ପଡ଼ୋଶୀ ଶ୍ରୀଲଙ୍କା ଓ ଭାରତ

ଅମିୟ ଭୂଷଣ ତ୍ରିପାଠୀ

ଭାରତର ପଡ଼ୋଶୀ ଦେଶଗୁଡ଼ିକ ସଙ୍ଗେ ସମ୍ପର୍କ ଏକ ଅନିଶ୍ଚିତ ଓ ଅସ୍ଥିର ଦିଗକୁ ଗତି କରୁଛି। ବିଭିନ୍ନ ସମୟରେ ବିଭିନ୍ନ କାରଣ ଛଡ଼ା ସାଂପ୍ରତିକ ପରିସ୍ଥିତିରେ ଚୀନ ଏ ଦେଶମାନଙ୍କ ପରମ ମିତ୍ର ରୂପେ ଆବିର୍ଭାବ ହୋଇ ଭାରତର ଚତୁର୍ଦିଗରେ ନିଜ ପ୍ରଭାବର ଏକ ବଳୟ ସୃଷ୍ଟି କରିଛି। ବିଂଶଶତାବ୍ଦୀର ପ୍ରଥମାର୍ଦ୍ଧରେ ଏସିଆ, ଆଫ୍ରିକା ଓ ଦକ୍ଷିଣ ଆମେରିକାର ଦେଶଗୁଡ଼ିକ ୟୁରୋପର ସାମ୍ରାଜ୍ୟବାଦ ବିରୋଧରେ ସଂଗ୍ରାମ ଚଳାଇଥିଲେ ଓ ସାଫଲ୍ୟଲାଭ କରିଥିଲେ। ଶୀତଳଯୁଦ୍ଧର ଅବସାନ ପରେ ବର୍ତ୍ତମାନ କୌଣସି ଦେଶ ଅଧିକାର କରି ରାଜତ୍ବ କରିବା ସମୟ ଚାଲି ଯାଇଛି ଓ ବର୍ତ୍ତମାନ ସାମ୍ରାଜ୍ୟବାଦର ନୂତନ ରୂପ ବାହାରିଛି ଅାର୍ଥନୀତିକ ପ୍ରଭାବ ବିସ୍ତାର। ସୋଭିଏତ ରାଷ୍ଟ୍ରର ବିଲୀନ ପରେ ଆମେରିକା ପୃଥିବୀରେ ପ୍ରଭାବ କ୍ଷମତା ଓ ଅର୍ଥନୀତିରେ ଶୀର୍ଷ ସ୍ଥାନରେ ରହିଥିଲା। ବର୍ତ୍ତମାନ ଏସିଆର କ୍ଷମତାଶାଳୀ ରାଷ୍ଟ୍ରରୂପେ ଚୀନର ଅଭ୍ୟୁଦୟ ହେଲା ପରେ ଏ ଦେଶ ଏସିଆ ଆଫ୍ରିକା ଏପରିକି ଦକ୍ଷିଣ ଆମେରିକାରେ ବିଭିନ୍ନ ପ୍ରକଳ୍ପମାନଙ୍କରେ ପ୍ରଭୂତ ଅର୍ଥ ବିନିଯୋଗ କରି ଏକ ମହାଶକ୍ତି ରୂପେ ପରିଣତ ହେଲାଣି। ଚୀନର ଉପନିବେଶବାଦର ଏ ନୂତନ ଅବତାର ଭାରତ ପାଇଁ ଏକ ଆହ୍ବାନ ସୃଷ୍ଟି କରିଛି, ଯାହା ଆସନ୍ତା ବର୍ଷମାନଙ୍କରେ ଚିନ୍ତାର କାରଣ ହେବ।

ପଡ଼ୋଶୀ ଦେଶଗୁଡ଼ିକ ଉପରେ ଦୃଷ୍ଟିପାତ କଲେ, ପାକିସ୍ତାନରେ ଚୀନ ବୃହତ୍‌ ପ୍ରକଳ୍ପମାନଙ୍କରେ ପୁଞ୍ଜି ନିବେଶ କରିଛି। ଏ ଦେଶକୁ ମଧ୍ୟ ମିତ୍ର ରାଷ୍ଟ୍ର ରୂପେ ଘୋଷଣା କରିଛି। ହିନ୍ଦୁରାଷ୍ଟ୍ର ନେପାଳ ଯେପରି ଚୀନର ଆନୁଗତ୍ୟ ସ୍ବୀକାର କରିଛି ଓ ଭାରତ ଅପେକ୍ଷା ଚୀନ ସଙ୍ଗେ ମିତ୍ରତା ଘନିଷ୍ଠ ହେଲାଣି, ବାଂଲାଦେଶ ଓ ବର୍ମାରେ ପରିସ୍ଥିତି ଅନୁରୂପ। ବର୍ମା ସଙ୍ଗେ ନେହେରୁ, ଇନ୍ଦିରା ଗାନ୍ଧୀ ଗଲାପରେ ସମ୍ପର୍କ ଶିଥିଳ ହୋଇ ପଡ଼ିଛି। ବର୍ତ୍ତମାନ ସମସ୍ତଙ୍କ ଦୃଷ୍ଟି ଶ୍ରୀଲଙ୍କା ଉପରେ। ଏ ଦେଶରେ ଚୀନର ଆଖିଦୃଶିଆ ଉପସ୍ଥିତି ସଙ୍ଗେ ସାଂପ୍ରତିକ ଘଟଣାବଳୀ ଶ୍ରୀଲଙ୍କାରେ ଚୀନର ଅପ୍ରତିଦ୍ବନ୍ଦ୍ବୀ ଅଭିଯାନର ଧାରଣାକୁ ଦୃଢ଼ କରୁଛି। ଏପରି ହେଲାଣି ଯେ ଚୀନରେ ବିପକ୍ଷ ନେତା ଓ ପର୍ଯ୍ୟବେକ୍ଷକମାନେ ଖୋଲାଖୋଲି କହିଲେଣି, ଶ୍ରୀଲଙ୍କା ଚୀନର ଏକ କଲୋନି ହେବାକୁ ଯାଉଛି। ଭାରତ କିପରି ଏକ ଅସହାୟ ସ୍ଥିତିରେ ଥିଲା ପରି ଜଣାପଡ଼ୁଛି। ଗୋଟିଏ ଦେଶର ସମୃଦ୍ଧି, ପ୍ରଶାସନ, ଐତିହ୍ୟ ଆଦି ବିଭିନ୍ନ ଦୃଷ୍ଟିକୋଣରୁ ବିଚାର କଲେ, ଦକ୍ଷିଣ ଏସିଆ​‌େ​‌ର ଶ୍ରୀଲଙ୍କା ବର୍ତ୍ତମାନ ସବୁଠାରୁ ସମୃଦ୍ଧଶାଳୀ ରାଷ୍ଟ୍ର। ବିକାଶର ବିଭିନ୍ନ ସୂଚକାଙ୍କରେ ଏହା ଭାରତ ଆଗରେ। କିନ୍ତୁ ଏ ଦେଶର ଋଣ ଭାର ମଧ୍ୟ ଅତ୍ୟଧିକ ୩୦୦ କୋଟି ଡଲାରରୁ ଅଧିକ। ଚୀନ ଶ୍ରୀଲଙ୍କାକୁ ୧୦୦ କୋଟି ଡଲାର ସାହାଯ୍ୟ ଦେବାକୁ ପ୍ରତିଶ୍ରୁତି ଦେଇଛି। ତା’ଛଡ଼ା କଲମ୍ବୋ ବନ୍ଦରକୁ ଅତ୍ୟାଧୁନିକ କରି ପୃଥିବୀର ଏକ ବିଳାସପୂର୍ଣ୍ଣ ପର୍ଯ୍ୟଟନ କ୍ଷେତ୍ରରେ ପରିଣତ କରିବ । ଏହା ବଦଳରେ ବନ୍ଦରର ଅଧିକାଂଶ ଅଞ୍ଚଳ ଚୀନକୁ ହସ୍ତାନ୍ତର ହେବ ଓ ସେଠାରେ ଚୀନର ସାର୍ବଭୌମତ୍ବ ରହିବ। ଏପରିକି ଏ ଅଞ୍ଚଳକୁ ଯିବାକୁ ଚୀନର ପାସପୋର୍ଟ ଆବଶ୍ୟକ ବୋଲି କୁହାଯାଉଛି।

ଶ୍ରୀଲଙ୍କାର ଅବସ୍ଥିତି ଏପରି ଯେ ଏହା ଭାରତ ପାଇଁ କେବଳ ବାଣିଜ୍ୟ ଦୃଷ୍ଟିରୁ ଏକ ସାମୁଦ୍ରିକ ଗତିପଥ ନୁହେଁ, ସାମରିକ ସୁରକ୍ଷା ଦୃଷ୍ଟିରୁ ଅତି ଗୁରୁତ୍ବପୂର୍ଣ୍ଣ। ପଶ୍ଚିମରୁ ପୂର୍ବ ଉପକୂଳକୁ ଜାହାଜଗୁଡ଼ିକର ଗତିପଥ ଶ୍ରୀଲଙ୍କା ଦେଇ ଦେଶର ସୁରକ୍ଷାପାଇଁ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜର ପ୍ରମୁଖ ଭୂମିକା ଅଛି। ଶ୍ରୀଲଙ୍କା ଇତିହାସ ପଢ଼ିଲେ ଜଣାଯିବ। ଏ ଦେଶ ଆରମ୍ଭରୁ ଭାରତ ସଙ୍ଗେ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ପାକିସ୍ତାନ, ନେପାଳ, ବାଂଲାଦେଶ ପରି ଶ୍ରୀଲଙ୍କା ଭାରତ ସହ ସାମାଜିକ ସାଂସ୍କୃତିକ କ୍ଷେତ୍ରରେ ଘନିଷ୍ଠ ରୂପେ ଜଡ଼ିତ। ହିନ୍ଦୁୁମାନଙ୍କ ମହାପୁରାଣ ରାମାୟଣର ଲଙ୍କା କାଣ୍ଡର ଭୂମି ଶ୍ରୀଲଙ୍କା ବୋଲି କୁହାଯାଏ। ଭାରତରୁ ବୌଦ୍ଧ ଧର୍ମ ଯାଇ ସେଠାରେ ପ୍ରଧାନ ଧର୍ମ ରୂପେ ମାନ୍ୟତା ପାଇଲା। ଏହା ଉପରେ ଦୃଷ୍ଟିପାତ କଲେ ବହୁତ ରୋମାଞ୍ଚକର ତଥ୍ୟ ସାମନାକୁ ଆସେ।

ଭୂତତ୍ତ୍ବବିତ୍‌ମାନଙ୍କ ମତ ଅନୁସାରେ ସଂିହଳ ଏକଦା ଭାରତ ଭୂଖଣ୍ଡର ଏକ ଅଂଶ ଥିଲା। ଭୌଗୋଳିକ କାରଣ ଯୋଗୁଁ ଏହା ବିଚ୍ଛିନ୍ନ ହୋଇ ଏକ ଦ୍ବୀପରେ ପରିଣତ ହେଲା। ଏ ଦେଶରେ ଜୀବନର ଆଭାସ ମିଳେ ୧ ଲକ୍ଷ ୩୦ ହଜାର ବର୍ଷ ଆଗରୁ ଓ ଜନବସତିର ପ୍ରମାଣ ମିଳେ ୩୪୦୦୦ ବର୍ଷ ପୂର୍ବରୁ ଯାହାକୁ କୁହାଯାଉଥିଲା ପ୍ରସ୍ତରଯୁଗ। ବାଲାନଗୋଡ଼ା ନାମକ ଏକ ଆଦିମ ଜାତି ପ୍ରସ୍ତରରେ ଉପକରଣ ତିଆରି କରୁଥିଲେ ଓ ନିଆଁର ବ୍ୟବହାର ମଧ୍ୟ ଜାଣିଥିଲେ। ମେସୋଲିଥିକ ଯୁଗ ପରେ ଐତିହାସିକ ଯୁଗର ଆରମ୍ଭ ଖ୍ରୀ ୧୦୦୦ବର୍ଷ ପୂର୍ବେ। ସିଂହଳର ଇତିହାସ ଉପରେ ସମ୍ୟକ ଧାରଣା ମିଳେ ତିନିଟି ଗ୍ରନ୍ଥରୁ ଦୀପବଂଶ, ମହାବଂଶ ଓ କୁଳବଂଶ। ପ୍ରଥମ ଦୁଇଟି ଚତୁର୍ଥ ଓ ପଞ୍ଚମ ଶତାବ୍ଦୀରେ ରଚିତ ହୋଇଥିଲାବେଳେ କୁଳବଂଶ ୧୨ଶ ଶତାବ୍ଦୀରେ ଲେଖା ହୋଇଥିଲା। ଧର୍ମୀୟ ଦୃଷ୍ଟିକୋଣରୁ ଏ ସବୁ ଗ୍ରନ୍ଥ ରଚନା ହୋଇଥିଲେ ମଧ୍ୟ ଏପରି ଐତିହାସିକ ରଚନା ଭାରତରେ କାଶ୍ମୀରର ରାଜତରଙ୍ଗିଣୀ ଛଡ଼ା ଆଉ କେଉଁଠାରେ ନାହିଁ। ଐତିହାସିକମାନଙ୍କ ମତରେ ଭାରତରେ ଗୁପ୍ତବଂଶ ଶେଷ ପର୍ଯ୍ୟନ୍ତ ଇତିହାସର ମୂଳ ଥିଲା- ଶିଳାଲିପି, ତାମ୍ରଲିପି, ବିଦେଶୀ ପର୍ଯ୍ୟଟକମାନଙ୍କ ବିବରଣୀ ଓ ପୌରାଣିକ ଗ୍ରନ୍ଥାବଳୀ। ଏସିଆର ବୃହତ୍ତମ ଦେଶ ଚୀନରେ ଇତିହାସ ଲେଖିବା ଏକ ପରମ୍ପରା ଓ ପ୍ରଶାସନିକ ଦାୟିତ୍ବ ଥିଲା। ଭାରତରେ ମୁସଲମାନମାନଙ୍କ ଆକ୍ରମଣ ପରେ ଇତିହାସ କ୍ରମେ ସ୍ପଷ୍ଟ ହେଲା ଓ ମୋଗଲ ରାଜତ୍ବରେ ଗୁଣାତ୍ମକ ରୂପ ପାଇଲା।

ଶ୍ରୀଲଙ୍କାରେ ଲିଖିତ ଇତିହାସ ଉପରେ ଆଲୋଚନା ଆଗରୁ ରାମାୟଣ ଗ୍ରନ୍ଥର ଲଙ୍କାର ସ୍ଥିତି ଉପରେ କିଛି ଧାରଣା ଦେବା ଆବଶ୍ୟକ। ଏ ଦେଶର ଲିଖିତ ଇତିହାସରେ ରାମାୟଣର ବର୍ଣ୍ଣନା ନାହିଁ। ଆମେ ବର୍ତ୍ତମାନ ରାମାୟଣକୁ ଇତିହାସ ବୋଲି ଦାବି କରୁଛୁ। ମହାବଂଶରେ ଲଙ୍କା ଶବ୍ଦ ଥିବାରୁ ଏହା ରାମାୟଣର ଲଙ୍କା ବୋଲି କୁହାଗଲାବେଳେ ଭାରତର ଅନେକ ଗବେଷକ ଏ ଲଙ୍କାକୁ ପଶ୍ଚିମ ଉପକୂଳରେ ସ୍ଥଳ ଭାଗରୁ ୮୦୦ ମାଇଲ ଦୂରରେ ଥିଲା ବୋଲି କହନ୍ତି। ଏହା ସପକ୍ଷରେ ବାଲ୍ମିକୀ ରାମାୟଣରେ ଲଙ୍କାର ଅବସ୍ଥିତିର ବର୍ଣ୍ଣନା ଉଦ୍ଧାର କରାଯାଏ। ଖ୍ରୀ.ପୂ. ୫୦୦ ବର୍ଷ ଆଗରୁ ସିଂହଳକୁ ଆରମ୍ଭ ହେଲା ବିଦେଶୀମାନଙ୍କ ଆଗମନ। ଏମାନେ କିନ୍ତୁ ଦକ୍ଷିଣ ଭାରତରୁ ଆସି ନଥିଲେ ଉଭୟ ଭାରତର ଇଣ୍ଡୋ ଆର୍ଯ୍ୟର ଅଞ୍ଚଳରୁ, ଯାହା ନୂତତ୍ତ୍ବବିତ୍‌ମାନଙ୍କ ମତରେ ବିହାର ପର୍ଯ୍ୟନ୍ତ ବ୍ୟାପିଥିଲା। ମହାବଂଶରୁ ଜଣାପଡ଼େ ଖ୍ରୀଷ୍ଟପୂର୍ବ ୫୦୦ ବର୍ଷ ପୂର୍ବେ ଉତ୍ତରଭାରତ ଉତ୍କଳରାଜ୍ୟରୁ ରାଜପୁତ୍ର ବିଜୟ ୭୦୦ ଅନୁଚରମାନଙ୍କ ସଙ୍ଗେ ସିଂହଳରେ ପହଞ୍ଚିଲେ। ବିଜୟଙ୍କ ଧର୍ମ ଉପରେ ସିଂହଳ ଇତିହାସରୁ ଜଣାପଡ଼େ ସେ ବ୍ରାହ୍ମଣବାଦରେ ବିଶ୍ବାସ କରୁଥିଲେ ଓ ତାଙ୍କ ସଙ୍ଗେ ବହୁତ ବ୍ରାହ୍ମଣ ଯାଇଥିଲେ। ହିନ୍ଦୁ ଶବ୍ଦ ସେ ପର୍ଯ୍ୟନ୍ତ ଆସିନଥିଲା।

ବିଜୟଙ୍କ ପରେ ତାଙ୍କ ଭାଇଙ୍କ ପୁତ୍ର ପାଣ୍ଡୁ ବାସୁଦେବ ରାଜା ହେଲେ। ସେ ଭାରତରୁ ଯାଇ ସିଂହଳର ପୂର୍ବ ଉପକୂଳରେ ପହଞ୍ଚିଥିଲେ। ସମ୍ଭବତଃ ସେତେବେଳେ କଳିଙ୍ଗ ଓ ବଂଗରୁ ସିଂହଳକୁ ଅନୁପ୍ରବେଶକାରୀଙ୍କ ଦ୍ବିତୀୟ ଲହର ଥିଲା। ତାଙ୍କ ରାଜଧାନୀ ଉପତିଶାଗମରେ ଥିଲା। ଦକ୍ଷିଣପୂର୍ବରେ ରୋହାନା ବଂଶ ଗଢ଼ି ଉଠିଲା। ତା’ପର ଉଲ୍ଲେଖନୀୟ ସମୟ ହେଲା ଖ୍ରୀପୂର୍ବ ୨୫୦-୨୧୦ ଶାସକ ଥିଲେ ତିଶା। ଅଶୋକ କଳିଙ୍ଗଯୁଦ୍ଧରେ ଧର୍ମାଶୋକରେ ପରିଣତ ହେଲେ ଓ ତାଙ୍କ ପୁତ୍ର (ଭ୍ରାତା) ମହେନ୍ଦ୍ରଙ୍କୁ ସଂିହଳ ପଠାଇଲେ। ମହେନ୍ଦ୍ରଙ୍କ ପ୍ରଭାବରେ ତିଶା ବୌଦ୍ଧଧର୍ମ ଗ୍ରହଣ କରି ଦେବାନାଂ ପ୍ରିୟ ତିଶା ରୂପେ ପରିଚିତ ହେଲେ। ଦ୍ବୀପରେ ବୌଦ୍ଧଧର୍ମ ପ୍ରସାର ହେଲା। ସଂଘମିତ୍ରା ସିଂହଳ ଯାଇ ଭିକ୍ଷୁଣୀ ସଂଘ ଓ ପ୍ରଶିକ୍ଷଣ ବ୍ୟବସ୍ଥା କଲେ। ଅଶୋକ ବୋଧିଦ୍ରୁମର ଏକ ଶାଖା ତିଶାଙ୍କ ପାଖକୁ ପଠାଇଥିଲେ। ଏ ସମୟରେ ପାଟଳୀପୁତ୍ର ଓ ସିଂହଳ ମଧ୍ୟରେ ଘନିଷ୍ଠ ସମ୍ପର୍କ ଥିଲା।

ସେତେବେଳେ ଦକ୍ଷିଣ ଭାରତରୁ ତାମିଲମାନେ ସିଂହଳକୁ ଆସିଲେ ବ୍ୟବସାୟ ଓ ବାଣିଜ୍ୟ କରିବାପାଇଁ। ସେମାନଙ୍କ ପାଇଁ ଉତ୍ତରରେ ଅବସ୍ଥିତ ଜାଫନା ବସତି ସ୍ଥାପନ ପାଇଁ ସୁବିଧା ଥିଲା। ଏଲାରା ନାମକ ଏକ ପ୍ରଭାବଶାଳୀ ବ୍ୟକ୍ତି ଆଉ ଦକ୍ଷିଣକୁ ଅଗ୍ରସର ହୋଇ ଅନୁରାଧାପୁରରେ ନିଜକୁ ଶାସକ ଘୋଷଣା କରି ୪୦ ବର୍ଷ ରାଜତ୍ବ କଲେ। ଏହା ଖ୍ରୀପୂ ୧୭୭ ଥିଲା। ନିଶାଙ୍କ ପୁତ୍ର କାଲିଭାସ ଓ ନାତି ଦୁତଗମନି ଏଲାରାଙ୍କୁ ପରାସ୍ତ କରି ଅନୁରାଧାପୁରରେ ରାଜତ୍ବ କଲେ। ଏ ସ୍ଥାନ ପ୍ରାୟ ୧୫୦୦ ବର୍ଷ ପର୍ଯ୍ୟନ୍ତ ସିଂହଳର ରାଜଧାନୀ ଥିଲା। ତିଶାଙ୍କ ବଂଶ ପ୍ରଥମ ଶତାବ୍ଦୀରେ ସମାପ୍ତ ପରେ ଦୁଇଟି କ୍ଷମତାଶାଳୀ ଗୋଷ୍ଠୀ ଲମ୍ବକନ ଓ ମୋରିଆଙ୍କ ମଧ୍ୟରେ ବିବାଦ ଲାଗି ଲମ୍ବକନ ଗୋଷ୍ଠୀର ଭସଭ ଶ୍ରୀ ୬୭ରୁ ରାଜତ୍ବ କରି ତାଙ୍କ ବଂଶ ୪୨୮ ପର୍ଯ୍ୟନ୍ତ କ୍ଷମତାରେ ରହିଲେ।

ଦୀର୍ଘ ୧୫୦୦ ବର୍ଷ ରାଜଧାନୀ ରୂପେ ରହି ଅନୁରାଧାପୁର ଏସିଆରେ ଏକ ପ୍ରସିଦ୍ଧ ନଗର ରୂପେ ଗଢ଼ି ଉଠିଥିଲା। ବିଭିନ୍ନ କୀର୍ତ୍ତିରାଜି ଛଡ଼ା ସଂିହଳରେ ଜଳସେଚନର ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ବନ୍ଧ, ଆନିକଟ ଆଦି ନିର୍ମାଣ କରି ଏ ଅଞ୍ଚଳ ସମୃଦ୍ଧଶାଳୀ ହୋଇ ପାରିଥିଲା। ଅନୁରାଧାପୁର ଜଳସେଚନ ସଭ୍ୟତା ବା ଇରିଗେସନ ସିଭିଲାଇଜେସନ ରୂପେ ଖ୍ୟାତି ଲାଭ କରିଥିଲା। ଦକ୍ଷିଣରେ ରୋହାନାକୁ ଅଧିକାର କରିବାରେ ଚୋଳ ରାଜା ବିଫଳ ହେଲେ ଓ ରୋହାନାର ରାଜା ବିଜୟବାହୁ ଚୋଳବଂଶକୁ ବିତାଡ଼ିତ କରି ରାଜାହେଲେ ୧୦୫୫ ଖ୍ରୀଷ୍ଟାବ୍ଦରେ ୬୦ବର୍ଷ ରାଜତ୍ବ କରି ଯଶସ୍ବୀ ଶାସକ ହୋଇ ପାରିଥିଲେ। ତାଙ୍କ ପରେ ପରାକ୍ରମବାହୁ ୧ କ୍ଷମତାକୁ ଆସି ୧୧୫୩ରୁ ୧୧୮୬ ପର୍ଯ୍ୟନ୍ତ ରାଜତ୍ବ କଲେ। ତାଙ୍କ ପରେ କଳିଙ୍ଗ ରାଜବଂଶର ନିଶଙ୍କ ମଲ୍ଲ ୧୧୮୭ରୁ ୧୧୯୬ ପର୍ଯ୍ୟନ୍ତ ରାଜତ୍ବ କଲେ। ନିଶଙ୍କ ମଲ୍ଲ ନିଜକୁ ବିଜୟଙ୍କ ବଂଶଜ ବୋଲି ଦାବି କରୁଥିଲେ, ଯାହା ସିଂହଳ ଇତିହାସରେ ସ୍ବୀକାର୍ଯ୍ୟ ନୁହେଁ, କିନ୍ତୁ ଏହି ତିନିଜଣ ରାଜା ପୋଲୋନାରୁଭାରେ ପ୍ରସିଦ୍ଧ ଥିଲେ। ତାଙ୍କ ପରେ ସିଂହଳର ରାଜବଂଶମାନଙ୍କ ପତନ ହେଲା, ବିଭିନ୍ନ ଗୋଷ୍ଠୀ ବିଭିନ୍ନ ଅଞ୍ଚଳରେ ନିଜ ପ୍ରଭୁତ୍ବ ବିସ୍ତାର କଲେ। ତା’ପର ଇତିହାସ ଭାରତ ଇତିହାସ ପରି; ପର୍ତ୍ତୁଗୀଜ ଆସିଲେ, ଡଚ ଆସିଲେ ପ୍ରଥମେ ବାଣିଜ୍ୟ ପାଇଁ ଓ ତାପରେ କ୍ଷମତା ଦଖଲ କଲେ। ଇଂରେଜମାନେ ଆସିଲେ ଓ ୧୮୦୨ ସୁଦ୍ଧା ସିଂହଳକୁ ବ୍ରିଟିଶ ଉପନିବେଶର ଅଂଶ କଲେ। ବ୍ରିଟିଶ ସାମ୍ରାଜ୍ୟରେ ଭାରତକୁ ମିଶାଇ ଯେତିକି ଦେଶ ଥିଲା, ସିଂହଳରେ ପ୍ରଥମେ ସୀମିତ ଜନପ୍ରତିନିଧି ସରକାର ୧୮୪୦ବେଳକୁ ଗଠିତ ହେଲା। ଭାରତ ସ୍ବାଧୀନତା ସଂଗ୍ରାମରେ ଆନ୍ଦୋଳନ ହିଂସାକାଣ୍ଡ ଓ ଅନ୍ୟାନ୍ୟ ଦୁର୍ଭାଗ୍ୟଜନକ ଘଟଣା ଘଟିଥିଲାବେଳେ ସିଂହଳ ୧୯୪୮ରେ ସୁରୁଖୁରୁରେ ସ୍ବାଧୀନତା ପାଇଲା। ଦକ୍ଷିଣ ଏସିଆରେ ଏହା ବିକାଶର ଅଗ୍ରଭାଗରେ।

ଭାରତ ବିନା ସିଂହଳ ଇତିହାସର ଅସ୍ତିତ୍ବ ନାହିଁ। ସମ୍ବନ୍ଧ ଏତେ ଘନିଷ୍ଠ ଓ ନିବିଡ଼; କିନ୍ତୁ ବର୍ତ୍ତମାନ ଏ ଦେଶର ପରମମିତ୍ର ଚୀନ। ଭାରତର ଚତୁର୍ଦିଗରେ ଚୀନ ଏକ ପ୍ରଭାବଶାଳୀ ବଳୟ ସୃଷ୍ଟି କଲାଣି। ଆମ ଦେଶର ନେତା ଓ କୂଟନୀତିଜ୍ଞମାନେ ଏଥିପାଇଁ ପ୍ରସ୍ତୁତ ଥିବେ ବୋଲି ଆଶା।

Comments are closed.