ଓଡ଼ିଶାରେ ଗାନ୍ଧିଜୀ

ଅନନ୍ତ ଚରଣ ସାହୁ, ରେଭେନ୍ସାର ପ୍ରାକ୍ତନ ଇତିହାସ ପ୍ରଫେସର ଓ ଅଧ୍ୟକ୍ଷ

ଗାନ୍ଧିଜୀ ନିଜର ଦୀକ୍ଷାଗୁରୁ ଗୋପାଳକୃଷ୍ଣ ଗୋଖଲେଙ୍କ ଉପଦେଶକ୍ରମେ,ଭାରତୀୟ ଗ୍ରାମ୍ୟ-ଜୀବନ ସମ୍ପର୍କରେ ଏକ ବାସ୍ତବ ଧାରଣା ସୃଷ୍ଟି ନହେବା ପର୍ଯ୍ୟନ୍ତ ଭାରତୀୟ ରାଜନୀତିରେ ସକ୍ରିୟ ଅଂଶଗ୍ରହଣ କରିବେ ନାହିଁ ବୋଲି ଯେଉଁ ପ୍ରତିଶ୍ରୁତି ଗୋଖଲେ‌ଙ୍କୁ ଦେଇଥିଲେ, ତାହାକୁ କାର୍ଯ୍ୟକାରୀ କରିବା ଲକ୍ଷ୍ୟରେ, ଓଡ଼ିଶା ପରିଦର୍ଶନରେ ଆସିବାପାଇଁ ଗୋପବନ୍ଧୁଙ୍କ ନିମନ୍ତ୍ରଣକୁ ଗ୍ରହଣ କରି ନେଇଥିଲେ। ଏହି ପର୍ଯ୍ୟାୟରେ ଓଡ଼ିଶା ତଥା ଏହାର ସଦରମହକୁମା କଟକ ପରିଦର୍ଶନ ଗାନ୍ଧିଜୀଙ୍କ ସତ୍ୟସନ୍ଧାନ ଓ ପ୍ରୟୋଗର ଏକ ନୂତନ ପ୍ରୟୋଗଶାଳା ସଦୃଶ କାର୍ଯ୍ୟ କରିଥିଲା। ୧୯୨୧ ମାର୍ଚ୍ଚ ୨୩ ତାରିଖ କଟକ ପାଇଁ ଥିଲା ଏକ ମହାର୍ଘ ସ୍ମରଣୀୟ ଦିବସ। ସେ ଦିନ ଥିଲା ଦୋଳ ପୂର୍ଣ୍ଣିମା। ସେହି ଦିନ ପ୍ରତ୍ୟୁଷରୁ ଗାନ୍ଧିଜୀ ନିଜର ପତ୍ନୀ କସ୍ତୁରବା, କନିଷ୍ଠପୁତ୍ର ଦେବଦାସ ଓ କେତେକ ଅନୁଚରଙ୍କ ସହ କଟକ ରେଳ ଷ୍ଟେସନରେ ଆସି ପହଞ୍ଚିଥିଲେ। ଉତ୍କଳମଣି ଗୋପବନ୍ଧୁଙ୍କ ସମେତ ବହୁ ବିଶିଷ୍ଟ ସହରବାସୀ ପୂର୍ବ ରାତିରୁ ଗାନ୍ଧୀଙ୍କୁ ଅଭ୍ୟର୍ଥନା ଉଦ୍ଦେଶ୍ୟରେ କଟକ ରେଳ ଷ୍ଟେସନରେ ଅପେକ୍ଷାରତ ଥିଲେ।

ଗାନ୍ଧିଜୀଙ୍କୁ ଏହିଠାରୁ ଏକ ଶୋଭାଯାତ୍ରାରେ କଟକର ସ୍ବରାଜ ଆଶ୍ରମକୁ ନିଆଯାଇଥିଲା। କାଠଯୋଡ଼ି ନଦୀର ଅନତିଦୂରରେ ଓ ବର୍ତ୍ତମାନ କଟକର ସାହେବଜାଦା ବଜାରରେ ଅବସ୍ଥିତ ସ୍ବରାଜ-ଆଶ୍ରମ ସେତେବେଳେ ଓଡ଼ିଶା ତଥା କଟକର ଜାତୀୟ କଂଗ୍ରେସର ମୁଖ୍ୟ କାର୍ଯ୍ୟାଳୟ ଓ ସ୍ବାଧୀନତା ସଂଗ୍ରାମର ପ୍ରାଣକେନ୍ଦ୍ର ଥିଲା। ସେ ଦିନର ପୂର୍ବାହ୍ଣ କାର୍ଯ୍ୟକ୍ରମ ମଧ୍ୟରେ କଟକ ଦରଘାବଜାର ସ୍ଥିତ ମୁସଲିମ୍‌ ପ୍ରାର୍ଥନା ତଥା ସମାଧିସ୍ଥଳ କଦମ୍‌ରସୁଲଠାରେ ଏକ ସଭାରେ ଉଦ୍‌ବୋଧନ ଦେଇ ହିନ୍ଦୁ-ମୁସଲମାନମାନଙ୍କ ମଧ୍ୟରେ ସୌହାର୍ଦ୍ଧ୍ୟର ବାର୍ତ୍ତା ପ୍ରଦାନ କରିଥିଲେ। ସେଦିନ ଅପରାହ୍ଣରେ ବିନୋଦ ବିହାରୀ ଦୁର୍ଗାମଣ୍ଡପଠାରେ ସରଳା ଦେବୀ ଓ ରମାଦେବୀଙ୍କ ଉଦ୍ୟମରେ ଆୟୋଜିତ ଏକ ନାରୀ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ସମବେତ ନାରୀମାନଙ୍କୁ ଏଭଳି ପ୍ରଣୋଦିତ କରିଥିଲେ ଯେ ଶୋଭାରେ ଉପସ୍ଥିତ ବହୁ ନାରୀ ସେମାନଙ୍କର ସ୍ବର୍ଣ୍ଣ ଅଳଙ୍କାରମାନ ଗାନ୍ଧିଜୀଙ୍କ ଅସହଯୋଗ ଆନ୍ଦୋଳନ ପାଣ୍ଠିକୁ ଦାନ କରିଥିଲେ।

ଗାନ୍ଧିଜୀଙ୍କ ସଂପାଦନାରେ ତତ୍‌କାଳୀନ ବମ୍ବେ ପ୍ରଦେଶ ଅନ୍ତର୍ଗତ ଅହମଦାବାଦରୁ ଉଭୟ ହିନ୍ଦୀ ଓ ଗୁଜୁରାଟୀ ଭାଷା‌େ‌ର ପ୍ରକାଶିତ ‘ନବଜୀବନ’ ଓ ବମ୍ବେରୁ ଇଂରାଜୀରେ ପ୍ରକାଶିତ ‘ୟଙ୍ଗ ଇଣ୍ଡିଆ’ ପତ୍ରିକାରେ ଗାନ୍ଧିଜୀଙ୍କ ଓଡ଼ିଶା ତଥା କଟକ ପରିଦର୍ଶନ କାର୍ଯ୍ୟକ୍ରମଟି ବିସ୍ତୃତଭାବେ ବର୍ଣ୍ଣିତ ହୋଇଥିଲା। ସେହି ମାର୍ଚ୍ଚ ୨୩ ତାରିଖ ସନ୍ଧ୍ୟାରେ କଟକ କାଠଯୋଡ଼ି ନଦୀର ଗଣେଶଘାଟ ନିକଟସ୍ଥ ବାଲିଶଯ୍ୟା ଉପରେ ଗୋପବନ୍ଧୁଙ୍କ ଉଦ୍ୟମରେ କଟକବାସୀଙ୍କ ତରଫରୁ ଗାନ୍ଧିଜୀଙ୍କ ଅଭ୍ୟର୍ଥନା ଉଦ୍ଦେଶ୍ୟରେ ଏକ ବିରାଟ ସାଧାରଣ ସଭା ପ୍ରାୟୋଜିତ ହୋଇଥିଲା। ଏହି ସଭାରେ ସଭାପତିତ୍ବ କରି ଉତ୍କଳମଣି ଗୋପବନ୍ଧୁ ବନ୍ୟା ପ୍ରପୀଡ଼ିତ ଉପକୂଳ ଓଡ଼ିଶାବାସୀଙ୍କର ଦୁର୍ଗତ ଅବସ୍ଥାର କରୁଣ ଚିତ୍ର ଏଭଳି ମର୍ମସ୍ପର୍ଶୀ ଭାଷାରେ ବର୍ଣ୍ଣନା କରିଥିଲେ ଯେ ତାହା ମହାତ୍ମାଜୀ ଓ ତାଙ୍କର ପତ୍ନୀଙ୍କ ହୃଦୟରେ କରୁଣ ଝଙ୍କାର ସୃଷ୍ଟି କରିଥିଲା।

ଏହି କ୍ରମରେ ଗାନ୍ଧିଜୀ ଜଗନ୍ନାଥଧାମ ପୁରୀରେ ୧୯୨୧ ମାର୍ଚ୍ଚ ୨୬ ତାରିଖ ଦିନ ପହଞ୍ଚିଥିଲେ। ପୂର୍ବରୁ ଡକ୍ଟର ରାଜେନ୍ଦ୍ର ପ୍ରସାଦ ସ୍ବାମୀ ବିଶ୍ବାନନ୍ଦଜୀ ଓ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସମେତ ବହୁ ନେତା ଗାନ୍ଧୀଙ୍କୁ ସମ୍ବର୍ଦ୍ଧନା କରିବା ଉଦ୍ଦେଶ୍ୟରେ ପୁରୀରେ ପହଞ୍ଚିସାରିିଥିଲେ। ସମୁଦ୍ର ବାଲିରେ ଏକ ବିରାଟ ସାଧାରଣ ସଭାରେ ଗାନ୍ଧିଜୀ ଉଦ୍‌ବୋଧନ ଦେବାପରେ, ମାର୍ଚ୍ଚ ୨୭ ତାରିଖରେ ଗୋପବନ୍ଧୁଙ୍କ ଗହଣରେ ପୁରୀ ଜିଲାର କେତେକ ଦୁର୍ଭିକ୍ଷ ପ୍ରପୀଡ଼ିତ ଅଞ୍ଚଳ ଗସ୍ତକରି ମର୍ମାହତ ହୋଇପଡ଼ିଥିଲେ। ପରବର୍ତ୍ତୀ କାଳରେ ତାଙ୍କର ସତ୍ୟ ସନ୍ଧାନର ପ୍ରୟୋଗଶାଳା ରୂପେ ଗାନ୍ଧିଜୀ ଏହି ଓଡ଼ିଶାକୁ ହିଁ ବାଛିନେଇ ବାରମ୍ବାର ଓଡ଼ିଶାକୁ ଆସିଥିଲେ।
ତତ୍କାଳୀନ ଓଡ଼ିଶାର ବରେଣ୍ୟ ଜନନେତା ତଥା କଟକର ପ୍ରଖ୍ୟାତ ଆଇନ୍‌ଜୀବୀ ଉତ୍କଳଗୌରବ ମଧୁସୂଦନଙ୍କ ନିମନ୍ତ୍ରଣ କ୍ରମେ ୧୯୨୫ ଅଗଷ୍ଟ ୧୯ ତାରିଖରେ ଗାନ୍ଧିଜୀ ପୁନର୍ବାର କଟକଠାରେ ପଦାର୍ପଣ କରିଥିଲେ। ଏହି ଅବସରରେ ମଧୁବାବୁଙ୍କ ପ୍ରତିଷ୍ଠିତ ‘ଉତ୍କଳ ଟାନେରୀ’ ନାମକ ଜୋତା କାରଖାନା ପରିଦର୍ଶନ କରି ଏତେ ମୁଗ୍ଧ ହୋଇପଡ଼ିଥିଲେ ଯେ, ଅହମଦାବାଦ ସ୍ଥିତ ତାଙ୍କର ସାବରମତୀ ଆଶ୍ରମରେ ଏଭଳି ଏକ କାରଖାନା ପ୍ରତିଷ୍ଠା କରିବାପାଇଁ ମନସ୍ଥ କରିଥିଲେ। ସେତେବେଳେ ମଧୁବାବୁଙ୍କ ପ୍ରତିଷ୍ଠିତ ଜୋତା କାରଖାନାଟି ବର୍ତ୍ତମାନର ଶୈଳବାଳା ମହିଳା କଲେଜଠାରେ ‘ମଧୁବାବୁଙ୍କ କୋଠି ନାମରେ ପରିଚିତ’ ପ୍ରଶସ୍ତ ଅଞ୍ଚଳରେ ପରିବ୍ୟାପ୍ତ ଥିଲା। ଆଜିକାର ଶୈଳବାଳା ମହିଳା କଲେଜଟି ତାଙ୍କର ପାଳିତା କନ୍ୟା ଶୈଳବାଳାଙ୍କ ପ୍ରଦତ୍ତ ଉତ୍କଳଗୌରବ ମଧୁସୂଦନଙ୍କ ଜମି ଉପରେ ପ୍ରତିଷ୍ଠିତ। ଏହି ଅବସରରେ କଟକ ଉପକଣ୍ଠରେ ଅବସ୍ଥିତ ଏକ କୁଷ୍ଠାଶ୍ରମ ପରିଦର୍ଶନ ପାଇଁ ଗାନ୍ଧିଜୀ ଆଗ୍ରହ ପ୍ରକାଶ କରିଥିଲେ।

୧୯୨୭ ଡିସେମ୍ବର ୨୧ରେ ପୁନର୍ବାର ଓଡ଼ିଶା ପରିଦର୍ଶନରେ ଆସି କଟକଠାରେ ପ୍ରଖ୍ୟାତ ଭାଷାକୋଷବିଦ୍‌ ଗୋପାଳ ପ୍ରହରାଜଙ୍କ ଆମନ୍ତ୍ରଣ କ୍ରମେ ତାଙ୍କ ଗୃହରେ କିଛି ସମୟ କଟାଇଥିଲେ। ଏହି ସ୍ଥାନଟି କଟକର ନିମଚଉଡିସ୍ଥିତ ଭାଷାକୋଷ ଲେନ୍‌ ନାମରେ ଏବେ ପରିଚିତ। ଗୋପାଳ ପ୍ରହରାଜ ମହୋଦୟଙ୍କ ଅଧ୍ୟବସାୟ ତଥା ବ୍ୟକ୍ତିଗତ ପ୍ରଚେଷ୍ଟାରେ ଏଭଳି ଏକ ମହାନ ଗ୍ରନ୍ଥପ୍ରକଳ୍ପ ସଂକଳନକୁ ଗାନ୍ଧିଜୀ ଭୂୟସୀ ପ୍ରଶଂସା କରିଥିଲେ। ପରବର୍ତ୍ତୀକାଳରେ ଏହି ଗ୍ରନ୍ଥପ୍ରକଳ୍ପଟି ‘ପୂର୍ଣ୍ଣଚନ୍ଦ୍ର ଭାଷାକୋଷ’ ନାମରେ ପ୍ରକାଶିତ ହୋଇଥିଲା। ଏହି ଅବସରରେ ଓଡ଼ିଆଭାଷା ଶିଖିବାପାଇଁ ଗାନ୍ଧିଜୀଙ୍କର ପ୍ରବଳ ଆଗ୍ରହ ହେତୁ, ଗାନ୍ଧିଜୀ ଅନେକ ପରିମାଣରେ ଓଡ଼ିଆ ଲିପି ସହିତ ପରିଚିତ ହୋଇଯାଇଥିଲେ। ଓଡ଼ିଆରେ ନିଜ ନାମକୁ ସନ୍ତକ ବା ସ୍ବାକ୍ଷର କରି ସେ ‘ମୋ:କ:ଗାନ୍ଧୀ’ (ଅର୍ଥାତ୍‌ ମୋହନଦାସ କରମଚାନ୍ଦ ଗାନ୍ଧୀ) ବୋଲି ଲେଖିଥିଲେ।

୨୧ ଡିସେମ୍ବର ୧୯୨୭ରେ କଟକ ଆଗମନ କାଳରେ ପୂର୍ବରୁ ଉଲ୍ଲିଖିତ କୁଷ୍ଠାଶ୍ରମ ପୁନର୍ବାର ପରିଦର୍ଶନ ଅବସରରେ ଗାନ୍ଧିଜୀ ଆଶ୍ରମବାସୀଙ୍କୁ ଗୋଟିଏ ସେବତି ଫୁଲତୋଡ଼ା ଓ ଏକ ଟୋକେଇପୂର୍ଣ୍ଣ କମଳାଲେମ୍ବୁ ଉପହାର ଦେଇଥିଲେ। ଚତୁର୍ଥବାର ୧୯୨୮ରେ ଗାନ୍ଧିଜୀ ତାଙ୍କର ଓଡ଼ିଶା ତଥା କଟକ ଗସ୍ତରେ ଆସିବା ପୂର୍ବରୁ ତାଙ୍କର ମହାନ ସହକର୍ମୀ ଓ ପ୍ରେରଣାର ଉତ୍ସ ଉତ୍କଳମଣି ଗୋପବନ୍ଧୁଙ୍କର ୧୯୨୮ ଜୁନ୍‌ ୨୭ ତାରିଖ ପବିତ୍ର ନେତ୍ରୋତ୍ସବ ତିଥିରେ ଦେହାନ୍ତ ହୋଇସାରିଥିଲା। ଗୋପବନ୍ଧୁଙ୍କର ନିଃସ୍ବାର୍ଥ ଜନସେବା ଦରିଦ୍ର-ନାରାୟଣଙ୍କ ପ୍ରତି ଗଭୀର ସମବେଦନାକୁ ସ୍ମରଣକରି ସେହି ମହାନ ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ଗାନ୍ଧିଜୀ ତାଙ୍କର ‘ୟଙ୍ଗ-ଇଣ୍ଡିଆ’ ପତ୍ରିକାରେ ବିଶଦ ଭାବରେ ବର୍ଣ୍ଣନା କରିଛନ୍ତି। ୧୯୨୮ର ଦାରୁଣ ବନ୍ୟା ଓଡ଼ିଶାର ବ୍ୟାପକ ଉପକୂଳ ଅଞ୍ଚଳକୁ ଏଭଳି ଧ୍ବସ୍ତବିଧ୍ବସ୍ତ କରି ତୋଳିଥିଲା ଯେ ବାଲେଶ୍ବର ଗସ୍ତ କାଳରେ ଗାନ୍ଧିଜୀ ନିଜେ ବହୁ ବନ୍ୟାଞ୍ଚଳ ଗସ୍ତ କରିଥିଲେ। ଏହି ଗସ୍ତ କାଳରେ ଗାନ୍ଧିଜୀଙ୍କ ପରମ ସମର୍ପିତ ଇଂରେଜ ବନ୍ଧୁ ସି.ଏଫ ଆଣ୍ଡ୍ରୁଜ ତାଙ୍କ ଅନୁ‌େ‌ରାଧ କ୍ରମେ ଉପକୂଳ ଓଡ଼ିଶାର ବିସ୍ତୀର୍ଣ୍ଣ ବନ୍ୟା-ପ୍ରପୀଡ଼ିତ ଅଞ୍ଚଳ ପରିଦର୍ଶନ କରି ତାଙ୍କ ଦ୍ବାରା ରଚିତ – ‘ଇଣ୍ଡିଆ ଆଣ୍ଡ୍‌ ସାଇମନ୍‌ କମିସନ ରିପୋର୍ଟ’ ପୁସ୍ତକରେ ଏହି ବନ୍ୟାର କରୁଣ ଚିତ୍ର ଏଭଳି ମର୍ମସ୍ପର୍ଶୀ ଓ ଭାବୋଦ୍ଦୀପକ ଭାଷାରେ ବର୍ଣ୍ଣନା କରିଥିଲେ ଯେ, ସେ କାଳର ବିହାର-ଓଡ଼ିଶା ବିଦେଶୀ ସରକାର ମଧ୍ୟ ଏହି ରିପୋର୍ଟ ଆଧାରରେ ବାଧ୍ୟହୋଇ ଓଡ଼ିଶାକୁ ରିଲିଫ ସାମଗ୍ରୀ ଓ ସହାୟତା ବନ୍ୟା-ପ୍ରପୀଡ଼ିତ ​‌େ​‌ଲାକଙ୍କ ଉଦ୍ଦେଶ୍ୟରେ ତୁରନ୍ତ ପଠାଇଥିଲେ।

ଦାରିଦ୍ର୍ୟ-ପ୍ରପୀଡ଼ିତ ଓଡ଼ିଶାର ବନ୍ୟା-ବାତ୍ୟା-ମରୁଡ଼ି ଦାଉରେ ଦୁର୍ଗତ ଜନତାର ଆହ୍ବାନ ଗାନ୍ଧିଜୀଙ୍କୁ ବାରମ୍ବାର କଟକ ତଥା ଓଡ଼ିଶା ଭୂମିକୁ ଆକର୍ଷିତ କରିଥିଲା। ତାଙ୍କର ଐତିହାସିକ ପଦଯାତ୍ରାରେ ଦ୍ବିତୀୟ ପର୍ଯ୍ୟାୟରେ ଗାନ୍ଧିଜୀ ୧୯୩୪ ମଇ ୨୧ରୁ ଜୁନ୍‌ ୮ ପର୍ଯ୍ୟନ୍ତ କଟକ ସହର ସମେତ କଟକ ଜିଲାର ବ୍ୟାପକ ଅଞ୍ଚଳର ଗାଁ-ଗହଳିରେ ପଦଯାତ୍ରା କରିଥିଲେ। ସତ୍ୟ ସନ୍ଧାନର ଏକ ଆଦର୍ଶ ପ୍ରୟୋଗଶାଳା ରୂପେ ଓଡ଼ିଶାକୁ ବାଛିନେଇ ବିଭିନ୍ନ ପର୍ଯ୍ୟାୟରେ ଗାନ୍ଧିଜୀ ଆଠଥର ଓଡ଼ିଶା ଆସିଥିଲେ।

Comments are closed.