ଦୁର୍ନୀତିରୁ ଦୁର୍ଗତି

ପବିତ୍ର ସୁବୁଦ୍ଧି

ଏ ଆଲେଖ୍ୟଟି ଲେଖିଲା ବେଳକୁ ପ୍ରଖ୍ୟାତ ଇଂରେଜ କବି ଚସରଙ୍କର ଏକ କାଳଜୟୀ ଉକ୍ତି ମନେ ପଡ଼ୁଛି, ‘‘ଇଫ୍‌ ଗୋଲ୍ଡ ରଷ୍ଟସ୍‌, ହ୍ବାଟ ସାଲ୍‌ ଦି ଆଇରନ୍‌ ଡୁ?’’ ଅର୍ଥାତ୍‌ ଯଦି ସୁନାରେ କଳଙ୍କି ଲାଗେ, ତେବେ ଲୁହା କ’ଣ କରିବ? ମନେହୁଏ ଚସର-ପ୍ରଦତ୍ତ ଏହି ପ୍ରଶ୍ନଟି ଆଜି ସୁଦ୍ଧା ଅନୁତ୍ତରିତ ଅବସ୍ଥାରେ ଆମ ସମାଜ ସମ୍ମୁଖରେ ଝୁଲି ରହିଛି। ଯେଉଁ ଭାରତର ଆଧ୍ୟାତ୍ମିକ ଓ ପ୍ରାଜ୍ଞ ପରମ୍ପରାକୁ ନେଇ ଦିନେ ଆମେ ଗର୍ବ କରୁଥିଲୁ ଆଜି ସେହି ଦେଶ ଦୁର୍ନୀତି ଓ ଦୁରାଚାର ପାଇଁ କୁଖ୍ୟାତ କହିଲେ ଅତ୍ୟୁକ୍ତି ହେବନାହିଁ। ବେଦ, ଉପନିଷଦ, ଗୀତା, ଭାଗବତ କଥା ଛାଡ଼ନ୍ତୁ, ଯେଉଁ ଭାରତବର୍ଷର ସାଧାରଣ ଲୋକସାହିତ୍ୟ ବି ଏହି ଜ୍ଞାନ ପରିବେଷଣ କରୁଥିଲା ଯେ, ‘ଅଧର୍ମ ବିତ୍ତ ବଢ଼େ ବହୁତ, ଗଲାବେଳେ ଯାଏ ମୂଳ ସହିତ’, ସେହି ଭାରତବର୍ଷର ଶିକ୍ଷିତ ଲୋକେ, ଯନ୍ତ୍ରୀଙ୍କଠୁ ଆରମ୍ଭକରି ମନ୍ତ୍ରୀଙ୍କ ପର୍ଯ୍ୟନ୍ତ, କିରାଣିଙ୍କଠୁ ଆରମ୍ଭ କରି କର୍ପୋରେଟ ଅଧିକାରୀଙ୍କ ପର୍ଯ୍ୟନ୍ତ, ଶାସିତଙ୍କଠୁ ଶାସକଙ୍କ ପର୍ଯ୍ୟନ୍ତ କିପରି ବିଶ୍ବାସ କରୁଛନ୍ତି ଯେ ଲାଞ୍ଚନେଇ, ଲାଞ୍ଚ ଦେଇ, ଜାତୀୟ ସଂପତ୍ତି ଆତ୍ମସାତ୍‌ କରି, ଅନ୍ୟକୁ ପ୍ରବଞ୍ଚିତ କରି ସେମାନେ ସୁଖୀ ହୋଇପାରିବେ?

ନିକଟ ଅତୀତରେ ପ୍ରକାଶ ପାଇଥିବା ‘ଟ୍ରାନ୍ସପାରେନସି ଇଣ୍ଟରନ୍ୟାସନାଲ’ର ସର୍ବେକ୍ଷଣ ଅନୁସାରେ ପୃଥିବୀର ୧୮୦ଟି ଦୁର୍ନୀତିଗ୍ରସ୍ତ ଦେଶଙ୍କ ମଧ୍ୟରେ ଭାରତର ସ୍ଥାନ ଏବେ ୮୬। ଭାରତ ଭଳି ଏକ ମହାନ ଗଣତାନ୍ତ୍ରିକ ରାଷ୍ଟ୍ରରେ ଟଙ୍କିକିଆ ଚାଉଳ, ଇନ୍ଦିରା ଆବାସ ଘର, ବିପିଏଲ କାର୍ଡ, ଡାକ୍ତରଖାନାରେ ଚିକିତ୍ସା, ସ୍କୁଲରେ ନାମଲେଖା, ବିଦ୍ୟୁତ୍‌ ଓ ପାନୀୟଜଳ ଯୋଗାଣ ଭଳି ମୌଳିକ ସାଧନ ପାଇବାପାଇଁ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକେ କେବଳ ୧୦୦୦ କୋଟିରୁ ଅଧିକ ଟଙ୍କା ଲାଞ୍ଚ ଦେଇଛନ୍ତି। କର୍ପୋରେଟ କ୍ଷେତ୍ରର ଲାଞ୍ଚ କଥା ଏଠି ନ କହିବା ଭଲ। ଏକ ପରିସଂଖ୍ୟାନ କହେ- ୧୯୪୮ରୁ ୨୦୦୮ ମସିହା ମଧ୍ୟରେ ଭାରତରୁ ପ୍ରାୟ ୨୦ ଲକ୍ଷ କୋଟିରୁ ଊର୍ଦ୍ଧ୍ବ କଳାଟଙ୍କା ଯାଇ ବିଦେଶୀ ବ୍ୟାଙ୍କରେ ଗଚ୍ଛିତ ଅଛି। ତାଳୁରୁ ତଳିପା ସବୁଠି ଦୁର୍ନୀତି। ଦୁର୍ନୀତି ଓ ଭ୍ରଷ୍ଟାଚାର ପାଲଟିଛି ନିତିଦିନିଆ ନୀତି। ସବୁଠି ମାଳମାଳ ଚୋରା ବିଦେଶୀ ବେପାରୀ ସବୁ ଏଠୁ ଚାଲିଯିବା ପରେ ଏବେ ଚାଲିଚି ଦେଶୀ ବେପାରୀଙ୍କ ଖେଳ। ଟ୍ରକ ଡାଲାରେ ବୁହାଚାଲିଛି ପାହାଡ଼। ମୋଟା ପାଇପ୍‌ରେ ଚୋରି ହେଉଛି ନଦୀ। କାହାର ଉଷୁମ ନିଶ୍ବାସରେ ଜଳିଯାଉଛି ଜଙ୍ଗଲ। କୋଟିକୋଟି ମେହନତୀ ମଣିଷଙ୍କ ହାଡ, ରକ୍ତ, ମାଂସ, ଶ୍ରମ ଓ ସ୍ବେଦ ବଦଳିଯାଉଛି କେତେଜଣଙ୍କ ମେଦରେ। ମୃତ୍ୟୁଶଯ୍ୟାରେ ଶୋଇଛି ଭାରତର ଭାଗ୍ୟ। ସୁଲତାନ ମାମୁଦ୍‌ମାନେ ଲୁଟି ଚାଲିଛନ୍ତି ଆମ ଜଙ୍ଗଲ ଓ ଜମି, ଖଣି ଓ ପାଣି, ସ୍ବପ୍ନ ଓ ସମ୍ଭାବନା, ଭାଗ୍ୟ ଓ ଭବିଷ୍ୟତ। ଦୁର୍ନୀତିରେ ଉବୁଟୁବୁ ସାରା ଭାରତ। ଚିଟ୍‌ଫଣ୍ଡ୍‌ ନାଁରେ ଚିତାକାଟି ଦରିଦ୍ରକୁ ଦରିଦ୍ରତର କରିଚାଲିଛନ୍ତି ରାତାରାତି ବଡ଼ଲୋକ ହେବାର ସ୍ବପ୍ନ ବିଳାସୀ ବଣିକମାନେ। ତଥାପି ପ୍ରତିବାଦ ନାହିଁ ଆମର। କିଏ ସୁଯୋଗ ନେଉଛି ତ ନେଉ ଆମ ପ୍ରାଚୁର୍ଯ୍ୟ ଓ ଦାରିଦ୍ର୍ୟର।

ମାନସିକତା ଯେଉଁଠି ରୋଗଗ୍ରସ୍ତ, ଧର୍ମ ଭୟ ବିଲୁପ୍ତ, ମାନବିକତା ଯେଉଁଠି ମୃତ, ଜାତୀୟଜୀବନ କଳୁଷିତ, ସେଠାରେ ନିୟମକାନୁନ୍‌, କୋର୍ଟକଚେରି, ପୁଲିସ, ସିଆଇଡି, ଭିଜିଲାନ୍ସ ବା ସିବିଆଇର କି ସାଧ୍ୟ ଅଛି ଯେ ସେମାନେ ବିହନ, ଡାଲି, ସାର, ଗୋ ଖାଦ୍ୟ, ଚିନି, ହାୱାଲା, ତୋପ, ବୁଡ଼ାଜାହାଜ, ବୋଫର୍ସ, ରାଫେଲ, କ୍ରୀଡ଼ା, ଖଣି, ପାଣି, ଜମି, ଜଙ୍ଗଲ, ରିଲିଫ ଓ କ୍ଷୀରରୁ ଦୁର୍ନୀତିର କାଳିମା ହଟାଇପାରିବେ? ଏହା ତ ଏବେ ଘର ବାହାର, ଶିକ୍ଷାୟତନ, ସଂସଦ ଭବନ, ମନ୍ଦିର, ବିପଣି, ଖଣିପାଣି ସବୁଠି ମନରେ, ବିବେକରେ, ଭାବନାରେ, ବୁଦ୍ଧିରେ, ଚେତନା ଓ ଚୈତନ୍ୟରେ ମଧ୍ୟ।

ପାଠକେ! ଏଠି ଦୁର୍ନୀତିରେ ବି ଦୁର୍ନୀତି, ଏଥିରେ ଦେଶ ଆଗେଇବ କେମିତି? ଦୁର୍ନୀତି ଏକ ମାନସିକ ବ୍ୟାଧି। ଏହା ମହାମାରୀ କରୋନାଠାରୁ ବି ମାରାତ୍ମକ। ଏ ଭୟଙ୍କର କରୋନା କାଳରେ ଆମ ଦେଶର ଲକ୍ଷଲକ୍ଷ ନାଗରିକ ଶ୍ବାସରୁଦ୍ଧ ଅବସ୍ଥାରେ କଲବଲ୍‌ ହେଉଥିବାବେଳେ ବିପର୍ଯ୍ୟୟର ବଣିକମାନେ ହଜାରେ ଟଙ୍କା ମୂଲ୍ୟର ଅକ୍ସିମିଟରକୁ ପାଞ୍ଚହଜାର ଟଙ୍କାରେ, ରେମ୍‌ଡେସିଭିର ଇଞ୍ଜେକ୍ସନକୁ ତା’ର ମୂଲ୍ୟ ପାଞ୍ଚହଜାର ବଦଳରେ କୋଡ଼ିଏରୁ ଚାଳିଶହଜାର ଟଙ୍କାରେ ବିକ୍ରି କରୁଛନ୍ତି। ଅକ୍ସିଜେନ ସିଲିଣ୍ଡରକୁ ଲୁଚାଇରଖି କୃତ୍ରିମ ଅଭାବ ସୃଷ୍ଟି କରିବା ସହିତ ଅନେକ ଗୁଣ ଅଧିକ ମୂଲ୍ୟରେ ବିକ୍ରି କରୁଛନ୍ତି। ଆମ୍ବୁଲାନ୍ସ ଗାଡ଼ି ମାଲିକ ଉଦ୍ଦିଷ୍ଟ ମୂଲ୍ୟଠାରୁ ଦଶଗୁଣ ପର୍ଯ୍ୟନ୍ତ ଅଧିକ ଟଙ୍କା ଦାବି କରୁଛନ୍ତି। କେବଳ ଏତିକି ନୁହେଁ, ଲକ୍‌ଡାଉନ୍‌ ଓ ସଟ୍‌ଡାଉନ ଘୋଷଣା ହେବାମାତ୍ରେ ପନିପରିବାଠାରୁ ଆରମ୍ଭ କରି ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟର ଦରଦାମ୍‌ରେ ଅହେତୁକ ବୃଦ୍ଧି ଘଟାଉଛନ୍ତି।

ଏଥିପାଇଁ ଆମେ ସମସ୍ତଙ୍କୁୁ ଦୋଷ ଦେଇପାରିବା, ଗାଳି କରିପାରିବା, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ବିଧାୟକ, ସାଂସଦ, ସମସ୍ତଙ୍କୁ; କିନ୍ତୁ ଏ କଳାବଜାରୀ କରୁଛି କିଏ? ମାନବିକତାକୁ ବିକ୍ରି କରିଦେଇ ପାରାସିଟାମଲକୁ ରେମ୍‌ଡେସିଭିର୍‌ ଇଞ୍ଜେକ୍ସନରେ ଭର୍ତ୍ତିକରି ବିକୁଛି କିଏ? ପାନିପଥରୁ ଫରିଦାବାଦ ଶବ ନେବା ପାଇଁ ଚାଲିଶ ହଜାର ଟଙ୍କା ପର୍ଯ୍ୟନ୍ତ ଦାବି କରୁଛି କିଏ? ଅକ୍ସିଜେନ୍‌ ସିଲିଣ୍ଡରକୁ ଚଢ଼ାଦରରେ ବିକ୍ରି କରୁଛି କିଏ? ଆମେ ନା? ଏଥିପାଇଁ ଆମେ ସମସ୍ତେ ଦାୟୀ। ଆଜି କରୋନା ଆମକୁ ମାରୁନି, ଆମେ ମଣିଷ ହିଁ ମଣିଷକୁ ମାରୁଛେ। ଏ ଦେଶରେ ଯିଏ ବି ଯେତେବେଳେ ସୁଯୋଗ ପାଏ, ସେ ଲୁଟିବାକୁ ଭୁଲେନି। ଚୋରି କରିବାକୁ ସୁଯୋଗ ନଥିଲେ ସମସ୍ତେ ଏଠି ସାଧୁ। ଏଣୁ କେବଳ ଧ୍ବନିଦେଲେ ଏ ଦୁର୍ନୀତି ହଟିବ ନାହିଁ, ଏଥିପାଇଁ ଶକ୍ତିଶାଳୀ ଆନ୍ଦୋଳନ ଲୋଡ଼ା।

କେବଳ ଆଇନକାନୁନ୍‌ରେ ମଣିଷ ଜାତିର ଭାଗ୍ୟ ବଦଳେନି। କେଉଁ ଆଇନ୍‌ ପାଇଁ ଲଢ଼ୁଥିଲେ ଗାନ୍ଧୀ, ବୁଦ୍ଧ, ଯିଶୁ, ମହମ୍ମଦ, ସକ୍ରେଟିସ, ମାର୍କ୍ସ, ନାନକ, କବୀର? କେଉଁ ଆଇନ ପାଇଁ ଭଗବାନ ନେଇଥିଲେ ଦଶ ଅବତାର? ଏଣୁ ଆଇନ୍‌ ନୁହେଁ ମଣିଷ ଜାତିର ମତିଗତି ଓ ମାନସିକତାରେ ପରିବର୍ତ୍ତନ ଲୋଡ଼ା। କୌଣସି ବାହ୍ୟ ଆଚାର-ସଂହିତା ଚରିତ୍ରରେ ସଂଶୋଧନ ଆଣି ପାରିବନାହିଁ। ଏଥିପାଇଁ ଚେତନାର ଅଭ୍ୟନ୍ତରର ବିକାଶ ଲୋଡ଼ା। ଚେତନାରେ ପ୍ରଗତି ନ ଆସିଲେ ଏ ପୃଥିବୀରୁ ଭ୍ରଷ୍ଟାଚାର ହଟିବ ନାହିଁ କି ଅନୀତି ଅତ୍ୟାଚାର ତୁଟିବ ନାହିଁ। ଏହା କଷ୍ଟସାଧ୍ୟ ହେଲେ ବି ଏକମାତ୍ର ବିକଳ୍ପହୀନ ପନ୍ଥା। ମହାମାରୀ କରୋନା ଆମକୁ ଯଥେଷ୍ଟ ଶିକ୍ଷା ଦେଲାଣି। ସକାଳ ସପନ ସଞ୍ଜକୁ ନାହିଁ। ଏହା ସତ୍ତ୍ବେ ଆମେ ଯଦି କିଛି ନ ଶିଖିଲେ, ତେବେ ତାହା ହିଁ ହେବ ଏ ମଣିଷ ଜାତିର ସବୁଠାରୁ ବଡ଼ ଦୁର୍ଗତି। ଏଣୁ କରୁଥିବା କର୍ମକୁ ଅବଶ୍ୟ ଡରନ୍ତୁ, କାରଣ ଦିନେ ନା ଦିନେ ଆମ ସମସ୍ତଙ୍କୁ ନିଜ କର୍ମଫଳ ଭୋଗିବାକୁ ହେବ, ମଣିଷଙ୍କ କୋର୍ଟରେ ନହେଲେ ବି ଈଶ୍ବରଙ୍କ କୋର୍ଟରେ ତ ନିଶ୍ଚୟ। ସାଧୁ ସାବଧାନ।

Comments are closed.