ଧର୍ମ -ସଂସ୍କୃତି- ବିଜ୍ଞାନ

ରାମଶଙ୍କର ରଥ

ସଂସ୍କୃତି ଶବ୍ଦଟି କେବଳ ମନୁଷ୍ୟ କ୍ଷେତ୍ରରେ ବିଚାରଯୋଗ୍ୟ, ଅନ୍ୟ ପ୍ରାଣୀଙ୍କ କ୍ଷେତ୍ରରେ ନୁହେଁ। ମନୁଷ୍ୟର ଆଚରଣ ଓ ସ୍ବଭାବରେ ଉନ୍ନତି ଆଣି ତାହାର ଚରିତ୍ର ଓ ବିଚାର ଧାରାକୁ ଏହା ବିକଶିତ କରିଥାଏ। ବ୍ୟକ୍ତି ଓ ଗୋଷ୍ଠୀ ସ୍ତରରେ ଏକଚାଟିଆ ପଣରୁ ହେଉ ଅଥବା ଉଚ୍ଚକୁଳରେ ଜାତ ମିଥ୍ୟା ଅଭିମାନ ଆଣିଦେଇଥିବା ଅସହିଷ୍ଣୁତା, ସଂକୀର୍ଣ୍ଣତା ଓ ଅନମନୀୟତା ଯୋଗୁଁ ହେଉ ସଂସ୍କୃତିର ଉଲ୍ଲିଖିତ ବିକାଶର ଧାରା ବ୍ୟାହତ ହୋଇଥାଏ। ସଂସ୍କୃତି ମୂଳତଃ ଏକ ସୁସ୍ଥ ମାନସିକ ଓ ଆଧ୍ୟାତ୍ମିକ ଭାବର ପ୍ରତିଫଳନ ଅଟେ। ଉଚ୍ଚବଂଶରେ ଜନ୍ମ ନେବାର ଉତ୍ତାରାଧିକାର ପରମ୍ପରା ଉତ୍ତରାଧିକାରୀକୁ ଦୁର୍ବିନୀତ ଓ ଅହଂକାରୀ କରିବାର ଅଧିକ ସମ୍ଭାବନା ଥିଲାବେଳେ ଉତ୍ତମ ସଂସ୍କୃତିର ଅଧିକାରୀ ବ୍ୟକ୍ତି ସାଧାରଣତଃ ନମନୀୟ, ଶିଷ୍ଟ ଓ ସୃଜନଶୀଳ ହୋଇଥାନ୍ତି। ଯଥାର୍ଥ ଶିକ୍ଷା ସଂସ୍କୃତିର ଉଲ୍ଲିଖିତ ଗୁଣଗୁଡ଼ିକୁ ମାର୍ଜିତ ରୂପରେ ବିକଶିତ କରିବାରେ ସହାୟକ ହୋଇଥାଏ। ସୃଜନଶୀଳତା ଓ ସଂପ୍ରସାରଣ ସଂସ୍କୃତିର ଦୁଇଟି ବିଶିଷ୍ଟ ଦିଗ ଅଟନ୍ତି। ଏ ଗୁଡ଼ିକ ମୂଳତଃ ଆଧ୍ୟାତ୍ମିକ ଅଟନ୍ତି ଶାରୀରିକ ନୁହନ୍ତି।

ଧର୍ମ ଓ ଜନ୍ମଗତ ଆଭିଜାତ୍ୟ ସଙ୍ଗେ ସମ୍ପର୍କ ଯୋଡ଼ି ସଂସ୍କୃତି ସମ୍ପର୍କରେ ଯେଉଁ ଭୁଲ୍‌ ଧାରଣା ଦେବାର ଏକ ଅପଚେଷ୍ଟା ଅନେକ ସମୟରେ କରାଯାଇଥାଏ ତାହାର କୌଣସି ବୈଜ୍ଞାନିକ ଭିତ୍ତିନାହିଁ। ଧର୍ମ ତଥା ସଂସ୍କୃତି ବିଷୟରେ ଅଜ୍ଞ ବ୍ୟକ୍ତିମାନଙ୍କର ଏହି ପ୍ରଚେଷ୍ଟା ସମାଜର ଆଧ୍ୟାତ୍ମିକ ବିକାଶ ପଥରେ ଅନେକ ଅନ୍ତରାୟ ସୃଷ୍ଟି କରିଥାଏ। ସଂସ୍କୃତି କେବେହେଲେ ଶାରୀରିକ ଗୁଣସୂତ୍ର କିମ୍ବା ବଂଶଗତ ଆଭିଜାତ୍ୟ ମଧ୍ୟରୁ ଜନ୍ମ ନେଇ ନଥାଏ। ଅନୁକୂଳ ମନସ୍ତାତ୍ତ୍ବିକ ଓ ସାମାଜିକ ବେଷ୍ଟନୀ ମଧ୍ୟରେ ଏହା ଠିକ୍‌ ରୂପେ ବିକାଶ ଲାଭ କରିବାର ଅଧିକ ସମ୍ଭାବନା ଥାଏ। ବୈଜ୍ଞାନିକ ଜୁଲିଏନ ହକ୍‌ସଲି କହିଛନ୍ତି ଜୀବକୋଷିକା ଗୁଡ଼ିକ ନିଜ ଭଳି ଅନ୍ୟ କୋଷିକାଗୁଡ଼ିକ ସୃଷ୍ଟି କରି ପ୍ରାଣୀ ଗୋଷ୍ଠୀଙ୍କ ସଂପ୍ରସାରଣ ପ୍ରକ୍ରିୟାରେ ଯେପରି କରିଥାନ୍ତି ଠିକ୍‌ ସେହି ପ୍ରକ୍ରିୟାରେ ହିଁ ସଂସ୍କୃତି କାର୍ଯ୍ୟ କରିଥାଏ। ତେବେ ଜୀବକୋଷିକାର କାର୍ଯ୍ୟକ୍ଷେତ୍ର ପ୍ରାଣୀର ଶରୀର ହୋଇଥିଲାବେଳେ ସଂସ୍କୃତି ମନୁଷ୍ୟର ମନ କ୍ଷେତ୍ରରେ କାର୍ଯ୍ୟ କରିଥାଏ। ପୁଣି ପ୍ରଥମଟି ବିବର୍ତ୍ତନର ପ୍ରଥମ ଅଧ୍ୟାୟ ହୋଇଥିଲା ବେଳେ ଦ୍ବିତୀୟଟି ବିବର୍ତ୍ତନର ଦ୍ବିତୀୟ ଓ ଅସଲ ଅଧ୍ୟାୟ ଅଟେ। ଏହା ଚିନ୍ତା ଓ ବାକ୍‌ଶକ୍ତିର ଆଧାରରେ ଆଧ୍ୟାତ୍ମିକ ତଥା ମାନସିକ ସ୍ତରରେ ବିବର୍ତ୍ତନ ସୁଯୋଗ ସୃଷ୍ଟି କରିଥାଏ। ଶାରୀରିକ ସ୍ତରରେ ବିବର୍ତ୍ତନର ଧାରା ସଂପୂର୍ଣ୍ଣ ହେଲା ପରେ ହିଁ ମାନସିକ ସ୍ତରରେ ଜ୍ଞାନ, ଚିନ୍ତାଧାରା ଓ ବିଶ୍ବାସର ବିକାଶ ମାଧ୍ୟମରେ ଏହା ଆରମ୍ଭ ହୋଇ ବର୍ତ୍ତମାନ ମନୁଷ୍ୟର ଅନ୍ତର ମଧ୍ୟରେ ଚାଲିଚି ବୋଲି ଆମେ ଅନୁଭବ କରୁଛେ।

‘ଇଭୋଲ୍ୟୁସନ୍‌ ଆଫ୍‌ଟର ଡାରୱିନ୍’ ଗ୍ରନ୍ଥରେ ଜୁଲିଏନ ହକ୍‌ସଲି ଲେଖିଛନ୍ତି ମନୁଷ୍ୟଠା‌‌େ‌ର ଗୁଣସୂତ୍ରଗୁଡ଼ିକର ଆନ୍ତଃବିନ୍ୟାସ, ବଛାବଛି ତଥା ରୂପାନ୍ତରଣ ପ୍ରକ୍ରିୟାଗୁଡ଼ିକ ଯୋଗୁଁ ଇନ୍ଦ୍ରିୟଗୁଡ଼ିକରେ ବିବର୍ତ୍ତନ ଦେଖାଦେଇଥାଆନ୍ତି; କିନ୍ତୁ ତତ୍‌ସଙ୍ଗେ ସମାନ୍ତରାଳ ଭାବେ ସାଂସ୍କୃତିକ ବିବର୍ତ୍ତନ ପ୍ରକ୍ରିୟା ବି କାର୍ଯ୍ୟ କରୁଥାଏ। ତେବେ ଏ ଦୁଇଟି ମଧ୍ୟରେ ଦ୍ବିତୀୟ ପ୍ରକାର ବିବର୍ତ୍ତନଟି ଅଧିକ ଫଳପ୍ରଦ ଓ ପ୍ରଭାବଶାଳୀ ମନେ ହୋଇଥାଏ। ଏହାରି ଆଧାରରେ ସଂସ୍କୃତିଗୁଡ଼ିକ ମଧ୍ୟରେ ବୈଷମ୍ୟ ଥିଲେ ମଧ୍ୟ ସେମାନଙ୍କର ଭାବନା, କୌଶଳ ଓ ଅନୁଷ୍ଠାନଗୁଡ଼ିକୁ ନେଇ ଇଚ୍ଛାନୁରୂପ ଅନ୍ତଃବିନ୍ୟାସ ସମ୍ଭବପର ହୋଇଥାଏ।

ଇନ୍ଦ୍ରିୟଗତ ପରିବର୍ତ୍ତନ ଜନିତ ସଂସ୍କୃତିରୂପରେ ବିବର୍ତ୍ତନ ମନୁଷ୍ୟ ସମେତ ଅନ୍ୟ ପ୍ରାଣୀ କ୍ଷେତ୍ରରେ ମଧ୍ୟ ସେମାନଙ୍କ ଶାରୀରିକ ମିଳନ ଯୋଗୁଁ ଘଟିଥାଏ। ବାସସ୍ଥଳୀଗୁଡ଼ିକର ନିକଟତା ଭଳି ଭୌଗୋଳିକ ଓ ପରିବେଶଗତ କାରଣ ଗୁଡ଼ିକ ଏଥିପାଇଁ ଦାୟୀ ଅଟନ୍ତି। ଏ ପ୍ରକାର ବିବର୍ତ୍ତନ ବହୁକାଳ ଧରି ପୃଥିବୀ ପୃଷ୍ଠରେ ଚାଲିଅାସିଛି; କିନ୍ତୁ ‘ସାଂସ୍କୃତିକ ବିବର୍ତ୍ତନ’ ନାମଟି ଅପେକ୍ଷାକୃତ ଏକ ନୂତନ ନାମକରଣ ଅଟେ। ବିଭିନ୍ନ ଧରଣର ସଂସ୍କୃତି ମଧ୍ୟରେ ଆନ୍ତଃ ସମ୍ପର୍କ ଘଟିଲେ ସାଂସ୍କୃତିକ ବିବର୍ତ୍ତନ ପ୍ରକ୍ରିୟାଟି ତ୍ବରାନ୍ବିତ ହୋଇଥାଏ। ସଂସ୍କୃତିଗୁଡ଼ିକ ସାଧାରଣତଃ ଭିନ୍ନ ଭିନ୍ନ ଅଞ୍ଚଳରେ ପରସ୍ପରଠାରୁ ଅଲଗାଅଲଗା ପରିବେଶ ଭିତରେ ଜନ୍ମ ନେଇଥାନ୍ତି। ପରସ୍ପର ସମ୍ପର୍କରେ ଆସିବା ପୂର୍ବରୁ ସେମାନେ ପ୍ରତ୍ୟେ​‌େ​‌କ ନିଜକୁ ଅନ୍ୟଠାରୁ ଶ୍ରେଷ୍ଠତର ମନେ କରି ନିଜ ଢ଼ଙ୍ଗରେ ବିକଶିତ ହେବାରେ ଲାଗିଥାନ୍ତି। ମୁଖ୍ୟତଃ ବାଣିଜ୍ୟିକ ସମ୍ପର୍କ ଏହି ଆନ୍ତଃ ସଂସ୍କୃତି ବିନିମୟ ପାଇଁ ଅଧିକ ସୁଯୋଗ ସୃଷ୍ଟି କରିଥାଏ। ଏହା ଫଳରେ ସେମାନଙ୍କର ବିଚାରଧାରା ଓ ମୂଲ୍ୟବୋଧ ଗୁଡ଼ିକର ସମନ୍ବୟ ଘଟି ଏକ ଉନ୍ନତତର ବିଚାରଧାରା ଓ ମୂଲ୍ୟବୋଧ ଜନ୍ମ ନେଇଥାଏ। ଏହା ହିଁ ସାଂସ୍କୃତିକ ବିବର୍ତ୍ତନର ଯଥାର୍ଥ ମାର୍ଗ ଅଟେ। ଗୋଟିଏ ସଂସ୍କୃତି ଯଦି ନିଜକୁ ଉଚ୍ଚତର ବଂଶପରମ୍ପରା ତଥା ଆଭିଜାତ୍ୟ ସମ୍ପନ୍ନ ମନେକରି ଅନ୍ୟଟି ପ୍ରତି ହେୟ ମନୋଭାବ ପୋଷଣ କରେ ତେବେ ଏହି ଧାରାର ଗତିରୋଧ ହୋଇଥାଏ। ତେବେ ସମୟକ୍ରମେ ଆନ୍ତଃ ସାଂସ୍କୃତିକ ସମ୍ପର୍କର ସ୍ରୋତ ଏହି ଅନ୍ତରାୟକୁ ଅତିକ୍ରମ କରି ଆଗକୁ ମାଡ଼ି ଚାଲିଯାଏ। ଯଦିଚ ପ୍ରାଥମିକ ଅବସ୍ଥାରେ ପରସ୍ପର ମଧ୍ୟରେ ଈର୍ଷା, ଅସହନୀୟତା ଓ ଅହମ୍ମନ୍ୟତା ଭଳି ସହଜାତ ଦୁର୍ଗୁଣଗୁଡ଼ିକ ପ୍ରବାହର ସ୍ବାଭାବିକ ବେଗକୁ ମନ୍ଥର କରିଦେଇଥାନ୍ତି।

ଆଧୁନିକ ମନୁଷ୍ୟର ନିଜର ସାଂସ୍କୃତିକ ଅଥବା ଧାର୍ମିକ ଐତିହ୍ୟ ବିଷୟରେ ବିଶେଷ କିଛି ଜ୍ଞାନ ନଥାଏ କିମ୍ବା ତାହା ଜାଣିବାକୁ ବିଶେଷ ଆଗ୍ରହୀ ବି ନୁହେଁ। ତେବେ ଯେଉଁମାନଙ୍କ ମନରେ ଆଗ୍ରହ ଜନ୍ମେ ସେମାନେ ଜାଣିପାରିବେ ଯେ ଦୁଇଟି ମଧ୍ୟରୁ ଗୋଟିଏ ସଂସ୍କୃତି ବିଷୟରେ ଭଲ ରୂପେ ଧାରଣା ଆସିଲେ ଅନ୍ୟଟି ସହିତ ଭଲ ରୂପରେ ପରିଚିତ ହେବାରେ ବିଶେଷ ଅସୁୁବିଧା ହୋଇ ନଥାଏ। ସଂସ୍କୃତିରୁ ଯେତେ ସବୁ ଉତ୍ତମ ବିଭାଗ ଗୁଡ଼ିକ ଜନ୍ମ ନେଇଛନ୍ତି, ଧର୍ମ ସେଗୁଡ଼ିକରୁ ଅନ୍ୟତମ ଯଦିଚ ଶ୍ରେଷ୍ଠତମ ନୁହେଁ। କିନ୍ତୁ ମନୁଷ୍ୟର ଆଧ୍ୟାତ୍ମିକ ଚେତନାର ଜାଗୃତି ତଥା ଜୀବନରେ ପୂର୍ଣ୍ଣତା ଆଣିବା ଦିଗରେ ଅନ୍ୟଗୁଡ଼ିକ ଅପେକ୍ଷା ଧର୍ମ ହିଁ ଅଧିକ ପ୍ରଭାବ ପକାଇଥାଏ। ଏ ଦୁଇଟି ଗୁଣର ମାନବ ସଂସ୍କୃତିକୁ ଆଗକୁ ନେବାରେ ପ୍ରମୁଖ ଭୂମିକା ଥାଏ। ତେବେ ଏକଥା ମଧ୍ୟ ସତ୍ୟ ଯେ ଅନ୍ତରର ନୀଚ ପ୍ରବୃତ୍ତିଗୁଡ଼ିକର ଇଙ୍ଗିତରେ ଯେତେବେଳେ ଧର୍ମ ଚାଳିତ ହୋଇଥାଏ ସେତେବେଳେ ବ୍ୟକ୍ତିର ସମସ୍ତ ସୁଖ ନଷ୍ଟ ​‌େ​‌ହାଇଯାଏ ତାହାର ବ୍ୟକ୍ତିତ୍ବ କ୍ରମେ ଲୋପ ପାଇଯାଇଥାଏ।

ଧର୍ମ ଓ ସଂସ୍କୃତିକୁ ନେଇ ଭିନ୍ନଭିନ୍ନ ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ ଜାତ ହେବାର ଦେଖାଯାଏ। ଏହା ଦେଖିଲେ ବିସ୍ମିତ ହେବାକୁ ହୁଏ କାରଣ ନିୟମ ଦୃଷ୍ଟିରୁ ସେମାନେ ପାରସ୍ପରିକ ସମ୍ପର୍କକୁ ନିକଟତର ଓ ନିବିଡ଼ତର କରିବାର କଥା। ସଂଘର୍ଷ ସେତେବେଳେ ଉପୁଜେ ଯେତେବେଳେ ଉଭୟେ ଉଦାରତା, କୋମଳତା ଭଳି ନମନୀୟ ଗୁଣଗୁଡ଼ିକୁ ପଛକୁ ଠେଲି ଦେଇ ଲୌହ ପିଣ୍ଡର କଠିନତା ଗୁଣକୁ ଆଦରି ନେଇଥାନ୍ତି ଯାହା ଫଳରେ ହିଂସା ଓ ରକ୍ତପାତ ଘଟି​‌େକବଳ ଅନେକ ଧନଜୀବନ ନଷ୍ଟ ହୋଇନଥାଏ; ଉଭୟ ଗୋଷ୍ଠୀ ମଧ୍ୟରେ ସନ୍ଦେହ, ଘୃଣା ଓ ଉତ୍ତେଜନାର ପରିବେଶ ମଧ୍ୟ ବହୁ କାଳ ଯାଏ ଲାଗି ରହେ।

ଖାଲି ଧର୍ମ ଓ ସଂସ୍କୃତି ନୁହେଁ ବିଜ୍ଞାନର ଅଗ୍ରଗତି ପଥରେ ମଧ୍ୟ ବିଭିନ୍ନ କାରଣର ଦ୍ବନ୍ଦ୍ବ ଓ ପ୍ରତିବନ୍ଧକ ଦେଖାଦେଇ ତାହାର ବିକାଶର ବେଗକୁ ମନ୍ଥର କରିଦିଏ। ସତ୍ୟର ଅନୁସନ୍ଧାନ ପ୍ରକ୍ରିୟା ସର୍ବଦା ଅରଣ୍ୟର ଅଜଣା ରାସ୍ତାରେ ଲକ୍ଷ୍ୟ ଦିଗରେ ଆଗେଇଲା ଭଳି ଏକ କଷ୍ଟକର ବ୍ୟାପାର ହୋଇଥାଏ। ଏ ସବୁ ସତ୍ତ୍ବେ ପ୍ରତିବନ୍ଧକ ଗୁଡ଼ିକୁ ଅତିକ୍ରମ କରି ବିଜ୍ଞାନ ତାହାର ଲକ୍ଷ୍ୟ ପଥରେ ଆଗକୁ ବଢ଼ି ଚାଲିଛି। ତାହାର ଏହି ଜୟଯାତ୍ରା ପଛରେ ଦୃଷ୍ଟିଭଙ୍ଗୀ ହେଲା ପ୍ରମାଣିତ ସିଦ୍ଧାନ୍ତଗୁଡ଼ିକୁ ହିଁ ସତ୍ୟର ମର୍ଯ୍ୟାଦା ଦେଇ ପ୍ରମାଣିତ ନହେବାଯାଏ କୌଣସି ତତ୍ତ୍ବକୁ ସତ୍ୟ ରୂପେ ସ୍ବୀକାର ନ କରିବା। ଏ ପ୍ରକାର ଦୃଷ୍ଟିଭଙ୍ଗୀ କ୍ରମେ ଧର୍ମ ଓ ସଂସ୍କୃତି କ୍ଷେତ୍ରରେ ବି ପ୍ରବେଶ କରିବାରେ ଲାଗିଲାଣି ଏବଂ ସେ କ୍ଷେତ୍ରରେ ଜମି ରହିଥିବା କୁସଂସ୍କାର ଓ ଅନ୍ଧବିଶ୍ବାସଗୁଡ଼ିକୁ ରାସ୍ତାରୁୁ ହଟାଇ ସେମାନଙ୍କୁ ଆଗକୁ ବଢ଼ାଇନେବାରେ ସହାୟକ ହେଲାଣି। ନିଜ ନିଜର ରୁଦ୍ଧ କୋଠରୀଗୁଡ଼ିକର ଅନ୍ଧକାର ମଧ୍ୟରୁ ଆଣି ସେମାନଙ୍କୁ ଖୋଲା ଆକାଶ ତଳର ଆଲୋକ ଦେଖାଇବାରେ ଓ ପରସ୍ପର ପ୍ରତି ଥିବା ଅସହିଷ୍ଣୁତା ଓ ଘୃଣା ଦୂର କରିବାରେ ବିଜ୍ଞାନର ଏହି ଅବଦାନକୁ ଅସ୍ବୀକାର କରିବାର ଉପାୟ ନାହିଁ।

ସଂସ୍କୃତି ଓ ଧର୍ମ ଉଭୟେ ମନୁଷ୍ୟର ଆବେଗକୁ ଗଭୀର ଭାବେ ଆଲୋଚନା କରିଥାନ୍ତି। ଏହି ଆଲୋଚନାକୁ ଠିକ୍‌ ଭାବେ ପରିଚାଳିତ କରିପାରିଲେ ସେମାନଙ୍କର ସମ୍ମିଳିତ ପ୍ରଚେଷ୍ଟା ବଳରେ ସଭ୍ୟତାର ଅଗ୍ରଗତି ପାଇଁ ରାସ୍ତାଟିଏ ସୁନିର୍ଦିଷ୍ଟ ହୁଅନ୍ତା।

Comments are closed.