ପାନଶାଳାରେ ଦୁଗ୍ଧସେବନ !

ହରିହର ତ୍ରିପାଠ

ହାମାରୀ କରୋନା ହେତୁ ରାଜ୍ୟରେ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରହିଛି। ସେ ଦୃଷ୍ଟିରୁ ସରକାର ବାଧ୍ୟହୋଇ ଅନ୍‍ଲାଇନ୍‍ ଶିକ୍ଷା ଉପରେ ଗୁରୁତ୍ୱପ୍ରଦାନ କରୁଛନ୍ତି। ମହାବିଦ୍ୟାଳୟଠାରୁ ଆରମ୍ଭ କରି ପ୍ରାଥମିକ ବିଦ୍ୟାଳୟ ପର୍ଯ୍ୟନ୍ତ ସବୁଠାରେ ଏବେ ୟୁ-ଟ୍ୟୁବ୍‍ ଜରିଆରେ ପାଠପଢା ହେଉଛି। ତେବେ ସରକାର ପାଠପଢାଇବା ଲାଗି ୟୁ-ଟ୍ୟୁବ ଭଳି ଏକ ପ୍ଲାଟଫର୍ମକୁ କାହିଁକି ଯେ ବାଛିଲେ ତାହା ଆଦୌ ବୁଝାପଡ଼ୁନି। ଆମର କୋମଳମତି ଛାତ୍ରଛାତ୍ରୀ ତଥା ଛୋଟପିଲାମାନଙ୍କୁ ୟୁ-ଟ୍ୟୁବ ଜରିଆରେ ପାଠପଢିବାକୁ କହିବା ଯାହା, ପିଲାମାନଙ୍କୁ ଯାଇ ମଦଖଟିରେ କ୍ଷୀର ପିଇବାକୁ କହିବା ସେଇଆ।

ତେବେ ଏ ବିଷୟରେ ଅଧିକ କିଛି ଆଲୋଚନା କରିବା ପୂର୍ବରୁ ୟୁଟ୍ୟୁବଟି ବିଷୟରେ ସମ୍ୟକ୍‍ ଧାରଣା ରହିବା ଦରକାର। ୟୁଟ୍ୟୁବ୍‍ର ସୃଷ୍ଟି ୨୦୦୫ ମସିହାରେ ଆମେରିକାରେ। ଏହା ହେଉଛି ଏକ ଅନ୍‍ଲାଇନ୍‍ ଭିଡିଓ ସେୟାରିଂ ଏବଂ ସୋସିଆଲ୍‍ ମିଡିଆ ପ୍ଲାଟଫର୍ମ। ଏହାର ନିର୍ମାତା ହେଲେ ଷ୍ଟିଭ୍‍ ଚେନ୍‍, ଚାଡ୍‍ ହର୍ଲି ଏବଂ ଜାୱେଦ୍‍ କରିମ। ୟୁଟ୍ୟୁବ ଏହାର ଉପଭୋକ୍ତାମାନଙ୍କୁ ଭିଡ଼ିଓ ଦେଖିବା ଓ ନିଜର ଭିଡିଓ ଅପ୍‍ଲୋଡ଼ କରି ସାରା ଦୁନିଆକୁ ଦେଖାଇବାର ସୁଯୋଗ ପ୍ରଦାନ କରିଥାଏ। ଅକ୍ଟୋବର ୨୦୦୬ରେ ବିଶ୍ୱର ସବୁଠାରୁ ବଡ଼ ସର୍ଚ୍ଚ ଇଞ୍ଜିନ ପ୍ଲାଟଫର୍ମ ଗୁଗଲ ୟୁଟ୍ୟୁବକୁ କିଣିନେଲା। ଗୁଗଲ କିଣିନେଲାପରେ ଏହା ଅତ୍ୟନ୍ତ ଲୋକପ୍ରିୟ ହୋଇଗଲା। ସ୍ମାର୍ଟଫୋନ୍‍ର ବିକାଶ ପରେ ୟୁଟ୍ୟୁବର ଲୋକପ୍ରିୟତା ଆହୁରି ବଢିଯାଇଛି।

ୟୁଟ୍ୟୁବର ପରିସର ଅତ୍ୟନ୍ତ ବ୍ୟାପକ। ଏଥିରେ ମ୍ୟୁଜିକ ଭିଡିଓ, ଭିଡିଓ କ୍ଲିପ୍‍, କ୍ଷୁଦ୍ର ଚଳଚ୍ଚିତ୍ର, ଡକ୍ୟୁମେଣ୍ଟାରୀ, ଅଡିଓ ରେକର୍ଡିଂ, ଲାଇଭ୍‍ ଷ୍ଟ୍ରିମିଂ ଭଳି ସେବା ଅତି ଚମତ୍କାରଭାବେ ଉପଲବ୍ଧ ହେଉଥିବାରୁ ଏହା ବର୍ତ୍ତମାନ ଲୋକପ୍ରିୟତାର ଶୀର୍ଷରେ। ସବୁଠାରୁ ବଡ଼କଥା ହେଲା ୟୁଟ୍ୟୁବ ବ୍ୟବହାର ଲାଗି ବିଶେଷକିଛି କରିବାକୁ ହୋଇନଥାଏ। ଜଣକର ଗୁଗଲ ଆକାଉଣ୍ଟ ଥିଲେ ସେ ସହଜରେ ନିଜର ଭିଡିଓ ଦେଖିବା ଏବଂ ଅପଲୋଡ୍‍ କରିବା, ଭିଡିଓ ଉପରେ ମନ୍ତବ୍ୟ ଦେବା, ଭିଡିଓକୁ ପସନ୍ଦ କିମ୍ବା ନାପସନ୍ଦ କରିବା, ‘ପ୍ଲେ ଲିଷ୍ଟ’ ସୃଷ୍ଟି କରିବା ଏବଂ ଅନ୍ୟ ଉପଭୋକ୍ତା ଏବଂ ଚ୍ୟାନେଲଗୁଡିକୁ ‘ସବସ୍କ୍ରାଇବ’ କରିବାକୁ ଅନୁମତି ଦେଇ ଏକ ସାମାଜିକ ନେଟୱାର୍କ ସୃଷ୍ଟି କରିପାରିଥାଏ ଓ ନିଜକୁ ବିଜ୍ଞପିତ କରିବାରେ ସଫଳ ହୋଇପାରିଥାଏ।

ତେବେ ସମସ୍ୟା ହେଉଛି ୟୁଟ୍ୟୁବ ଏକ ମୁକ୍ତ ପ୍ଲାଟଫର୍ମ ହୋଇଥିବାରୁ ଏଥିରେ ବିଶେଷ କିଛି ପ୍ରତିବନ୍ଧକ ନାହିଁ। ଯିଏ ଯେ କୌଣସି ଭିଡ଼ିଓ ଅପ୍‍ଲୋଡ଼ କରିପାରୁଛି। ଗୁଗଲ ଦ୍ୱାରା ଅଶ୍ଳୀଳତାର ଯେଉଁ ମାପଦଣ୍ଡ ତିଆରି କରାଯାଇଛି ତାହା ଆମର ସାମାଜିକ ଓ ସାଂସ୍କୃତିକ ପରିସରରୁ ବହୁଦୂରରେ। ଉଦାହରଣ ସ୍ୱରୂପ ୟୁଟ୍ୟୁବ କେବଳ ଅଶ୍ଳୀଳ ଚିତ୍ର ବା ଯୌନଭିତ୍ତିକ ଦୃଶ୍ୟକୁ କଟକଣା ଲଗାଇବାକୁ ସକ୍ଷମ ହେଉଥିବା ବେଳେ ଯଦି ଜଣେ ଅଶ୍ଳୀଳ କଥାବସ୍ତୁକୁ ଲେଖି ଚିତ୍ର ଆକାରରେ ଅପ୍‍ଲୋଡ଼ କରେ ତାହା ସହଜରେ ପ୍ରସାରିତ ହୋଇଯିବ। ସେହିଭଳି କେବଳ ଇଂରାଜୀ ବ୍ୟତୀତ ଅନ୍ୟଭାଷାର ଖରାପ ବିଷୟବସ୍ତୁକୁ ୟୁଟ୍ୟୁବ ଅଟକାଇ ପାରିନଥାଏ। ଏହା ବ୍ୟତୀତ ୟୁଟ୍ୟୁବରେ ପିଲାମାନଙ୍କୁ ଅଶ୍ଳୀଳ ବିଷୟବସ୍ତୁରୁ ଦୂରରେ ରଖିବା ଲାଗି ଯେଉଁ କଟକଣା ବ୍ୟବସ୍ଥା ରହିଛି ତାହା ଅତ୍ୟନ୍ତ କୋହଳ। ଅଭିଭାବକ ତାଲା ପକାଇଲେ ପିଲାଟିଏ ତାକୁ ସହଜରେ ଖୋଲିପାରିବ !

ୟୁଟ୍ୟୁବ ମନୋରଞ୍ଜନର ଏକ ସମୁଦ୍ର। କହିବାକୁ ଗଲେ ଆଧୁନିକ ଯୁବପିଢି ଲାଗି ଏକ ନୂଆ ନିଶା। ଏଥିରେ ବିଭିନ୍ନ କୌତୁକ ବା ପରିହାସପୂର୍ଣ୍ଣ ଭିଡ଼ିଓ (ଯାହାକୁ କି ପ୍ରାଙ୍କ୍‌ ଭିଡ଼ିଓ କୁହାଯାଉଛି ) ଅପ୍‍ଲୋଡ଼ କରି ବର୍ତ୍ତମାନର ଯୁବପିଢି ପଇସା କମାଇବାର ନିଶାରେ ପାଗଳ ହୋଇଉଠିଛନ୍ତି। ୟୁଟ୍ୟୁବରେ ବର୍ତ୍ତମାନ ୮୦ ପ୍ରତିଶତ ଏମିତି ବିଷୟବସ୍ତୁ ଉପଲବ୍ଧ ଯାହା କଦାପି ଆମର ଛାତ୍ରଛାତ୍ରୀମାନଙ୍କ ଲାଗି ଉପଯୋଗୀ ନୁହେଁ। ଏଭଳି ସ୍ଥିତିରେ ଆମେ ପିଲାମାନଙ୍କୁ ୟୁଟ୍ୟୁବ ଜରିଆରେ ପାଠ ପଢାଇବା କେତେଦୂର ଯୁକ୍ତିଯୁକ୍ତ ତାହା ବିଚାର କରାଯାଇ ପାରେ।

ଆଗରୁ ଅଭିଭାବକମାନେ ପିଲାମାନଙ୍କୁ ମୋବାଇଲ ଦେଉନଥିଲେ। ଏବେ କିନ୍ତୁ ସକାଳ ହେଲେ ପିଲାଙ୍କ ହାତକୁ ଭରପୂର ଡାଟାଥିବା ସ୍ମାର୍ଟ ଫୋନ୍‍ଟିଏ ବଢାଇ ଦେବାକୁ  ବାଧ୍ୟ ହେଉଛନ୍ତି। ଅନ୍‍ଲାଇନ୍‍ ଶିକ୍ଷା ବର୍ତ୍ତମାନ ସମୟର ଆବଶ୍ୟକତା ହୋଇଥିବାରୁ ଏପରି କରିବା ବିନା ଅନ୍ୟ ଉପାୟ ନାହିଁ। ମାତ୍ର ଜଣେ ଅଭିଭାବକ ସ୍ମାର୍ଟ ଫୋନଟିଏ ଦେଇ ପିଲାଟି ପାଖରେ ଦିନରାତି ବସିରହିପାରିବ କି? ସ୍ମାର୍ଟଫୋନରେ ଖରାପ ଜିନିଷ ନ ଦେଖିବା ଲାଗି ଥିବା ସମସ୍ତ କଟକଣା ଲଗାଇଲେ ବି ୟୁଟ୍ୟୁବର ଜଳାକବାଟି ବାଟଦେଇ ମନୋରଞ୍ଜନର ସୁଅ ଛୁଟୁଛି। କୋମଳମତି ପିଲାଟିଏ ନିଜକୁ ଏଥିରୁ କେତେ ପରିମାଣରେ ଦୂରେଇ ରଖିପାରିବ?

ଆମର ସରକାର ଶିକ୍ଷାଲାଗି ଏତେ ପଇସା ଖର୍ଚ୍ଚ କରୁଛନ୍ତି; ମାତ୍ର ୟୁଟ୍ୟୁବ ଭଳି ନିଜସ୍ୱ ଅନ୍‍ଲାଇନ୍‍ ଭିଡ଼ିଓ ସେୟାରିଂ ଓ ଅନ୍‍ଲାଇନ୍‍ ଷ୍ଟ୍ରିମିଂ ପ୍ଲାଟଫର୍ମଟିଏ ତିଆରି କରିବାରେ ଅସୁବିଧା କେଉଁଠି ଯେ ୟୁଟ୍ୟୁବର ଶରଣ ପଶିଛନ୍ତି ? ଯଦି ସରକାର ତାଙ୍କର ନିଜସ୍ୱ ଭିଡ଼ିଓ ପ୍ଲାଟଫର୍ମ ପ୍ରସ୍ତୁତ କରନ୍ତେ ତେବେ ପିଲାମାନଙ୍କୁ ଦିଆଯାଉଥିବା ଫୋନ୍‍ରୁ ୟୁଟ୍ୟୁବକୁ ସଂପୂର୍ଣ୍ଣ ବିଲୋପ କରିଦେଇ ଅଭିଭାବକମାନେ ସାମାନ୍ୟ ଶାନ୍ତିରେ ନିଶ୍ୱାସ ମାରିପାରନ୍ତେ।

ଏହା ବ୍ୟତୀତ ଅନ୍‍ଲାଇନ ଶିକ୍ଷାକ୍ଷେତ୍ରରେ ଅଭିଭାବକମାନଙ୍କର ମଧ୍ୟ ଗୁରୁଦାୟିତ୍ୱ ରହିଛି। ପିଲାମାନେ କେବଳ ଅନ୍‍ଲାଇନ ଶିକ୍ଷା ସମୟ ବ୍ୟତୀତ ଅନ୍ୟ ସମୟରେ ଯେମିତି ସ୍ମାର୍ଟଫୋନ୍‍ରୁ ଦୂରେଇ ରହନ୍ତି ତାହା ଦେଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସ୍ମାର୍ଟଫୋନ୍‍ ବ୍ୟବହାର କରିବା ପରେ ପିଲାଏ ବହିଠାରୁ ଦୂରେଇ ଯାଉଛନ୍ତି। ଶବ୍ଦକୋଷ ଦେଖୁନାହାନ୍ତି, ହିସାବ କରିପାରୁନାହାନ୍ତି। ସାଧାରଣ ଗୁଣନଟିଏ ଲାଗି ହିସାବକରା ଯନ୍ତ୍ର (କାଲ୍‍କୁଲେଟର) ଉପରେ ନିର୍ଭର କରୁଛନ୍ତି। ଖବରକାଗଜ ପଢୁନାହାନ୍ତି, ଗପବହି ବା ଅନ୍ୟାନ୍ୟ ସୁଖପାଠ୍ୟ ପୁସ୍ତକ ପଢୁନାହାନ୍ତି। ମୁଣ୍ଡର ବୁଦ୍ଧି ଧୀରେଧୀରେ ଫାଙ୍କା ହେବାରେ ଲାଗିଛି। ଅନ୍ୟପକ୍ଷରେ ହାତରେ ଧରିଥିବା ଏହି ଯନ୍ତ୍ରଟି ଉପରେ ନିର୍ଭରଶୀଳତା ବଢୁଛି। ଏସବୁକୁ ବିଚାର କରି ଘରେ ପିଲାମାନେ ଯେମିତି ଅଧିକରୁ ଅଧିକ ଲେଖାପଢା କରିବେ; ବହି ସହିତ ସଂଶ୍ଳିଷ୍ଟ ରହିବେ ସେଥିପ୍ରତି ଦୃଷ୍ଟି ଦିଆଯାଉ।

ମହାମାରୀ କେତେଦିନ ରହିବ ତାହା କହିହେଉନି। ଆଗାମୀ ଦିନରେ ଅନ୍‍ଲାଇନ୍‍ ଶିକ୍ଷା ହିଁ ଭବିଷ୍ୟତ ଭଳି ଜଣାପଡ଼ୁଛି। ସେ ଦୃଷ୍ଟିରୁ ସରକାର ତୁରନ୍ତ ନିଜର ଅନ୍‍ଲାଇନ୍‍ ଭିଡ଼ିଓ ପ୍ଲାଟଫର୍ମ ପ୍ରସ୍ତୁତ କରନ୍ତୁ। ଏହା ସେଭଳି କିଛି ଜଟିଳ ବ୍ୟାପାର ନୁହେଁ କି ଅଧିକ ଦିନ ଲାଗିବ ନାହିଁ। ଆମର ପିଲାମାନଙ୍କୁ ତୁରନ୍ତ ୟୁଟ୍ୟୁବର ମନୋରଞ୍ଜନରୂପୀ ପାନଶାଳାରୁ ଫେରାଇ ଆଣିବାକୁ ହେବ; ନ ହେଲେ ପାଠପଢା ନାଁରେ ଆମେ ପିଲାମାନଙ୍କୁ କେବଳଗୁଡ଼ିଏ ଅପସଂସ୍କୃତି ଶିକ୍ଷାଦେଇ ସେମାନଙ୍କ ଜୀବନକୁ ମାଟି କରିବା !

Comments are closed.