “ଓଡ଼ିଶାରେ ହିଁ ଜଗନ୍ନାଥ ପୁରୀ ଅବସ୍ଥିତ। ଏହି ପୁରୀ ଜିଲାରେ ଭୟଙ୍କର ଦୁର୍ଭିକ୍ଷ ପଡ଼ିଛି….. ଯିଏ ନିଜକୁ ଭାରତୀୟ ମନେ କରିବାରେ ଗର୍ବ ଅନୁଭବ କରନ୍ତି, ତାଙ୍କର ଧର୍ମ ହେଉଛି ଯେ ଭାରତର କୌଣସି ଅଂଶ କ୍ଷୀଣ ହୋଇଗଲେ ସେ କଷ୍ଟ ଅନୁଭବ କରିବେ। ଯଦି ଏ ବିଚାର ଠିକ୍ ତେବେ ଓଡ଼ିଶାର ଦୁଃଖରେ ଆମେ ଦୁଃଖୀ ନ ହେବା କିପରି?’’

୧୯୨୧ ମାର୍ଚ୍ଚ ୨୩ ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ପ୍ରଥମ ଓଡ଼ିଶା ଗସ୍ତରେ ଆସି ଗାନ୍ଧିଜୀ ପହଞ୍ଚିଥିଲେ କଟକରେ। କଟକରେ ଦୁଇଦିନିଆ କାର୍ଯ୍ୟକ୍ରମ ସାରି ସେ ୨୫ ତାରିଖରେ ଭଦ୍ରକ ଓ ୨୬ ତାରିଖରେ ସାକ୍ଷୀଗୋପାଳରେ ଅନୁଷ୍ଠିତ କାର୍ଯ୍ୟକ୍ରମମାନଙ୍କରେ ଯୋଗ ଦେଇଥିଲେ। ତାଙ୍କର ପ୍ରଥମ ପୁରୀ ଗସ୍ତ ଥିଲା ୨୬ରୁ ୨୯ ତାରିଖ ପର୍ଯ୍ୟନ୍ତ। ୨୯ରେ ସେ ପୁରୀରୁ ଯାଇ ବ୍ରହ୍ମପୁରରେ ବି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପୁରୀରେ ଗାନ୍ଧିଜୀଙ୍କ ପ୍ରଥମ ସଭାରେ ୫୦ ହଜାରରୁ ଅଧିକ ଜନସମାଗମ ହୋଇଥିଲା। ପୁରୀ ରହଣି ବେଳେ ଗାନ୍ଧିଜୀ ଦୁର୍ଭିକ୍ଷ ପୀଡ଼ିତ ଅଞ୍ଚଳର ନରନାରାୟଣମାନଙ୍କୁ ଭେଟିବା ସହ ଉତ୍କଳମଣି ଗୋପବନ୍ଧୁଙ୍କ ସଙ୍ଗରେ ଯାଇ ଶ୍ରୀମନ୍ଦିରରେ ଦର୍ଶନ କରିଥିଲେ ଶ୍ରୀଜୀଉମାନଙ୍କୁ। ଦର୍ଶନ ବେଳେ ସାଙ୍ଗରେ ଥିଲେ ପତ୍ନୀ କସ୍ତୁରବା, ପୁଅ ଦେବଦାସ ପ୍ରମୁଖ। ପୁରୀରେ ଶ୍ରୀଜଗନ୍ନାଥ ଦର୍ଶନ ସମ୍ପର୍କରେ ଗାନ୍ଧିଜୀ ‘ନବଜୀବନ’ର ୧୦.୦୪.୧୯୨୧ ସଂସ୍କରଣରେ ଯାହା ପ୍ରକାଶ କରିଥିଲେ ତାହା “କଲେକ୍ଟେଡ୍ ୱାର୍କସ୍ ଅଫ୍ ମହାତ୍ମା ଗାନ୍ଧୀ’ର ୧୯ତମ ଖଣ୍ଡରେ ରହିଛି।

ଅନ୍ନପୂର୍ଣ୍ଣା ମହାରଣାଙ୍କ ଦ୍ୱାରା ଏହାର ଓଡ଼ିଆ ଅନୁବାଦ ଦେଖିବାକୁ ମିଳେ ଗାନ୍ଧୀ ରଚନାବଳୀରେ। ଏଥିରେ ଗାନ୍ଧିଜୀ ଉଲ୍ଲେଖ କରିଛନ୍ତି- “ଭକ୍ତ ତୀର୍ଥଯାତ୍ରୀମାନେ ବିଶ୍ୱାସ କରନ୍ତି ଯେ ଜଗନ୍ନାଥ ଦର୍ଶନ ଓ ପଣ୍ଡାମାନଙ୍କୁ ଦାନ ଦେବା ଦ୍ୱାରା ସେମାନଙ୍କର ଅଶେଷ ପୁଣ୍ୟ ଲାଭ ହୁଏ। ମୁଁ ଦର୍ଶନକୁ ଯାଇଥିଲା ବେଳେ ବିଭିନ୍ନ ଚିନ୍ତା ମୋ ମନକୁ ଆସିଥିଲା। ଏହା ଏକ ପୁରାତନ ଏବଂ ମନ ଉପରେ ପ୍ରଭାବ ବିସ୍ତାରକାରୀ ମନ୍ଦିର। ମନ୍ଦିର ଚୂଡ଼ାରେ ସୁଦର୍ଶନ ଚକ୍ର ଚକ୍ଚକ୍ କରୁଥାଏ। ତାହା ଉପରେ ଏକ ପତାକା ଫର୍ଫର୍ ହୋଇ ଉଡ଼ୁଥାଏ। ଅତ୍ୟୁଚ୍ଚ ମନ୍ଦିର ଭିତରେ ଲକ୍ଷ୍ମୀ ନାରାୟଣ ଦେବତା (ସ୍ୱରୂପତଃ ଶ୍ରୀକୃଷ୍ଣ, ତାଙ୍କର ଭାଇ ଓ ଭଉଣୀଙ୍କ ମୂର୍ତ୍ତି) ମୂର୍ତ୍ତିଗୁଡ଼ିକ ଅତି ପ୍ରକାଣ୍ଡ ଆକୃତିର ଥାଇ ମନରେ ଭକ୍ତିଭାବ ଜାଗ୍ରତ କରାନ୍ତି। ମୂର୍ତ୍ତି ସ୍ଥାପିତ ସ୍ଥାନଟି ଅନ୍ଧାରୁଆ। ସେଠାରେ ଆଲୋକ କିମ୍ବା ପ୍ରବାହିତ ବାୟୁ ନ ଥାଏ। ଗୋଟିଏ ବା ଦୁଇଟି ଦୀପ ମିଞ୍ଜିମିଞ୍ଜି ଜଳୁଥାଏ ବାସ୍….. ମୂର୍ତ୍ତି ସବୁ ବିଦେଶୀ ବସ୍ତ୍ରରେ ଆଚ୍ଛାଦିତ। ଏପରି ଅଜ୍ଞତା ଓ ବିଚାରହୀନତା କାହିଁକି? ମନ୍ଦିରର ଦେବତାଙ୍କ ପରିଧାନ ପାଇଁ ଅସଂଖ୍ୟ ଅବିବାହିତା କୁମାରୀମାନେ ପ୍ରେମଭରା ହୃଦୟ ନେଇ ଖୁବ୍ ସରୁ ସୂତା କାଟନ୍ତି ଏବଂ ସେହି ସୂତାରେ ସେହି ପ୍ରେମ ଭାବ ନେଇ ତନ୍ତୀମାନେ ଲୁଗା ବୁଣିଥାନ୍ତି। ଏପରି ଭାବ ନ ଥାଇ ନିର୍ମିତ ବସ୍ତ୍ର ଅପବିତ୍ର ବୋଲି ବିଚାର କରାଯାଇଥାଏ….. ଏ ସମସ୍ତ ବଦ୍ମାସି ଦେଖି ଜଗନ୍ନାଥ କିପରି ନୀରବ ରହିଛନ୍ତି? ନିରାକାର ଭଗବାନ ଏପରି ନିନ୍ଦନୀୟ କାମକୁ ଦେଖନ୍ତି ନାହିଁ। ସେ ଆମ ପାଇଁ କର୍ମ ବିଧାନ ରଖିଛନ୍ତି, ତେଣୁ ତାଙ୍କୁ ଆଉ କିଛି କରିବାକୁ ପଡ଼େନାହିଁ, ସୁତରାଂ ଜଗନ୍ନାଥଙ୍କୁ ଦୋଷ ଦେବା କାହିଁକି?’ ଏହାର ତିନିଦିନ ପରେ ‘ୟଙ୍ଗ ଇଣ୍ଡିଆ’ରେ ଗାନ୍ଧିଜୀ “ଜଗତର ନାଥଙ୍କ ସିଂହାସନ ଓଡ଼ିଶାରେ ଅଛି’’ ବୋଲି ଉଲ୍ଲେଖ କରିଛନ୍ତି।

୧୯୨୭ ଡିସେମ୍ବର ୧୩ ତାରିଖରେ ବି ତାଙ୍କ ତୃତୀୟ ଓଡ଼ିଶା ଗସ୍ତ ବେଳେ ଗାନ୍ଧିଜୀ ଆସିଥିଲେ ପୁରୀ। ତେବେ ୧୯୩୪ରେ ପଞ୍ଚମ ଗସ୍ତରେ ମଇ ମାସର ୭ରୁ ୯ ପର୍ଯ୍ୟନ୍ତ ପୁରୀରେ ତାଙ୍କର ବିଭିନ୍ନ କାର୍ଯ୍ୟକ୍ରମ ଏବଂ ୧୯୩୮ ମାର୍ଚ୍ଚ ୨୫ରୁ ୩୧ ପର୍ଯ୍ୟନ୍ତ ସପ୍ତମ ଓଡ଼ିଶା ଗସ୍ତ ଅବସରରେ ପୁରୀ ଜିଲାର ବେରବୋଇର ଗାଁ ଗହୀରରେ ଦେଶର ପ୍ରମୁଖ ନେତାମାନଙ୍କ ସହିତ ଚାଞ୍ଚଡ଼ା କୁଡ଼ିଆରେ ତାଙ୍କର ସପ୍ତାହବ୍ୟାପୀ ଅବସ୍ଥାନ ଥିଲା ବେଶ୍ ଘଟଣାବହୁଳ।

ଅସ୍ପୃଶ୍ୟତାକୁ ଗାନ୍ଧିଜୀ ହିନ୍ଦୁ ଧର୍ମର ସବୁଠାରୁ ବଡ଼ କଳଙ୍କ ବୋଲି କହୁଥିଲେ। ସମଗ୍ର ଦେଶ ବୁଲି ଅସ୍ପୃଶ୍ୟତା କଳଙ୍କ ଦୂର କରିବାକୁ ଜନସଚେତନତା ସୃଷ୍ଟି ଅବସରରେ ଗାନ୍ଧିଜୀ ୧୯୩୪ ମଇ ୭ ତାରିଖରେ ରେଳଯୋଗେ ଆସି ପହଞ୍ଚିଥିଲେ ଶ୍ରୀକ୍ଷେତ୍ର ପୁରୀରେ।
ଅସ୍ପୃଶ୍ୟତା ସମ୍ପର୍କରେ ଗାନ୍ଧିଜୀଙ୍କର ମତ ଥିଲା, “ଆମେ ଯେପରି ଛୁଆଁ ଅଛୁଆଁ ମାନୁଛୁ, ଧର୍ମଶାସ୍ତ୍ରରେ ତା’ର ସ୍ଥାନ ନାହିଁ। ଯେଉଁମାନଙ୍କୁ ଆମେ ଅଛୁଅାଁ ବୋଲି କହୁଛୁ, ଧର୍ମଶାସ୍ତ୍ରରେ ସେମାନଙ୍କ ନାମ ସୁଦ୍ଧା ନାହିଁ। କାହିଁକି ଯେ ତାଙ୍କୁ ଅଛୁଅାଁ କରି ରଖାଯାଇଛି ତା’ର କାରଣ କେହି କହିପାରିବେ ନାହିଁ….. ଧର୍ମ ସହିତ କୋଟିକୋଟି ଲୋକଙ୍କର ସମ୍ପର୍କ ରହିଛି। ସେଠି ଅଜ୍ଞତା ଅକ୍ଷମଣୀୟ। ଆମେ ଅନ୍ଧାରକୁ ଆଲୁଅ ଓ ଅଜ୍ଞାନକୁ ଜ୍ଞାନ ବୋଲି ଭାବି କାମ କରି ଯାଉଛୁ….. ଆମେ ଏକ ପିତାଙ୍କ ସନ୍ତାନ। ଭଗବାନ ନିଜ ସନ୍ତାନଙ୍କ ଭିତରେ କେବେ ଉଚ୍ଚନୀଚ ଭେଦ ରଖନ୍ତି ନାହିଁ। ଅସ୍ପୃଶ୍ୟତାକୁ ସମ୍ପୂର୍ଣ୍ଣ ଭୁଲିଯାଇ ସେ କଳଙ୍କ ଧୋଇ ପକାଇବା ଉଚିତ୍। ସବର୍ଣ୍ଣ ହିନ୍ଦୁମାନଙ୍କ ଭିତରେ ସୃଷ୍ଟି ହୋଇଥିବା ଉଚ୍ଚନୀଚ ଭେଦଭାବ ହେଉଛି ଅସ୍ପୃଶ୍ୟତାର ପରିଣାମ। କାହାରିକୁ ନୀଚ ମନେ କରିବାଟା ହେଉଛି ନୀଚତା ଓ ପାପ। ହୃଦୟରୁ ପାପ ଚିନ୍ତା ଦୂର କରିବା ହେଉଛି ଅସ୍ପୃଶ୍ୟତା ନିବାରଣ। ଆଳସ୍ୟ ଓ ନିଶା ବି ଆଉ ଦୁଇଟି ଅସ୍ପୃଶ୍ୟତା। ଏ ସବୁ ଅସ୍ପୃଶ୍ୟତାକୁ ଦୂର କରିବାକୁ ହେବ। ନ ହେଲେ ଦାରିଦ୍ର୍ୟ ଦୂର ହେବ ନାହିଁ।’ ଗାନ୍ଧିଜୀଙ୍କ ଏ ବିଚାରକୁ କିଛି ସନାତନୀ ବିରୋଧ କରୁଥାନ୍ତି। ତେଣୁ ସେ ଅସ୍ପୃଶ୍ୟତା ନିବାରଣ ପାଇଁ ଦେଶର ଯେଉଁ ଅଞ୍ଚଳକୁ ଗସ୍ତ କରୁଥାନ୍ତି କାଶୀର ଲାଲ୍ନାଥଙ୍କ ପରି କିଛି ସନାତନୀ ସେଠାକୁ ଯାଇ ବିରୋଧୀ ପ୍ରଚାର ଚଳାଇଥାନ୍ତି।

ଗାନ୍ଧିଜୀ ପୁରୀରେ ପହଞ୍ଚିବା ପୂର୍ବରୁ ଲାଲ୍ନାଥ ଓ ତାଙ୍କ ଚେଲାମାନେ ଆଗୁଆ ଆସି କିଛି ମଠ ମହନ୍ତ ଓ ସେବକଙ୍କୁ ହାତ କରି ମିଥ୍ୟା ପ୍ରଚାର ଚଳାଇଲେ ଯେ ଗାନ୍ଧିଜୀ ଅସବର୍ଣ୍ଣ ଲୋକଙ୍କୁ ସାଥୀରେ ନେଇ ଜବରଦସ୍ତ ଶ୍ରୀମନ୍ଦିରରେ ପଶି ହିନ୍ଦୁ ଧର୍ମକୁ ନଷ୍ଟ କରିବାକୁ ଚାହୁଁଛନ୍ତି। ତେଣୁ ଗାନ୍ଧିଜୀଙ୍କ ପୁରୀ ଗସ୍ତକୁ ବିରୋଧ କରିବା ପାଇଁ ପୁରୀର କେତୋଟି ସ୍ଥାନରେ ବି କଳାପତାକା ଉଡ଼ାଗଲା। ତେବେ ଗାନ୍ଧିଜୀ ଏ ପ୍ରସଙ୍ଗରେ ଯେଉଁ ବକ୍ତବ୍ୟ ଦେଇଥିଲେ ତାହା ଅମୃତବଜାର ପତ୍ରିକାରେ ୩୦.୦୫.୧୯୩୪ ସଂସ୍କରଣରେ ପ୍ରକାଶ ପାଇଥିଲା। ଗାନ୍ଧିଜୀ କହିଥିଲେ, “ମୋର ଦୃଢ଼ ବିଶ୍ୱାସ, ମନ୍ଦିରରେ ହରିଜନମାନଙ୍କର ପୂଜା କରିବାର ସେତିକି ଅଧିକାର ରହିଛି ଯେତିକି ଅନ୍ୟ ହିନ୍ଦୁମାନଙ୍କର; କିନ୍ତୁ ମୁଁ ଅଧିକାର ସାବ୍ୟସ୍ତ କରିବା ପାଇଁ ବଳ ପ୍ରୟୋଗର ପକ୍ଷପାତୀ ନୁହେଁ।’ ପୁରୀ ଜଗନ୍ନାଥ ମନ୍ଦିରରେ ଅଛୁଆଁ ଲୋକମାନଙ୍କର ପ୍ରବେଶ ଆନ୍ଦୋଳନରେ ଆପଣ କ’ଣ ନେତୃତ୍ୱ ନେବେ କି ବୋଲି ସାମ୍ବାଦିକଙ୍କ ପ୍ରଶ୍ନରେ ଗାନ୍ଧିଜୀ କହିଥିଲେ, “ବହୁ ବର୍ଷ ପୂର୍ବେ ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ହରିଜନମାନଙ୍କ ପାଇଁ ଉନ୍ମୁକ୍ତ ଥିଲା, ସେହିପରି ବର୍ତ୍ତମାନ ମଧ୍ୟ ହରିଜନମାନଙ୍କ ପାଇଁ ମନ୍ଦିର ଦ୍ୱାର ଖୋଲା ରଖିବାର ଗୁରୁତ୍ୱ ମୁଁ ଉପଲବ୍ଧି କରୁଛି।’

ଗାନ୍ଧିଜୀଙ୍କର ଏହି ପର୍ଯ୍ୟାୟର ଓଡ଼ିଶା ଗସ୍ତ ୧୨ ଦିନିଆ ଥିଲା। ବିଭିନ୍ନ ଅଞ୍ଚଳକୁ ସେ ମୋଟର ଓ ରେଳ ଯୋଗେ ଯାଇଥାଆନ୍ତେ; କିନ୍ତୁ ହଠାତ୍ କାର୍ଯ୍ୟକ୍ରମରେ ପରିବର୍ତ୍ତନ କରି ଓଡ଼ିଶାରେ ସେ ଅସ୍ପୃଶ୍ୟତା ନିବାରଣ ପାଇଁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ପଦଯାତ୍ରା କରିବାକୁ ଘୋଷଣା କଲେ। ୧୯୩୪ ମେ’ ୯ ତାରିଖରେ ସିଂହଦ୍ୱାର ସମ୍ମୁଖରେ ୧୦ ହଜାରରୁ ଅଧିକ ଲୋକଙ୍କ ଉପସ୍ଥିତିରେ ଗାନ୍ଧିଜୀ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ସ୍ମୃତିସ୍ତମ୍ଭ ଉନ୍ମୋଚନ କରିବା ପରେ ପଦଯାତ୍ରା ଆରମ୍ଭ କରିଥିଲେ। ସେତେବେଳକୁ ତାଙ୍କ ବୟସ ୬୫ ବର୍ଷ ଓ ବୈଶାଖ ମାସର ପ୍ରଚଣ୍ଡ ଖରାରେ ତାପମାତ୍ରା ଥାଏ ୩୨ରୁ ୩୬ ଡିଗ୍ରୀ।

ଗାନ୍ଧିଜୀଙ୍କ ଏହି ଗସ୍ତ ପାଇଁ ଦୈନିକ ଖବରକାଗଜ ‘ସମାଜ’ର ସମ୍ବାଦଦାତା ଥାଆନ୍ତି ବିନୋଦ କାନୁନଗୋ। ତାଙ୍କ ଲିଖିତ ‘ଗାନ୍ଧିଜୀଙ୍କ ଉତ୍କଳରେ ପଦଯାତ୍ରା’ ବହିରେ ସିଂହଦ୍ୱାର ସଭାର ବିବରଣୀ ଉଲ୍ଲେଖ ରହିଛି। ଏଥିରେ ଗାନ୍ଧିଜୀ କହିଛନ୍ତି, “ସନାତନୀମାନେ ଜଗନ୍ନାଥଙ୍କୁ ଯେପରି ମାନନ୍ତି, ମୁଁ ମଧ୍ୟ ସେହିପରି ମାନେ। ସତ କି ମିଛ ମୁଁ ଜାଣିନାହିଁ, ମୁଁ ଆଜି ପୁରୀରେ ଶୁଣିଲି କାଳେ ମୁଁ ହରିଜନଙ୍କୁ ଧରି ମନ୍ଦିରରେ ପଶିଯିବି, ସେଥିପାଇଁ ମନ୍ଦିରର ଦ୍ୱାର ବନ୍ଦ ରଖାଯାଇଥିଲା। ଆଜି ଏହି ଜଗନ୍ନାଥଙ୍କ ସାମ୍ନାରେ ସନାତନୀ ଭାଇମାନଙ୍କୁ ଶୁଣାଇ ଦେଉଛି- କେବଳ ଏଠି ନୁହେଁ, ସାରା ଭାରତରେ ଯେଉଁଠି ହିନ୍ଦୁମାନେ ଆପତ୍ତି କରୁଥିବେ, ସେଠି କୌଣସି ମନ୍ଦିରରେ ହରିଜନମାନଙ୍କୁ ସାଙ୍ଗରେ ନେଇ ବା ନ ନେଇ ମୁଁ ପ୍ରବେଶ କରିବାକୁ ଯିବିନାହିଁ….. ଯଦି ଆମେ ହିନ୍ଦୁ ଧର୍ମ ଓ ହିନ୍ଦୁ ସମାଜକୁ ରଖିବାକୁ ଚାହୁଁ ତେବେ ଅସ୍ପୃଶ୍ୟତାକୁ ସମୂଳେ ନାଶ କରିବାକୁ ହେବ….. ଏ ଯାତ୍ରା ସଫଳ କରିବା ପାଇଁ ମୁଁ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛି। ଆପଣମାନେ ମଧ୍ୟ ମୋ ସଙ୍ଗେ ପ୍ରାର୍ଥନା କରନ୍ତୁ ଯେ ଧର୍ମ ଦୃଷ୍ଟି ଦେଇ ଏ ଯେଉଁ ଯାତ୍ରା ହେଉଛି ତାହା ସଫଳ ହେଉ।’ ବିନୋଦ କାନୁନ୍ଗୋ ଲେଖିଛନ୍ତି ଯେ ସେଦିନ ସଭା ପରେ ଗାନ୍ଧିଜୀ ଦୀର୍ଘ ୧୩ ବର୍ଷ ୮ ମାସ ବଞ୍ଚି ରହିଲେ; କିନ୍ତୁ ଜଗନ୍ନାଥଙ୍କ ମନ୍ଦିରରେ ହରିଜନ ପ୍ରବେଶ ହେଲା ନାହିଁ। ତାଙ୍କ ଅନ୍ତେ ୧୯୪୮ ମସିହାରେ ହରିଜନମାନେ ମନ୍ଦିରକୁ ଗଲେ ସିନା; କିନ୍ତୁ ତା’ର ଯେ କୌଣସି ମହତ୍ତ୍ବ ନାହିଁ ଏ କଥା ଇତିହାସ କହିବ।’

ଏହି ପଦଯାତ୍ରା ଅବସରରେ ପୁରୀରେ ଗାନ୍ଧିଜୀଙ୍କୁ ଭେଟିଥିଲେ ‘ସମାଜ’ର ରାଧାନାଥ ରଥ। ତାଙ୍କ ପ୍ରଶ୍ନର ଉତ୍ତରରେ ଗାନ୍ଧିଜୀ କହିଥିଲେ, “ଭାରତର ଚାରି ପ୍ରଧାନ ତୀର୍ଥ ଓ ମନ୍ଦିର ଭିତରୁ ପୁରୀ ଧାମ ଏକ ପ୍ରସିଦ୍ଧ ମନ୍ଦିର ଓ ତୀର୍ଥସ୍ଥାନ। ମୋ ପକ୍ଷରେ ପରମ ଆନନ୍ଦର କଥା ହେଉଛି ଯେ ଏହି ପୁଣ୍ୟ ପୁରୀ ଧାମରୁ ମୁଁ ପୁଣ୍ୟ ହରିଜନ ଯାତ୍ରା ଚାଲି ଚାଲି ଆରମ୍ଭ କରୁଛି। ଉତ୍କଳ ମୋ ପକ୍ଷରେ ଗୋଟିଏ ପ୍ରିୟସ୍ଥଳୀ। ସେହି ଉତ୍କଳରେ ଏଭଳି ଯାତ୍ରା ଆରମ୍ଭ କରି ମୁଁ ବଡ଼ ଆନନ୍ଦ ଲାଭ କରୁଛି। ମୋ ଅନ୍ତରରେ ବରାବର ଏକ ଗଭୀର ଭାବ ରହିଛି ଯେ ଉତ୍କଳ ପ୍ରଦେଶ ଭାରତର ଅସ୍ଥି କଙ୍କାଳ ଜନସାଧାରଣଙ୍କ ବାସସ୍ଥଳୀ। ସେହି ହେତୁରୁ ମୋ ଶକ୍ତିରେ ଯଦି କିଛି ଦାନ ଦେବାର ଥାଏ, ତେବେ ସେ ଦାନର ସର୍ବୋକୃଷ୍ଟ ଭାଗ ଏହି ଉତ୍କଳକୁ ଦେବା ଉଚିତ୍।’’

ଅର୍ଦ୍ଧସତ୍ୟ ଓ ଅସତ୍ୟ ଆଧାରରେ ଅସ୍ପୃଶ୍ୟତାକୁ ସମର୍ଥନ କରୁଥିବା କିଛି ବ୍ୟକ୍ତି ଶ୍ରୀଜଗନ୍ନାଥ ମନ୍ଦିର ଓ ଗାନ୍ଧିଜୀଙ୍କ ସମ୍ପର୍କରେ ଏବେ ବି ତ୍ରୁଟିପୂର୍ଣ୍ଣ ଟିପ୍ପଣୀ ଦିଅନ୍ତି। ଘରେଘରେ ବଳରାମ ଦାସଙ୍କ ଲକ୍ଷ୍ମୀପୁରାଣ ପଢ଼ି ପୂଜାର୍ଚ୍ଚନା କରୁଥିବା ଲୋକେ ପାଟିରେ ସିନା ଶ୍ରୀୟା ଚଣ୍ଡାଳୁଣୀଙ୍କ ଭୂରି ଭୂରି ପ୍ରଶଂସା କରି କହନ୍ତି ଯେ ଶ୍ରୀଜଗନ୍ନାଥ ମନ୍ଦିର ଆଚାଣ୍ଡାଳ-ବ୍ରାହ୍ମଣଙ୍କ ପାଇଁ ଉନ୍ମୁକ୍ତ ଏବଂ ଜାତି ପ୍ରଥା ବିରୋଧରେ ଶ୍ରୀଜଗନ୍ନାଥ ସଂସ୍କୃତି ଏକ ମାଇଲ୍ଖୁଣ୍ଟ; କିନ୍ତୁ ବାସ୍ତବରେ ସେମାନଙ୍କ ଆଚରଣ ଓ ଉଚ୍ଚାରଣ ଭିନ୍ନ। ସାଲବେଗଙ୍କ ଠାରୁ ଆରମ୍ଭ କରି ଦାସିଆ ବାଉରୀଙ୍କ ପର୍ଯ୍ୟନ୍ତ ଭକ୍ତମାନଙ୍କୁ ଯେଉଁ ଠାକୁର ଆପଣେଇ ନେଇଥିଲେ ସେ କ’ଣ କେବେ ଜାତି ପ୍ରଥାର ଦ୍ୱାହି ଦେଇ ସମାଜର ଗୋଟିଏ ବୃହତ୍ ବର୍ଗକୁ ଅସ୍ପୃଶ୍ୟ ନାମରେ ଏଡ଼ାଇ ଦେଇପାରିବେ? ସମ୍ପୂର୍ଣ୍ଣ ବୈଷ୍ଣବ ଚିନ୍ତାଧାରାରେ ପିଲାଦିନରୁ ଆଚ୍ଛାଦିତ ହୋଇ ରହିଥିବା ଗାନ୍ଧିଜୀଙ୍କ ମନରେ ହିନ୍ଦୁ ଧର୍ମର ସବୁଠାରୁ ବଡ଼ କଳଙ୍କ ଅସ୍ପୃଶ୍ୟତାକୁ ହଟାଇବା ଲାଗି ବିଚାର ବସା ବାନ୍ଧିଥିଲା। ସତ୍ୟାଗ୍ରହ ମାଧ୍ୟମରେ ଗାନ୍ଧିଜୀ ଏହି ପାପକୁ ଧୋଇବା ଲାଗି ନିରବଚ୍ଛିନ୍ନ ଉଦ୍ୟମ କରିଥିଲେ। ତାଙ୍କ ଉଦ୍ଭାବିତ ସତ୍ୟାଗ୍ରହ ଅସ୍ତ୍ରଟି ସତ୍ୟର ଧାତୁରେ ନିର୍ମିତ ଓ ଅହିଂସାର ଶାଣରେ ଶାଣିତ। ୧୯୨୧, ୧୯୩୪ ଓ ୧୯୩୮ରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରସଙ୍ଗରେ ତାଙ୍କୁ ନେଇ ଯାହା ଘଟିଛି ତାହା ହିଁ ସତ୍ୟାଗ୍ରହ ଏବଂ ଏହା ଯେତେ ସଫଳ ହେବ ସେଥିରେ ହିନ୍ଦୁ ଧର୍ମର ତଥା ମାନବ ସମାଜର ସେତେ ମଙ୍ଗଳ। ଯେଉଁ ଅସ୍ପୃଶ୍ୟତା କଳଙ୍କ ହଟାଇବା ପାଇଁ ଗାନ୍ଧିଜୀ ଶ୍ରୀଜଗନ୍ନାଥଙ୍କ ନିକଟରେ ଅଭିମାନ ଓ ଅଭିଯୋଗ କରିଆସୁଥିଲେ ସେହି କଳଙ୍କର ଛିଟା ଯେପରି ଆମ ସମାଜରୁ ସବୁଦିନ ପାଇଁ ଲିଭିଯାଏ ତାହାର ପ୍ରତିପାଳନ ଲାଗି ଗାନ୍ଧିଜୀ-କସ୍ତୁରବାଙ୍କ ପ୍ରଥମ ଓଡ଼ିଶା ଗସ୍ତ ଓ ଅସହଯୋଗ ଆନ୍ଦୋଳନର ଶତବାର୍ଷିକୀ ତଥା ସ୍ୱାଧୀନତା ପ୍ରାପ୍ତିର ୭୫ ବର୍ଷ ପୂର୍ତ୍ତି ଅବସରରେ ସମସ୍ତେ ସାମୂହିକ ଶପଥ ନେବା ସହ ଏହାର ସଠିକ୍ ଅନୁପାଳନ କରିବା ଚାହି।

Comments are closed.