ମହିମାମୟ ପଟିଦିଅଁ

ରଜତ କୁମାର କର

ମହିମାମୟ ପଟି ଦିଅଁ ଅଣସର ପଟି ସାମନାରେ ରହସ୍ୟମୟ ଭାବେ ବିଜେ ହୋଇଛନ୍ତି। କି ଲୀଲା ଚାଲିଛି ନୀଳାଚଳରେ। ଲୀଳାମୟ ! ହେ ରହସ୍ୟମୟ ! ଭକ୍ତମାନଙ୍କୁ ଭୁଆଁ ବୁଲେଇ କି ଲୀଳା ରଚୁଛ ତୁମେ ! ଅର୍ଜୁନଙ୍କୁ ବିଶ୍ବରୂପ ଦେଖେଇ ତୁମେ ଭୟଭୀତ କରେଇଦେଲ। ଭୀତ୍ରତ୍ରସ୍ତ ହୋଇ ସେ ବରଡ଼ାପତର ପରି ଥରିଲା। କହିଲା, ‘ସମ୍ବରଣ କର ଏ ରୂପ। କୋଟିକୋଟି, ଗ୍ରହ, ନକ୍ଷତ୍ର, ତାରା ତୁମ ଗର୍ଭରେ ପ୍ରବେଶ ଓ ବାହାର ହେଉଛନ୍ତି? ଏହା ସହି ହେଉନାହିଁ।’ ପ୍ରଭୁ କହିଲେ, ସହସ୍ର ବାହୁ, ସହସ୍ର ପାଦ ପରିବର୍ତ୍ତେ ମୁଁ ଚତୁର୍ଭୁଜ ହେଉଛି। ସେତିକି ଅନ୍ତତଃ ସହ୍ୟ କର।’ କିଛି ସମୟ ପରେ ସେତିକି ମଧ୍ୟ ଅର୍ଜୁନର ଅସହ୍ୟ ! ‘ମୋ ଭଳି ହୁଅ। ସେହି ମୋର ବନ୍ଧୁ, ସଖା, ଭ୍ରାତା ଭାବରେ।’ ଧନ୍ୟ ହେ ମଣିଷ ରୂପୀ ଅର୍ଜୁନ! ଟିକିଏ ଶକ୍ତି ପାଇ ପୂର୍ବଜନ୍ମରେ ଥିଲ ତୁମେ ନର; ସେ ଥିଲେ ତୁମ ଅଭିନ୍ନରୂପ ନାରାୟଣ। ନିଜର ଊରୁ ଦେଶକୁ ଚିରି ସେଦିନ ଜାତ କରିଥିଲେ ଉର୍ବଶୀ ଅପ୍‌ସରାକୁ ଇନ୍ଦ୍ରର ଗର୍ବ ଚୂର୍ଣ୍ଣ କରିବାପାଇଁ। ଆଜି ତୁମକୁ ନିଜ ବଳଦେଇ ଶକ୍ତିମାନ କରିଛନ୍ତି। ତଥାପି ତୁମେ ଅସମର୍ଥ ଓ ଭୟାଳୁ! ଧନ୍ୟ ହେ ଅର୍ଜୁନରୂପୀ ମନୁଷ୍ୟ।

ହେ ଜଗନ୍ନାଥ! ଦ୍ବାପର ଯାଇ କଳି ଆସିଲା। ଅର୍ଜୁନ ଭଳି ତୁମର ସେ ଦିନର ସଖା କାହାନ୍ତି ପ୍ରଭୁ? ଆମେ ଗୁଡ଼ାକ କେତେ ଛୋଟିଆ, ମୋଟାବୁଦ୍ଧିଆ ଅର୍ଥାତ୍‌ ସ୍ଥୂଳ ବୁଦ୍ଧି ସମ୍ପନ୍ନ ମାନବ ରୂପଧାରୀ ମଣିଷ ଭଳି ବଞ୍ଚିଥିବା କ୍ଷୁଦ୍ର ଜୀବମାନେ। କିପରି ଧରିବୁ ତୁମର ସୂକ୍ଷ୍ମାତି ସୂକ୍ଷ୍ମ ଲୀଳାର ତରଙ୍ଗକୁ ଆମର ସୀମିତ ମସ୍ତିଷ୍କର ଶିରା ପ୍ରଶିରାରୂପୀ ତୁମ ପ୍ରଦତ୍ତ ସାମାନ୍ୟ ଏରିୟେଲ ମାଧ୍ୟମରେ। ବିଚିତ୍ର ଭାବେ ସିଂହାସନ ସାମନାରେ ଦିଶୁଛନ୍ତି ପ୍ରଭୁ ଅଣସର ଘର ପରିସର ମଧ୍ୟରେ। ଅଣସର ଘର ତିଆରି କରି ଜଗତସାରା ପ୍ରଚାର କରିଛ ପ୍ରଭୁ ତୁମକୁ ଜର ହେଇଛି। କପିଳେନ୍ଦ୍ର ଦେବଙ୍କ ସମୟ ତଥା ଗଙ୍ଗବଂଶୀ ୪ର୍ଥ ଭାନୁଙ୍କ ସମୟରେ ତୁମେ ଦିଲ୍ଲୀର ସିଆସୁଦ୍ଦିନ ତୋଗଲକ ହାତରେ ବୁହା ହୋଇ ଶ୍ରୀମନ୍ଦିରରୁ ହରଣଚାଳ ହୋଇଗଲା। ତୁମରି ଇଚ୍ଛାରେ ଶବରମାନଙ୍କ ପୂଜକ ହାତଗୋଡ଼ ନ ଥିବା ମାଦଳା ଠାକୁର ଭାବେ ସେହି ରାଜା ୪ର୍ଥ ଭାନୁଦେବ ହାତରେ ପ୍ରତିଷ୍ଠିତ ହେଲ ବୋଲି ଆମ ମଥାରେ ଢ଼ୁକୁଚି। ଶବରମାନେ ପୂଜିଲେ; ଶବରମାନେ ମଧ୍ୟ ପ୍ରଭୁଙ୍କୁ ଜଗିଲେ। ଯବନଭୟ ଦୂର ହୋଇ ରଜା ଭାନୁଦେବ ନିଶ୍ଚିନ୍ତ ହେଲେ। ଲୋକେ କହିଲେ ରଜା ପାଗଳ ହୋଇଗଲା। ଡାକ ନାମ ହେଲା ମତ୍ତଭାନୁ। ଏକଥା ଇତିହାସ କେଉଁଠି ଲେଖିନାହିଁ। ତୁମ କୃପାରୁ ଆମ ମନକୁ ପଇଟୁଛି। ସେଇ ଶବର ବୋଧହୁଏ ଦଇତା ନାମରେ ବ୍ରାହ୍ମଣଙ୍କ ସହ ପୂଜାରେ ଭାଗୀଦାର ହେଲେ ବୋଲି ରାଜା ଆଜ୍ଞା ଦେଇଦେଲେ। ପ୍ରସ୍ତରରୁ ଦାରୁ ଦିଅଁ, ହେଲ ପ୍ରଭୁ। ହାତ ନାହିଁ; ପାଦ ନାହିଁ; କାନ ନାହିଁ, ଅସମତୁଲ ଅଙ୍ଗ ପ୍ରତ୍ୟଙ୍ଗ ହେଲା। ରାଜା କହିଲେ, ପଣ୍ଡିତେ କହିଲେ ବେଦଜ୍ଞ କହିଲେ, ‘ଏ ବ୍ରହ୍ମରୂପ’। ବ୍ରହ୍ମ ପ୍ରତୀକ ପ୍ରତିମା ରୂପରେ ବିଜେ ହେଲେ।’ ସର୍ବ ସମକ୍ଷରେ ସ୍ନାନ ହେଲା। ଶାସ୍ତ୍ରରେ ଲେଖାହେଲା ସ୍ନାନ ଦର୍ଶନ ପରେ ପୁନର୍ଜନ୍ମ ନାହିଁ।

ଜମା ନ ଗାଧୋଇ ଦର୍ପଣ ସ୍ନାନ କରୁଥିବା ଦିଅଁଙ୍କର ୧୦୮ ଗରା ଜଳରେ ସ୍ନାନ ହେଲା। କିମିତି ସମ୍ଭାଳି ହେବ? ଅତୁଠ ପାଣି ଅର୍ଥାତ୍‌ ଶୀତଳ କୂଅରୁ ବର୍ଷଯାକ ବନ୍ଦ ହୋଇଥିବା ତ ଥଣ୍ଡାଜଳ ଜରକୁ ଡାକି ଆଣିଛି।

ଚାରି ଠାକୁର ଅର୍ଥାତ୍‌ ଚତୁର୍ଦ୍ଧାମୂର୍ତ୍ତି ଜର ଭୋଗୁଛନ୍ତି। କବିରାଜ ଦଶମୂଳା ରିଷ୍ଟ ଖୁଆଇ ଜର ଉପଶମ ପାଇଁ ଲାଗି ପଡ଼ିଛନ୍ତି। ଅଣସର ବେଳେ ଦଇତାସେବକ ଦେଉଛନ୍ତି ସୁସ୍ବାଦୁ ପଣା।

ତୁମ କୃପାରୁ ସେ ସୁସ୍ବାଦୁ ପଣା ପିଇ ଆମ ପ୍ରାଣ ପୂରିଯାଉଛି। ଜର ଭୋଗିଲେ ଇମିତି ସରଲବଣୀ ମିଶା ସୁସ୍ବାଦୁ ପଣା ପିଇଲେ, କାହାର ଜର ଭୋଗିବାକୁ ଇଚ୍ଛା ନ ହେବ ପ୍ରଭୁ?

କିନ୍ତୁ ଏ ପୁଣି କ’ଣ? ଏ ଅଣସର ତାଟି ଆରପଟେ ତୁମର ଏଇ ମାଦଳ ବା କର ଚରଣ ବିହୀନ ରୂପର ପ୍ରତିନିଧିତ୍ବ କରୁଛନ୍ତି ପଟି ଦିଅଁ। ତାଟିରେ ଲାଗିଥିବା ବଳଭଦ୍ରଙ୍କ ବାଡ଼ରେ ଅଛନ୍ତି ଅନନ୍ତ ବାସୁଦେବ। ସେ ହେ​‌େ​‌ଲ ସମ୍ପୂର୍ଣ୍ଣ ମୂର୍ତ୍ତି ପ୍ରଭୁଙ୍କର। ବୀର ଦର୍ପରେ ବୀର କେଶ ବା ମୁଛ ଥିବା ମୁଖ ଦର୍ଶନ କରାଇ ଭକ୍ତଙ୍କୁ ଅନୁଗୃହୀତ କରାଉଛନ୍ତି। ଶ୍ରୀଜଗନ୍ନାଥଙ୍କ ବାଡ଼ ବା ସମ୍ମୁଖସ୍ଥ ତାଟିରେ ଅଛନ୍ତି ବୀରବେଶରେ ହସ୍ତପଦ ଯୁକ୍ତ ଅନନ୍ତ ନାରାୟଣ ଓ ମଝିରେ ଅଛନ୍ତି ଦେବୀ ଭୁବନେଶ୍ବରୀ। ସେ ପୁଣି ହସ୍ତ ବିହୀନ ଭଗିନୀ ସୁଭଦ୍ରାଙ୍କର ପ୍ରତୀକ ରୂପୀ ପ୍ରତିନିଧି। କି ବିଚିତ୍ର ବ୍ୟବସ୍ଥା ପ୍ରଭୁ ଏହା ତୁମ୍ଭର ! ଭକ୍ତଗୁଡ଼ାଙ୍କୁ ଏପରି ଭକୁଆ କାହିଁକି କରି ଦେଉଛ ହେ ପ୍ରଭୁ !

ସେପଟେ ଜର ରୋଗୀ ଫଳାହାରୀ ଚିକିତ୍ସାଭୋଗୀ ପ୍ରଭୁ; ଏ ପଟେ ତାଙ୍କ ସାମ୍‌ନାରେ ଷାଠିଏ ପଉଟି ଭୋଗ ଥୁଆ ହୋଇ ଭାରଭାର ହାଣ୍ଡିର ଅନ୍ନ, ବ୍ୟଞ୍ଜନର ଦିବ୍ୟ ଭୋଜନ କରୁଥିବା ପ୍ରଭୁଙ୍କ ଲୀଳା ଚାଲିଛି। ଭକ୍ତମାନେ ମହାପ୍ରସାଦ ପ୍ରାପ୍ତ ହୋଇ ଅନ୍ନକୁ ମଥାରେ ବୋଳି କୃତ୍ୟ କୃତ୍ୟ ହେଉଛନ୍ତି।

ତାଟି ଆରପଟେ ଜର; ଏପଟେ ଭୋଜନର ଅପୂର୍ବ ସମ୍ଭାର! ସେପଟେ କିଏ? ପ୍ରଭୁ ଏ କି ବ୍ୟାପାର? ଏପଟେ କିଏ/ କିଏ ଜ୍ବରଗ୍ରସ୍ତ ରୋଗୀ ଆଉ କିଏ ଦିବ୍ୟ ଭୋଜନର ମହାନ ଭୋଗୀ ମଥା ଘୂରୁଛି ପ୍ରଭୁ! ସମ୍ମାଳ! ସମାଧାନ କର।

ନାରଦ ଆସିଥିଲେ ଭଗବାନ ଶ୍ରୀକୃଷ୍ଣ କିପରି ଏତେ ସଂଖ୍ୟକ ନାରୀଙ୍କୁ ଏକ ସଙ୍ଗରେ ତୃପ୍ତ କରି ପାରୁଛନ୍ତି। ଦେଖିଲେ ଏକ କୃଷ୍ଣ କେଉଁଠି ଶୟନରତ; କେଉଁଠି ଭୋଜନବ୍ୟସ୍ତ, କେଉଁଠି ମନ୍ତ୍ରଣାଯୁକ୍ତ ଓ କେଉଁଠାରେ କ୍ରୀଡ଼ା, କୌତୁକ ଅନୁରକ୍ତ। ଏକଙ୍କ ଅନେକ ରୂପ ସେଦିନ ଦ୍ବାରକାରେ ଦ୍ବାପରରେ ଦେଖିଥିଲେ ନାରଦ।

କଳିରେ ଆମ ଭଳି ମଣିଷର ଦନ୍ତ ପାତ ହେଇଯିବ ଅର୍ଥାତ ଦାନ୍ତ ଗଳି ପଡ଼ିବ। ଏ ଟାଣ ତତ୍ତ୍ବକୁ ଚୋବେଇବା ମାତ୍ରେ ଆମେ ରଦ ବା ଦନ୍ତହୀନ ନାରଦ ଭଳି ହେଇଗଲୁଣି। ତୁମେ ଆମକୁ ଭଣ୍ଡି ଦେବାବେଳେ ଆମେ ତତ୍ତ୍ବକୁ ଏବେ ଦରାଣ୍ଡି ଧରୁଛୁ। ଦୋଷ ଧରିବ ନାହିଁ ପ୍ରଭୁ। ବିବର୍ତ୍ତନ ଧାରାରେ ତୁମେ ପ୍ରଥମେ ଅପ୍ରାକୃତ ଇନ୍ଦ୍ରନୀଳମଣି ହୋଇ ତୁମର ଦର୍ଶନରେ ସକଳ ଜୀବକୁ ମୁକ୍ତି କଲ ପ୍ରଭୁ। ଯମର ପ୍ରାର୍ଥନା ପରେ ତୁମେ ବାଲୁକାରେ ଗୁପ୍ତ ହୋଇଗଲ।

ପ୍ରସ୍ତର ପ୍ରତିମା ରୂପେ ମହୋଦଧି ତୀରରେ ଭକ୍ତର ପୂଜା ଗ୍ରହଣ କରି ଚାହିଁଲ ଉପନିଷଦ ବର୍ଣ୍ଣିତ ଅପାଣିପାଦ ରୂପ ଧାରୀ ଦାରୁଦେବତା ହେବାପାଇଁ। ନିମ୍ବ ବୃକ୍ଷରେ ଶଙ୍ଖ, ଚକ୍ର ଚିହ୍ନ ଦେଇ ତୁମେ ଚିହ୍ନିତ କରିଦେଲେ ନିଜର କଳେବରକୁ।

ସେଇ କଳେବରକୁ ବାଛିଲ। ଶାସକ ମୂର୍ତ୍ତି ସ୍ଥାପନା ପାଇଁ। ଯବନ ଆକ୍ରମଣରୁ ସୁରକ୍ଷା ପାଇଁ ଦେବତା ଦାରୁ ମୂର୍ତ୍ତି ହେବେ। ସ୍ଥାନାନ୍ତରିତ ହେବେ ପ୍ରଭୁ ସୁବିଧାରେ।

ପୁରାଣ ସେଇ ରାଜାକୁ କହିଲା ଇନ୍ଦ୍ରଦ୍ୟୁମ୍ନ ତାଙ୍କର ସ୍ଥାପିତ ଦାରୁମୂର୍ତ୍ତି ମନ୍ଦିରରୁ ବାହାରି ନାନା ପ୍ରକାରେ ଲୀଳା କରିବେ। ଭକ୍ତବାନ୍ଧବ ଭାବେ ଭକ୍ତ ମେଳାରେ ଖେଳା କରିବେ ପ୍ରଭୁ।

ଯେଉଁଠି ନିର୍ମିତ ହେଲେ ମୂର୍ତ୍ତି, ସେଇ ସ୍ଥାନକୁ ବାର୍ଷିକ ଯାତ୍ରା ଉତ୍ସବ ଜାତିର ପରମ ଆଦରଣୀୟ ହେଇଗଲା।
ଶାରଳା ଠାକୁରାଣୀଙ୍କର ପରମଭକ୍ତ ସାରଳା ଦାସ ଶ୍ରୀକୃଷ୍ଣଙ୍କ ଅପୋଡ଼ା ନାଭି ଦାରୁ ରୂପରେ ଭାସିଆସିଲା- କାହାଣୀ କହିଲେ। ସେ ପୁଣି ବିଭୀଷଣକୁ କଳିଯୁଗରେ ଆଣିଲେ ଏଇ ଦାରମୂର୍ତ୍ତିଙ୍କ ବାହୁଡ଼ା ପରେ ବନ୍ଦାପନା କରିବା ପାଇଁ। ମହାଭାରତରେ ଲେଖିଲେ ସାରଳା ଦାସ। କହିଲେ ଆମ ହସ୍ତପଦ ଯୁକ୍ତ ପ୍ରଭୁ କାହାନ୍ତି?

ତତ୍ତ୍ବଦର୍ଶୀ ବେଦଜ୍ଞ କହିଲେ, ‘ଦାରୁରେ ଗଠିତ ତତ୍ତ୍ବମୂର୍ତ୍ତିର ଗର୍ଭରେ ସମ୍ପୂର୍ଣ୍ଣ ମୂର୍ତ୍ତି ଓ ଶାଳଗ୍ରାମ ଅଛନ୍ତି। ଏବେ ଅଣସର ବେଳେ ତତ୍ତ୍ବ ମୂର୍ତ୍ତିଙ୍କୁ ଜର; ଗର୍ଭରେ ଥିବା ମୂର୍ତ୍ତିଙ୍କୁ କିନ୍ତୁ ସବୁ ଆଦର ଓ ତାଙ୍କପାଇଁ ସବୁ ପ୍ରକାର ଆହାରର ବ୍ୟବସ୍ଥା ହଉ।

Comments are closed.