ବଡ଼ବଡ଼ିଆଙ୍କ ଓଡ଼ିଆ ଭାଷା

ଅନ୍ତର୍ଯ୍ୟାମୀ ମିଶ୍ର

ଓଡ଼ିଆଙ୍କ ମଧ୍ୟରେ ବହୁ ବଡ଼ବଡ଼ିଆ ଅଛନ୍ତି, ଯେଉଁମାନେ ଓଡ଼ିଆ ଭାଷାରେ ଭଲରେ କଥା କହିପାରନ୍ତି ନାହିଁ ବା ଓଡ଼ିଆରେ ଭାଷଣ ଦେଇପାରନ୍ତି ନାହିଁ। ସେମାନେ ଇଚ୍ଛାକୃତ ହେଉ ବା ଅନିଚ୍ଛାକୃତ ହେଉ ଆପଣା ମାତୃଭାଷାରେ କଥା କହିବାକୁ ପସନ୍ଦ କରିନଥାନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଓଡ଼ିଶା ବାହାରେ ବା ଭାରତ ବାହାରେ ରହି ନିଜ ମାତୃଭାଷା ଭୁଲିଗଲେଣି। କେତେକ ମଧ୍ୟ ଓଡ଼ିଆ ଜାଣିଥିଲେ ହେଁ କହିବାକୁ ସଙ୍କୋଚ କରିଥାନ୍ତି। ସେମାନଙ୍କ ଭିତରେ ଓଡ଼ିଆ ଭାଷା ଏକ ଅତ୍ୟନ୍ତ ହତାଦରର ବସ୍ତୁ ହୋଇଯାଇଛି। ଅଥଚ ସେମାନେ ଦେଖନ୍ତି ନାହିଁ ଭାରତ ବାହାର ବ୍ୟକ୍ତି ଭାରତ‌ରେ ନିବାସ କରି ମଧ୍ୟ ନିଜ ମାତୃଭାଷାକୁ କିପରି ଜାବୋଡ଼ି ଧରିଛନ୍ତି। ସେମାନେ ଆମ ଭାରତରେ ଯେତେ ଉଚ୍ଚପଦବୀରେ ପ୍ରତିଷ୍ଠିତ ରହିଲେ ହେଁ ନିଜ ମାତୃଭାଷାକୁ ଛାଡ଼ିବାକୁ ନାରାଜ। ସେମାନେ ନିଜ ଭାଷାର ଜୀବନୀଶକ୍ତିକୁ ବନ୍ଧା ପକାଇବାକୁ ଚାହାନ୍ତି ନାହିଁ। ସେମାନଙ୍କର ଭାଷା ସ୍ବାଭିମାନ ଦେଖିଲେ ଆଶ୍ଚର୍ଯ୍ୟ ହେବାକୁ ପଡ଼େ। ତେବେ ବଡ଼ବଡ଼ିଆ ଓଡ଼ିଆଙ୍କର ଭାଷାସ୍ବାଭିମାନ ଗଲା କୁଆଡ଼େ?

ଯେଉଁମାନେ ବଡ଼ବଡ଼ିଆ ବୋଲାଉଛନ୍ତି ସେମାନେ ରାତାରାତି ବଡ଼ବଡ଼ିଆ ହୋଇଯାଇନାହାନ୍ତି। ସେମାନଙ୍କୁ ବଡ଼ବଡ଼ିଆରେ ପରିଣତ କରିବାପାଇଁ ଓଡ଼ିଆ ଜାତିକୁ ବହୁମୂଲ୍ୟ ସମୟ ଓ ଅର୍ଥ ଶ୍ରାଦ୍ଧ କରିବାପାଇଁ ପଡ଼ିଛି। ସେମାନେ ପିତାମାତାଙ୍କର ଯତ୍ନ, ଗୁରୁଜନମାନଙ୍କ ଆଶୀର୍ବାଦ, ଜ୍ଞାତି ପରିଜନଙ୍କ ସ୍ନେହ ଏବଂ ସର୍ବୋପରି ଓଡ଼ିଆଙ୍କ ପ୍ରାଣର ପ୍ରାଣ ଶ୍ରୀଜଗନ୍ନାଥଙ୍କ କରୁଣାରୁ ଜଣେ ଜଣେ ବିଶ୍ବ ପ୍ରସିଦ୍ଧ ବ୍ୟକ୍ତିତ୍ବର ଅଧିକାରୀ ହୋଇଛନ୍ତି। ଭାରତୀୟ ପ୍ରଶାସନିକ ସେବା, ଭାରତୀୟ ବୈଦେଶିକ ସେବା, ଭାରତୀୟ ଅର୍ଥନୈତିକ ସେବା, ସୂଚନା ପ୍ରଯୁକ୍ତି ବିଦ୍ୟା ବିଶାରଦ ପ୍ରଭୃତି ନାନାଦି ବିଷୟରେ କୃତିତ୍ବ ଅର୍ଜନ କରି ସେମାନେ ଓଡ଼ିଶା, ଓଡ଼ିଶା ବାହାରେ ଓ ଭାରତ ବାହାରେ ଅବସ୍ଥାପିତ ତଥା ଓଡ଼ିଶାର ଗର୍ବ ଓ ଗୌରବ ପାଲଟିଛନ୍ତି। ସେମାନେ ସକଳ ସଦ୍‌ଗୁଣର ଅଧିକାରୀ ହେଲେ ହେଁ ମାତୃଭାଷା ପ୍ରସଙ୍ଗଟି କେତେଜଣ ଭୁଲିଯାଉଛନ୍ତି। ଏକଦା ବିଦେଶରେ କୂଟନୀତିଜ୍ଞ ଭାବରେ ଅବସ୍ଥାପିତ ଓଡ଼ିଶାର ଜଣେ ବରପୁତ୍ର କହିଥିଲେ, ‘ମୁଁ ଓଡ଼ିଆରେ କଥାବାର୍ତ୍ତା କରିପାରୁଛି, କିନ୍ତୁ ଓଡ଼ିଆରେ ବକ୍ତୃତା ଦେବା ସମ୍ଭବ ହୋଇପାରିନାହିଁ।’ (ଦୈନିକ ସମୟ ତା୩୦ା୮ା୯୮) ଅର୍ଥାତ୍‌ ସେ ଘରୋଇ ଓଡ଼ିଆରେ କଥାବାର୍ତ୍ତା କରିପାରିବେ; କିନ୍ତୁ କୌଣସି ସଭାସମିତି ବା ମଞ୍ଚରେ ଓଡ଼ିଆରେ ଭାଷଣ ଦେବା ତାଙ୍କ ପକ୍ଷରେ ସମ୍ଭବ ନୁହେଁ। ଓଡ଼ିଶାର ଜଣେ ପ୍ରତିଭାବନ୍ତ ବ୍ୟକ୍ତି ହେଲେ ​‌ହେଁ ସେ ଯାହା କରିପାରୁନାହାନ୍ତି, ଓଡ଼ିଶାରେ ବହୁ କୁହାମୁଣ୍ଡା କପିଳା ଅଛନ୍ତି, ଯେଉଁମାନେ ଅବଲୀଳାକ୍ରମେ ଓଡ଼ିଆରେ ଘଣ୍ଟାଘଣ୍ଟା ଧରି ବକ୍ତୃତା ଦେଇଥାନ୍ତି।

ଓଡ଼ିଶାରେ ଏପରି ସାହିତ୍ୟିକ ଅଛନ୍ତି ଯେଉଁମାନେ ସାହିତ୍ୟସଭାରେ ଅତିଥି ବା ବକ୍ତା ରହିଲେ ସେମାନଙ୍କର ସମୟଜ୍ଞାନ ରହେ ନାହିଁ। ଶ୍ରୋତାଗଣ ଶୁଣୁଛନ୍ତି ବା ବିରକ୍ତି ପ୍ରକାଶ କରୁଛନ୍ତି ସେ ଦିଗ ପ୍ରତି ତାଙ୍କର ଲକ୍ଷ୍ୟ ନଥାଏ। ସମୟେ ସମୟେ ସେମାନଙ୍କଠାରୁ ମାଇକ୍‌ ଛଡ଼ାଇବାକୁ ପଡ଼ିଥାଏ। ରାଜନୈତିକ ନେତା ବା ଅନ୍ୟାନ୍ୟ ନେତୃସ୍ଥାନୀୟ ବ୍ୟକ୍ତି ଭାଷଣ ଦେବାରେ ଧୁରନ୍ଧର, ଲୋକେ ଶୁଣନ୍ତୁ ବା ନଶୁଣନ୍ତୁ କେତେକ ପେସାଦାରୀ ପ୍ରବଚକ ଅଛନ୍ତି, ଯେଉଁମାନେ ଜାନୁଆରୀ ଛବିଶ ବା ଉତ୍କଳଦିବସ ଅଥବା ସ୍ବାଧୀନତା ଦିବସରେ ବିନା ସଙ୍କୋଚରେ ଅନର୍ଗଳ ବକ୍ତୃତା ଦେଇଥାନ୍ତି। କେତେକ ହିନ୍ଦୀ ରାମାୟଣ ଉପରେ ଘଣ୍ଟାଘଣ୍ଟା ଭାଷଣ ଦେଇପାରନ୍ତି, ଅଥଚ ଓଡ଼ିଆ ଭାଷାର ବିଭିନ୍ନ ରାମାୟଣ ଉପରେ ପଦୁଟିଏ କହିପାରନ୍ତି ନାହିଁ। ଅନ୍ୟ କେତେକ ସରକାରଙ୍କ ବିରୋଧରେ ଭାଷଣଦେଇ ଲୋକଙ୍କୁ ମତାଇବାରେ ଧୁରନ୍ଧର। ତାହାହେଲେ ଶିକ୍ଷିତ ଓ ସମ୍ମାନିତ ଓଡ଼ିଆମାନେ ବକ୍ତୃତା ଦେଇପାରୁ ନାହାନ୍ତି କାହିଁକି? ସେମାନେ ଓଡ଼ିଆରେ ସିନା ଭାଷଣ ଦେଇପାରନ୍ତି ନାହିଁ, ଅଥଚ ସାମାନ୍ୟ ସୁଯୋଗ ମିଳିଲେ ଇଂରାଜୀ ଭାଷାରେ ନିଜର ବାଗ୍ମିତା ଓ ପାଣ୍ଡିତ୍ୟ ଦେଖାଇବାରେ ଟିକିଏ ବି ହେଳା କରି ନ ଥାନ୍ତି। ଏହା ହେଉଛି ଆମ ଓଡ଼ିଆ ଉଚ୍ଚଶିକ୍ଷିତମାନଙ୍କର ଭାଷାରୋଗ। ସମଗ୍ର ଓଡ଼ିଆ ଜାତିର ଏକ ବିରାଟ ଗୋଷ୍ଠୀ ଏହି ରୋଗରେ ପୀଡ଼ିତ।

ଓଡ଼ିଆ ଭାଷାରେ କଥାବାର୍ତ୍ତା କରିପାରୁଥିବା ବଡ଼ବଡ଼ିଆମାନେ ଓଡ଼ିଆରେ ବକ୍ତୃତା ଦେଇ ନପାରିବାର କିିଛି କାରଣ ରହିଛି। ତାହା ହେଉଛି, ଓଡ଼ିଆ ଭାଷାରେ କଥାବାର୍ତ୍ତା କରିବାର ଦୁଇଟି ଶୈଳୀ ରହିଛି। ପ୍ରଥମଟି ଘରୋଇ ଶୈଳୀର ଭାଷା ଓ ଦ୍ବିତୀୟଟି ସର୍ବସାଧାରଣଙ୍କ ନିମିତ୍ତ ଉଦ୍ଦିଷ୍ଟ ଶୈଳୀର ଭାଷା। ଆମ ପ୍ରତିବେଶୀ ବଙ୍ଗାଳୀମାନେ ଏହି ଶୈଳୀ ଦୁଇଟିକୁ ଚଳନ୍ତି ଭାଷା ବା ଇନ୍‌ଫରମାଲ ଷ୍ଟାଇଲ ଓ ସାଧୁ ଭାଷା ବା ଫର୍ମାଲ ଷ୍ଟାଇଲ୍‌ କହିଥାନ୍ତି। ଆମ ଓଡ଼ିଆ ଭାଷାରେ ଏହି ଦୁଇଟି ଶୈଳୀ ଭିତରେ ପାର୍ଥକ୍ୟ ସାମାନ୍ୟ, କିନ୍ତୁ ବଙ୍ଗଳା, ତାମିଲ ଓ ଅନ୍ୟ କେତେକ ଭାଷାରେ ଏହି ଦୁଇଟି ଶୈଳୀରେ ପାର୍ଥକ୍ୟ ଏତେ ବେଶୀ ଯେ ସେମାନେ ଏହାକୁ ଦୁଇଟି ସ୍ବତନ୍ତ୍ର ଭାଷାର ମାନ୍ୟତା ପ୍ରଦାନ କରିଥାଆନ୍ତି। ଏତାଦୃଶ ସ୍ଥିତିକୁ ଭାଷାବିଜ୍ଞାନରେ ‘ଡାଇଗ୍ଲସିଆ’ କୁହାଯାଏ। ଏହି ପାର୍ଥକ୍ୟର ଏକ ଉଦାହରଣ ଦେବା ସମୀଚୀନ ହେବ। ‘ସେମାନେ ଚାକିରି କରି ପେଟ ପୋଷନ୍ତି।’ ସାଧୁ ଭାଷାରେ ହେବ – ‘ସେମାନେ ସରକାରୀ ସେବା କରି ଜୀବିକା ନିର୍ବାହ କରନ୍ତି।’

ବ୍ୟାସକବି ଫକୀର ମୋହନ ସ୍ବରଚିତ ଆତ୍ମଜୀବନୀରେ ଏହାର ଏକ ରୋଚକ ଉଦାହରଣ ପ୍ରଦାନ କରିଛନ୍ତି। ‘କୁଆ ଗଛ ଡାଳରେ ବସି ମାଉଁସ ଖଣ୍ଡେ ଖାଉଛି’ ସାଧୁ ଭାଷାରେ ହେବ- ‘କାକ ବୃକ୍ଷ ଶାଖାରେ ଉପବେଶନ କରି ମାଂସ ଖଣ୍ଡ ଭକ୍ଷଣ କରୁଅଛି।’ ଏହି ଉଦାହରଣରୁ ପ୍ରତୀତ ହୁଏ, ସାଧୁ ଭାଷାରେ ବହୁ ସଂସ୍କୃତ ଶବ୍ଦ ନିର୍ଦ୍ବନ୍ଦ୍ବରେ ପ୍ରବେଶ କରିଥାଏ। ଏହି ସଂସ୍କୃତ ଶବ୍ଦଗୁଡ଼ିକ ଉଚ୍ଚ ଇଂରାଜୀ ଶିକ୍ଷିତ ବଡ଼ବଡ଼ିଆ ଓଡ଼ିଆଙ୍କ ପାଟିରେ ପଇଟେ ନାହିଁ ଓ ସେ ସବୁକୁ ଉଚ୍ଚାରଣ କରିବାପାଇଁ ସେମାନଙ୍କ ମଧ୍ୟରୁ ଅନେକଙ୍କର ସାହସ ନାହିଁ। ଚଳନ୍ତି ଭାଷାରେ ସେ ଭୟ ନାହିଁ। ଚଳନ୍ତି ଭାଷାରେ ଯେଉଁଠି ଗୋଟିଏ ଓଡ଼ିଆ ଶବ୍ଦ ମନେ ନ ପଡ଼ିଲା ସେଠି ସେମାନେ ସ୍ବଚ୍ଛନ୍ଦରେ ଇଂରାଜୀଶବ୍ଦ ବା ‘ଇୟେ’ ‘ଫିର’ ପ୍ରଭୃତି ଶବ୍ଦ ଲଗାଇ କାମ ଚଳାଇ ନେଇଥାନ୍ତି। ଔପଚାରିକ ଭାଷା ବା ଲେଖାରେ ତାହା କରିବା ସମ୍ଭବ ନୁହେଁ। ଉଚ୍ଚଶିକ୍ଷିତ ଓଡ଼ିଆ ଗୋଷ୍ଠୀ ନିକଟରେ ଏହା ଏକ ସମସ୍ୟା ହୋଇ ଦେଖାଦେଇଛି।
ଉଚ୍ଚଶିକ୍ଷିତ ଓଡ଼ିଆଙ୍କ ପକ୍ଷରେ ଓଡ଼ିଆରେ ଲେଖିବା କଷ୍ଟକର ହୋଇପଡ଼ୁଛି। ତା’ର କାରଣ ହେଉଛି ଓଡ଼ିଆ ଲେଖାର ପଥ ଆହୁରି ଦୁର୍ଗମ। ଓଡ଼ିଆ ଲେଖା ଗୋଟିଏ ପଟରୁ ସଂସ୍କୃତ ଶବ୍ଦରେ ପୋତି ହୋଇପଡ଼ୁଛି ଓ ଅନ୍ୟ ପକ୍ଷରେ ଇଂରାଜୀ ଚିନ୍ତାଧାରାରେ ଅତିଷ୍ଠ ହୋଇପଡ଼ୁଛି। ‘ସାଂପ୍ରତିକ ସମାଜରେ ନାନାଦି ବିଶୃଙ୍ଖଳା ପରିଦୃଷ୍ଟ’ ଏହି ବାକ୍ୟଟି ସଂସ୍କୃତ ଶବ୍ଦରେ ପରିପୂର୍ଣ୍ଣ।

ସେହିପରି ଇଂରାଜୀ ଧାରା ହେଉଛି ‘ଚଳଚ୍ଚିତ୍ରଟିରେ ପାର୍ଥସାରଥିଙ୍କ ବିପକ୍ଷରେ ନାୟିକା ଭୂମିକାରେ ଅଭିନୟ କରୁଛନ୍ତି ପ୍ରକୃତି ମିଶ୍ର।’ ଏଠାରେ ‘ବିପକ୍ଷରେ’ ସଂସ୍କୃତ ଶବ୍ଦ ହେଲେ ହେଁ ଇଂରାଜୀ ଶବ୍ଦ ‘ଏଗେନ୍‌ଷ୍ଟ’ ପ୍ରତି ବଦଳରେ ବ୍ୟବହୃତ। ଓଡ଼ିଆରେ ନାୟକ ନାୟିକା ପରସ୍ପରର ବିପକ୍ଷରେ ଅଭିନୟ କରୁନଥିଲେ ହେଁ ଇଂରାଜୀ ଧାରାରେ ଏହା କୁହାଯାଉଛି। ତେଣୁ ସାଧୁ ଓଡ଼ିଆଭାଷା ଆସି ଏକ ଘଡ଼ିସନ୍ଧି ଅବସ୍ଥାରେ ପହଞ୍ଚିଛି। ଏକ ପକ୍ଷରେ ସଂସ୍କୃତର ବହୁ ଶବ୍ଦକୁ ଓଡ଼ିଆ ଭାଷାରେ ପୂରାଯାଉଛି ଓ ଅନ୍ୟପକ୍ଷରେ ଇଂରାଜୀ ଭାଷାର ଆକ୍ଷରିକ ଅନୁବାଦରେ ଏହା ଅତୀବ ଭାରାକ୍ରାନ୍ତ। ଓଡ଼ିଆ ଭାଷାକୁ ଅଧିକ ଅରୁଚିକର କରୁଛନ୍ତି ଆମ ଦୂରଦର୍ଶନର ଉପସ୍ଥାପକ ଓ ଉପସ୍ଥାପିକାମାନେ। ସେମାନେ ବ୍ୟାପକ ଭାବରେ ଅରୁଚିକର, ଅପ୍ରାକୃତିକ ଓ ଅର୍ଥମଣ୍ଡଳ ବହିର୍ଭୂତ ଶବ୍ଦାବଳୀ ବ୍ୟବହାର କରୁଛନ୍ତି, ଯାହା ଏକ ସ୍ବତନ୍ତ୍ର ଆଲୋଚନା ପ୍ରତୀକ୍ଷା କରିଥାଏ। ଶ୍ରୋତା ଓ ଦର୍ଶକ ଏହି ଶବ୍ଦାବଳୀକୁ ଅନୁସରଣ ଓ ବ୍ୟବହାର କରିବା ଫଳରେ ଆମ ଭାଷା ପ୍ରଦୂଷିତ ହୋଇଯାଉଛି। ଉଚ୍ଚଶିକ୍ଷିତ ଓଡ଼ିଆମାନେ ଏହି ଶବ୍ଦଗୁଡ଼ିକୁ ବେଶୀ ବ୍ୟବହାରକରି ଆପଣାର ଭାଷା ସାମର୍ଥ୍ୟ ହରାଉଛନ୍ତି।

ଉଚ୍ଚଶିକ୍ଷିତ ଓଡ଼ିଆମାନଙ୍କର ଏହି ଭାଷା ଅପାରଗତା କିପରି ଦୂର ହେବ ତାହା ହିଁ ଚିନ୍ତାର ବିଷୟ। କାହିଁକି ସେମାନେ ଓଡ଼ିଆରେ ଲେଖିପାରନ୍ତି ନାହିଁ ବା ବକ୍ତୃତା ଦେଇପାରନ୍ତି ନାହିଁ? କେଉଁଠି ଦୋଷ ରହିଛି ସେମାନଙ୍କ ଭାଷା ଶିକ୍ଷାରେ? ସେମାନେ ଇଂରାଜୀ ବା ହିନ୍ଦୀ ଭାଷାରେ ଚମତ୍କାର ଭାବରେ ଲେଖି ପାରୁଥିଲେ ଓ ବକ୍ତୃତା ଦେଇ ପାରୁଥିଲେ ହେଁ ଓଡ଼ିଆ ଭାଷାରେ ସେମାନଙ୍କ ଦକ୍ଷତା ସୀମିତ। ସେମାନଙ୍କୁ ବିଏ ପର୍ଯ୍ୟନ୍ତ ବାଧ୍ୟତାମୂଳକ ଭାବେ ଓଡ଼ିଆ ଶିକ୍ଷା ଦିଆଯାଉଛି, ଅଥଚ ଓଡ଼ିଆ ଭାଷାରେ ସେମାନଙ୍କ ଜଡ଼ତା ଭାଙ୍ଗୁନାହିଁ କାହିଁକି? ଆମକୁ ମନେ ରଖିବାକୁ ହେବ ଯେ, ବିଏ ଶ୍ରେଣୀ ପର୍ଯ୍ୟନ୍ତ ଦିଆହେଉଥିବା ବାଧ୍ୟତାମୂଳକ ଓଡ଼ିଆଶିକ୍ଷା, ଯଦିଓ ଭାଷାଶିକ୍ଷା ଦେବାପାଇଁ ଉଦ୍ଦିଷ୍ଟ,ତାହା ନହୋଇ ଏ ଶ୍ରେଣୀମାନଙ୍କରେ ସାହିତ୍ୟଶିକ୍ଷା ହିଁ ଦିଆଯାଇଥାଏ। ଏହା ଭାଷାଶିକ୍ଷାର ଏକ କଦର୍ଥ।

ଓଡ଼ିଆ ଭାଷାରେ ପାରଗତା ସୃଷ୍ଟି କରିବାପାଇଁ ଓଡ଼ିଆ ସାହିତ୍ୟ ପଢ଼ାଇବା ଏହି ଶିକ୍ଷାର ଉଦ୍ଦେଶ୍ୟ ଓ ଲକ୍ଷ୍ୟକୁ ପୂରଣ କରୁନାହିଁ, ତେଣୁ ଯେତେଶୀଘ୍ର ସମ୍ଭବ ଉଚ୍ଚଶ୍ରେଣୀମାନଙ୍କରୁ ବାଧ୍ୟତାମୂଳକ ଭାବେ ଓଡ଼ିଆ ସାହିତ୍ୟ ଶିକ୍ଷା ସମ୍ପୂର୍ଣ୍ଣ ରଦ୍ଦ କରି ତା ସ୍ଥାନରେ ଓଡ଼ିଆ ଭାଷା ଶିକ୍ଷା ଦେବାର ପଦକ୍ଷେପ ନିଆଯିବା ସମୀଚୀନ। ଆମର ଦୁର୍ଭାଗ୍ୟ ଯେ ଓଡ଼ିଶାରେ ଶହଶହ ଜ୍ଞାନୀଗୁଣୀ ଓଡ଼ିଆ ଅଧ୍ୟାପକ ଥିବା ସତ୍ତ୍ବେ ଓଡ଼ିଆ ଭାଷା ଓ ଅଧ୍ୟୟନ ଦାୟିତ୍ବ ଏକ ଘରୋଇ ସଂସ୍ଥା ଉପରେ ନ୍ୟସ୍ତ କରାଯାଇଛି। ଏହି ସଂସ୍ଥା ଆଇଏଏସ ମାନଙ୍କୁ ଓଡ଼ିଆ ଭାଷା ଶିକ୍ଷା ଦେଉଛି ବୋଲି ଡିଣ୍ଡିମ ପିଟୁଛି। ତା’ହେଲେ ଆମର ଅଭିଜ୍ଞ ଓଡ଼ିଆ ଅଧ୍ୟାପକମାନେ କେଉଁ ଓଡ଼ିଆ ଉଚ୍ଚଶିକ୍ଷକଙ୍କୁ ଭାଷାଶିକ୍ଷା ଦେବେ? ରାଜ୍ୟରେ ପ୍ରାୟ ହଜାରରୁ ଅଧିକ ଜ୍ଞାନୀଗୁଣୀ ଅଭିଜ୍ଞ ଓଡ଼ିଆ ଅଧ୍ୟାପକ ଅଛନ୍ତି। ସେମାନେ ଦିଗ୍‌ଦର୍ଶକ ହେଲେ ଉଚ୍ଚଶିକ୍ଷିତଙ୍କ ଓଡ଼ିଆ ଭାଷା ଶିକ୍ଷା ସୁଗମ ହୋଇପାରିବ। ଓଡ଼ିଆ ଭାଷା ନିର୍ଦେଶକ ପଦଟି ଓଡ଼ିଆ ପ୍ରାଧ୍ୟାପକଙ୍କ ନିମିତ୍ତ ଉଦ୍ଦିଷ୍ଟ ହେଲେ ହେଁ ସେଠାରେ ଅନ୍ୟଜଣଙ୍କୁ ଅବସ୍ଥାପିତ କରାଯାଇଛି। ଶାସ୍ତ୍ରୀୟ ଓଡ଼ିଆ ଭାଷା ଉତ୍କର୍ଷ କେନ୍ଦ୍ରରେ ଅଦ୍ୟାବଧି ଭାଷା ଅଭିଜ୍ଞ ବା ଭାଷା ଗବେଷକଙ୍କୁ ନିର୍ଦେଶକ ଭାବରେ ନିଯୁକ୍ତି ଦିଆଯାଇନାହିଁ। ତେବେ ଓଡ଼ିଆ ଉଚ୍ଚଶିକ୍ଷିତମାନେ ଭାଷାରେ ପାରଙ୍ଗମ ହେବେ କିପରି?

ଆମ ସମାଜରେ ଶିକ୍ଷିତ ଓ ବୁଦ୍ଧିଜୀବୀ ଓଡ଼ିଆମାନେ ଓଡ଼ିଆ ଭାଷାରେ ସୃଷ୍ଟିଶୀଳ ନହେଲେ ଅବସ୍ଥା ଅସମ୍ଭାଳ ହୋଇପଡ଼ିବ। ଏପରିକି ଏମାନେ ଆଉ ଓଡ଼ିଆ ଭାଷାରେ ଚିନ୍ତା କରିପାରିବେ ନାହିଁ। ଏହି ଅବସ୍ଥାର ଯଥେଷ୍ଟ ସୂଚନା ମିଳିଲାଣି। ଆମ ଉଚ୍ଚଶିକ୍ଷିତମାନଙ୍କ ମଧ୍ୟରୁ ଅଧିକାଂଶ ଓଡ଼ିଆ ଭାଷାରେ, ବିଶେଷତଃ ଔପଚାରିକ କ୍ଷେତ୍ରରେ କହି ଲେଖି ପାରନ୍ତି ନାହିଁ। ଏହାର ପ୍ରତିକାର ହେଉଛି, ଉଚ୍ଚଶ୍ରେଣୀରେ ସାହିତ୍ୟପଢ଼ା ଭାଷା ଅନୁଗାମୀ କରାଯିବା ଉଚିତ ଅର୍ଥାତ୍‌ ଯେଉଁ ସାହିତ୍ୟରୁ ସେମାନେ ଭାଷାଶିକ୍ଷା କରିପାରିବେ। ଉନ୍ନତମାନର ଗଦ୍ୟ ସାହିତ୍ୟର ଭାଷାତାତ୍ତ୍ବିକ ବିଶେଷତ୍ବ ପ୍ରତି ସେମାନଙ୍କର ଦୃଷ୍ଟିଆକର୍ଷଣ କରାଯିବା ଉଚିତ। ତା’ ନହେଲେ ସମସ୍ତ ଉଚ୍ଚଶିକ୍ଷିତବର୍ଗ ଓଡ଼ିଆ ଭାଷାରେ ମୂକ ପାଲଟିଯିବେ। ଓଡ଼ିଆ ଭାଷା ଚାଲିଯିବ ହାଣ୍ଡିଶାଳର ଚୁଲି କଣକୁ, ଯେଉଁ ଚୁଲିକଣରେ ଓଡ଼ିଆଭାଷା ବନ୍ଦୀ ହୋଇରହିବ, ଯେହେତୁ ରାଜଦାଣ୍ଡରୁ ଏ ଭାଷାକୁ ଅନ୍ୟ ଭାଷାମାନେ ଘଉଡ଼ାଇ ଦେଉଛନ୍ତି। ଏହା ଘଟିବ ନୁହେଁ, ଏହା ଘଟି ସାରିଲାଣି।

Comments are closed.