ଆମ ନିର୍ବାଚନ: କେତେ ସ୍ବପ୍ନହୀନ, କେତେ ବିବର୍ଣ୍ଣ!

ହେମେନ୍ଦ୍ର ନାରାୟଣ ଦାସ

କ’ଣ ସବୁଠାରୁ ବଳି ସାଂଘାତିକ ସତ୍ୟ ହେଉଛି, ଆମେ ସତ୍ୟ କ’ଣ, ତାକୁ ଠିକ୍‌ରୂପେ ଜାଣୁନା? ଆମେ ଜାଣୁନା କାହିଁକି ଏପରି ହୃଦୟବିଦାରକ ଭାବରେ ମୃତ୍ୟୁ ତା’ର ଶୀତଳଛାୟାର ଆଲିଙ୍ଗନରେ ଆମକୁ ଜାବୁଡ଼ି ଧରିଛି। ଆମର ବିଶ୍ବାସ ଓ ଆସ୍ଥା ଟିକକ ସଂହାରଶୀଳା ପ୍ରକୃତିର ନିବିଡ଼ ଆଶ୍ଳେଷରେ ଯେପରି ବିଦୀର୍ଣ୍ଣ ହୋଇଯାଇଛି। କାହିଁକି? କ’ଣ ପାଇଁ? ଏହା ହିଁ କ’ଣ ଆପେକ୍ଷିକ ସତ୍ୟର ଏକ ରୂପାନ୍ତର ! ଉପନିଷଦ କ​‌େ​‌ହ ବିଶ୍ବାସ ସ୍ଥାପନା କଲେ ଈଶ୍ବର ଆସନ୍ତି। ସେଇ ବିଶ୍ବାସ ଟିକକ ନେଇ ମଣିଷ ଦେବତାଙ୍କ ଦୁଆରେ ଅଞ୍ଜଳି ପାତେ। କରୁଣା ଭିକ୍ଷା କରେ। ଆଶ୍ରୟ ଲୋଡ଼େ। ସେଇମିତି ବିଶ୍ବାସକୁ ଭରସାରଖି ମଣିଷ ତା’ର ଜୀବନ ଜିଏ ଓ ଶାସକ ବାଛେ। କାଞ୍ଚନ କିମ୍ବା କ୍ଷମତା କୌଳିନ୍ୟର ଊର୍ଦ୍ଧ୍ବରେ ଥିବା ଏଇଭଳି ମଣିଷଙ୍କୁ ବାଛିବା ପାଇଁ ଥିବା ବ୍ୟବସ୍ଥାକୁ ସାଧାରଣ ଭାବରେ ଆମେ କହୁ- ଗଣତନ୍ତ୍ର।

ଏଇ ଗଣତନ୍ତ୍ରର ଇତିହାସ ଏବେକାର ନୁହେଁ, ବେଶ୍‌ ପୁରୁଣା। ପ୍ରାୟ ପାଖାପାଖି ୨୫୦୦ ବର୍ଷ ତଳର କଥା, ଭଗବାନ ଗୌତମବୁଦ୍ଧଙ୍କ ସମୟର କଥା। ତାଙ୍କରି ରାଜ୍ୟ କପିଳବାସ୍ତୁର ସୀମାନ୍ତକୁ ଲାଗି ନେପାଳ ଓ ଆଧୁନିକ ଭାରତବର୍ଷର ବିହାରର ଲିଚ୍ଛାଭିଯୁଗର କଥା। ସେଠାରେ ଶାସକ ବୋଲାଉଥିବା ରାଜା ନିର୍ବାଚିତ ହେଉଥିଲେ। ସେଇ ସମୟରେ ଏଥେନ୍ସରେ ମଧ୍ୟ ଚାଲୁଥିଲା ‘ଏଥେନିଆନ୍‌’ ଗଣତନ୍ତ୍ର। ଭାରତବର୍ଷରେ ପ୍ରକୃତ ଗଣତନ୍ତ୍ର ରୂପନେଲା ସ୍ବାଧୀନତା ପରେପରେ। ଗାନ୍ଧୀ, ନେହେରୁ, ଆମ୍ବେଦକର ପ୍ରମୁଖ ଥିଲେ ଏହାର ପ୍ରାଣବନ୍ତ ରୂପକାର। ଗଢ଼ା ହେଲା ନିର୍ବାଚନ ଆୟୋଗ। ପ୍ରଥମ ମୁଖ୍ୟ ନିର୍ବାଚନ ଆୟୁକ୍ତ ଥିଲେ ସୁକୁମାର ସେନ୍‌। ଆଠବର୍ଷର କାର୍ଯ୍ୟକାଳ ଭିତରେ ତାଙ୍କରି ନେତୃତ୍ବରେ ସମ୍ପନ୍ନ ହୋଇଥିଲା ପ୍ରଥମ ଦୁଇଟି ସ୍ବଚ୍ଛ ଓ ମୁକ୍ତ ନିର୍ବାଚନ।

ଏହାରି ଭିତରେ ସ୍ବାଧୀନତା ପରର ଚଉସ୍ତରି ବର୍ଷ ଅତିକ୍ରାନ୍ତ ହୋଇଯାଇଛି। ଆଜି କିନ୍ତୁ ସମୟର ଏଇ ଛନ୍ଦପତନ ଭିତରେ ନିର୍ବାଚନ ଆୟୁକ୍ତଙ୍କ ଭୂମିକାକୁ ନେଇ ଅନେକ ପ୍ରଶ୍ନ ଗଣମାଧ୍ୟମରେ, ଜନମାନସରେ, ନ୍ୟାୟାଳୟରେ ମଧ୍ୟ। ଏଇ ତ ନିକଟ ଅତୀତରେ ମାଡ୍ରାସ ଉଚ୍ଚ ନ୍ୟାୟାଳୟ ନିର୍ବାଚନ ଆୟୋଗଙ୍କୁ ଭର୍ତ୍ସନା କରି ଅତି କଠୋର ଶବ୍ଦରେ କହିଥିଲେ, ‘‘ଏମାନଙ୍କୁ ‘ଗଣହତ୍ୟାକାରୀ’ ଅପରାଧରେ ଦଣ୍ଡିତ କରାଯିବା ଉଚିତ।’’ କାରଣ ଯେଉଁଭଳି ଭାବରେ ଚାରିଟି ରାଜ୍ୟରେ ନିର୍ବାଚନ ସଭା- ଶୋଭାଯାତ୍ରା ପାଇଁ ଅବକାଶ ସୃଷ୍ଟି କରାଗଲା, ତାହା କେବଳ ନିର୍ବୋଧ ନୁହେଁ, ଛାତିଥରା ମଧ୍ୟ। ନିର୍ବାଚନ ପାଇଁ ଶୋଭାଯାତ୍ରା ଚାଲିଛି। ଦେଶର ଶାସନମୁଖ୍ୟ ଭାଷଣ ଦେଉଛନ୍ତି। ସ୍ବାଭାବିକ ଭାବରେ ବିପୁଳ ଜନସମାଗମ। ଜନତାଙ୍କର ଉଚ୍ଛୃଙ୍ଖଳ ପ୍ଳାବନକୁ ଦେଖି ଆତ୍ମଅଭିନନ୍ଦନର ଆଡ଼ମ୍ବରରେ ଆତ୍ମହରା ହୋଇ କହୁଛନ୍ତି- ‘ଏଭଳି ସମାବେଶ ଆଗରୁ ତ କେବେ ଦେଖିନି’। ଇଏ ଥିଲା କ୍ଷମତା ଓ ପତିଆରାକୁ ଅନାବିଳ ଭାବରେ ଉପଭୋଗ କରିବାର ଏକ ବନ୍ୟ ଉତ୍ତେଜନା; କିନ୍ତୁ ତାଙ୍କର ଏଇ ଆନନ୍ଦସ୍ନିଗ୍ଧ ମୁହୂର୍ତ୍ତମାନଙ୍କ ମଧ୍ୟରେ ମୃତ୍ୟୁ କେତେବେଳେ ତା’ର ଛାୟାଲିପି ଲେଖିବା ଆରମ୍ଭ କରିଦେଇଥିଲା। ନିର୍ବାଚନ ଆୟୋଗ ନୀରବ। ଆୟୋଗକୁ ଘେରି ରହିଥିଲା ଏକ ଶୀତଳ ଅଥର୍ବ ନୀରବତା।

ଏଇ ଅବସରରେ ସ୍ମୃତିର କାଚଖଣ୍ଡକୁ ପୋଛିଦେଲେ ଯିଏ ଚକ୍‌ଚକ୍‌ କରି ଆଖି ଆଗରେ ଝଲସି ଉଠନ୍ତି, ସେ ହେଉଛନ୍ତି ଟି.ଏନ.ଶେଷାନ। ସେ ହେଉଛନ୍ତି ଏକମାତ୍ର ବ୍ୟକ୍ତି ଯିଏକି ରାଜନୈତିକ ଦଳ ଓ ତା’ର ମଙ୍ଗଧାରୀମାନଙ୍କୁ ବାଧ୍ୟ କରିଥିଲେ ତାଙ୍କର କର୍ତ୍ତୃତ୍ବକୁ ସ୍ବୀକାର କରିବାକୁ। ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ଜୟଲଳିତା ତାଙ୍କୁ କହିଲେ ‘ଅହଂକାରୀ’। ବିହାରର ମୁଖ୍ୟମନ୍ତ୍ରୀ ଥାଆନ୍ତି ଲାଲୁ ଯାଦବ, ୧୯୯୫ ମସିହା ନିର୍ବାଚନ। ଲାଲୁଙ୍କର ଅବାଧ୍ୟ ଆଚରଣ। ବିହାରର ଚାରିଚାରି ଥର ନିର୍ବାଚନ ସେ ବାତିଲ କରିଦେଲେ। କ୍ଷୁବ୍ଧ ଲାଲୁ ଯାଦବ। ଉତ୍ତେଜିତ ହୋଇ ଲାଲୁ କହିଛନ୍ତି- ଏ ଶେଷାନ ଗୋଟାଏ ପାଗଳା ଷଣ୍ଢ। ‘ଏ ଶେଷନ୍‌ୱାକୋ ବାନ୍ଧ୍‌କେ ହମ୍‌ ଅପନି ଖଟାଲ ମେଁ (ଗୁହାଳ) ଡାଲ୍‌ଦେଙ୍ଗେ।’ କିନ୍ତୁ ସେଇ ଅକୁତୋଭୟ ପ୍ରଶାସକ ଥିଲେ ନିର୍ବିକାର। ସେ ହେଉଛନ୍ତି ଏକମାତ୍ର ମୁଖ୍ୟ ନିର୍ବାଚନ ଆୟୁକ୍ତ ଯିଏ ନିର୍ଦେଶନାମା ଜାରିକଲେ, ଯେ ପର୍ଯ୍ୟନ୍ତ ଭୋଟର ପରିଚୟ ପତ୍ର ତିଆରି ନହୋଇଛି ସେ ପର୍ଯ୍ୟନ୍ତ ନିର୍ବାଚନ କରାଇ ଦିଆଯିବ ନାହିଁ। ରାଜୀବ ଗାନ୍ଧୀ ଆତତାୟୀଙ୍କ ଦ୍ବାରା ନିହତ ହୋଇଛନ୍ତି। ଚାରିଆଡ଼େ ଘେରି ରହିଛି ଆଶଙ୍କା ଓ ଉଦ୍‌ବେଗ ବାତାବରଣ। ଅତି ଆକସ୍ମିକ ଭାବରେ ସେ ପଞ୍ଜାବ ଓ ବିହାରର ନିର୍ବାଚନ ବାତିଲ କରିଦେଲେ। ପ୍ରଧାନମନ୍ତ୍ରୀ ଥାଆନ୍ତି ଚନ୍ଦ୍ରଶେଖର। ତାଙ୍କରି ଦ୍ବାରା ହିଁ ସେ ହୋଇଥିଲେ ନିଯୁକ୍ତ। ଚନ୍ଦ୍ରଶେଖର ପଚାରୁଛନ୍ତି, ‘ଏ କ’ଣ? ଏତେ ବଡ଼ ନିଷ୍ପତ୍ତି ମୋ ସହିତ ବିନା ପରାମର୍ଶରେ।’ ଶେଷାନ କହୁଛନ୍ତି, ‘ଏ ନିଷ୍ପତ୍ତି ଅପରିବର୍ତ୍ତନୀୟ।’ ଭାରତବର୍ଷର ଚବିଶ ଜଣ ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ଭିତରେ ଶେଷାନ ହେଉଛନ୍ତି ଏକମାତ୍ର ବ୍ୟକ୍ତି ଯିଏକି ପୂର୍ଣ୍ଣ ଛଅବର୍ଷ ପଦରେ ରହିଥିଲେ। ‘ଦି ସେଣ୍ଟର ଫର୍‌ ଦି ଷ୍ଟଡି ଅଫ୍‌ ଡେଭଲପିଂ ସୋସାଇଟିଜ୍‌’ ଭାରତବର୍ଷର ଏକ ଖ୍ୟାତିସମ୍ପନ୍ନ ସମ୍ମାନଜନକ ସଂସ୍ଥା। ୧୯୯୬ ମସିହାରେ ଏହି ସଂସ୍ଥା ଏକ ସର୍ବେକ୍ଷଣ କରିଥିଲେ। ସେମାନଙ୍କ ମତରେ ଲୋକଙ୍କ ଆସ୍ଥା ଓ ବିଶ୍ବାସର ସୂଚୀରେ ଶେଷାନଙ୍କ ନେତୃତ୍ବରେ ନିର୍ବାଚନ ଆୟୋଗ ସବୁଠାରୁ ଶୀର୍ଷରେ; ଏପରିକି ଦେଶର ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ତା’ ତଳକୁ।

ଆଜି ଶେଷାନଙ୍କ ବିଦାୟ ନେବାର ପଚିଶବର୍ଷ ପରେ, ନିର୍ବାଚନ ଆୟୋଗ ନିଜ ସତ୍ତାର ଅବକ୍ଷୟ ଓ କ୍ରମବିଲୟର ନୀରବ ଦର୍ଶକ ପାଲଟିଗଲାଣି। ଶାସକଦଳ ହାତରେ କ୍ରୀଡ଼ାପୁତ୍ତଳିକା ପାଲଟିଯାଇଛି। ପଶ୍ଚିମବଙ୍ଗର ନିର୍ବାଚନକୁ ନିର୍ବିକାର ଭାବରେ ଆଠ ସପ୍ତାହ ଧରି ପ୍ରଲମ୍ବିତ କରିଦିଆଗଲା। ବିଶାଳ, ବିଶାଳ ଶୋଭାଯାତ୍ରା। କୋଭିଡ୍‌ କଟକଣା କେତେବେଳୁ ବାଟବଣା। ଯଦି ପରିସଂଖ୍ୟାନକୁ ବିଚାରକୁ ନିଆଯାଏ, ତେବେ ଆକ୍ରାନ୍ତଙ୍କ ସଂଖ୍ୟା ଏଇ ସମୟରେ ୪୦୦ ପ୍ରତିଶତ ବଢ଼ିଗଲା। ବାସ୍ତବତା ପ୍ରତି ଅଜ୍ଞତା ଓ ଉଦାସୀନତା ମଣିଷର ବିବେକ ଓ ବିଚାରକୁ ଅଥର୍ବ କରିଦେଇଥାଏ। ଏଇ ସମୟରେ ମନେପଡ଼େ ବିଶ୍ବବିଖ୍ୟାତ ଅଷ୍ଟ୍ରିୟା ବଂଶୋଦ୍ଭବ ଇଂରେଜ୍‌ ଦାର୍ଶନିକ କାର୍ଲ ପୋପ୍ପରଙ୍କ ଏକ ସ୍ମରଣୀୟ ଉକ୍ତି- ‘‘ଜ୍ଞାନର ଅଭାବ ନୁହେଁ, ବରଂ ତାକୁ ଗ୍ରହଣ କରିବାକୁ ଅସ୍ବୀକାର କରିବା ହିଁ ପ୍ରକୃତ ଅଜ୍ଞତା।’’

କିଏ ଜାଣେ ହୁଏତ ଏ ନିର୍ବାଚନ ସବୁ ଏମିତି ଚାଲୁଥିବ, ଗୋଟିକ ପରେ ଗୋଟିଏ। ସାଧାରଣ ମତଦାତାଟିଏ ତ ଅସହାୟ ଓ ଅକିଞ୍ଚନ। ନିର୍ବାଚନ ଆସିଲେ ସେ ଭାବୁଛି, ଏ ନିର୍ବାଚନ ବୋଧହୁଏ ତା’ର ଯେତେସବୁ ଅଧୁରା ସ୍ବପ୍ନମାନଙ୍କର ରୂପାୟଣର ଲଗ୍ନ। ବିକାଶ ଓ ବିଶ୍ବାସକୁ ନେଇ ବର୍ଣ୍ଣାଢ଼୍ୟ ପ୍ରଗଳ୍‌ଭତା ଭିତରେ ସେ ଦେଖୁଛି ମିଠାମିଠା ମାତାଲିଆ ସ୍ବପ୍ନ। ମାଳମାଳ ପ୍ରତିଶ୍ରୁତି, ସବୁ କିନ୍ତୁ କେବଳ ଭାସମାନ ସ୍ତରର। ପ୍ରାତଃ ସ୍ମରଣୀୟ ଆମ୍ବେଦକର ସମ୍ବିଧାନର ଅନେକ ବ୍ୟବସ୍ଥା ଉପରେ ​ଶେଷ ଜୀବନରେ ନିଜର ଆସ୍ଥା ହରେଇ ଦେଇଥିଲେ। ୧୯୫୩ ମସିହାରେ ରାଜ୍ୟସଭାର ସଦସ୍ୟ ଥାଆନ୍ତି। ଏକ ଆବେଗପୂର୍ଣ୍ଣ ସ୍ବରରେ ସେ ତାଙ୍କ ଭାଷଣରେ କହିଲେ, ‘ମୋତେ ଲୋକମାନେ ଦେଖିଲେ କହନ୍ତି, ‘ଓ, ଆପଣ ହେଉଛନ୍ତି ସମ୍ବିଧାନର ଜନକ।’ ମୋର ଉତ୍ତର ଥାଏ, ‘ମୁଁ ମାତ୍ର ଏକ ‘ହ୍ୟାକ୍‌’ (ଅବାଞ୍ଛିତ)। ମୋତେ ଯାହା କରିବାକୁ କୁହାଗଲା, ମୁଁ ତାହା ହିଁ କଲି, ପୁଣି ଅନେକ କିଛି କରିଛି ମୋ ଇଚ୍ଛାର ବିରୋଧରେ’’। (ହ୍ବାଇ ଆମ୍ବେଦକର ଡିଡ୍‌ ନଟ୍‌ ଲାଇକ୍‌ ଇଣ୍ଡିଆନ୍‌ କନଷ୍ଟିଚ୍ୟୁସନ: ଭାନୁ ଡାଲ୍‌ମିଆ)। ଏହା ହିଁ ଭାଗ୍ୟର ବିଡ଼ମ୍ବନା, ସମ୍ବିଧାନର ଏଇ ଜନକ ନିଜ ଜୀବନରେ ପ୍ରାୟ ସବୁ ନିର୍ବାଚନ ହାରିଯାଇଥିଲେ। ପରିଣତ ଜୀବନରେ ସେ ହୋଇଯାଇଥିଲେ ଏକ ଜୀବନଶ୍ରାନ୍ତ ତୀର୍ଥବାସୀ।

ବାସ୍ତବରେ ନିର୍ବାଚନରେ ଆଜି ମଣିଷର ପ୍ରାଣର, ହୃଦୟର ବାସ୍ତବ ଇଚ୍ଛ୍ବାସ ନାହିଁ। ଏ ନିର୍ବାଚନ ସବୁ ସ୍ବପ୍ନହୀନ ଓ ବିବର୍ଣ୍ଣ। ନିର୍ବାଚନ ସତେଯେମିତି ପାଲଟିଯାଇଛି ଏକ ଭିଡ଼ ଉନ୍ମାଦନାରେ। ସଂଖ୍ୟାଗରିଷ୍ଠତା ନାଁରେ, ଗଣତନ୍ତ୍ର ନାଁରେ ଚାଲିଛି ଏକ ସମଷ୍ଟିଗତ ଅହଂର ଉପଦ୍ରବ। ସାଧାରଣ ଜନତା ପରାଜିତ, ଲାଞ୍ଛିତ, ଅବମାନିତ। ଚିରନ୍ତନ ଦାରିଦ୍ର୍ୟର ବୋଝ ମୁଣ୍ଡେଇ ସେ ଚାଲିଛି ଯେ ଚାଲିଛି, ଏକ ଅଜଣା ପଥରେ। ଉପରେ ଦିଗନ୍ତବିସ୍ତାରୀ ଆକାଶ। ତା’ର ଜୀବନର ତିକ୍ତତା ମଧ୍ୟ ସେଇ ଅନନ୍ତ ଆକାଶ ପରି ସୀମାହୀନ। ଲୋକଙ୍କ ଯାତନା ଓ ଯନ୍ତ୍ରଣାକୁ ନେଇ ନେତାଙ୍କ ଆଖିରେ କିନ୍ତୁ ସମୟ ସମୟ‌େ​‌ର ଲୁହ। ସତରେ କ’ଣ ଏ ଲୁହରେ ଅଛି ନିଜ ଆତ୍ମାର ଆକୁଳତା ନା ଛଳନା ଓ ପ୍ରତାରଣାର ଇଏ ଆଉ ଏକ ଜୀବନ୍ତ ସଂସ୍କରଣ, ନିଚ୍ଛକ ଅଭିନୟ !

Comments are closed.