ମୃତ୍ୟୁର ଭୟ

ଜିତେନ୍ଦ୍ରନାଥ ଗୁରୁ

ସୃଷ୍ଟି ପ୍ରକ୍ରିୟାର ଗତାନୁଗତିକାରେ ଜୀବନର ପ୍ରତିରୂପ ହେଉଛି ଏ ମାନବ ଶରୀର। ଦୁନିଆରେ ଅହରହ ପରିବର୍ତ୍ତନ ଘଟିଚାଲିଛି। ପରିବର୍ତ୍ତନ ସଙ୍ଗେ ମନୁଷ୍ୟ ସହିତ ଚରାଚର ବିଶ୍ୱକୁ ସମ୍ମିଳିତ ହେବାକୁ ପଡ଼େ। ପରିବର୍ତ୍ତନର ସୁଅରେ ଯିଏ ସଫଳତାର ସହିତ ନିଜକୁ ବାହିନେଇ ପାରେ ସେ ତା’ର ସ୍ଥିତିକୁ ସୁଦୃଢ଼ କରିବାରେ ସକ୍ଷମ ହୋଇଥାଏ। ଆମେ ବିବର୍ତ୍ତନବାଦର ତତ୍ତ୍ବରୁ ଅବଗତ ସମୟର ପ୍ରବାହରେ ସବୁଠାରୁ ଶକ୍ତିଶାଳୀ ଜୀବ ଡାଇନୋସର କିପରି ବିଲୁପ୍ତ ହେଲା ନିଜକୁ ପରିସ୍ଥିତି ସହ ଠିକ୍ ଭାବରେ ଲଢ଼େଇ ନକରିପାରିବାରୁ। ଏବେ ମାନବ ସୃଷ୍ଟିର ସବୁଠାରୁ ଶ୍ରେଷ୍ଠ ପ୍ରାଣୀ। ବୁଦ୍ଧି, ବିବେକ ବଳରେ ସବୁପ୍ରକାର ସମସ୍ୟାର ଆକଳନରେ ସମସ୍ତଙ୍କଠାରୁ ଆଗରେ। ହେଲେ ସେ ବି ନିଜର ଶରୀରକୁ ପ୍ରକୃତିର ଚଞ୍ଚଳତା ସହ ସମାନ ତାଳରେ ନେଇନପାରି ବ୍ୟାଧିର ଶିକାର ହୋଇଥାଏ ଏବଂ ଶେଷରେ ତା’ର ବିନାଶ ହୁଏ। ତାହାକୁ ଆମେ ମୃତ୍ୟୁ କହୁଁ। ଆମର ଶାସ୍ତ୍ର କହେ ଶରୀର ସିନା ଶୀର୍ଣ୍ଣ ହୋଇ ପଞ୍ଚଭୂତରେ ବିଲୀନ ହୋଇଯାଏ ହେଲେ ଅନ୍ତରସ୍ଥ ଆତ୍ମାର ବିନାଶ ଘଟେନାହିଁ, ତା’ର ନବଜନ୍ମ ହୁଏ ଆଉ ଏକ ରୂପରେ ଅନ୍ୟ ଏକ ଶରୀରରେ। ଏହି ନୂତନ ରୂପାନ୍ତରଣ ନିମିତ୍ତ ମୃତ୍ୟୁ ଅବଶ୍ୟମ୍ଭାବୀ।

ଜୀବନର ବାହ୍ୟାଡ଼ମ୍ବର ପ୍ରଭୂତ ମାତ୍ରାରେ ମଣିଷକୁ ପ୍ରଭାବିତ କରେ। ତଦ୍ଦ୍ବାରା ସେମାନେ ନିଜ ଅସଲ ପ୍ରକୃତିରୁ ଓହରି ଯାଆନ୍ତି। ସାଂସାରିକ ଘାତ ପ୍ରତିଘାତର ସମ୍ମୁଖୀନ ହୋଇନପାରି ଅନେକେ ଜୀବନ ପ୍ରତି ବୀତସ୍ପୃହ ହୋଇପଡ଼ନ୍ତି। ଯେଉଁମାନେ ଆତ୍ମବିଶ୍ବାସୀ, ପ୍ରଭୁ-ଅନୁରକ୍ତ ସେମାନେ ସ୍ଥିର ରହନ୍ତି। ସେମାନେ ନୀତି ନିୟମ ପାଳନ କରି ସ୍ବକର୍ମରେ ପ୍ରବୃତ୍ତ ରହନ୍ତି ଶରୀରର ବିନାଶ ପ୍ରତି ଧ୍ୟାନ ନଦେଇ। ବଞ୍ଚି ରହିବାର ଆତୁରତା ସେମାନଙ୍କଠାରେ ଥାଏ, ଯେଉଁମାନେ ସଂସାରକୁ ସୁଖ ସାଧନର ମାଧ୍ୟମ ମନେ କରନ୍ତି। ଶରୀରକୁ ସୃଷ୍ଟିର ସାଧନ ହିସାବରେ ନନେଇ ଭୋଗ୍ୟ ହିସାବରେ ନିଅନ୍ତି। ମୃତ୍ୟୁର ଭୟ ବିଶେଷକରି ଏମାନଙ୍କ ହିଁ ଥାଏ। ମୃତ୍ୟୁଭୟରୁ ନିଷ୍କୃତିର ଉପାୟ କ’ଣ? ମନେରଖିବାକୁ ହେବ ଜୀବନର ବିନାଶ ନାହିଁ, ଜୀବନର ବିପରୀତ ମୃତ୍ୟୁ ନୁହେଁ, କେବଳ ଏକ ଅବସ୍ଥା ମାତ୍ର। ମୃତ୍ୟୁ ଆକାରର ଅନ୍ତ, ଶରୀରର ଶେଷାବସ୍ଥା। ଚେତନାର ବିକାଶ କେବଳ ଜଣକୁ ମୃତ୍ୟୁର ଭୟରୁ ରକ୍ଷା କରିପାରିବ। ମୃତ୍ୟୁ ଜୀବନର ଶୃଙ୍ଖଳା – ଯେମିତି ସୁଖ ସଙ୍ଗେ ଦୁଃଖର ସ୍ଥିତି। ସଂସାର ପ୍ରତି ଆସକ୍ତି ଏହି ସତ୍ୟତାକୁ ହୃଦୟଙ୍ଗମ କରିବାରେ ବାଧକ ସାଜେ। ସ୍ଥାନାନ୍ତରଣ ପାଇଁ ପୂର୍ବ ପ୍ରସ୍ତୁତି ଭଳି ମୃତ୍ୟୁର ଯାତ୍ରା ନିମିତ୍ତ ଜାଗୃତି ଅତ୍ୟାବଶ୍ୟକ। ସ୍ବଚିତ୍ତରେ ପ୍ରତ୍ୟୟ ଆଣିବାକୁ ହେବ ଏହା ବିନାଶ ଆଡକୁ ଯାତ୍ରା ନୁହେଁ, ବରଂ ଏହା ହେଉଛି ନବୀନ ରୂପାନ୍ତରଣର ଯାତ୍ରା। ଜନ୍ମର ସମୟକୁ ନେଇ ଯେପରି ଆମେ ଅନଭିଜ୍ଞ ଥିଲେ ସେପରି ମୃତ୍ୟୁର ଆଗମନ କେବେ ହେବ ଆମେ କହିପାରିବା ନାହିଁ। ସେଥିପାଇଁ ଏତେ ଅନୁଶୋଚନା କାହିଁକି, ଉଦ୍‌ବେଗ କେଉଁଥି ପାଇଁ? ବିଧାତା ଅଛନ୍ତି ସେ ସ୍ଥିତିର ବିଧାନ ନିମିତ୍ତ। ତାହାକୁ ନିର୍ଭୀକ ଭାବରେ ସାନନ୍ଦେ ସ୍ବୀକାର କାହିଁକି ନକରିବା! କାହିଁକି ବା ମୃତ୍ୟୁକୁ ନେଇ ଅହରହ ଅସ୍ତବ୍ୟସ୍ତ ହେଉଥିବା! ଅରବିନ୍ଦ ଆଶ୍ରମର ଶ୍ରୀମା ଠିକ୍ କହିଛନ୍ତି, “ଜଣେ ମୃତ୍ୟୁ ଆଡ଼କୁ ଦୃଷ୍ଟିଦେବା କଥା ନୁହଁ, ମରିବାର ଅଭିଳାଷ ପୋଷଣ କରିବା କଥା ନୁହଁ। କେବେବି ଭୟ କରିବା କଥା ନୁହଁ ମୃତ୍ୟୁକୁ ଏବଂ ଯେମିତି ପରିସ୍ଥିତି ହେଉପଛେ ଇଚ୍ଛାଶକ୍ତି ଥିବା କଥା ଆଗକୁ ଆଗକୁ ଅଗ୍ରସର ହେବାର।” ଉପନିଷଦର ବାଣୀ ହେଉଛି, “ମନୁଷ୍ୟ ମରେ କାହିଁକି ନା ସେ ନିଜକୁ ନିଜେ ଜାଣିପାରୁନି। ଯେଉଁଦିନ ସେ ନିଜକୁ ନିଜେ ଜାଣିଯିବ, ଏଇଟା କେବଳ ମୃତ୍ୟୁ ଯିଏ ମରିବ।” ମାର୍କ ଟ୍ବେନ କହିଛନ୍ତି, “ମୁଁ ମୃତ୍ୟୁକୁ ଭୟ କରେନା। ଜନ୍ମ ହେବା ପୂର୍ବରୁ ଶହଶହକୋଟି ବର୍ଷ ମୁଁ ମରିସାରିଛି। ଅଥଚ ଅଣୁମାତ୍ର ସାମାନ୍ୟ ଅସୁବିଧାର କଷ୍ଟ ଏଥିପାଇଁ ଭୋଗ କରିନାହିଁ।”

ଏଇଟା ମଧ୍ୟ ସତ୍ୟ ନିଜର ଅନ୍ତରଙ୍ଗ ଜଣେ ସଂସାରରୁ ବିଦାୟ ନେଲେ ବିଚଳିତ ହେବା ସ୍ବାଭାବିକ। ରାମକୃଷ୍ଣ ପରମହଂସଙ୍କର ସମୟର ଘଟଣା। ନିଜର ଏକମାତ୍ର ପୁଅର ଅସମୟ ମୃତ୍ୟୁପରେ ଦୁଃଖର ପ୍ରଶମନ ପାଇଁ ମଣି ମଲ୍ଲିକ ତାଙ୍କ ଗୁରୁ ରାମକୃଷ୍ଣ ପରମହଂସଙ୍କ ନିକଟରେ ଉପସ୍ଥିତ। ଅସହାୟ ବାପାର କାରୁଣ୍ୟରେ ରାମକୃଷ୍ଣ ନିର୍ବାକ। ଘେରିରହିଥିବା ଶିଷ୍ୟମାନେ ମଣି ମଲ୍ଲିକଙ୍କୁ ସାନ୍ତ୍ବନା ଦେଉଛନ୍ତି ଦର୍ଶନର ତତ୍ତ୍ବରେ ମୃତ୍ୟୁର ନିଶ୍ଚିତତାକୁ ନେଇ। ରାମକୃଷ୍ଣ ହଠାତ୍ ଦିବ୍ୟତାର ଅନୁଭୂତିରେ ଛିଡ଼ା ହୋଇପଡନ୍ତି। ଅନର୍ଗଳ ଭାବରେ ତାଙ୍କର ପାଟିରୁ ଭକ୍ତିଗୀତର ମୂର୍ଚ୍ଛନା ଭାସି ଆସେ ଯା’ର ଅର୍ଥ ହେଉଛି, “ଶସ୍ତ୍ର ଧାରଣ କର, ଶସ୍ତ୍ର ଧାରଣ କର! ହେ ମାନବ! ତୋ ଘର ଉପରେ ମୃତ୍ୟୁ ଚଢ଼ାଉ କରିଛି ଯୁଦ୍ଧର ବିଭୀଷିକା ନେଇ। ବିଶ୍ବାସର ରଥରେ ଆରୋହଣ କର। ଜ୍ଞାନର ତୂଣୀରକୁ ତୋର ବାହୁରେ ବହନ କର। ତୋର ଶକ୍ତିଶାଳୀ ଧନୁ ଉତ୍ତୋଳନ କରି ଦେବୀ ମାଆଙ୍କୁ ସ୍ମରଣ ପୂର୍ବକ ଦିବ୍ୟ ଶର ନିକ୍ଷେପ କର।” କିଛି ସମୟ ପରେ ପ୍ରକୃତିସ୍ଥ ହୋଇ ତାଙ୍କ ଜୀବନରେ ଘଟିଯାଇଥିବା ଦୁଃଖର କଥା ଶୁଣାନ୍ତି। ତାଙ୍କର ଅତ୍ୟଧିକ ପ୍ରିୟ ପୁତୁରାର ମୃତ୍ୟୁ ବେଳର। ଆଶ୍ବସ୍ତ ହେଉଥିଲେ ସେ ଅଧ୍ୟାତ୍ମ ଭାବରେ – ଆତ୍ମା ଶରୀରର ବନ୍ଧନନୁ ମୁକ୍ତି ପାଇ ପରମାତ୍ମା ସହିତ ବିଲୀନ ହେଇଯାଉଛି। ହେଲେ ଶରୀରକୁ ଚିତାରେ ସମର୍ପଣ କରି ଶବବାହକମାନେ ଫେରିଆସିବା ପରେ ଏକାକୀତ୍ବ ଅନୁଭୂତ ହୁଏ। ଅତୀତର ପୁତୁରା ସହ ବିତାଇଥିବା ମଧୁର ସ୍ମୃତି ତାଙ୍କ ହୃଦୟକୁ ବିଦୀର୍ଣ୍ଣ ପକାଏ। ପ୍ରକାଶ କରନ୍ତି “ମୋ ଭଳିଆ ସଂସାରର ମୋହମାୟାକୁ ତ୍ୟାଗ କରିଥିବା ମନୁଷ୍ୟ ଯଦି ଏପରି ସ୍ଥିତିରେ ବିଚଳିତ ହେଇପଡୁଛି, ଅନ୍ୟମାନଙ୍କର ଅବସ୍ଥା କ’ଣ ହେଉନଥିବ!” ସେ ମଣି ମଲ୍ଲିକଙ୍କ ଦୁଃଖରେ ସହଭାଗୀ ହୋଇ ତାଙ୍କୁ ଆଶ୍ୱାସନା ଦିଅନ୍ତି।

ମୃତ୍ୟୁ ସୁନିଶ୍ଚିତ। ଏହାକୁ ସ୍ବାଭାବିକ ଭାବରେ ନେବାକୁ ହେଲେ ଆମକୁ ଆତ୍ମବିଶ୍ବାସୀ ହେବାକୁ ପଡ଼ିବ, ପ୍ରଭୁବିଶ୍ବାସୀ ହେବାକୁ ହେବ, ନିଜ ସୁକୃତ ପ୍ରତି ସଚେତନ ହେବାକୁ ହେବ। କ୍ଷଣଶୀଳ ଦୁନିଆର କ୍ଷଣଜନ୍ମା ପ୍ରବୃତ୍ତିକୁ ଭେଦକରି ମୃତ୍ୟୁଞ୍ଜୟୀ ହେବାର ଦୃଢ଼ ସଂକଳ୍ପ ହିଁ ଆମକୁ ମୃତ୍ୟୁର କରାଳ ଭୟରୁ ନିବୃତ୍ତ କରିପାରିବ।

Comments are closed.