ଭାରତରେ ଅସମାନତା

ଶକ୍ତି ପ୍ରସାଦ ଦାସ

ଭାରତ ଭଳି ଏକ ବହୁସ୍ତରୀୟ ଓ ବହୁସଂସ୍କୃତିର ଦେଶରେ ଅସମାନତା ଓ ଦାରିଦ୍ର୍ୟ ଜୀବନର ଏକ ଅଙ୍ଗଭଳି ସବୁବେଳେ ରହିଆସିଛି। ସାମାଜିକ, ରାଜନୈତିକ ଓ ସାଂସ୍କୃତିକ ଅସମାନତା ସମାଜରେ ଗତିଶୀଳତାକୁ ବାଟବଣା କରିଛି। କିଛି ଲୋକଙ୍କ ହାତରେ ଅଧିକ ସମ୍ପତ୍ତି ଠୁଳ ହେବାରୁ ଅସମାନତା ସୃଷ୍ଟି ହୋଇଛି, ଯାହା ଆର୍ଥିକ ସ୍ଥିରତା ଉପରେ ପ୍ରଭାବ ପକାଇବା ସହ ସାମାଜିକ ନ୍ୟାୟର ଆଦର୍ଶକୁ ଆହ୍ୱାନ କରୁଛି ଓ ସାମାଜିକ ଏକତାକୁ କ୍ଷୁଣ୍ଣ କରୁଛି।

ଅକ୍ସଫାମ ଇଣ୍ଡିଆର ‘ଦି ଇନଇକ୍ୟୁଆଲିଟି ଭାଇରସ୍‍ ରିପୋର୍ଟ-୨୦୨୧’ରେ ଏହାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କହନ୍ତି, ୨୦୨୦ କୋଭିଡ ତାଲାବନ୍ଦ ସମୟରେ ଲକ୍ଷଲକ୍ଷ ଲୋକ ନିଜର ଜରୁରୀ ଆବଶ୍ୟକତାକୁ ପୂରଣ କରିବାପାଇଁ ସଂଘର୍ଷ କରୁଥିବାବେଳେ, ଆର୍ଥିକ ବ୍ୟବସ୍ଥାର ଗଳାବାଟ ଦେଇ, ଭାରତର ଅତି-ଧନୀବର୍ଗ, ଦେଶର ଅତ୍ୟନ୍ତ ଖରାପ ମାନ୍ଦାବସ୍ଥା ଓ ବଡ ଆର୍ଥିକ ସଂକଟ ସମୟରେ, ଅଧିକରୁ ଅଧିକ ସମ୍ପତ୍ତି ଠୁଳ କରିବାରେ ସକ୍ଷମ ହୋଇଛନ୍ତି। ବିବରଣୀର ‘ଡାଭୋସ୍‍ ଇଣ୍ଡିଆ ସପ୍ଲିମେଣ୍ଟ ଶୋ’ର ନିଷ୍କର୍ଷରୁ ଏହା ମଧ୍ୟ ଜଣାଯାଏ ଯେ, ଭାରତୀୟ ଶତକୋଟିପତିଙ୍କ ସମ୍ପତ୍ତିରେ ୩୫ ପ୍ରତିଶତ ବୃଦ୍ଧି ଘଟିଛି। ଜନସଂଖ୍ୟାର ସବୁଠାରୁ ଧନୀ ଏକ ପ୍ରତିଶତଙ୍କ ନିକଟରେ ଦେଶର ସମୁଦାୟ ସମ୍ପତ୍ତିର ୪୨.୫ପ୍ରତିଶତ ସମ୍ପତ୍ତି ରହିଥିବାବେଳେ, ସବୁଠାରୁ ତଳସ୍ତରରୁ ୫୦ ପ୍ରତିଶତଙ୍କ ନିକଟରେ ମାତ୍ର ୨.୮୦ ପ୍ରତିଶତ ସମ୍ପତ୍ତି ରହିଛି ଓ ସାମ୍ପ୍ରତିକ ସମୟରେ ଅସମାନତାର ଏଭଳି ଉଚ୍ଚସ୍ତର ବିଶ୍ୱର ଅନ୍ୟ କୌଣସି ଗଣତାନ୍ତ୍ରିକ ରାଷ୍ଟ୍ରରେ ଦେଖାଯାଉ ନାହିଁ।

ଅବଶ୍ୟ, ଗତ ଦୁଇ ଦଶନ୍ଧି ଧରି ଗାଁଗାଁରେ ବିଦ୍ୟୁତ୍‌କରଣ ହେଲାଣି, ଶୌଚାଳୟ ତିଆରି ହେଲାଣି। ଗ୍ରାମାଞ୍ଚଳ ଓ ବସ୍ତିରୁ ଅନେକ ଶିଶୁ ସ୍କୁଲକୁ ଗଲେଣି।  ବହୁଲୋକେ ମୋବାଇଲ ଫୋନ ବ୍ୟବହାର କଲେଣି। ଦ୍ରୁତ ଆର୍ଥିକ ଅଭିବୃଦ୍ଧି ଦେଶ ଜନସଂଖ୍ୟାର ଏକ ମହତ୍ତ୍ୱପୂର୍ଣ୍ଣ ଭାଗକୁ ଅତ୍ୟଧିକ ଦାରିଦ୍ର୍ୟରୁ ଉପରକୁ ଉଠାଇବାରେ ସକ୍ଷମ ହୋଇଛି; କିନ୍ତୁ କୃଷିକ୍ଷେତ୍ର ହେଉ କିମ୍ବା ନିର୍ମାଣ କ୍ଷେତ୍ର, ଏପରି କି ସେବା କ୍ଷେତ୍ରରେ କାମ କରୁଥିବା ଅଣକୁଶଳୀ ଓ ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ଆର୍ଥିକ ସ୍ଥିତିରେ ସେଭଳି ମହତ୍ତ୍ୱପୂର୍ଣ୍ଣ ପରିବର୍ତ୍ତନ ଆସିଛି କି? ଉତ୍ତର ହେବ, ନା। ଗତ ପନ୍ଦର ବର୍ଷରେ ଦେଶର ପ୍ରକୃତ ଜିଡିପିର ହାରାହାରି ବୃଦ୍ଧି ହାର ୭.୩ ପ୍ରତିଶତ ରହିଥିବାବେଳେ, ଅସମାନତାର ଏହି ଦୁଃଖାବହ ରୂପ ସତରେ ମନକୁ ଆନ୍ଦୋଳିତ କରେ।

ବିକାଶ ଓ ଅସମାନତା ମଧ୍ୟରେ ଥିବା ସମ୍ପର୍କକୁ ବୁଝିବାକୁ ହେବ। ଯନ୍ତ୍ରବତ୍‍ ଚେଷ୍ଟା କଲେ ଅସମାନତାକୁ ହ୍ରାସ କରାଯାଇପାରିବ ନାହିଁ। କେବଳ ପୁନଃବଣ୍ଟନ ନୀତି ଯେପରିକି, ସମ୍ପତ୍ତି-କର, ଉତ୍ତରାଧିକାର ସମ୍ପତ୍ତି-କର, ପୁଞ୍ଜିଲାଭ-କର ଇତ୍ୟାଦି ଜରିଆରେ ପାଣ୍ଠି ଯୋଗାଡ କରି ବଞ୍ଚିତ ପିଛାରେ ଖର୍ଚ୍ଚ କରି କିମ୍ବା ରିଆତି ଆଧାରିତ ଦାରିଦ୍ର୍ୟ ଦୂରୀକରଣ ନୀତି ଆପଣାଇ ଦାରିଦ୍ର୍ୟ ଦୂର କଷ୍ଟକର ହେବ।

୨୦୧୯ରେ ଦେଶର ସମସ୍ତ ଶତକୋଟିପତିଙ୍କ ସମ୍ପତ୍ତି ଭାରତ ଜିଡିପିର ୨୦ ପ୍ରତିଶତ । ସମ୍ପତ୍ତି କର ରାଜସ୍ୱକୁ ଜିଡିପିର ୧୨ ପ୍ରତିଶତ ହିସାବରେ ବିଚାର କଲେ, ଏହା ଆଠ ନିୟୁତ(ଭାରତ ସରକାର, ୨୦୧୯) ଅତି-ଦରିଦ୍ର ଜନସଂଖ୍ୟା ଉପରେ ସେଭଳି ପ୍ରଭାବ ପକାଇପାରିବ ନାହିଁ। ସେହିଭଳି, କେନ୍ଦ୍ରୀୟ ପିଏସୟୁ ଓ ସାର୍ବଜନୀନ ବ୍ୟାଙ୍କରୁ ବିନିବେଶ ଏହି ସମସ୍ୟାର ସ୍ଥାୟୀ ସମାଧାନ ନୁହେଁ। ଏପରି ପୁନଃବଣ୍ଟନ ପ୍ରକ୍ରିୟା କେବଳ ଥରୁଟିଏ କରାଯାଇ ପାରିବ। ଏହା ଛଡା, ଅତ୍ୟଧିକ ସବସିଡି ଅଧାରିତ ନୀତି ଲୋକଙ୍କଠାରୁ ଜୀବନରେ କିଛି ଆରମ୍ଭିକ ପଦକ୍ଷେପ ନେବାର ଉତ୍ସୁକତାକୁ ଛଡ଼ାଇ ନେଉଛି। ସରକାର ଉପରେ ନିର୍ଭର କରିବାର ଏକ ଅପସଂସ୍କୃତି ସୃଷ୍ଟି କରୁଛି। ଦାରିଦ୍ର୍ୟ ଦୂର କରିବାର ଏହିସବୁ ପ୍ରକ୍ରିୟା ପୋଷଣୀୟ ନୁହେଁ।

ପ୍ରଖ୍ୟାତ ଆମେରିକୀୟ ଅର୍ଥନୀତିଜ୍ଞ ସାଇମନ୍ କୁଜନେଟ୍ସ୍ ବ୍ୟାଖ୍ୟା କରନ୍ତି ଯେ ଅଭିବୃଦ୍ଧିର ଲାଭ ଦରିଦ୍ର ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବା ଲାଗି ସମୟ ନିଏ। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହା ଅସମାନତା ଆଡକୁ ନେଇଯାଏ। କାରଣ ବିକାଶ ଯୋଗୁଁ ଆସୁଥିବା ନୂଆନୂଆ ସୁଯୋଗରୁ, ପ୍ରଥମେ ଧନୀଲୋକେ ଲାଭ ଉଠାନ୍ତି। ୧୯୯୦ ଦଶକ ଆରମ୍ଭରେ ପ୍ରାୟ ୪୫ ପ୍ରତିଶତ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ଥିଲେ। ଉଚ୍ଚ ଅଭିବୃଦ୍ଧିର ତିନି ଦଶନ୍ଧି ପରେ, ଏବେ ମଧ୍ୟ ସେଥିରୁ ଅଧାରୁ ଅଧିକ ଲୋକ ସେହିପରି ରହିଛନ୍ତି । ତେଣୁ ଦାରିଦ୍ର୍ୟ ଉପଶମ ପାଇଁ ଅଭିବୃଦ୍ଧି ଆବଶ୍ୟକ, କିନ୍ତୁ ଏହି ବିକଳ୍ପ ଯଥେଷ୍ଟ ନୁହେଁ।

ପ୍ରଶ୍ନ ହେଉଛି, ସମାବେଶୀ ଅଭିବୃଦ୍ଧି ହାସଲ କରିବାପାଇଁ କେଉଁ ନୀତି ଆପଣାଇବାକୁ ହେବ। ସାଇମନ୍ କୁଜନେଟ୍ସ ଯୁକ୍ତି କରନ୍ତି ଯେ, ବିକାଶଶୀଳ  ଦେଶଗୁଡ଼ିକରେ ଅସମାନତା ହେଉଛି ଏକ ଅବସ୍ଥାନ୍ତର ପର୍ଯ୍ୟାୟ। ବିକାଶ ତ୍ବରାନ୍ୱିତ ହେବା ପରେ ଏହା ବଦଳିଯିବ। ପୁଞ୍ଜି ଠୁଳ ହେଲେ, ଶ୍ରମର ଚାହିଦା ବୃଦ୍ଧି ପାଇବ ଏବଂ ପରିଶେଷରେ ‘ହାରାହାରି ମାନବ ପୁଞ୍ଜି’ରେ ଅଧିକ ବିନିଯୋଗକୁ ଉତ୍ସାହିତ କରିବ; ଅର୍ଥାତ୍‍ ଶ୍ରମିକର ଆୟ ବୃଦ୍ଧି ହେବ। ଊର୍ଦ୍ଧ୍ବଗାମୀ ଗତିଶୀଳତା ପାଇଁ ଦ୍ୱାର ଖୋଲିବ।

ଅସଲ ସମସ୍ୟା ରହିଛି ସୁଯୋଗର ଉପଲବ୍ଧତାରେ।  ଅଭିବୃଦ୍ଧିରୁ ସୃଷ୍ଟ ଲାଭର ଅସମ ବଣ୍ଟନ ଓ ଊର୍ଦ୍ଧ୍ବଗାମୀ ଗତିଶୀଳତା ପାଇଁ ଆତ୍ମବିଶ୍ୱାସର ଅଭାବ। ଏହି ସମସ୍ୟା ମୁଖ୍ୟତଃ ଆମର ବିଚାରଧାରା ଯୋଗୁଁ ସଂଗଠିତ ହେଉଛି।  ଦରିଦ୍ର ଭାବରେ ଜନ୍ମ ନେଇଥିବା ଲୋକଟିଏ ସେହି ଦାରିଦ୍ର୍ୟ ମଧ୍ୟରେ ରହିବାକୁ ଲାଗିଛି। ଏମାନଙ୍କ ମଧ୍ୟରୁ ପ୍ରତିଭାବାନ ଲୋକ ସଫଳ ଉଦ୍ୟୋଗୀ ହେବା ଓ ରୋଜଗାର ସୃଷ୍ଟି କରିବା ପରିବର୍ତ୍ତେ, ନିଜ ଜୀବନକୁ ଛୋଟ ବୃତ୍ତିରେ ବିତାଇ ଦେଉଛନ୍ତି। ଦରିଦ୍ର ଲୋକେ ସେମାନଙ୍କ ପିଲାଙ୍କୁ ଭଲ ବିଦ୍ୟାଳୟକୁ ପଠାଇ ପାରୁନାହାନ୍ତି। ପ୍ରତିଭା ଥାଇ ମଧ୍ୟ ଭବିଷ୍ୟତ ଶ୍ରମବଳ ନିଜର ଦକ୍ଷତା ବୃଦ୍ଧି କରିପାରୁନାହାନ୍ତି କିମ୍ବା ନୂଆ ନିବେଶକ ବାହାରିପାରୁ ନାହାନ୍ତି। ତେଣୁ, ରିଆତି ବଦଳରେ ଲୋକଙ୍କୁ ନିଜ ଗୋଡରେ ଛିଡା ହେବା ପାଇଁ ଆବଶ୍ୟକ ସାଧନ, ଯେପରିକି ଶିକ୍ଷା, କୌଶଳ, ପୁଞ୍ଜି ଇତ୍ୟାଦି ଯୋଗାଇବାରେ ସରକାରଙ୍କର ଗୁରୁଦାୟିତ୍ବ ରହିଛି।

ଦରିଦ୍ର ଲୋକଙ୍କୁ ସ୍ୱାସ୍ଥ୍ୟ ଓ ଶିକ୍ଷା ସୁବିଧା ଯୋଗାଇ ଦେବାର ଅଛି। ଯଥେଷ୍ଟ ଟିକସ ରାଜସ୍ୱ ବୃଦ୍ଧି ବିନା ଏହା କାର୍ଯ୍ୟକାରୀ କରିବା ସମ୍ଭବ ନୁହେଁ। ବିଶେଷତଃ, ଧନୀମାନଙ୍କ ପାଇଁ ଟିକସର ପରିସରକୁ ବୃଦ୍ଧି କରିବାର ଅଛି। ଆମର ଗୋଟିଏ ଭୁଲ ଧାରଣା ରହିଛି ଯେ କେବଳ ଧନୀମାନେ ଟିକସ ଦିଅନ୍ତି; କିନ୍ତୁ ପ୍ରତ୍ୟକ୍ଷ ଟିକସ ମୋଟ ରାଜସ୍ୱର କେବଳ ଅଧା ମାତ୍ର। ଅବଶିଷ୍ଟ ପରୋକ୍ଷ ଟିକସ (ଜିଏସଟି, ଏକ୍‌ସାଇଜ୍ ଓ କଷ୍ଟମ୍‌ସ ଇତ୍ୟାଦି)ରୁ ଆସିଥାଏ।  ଆଗାମୀ ୧୦ ବର୍ଷ ପର୍ଯ୍ୟନ୍ତ ସମାଜର ଏକ ପ୍ରତିଶତ ଅତି-ଧନୀ ଲୋକେ ସେମାନଙ୍କ ସମ୍ପତ୍ତି ଉପରେ ମାତ୍ର ୦.୫ ପ୍ରତିଶତ ଅତିରିକ୍ତ ଟିକସ ପୈଠ କଲେ ଶିଶୁ-ଯତ୍ନ , ଶିକ୍ଷା ଓ ସ୍ୱାସ୍ଥ୍ୟ ପରି କ୍ଷେତ୍ରରେ ୧୧୭ ନିୟୁତ ନିଯୁକ୍ତି ସୃଷ୍ଟି ପାଇଁ ଆବଶ୍ୟକ ନିବେଶ ସୃଷ୍ଟି ହୋଇପାରିବ ବୋଲି ଆକଳନ କରାଯାଇଛି।

ଅଧିକନ୍ତୁ, ସମାଜର ଶୀର୍ଷ ଓ ନିମ୍ନ ଭାଗ ଲୋକଙ୍କ ମଧ୍ୟରେ ସମ୍ପତ୍ତି ବଣ୍ଟନରେ ଅସମାନତାର ଉଦ୍‌ବେଗଜନକ ସ୍ଥିତିକୁ ଦେଖି, ସମ୍ପତ୍ତି କର ଉପରେ ଅଧିକ ଗୁରୁତ୍ୱ ଦିଆଯିବାର ଅଛି। ଯେପରିକି, ଉତ୍ତରାଧିକାର-ସମ୍ପତ୍ତି କର ଓ ପୁଞ୍ଜି ଲାଭ କର ଇତ୍ୟାଦି।

ଉତ୍ତରାଧିକାର-ସମ୍ପତ୍ତି କର ସର୍ବଦା ବିତର୍କର ପ୍ରଶ୍ନ ହୋଇ ରହିଆସିଛି। ଜୀବନ ସାରା କଠିନ ପରିଶ୍ରମ କରି ସାଇତି ରଖିଥିବା ମୋଟା ଅଙ୍କର ସମ୍ପତ୍ତିକୁ ନିଜର ସନ୍ତାନସନ୍ତତିଙ୍କୁ ହସ୍ତାନ୍ତର କଲେ ଜଣେ ଟିକସ ଗଣିବ କାହିଁକି? ଆଉ ଏକ ଯୁକ୍ତି ହେଉଛି, ନିଜ ବୁଦ୍ଧିବଳ ଖଟାଇ, ପରିଶ୍ରମଲବ୍ଧ ଅର୍ଥକୁ ଅଭିନବ ଉପାୟରେ ବିନିଯୋଗ କରି, ନ୍ୟାୟପୂର୍ଣ୍ଣ ଢଙ୍ଗରେ ସମ୍ପତ୍ତିକୁ ବହୁଗୁଣିତ କରିଥିବାରୁ, ଏପରି ପ୍ରକ୍ରିୟାରୁ ଜାତ ସମ୍ପତ୍ତି ଉପରେ କର ଦେବା ଗ୍ରହଣୀୟ ନୁହେଁ। ତେଣୁ, ଏକ ପ୍ରଗତିଶୀଳ ଟିକସତନ୍ତ୍ର ଡିଜାଇନ କରିବାକୁ ହେବ, ଯେଉଁଠି ଧନିକ ଶ୍ରେଣୀ ସାଧାରଣ ଶ୍ରେଣୀଙ୍କ ଠାରୁ ଅଧିକ ହାରରେ ଆୟକର ଦେବେ।

କୃଷି ପରି ନିମ୍ନ ଉତ୍ପାଦକତା କ୍ଷେତ୍ରରୁ ଶ୍ରମିକମାନଙ୍କୁ ଉଚ୍ଚ ଉତ୍ପାଦକତା କ୍ଷେତ୍ରକୁ ନେବା ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି। ଆଜି ଗ୍ରାମାଞ୍ଚଳରେ କୃଷି କାର୍ଯ୍ୟକଳାପରୁ ହେଉଥିବା ଆୟ ଚାଷୀର ଜୀବିକା ନିର୍ବାହ ପାଇଁ ଆବଶ୍ୟକ ସର୍ବନିମ୍ନ ଆୟର ହାରାହାରି ୬୦ ପ୍ରତିଶତରେ ରହିଯାଇଛି। ତେଣୁ, କୃଷିରେ ନିୟୋଜିତ ଅର୍ଦ୍ଧେକ ଶ୍ରମିକଙ୍କୁ କୃଷି ଛଡା ଅନ୍ୟ କିଛି ଅତିରିକ୍ତ ବ୍ୟବସାୟ-ବାଣିଜ୍ୟକୁ ଆପଣାଇବାର ରଣନୀତିକୁ ପ୍ରୋତ୍ସାହିତ କରିବାକୁ ପଡିବ।

ଭାରତୀୟ ରାଜନୀତିରେ ଏକ ଅଦ୍ଭୁତ ଅସଙ୍ଗତି ହେଲା, ଅସମାନତାର ବିତର୍କରୁ ଏହା ବିଚ୍ଛିନ୍ନ ହୋଇ ରହିଛି। ମତାଦାତାଙ୍କ ପାଇଁ ଏହା ପ୍ରମୁଖ ପ୍ରସଙ୍ଗ ହେବା କଥା; କିନ୍ତୁ ସେପରି କିଛି ଦେଖାଯାଉନାହିଁ। ଯଦି ଅର୍ଥ ବ୍ୟବସ୍ଥାକୁ ଲୋକଙ୍କ ଖାତିର ନାହିଁ, ତେବେ ରାଜନେତା କାହିଁକି ବ୍ୟସ୍ତ ହେବେ। ଲୋକେ ଅର୍ଥବ୍ୟବସ୍ଥାର ଚିନ୍ତାଜନକ ସମସ୍ୟାଗୁଡିକୁ ଠିକ୍‍ କରିବାକୁ ଦାବି ନ କଲେ ଏହା ସେହିପରି ଚାଲିଥିବ। ଦେଶର ଯୁବଶକ୍ତି ମୋବାଇଲ ଫୋନରେ ଘଣ୍ଟାଘଣ୍ଟା ସମୟ ବରବାଦ ନକରି ଦେଶର ଅସମାନତା ବିଷୟରେ କଥାବାର୍ତ୍ତ ଆରମ୍ଭ କରିବାର ଅଛି।

Comments are closed.