ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର: ରାଜ୍ୟରେ ବାଲ୍ୟବିବାହ ଏବଂ ଶିଶୁ ଶ୍ରମିକ ପ୍ରଥାର ବିଲୋପ ସହ ଶିଶୁମାନଙ୍କ ଜୀବନଶୈଳୀରେ ଉଲ୍ଲେଖନୀୟ ପରିବର୍ତ୍ତନ ଦିଗରେ ବିଧାୟକମାନଙ୍କ ଫୋରମ୍‌ ଗଠନ ନିମନ୍ତେ ଉଲ୍ଲେଖନୀୟ ଅବଦାନ ପାଇଁ ଆଜି ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ସ୍ବେଚ୍ଛାସେବୀ ସଂସ୍ଥା ପ୍ରେମ୍‌ ଏବଂ ଏଡୁକୋ, ସ୍ପେନ୍‌ ପକ୍ଷରୁ ଏହି କାର୍ଯ୍ୟକ୍ରମର ବ୍ୟାପକ ରୂପାୟନ ହେଉଥିବା ପରିପ୍ରେକ୍ଷୀରେ ଶିଶୁମାନଙ୍କ ସାମୂହିକ କଲ୍ୟାଣ ପାଇଁ ବିଧାୟକ ଫୋରମ୍‌ ଗଠନ ସହ ଏ ଦିଗରେ ଆବଶ୍ୟକୀୟ ଆଇନ ପ୍ରଣୟନ ପାଇଁ ବାଚସ୍ପତି ଡ. ପାତ୍ର ପ୍ରୋତ୍ସାହନ ଓ ଦିଗ୍‌ଦର୍ଶନ ଦେଉଛନ୍ତି। ସେଥିପାଇଁ ତାଙ୍କୁ ଆଜି ଦୁଇ ସଂସ୍ଥା ତରଫରୁ ଉତ୍ତରୀୟ ଓ ଫଳକ ପ୍ରଦାନପୂର୍ବକ ସମ୍ବର୍ଦ୍ଧିତ କରାଯାଇଛି। ବାଚସ୍ପତିଙ୍କ କକ୍ଷରେ ଅନୁଷ୍ଠିତ ଉକ୍ତ ସମ୍ବର୍ଦ୍ଧନା ସଭାରେ ‘ପ୍ରେମ୍‌’ର ସଭାପତି ଜାବୋଦ ଥିଣ୍ଡିଲ୍‌, ଏଡୁକୋ, ସ୍ପେନ୍‌ର ନିର୍ଦ୍ଦେଶକ ଗୁରୁପ୍ରସାଦ ରାଓ, ପ୍ରେମ୍‌ର ଲୋକସଂପର୍କ ଅଧିକାରୀ ରତନ ମିଶ୍ର, କାର୍ଯ୍ୟକ୍ରମ ପରିଚାଳକ ସ୍ୱାଧୀନ ଦିଗାଲ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.