ହସ୍ତତନ୍ତର ବିକାଶ ପାଇଁ ସୁଚିନ୍ତିତ ରଣନୀତି

ସଞ୍ଜୟ କୁମାର ପଣ୍ଡା

ଆବହମାନ କାଳରୁ ହସ୍ତତନ୍ତରେ ବୁଣା ଲୁଗା ମଣିଷର ଏକ ମୌଳିକ ଆବଶ୍ୟକତା ଥିଲା। ଶିଳ୍ପ ବିପ୍ଳବ ପରେ, କଳତନ୍ତରେ ବୁଣା ଲୁଗା ଅଳ୍ପ ଦାମରେ ମିଳିଲା, ଫଳରେ ହସ୍ତତନ୍ତର ଗୁରୁତ୍ବ ଅନେକଟା କମିଗଲା। ହସ୍ତତନ୍ତର ଉନ୍ନୟନ ପାଇଁ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ପକ୍ଷରୁ ନାନା ଯୋଜନା ପ୍ରଣୟନ କରାଯାଉଥିବା ସ​‌େ​‌ତ୍ତ୍ବ, ହସ୍ତତନ୍ତ ତଥା ବୁଣାକାରଙ୍କ ସଂଖ୍ୟା କ୍ରମଶଃ କମିଯାଉଅଛି। ଗତବର୍ଷ (୨୦୨୦) କରୋନା ମହାମାରୀ ସମୟରେ ଘର ବାହାରକୁ ଯିବା, ବିଭାଘର, ଯାନିଯାତ୍ରା ଉପରେ କଟକଣା ଯୋଗୁଁ ହସ୍ତତନ୍ତରେ ଉତ୍ପାଦିତ ଜିନିଷର ବିକ୍ରିବଟା ଗୁରୁତର ଭାବେ ପ୍ରଭାବିତ ହୋଇଅଛି।

ରାଜ୍ୟରେ ପ୍ରକାଶିତ ସମ୍ବାଦପତ୍ରରେ, ବୁଣାକାରମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଖବର ଲୋକଲୋଚନକୁ ଆସୁଅଛି। ସମସ୍ୟାଗୁଡ଼ିକର ସମାଧାନ ନିମନ୍ତେ, ମୁଖ୍ୟତଃ ସରକାରଙ୍କୁ ଅନୁରୋଧ ଯିବା ସ୍ବାଭାବିକ; କିନ୍ତୁ ଏହି ବିଷୟଟି ବହୁମୁଖୀ। ଏହି ଶିଳ୍ପ ବିଷୟରେ ବିଭିନ୍ନ ଦିଗକୁ ଲକ୍ଷ୍ୟ ରଖି କିଛି ଗଠନମୂଳକ ମତାମତ ଦେବା ଏହି ଲେଖାର ଉଦ୍ଦେଶ୍ୟ।

ସାରା ବିଶ୍ବର ବାଣିଜ୍ୟ ବ୍ୟବସାୟ ବିଷୟରେ ଅନୁଧ୍ୟାନ କଲେ ଜଣାଯାଏ ଯେ, ଦ୍ରୁତ ଗତିରେ ବଦଳୁଥିବା ପରିସ୍ଥିତି ସହ ଯେଉଁ ବ୍ୟାବସାୟିକ ସଂସ୍ଥା ବଦଳି ପାରନ୍ତି ସେମାନେ ବଞ୍ଚି ରହନ୍ତି ଏଵଂ ଯେଉଁମାନେ ଦ୍ରୁତ ଗତିରେ ବଦଳି ପାରନ୍ତି ନାହିଁ, ସେମାନେ ଲୋପ ହୋଇଯାଆନ୍ତି। ୨୦୨୦ ବର୍ଷରେ କୋଭିଡ୍‌ ବୈଶ୍ବିକ ମହାମାରୀ ଯୋଗୁଁ ସମୟରେ ଦେଶ ବିଦେଶକୁ ଯିବା ତଥା ଜିନିଷ ପତ୍ର ନେବା ଆଣିବା ଆଦି ଉପରେ କଟକଣା ଯୋଗୁଁ ପାରମ୍ପରିକ ବ୍ୟବସାୟ ବାଧାପ୍ରାପ୍ତ ହେଲା; କିନ୍ତୁ ଇଣ୍ଟରନେଟ୍ ଭିତ୍ତିକ ଇ-କମର୍ସ ଦ୍ରୁତ ଗତିରେ ଆଗେଇ ଗଲା।

ହସ୍ତତନ୍ତ ଆମ ଦେଶର ଐତିହ୍ୟ ଓ ପରମ୍ପରାର ଏକ ଅବି​‌େ​‌ଚ୍ଛଦ୍ୟ ଅଙ୍ଗ। ଗ୍ରାମୀଣ ଅର୍ଥନୀତିରେ ଏହାର ସାମାଜିକ ଓ ପରିବେଶଜନିତ ଭୂମିକା ବିଶେଷ ଗୁରୁତ୍ବପୂର୍ଣ୍ଣ। ୨୦୧୯-୨୦ ରେ ହୋଇଥିବା ଚତୁର୍ଥ ସର୍ବଭାରତୀୟ ହସ୍ତତନ୍ତ ଗଣନା ଅନୁଯାୟୀ ଦେଶରେ ମୋଟ ୩୫.୨୨ ଲକ୍ଷ ବୁଣାକାର ଅଛନ୍ତି। ବୁଣାକାରଙ୍କ ମଧ୍ୟରୁ ୭୨.୩% ମହିଳା, ୨୪.୩%% ତଫସିଲଭୁକ୍ତ ଜାତି ଏଵଂ ୩୩.୬% ଅନ୍ୟ ପଛୁଆ ବର୍ଗଭୁକ୍ତ। ବୁଣାକାରଙ୍କ ମଧ୍ୟରୁ ୧୦.୩% ଉଚ୍ଚ ମାଧ୍ୟମିକ ଶିକ୍ଷା ଲାଭ କରିଛନ୍ତି। ୭୩.୨% ବୁଣାକାର ଏକା ଏବଂ ୬.୩% ସମବାୟ ମାଧ୍ୟମରେ କାମ କରନ୍ତି। ୬୭.୧% ବୁଣାକାରଙ୍କ ମାସିକ ଆୟ ୫,୦୦୦ ଟଙ୍କାରୁ କମ ଏଵଂ ମାତ୍ର ୭% ବୁଣାକାର ମାସରେ ୧୦,୦୦୦ ଟଙ୍କାରୁ ଅଧିକ ଆୟ କରୁଛନ୍ତି । ଅନ୍ୟ ବ୍ୟବସାୟ ତୁଳନାରେ ଆୟ କମ୍‌ ରହିବା ଫଳରେ ଯୁବପିଢି କୌଳିକ ବ୍ୟବସାୟ ଛାଡ଼ି ଅନ୍ୟ ବ୍ୟବସାୟ ପ୍ରତି ଆକୃଷ୍ଟ ହେଉଛନ୍ତି।

ସମସ୍ତ ଦିଗରୁ ବିଚାର କରି ଆଗାମୀ ଦୁଇ – ତିନି ବର୍ଷରେ ବୁଣାକାରଙ୍କ ଆୟ ଦୁଇ ଗୁଣା (ମାସିକ ୧୦,୦୦୦ ଟଙ୍କା)କୁ ବୃଦ୍ଧି କରିବା ପାଇଁ ଏକ ସୁଚିନ୍ତିତ ରଣନୀତି ଆଦରିବାକୁ ହେବ। ବୁଣାକାର, କ୍ରେତା, ବ୍ୟବସାୟୀ, ବସ୍ତ୍ର ତଥା ଫେସନ ଉଦ୍ୟୋଗୀଙ୍କ ସହ ମତ ବିନିମୟ କ୍ରମେ, ପାଞ୍ଚୋଟି ସୋପାନ ବିଶିଷ୍ଟ ଏହି ନୂତନ ପ୍ରଣାଳୀଟିକୁ ବିବେଚନା କରାଯାଇପାରେ।

ନୂତନ ପରିକଳ୍ପନାର ସର୍ବପ୍ରଥମ କଡ଼ି ଭାବେ ଉତ୍ପାଦନକାରୀ ବୁଣାକାରଙ୍କୁ ନିଜର ମାନସିକତା ବଦଳାଇବାକୁ ପଡ଼ିବ। ନିଜର କଳାକୌଶଳ ଉପରେ ଆଧାର କରି ଗ୍ରାହକ ମନଲାଖି ବସ୍ତ୍ର ନେଇ ବଜାରକୁ ଯିବାକୁ ହେବ। ‘ମାଗି ଆଣିଲା ତିଅଣ ସୁଡୁକାଏ’ ମର୍ମରେ ସରକାରୀ ଅନୁଦାନ ଉପରେ ନିର୍ଭର ନ କରି ଗ୍ରାହକ ମନଲୋଭା ନୂଆ ରଙ୍ଗ ଓ ଡିଜାଇନ୍ ତଥା ନୂଆ କିସମର, ସିଲ୍କ ତଥା ସରୁ ସୂତାରେ ବୁଣା ଦାମୀ ବସ୍ତ୍ର ବୁଣିବାକୁ ହେବ। ଏହି ମୂଳମନ୍ତ୍ରକୁ ଭିତ୍ତିକରି ବୁଣାକାରଙ୍କୁ ଦେଶ ଓ ବିଦେଶର ଗ୍ରାହକଙ୍କ ସହ ଯୋଗାଯୋଗ କରିବାକୁ ହେବ। ନୂତନ ପ୍ରଣାଳୀର ଦ୍ବିତୀୟ ଗୁରୁତ୍ବପୂର୍ଣ୍ଣ କଡିଟି ହେଉଛି, ପ୍ରଯୁକ୍ତି ବିଜ୍ଞାନ ଉପରେ ଆଧାରିତ ଇଣ୍ଟରନେଟ୍ ମାଧ୍ୟମରେ ଦେଶବିଦେଶରେ ଥିବା ଗ୍ରାହକଙ୍କ ସହ ସିଧାସଳଖ ଯୋଗାଯୋଗ।

ବିଭିନ୍ନ ଆପ୍‌ ମାଧ୍ୟମରେ, ବୁଣାକାର ଦେଶ ବିଦେଶରେ ଥିବା ଗ୍ରାହକଙ୍କୁ ନିଜ ହାତ ତିଆରି ବସ୍ତ୍ର ଦେଖାଇ ବୁଝାଇପାରିବ ଏବଂ ଗ୍ରାହକର ରୁଚି ଅନୁଯାୟୀ ନୂଆ କିସମର ବସ୍ତ୍ର ବୁଣି ପାରିବ। ଏହି ଉତ୍ପାଦିତ ଲୁଗା ଭାରତୀୟ ଡାକ ପରି ଅନ୍ୟାନ୍ୟ ପରିବହନ ସଂସ୍ଥା (କୋରିୟର୍‌) ମାଧ୍ୟମରେ ଗ୍ରାହକ ପାଖକୁ ସିଧାସଳଖ ପଠାଇପାରିବ। ଲୁଗାର ମୂଲ୍ୟ ସିଧାସଳଖ ବୁଣାକାରଙ୍କ ବ୍ୟାଙ୍କ ଖାତାକୁ ଆସିଯିବ। ଏହି ପ୍ରକ୍ରିୟାରେ, କୋରାପୁଟ କୋଟପାଡ଼ରେ କର୍ମରତ ପଦ୍ମଶ୍ରୀ ଗୋବର୍ଦ୍ଧନ ପାନିକ ବୁଣାକାର ଭାଇ ଏବଂ ତାଙ୍କ ଧର୍ମପତ୍ନୀ ବେଶ ଉପକୃତ ହୋଇଛନ୍ତି। ସେହି ଦୃଷ୍ଟାନ୍ତକୁ ଅନୁସରଣ କରି ସମସ୍ତ ବୁଣାକାର ଭାଇ ଓ ଭଉଣୀ ଆଗକୁ ବଢ଼ିଲେ ତାଙ୍କ ଉତ୍ପାଦିତ ଲୁଗା ଠିକ ଗ୍ରାହକଙ୍କ ପାଖରେ ପହଞ୍ଚିପାରିବ ଏବଂ ମଧ୍ୟସ୍ଥ ପାଖକୁ ଯାଇଥିବା ଟଙ୍କା ତାଙ୍କ ହାତରେ ରହିବ। ଫଳରେ ବୁଣାକାରଙ୍କ ଆୟ ଢେର ବୃଦ୍ଧି ପାଇବ।

ନୂଆ ରଣ କୌଶଳର ତୃତୀୟ କଡ଼ି ହେଉଛି ବୁଣାକାର ପରିବାର ତଥା ଫେସନ ତାଲିମ ପ୍ରାପ୍ତ ଉଦ୍ୟୋଗୀ ଶିକ୍ଷିତ ଯୁବ ପିଢ଼ିଙ୍କର ଯୋଗଦାନ। ‘ମୁଦ୍ରା’ ଋଣ ନେଇ ପ୍ରତ୍ୟେକ ହସ୍ତତନ୍ତ ଗୁଚ୍ଛଗ୍ରାମ ସହ ଏକାଧିକ ନୂଆ ଉଦ୍ୟୋଗ (ଷ୍ଟାର୍ଟଅପ୍‌)ର ଯୋଗଦାନ, ହସ୍ତତନ୍ତ ଉନ୍ନୟନରେ ଏକ ନୂତନ ସୋପାନ ଖୋଲିବ। ସରକାର ତଥା ଗ୍ରାହକମାନେ ନୂତନ ସଂସ୍ଥାଗୁଡିକୁ ସାହାଯ୍ୟ କରିବା ଆବଶ୍ୟକ।

ହସ୍ତତନ୍ତର ଉନ୍ନୟନ ନିମନ୍ତେ ସରକାରଙ୍କ ପକ୍ଷରୁ ନିଆଯାଉଥିବା ପଦକ୍ଷେପର ପରିବର୍ତ୍ତନ କରିବା ଆବଶ୍ୟକ। ୨୦୧୯-୨୦ ଆର୍ଥିକ ବର୍ଷରେ ହସ୍ତତନ୍ତର ଉନ୍ନୟନ ପାଇଁ କେନ୍ଦ୍ର ସରକାର ୩୮୫ କୋଟି ଟଙ୍କା ବ୍ୟୟ କରିଥିଲେ, ବିଭିନ୍ନ ରାଜ୍ୟ ସରକାର ଏହା ଉପରେ ଖର୍ଚ୍ଚ କରିଥିଲେ। ଏହି ଖର୍ଚ୍ଚ ଟଙ୍କାର ପରିମାଣ ବଢ଼ାଇବା ସହ, ବରାଦ ଅର୍ଥକୁ ମୁଖ୍ୟତଃ ବୁଣାକାର ରହୁଥିବା ଗୁଚ୍ଛଗ୍ରାମରେ ଆବଶ୍ୟକ ଭିତ୍ତିଭୂମି ତିଆରି କରିବା ଏବଂ ନୂଆ ଡିଜାଇନ୍ ତଥା ରଙ୍ଗର ଲୁଗା ବୁଣିବା ପାଇଁ ବୈଷୟିକ କୌଶଳ ସହାୟତା ଦେବା ନିମନ୍ତେ ବ୍ୟୟ କରିବା ଆବଶ୍ୟକ। ସୂତା, ରଙ୍ଗ ଆଦି କଞ୍ଚାମାଲ, ବୁଣା ହୋଇଥିବା ଲୁଗା ରଖିବା ପାଇଁ ଗୋଦାମ ଘର, ପାଣି, ବିଦ୍ୟୁତ୍, ଇଣ୍ଟରନେଟ୍ ସହ ଅଫିସ ଏବଂ ସ୍ଥାନୀୟ ପ୍ରଶିକ୍ଷଣ କେନ୍ଦ୍ର, ପ୍ରତ୍ୟେକ ଗୁଚ୍ଛ ଗ୍ରାମରେ ନିର୍ମାଣ କରିବା ଆବଶ୍ୟକ। ଏହା ସହିତ ହସ୍ତତନ୍ତରେ ଡିପ୍ଲୋମାଥିବା କର୍ମଚାରୀ ନିଯୋଗ ଏବଂ ଫେସନ ଅନୁଷ୍ଠାନର (ନିଫ୍‌ଟ) ଶିକ୍ଷକ ତଥା ଛାତ୍ରଛାତ୍ରୀଙ୍କର ଯୋଗଦାନ ଆବଶ୍ୟକ। ସିଏସ୍‌ଆର୍‌, ସାଂସଦ ପାଣ୍ଠି ଆଦିର ଅର୍ଥ ମଧ୍ୟ ଏଥିପାଇଁ ବିନିଯୋଗ କରିବା ଆବଶ୍ୟକ।

ନୂତନ ରଣନୀତିର ପଞ୍ଚମ କଡ଼ିଟି ହେଉଛି ହସ୍ତତନ୍ତ ବସ୍ତ୍ରର ଉଚ୍ଚ ଗୁଣ, ମାନ, ମୌଳିକତା ଭିତ୍ତିକ, ବ୍ରାଣ୍ଡିଂ କରି ଗ୍ରାହକଙ୍କୁ ଆକୃଷ୍ଟ କରିବା। ଏହି ଉଦ୍ଦେଶ୍ୟରେ ଅଗଷ୍ଟ ୨୦୧୫ରେ ଆରମ୍ଭ କରାଯାଇଥିବା “ଇଣ୍ଡିଆ ହାଣ୍ଡଲୁମ ବ୍ରାଣ୍ଡ୍‌”କୁ ଅଧିକ ଜୋର୍‌ଦାର୍‌ କରିବା ସହିତ ଆବଶ୍ୟକତା ଅନୁସାରେ ଅନ୍ୟ ବ୍ରାଣ୍ଡ୍‌ ମଧ୍ୟ ଚାଲୁ କରାଯାଇପାରେ। ଲୋକପ୍ରିୟ ଚିତ୍ର ତାରକା ତଥା କ୍ରୀଡ଼ା ନାୟକଙ୍କର ବ୍ରାଣ୍ଡିଂ ପ୍ରଚାରରେ ଯୋଗଦାନ, ଏହାକୁ ଆହୁରି ତାତ୍ପର୍ଯ୍ୟପୂର୍ଣ୍ଣ କରିଵ। କିଛିଦିନ ତଳେ ଭାଗବତ ମେହେର ବୁଣିଥିବା ‘ଶ୍ରୀ ଗଣିତ ଶାଢ଼ି’ଟିର ପ୍ରଚାର ବମ୍ୱେର ପ୍ରସିଦ୍ଧ ଚିତ୍ର ତାରକା ବିଦ୍ୟା ବାଲାନ ମହୋଦୟା କରିଥିଲେ। ସାବତ ଭଉଣୀ ଯୁବ ଉଦ୍ୟୋଗୀଙ୍କ ସାହାଯ୍ୟରେ ଏହି ଶାଢିଟିକୁ ଇଣ୍ଟରନେଟ୍ ମାଧ୍ୟମରେ ବିକ୍ରି(ଇ-ନିଲାମ) କରିବା ଫଳରେ, ଶାଢ଼ିରୁ ବୁଣାକାରଙ୍କ ଆୟ ପ୍ରାୟ ତିନିଗୁଣା ବଢିବା ସହିତ ଏହି ଶାଢ଼ି ପାଇଁ ଏକାଧିକ ଗ୍ରାହକ ଆଗ୍ରହ ପ୍ରକାଶ କରିବା ହସ୍ତତନ୍ତ ଉନ୍ନୟନ କ୍ଷେତ୍ରରେ ଏକ ନୂତନ ଦୃଷ୍ଟାନ୍ତ ସୃଷ୍ଟି କରିଛି।

ଆଶା ଆଗାମୀ ଦିନରେ, କ୍ରେତା, ବସ୍ତ୍ର ତଥା ଫେସନ ଜଗତ ସହ ଜଡ଼ିତ ଉଦ୍ୟୋଗୀ ଏଵଂ ଜନସାଧାରଣଙ୍କ ସହଯୋଗିତା ନେଇ ଏହି ପରିକଳ୍ପନା, ବୁଣାକାରଙ୍କ ଆୟ ଦୁଇଗୁଣକୁ ବୃଦ୍ଧି କରିବା ସହ ହସ୍ତତନ୍ତ ଶିଳ୍ପର ଚିରସ୍ଥାୟୀ ଓ ନିରନ୍ତର ବିକାଶରେ ବିଶେଷ ସହାୟକ ହେବ।

Comments are closed.