ସାହିତ୍ୟରେ ଅନ୍ତରଙ୍ଗତା

- ଅଧ୍ୟାପକ ବିଶ୍ବରଞ୍ଜନ

ମୋର ଅନୁଭବରେ କରୋନା କବଳିତ ୨୦୨୦ ବର୍ଷଟି ଆମ ସାହିତ୍ୟ ପାଇଁ ଅନେକ ସୁଫଳ ପ୍ରଦାନ କରିଛି। ଏହି ସୁଫଳ ମଧ୍ୟରେ ଗୋଟିଏ ଭଲ କଥା ହେଲା ଯେ, ଲେଖକମାନେ ଆଉ ସଭାମନସ୍କ ନ ହୋଇ ସୃଜନମନସ୍କ ହେଲେ। ଗୃହବନ୍ଦୀ ଅବସ୍ଥାରେ ରହି ସେମାନେ ଅନେକ କିଛି ପଢ଼ିଲେ ଓ ଲେଖିଲେ। ‘କରୋନା’କୁ ନେଇ ଅନେକ ଗଳ୍ପ, କବିତା ବ୍ୟତୀତ ଅନ୍ୟାନ୍ୟ ମୂଲ୍ୟବାନ ଲେଖା ସେମାନଙ୍କ ସୃଷ୍ଟିରେ ସମ୍ଭବ ହୋଇପାରିଲା। ସଭାସମିତିରେ ଅନାବଶ୍ୟକ ପ୍ରଗଳ୍‍ଭତା, ଆନୁଷ୍ଠାନିକ ଉପଚାର, ଆଡ଼ମ୍ବର ବଦଳରେ ନିଜର ସୃଜନସତ୍ତା ସହିତ ଆତ୍ମୀୟତାରେ ଘନିଷ୍ଠ ହୋଇ ରହିବାର ସୁଯୋଗ ସୃଷ୍ଟି ହେଲା। ୨୦୨୦ ମୁହଁ ଲୁଚେଇବା ମାତ୍ରେ ‘କରୋନା’ଜନିତ ନାନାବିଧ କଟକଣା କୋହଳ ହେବା ସଙ୍ଗେସଙ୍ଗେ ପୁନର୍ବାର ସଭା-ସମାବେଶ, ସାହିତ୍ୟର ମେଳା-ମହୋତ୍ସବ, ସମ୍ମାନ-ସମ୍ବର୍ଦ୍ଧନା ପର୍ବ ଅବଶ୍ୟ ଆରମ୍ଭ ହୋଇଗଲାଣି। ବିଶେଷ କରି ଗୋଲାମ ନଗରୀ ଅବା ସାହିତ୍ୟର ସାମନ୍ତ, ପଣ୍ଡା-ପୁରୋହିତ ଅଧ୍ୟୁଷିତ ରାଜଧାନୀ ଭୁବନେଶ୍ୱର ଅବା କଟକ ଭଳି ମହାନଗରମାନଙ୍କରେ ଏଭଳି ପର୍ବର ପ୍ରଭାବ ଓ ପ୍ରାଦୁର୍ଭାବ ଅଧିକ ମାତ୍ରାରେ ଦେଖିବାକୁ ମିଳିଲାଣି। ମାତ୍ର ଆଶା କରିବା, ସଭାର କୀର୍ତ୍ତନ ଓ କୋଳାହଳରୁ ନିଜକୁ ଯଥାସମ୍ଭବ ମୁକ୍ତ ରଖି ଆମେ ପରସ୍ପର ସହିତ ଅନ୍ତରଙ୍ଗତାର ସୂତ୍ରରେ ସମ୍ବନ୍ଧିତ ହେବା।

ମୋର ମନେପଡୁଛି, ବହୁବର୍ଷ ତଳେ ଆମ ସାହିତ୍ୟ ଜଗତରେ ସମସ୍ତଙ୍କ ନିକଟରେ ‘ଚିତ୍ତ ଭାଇ’ ଭାବରେ ସୁପରିଚିତ ଥିବା ଚିତ୍ତରଂଜନ ଦାସ ତାଙ୍କର ପ୍ରକାଶିତ ଏକ ଦିନଲିପିରେ ଲେଖିଥିଲେ ଏବଂ ବିଶ୍ୱାସ ରଖିଥିଲେ ଯେ, ଏଥର ସାହିତ୍ୟରେ ଅନ୍ତରଙ୍ଗତାର ପର୍ୟ୍ୟାୟ ଆସିବ। ସାହିତ୍ୟରେ ସଭାର ପର୍ୟ୍ୟାୟରେ ଆମେ ରୋମାଣ୍ଟିକ ପର୍ୟ୍ୟାୟରୁ ଆଧୁନିକ ପର୍ୟ୍ୟାୟ ଯାଏ ଆସିଲୁ; ତଥାପି ପରସ୍ପରର ନିକଟବର୍ତ୍ତୀ ହୋଇପାରିଲୁ ନାହିଁ। ଆଧୁନିକତା ନାଁରେ କୃତ୍ରିମତା ବଢ଼ିଲା। କୃତ୍ରିମତାରୁ ଏକ ଜ୍ୱରଗ୍ରସ୍ତ ବିଚ୍ଛିନ୍ନତାବୋଧ ଆସି ପହଞ୍ଚିଲା। ସାହିତ୍ୟରେ ମୂଳତଃ ଯାହାକୁ ଲୋଡ଼ିବା କଥା, ତାହାକୁ ଛାଡ଼ି ଆମେ ଆହୁରି ଅନେକ କିଛିକୁ ଲୋଡ଼ିଲୁ। ପରସ୍ପର ପାଖରେ ଅତ୍ୟନ୍ତ ହାସ୍ୟାସ୍ପଦ ଭାବରେ ବର୍ଜିତ ହୋଇ ରହିଗଲୁ। ତଥାପି କଥା କହିବାର ଓ କଥା ଦ୍ୱାରା ପରସ୍ପରକୁ ମୋହିତ କରି ରଖିବାର ଜ୍ୱର ଏତେ ଟିକିଏ ବି କମିଲା ନାହିଁ। ଆମ ସାହିତ୍ୟ ଆମକୁ କେତେ ଭଳି ଅଭିନୟ ଓ କେତେ ଭଳି ଅଳଙ୍କାରରେ ମଣ୍ଡାଇ ରଖିଲା। ଏଥର ସାହିତ୍ୟରେ ଅନ୍ତରଙ୍ଗତାର ଯୁଗ ଆସିବ। ବଡ଼ ସଭାର ଧାରାଟିକୁ ଛାଡ଼ି ସାନ ସାନ ଗୋଷ୍ଠୀ ଆଲୋଚନାର ପର୍ୟ୍ୟାୟଟି ଆରମ୍ଭ ହେବ।

ଆରମ୍ଭ ହୋଇଥିଲା ମଧ୍ୟ। ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ସାହିତ୍ୟିକମାନେ ବୟସ ଓ ବୃତ୍ତି ନିର୍ବିଶେଷରେ ସପ୍ତାହକେ ଥରେ ଅବା ପ୍ରତି ମାସରେ ଏକାଠି ହେଉଥିଲେ। ଚାକଚକ୍ୟପୂର୍ଣ୍ଣ ମଞ୍ଚ ବା ମଣ୍ଡପ ନୁହେଁ, ଗୋଟିଏ ଚଟାଣ ବା ଚକଡ଼ା ଉପରେ ଚକା ପକେଇ ବସୁଥିଲେ। ନିଜ ନିଜର ଲେଖାପଢ଼ା ମାଧ୍ୟମରେ ମନଖୋଲା ଆଲୋଚନା କରୁଥିଲେ। ପୁରୀରେ ଅନାମ ଗୋଷ୍ଠୀ, କଟକରେ ରବିବାସରୀୟ ସାହିତ୍ୟ, ଶନିବାର ସାହିତ୍ୟ ସନ୍ଧ୍ୟା, ଅବଧୂତ ଗୋଷ୍ଠୀ, ସୁହୃଦ ଗୋଷ୍ଠୀ ଇତ୍ୟାଦି ଇତ୍ୟାଦି କ୍ଷୁଦ୍ର ବୈଠକ ଓ ଆସରମାନଙ୍କରେ ସାହିତ୍ୟର ମୁକ୍ତ ବିଚାର-ବିନିମୟ ହେଉଥିଲା। ଏପରି କି ଏହି ଲେଖକ, ଭୁବନେଶ୍ୱରରେ ରାଜମହଲ ଛକ ଭଳି ମୁକ୍ତ ପ୍ରାଙ୍ଗଣରେ ବର୍ଷର ଶେଷ ସନ୍ଧ୍ୟାରେ କବିତା ପାଠର ଉତ୍ସବରେ ଯୋଗ ଦେଇ ଦେଖିଛି, କିପରି ମହାପାତ୍ର ନୀଳମଣି ସାହୁ, ଅଖିଳ ମୋହନ ପଟ୍ଟନାୟକ, ରାଜେନ୍ଦ୍ର କିଶୋର ପଣ୍ଡାଙ୍କ ଭଳି କବି, ଲେଖକମାନେ ରାତି ସାରା ବସି ନୂଆ ଲେଖକମାନଙ୍କର କବିତା ଶୁଣୁଥିଲେ। ଏହିଭଳି ଏକ ଉତ୍ସବରେ ହରେକୃଷ୍ଣ ମହତାବଙ୍କ ଭଳି ବର୍ଷୀୟାନ ରାଜନେତା-ସାହିତ୍ୟିକ ମଧ୍ୟ ଶ୍ରୋତାମାନଙ୍କ ମେଳରେ ବସି କବିତା ଶୁଣିଛନ୍ତି – ମଞ୍ଚ ଓ ମଣ୍ଡପ ଠାରୁ ଦୂରରେ ରହି। ଏବେ ତ ସାହିତ୍ୟର ସଭା ସବୁ ‘ଲିଟ୍‍ ଫେଷ୍ଟ’ ନାଁରେ ପଞ୍ଚତାରକା ହୋଟେଲମାନଙ୍କରେ ବ୍ୟୟବହୁଳ ବିଳାସପୂର୍ଣ୍ଣ ଆଦବ କାଇଦାରେ ଆୟୋଜିତ ହେଉଛି; ଯେଉଁଠି ବିଶିଷ୍ଟ, ଅତିବିଶିଷ୍ଟମାନେ, ମଞ୍ଚ ତଳେ ବସିଥିବା ଶାନ୍ତ, ଶିଷ୍ଟମାନଙ୍କୁ ସେମାନଙ୍କର ଚମତ୍କାର ବାଣୀ ଓ ବଚନରେ ଉଦ୍‍ବୋଧିତ କରୁଛନ୍ତି। ଅନ୍ତରଙ୍ଗତାର ଯୁଗ ଆସିବ ବୋଲି ଚିତ୍ତଭାଇ ଯେଉଁ ସ୍ୱପ୍ନ ଦେଖୁଥିଲେ, ସେ ସ୍ୱପ୍ନ କ୍ରମଶଃ ହଜିହଜି ଯାଉଛି; ମାତ୍ର ସାହିତ୍ୟ ପାଇଁ ସେ ସ୍ୱପ୍ନର ପ୍ରାସଙ୍ଗିକତା ରହିଛି ସବୁ କାଳ ପାଇଁ।

ସାହିତ୍ୟ ମାଧ୍ୟମରେ ମଣିଷ ମଣିଷକୁ ଲୋଡ଼ିବ, ମଣିଷର ଅଧିକ ନିକଟବର୍ତ୍ତୀ ହେବା ଲାଗି ଆଗ୍ରହୀ ହେବ। ସାହିତ୍ୟ ଆମ ପରସ୍ପରର ମୁହଁ ଉପରୁ ମୁଖାଗୁଡ଼ିକୁ ଖସାଇ ପକାଇବାକୁ ହିଁ ଅଧିକ ଆଗ୍ରହ ରଖିବ। ଆମ ସାହିତ୍ୟ ପରସ୍ପର ପାଖରେ ଆମକୁ ଅଧିକ ଉନ୍ମୋଚିତ କରିପାରିବାର ବାସନା ବଢ଼ାଇବ। ଅନ୍ତରଙ୍ଗତା ବଢ଼ାଇବ ଏବଂ ସେହି ଅନ୍ତରଙ୍ଗତାରୁ ହିଁ ଏହି ନୂତନ ସମ୍ପର୍କର ଭିତ୍ତି ପଡ଼ିବ। ଏକ ନୂତନ ସ୍ୱପ୍ନର ସାହସ ଆମ ସାମୂହିକ ଭୂମିଗୁଡ଼ିକୁ ମଧ୍ୟ ସଂକ୍ରମିତ ହୋଇଯାଇପାରିବ। ନୂତନ ସ୍ୱପ୍ନ, ସମ୍ପର୍କ ଓ ସୃଜନଶୀଳତାରେ ସାହିତ୍ୟ ଆମକୁ ଅଧିକ ଋଦ୍ଧିମନ୍ତ କରୁ। ବହିଃରଂଗ ବଦଳରେ ଏହା ଅଧିକ ଅନ୍ତରଙ୍ଗ ହେଉ।

Comments are closed.