ଭୟକୁ ଜୟ କରିବାର କଳା

ଦେବୀଲାଲ ମିଶ୍ର

ଏହି ଆଲେଖ୍ୟଟିକୁ ଏକ କାହାଣୀରୁ ଆରମ୍ଭ କରିବା। ଅନେକ ବର୍ଷ ତଳେ ଏକ ରାଜ୍ୟରେ ଜଣେ ପ୍ରଜାବତ୍ସଳ ରାଜା ଶାସନ କରୁଥିଲେ। ଏକଦା ସେ ରାଜ୍ୟରେ କିଛି ହିଂସ୍ର ପଶୁ ପ୍ରବେଶ କରି ଲୋକଙ୍କୁ ଆକ୍ରମଣ କଲେ। ହଠାତ୍‌ ସାରା ରାଜ୍ୟରେ ଏକ ଅଜଣା ଆତଙ୍କ ଖେଳିଗଲା। ରାଜା ତୁରନ୍ତ ଘୋଷଣା କଲେ ଯେ ପଶୁମାନଙ୍କୁ ଧରାନଯିବା ଯାଏ ସମସ୍ତେ ନିଜନିଜ ଘରେ ରହିବେ। କେହି ବାହାରକୁ ବାହାରିବେ ନାହିଁ। ଏକଥା ଶୁଣି ପ୍ରଜାମାନେ ପ୍ରାଣବିକଳରେ ନିଜନିଜ ଘରେ ଆତ୍ମଗୋପନ କଲେ।

ଇତିମଧ୍ୟରେ ରାଜସୈନିକ ପଶୁମାନଙ୍କୁ ଧରି ଚିଡ଼ିଆଖାନାରେ ଛାଡ଼ିଦେଲେ ଏବଂ ରାଜା ଏବେ ରାଜ୍ୟ ବିପଦମୁକ୍ତ ବୋଲି ଘୋଷଣା କଲେ; କିନ୍ତୁ କୌଣସି ପ୍ରଜା ଘରୁ ବାହାରିଲେ ନାହିଁ। ଏଥିରେ ରାଜା ଚିନ୍ତିତ ହୋଇପଡ଼ିଲେ ଏବଂ ରାଜଗୁରୁଙ୍କ ପାଖକୁ ଗଲେ। ରାଜାଙ୍କଠାରୁ ସମସ୍ତ ବୃତ୍ତାନ୍ତ ଶୁଣିବା ପରେ ରାଜଗୁରୁ କହିଲେ, ‘ହେ ରାଜନ୍‌! ଭୟ ଏମିତି ଏକ ଶକ୍ତି ଯାହା ଥରେ ମନ ଉପରେ ବସିଗଲେ, ସେଥିରୁ ମୁକ୍ତି ମିଳିବା ଏତେ ସହଜ ନୁହେଁ। ଭୟ ମଣିଷର ଜ୍ଞାନକୁ ନଷ୍ଟ କରିଦିଏ ଏବଂ ମନକୁ ନକାରାତ୍ମକ ଦିଗରେ ପରିଚାଳିତ କରେ। ଏବେ ସମସ୍ତ ପ୍ରଜା ଭୟଭୀତ ଅବସ୍ଥାରେ ଅଛନ୍ତି। ସେମାନେ ଭାବୁଛନ୍ତି ଯଦି ଚିଡ଼ିଆଖାନାରେ ଥିବା ହିଂସ୍ର ପଶୁ ଚିଡ଼ିଆଖାନାରୁ କୌଣସି ଉପାୟରେ ବାହାରି ଆସନ୍ତି, ତେବେ ସେମାନେ ମୃତ୍ୟୁମୁଖରେ ପଡ଼ିବେ। ତେଣୁ ମୃତ୍ୟୁର ଭୟ ସେମାନଙ୍କୁ ଘରୁ ବାହାରିବାକୁ ଦେଉନାହିଁ।

ସେଇଠୁ ରାଜା କହିଲେ, ଏବେ କ’ଣ କରାଯାଇ ପାରିବ? କାରଣ ଅନେକ ଦିନ ଘରଭିତରେ ରହିବାରେ ମଧ୍ୟ ପ୍ରଜାମାନଙ୍କ ଜୀବନ ପ୍ରତି ବିପଦ ରହିଛି। ସେଇଠୁ ରାଜଗୁରୁ କହିଲେ, ‘ରାଜନ୍‌, ଆପଣ ସାରା ରାଜ୍ୟରେ ଘୋଷଣା କରିଦିଅନ୍ତୁ ଯେ ଚିଡ଼ିଆଖାନାରେ ଥିବା ହିଂସ୍ରଜନ୍ତୁମାନଙ୍କୁ ରାଜସୈନିକମାନେ ମାରି ଦେଇଛନ୍ତି। ତେଣୁ ସେମାନଙ୍କ ଜୀବନପ୍ରତି ଆଉ କୌଣସି ବିପଦ ନାହିଁ।’ ତା’ପରେ ରାଜା ଏହା ଘୋଷଣା କରିବାରୁ ପ୍ରଜାମାନେ ନିଜନିଜ ଘରୁ ବାହାରିଲେ ଏବଂ ରାଜ୍ୟର ଅବସ୍ଥା ସ୍ବାଭାବିକ ହେବାକୁ ଲାଗିଲା।

ଏହି କାହାଣୀକୁ ମନସ୍ତାତ୍ତ୍ବିକ ଦୃଷ୍ଟିକୋଣରୁ ବୁଝିବାକୁ ଚେଷ୍ଟାକଲେ ଜଣାଯାଏ ଯେ ଆମର ବାସ୍ତବିକ ଜୀବନରେ ଭୟର ବିଶେଷ ପ୍ରଭାବ ରହିଛି। ଆମର ଜୀବନକୁ ଯେ ଭୟ ଅନେକାଂଶରେ ନିୟନ୍ତ୍ରଣ କରିଥାଏ, ଏ କଥାରେ କେହି ଦ୍ବିମତ ହେବେନାହିଁ ନିଶ୍ଚୟ। ତେବେ ଭୟର କାରଣ କ’ଣ? କାହିଁକି ମଣିଷ ଭୟଭୀତ ହୋଇଥାଏ? ଅନେକ ଅଧ୍ୟୟନ ଓ ଗବେଷଣାରୁ ଜଣାଯାଇଛି ଯେ ଭୟ ମୁଖ୍ୟତଃ ଆମର ଅଜ୍ଞତାରୁ ଜନ୍ମନିଏ। ଆମ ଭିତରେ ଥିବା ଅଜ୍ଞତା ବହୁତ ଶକ୍ତିଶାଳୀ। ଅଜ୍ଞତା ଆଧାରରେ ଯଦି ମନ କ୍ରିୟାଶୀଳ ହୁଏ ତେବେ ଏହା ଆମ ପାଇଁ ଅନେକ ସମସ୍ୟା ସୃଷ୍ଟି କରିଥାଏ। ଅଜ୍ଞତା ଆମ ଭିତରେ ଭ୍ରମ ସୃଷ୍ଟିକରେ ଏବଂ ଭ୍ରମ ଆମକୁ ଭିତରୁ ଦୁର୍ବଳ କରି ଆମର ବ୍ୟବହାରକୁ ପ୍ରଭାବିତ କରେ। ଧୀରେଧୀରେ ଜ୍ଞାନ, ବିବେକ ଓ ବାସ୍ତବତାଠାରୁ ମଣିଷ ଦୂରେଇଯାଏ ଏବଂ ନିଜର ପ୍ରକୃତ ଲକ୍ଷ୍ୟ ଓ ଉଦ୍ଦେଶ୍ୟକୁ ଭୁଲିବା ଆରମ୍ଭ କରେ, ଯାହା ପରିଶେଷରେ ତାହାର ଜୀବନକୁ ଦୁର୍ବିସହ କରି ପକାଏ।

ସ୍ବାମୀ ବିବେକାନନ୍ଦ ଏକଦା କହିଥିଲେ ଯେ ଯେତେବେଳେ ଆମ ଭିତରେ ଭୟ ଉତ୍ପନ୍ନ ହୁଏ, ସେତେବେଳେ ଆମ ପ୍ରକୃତ ସତ୍ତାକୁ ଆମେ ହରାଇ ବସନ୍ତି। ଭୟ ହିଁ ସମଗ୍ର ଦୁନିଆର ସକଳ ଦୁର୍ଦଶାର କାରଣ। ଭୟ ହିଁ ଆମ ଭିତରେ ଦୁର୍ବଳତା ସୃଷ୍ଟିକରେ ଯାହା ମୃତ୍ୟୁ ସହ ସମାନ। ଅନ୍ୟପକ୍ଷରେ ଭୟଶୂନ୍ୟତା ଆମକୁ ଜ୍ଞାନ, ଶକ୍ତି ଓ ସିଦ୍ଧିପ୍ରଦାନ କରିଥାଏ। ନିଜର ଲକ୍ଷ୍ୟ ହାସଲ କରିବାକୁ ହେଲେ ନିଜକୁ ପ୍ରଥମେ ନିର୍ଭୀକ ହେବାକୁ ପଡ଼ିବ। ଶ୍ରୀ ଅରବିନ୍ଦଙ୍କ ଭାଷାରେ ଆମ ପ୍ରକୃତିର ଅଜ୍ଞତା ହିଁ ଭୟକୁ ଜନ୍ମଦିଏ। ଯାହା ଭୟ ସୃଷ୍ଟି କରୁଛି ଆମକୁ ତାହାର ସାମ୍ନା କରିବା ଦରକାର। ସାହସ ଓ ବିଶ୍ବାସ ମାଧ୍ୟମରେ ହିଁ ଆମେ ଭୟକୁ ଜୟ କରିପାରିବା।

ଭୟମୁକ୍ତ ହେବାକୁ ହେଲେ ନିଜ ଭିତରର ସାମର୍ଥ୍ୟକୁ ଚିହ୍ନିବା ନିହାତି ଜରୁରୀ। ମଣିଷର ସବୁଠୁ ବଡ଼ ସାମର୍ଥ୍ୟ ହେଉଛି ତ୍ୟାଗ, କ୍ଷୁଦ୍ରସ୍ବାର୍ଥ, ରୁଗ୍‌ଣ ମାନସିକତା ଏବଂ ଦୁର୍ବଳ ବ୍ୟକ୍ତିତ୍ବ ଭୟକୁ ଆହୁରି ଭୟଙ୍କର କରିଥାନ୍ତି। ଆମେ ନିଜକୁ ଭିତରୁ ଯେତେ ବିଶାଳ କରିବା, ଭୟ ସେତେ ସଙ୍କୁଚିତ ହେବ। ସେଥିପାଇଁ ଆତ୍ମଜ୍ଞାନ ଓ ଇଚ୍ଛାଶକ୍ତି ଅପରିହାର୍ଯ୍ୟ। ସ୍ବାମୀ ବିବେକାନନ୍ଦ କହିଥିଲେ ଯେ ପ୍ରାଚୁର୍ଯ୍ୟରେ ଦାରିଦ୍ର୍ୟର ଭୟ ଥାଏ; ଜ୍ଞାନ​ରେ ଭ୍ରମର ଭୟଥାଏ; ସୌନ୍ଦର୍ଯ୍ୟରେ ବାର୍ଦ୍ଧକ୍ୟର ଭୟଥାଏ; ପ୍ରତିଷ୍ଠାରେ ନିନ୍ଦାର ଭୟଥାଏ; ସଫଳତାରେ ଅସହିଷ୍ଣୁତାର ଭୟଥାଏ; ଏପରି କି ଶରୀରରେ ମଧ୍ୟ ମୃତ୍ୟୁର ଭୟ ଥାଏ। ଏ ଦୁନିଆରେ ସବୁଥିରେ କିଛି ନା କିଛି ଭୟ ଲୁଚି ରହିଛି; କିନ୍ତୁ ସେଇ ଏକା ନିର୍ଭୀକ ଅଟେ ଯିଏ ସବୁକିଛି ତ୍ୟାଗ କରିପାରେ। ସେ ପୁଣି କହିଥିଲେ, ‘ସବୁବେଳେ ନିଜକୁ କୁହ- ମୋର କୌଣସି ଭୟ ନାହିଁ, ଏବଂ ଅନ୍ୟକୁ ମଧ୍ୟ ଭୟ ନ କରିବାକୁ କୁହ।’ ଭୟ ହିଁ ନକାରାତ୍ମକ ଭାବନା ସୃଷ୍ଟି କରେ।

ଆଜିର ଏହି କରୋନା ମହାମାରୀ ସମୟରେ ଆମ ଭିତରୁ ଅନେକ ମୃତ୍ୟୁର ଭୟ ଦ୍ବାରା କବଳିତ। ଏହି ସମୟରେ ଆମ ଚାରିପଟରେ ହେଉଥିବା ମୃତ୍ୟୁ ପାଇଁ ଆମର ଭୟ ଅନେକାଂଶରେ ଦାୟୀ। ଭୟକୁ ଜୟ କରିବା ପାଇଁ ବିଶ୍ବାସ, ଜ୍ଞାନ ଓ ଭୀଷଣ ଉଦ୍ୟମର ଆବଶ୍ୟକତା ରହିଛି। ନିଜ ସାମର୍ଥ୍ୟର ବିକାଶ କରି ନିଜକୁ ଭୟଠାରୁ ବଡ଼ କରିବାକୁ ପଡ଼ିବ।

ଏହି ପରିପ୍ରେକ୍ଷୀରେ ଏକ ପୌରାଣିକ ଆଖ୍ୟାନ ଉଲ୍ଲେଖଯୋଗ୍ୟ। ଏକଦା ଶ୍ରୀକୃଷ୍ଣ ଓ ବଳରାମ ସଖାମାନଙ୍କ ସହ ଖେଳୁଥିବାବେଳେ ପ୍ରଳମ୍ବା ନାମକ ଏକ ମାୟାବୀ ରାକ୍ଷସ ସେମାନଙ୍କୁ ମାରିବାକୁ ଆସିଲା। ସେ ଏକ ବାଳକର ରୂପଧାରଣ କରି ସେମାନଙ୍କ ସହ ଖେଳିବାକୁ ଲାଗିଲା। ଖେଳର ନିୟମ ଅନୁସାରେ ହାରିଯାଇଥିବା ପ୍ରତିଯୋଗୀଙ୍କୁ ଜିତିଥିବା ପ୍ରତିଯୋଗୀଙ୍କୁ ନିଜ କାନ୍ଧରେ ବସାଇ କିଛିଦୂର ନେବାକୁ ହେବ। ପ୍ରଳମ୍ବା ରାକ୍ଷସ ବଳରାମଙ୍କଠାରୁ ହାରିଯାଇ ତାଙ୍କୁ କାନ୍ଧରେ ବସାଇ ଆକାଶମାର୍ଗକୁ ନେଇଗଲା ଏବଂ ନିଜର ପ୍ରକୃତ ବିଶାଳକାୟ ରୂପଧାରଣ କରି ଗର୍ଜନ କରିବାକୁ ଲାଗିଲା। ଏ ଦୃଶ୍ୟ ଦେଖି ସ୍ବୟଂ ବଳରାମ ମଧ୍ୟ ଚକିତ ହୋଇଗଲେ ଏବଂ ଏ ରହସ୍ୟ କ’ଣ ଜାଣିବାକୁ ଉପରୁ କୃଷ୍ଣଙ୍କ ଆଡ଼କୁ ଚାହିଁଲେ। ଶ୍ରୀକୃଷ୍ଣ କହିଲେ, ‘ଭାଇ, ପ୍ରଳମ୍ବା ତାହାର ପ୍ରକୃତ ସ୍ବରୂପ ଦେଖେଇଥିବାରୁ ଆପଣ ଆଶ୍ଚର୍ଯ୍ୟ ହେଉଥିବେ; କିନ୍ତୁ ଆପଣ ଥରେ ଆପଣଙ୍କ ପ୍ରକୃତ ସାମର୍ଥ୍ୟକୁ ମନେ ପକାନ୍ତୁ। ଲକ୍ଷେ ପ୍ରଳମ୍ବା ମିଶିଲେ ବି ଆପଣଙ୍କ ତେଜରୁ କାଣିଚାଏ ମଧ୍ୟ ଊଣା ହେବନାହିଁ। ଏ କଥା ଶୁଣି ବଳରାମ ନିଜର ଅନନ୍ତ ସ୍ବରୂପକୁ ଧ୍ୟାନ କରନ୍ତେ ପ୍ରଳମ୍ବା ବଳରାମଙ୍କର ଭାରକୁ ସହ୍ୟ କରିପାରିଲା ନାହିଁ ଏବଂ ବଳରାମ ଗୋଟିଏ ମୁଥରେ ତାକୁ ଧରାଶାୟୀ କରିଦେଲେ। ଯେତେବେଳେ ଭୟଠାରୁ ଆମେ ନିଜକୁ ଆହୁରି ବିଶାଳ କରିଦିଅନ୍ତି, ସେତେବେଳେ ଭୟ ଆମଠାରୁ ହାରିଯାଏ। ତେଣୁ କୌଣସି କଥା ବା ଘଟଣାରେ ଭୟଭୀତ ନହୋଇ ଆମର ଜ୍ଞାନ, ସାହସ, ବିଶ୍ବାସ ଓ ସାଧନା ମାଧ୍ୟମରେ ସବୁ ପରିସ୍ଥିତିର ସାମ୍ନା କରିବା ଆବଶ୍ୟକ।

Comments are closed.