ଅନଲାଇନ୍‌ ଶିକ୍ଷା​‌ରେ ସଂସ୍କାର

ସୁକାନ୍ତ କୁମାର ମହାନ୍ତି

ସ୍ୱାମୀ ବିବେକାନନ୍ଦଙ୍କ ଉକ୍ତି: “ତୁମେ ଘୋଡ଼ାକୁ ପାଣି ପାଖକୁ ନେଇପାର, ମାତ୍ର ତାକୁ ପାଣି ପିଇବାକୁ ବାଧ୍ୟ କରିପାରିବ ନାହିଁ।” ଏହି ଉକ୍ତିର ସାର୍ଥକତା ଅନ୍‍ଲାଇନ୍‍ ଶିକ୍ଷା ପ୍ରଦାନରେ ଦେଖିବାକୁ ମିଳୁଛି। ପ୍ରଶାସକବୃନ୍ଦ ନି‌େର୍ଦଶ ଦେଇ ନିଶ୍ଚିନ୍ତ ହେଲେ; କିନ୍ତୁ ବାସ୍ତବତାକୁ ଆଖି ବୁଜିଦେଇ ଶିକ୍ଷକ ଓ ପିଲାଙ୍କୁ ବିଚଳିତ କରୁଛନ୍ତି।

ନୀତି ଆୟୋଗର ସଦସ୍ୟା ଡକ୍ଟର ଭି.କେ. ପଲ୍‍ଙ୍କ ଘୋଷଣା ଅନୁସାରେ ସ୍କୁଲ୍‍ ଖୋଲିବାର ନିର୍ଦ୍ଦିଷ୍ଟ ସମୟସୀମା ଅନିଶ୍ଚିତ। ପିଲାଙ୍କର ଟିକାକରଣ ଆରମ୍ଭ ହୋଇନି। ଏପରି ସ୍ଥିତିରେ ବିଦ୍ୟାଳୟ ଖୋଲିବା ଅସମୀଚୀନ। ବର୍ତ୍ତମାନ ଶିକ୍ଷାକ୍ଷେତ୍ରରେ ଅନ୍‍ଲାଇନ୍‍ ଶିକ୍ଷା ପ୍ରଦାନ ଆରମ୍ଭ ହୋଇଛି। ୟୁଟ୍ୟୁବ୍‍ରେ ଏହି ଶିକ୍ଷା ପ୍ରଦାନ କରାଯିବା ଶିକ୍ଷକ ଓ ଶିକ୍ଷାର୍ଥୀଙ୍କ ନିମନ୍ତେ ନୂଆ। ଅବଶ୍ୟ ଏହା ପୂର୍ବରୁ କେତେକ ସ୍କୁଲ୍‍ ନିଜ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ଅନ୍‍ଲାଇନ୍‍ ଶିକ୍ଷା ପ୍ରଦାନ କରିଆସୁଥିଲେ। ଏହାର ସଫଳତା ମାପିବା ଅପେକ୍ଷା ଅନ୍ତତଃ ପିଲାଙ୍କୁ କିଛି ସମୟ ପାଠପଢ଼ାରେ ନିୟୋଜିତ କରିବା ଏକ ଭଲ ପଦକ୍ଷେପ; କିନ୍ତୁ ଘରୋଇ ପଢ଼ା (ଟିଉସନ୍‍) ଓ କୋଚିଂ ‍କେନ୍ଦ୍ରରେ ଶିକ୍ଷକଙ୍କ ଆର୍ଥିକ ଓ ପିଲାଙ୍କ ଶୈକ୍ଷିକ କ୍ଷତି ହେବା ଅପେକ୍ଷା ୟୁଟ୍ୟୁବ୍‍ ଅନ୍‍ଲାଇନ୍‍ ଶିକ୍ଷା ଅଧିକ କ୍ଷତିକାରକ ମନେ ହେଉଛି। ଶିକ୍ଷାବିତ୍‍ ଓ ପ୍ରଶାସକଙ୍କ ମଧ୍ୟରେ ଫରକ୍‍ ଅଛି ନିଶ୍ଚୟ। ହେଲେ ଏବର ଶିକ୍ଷା ବିଭାଗରେ କେତେକ ଗୁଣାତ୍ମକ ଶିକ୍ଷାପ୍ରେମୀ ପ୍ରଶାସକ ଥାଇ ସୁଦ୍ଧା ୟୁଟ୍ୟୁବ୍‍ ମାଧ୍ୟମରେ ଶିକ୍ଷା ପ୍ରଦାନକୁ କୌଣସି ବାହ୍ୟ ଚାପ କିମ୍ବା ବ୍ୟାବସାୟିକ ମାନସିକତା ଦୃଷ୍ଟିରୁ ପ୍ରୋତ୍ସାହନ ଦିଆଯାଇଛି। ବିଦ୍ୟୁତ୍‍ ବିଭାଗର ବାରମ୍ବାର ଅଘୋଷିତ ବିଦ୍ୟୁତ୍‌ କାଟ୍‌ ଅବ୍ୟବସ୍ଥାକୁ ଅନୁସନ୍ଧାନ କରି ସେହି ବିଦ୍ୟୁତ୍‍ ବିଭାଗୀୟ ଅଧିକାରୀଙ୍କୁ ଦଣ୍ଡିତ ହେବାକୁ ପଡ଼ିଲା, ଯେହେତୁ ଇନ୍‍ଭର୍‍ଟର୍‍ ପ୍ରସ୍ତୁତ କମ୍ପାନୀର ପ୍ରଲୋଭନରେ ଅଧିକାରୀମାନେ ଲାଭବାନ ହୋଇଥିଲେ।

ସେ ଯାହା ହେଉ, ଏ ଦୁଃସମୟରେ ଅନ୍‍ଲାଇନ୍‍ ଶିକ୍ଷାର ସୁଧୁରାଣ ପାଇଁ କିଛି ସକାରାତ୍ମକ ପଦକ୍ଷେପ ନିଆଯାଉ।
କ) ପ୍ରଥମ ଶ୍ରେଣୀରୁ ୮ମ ଶ୍ରେଣୀ ପିଲାଙ୍କୁ ଏଥିରୁ ବାଦ୍‍ ଦିଆଯାଉ। ପରିବାର ଆର୍ଥିକ ବୋଝ, ଶିଶୁଙ୍କ ବୟସାନୁପାତରେ ଏହାର ଅନୁଚିତ ବ୍ୟବହାର, ଏବେ ଠାରୁ ମୋବାଇଲ୍‍ ଫୋନ୍‌ ପ୍ରତି ଶିଶୁଙ୍କ ଆସକ୍ତି ବୃଦ୍ଧି, ଶୁଣିବା ଛାଡ଼ି ପଢ଼ିବା ଓ ଲେଖିବାରେ ଅମନଯୋଗିତା, ବାପା ମା’ଙ୍କ ମଧ୍ୟରେ ମନୋମାଳିନ୍ୟ ଓ ଗୃହକାର୍ଯ୍ୟରେ ପିଲାଏ ବିମୁଖ ହେବା ଦେଖାଯାଉଛି ଏବଂ ସୃଜନଶୀଳତା ଲୋପ ପାଉଛି। ଗୋଟିଏ ଘରେ ୩ ଶ୍ରେଣୀର ୩ଟି ପିଲା ଥିଲେ ତିନିଟି ମୋବାଇଲ୍‍ କିଣିବା ଅସମ୍ଭବ ଓ ଅଯୌକ୍ତିକ।

ଖ) ଏହି ଶ୍ରେଣୀର ପିଲାଙ୍କୁ ପାଠ୍ୟ ବିଷୟ ଦିଆଯାଉ ଏବଂ ୩ ମାସରେ ଥରେ ପରୀକ୍ଷା କରାଯାଉ। ପାଠ୍ୟ ପ୍ରସ୍ତୁତି ପିଲା ଓ ଅଭିଭାବକଙ୍କ ହାତରେ ନ୍ୟସ୍ତ କରାଯାଉ।

ଗ) ଓସେପା ପ୍ରବର୍ତ୍ତିତ ‘ଉତ୍କର୍ଷ’ ଯୋଜନାରେ ଚତୁର୍ଥ ପଞ୍ଚମ ଶ୍ରେଣୀ ପରିବର୍ତ୍ତେ ନବମ ଶ୍ରେଣୀ ପିଲାଙ୍କୁ ଗଣିତର ଗୁଣନ, ମିଶାଣ, ଫେଡ଼ାଣ ଶିକ୍ଷା ଦିଆଯାଉଥିବା ବେଳେ ଅନ୍‍ଲାଇନ୍‍ ବିଷୟ ଶିକ୍ଷକ ତାକୁ ସିଲାବସ୍‍ ଅନୁସାରେ ବିଷୟ ପଢ଼ାଇବା ସମ୍ଭବ ହେଉନାହିଁ। ଏହାଦ୍ୱାରା ଭଲ ପିଲା କ୍ଷତିଗ୍ରସ୍ତ। ଉଦାହରଣ: ଗୋଟିଏ ପିଲାକୁ ୪୭ + ୧୫ ମିଶାଣ କରିବାକୁ କହନ୍ତେ, ସେ ପିଲା ଯେଉଁ ଧାରାରେ ମିଶାଣ କଲେ ଆମେ ପଢ଼ିଥିବା ପ୍ରାଥମିକ ଶିକ୍ଷକଙ୍କୁ ମନେପକାଇଲୁ। କି’ ପରିବର୍ତ୍ତନ! ଏବର ଶିକ୍ଷକଙ୍କର ଧାରା ହେଉଛି ୪୭ରୁ ୭ ଓ ୧୫ରୁ ୫ ଫେଡ଼ାଣ କରି, ୪୦ ସହ ୧୦ ମିଶାଇ ୫୦ କରାଗଲା। ତା’ପରେ ୭ + ୫ = ୧୨, ଶେଷରେ ୫୦ + ୧୨ = ୬୨, ଏହିପରି ୪ ଥାକିଆ ମିଶାଣ କରିବା ଶିକ୍ଷାଦାନରେ ଏବର ବୈଦିକ ଶିକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଉଛି। ଶିକ୍ଷାବିଭାଗ କାର୍ଯ୍ୟାଳୟରେ ଯେପରି ଶିକ୍ଷକ ଓ ଅଭିଭାବକ ନିଜର କିଛି କାର୍ଯ୍ୟ ହାସଲ କରିବାକୁ ୩ଟି କିସ୍ତିରେ ଲାଞ୍ଚ ଦେଇଥାଆନ୍ତି, ଏହା ସେହିପରି ଏକ ଧାରା। ୯ମ ଶ୍ରେଣୀ ପିଲାଟି ସଂଖ୍ୟାଟିରେ ଶତକ, ଦଶକ ଓ ଏକକ ଘର କ’ଣ ଜାଣିନି। ଧନ୍ୟ କହିବ ଏହି ବିଭାଗକୁ, ଗଣିତ ପୁସ୍ତକ ଲେଖକଙ୍କୁ, ଦକ୍ଷ ପ୍ରଶାସକଙ୍କୁ ଓ ଗୁଣୀ ଶିକ୍ଷକବର୍ଗଙ୍କୁ। ଅଙ୍କ ପଢ଼ି ଦୋକାନ ସଉଦା ହିସାବ ନ’ କରିପାରିଲେ, ଇଂଲିଶ୍‍ ପଢ଼ି ଶୁଦ୍ଧ ଶବ୍ଦ ଓ ଠିକ୍‍ ବାକ୍ୟଟିଏ ଲେଖି ନ’ପାରିଲେ, ମାତୃଭାଷା ଲେଖାରେ ଅଜସ୍ର ସାଧାରଣ ଭୁଲ୍‍ ରହିଲେ ଶିକ୍ଷା ଗୁଣାତ୍ମକ ମାନ୍ୟତା ପାଇବ ତ? ଏହା ଅନ୍‍ଲାଇନ୍‍ ଶିକ୍ଷାରେ ଆଦୌ ସମାଧାନ ହୋଇପାରିବ ନାହିଁ। ନବମ ଓ ଦଶମ ଶ୍ରେଣୀରୁ ‘ଉତ୍କର୍ଷ’ କାର୍ଯ୍ୟକ୍ରମ ପ୍ରତ୍ୟାହାର କରାଯାଉ। ମାସିକ ପାଠ୍ୟଖସଡ଼ା ଅନୁଯାୟୀ ଶିକ୍ଷାଦାନ ହେଉ।

ଘ) ଅନ୍‍ଲାଇନ୍‍ ଶିକ୍ଷା ପ୍ରଦାନ କରିବାକୁ ବାହ୍ୟ ଜିଲା ଶିକ୍ଷକଙ୍କୁ ନିୟୋଜିତ କରିବା ଏକ ଭୁଲ୍‍ ପଦକ୍ଷେପ। ନିଜ ବିଦ୍ୟାଳୟର ଶିକ୍ଷକଙ୍କ ସହ ଦୀର୍ଘ ବର୍ଷ ଧରି ପିଲାଙ୍କ ସଂପର୍କ, ଏପରି ବାହ୍ୟ ଶିକ୍ଷକଙ୍କ ଦ୍ୱାରା ପିଲା ପଢ଼ିବାରୁ ନିଜ ଶିକ୍ଷକଙ୍କ ଦକ୍ଷତା ଉପରେ ପିଲା ଓ ଅଭିଭାବକଙ୍କ ସନ୍ଦେହ ଆସୁଛି। ଶିକ୍ଷାଦାନ ସମୟରେ ସ୍କୁଲ୍‍ ଶିକ୍ଷକ ବାହ୍ୟ ଜିଲା ଶିକ୍ଷକଙ୍କର ତ୍ରୁଟିକୁ ସୁଧାରିବାକୁ ନା’ ପିଲାଙ୍କୁ ନା’ ସେହି ବାହ୍ୟ ଜିଲା ଶିକ୍ଷକଙ୍କୁ କହିପାରୁଛନ୍ତି। ପୁନଶ୍ଚ ଦୈନିକ ପରୀକ୍ଷା କରିବା ଏକ ଅବାସ୍ତବ ନିଷ୍ପତ୍ତି। ଶିକ୍ଷକଙ୍କ ଶିକ୍ଷାଦାନ ସମୟରେ ପିଲାଏ ପ୍ରଶ୍ନ ପଚାରିବା ବ୍ୟବସ୍ଥା ନାହିଁ। ଛାତ୍ର ଓ ଶ୍ରୋତା ମଧ୍ୟରେ ଫରକ ଅଛି। ଶ୍ରୋତା ବନୁଥିବା ଛାତ୍ର ଯେଉଁ ପ୍ରଶ୍ନର ଉତ୍ତର ଅନ୍‍ଲାଇନ୍‍ରେ ନିଜ ବିଦ୍ୟାଳୟ ଶିକ୍ଷକଙ୍କୁ ପଠାଇବେ ଶିକ୍ଷକ ଓ ପ୍ରଶାସକମାନେ ତାର ସ୍ୱଚ୍ଛତା ଉପରେ ସନ୍ତୁଷ୍ଟ ହୋଇପାରିବେ ତ! ଶିକ୍ଷାଦାନ କରିବେ ବାହ୍ୟ ଶିକ୍ଷକ ମାତ୍ର ପ୍ରଶ୍ନ କରି ଉତ୍ତର ଦେଖି ମାର୍କ ଦେବେ ନିଜ ସ୍କୁଲ ଶିକ୍ଷକ- ଏହା କିପରି ନିଷ୍ପତ୍ତି? ନିଜ ସ୍କୁଲର ଶିକ୍ଷକ ପିଲାଙ୍କୁ ଅନ୍‍ଲାଇନ୍‍ ଶିକ୍ଷାଦାନ କରନ୍ତୁ। ଜିଲାସ୍ତରୀୟ ମନୋନୀତ ବାହ୍ୟ ଶିକ୍ଷକଙ୍କୁ ଏଥିରୁ ବାଦ୍‍ ଦିଆଯାଉ। ଶିକ୍ଷାଦାନରେ ପ୍ରଶାସନିକ ହସ୍ତକ୍ଷେପ ନ’ ରହୁ।

ଙ) ଦୈନିକ ପରୀକ୍ଷା ଏକ ପ୍ରହସନ। ଏହାକୁ ବନ୍ଦ କରାଯାଇ ଏବେ ଠାରୁ ତ୍ରୟମାସିକ, ଷାଣ୍ମାସିକ ଓ ବାର୍ଷିକ ପରୀକ୍ଷା ଦକ୍ଷ, ଅଭିଜ୍ଞ, ବିଷୟ ଶିକ୍ଷକଙ୍କ ଦ୍ୱାରା ଏକ ପ୍ରକାର ପ୍ରଶ୍ନପତ୍ର ପ୍ରସ୍ତୁତ କରାଯାଇ ଏକ ଭରସାଯୋଗ୍ୟ ସଂସ୍ଥା ମାଧ୍ୟମରେ ଘରୋଇ ସ୍କୁଲ ସମେତ ସମଗ୍ର ରାଜ୍ୟର ଛାତ୍ରଛାତ୍ରୀଙ୍କ ନିମନ୍ତେ ଯୋଗାଇ ଦିଆଯାଉ। ପରୀକ୍ଷା ଓ ମୂଲ୍ୟାୟନକୁ ଅଫ୍‍ଲାଇନ୍‍ ମାଧ୍ୟମରେ କରାଯାଇ ସ୍ୱଚ୍ଛ କରାଯାଉ। ପାସ୍‍ଫେଲ୍‍ ଲାଗୁ କରାଯାଇ ଏକ ‘ପାସ୍‍ ମାର୍କ’ ନିର୍ଦ୍ଧାରିତ ହେଉ। ପାଠପଢ଼ା, ପରୀକ୍ଷାସୂଚୀ ଓ ମୂଲ୍ୟାୟନରେ ଶିକ୍ଷକମାନଙ୍କୁ ଉତ୍ତରଦାୟୀ କରାଯାଉ।

ଚ) ବିନା ବୋର୍ଡ଼ ପରୀକ୍ଷାରେ ପ୍ରକାଶିତ ମାଟ୍ରିକ୍‍ ଫଳ ମାଧ୍ୟମିକ ଶିକ୍ଷାବୋର୍ଡ଼ର ଏକ ନଗ୍ନ ଇତିହାସ। ଏଥିରେ ଅକୃତକାର୍ଯ୍ୟ ହେବାକୁ ଥିବା ପିଲା ଖୁସି, ସ୍କୁଲ୍‍ରେ ପରୀକ୍ଷା ଦେଇ ପାରିନଥିବା ପିଲା ଅନୁତପ୍ତ, ଶିକ୍ଷା ପରିଷଦ ଆର୍ଥିକ ଚାପରୁ ମୁକ୍ତି ପାଇ ଅଧିକ ଖୁସି, ମନ୍ତ୍ରୀ ଫଳପୁସ୍ତିକା ଉନ୍ମୋଚନ କରି ଗର୍ବିତ, ଅର୍ଥ ବଳରେ ଜାଲିଆତି କରି ଯେଉଁ ସ୍କୁଲ୍‍ ପିଲାଙ୍କ ମାର୍କସିଟ୍‍ ଦାଖଲ କରିଥିଲେ, ସେମାନେ ଆନନ୍ଦିତ; ହେଲେ ଗୁଣାତ୍ମକ ଦୃଷ୍ଟିରୁ ଜନଗଣରେ ଅପନିନ୍ଦିତ। ଭବିଷ୍ୟତରେ ବିନା ପରୀକ୍ଷାରେ ମାଟ୍ରିକ୍‍ ପାସ୍‍ ନିମନ୍ତେ କରୋନାର କରୁଣା ପାଇବା ପାଇଁ ମୁଣ୍ଡିଆ ମାରିବାରେ ଅଭିଭାବକ ବ୍ୟସ୍ତ, ଶିକ୍ଷକମାନେ ଗର୍ବିତ, ଶିକ୍ଷାବୋର୍ଡ଼ ଭବିଷ୍ୟତ ପାଇଁ ଏହି ଉପାୟକୁ ଅସ୍ତ୍ର କରିବାରେ ଉତ୍‍ଫୁଲ୍ଲିତ, ଶିକ୍ଷାବିତ୍‍ ବୁଦ୍ଧିଜୀବୀ ହତଚକିତ ଓ ଶିକ୍ଷା ପ୍ରଣାଳୀର ଗତି ଅନିଶ୍ଚିତ। ଶିକ୍ଷାଳୟ ମଣିଷ ଗଢ଼େ, ହେଲେ ଏବେ କ୍ଷମତା ଲୋଭରେ ଶିକ୍ଷା ପ୍ରଶାସକ ଶିକ୍ଷା ବିଭାଗକୁ ଗୁରୁତ୍ୱହୀନ କରୁଛନ୍ତି। ବର୍ତ୍ତମାନର ମାଟ୍ରିକ୍‍ ପରୀକ୍ଷାଫଳ ଭବିଷ୍ୟତ ଅନ୍‍ଲାଇନ୍‍ ଶିକ୍ଷା ନିମନ୍ତେ କାଳ। ବିଧିବଦ୍ଧ ପାଠ୍ୟ ପ୍ରସ୍ତୁତି ଓ ଆୟୋଜିତ ବାର୍ଷିକ ପରୀକ୍ଷା ନ’ ହୋଇ ଯଦି ୯୮.୯୬% ପିଲା ଉତ୍ତୀର୍ଣ୍ଣ ହେଲେ, ତେବେ ଆଉ ଶିକ୍ଷାଗ୍ରହଣ ପାଇଁ ପିଲାଏ ବ୍ୟାକୁଳତା ପ୍ରକାଶ ନ କରିବା ସ୍ୱାଭାବିକ।

ଛ) ପ୍ରତି ଶ୍ରେଣୀର ପିଲାଙ୍କ ନିମନ୍ତେ ଦୂରଦର୍ଶନ ମାଧ୍ୟମରେ ପତ୍ର ବିନିମୟ ଶିକ୍ଷା ପ୍ରଣାଳୀ ପ୍ରବର୍ତ୍ତନ କରି ପିଲାଙ୍କୁ ଆଶ୍ୱସ୍ତ କରାଯାଉ।

କରୋନା ଯାଉ ବା ହ୍ରାସ ପାଉ ଆଜିର ବହୁଳ ସ୍ମାର୍ଟଫୋନ୍‌ ବ୍ୟବହାର ଅତୀତରେ ପରିବାରର ଓ ପୁଲିସର ମୁଣ୍ଡବ୍ୟଥା କାରଣ ହୋଇଛି ଏବଂ ଆଗାମୀ ଦିନରେ ଭୟଙ୍କର ରୂପ ନେଇ ପିଲାଙ୍କ ମାଧ୍ୟମରେ ପରିବାର ବିପର୍ଯ୍ୟସ୍ତ ହେବା ସହିତ ଜୀବନହାନିର କାରଣ ହୋଇପାରେ। ମଣିଷ ଲୌହ ସରଞ୍ଜାମକୁ ବ୍ୟବହାର କରିପାରେ, ଏପରି କି ମଣିଷର ମୃତ୍ୟୁ ମଧ୍ୟ ଲୌହ ଉପକରଣ ହୋଇଥାଏ, ହେଲେ ଲୁହାଖଣ୍ଡକୁ ମଣିଷ ଭାଙ୍ଗି ପାରେନି କେବଳ ଲୌହ କଳଙ୍କି ହିଁ ତାକୁ ଶେଷ କଲାପରି ଶିକ୍ଷା ବିଭାଗର ସେହି ଅବସ୍ଥା ଆସିବାକୁ କରୋନା ଆୟୋଜନ କରୁଛି। ଯନ୍ତ୍ରଣାଦାୟକ ଶିକ୍ଷଣଠାରୁ ଆନନ୍ଦଦାୟକ ଶିକ୍ଷଣ ଫଳପ୍ରଦ।

Comments are closed.