ମଝିଆଁ ପୁଅ କାହାର ନୁହଁ

ପ୍ରଫୁଲ୍ଲ କୁମାର ପାଣି

ଆମ ଚଳଣିରେ ଲୋକ କଥାଟିଏ ଅଛି: ‘ବଡ଼ପୁଅ ବାପାର, ସାନପୁଅ ମା’ର, ମଝିଆଁ ପୁଅ ନୁହଁ କାହାର’। କଥାଟି ଏବେ ମଧ୍ୟବିତ୍ତ ଶ୍ରେଣୀ ପ୍ରତି ଲାଗୁ ହୋଇ ପାରିବ। ଆମ ଗଣତାନ୍ତ୍ରିକ ସରକାରଙ୍କ ବଡ଼ପୁଅ ହେଲେ ଦେଶର ଧନିକ ଗୋଷ୍ଠୀ, ସାନପୁଅ ହେଲେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଦେଶ ଜନସଂଖ୍ୟାର ଏକ ବିପୁଳ ଗୋଷ୍ଠୀ ଓ ମଝିଆଁ ପୁଅ ହେଲେ ମଧ୍ୟବିତ୍ତ ସମାଜ ଗୋଷ୍ଠୀ। ଘରର ସବୁ ସମ୍ମାନ ବଡ଼ପୁଅ ପାଇଲା ପରି ଆମ ଦେଶର ଧନିକ ଗୋଷ୍ଠୀ ସରକାରଙ୍କ ମଥାମଣି ସଦୃଶ, ପଥ ପ୍ରଦର୍ଶକ, ଦେଶ ନିୟନ୍ତ୍ରକ କହିଲେ ଅତ୍ୟୁକ୍ତି ହେବନାହିଁ। କୋଳପୋଛା ସାନପୁଅ ସବୁ ସ୍ନେହ ଆଦର ପାଇଲାପରି ଦେଶର ଷାଠିଏ ଭାଗ ଗରିବ ଜନସାଧାରଣ ସରକାରଙ୍କ ଆଜି ଗେହ୍ଲାପୁଅ। ମଝିଆଁ ପୁଅ କାହାରି ନୁହଁ ପରି ମଧ୍ୟବିତ୍ତ ଗୋଷ୍ଠୀ ଆଜି ସରକାରଙ୍କ ଦ୍ବାରା ଅବହେଳିତ, ଅଲୋଡ଼ା, ଅଖୋଜା। ସରକାର ଧନିକ ବର୍ଗର ଲୋକଙ୍କ ପାଇଁ ବିଭିନ୍ନ ସମୟରେ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦେଉଥିବା ବେଳେ ଗରିବ ଲୋକଙ୍କ ସୁରକ୍ଷା ପାଇଁ ସଦା ତତ୍ପର। ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବହୁବିଧ ଯୋଜନାର ହିତାଧିକାରୀ ଏହି ବିପିଏଲ୍ ଗୋଷ୍ଠୀ। ଭଲକଥା ଏବଂ ଖୁସିର କଥା। ଏହା ସରକାରଙ୍କ ଗରିବଙ୍କ ପ୍ରତି ଦାୟିତ୍ୱବୋଧ।

ଜନମଙ୍ଗଳ ରାଷ୍ଟ୍ରର ସରକାରଙ୍କ ଏହା ମଧ୍ୟ ମୌଳିକ କର୍ତ୍ତବ୍ୟ; ମାତ୍ର ଭାରତବର୍ଷ ପରି ବିରାଟ ଦେଶର ରାଜକୋଷକୁ ମଧ୍ୟବିତ୍ତ ସମାଜର ପ୍ରଦତ୍ତ ଟିକସର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ; ଅଥଚ ସେମାନଙ୍କର ସମସ୍ୟା ପ୍ରତି ସରକାରଙ୍କର ଯଥାର୍ଥ ନଜର ନାହିଁ ବୋଲି ମନେହୁଏ। ସତେ ଯେପରି ମଧ୍ୟବିତ୍ତ ବର୍ଗଟି ଗୁରୁତ୍ୱହୀନ ଓ ଶୋଷିତ ହେବା ପାଇଁ ଉଦ୍ଦିଷ୍ଟ। ସଂପ୍ରତି କରୋନା ମହାମାରୀ କାଳରେ ଯେଉଁ ସଂକଟ ଦେଖା ଦେଇଛି, ନା ତା’ ପାଖରେ ଅଛି ପର୍ଯ୍ୟାପ୍ତ ସମ୍ବଳ ନା ଅଛି ସରକାରୀ ସହାୟତା। ମହାମାରୀର ଭୟାନକ ବିଭୀଷିକା ବ୍ୟାଙ୍କ ଖାତାରୁ ତା’ର ସବୁ ସଞ୍ଚୟ ଛଡ଼ାଇ ନେଇଛି। ଗୋଟିଏ ପଟେ ଅର୍ଥର ଅଭାବ, ଅନ୍ୟପଟେ ନିଜର ସ୍ବାଭିମାନ ସହିତ ଲଜ୍ଜାବୋଧ। ଆର୍ଥିକ ସୁରକ୍ଷା ଓ ସାମାଜିକ ସମାନତା କ୍ଷେତ୍ରରେ ଅବହେଳିତ ଏଇ ମଧ୍ୟବିତ୍ତ ଗୋଷ୍ଠୀ ଜୀବନର ଦୋ’ଛକିରେ ଜୀବନ ନିର୍ବାହ କରୁଛି। ଲିଭିଯାଇଛି ସେମାନଙ୍କ ମୁହଁର ହସ, ନା କାହାକୁ ମୁହଁ ଖୋଲି କିଛି କହିପାରୁଛି ନା ସ୍ବାଭିମାନ ଛାଡି ପାରୁଛି।

ମଧ୍ୟବିତ୍ତ ସ୍ବପ୍ନ ଦେଖେ ରାତିରେ ଶୋଇକରି ନୁହେଁ, ବରଂ ଦିନର ଜାଗ୍ରତ ଅବସ୍ଥାରେ ସ୍ବପ୍ନ ପୂରଣ କରିଥାଏ। ଅର୍ଥାତ୍ ନିଜ ଆଦର୍ଶର ପୃଷ୍ଠଭୂମି ଓ ସଂଗ୍ରାମ ମାଧ୍ୟମରେ ସେ ଜୀବନର ପ୍ରତିକ୍ଷଣକୁ ଅନୁଭବ କରେ। କେବେ ବି କୌଣସି ପରିସ୍ଥିତିରେ ହାର ନ ମାନି ସମୟ ସହିତ ଖାପ ଖୁଆଇ ନେବାକୁ ନିଜକୁ ମନେଇଥାଏ। ଏକ ସୀମିତ ଦରମା ଭିତରେ କ୍ରମାଗତ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦରଦାମ ବୃଦ୍ଧି ତା’ଜୀବନ ରାସ୍ତାକୁ ଆଜି କଣ୍ଟକିତ କରିଛି। ବୋଝ ଉପରେ ନଳିତାବିଡ଼ା ଭଳି କଷ୍ଟ ଉପାର୍ଜିତ ସଞ୍ଚୟ ରାଶି ଉପରେ ସୁଧହାର କମିକମି ଯାଉଛି ଓ ୠଣ କରିଥିବା ସୁଧହାର ବଢ଼ି ବଢ଼ି ଯାଉଛି। ଇଚ୍ଛା ମୁତାବକ ଖର୍ଚ୍ଚ କରିବା ପାଇଁ ନା ଅଛି ସଞ୍ଚୟ ନା ଅଛି ଅର୍ଥ ବଳ। ମଧ୍ୟବିତ୍ତ ଅଭିଭାବକଟି ଅନ୍ୟମାନଙ୍କ ପରି ସ୍ବପ୍ନ ଦେଖିଥାଏ ତା’ର ପିଲାମାନଙ୍କୁ ଗୁଣବତ୍ତା ଶିକ୍ଷା ଦେଇ ମଣିଷ କରିବାକୁ। ହେଲେ ବର୍ତ୍ତମାନ ଶିକ୍ଷାନୁଷ୍ଠାନଗୁଡ଼ିକର ଆର୍ଥିକ ମାନଦଣ୍ଡ ତା’କୁ ସ୍ବପ୍ନ ଦେଖିବାକୁ ବାରଣ କରେ।

ନିଜର ଭୂସଂପତ୍ତି ଓ ଅଳଙ୍କାର ବିକ୍ରି କରି ବା ବନ୍ଧକ ରଖି ପିଲାଙ୍କୁ ପଢ଼େଇବାକୁ ସଂଘର୍ଷ କରିଥାଏ। ଆଉ ଏକ କଥା; ଏବେ ପିଲାମାନଙ୍କର ପାଠପଢା ପାଇଁ ଅତ୍ୟାଧୁନିକ ସ୍ମାର୍ଟ ଫୋନ୍, ଲାପଟପ୍, ହାଇଫାଇ ଟାବଲେଟ୍ ଇତ୍ୟାଦି ଆବଶ୍ୟକ। ଅଭିଭାବକଟି ତା’ପିଲାଙ୍କୁ ଏ ସବୁକୁ ଯୋଗାଇ ଦେବାକୁ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। କେବଳ ମଧ୍ୟବିତ୍ତ ଅଭିଭାବକଟି ନୁହେଁ, ତା’ ପିଲାମାନେ ମଧ୍ୟ ଏସବୁର ଶିକାର ହେଉଛନ୍ତି। ଅକ୍ଳାନ୍ତ ପରିଶ୍ରମ ମାଧ୍ୟମରେ ଅଧିକ ରୋଜଗାର କରି ପିତାମାତାଙ୍କ ଦୁଃଖ କିପରି ଦୂର ହେବ, ସେଇ ଚିନ୍ତା ଓ ଚାପ ପିଲାଟି ତା’ ହେତୁ ପାଇଲା ଦିନରୁ ବୁଝିସାରିଥାଏ। ସ୍ବାସ୍ଥ୍ୟ କ୍ଷେତ୍ରରେ ସମ୍ମୁଖୀନ ହେଉଥିବା ସମସ୍ୟା ନ କହିବା ଭଲ। ଦୁରାରୋଗ୍ୟ କିମ୍ବା ଦୁର୍ଘଟଣାର ସମ୍ମୁଖୀନ ହେଲେ ଅତ୍ୟାଧୁନିକ ସୁବିଧା ଥିବା ମେଡିକାଲରେ ଚିକିତ୍ସିତ ହେବା ଦୁରୂହ ବ୍ୟାପାର। ଏହିପରି ଅନେକ ସମସ୍ୟା ତା’ ମୁଣ୍ଡ ଉପରର ଆକାଶ ଯାଏ ପ୍ରଲମ୍ବିତ।

ଏଇ ପରିପ୍ରେକ୍ଷୀରେ ହା ହୁତାଶ, ଭଗ୍ନ ହୃଦୟ ଏବଂ ବାରମ୍ବାର ଲାଞ୍ଛିତ ହୋଇ ସେ ଜୀବନକୁ ଉପଭୋଗ କରିବାକୁ ଭୁଲି ଯାଇଥାଏ। କୋଭିଡ୍‌ ୧୯ ମହାମାରୀ ପ୍ରଭାବରେ ମଧ୍ୟବିତ୍ତଙ୍କ ଜୀବନ ବାଜି ଲାଗିଯାଇଛି। ତାଲାବନ୍ଦ ଶିକୁଳିର ଆର୍ଥିକ ସଂକଟ ଭିତରେ ପେଷି ହୋଇଯାଇଛି ଏମାନଙ୍କ ଜୀବନ। ଯୋଗ୍ୟ ହିତାଧିକାରୀମାନଙ୍କୁ ସବୁ ପ୍ରକାର ସରକାରୀ ସୁବିଧା ମିଳୁଥିବା ବେଳେ ଏଇ ଗୋଷ୍ଠୀ ସବୁଥିରୁ ବଞ୍ଚିତ। ଜୀବନସାରା ହାଡଭଙ୍ଗା ପରିଶ୍ରମ କରି ସ୍ବାଭିମାନ ସହ ବଞ୍ଚିବାକୁ ପସନ୍ଦ କରୁଥିବା ଏହି ଗୋଷ୍ଠୀ କରୋନା କାଳରେ ବିନା ଦରମା, ବିନା ଆୟରେ କିପରି ଜୀବନ ନିର୍ବାହ କରିବେ? ସରକାରୀ ସହାୟତାର ପରିସୀମା ଭିତରକୁ ଆସୁନଥିବା ସମଗ୍ର ଜୀବନ ନିଜର ସୀମିତ ରୋଜଗାର ମଧ୍ୟରେ ସଂଘର୍ଷମୟ ଜୀବନ ନିର୍ବାହ କରୁଥିବା ଏହି ଅସହାୟ ଗୋଷ୍ଠୀ ପ୍ରତି ସରକାର ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ।

Comments are closed.