ତୃତୀୟ ମେଣ୍ଟ ନା ଦ୍ବିତୀୟ ବିକଳ୍ପ?

ବିଶ୍ବଚିନ୍ତାମଣି ଅମ୍ବିକା ପ୍ରସାଦ ପାଣି

ଆଞ୍ଚଳିକ ଦଳ ତଥା ଅଣ-ବିଜେପି ଓ ଅଣ-କଂଗ୍ରେସ ଦଳଗୁଡ଼ିକର ଘନଘନ ମେଳି ଏବେ ପୁନର୍ବାର ତୃତୀୟ ମେଣ୍ଟର ଚର୍ଚ୍ଚାକୁ ବେଶ୍‌ ଖୋରାକ ଯୋଗାଇଛି। ଗତ ମେ ମାସରେ ପାଞ୍ଚଟି ରାଜ୍ୟ ବିଧାନସଭା ନିର୍ବାଚନ ଫଳ ଆସିଲା ପରେ, ବିଶେଷତଃ ତୃଣମୂଳ କଂଗ୍ରେସ ଓ ଡିଏମ୍‌କେ ପରି ଆଞ୍ଚଳିକ ଦଳଗୁଡିକର ଅଭୂତପୂର୍ବ ପ୍ରଦର୍ଶନ ପରେ ରାଜନୈତିକ ସମୀକରଣ ବଦଳିବ ବୋଲି କିଛି ରାଜନୈତିକ ଦଳର ଦାବି ଶୁଣିବାକୁ ମିଳୁଛି ।

ସମ୍ପ୍ରତି ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋରଙ୍କର ବିଭିନ୍ନ ରାଜନେତାଙ୍କ ସହ ବୈଠକ ଓ ଏନସିପି ମୁଖ୍ୟ ଶରଦ ପାୱରଙ୍କର ନେତା ଜୁଟାଇବାର ପ୍ରୟାସ ହିଁ ସେ ଆଶା ଓ ଆଶଙ୍କାକୁ ଦ୍ବିଗୁଣିତ କରୁଛି। ୨୦୨୪ ସାଧାରଣ ନିର୍ବାଚନକୁ ଆଖିରେ ରଖି ଅଣ-ବିଜେପି ଓ ଅଣ-କଂଗେସ ଦଳମାନଙ୍କର ଏଇ ମେଳି କେବଳ ଏକ ତୃତୀୟ ମେଣ୍ଟଶକ୍ତି ନା ବିଜେପିକୁ ଟକ୍କର ଦେବା ପାଇଁ କଂଗ୍ରେସ ପରେ ଏଇ ମେଳି ଏକ ଦ୍ବିତୀୟ ବିକଳ୍ପ ଭାବେ ଉଭା ହେବ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ନୁହେଁ; କିନ୍ତୁ ବାସ୍ତବତା ହେଲା ଏଇ ସବୁ ଗୋଷ୍ଠୀ ବା ତୃତୀୟ ମେଣ୍ଟ କିମ୍ବା ସଂଘୀୟ ମେଣ୍ଟର ବିହନ କେବଳ ନିର୍ବାଚନ ଆସିଲେ ବୁଣାଯାଏ। ନିର୍ବାଚନର ଭୋଟ ଗଣତି ଆରମ୍ଭ ହେଉ ହେଉ ଏଇ ସବୁ ଚର୍ଚ୍ଚାର ଅବସାନ ଘଟିଥାଏ। ସେଥିପାଇଁ କିଛି ରାଜନୀତି ସମୀକ୍ଷକ ଏସବୁକୁ ରାଜନୈତିକ ମରୀଚିକା ବୋଲି ଆଖ୍ୟା ଦେଉଥିଲାବେଳେ ଆଉ କେହିକେହି ଏଇ ସବୁକୁ ଗଣତାନ୍ତ୍ରିକ ରାଜନୀତିରେ ‘ଇତ୍ୟାଦି’ର ସଂଜ୍ଞା ପ୍ରଦାନ କରନ୍ତି। ଭି.ପି.ସିଂହ (୧୯୮୯)ଙ୍କର ଖେଚୁଡି ସରକାର କିମ୍ବା ଦେବେଗୌଡ଼ା-ଗୁଜରାଲ (୧୯୯୬-୯୮)ଙ୍କର କଥିତ ଲଟେରୀ ସରକାର ସମୟର ଅଭିଜ୍ଞତା ଏପରି ସମୀକ୍ଷା ପାଇଁ ବାଧ୍ୟ କରିଛି; କିନ୍ତୁ ଏଇ ସବୁ ଭିତରେ ଇତ୍ୟାଦି ବୋଲାଯାଉଥିବା ଛୋଟ ଦଳ, ଆଞ୍ଚଳିକ ଦଳ, ସମଭାବାପନ୍ନ ଦଳଗୁଡିକର ଏକତା ଭାବକୁ ନିକଟ ଅଭାବକୁ ଦୂର ଯେ ନ ହେବ ତାହା କେବଳ ସମୟ ହିଁ କହିପାରିବ !

ସମୟ ବଦଳିଛି କିନ୍ତୁ ବ୍ୟତିକ୍ରମ ଏତିକି ଯେ ପୂର୍ବର ମେଣ୍ଟ ବା ରାଜନୈତିକ ଶାସନ କ୍ଷମତା ହାସଲରେ ଯୋଜନା ଦଳକୈନ୍ଦ୍ରିକ ଥିବାବେଳେ ଏବେ ତାହା ବ୍ୟକ୍ତିକୈନ୍ଦ୍ରିକରେ ପରିଣତ ହୋଇଛି। କିଛି କ୍ଷେତ୍ରରେ ମଧ୍ୟ ଏହା ପାରିବାରିକ ତଥା ବଂଶାନୁଗତ ପରମ୍ପରାରେ ପରିଣତ ହୋଇଛି। ଭୋଟରଙ୍କ ଆସ୍ଥା ଜିତିପାରିଲେ ତାମିଲନାଡୁରେ କରୁଣାନିଧିଙ୍କ ପରେ ତାଙ୍କ ପୁଅ ଷ୍ଟାଲିନଙ୍କ ନେତୃତ୍ୱରେ ଡିଏମ୍‌କେ ସରକାର ଗଢିବା ସମ୍ଭବ ହୋଇପାରୁଛି; କିନ୍ତୁ ଅଙ୍କକଷା ଭୁଲ ହେଇଗଲେ ରାମବିଳାସ ପାଶ୍ବାନଙ୍କ ପରେ ତାଙ୍କ ଦଳର ଦାୟିତ୍ବ ସମ୍ଭାଳିଥିବା ପୁଅ ଚିରାଗ ପାଶ୍ବାନ ବି ନିଜ କାକାଙ୍କ ଦ୍ୱାରା ଦଳରେ କୋଣଠେସା ହୋଇ ରହିବା ସାର ହେଉଛି। ୟେ ସବୁ ତ ଭାରତୀୟ ରାଜନୀତିର ଲୀଳାଖେଳା! ପ୍ରସଙ୍ଗ ହେଉଛି ନିର୍ବାଚନ ଚିନ୍ତନ, ମନ୍ଥନ ଓ ସଂଖ୍ୟା ଗଣିତର; କିନ୍ତୁ ଅବସୋସର ବିଷୟ ଯେ ଏଇ ସବୁ ଗଣିତରେ କିଛି ରାଜନୈତିକ ଦଳଗୁଡ଼ିକର ଭାଜ୍ୟ-ଭାଜକ-ଭାଗଫଳ-ଭାଗଶେଷ ମଧ୍ୟରେ କୌଣସି ସାମଞ୍ଜସ୍ୟ ଥିଲା ଭଳି ମନେ ହୁଏ ନାହିଁ। ଯଦି ତଥ୍ୟକୁ ଦୃଷ୍ଟି ଦିଆଯାଏ ତେବେ ଜଣା ପଡିବ ଯେ ବିଜେପି ଓ କଂଗ୍ରେସର ମିଳିତ ଭୋଟ ହାର ୨୦୧୪ ସାଧାରଣ ନିର୍ବାଚନରେ ପାଖାପାଖି ୬୦ ପ୍ରତିଶତ ଥିବା ବେଳେ ପାଖାପାଖି ୪୦ ପ୍ରତିଶତ ଅନ୍ୟ ଦଳଗୁଡ଼ିକର ନିୟନ୍ତ୍ରଣରେ ଥିଲା। ଅଣ-ବିଜେପି ଓ ଅଣ-କଂଗେସ-ଅନ୍ୟାନ୍ୟ ଦଳଗୁଡିକର ମିଳିତ ପ୍ରତିନିଧିତ୍ବ ପଞ୍ଚଦଶ ଲୋକସଭା (୨୦୦୯)ରେ ୨୧୨ ଥିଲା ବେଳେ ଷୋଡଶ ଲୋକସଭା (୨୦୧୪)ରେ ମଧ୍ୟ ସେଇ ୨୧୨ରେ ସୀମିତ ଥିଲା।

ଏବେର ସପ୍ତଦଶ (୨୦୧୯) ଲୋକସଭାରେ ସ୍ବାଧୀନଙ୍କୁ ମିଶାଇ ଅଣ-ବିଜେପି ଓ ଅଣ-କଂଗେସ-ଅନ୍ୟାନ୍ୟ ଦଳଗୁଡିକର ମିଳିତ ପ୍ରତିନିଧିତ୍ବର ସଂଖ୍ୟା ୧୮୭ ଅଟେ। ମିଳିତ ପ୍ରୟାସରେ ଅସମ୍ଭବକୁ ସମ୍ଭବ କରିବା ପାଇଁ ଚିନ୍ତା କଲାବେଳକୁ ମନେ ରଖିବା ପାଇଁ ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନବେଳେ ସମପ୍ରୟାସର ବିଫଳତାକୁ ଇତିହାସ ସ୍ପଷ୍ଟକରେ। ଅଣ-ବିଜେପି ଓ ଅଣ-କଂଗ୍ରେସ ସରକାର ଏବେ ଏକ ମନଗଢା କାହାଣୀ; କାରଣ ଏଇ ସବୁର ଚର୍ଚ୍ଚା ସେତେବେଳେ ସତୁରି ଦଶକରେ ଜୋର ଧରିଥିଲା ଯେତେବେଳେ କଂଗ୍ରେସ ଜନତାଙ୍କର ଆସ୍ଥା ହରାଇ ବସୁଥିଲା ଓ ବିଜେପିର ଉତ୍‌ଥାନକୁ କିଛି ଆଞ୍ଚଳିକ ଓ ଜାତୀୟ ନେତା ଏକ ବିକଳ୍ପ ଭାବେ ଗ୍ରହଣ କରିବାକୁ ପ୍ରସ୍ତୁତ ନଥିଲେ। ଏବେ ତ ୨୦୧୪ରେ ବିଜେପିର କଡ଼ଲେଉଟା ଓ ୨୦୧୯ ସାଧାରଣ ନିର୍ବାଚନରେ ଏକକ ସଂଖ୍ୟାଗରିଷ୍ଠତା ହାସଲ ପରେ ସେ ତୃତୀୟ ମେଣ୍ଟ କ୍ଷମତା ହାସଲ କରିପାରିବାର ସମ୍ଭାବନା ବେଶ୍‌ କ୍ଷୀଣ ଓ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ସମେତ ୨୧ଟି ଦଳର ମହାମେଣ୍ଟର ରୂପରେଖ ଅସମ୍ପୂର୍ଣ୍ଣ ରହିଥିଲା। ଚନ୍ଦ୍ରବାବୁ ନାଇଡୁ ଓ ଚନ୍ଦ୍ରଶେଖର ରାଓ ଅନେକ ରାଜ୍ୟ ଭ୍ରମଣ କରି ଅଣ ବିଜେପି ଅଣ କଂଗ୍ରେସ ଦଳଙ୍କୁ ଏକାଠି କରିବା ପ୍ରୟାସ ମଧ୍ୟ ଫସର ଫାଟିଯାଇଥିଲା।

ପ୍ରକୃତରେ ଏଇ ସବୁ ଇନ୍ଦ୍ରଧନୁ ମେଣ୍ଟରେ କିଏ କେତେବେଳେ ରଙ୍ଗ ବଦଳେଇ କେଉଁ ଆକାଶରେ ଦୃଶ୍ୟମାନ ହେବେ ତାହା ବୁଝିବା କଷ୍ଟକର। କଥାରେ ଅଛି ରାଜନୈତିକ ବିବାହ ସର୍ବଦା କ୍ଷଣସ୍ଥାୟୀ, ଭଙ୍ଗୁର। ଆରଜେଡି-କଂଗ୍ରେସ-ଜେଡିୟୁର ମହାମେଣ୍ଟ ବିହାରରେ ୨୦୧୫ ବିଧାନସଭା ନିର୍ବାଚନରେ ବିଜେପିକୁ ରୋକିବାରେ ସଫଳ ହୋଇଥିଲାବେଳେ ୨୦୧୬ ଉତ୍ତରପ୍ରଦେଶ ରାଜ୍ୟ ନିର୍ବାଚନରେ କଂଗ୍ରେସ-ସମାଜବାଦୀ ଦଳର ମେଣ୍ଟ ଏକ ବିଫଳ ପ୍ରୟାସ ଭାବେ ଗଣାହୁଏ । ୨୫ ବର୍ଷର ମାନ-ଅଭିମାନକୁ ଭୁଲି ୨୦୧୯ ସାଧାରଣ ନିର୍ବାଚନ ବେଳେ ବୁଆ-ବବୁଆ (ମାୟାବତୀ ଓ ଅଖିଳେଶ) ମେଣ୍ଟ ବେଶ୍‌ ରାଜନୈତିକ ଉଷ୍ମତା ସୃଷ୍ଟିରେ ସଫଳ ହୋଇଥିଲା ବେଳେ ଭୋଟ ଗଣତି ବେଳେ ସେ ଉତ୍ସାହ ଫିକା ପଡିଥିଲା। ଆଦର୍ଶଗତ ସମସ୍ବରତା, ପରିପକ୍ବ ବୁଝାମଣା ଓ ସାଙ୍ଗଠନିକ ସୁସଙ୍ଗତି ବିନା ତୃତୀୟ ମେଣ୍ଟ/ସଂଘୀୟ ମେଣ୍ଟ ଯେ ଅସମ୍ଭବ ଓ ଅସଫଳ ଏଥିରେ ଦ୍ବିମତ ହେବାର କିଛି ନାହିଁ। ତା’ର ସଦ୍ୟ ଉଦାହରଣ ହେଉଛି ମହାରାଷ୍ଟ୍ରରେ କଂଗ୍ରେସ-ଏନ୍‌ସିପି-ଶିବସେନା ମେଣ୍ଟରେ ଚାଲିଥିବା ମହା ବିକାଶ ଅଘାଡି ସରକାର। ସବୁକିଛି ଠିକ ଚାଲିଛି ବୋଲି ଯେତେ ଦାବି କଲେ ମଧ୍ୟ ଏକତା ମଧ୍ୟରେ ଭିନ୍ନତା ସେଠାରେ ବେଶ୍‌ ସ୍ପଷ୍ଟ। କଂଗ୍ରେସର ଅନ୍ତଃକନ୍ଦଳ ଏବଂ ବିହାର ଓ ପଶ୍ଚିମବଙ୍ଗ, ତାମିଲନାଡୁ ନିର୍ବାଚନ ପରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ପରେ ସେପରି ଏକ ଜାତୀୟ ଦଳକୁ ସାଙ୍ଗରେ ନେଇ ଏକ ବିକଳ୍ପ ଭାବେ ଉଭା ହେବା ପ୍ରାୟତଃ ଉଚିତ ନିଷ୍ପତ୍ତି ନହୋଇପାରେ ବୋଲି କିଛି ସମୀକ୍ଷକ ମତ ଦିଅନ୍ତି ।

ପରିସ୍ଥିତି ଏବେ ଛକାପଞ୍ଝା ରାଜନୀତିର। ଟିଡ଼ିପି, ଶିବସେନା ଓ ଅକାଳୀ ଦଳ ଏନ୍ଡ଼ିଏ ମେଣ୍ଟରୁ ଓହରିଯିବା ପରେ ଠିକ ସାଥି ସନ୍ଧାନ ସଂଗେସଂଗେ ଦଳୀୟ ସଂଗଠନର ସମ୍ପ୍ରସାରଣ ବିଜେପି ପାଇଁ ଏକ ବଡ଼ ଆବଶ୍ୟକତା, ଯାହାକି ଉତ୍ତରପ୍ରଦେଶର ଆଗାମୀ ବିଧାନସଭା ନିର୍ବାଚନରେ ପ୍ରଭାବ ପକାଇପାରେ। ଅପରପକ୍ଷରେ ସମାଜବାଦୀ, ବହୁଜନ ସମାଜବାଦୀ, ତୃଣମୂଳ କଂଗ୍ରେସ ଆଦି କଂଗ୍ରେସ ପାଖରୁ ମୁହଁ ଫେରେଇନେବା ଏକ ଶୁଭଲକ୍ଷଣ ନୁହେଁ ଓ ଏପଟେ କଂଗ୍ରେସ ପାଇଁ ସଭାପତି ଖୋଜା ହେଲା ବେଳକୁ ସେପଟେ ସିଧୁ-କ୍ୟାପଟେନଙ୍କର ପଞ୍ଜାବରେ ଶୀତଳ ଯୁଦ୍ଧ ଦାଣ୍ଡରେ ପଡି ହାଟରେ ଗଡ଼ିଲାଣି। ଅତୀତରେ ଉଭୟ ବିଜେପି ଓ କଂଗ୍ରେସ ସହ ମେଣ୍ଟ କରିଥିବା ଦଳ ଯଥା ଟିଡ଼ିପି, ନ୍ୟାସନାଲ କନଫରେନ୍ସ ଆଦି ଦଳଙ୍କର ମତିଗତି କେଉଁଆଡେ ତାହା ବୁଝିବା କଷ୍ଟକର। ଜାତୀୟ ରାଜନୀତିରେ ଓଡିଶା ଏକ ରାଜନୈତିକ ଚମତ୍କାରିତାକୁ ଦର୍ଶାଇଥିଲାବେଳେ ବିଜେପି ଓ କଂଗ୍ରେସ ଠାରୁ ସମଦୂରତ୍ବର ଘୋଷଣା ପ୍ରସଙ୍ଗ ଭିତ୍ତିକ କିମ୍ବା ସାମୟିକ ତା ମଧ୍ୟ ବୁଝିବା କଷ୍ଟକର। ପାର୍ଥକ୍ୟ ଏତିକି ଯେ ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଛାଡି ୧୧ଟି ଦଳର ମେଣ୍ଟ ଯୋଗାଡ ହୋଇଥିଲା ବେଳେ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ମିଶାଇ ପାଖାପାଖି ୨୧ଟି ଦଳର ମେଣ୍ଟ ସଜବାଜ ହୋଇଥିଲା। ତୃତୀୟ ମେଣ୍ଟ/ସଂଘୀୟ ମେଣ୍ଟ/ଅଣ-ବିଜେପି ମେଣ୍ଟ ଆଦିର ଚେହେରା କିଏ ତାହା ସ୍ପଷ୍ଟ ନଥିଲା ବେଳେ ନୀତି କଣ ହେବ ତାହାକୁ ପ୍ରାଧାନ୍ୟ ମିଳିବା ଉଚିତ। ଯଦି ଏଇ ସବୁ ଆଲୋଚନା ପର୍ଯ୍ୟାଲୋଚନା ସଦ୍ୟ ସମାପିତ କିଛି ରାଜ୍ୟ ବିଧାନସଭା ନିର୍ବାଚନ ଫଳାଫଳ ଉପରେ ପର୍ଯ୍ୟବସିତ ତା’ ​‌େ​‌ହଲେ ବୁଝିବା ପାଇଁ ପଡିବ ଯେ ବିଧାନସଭା ନିର୍ବାଚନ ଫଳାଫଳ ପ୍ରାୟତଃ ସାଧାରଣ ନିର୍ବାଚନରେ ଗୋଟିଏ ଦଳର ଭାଗ୍ୟ ନିର୍ଦ୍ଧାରଣ କରେ ନାହିଁ। ଉଦାହରଣ ସ୍ୱରୂପ ୨୦୦୮ରେ କଂଗ୍ରେସ ୧୦ଟି ରାଜ୍ୟ ବିଧାନସଭା ନିର୍ବାଚନରେ ପରାଜୟ ବରଣ କରିଥିଲା ବେଳେ ୨୦୦୯ ସାଧାରଣ ନିର୍ବାଚନରେ କେନ୍ଦ୍ରରେ କ୍ଷମତା ଅକ୍ତିଆର କରିବାରେ ସଫଳ ହୋଇଥିଲା। ସେଇପରି ୨୦୦୯ରୁ ୨୦୧୪ ମଧ୍ୟରେ ୩୦ରୁ ଅଧିକ ରାଜ୍ୟ ବିଧାନସଭା ନିର୍ବାଚନରେ ବିଜେପି ମାତ୍ର ୯ଟିରେ ବିଜୟ ଲାଭ କରିଥିବା ବେଳେ ୨୦୧୪ରେ କେନ୍ଦ୍ରରେ ସରକାର ଗଢିବାପାଇଁ ସକ୍ଷମ ହୋଇ ପାରିଥିଲା। କହିବା ବାହୁଲ୍ୟ ନୁହେଁ ଯେ ପ୍ରସଙ୍ଗକୁ ଜାବୁଡି ଧରି ରାଜନୀତି କରିବାର ପ୍ରୟାସ ହିଁ ଭୋଟରଙ୍କ ଆସ୍ଥାଭାଜନ କରାଇବାରେ ସଫଳ ହୋଇଥାଏ; କିନ୍ତୁ କୌଣସି ନିର୍ବାଚନର କେବଳ ସଫଳତା-ବିଫଳତା ନୁହେଁ। ନେତା କିଏ/ନୀତି କ’ଣ ଠାରୁ ଆରମ୍ଭକରି ଖାଲି ତୃତୀୟ ମେଣ୍ଟ ନା ଦ୍ବିତୀୟ ବିକଳ୍ପ ସେ ପ୍ରଶ୍ନର ଉତ୍ତର ମଧ୍ୟ ଖୋଜିବା ଆବଶ୍ୟକ।

ଅଣ-ବିଜେପି ଶକ୍ତିଙ୍କର ମେଣ୍ଟ ପ୍ରାୟତଃ କେବଳ ତାମିଲନାଡୁ, ବିହାର, କର୍ଣ୍ଣାଟକ ଓ ମହାରାଷ୍ଟ୍ରପରି ରାଜ୍ୟ ମଧ୍ୟରେ ସୀମିତ ଥିଲାବେଳେ ଜାତୀୟ ସ୍ତରରେ ସେଭଳି କୌଣସି ପ୍ରଦର୍ଶନ ଆଖିଦୃଶିଆ ନୁହେଁ ଓ ବର୍ତ୍ତମାନର ବିଜେପି ସରକାରର ବର୍ଦ୍ଧିତ ଲୋକପ୍ରିୟତା ଯେ ଅତିଶୀଘ୍ର ଫିକା ପଡିଯିବ ଏହା ବୋଧହୁଏ ଗ୍ରହଣଯୋଗ୍ୟ ନ ହୋଇପାରେ। ଭାରତୀୟ ଭୋଟର ସବୁବେଳେ ଚମତ୍କାରିତାକୁ ସ୍ପଷ୍ଟ କରନ୍ତି ଓ କେବଳ ବିକଳ୍ପ ସୃଷ୍ଟି କରିବାର ଅଛି ବୋଲି ମେଣ୍ଟ କରିବା ତାହା କେବଳ ରାଜନୈତିକ ଅଜ୍ଞତାକୁ ବୁଝାଏ। ଏପରି ଡିଆଁଡେଇଁ ଓ ମେଳି ତଥା ନୀତି ନଥାଇ ନେତାଙ୍କର ଅଙ୍କକଷା ପ୍ରାୟତଃ କିଛି ରାଜନୈତିକ ଦଳ ଏବଂ ନେତାଙ୍କର ଭବିଷ୍ୟତକୁ ଖଣ୍ଡବିଖଣ୍ଡିତ ତଥା ଅନ୍ଧକାରମୟ କରିଦେଇପାରେ। ଏହାର ଫଳ ସ୍ୱରୂପ ଛୋଟ ଦଳ ତଥା ଆଞ୍ଚଳିକ ଦଳଗୁଡିକ ଭାରତୀୟ ଗଣତାନ୍ତ୍ରିକ ରାଜନୀତିରେ କେବଳ ‘ଆଦି’, ‘ଇତ୍ୟାଦି’ ହୋଇ ରହିଯିବାର ସମ୍ଭାବନା ଅଧିକ।

Comments
Loading...